Last updated on August 13, 2022
ଏକଦା ପୁଣ୍ୟଭୂମି, ସକଳ ସୁଖଦାୟୀ, ଫଳପୁଷ୍ପ ପରିପୂର୍ଣ୍ଣ ବୃକ୍ଷରାଜି ଦ୍ୱାରା ସୁଶୋଭିତ, ନାନାତୀର୍ଥସମାକୀର୍ଣ୍ଣ, ନାନାଗୁଳ୍ମରାଜିଦ୍ୱାରା ମନୋରମ, ମନ୍ଦପବନଯୁକ୍ତ, ମୃଗମାନଙ୍କ ବିଚରଣଦ୍ୱାରା ମନୋମୁଗ୍ଧକର ତଥା ତପସ୍ୱୀମାନଙ୍କ ଆଶ୍ରମରେ ଭରପୂର ପରମପବିତ୍ର ନୈମିଷାରଣ୍ୟ ନାମକ ପ୍ରଖ୍ୟାତ ବନର ଏକାନ୍ତ ପରିବେଶରେ ଶୌନକ ପ୍ରମୁଖ ମୁନିଗଣ ଏକତ୍ର ହୋଇ ସମଗ୍ରସଂସାରରେ ସମସ୍ତ ତୀର୍ଥମାନଙ୍କର ତତ୍ତ୍ୱ ଜାଣିବାପାଇଁ ଗୋଟିଏ ମନୋରମ ବିଚାର ଗୋଷ୍ଠୀ ଆୟୋଜିତ କଲେ ।
ମଙ୍ଗଳମୟ କ୍ଷେତ୍ରଗୁଡ଼ିକ ସମ୍ବନ୍ଧରେ ଜାଣିବାପାଇଁ ସମସ୍ତେ ବ୍ୟଗ୍ର ହୁଅନ୍ତେ ଉକ୍ତ ସଭାରେ ତତ୍କ୍ଷଣାତ୍ ଜଟାଧାରୀ, କୌପୀନବସ୍ତ୍ର ପରିଧାନକରି, କୃଷ୍ଣମୃଗର ଚର୍ମକୁ ଉତ୍ତରୀୟ ଭାବରେ ଧାରଣ କରିଥିବା ମୁନିପୁଙ୍ଗବ ‘ସୁତ’ ନିଜ ଶିଷ୍ୟମାନଙ୍କ ସହିତ ଆସି ଉପସ୍ଥିତ ହେଲେ ।
ତାଙ୍କୁ ଦେଖି ଶୌନକ ପ୍ରଭୃତି ତପସ୍ୱୀମାନେ ଅତି ଆନନ୍ଦରେ ଦଣ୍ଡାୟମାନ ହୋଇ ପ୍ରଣାମ ଜଣାଇଲେ । ସେ ‘ସୁତ’ ମଧ୍ୟ ତାଙ୍କୁ (ମୁନିମାନଙ୍କୁ) ଭୂମିଷ୍ଠ ପ୍ରଣାମ ଜଣାଇ ସେଠାରେ ତାଙ୍କ ସହ ଉପବେଶନ କଲେ ।
ଋଷିମାନେ ଏବଂ ସମସ୍ତ ମୁନିଗଣ ସକଳ ଲୋକର ହିତ ନିମନ୍ତେ ହାତଯୋଡ଼ି ପଚାରିଲେ —ହେ ଭଗବାନ୍ ! ଆପଣ ସମସ୍ତ ଧର୍ମସମ୍ପର୍କରେ ଜାଣନ୍ତି । ସକଳ ତୀର୍ଥମାନଙ୍କ ତତ୍ତ୍ୱର ଦ୍ରଷ୍ଟା । ଅତଏବ ସମସ୍ତ ତୀର୍ଥଗୁଡ଼ିକର ମଙ୍ଗଳମୟ ତାତ୍ପର୍ଯ୍ୟ ବିଷୟରେ ଆମମାନଙ୍କୁ କୁହ ।
ହେ ମୁନୀଶ୍ୱର ସୁତ ! ହେ ପ୍ରଭୁ ! କ୍ଷେତ୍ରମାନଙ୍କର ଫଳ ବିଷୟରେ ଏବଂ ସେହି କ୍ଷେତ୍ରମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ସେ ବିଷୟରେ ମଧ୍ୟ ଆମମାନଙ୍କୁ କୁହ ।
ଯେହେତୁ ତୁମେ ବ୍ୟାସଙ୍କର ଶିଷ୍ୟ, ତେଣୁ ତୁମେ ସମସ୍ତ ଫଳଯୁକ୍ତ ପବିତ୍ର ତୀର୍ଥମାନଙ୍କ ତତ୍ତ୍ୱ ସମ୍ପର୍କରେ କୁହ ।
ଏହିପରି ପଚାରୁଥିବା ଋଷିମାନଙ୍କ ଆଗରେ ଉତ୍ତମ ଜନ ‘ସୂତ’ ସେହି ଗୋପନୀୟ ତଥ୍ୟ କହିବାକୁ ଶ୍ରେୟ ମନେକରି କହିବା ଆରମ୍ଭ କଲେ । ସୂତ କହିଲେ— ହେ ସଂଯତାତ୍ମା ମୁନିଗଣ ! ଶୁଣ ! ସମସ୍ତ ତୀର୍ଥମାନଙ୍କ ମଧ୍ୟରେ ଶ୍ରୀ ପୁରୁଷୋତ୍ତମ (ଶ୍ରେଷ୍ଠ ଅଟେ) ।
(ଏହି ପୁରୁଷୋତ୍ତମ), ପରମ ଗୋପନୀୟ, ସକଳ ଅଜ୍ଞାନାନ୍ଧକାର ଧ୍ୱଂସକାରୀ, ସକଳ ପୁଣ୍ୟଫଳର ଦାତା, ମଙ୍ଗଳପ୍ରଦ ତଥା ନୀଳପର୍ବତରେ ବିଭୂଷିତ ଅଟେ ।
ହେ ମୁନିଶ୍ରେଷ୍ଠ ! ଋଷିକୂଲ୍ୟାନଦୀଠାରୁ ଆରମ୍ଭକରି ବୈତରଣୀ ନଦୀର ସୀମାମଧ୍ୟରେ ଏହି କ୍ଷେତ୍ରର ମାହାତ୍ମ୍ୟ ରହିଅଛି ।
ସମୁଦ୍ରର ଉତ୍ତରତୀର ଏବଂ ମହାନଦୀର ଦକ୍ଷିଣତୀର ମଧ୍ୟରେ ସମୁଦ୍ରତଟରୁ ଆରମ୍ଭକରି ଏହି ପରମ ପବିତ୍ର ତୀର୍ଥ ବିଦ୍ୟମାନ ।
ହେ ନିଷ୍ପାପ ମୁନିଗଣ ! ଏହିଠାରୁ ଆରମ୍ଭକରି ଚତୁର୍ଦ୍ଦିଗରେ ଦଶଯୋଜନ ପର୍ଯ୍ୟନ୍ତ ବିସ୍ତୃତକ୍ଷେତ୍ର ପଦେ ପଦେ ଶ୍ରେଷ୍ଠତମ ଅଟେ ।
ସେହିଠାରୁ ଆରମ୍ଭକରି ନୀଳାଚଳ ପର୍ଯ୍ୟନ୍ତ ବିସ୍ତୃତ କ୍ଷେତ୍ର ଅଭ୍ୟୁଦୟ ଓ ନିଃଶ୍ରେୟସ ଫଳ ପ୍ରଦାନକାରୀ ଅଟେ । ଯେଉଁମାନେ ପାପଶୂନ୍ୟ ଜନ, ସେମାନେ ହିଁ କେବଳ ସେଠାକୁ ଯିବାପାଇଁ ସମର୍ଥ ଅଟନ୍ତି ।
ଯେଉଁମାନେ ଭକ୍ତିପୂତ ହୃଦୟରେ ବୈତରଣୀରେ ସ୍ନାନକରି ଗଦାକ୍ଷେତ୍ର (ଯାଜପୁର)ରେ ବୈତରଣୀ ତଟବାସିନୀ ଦେବୀ ବିରଜାଙ୍କୁ ଦର୍ଶନ କରିଥାଆନ୍ତି, ସେହିମାନେ କେବଳ ଏକାମ୍ରକାନନ ଦର୍ଶନ କରିବାପାଇଁ ଯୋଗ୍ୟ ଅଟନ୍ତି । ହେ ମୁନୀଶ୍ୱର ! ଏକାମ୍ର କାନନରେ ସୁରମ୍ୟ ବିନ୍ଦୁସାଗରରେ ସ୍ନାନକରି ଉତ୍ତମ ଶିବଲିଙ୍ଗ ନୀଳକଣ୍ଠ (ଲିଙ୍ଗରାଜ)ଙ୍କୁ ଯେଉଁମାନେ ଦର୍ଶନ କରନ୍ତି ସେହି ମନୁଷ୍ୟମାନେ କୋଣାର୍କ ଦର୍ଶନ କରିବାପାଇଁ ଯୋଗ୍ୟ ହୋଇଥାନ୍ତି ।
ହେ ମୁନିପୁଙ୍ଗବ ! ଏହି ପବିତ୍ର ଅର୍କକ୍ଷେତ୍ର (କୋଣାର୍କ)ରେ ଚନ୍ଦ୍ରଭାଗାନଦୀର ଜଳରେ ସ୍ନାନକରି ସେହିମାନେ ଅତି ଉଦ୍ଦୀପ୍ତ ସୂର୍ଯ୍ୟଦେବଙ୍କୁ ଦର୍ଶନ କରନ୍ତି । ହେ ବ୍ରାହ୍ମଣଗଣ ! (ଯେଉଁମାନେ ଏହିପରି ଭାବରେ କ୍ରମାନୁସାରେ ଦେବଦର୍ଶନକରି) ପାପଶୂନ୍ୟ ହୋଇଥାଆନ୍ତି ସେହିମାନେ ମଙ୍ଗଳମୟ ପରମପାବନ ଶ୍ରୀ ପୁରୁଷୋତ୍ତମକ୍ଷେତ୍ରକୁ ଦର୍ଶନ କରିବାପାଇଁ ସମର୍ଥ ହୋଇଥାଆନ୍ତି ।
ପାଞ୍ଚକୋଶ ଆୟତନ ବିଶିଷ୍ଟ ଶଙ୍ଖ ଆକାର ଧାରଣ କରିଥିବା ଅତିସୁନ୍ଦର ନୀଳପର୍ବତର କ୍ରୀଡ଼ାଙ୍ଗଣର ଦର୍ଶନଦ୍ୱାରା ସକଳପାପ ଧ୍ୱଂସ ହୁଏ । ସମୁଦ୍ରର ଜଳରାଶିଦ୍ୱାରା ପରିବେଷ୍ଟିତ ଶୋଭନୀୟ ଶଙ୍ଖର ଉଦର ସଦୃଶ ଏହି ଶୁଭଯୁକ୍ତ କ୍ଷେତ୍ରର (ଅନ୍ତତଃ) ତିନିକ୍ରୋଶ ବଳୟକୁ ଯେଉଁମାନେ (ପାଦବ୍ରଜରେ ଭ୍ରମଣକରି) ଦର୍ଶନ କରନ୍ତି, ସେମାନେ ପାପମୁକ୍ତ ହୁଅନ୍ତି । ଯେଉଁମାନଙ୍କର ଜନାର୍ଦ୍ଦନ (ଜଗନ୍ନାଥ)ଙ୍କଠାରେ ଅଚଳା ଭକ୍ତି ଥାଏ, ସେମାନେ ନାନାବିଧ ତୀର୍ଥବିଶିଷ୍ଟ କୋଟି ବ୍ରହ୍ମାଣ୍ଡରେ ଦୁର୍ଲ୍ଲଭ ଏହି କ୍ଷେତ୍ରକୁ ଯିବାପାଇଁ ସମର୍ଥ ହୋଇପାରନ୍ତି ।
ହେ ବିପ୍ରଗଣ ! ତିନିକ୍ରୋଶ ଆୟତନ ପବିତ୍ର ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ସ୍ପର୍ଶ କରିଯିବା ଯୋଗୁ ଏଠାରେ ସମୁଦ୍ର ‘ତୀର୍ଥରାଜ’ ଭାବରେ ପ୍ରସିଦ୍ଧ । ହେ ବ୍ରାହ୍ମଣଗଣ ! ଏହି କ୍ଷେତ୍ର ଶଙ୍ଖାକାର ହେଲେ ମଧ୍ୟ ଏଥିରେ ନୀଳପର୍ବତ ଶୋଭାପାଉଅଛି । ସେହି ନୀଳାଚଳରେ ‘ରୋହିଣୀ’ ନାମକ ଏକ କୁଣ୍ଡ ରହିଛି ।
ସେହି (ରୋହିଣୀ)କୁଣ୍ଡରେ କରୁଣାବାରି ପରିପୂର୍ଣ୍ଣ ହୋଇ ରହିଅଛି । ତାହାକୁ ସ୍ପର୍ଶ କରୁଥିବା ଲୋକମାନଙ୍କର ପାପ ନାଶଯାଏ । କାରଣ ଏହି କୁଣ୍ଡରେ ଥିବା ଜଳର ସ୍ପର୍ଶଦ୍ୱାରା ବ୍ରହ୍ମାଙ୍କର ପ୍ରଳୟ ହୁଏ । ଏହି କୁଣ୍ଡର ଉତ୍ତରଦିଗରେ ସାକ୍ଷାତ୍ ବିଷ୍ଣୁଙ୍କର ସ୍ୱରୂପ ବହନ କରିଥିବା କଳ୍ପବୃକ୍ଷ ବିଦ୍ୟମାନ । ତାହାର ଛାୟାତଳେ ଉପବେଶନକରି ତାହାକୁ ସ୍ପର୍ଶ ଓ ଦର୍ଶନ କରିବା ଦ୍ୱାରା ପାପଧ୍ୱଂସ ହୁଏ ।
କଳ୍ପବୃକ୍ଷ ବ୍ରହ୍ମହତ୍ୟାଜନିତ ପାପକୁ ଧ୍ୱଂସ କରେ । ତା’ ମୂଳରେ ଅତି ମଞ୍ଜୁଳ ମନୋରମ ରତ୍ନ ଖଚିତ ଦିବ୍ୟ ରତ୍ନସିଂହାସନରେ ନୀଳମାଧବ ଅଧିଷ୍ଠିତ । ତାଙ୍କର ଉଭୟ ପାର୍ଶ୍ୱରେ ଧରା (ଭୂଦେବୀ) ଓ ଲକ୍ଷ୍ମୀ (ଶ୍ରୀଦେବୀ) ରହିଛନ୍ତି ।
ସେଠାରୁ ଶହେ ହାତ ଦୂରରେ କଳ୍ପବୃକ୍ଷର ବାୟୁକୋଣରେ ଅର୍ଥାତ୍ ପଶ୍ଚିମୋତ୍ତର କୋଣରେ ମାଧବ ଓ ତାଙ୍କର ଦକ୍ଷିଣକୁ ନୃସିଂହ ବିଦ୍ୟମାନ ।
ହେ ବିପ୍ରଗଣ ! ହିରଣ୍ୟକଶିପୁର ଶତ୍ରୁ ସାକ୍ଷାତ୍ ବ୍ରହ୍ମସ୍ୱରୂପ ଅଟନ୍ତି । ତାଙ୍କର ଅଗ୍ର ଓ କଳ୍ପବୃକ୍ଷର ମୂଳ ଏହା ମଧ୍ୟରେ ଯାହା କିଛି କର୍ମ କରାଯାଏ ତାହା କୋଟି କୋଟି ଗୁଣ ହୋଇଯାଏ । ତାହାଠାରୁ ପରମାତ୍ମା ନୃସିଂହଦେବଙ୍କର କିଛି ଉତ୍ତରରେ ସକଳ କାମନାର ଫଳ ଦାନ କରୁଥିବା ‘କାମ’ ନାମକ କ୍ଷେତ୍ରପାଳ ଓ ଦ୍ୱିତୀୟରେ ପୁଣ୍ୟମୟୀ ପାପହାରିଣୀ ମା ଦେବୀ ବିମଳା ଅଛନ୍ତି ।
ସେ ଆଦ୍ୟାଶକ୍ତି ଓ ସମସ୍ତଙ୍କର ଅଭ୍ୟୁଦୟ ଏବଂ ନିଃଶ୍ରେୟସ ପ୍ରଦାୟିନୀ ଅଟନ୍ତି । ତୃତୀୟରେ ମଣିକର୍ଣ୍ଣିକା ତୀର୍ଥ ବିଦ୍ୟମାନ ।
ଦୃଶ୍ୟମାନ ଜଗତରେ ବ୍ରହ୍ମହତ୍ୟାଦି ପାପକୁ ଧ୍ୱଂସ କରୁଥିବା ମହାଦେବ ‘କପାଳମୋଚନ’ ତାଙ୍କ ନିକଟରେ ଅଛନ୍ତି । ସମୁଦ୍ରର ସୁରମ୍ୟ ତଟ ଦେଶରେ ଯମଦଣ୍ଡକୁ ଖଣ୍ଡନ କରୁଥିବା ନାରାୟଣ ସ୍ୱରୂପୀ ଶ୍ରୀମାନ୍ ମହାଦେବ ଅଛନ୍ତି, ଯିଏକି ‘ଯମେଶ୍ୱର’ ନାମରେ ପରିଚିତ । ପୂଜକମାନଙ୍କୁ ଓ ଦର୍ଶନକାରୀଙ୍କୁ ଯେ କୋଟିଲିଙ୍ଗ ଆରାଧନାକରିବାର ଫଳ ଦିଅନ୍ତି ସେହି ଶମ୍ଭୁଙ୍କର ଅଗ୍ନିକୋଣରେ ‘କଣ୍ଡୁମୁନି’ ଅବସ୍ଥାନ କରିଅଛନ୍ତି । ଯମେଶ୍ୱରଙ୍କର ବେଢ଼ାମଧ୍ୟରେ ଦର୍ଶନକାରୀ ଓ ଜପ କରୁଥିବା ଭକ୍ତମାନଙ୍କର ଭୁକ୍ତି ଓ ମୁକ୍ତି ପ୍ରଦାୟିନୀ ଚଣ୍ଡରୂପିଣୀ ଦେବୀ (ଚଣ୍ଡୀ) ବିରାଜମାନ କରିଛନ୍ତି । ଚାମୁଣ୍ଡାଙ୍କର ଅଗ୍ରଭାଗରେ ପାପନାଶିନୀ କାଳିକା ଅଛନ୍ତି ସେ ଦକ୍ଷିଣ ଦିଗରେ ବିଷ୍ଣୁବଲ୍ଲଭା ଭାବରେ ଅଧିଷ୍ଠିତ ।
ବିଷ୍ଣୁ, କଳ୍ପବୃକ୍ଷ, ସମୁଦ୍ରତୀର ଓ କାଳିକାଙ୍କର ପୃଷ୍ଠଭାଗରେ ଅନନ୍ତ ଫଳ ଦାୟିନୀ ଲୋକପାବନୀ (ଶ୍ୱେତ) ଗଙ୍ଗା ବିରାଜମାନ କରିଛନ୍ତି । ତାଙ୍କର ଦକ୍ଷିଣରେ ମନରେ ହରିଙ୍କୁ ଧ୍ୟାନ କରୁଥିବା ମୁଦ୍ରାରେ ମତ୍ସ୍ୟରୂପୀ ବିଷ୍ଣୁ ଏବଂ ଶ୍ୱେତାବତାର ଶିବ ରହିଅଛନ୍ତି । ସେହି ବିଷ୍ଣୁ ଏବଂ ଶିବଙ୍କ ମଧ୍ୟବର୍ତ୍ତୀ ସ୍ଥଳ ଅତ୍ୟନ୍ତ ପରମ ପବିତ୍ର ଏବଂ ମୁକ୍ତିପ୍ରଦ ଅଟେ ବୋଲି ସିଦ୍ଧମାନେ କହନ୍ତି । ଶ୍ୱେତଗଙ୍ଗା ଜଳରେ ସ୍ନାନକରି ମତ୍ସ୍ୟାବତାର ଏବଂ ଶ୍ୱେତ ଶିବଙ୍କୁ ଦର୍ଶନକଲେ ସକଳପାପରୁ ମୁକ୍ତ ହୋଇ ମଣିଷ ବାଜପେୟ ଯଜ୍ଞାନୁଷ୍ଠାନ ଜନିତ ପୁଣ୍ୟଫଳ ଲାଭ କରେ । ହେ ବ୍ରାହ୍ମଣଗଣ ! ମନ୍ଦିରରେ ପରିକ୍ରମା କରୁଥିବାବେଳେ ଅଜ୍ଞାନବଶତଃ ପାଦରେ ମହାପ୍ରସାଦ ସ୍ପର୍ଶ ହେଲେ ଯେଉଁ ଅପରାଧ ହୁଏ, ଶ୍ୱେତଗଙ୍ଗାଜଳରେ ପାଦଧୌତ କରି ମତ୍ସ୍ୟାବତାର ଏବଂ ଶ୍ୱେତଶିବଙ୍କୁ ଦର୍ଶନ କଲେ ତାହା କ୍ଷାଳିତ ହୋଇଯାଏ ।
କଳ୍ପବଟମୂଳରେ ସର୍ବକାମପ୍ରଦ ବଟେଶ୍ୱର, ତାଙ୍କ ଅଗ୍ରଭାଗରେ ଉତ୍ତମ ଶକ୍ତି ସ୍ୱରୂପିଣୀ ସର୍ବମଙ୍ଗଳା ଏବଂ ବଟର ଦକ୍ଷିଣ ଭାଗରେ ଦକ୍ଷିଣକୁ ମୁଖକରିଥିବା ଗଣେଶ ବିଦ୍ୟମାନ ଅଛନ୍ତି । ହେ ଦ୍ୱିଜଗଣ ! ସକଳ ଲୋକଙ୍କୁ ବିଘ୍ନ ବିନାଶନ କରିବା ପାଇଁ ସେ ସର୍ବଦା ବିରାଜମାନ କରିଛନ୍ତି ।
ନୀଳପର୍ବତର ପୂର୍ବଦିଗରେ ନିଜର ସକଳ ଦାସବର୍ଗଙ୍କର ମନୋରଥପୂରଣ କରୁଥିବା ଶକ୍ତି ‘ମରୀଚିକା’ ଅଧିଷ୍ଠିତ । ସକଳ ଜନସମାଜ ତଥା ପୂଜକମାନଙ୍କର ସକଳ କାମନାସିଦ୍ଧି କରୁଥିବା ଜଗଦ୍ ଗୁରୁ ମାଧବ (ବିଷ୍ଣୁ)ଙ୍କର ଐଶାନ୍ୟ ଦିଗରେ ରୁଦ୍ର (ଐଶାନେଶ୍ୱର) ପ୍ରତିଷ୍ଠିତ ଅଛନ୍ତି । ଅର୍ଦ୍ଧାଶନୀ ଦେବୀ ଓ କପାଳମୋଚନ ଉତ୍ତର ଦିଗରେ ବିରାଜମାନ କରିଛନ୍ତି । ଶଙ୍ଖକ୍ଷେତ୍ରର ମଧ୍ୟ ଭାଗକୁ ହରି ରକ୍ଷା କରିଛନ୍ତି । ମୁକ୍ତିଦାୟକ ନୀଳକଣ୍ଠ ଶଙ୍ଖର ଅଗ୍ରରେ ଏବଂ ସର୍ବମଙ୍ଗଳା ପୃଷ୍ଠଭାଗରେ ଥାଇ କ୍ଷେତ୍ରର ସୁରକ୍ଷା ଦାୟିତ୍ୱ ବହନ କରିଛନ୍ତି । ସଂପ୍ରତି ତୁମ ଆଗରେ ଶଙ୍ଖର ଏହିପରି ପ୍ରମାଣ କହିଲି ।
ପୁରୁଷୋତ୍ତମ କ୍ଷେତ୍ର (କଳ୍ପବଟ)ର ବାୟୁକୋଣରେ ଲିଙ୍ଗରୂପ ଧାରଣକରି ମାର୍କଣ୍ଡେୟ ମହାମୁନି ଧ୍ୟାନମଗ୍ନ ଅଛନ୍ତି । ହେ ବ୍ରାହ୍ମଣଗଣ ! ତାଙ୍କ (ମାର୍କଣ୍ଡେୟ) ଦ୍ୱାରା ପବିତ୍ର ମାର୍କଣ୍ଡେୟ (ହ୍ରଦ) ପୁଷ୍କରିଣୀ ନିର୍ମିତ ହୋଇଅଛି । ସେଥିରେ ସ୍ନାନକରି ଉତ୍ତମ ଭାବରେ ବିଧିପୂର୍ବକ ଅର୍ଚ୍ଚନା କରି ଶିବ (ମାର୍କଣ୍ଡେୟେଶ୍ୱର)ଙ୍କୁ ଭକ୍ତି ସହିତ ଯେଉଁମାନେ ଦର୍ଶନ କରନ୍ତି ସେମାନେ ବାଜପେୟ ଯାଗର ଫଳ ପାଆନ୍ତି । ଏହିପରି ଭାବରେ ନାନା ତୀର୍ଥ ଦ୍ୱାରା ପରିବେଷ୍ଟିତ ହୋଇ ଏହି ମହାକ୍ଷେତ୍ର ଅବସ୍ଥିତ । ଏହି କ୍ଷେତ୍ର ନାନା ବୃକ୍ଷ, ଲତା ଓ ଗୁଳ୍ମ ଦ୍ୱାରା ସମନ୍ୱିତ ହୋଇ ମନୋମୁଗ୍ଧକର, ଦେବଦୁର୍ଲ୍ଲଭ, ସର୍ବସୁଖଦାୟୀ, ରମ୍ୟ, ପୁଣ୍ୟମୟ ତଥା ପାପବିନାଶକାରୀ ଭାବରେ ସତତ ବିଦ୍ୟମାନ । ଭାରତବର୍ଷରେ ଯେଉଁଠାରେ ଶ୍ରୀ ନୀଳମାଧବ ରହିଛନ୍ତି ସେଠାକୁ ସ୍ୱର୍ଗରୁ ସକଳ ଦେବତାବୃନ୍ଦ ଦିବ୍ୟବସ୍ତୁମାନ ସହ ଆସି ତାଙ୍କୁ ପୂଜା ଅର୍ଚ୍ଚନା କରିଥାଆନ୍ତି । ପ୍ରତ୍ୟହ ଦେବତାମାନଙ୍କ ଦ୍ୱାରା ଭଗବାନ୍ କମଳାକାନ୍ତ (ଜଗନ୍ନାଥ) ଗନ୍ଧ, ପୁଷ୍ପାଦି ଦ୍ୱାରା ପୂଜିତ ହୁଅନ୍ତି । ହେ ବିପ୍ରଗଣ ! ସେଠାରେ ମନୁଷ୍ୟମାନଙ୍କର ଗମନାଗମନ ମଧ୍ୟ ନାହିଁ । ମାଧବ (ଜଗନ୍ନାଥ)ଙ୍କର ପୂଜାର୍ଚ୍ଚନା କରିବାରେ କେବଳ ଉତ୍ତମ ଦେବତାଗଣ ହିଁ ସମର୍ଥ ଅଟନ୍ତି । ଏହି କ୍ଷେତ୍ରର ପଶ୍ଚିମରେ ଶବରପଲ୍ଲୀ ଅବସ୍ଥିତ । ସେହି ଶବରପଲ୍ଲୀରେ ବିଶ୍ୱାବସୁ ନାମକ ଶବରମାନଙ୍କର ରାଜା ଭଗବାନଙ୍କର ନିର୍ମାଲ୍ୟ ସେବନ କରି ରହିଛନ୍ତି । ହେ ବିପ୍ରଗଣ ! ସକଳ ଦେବତାମାନଙ୍କ ଦ୍ୱାରା ପୂଜିତ ନୀଳମାଧବ ମୂର୍ତ୍ତିଧାରଣ କରିଥିବା ବିଷ୍ଣୁ (ଜଗନ୍ନାଥ)ଙ୍କର ଆୟତନ ସ୍ଥଳକୁ ସେ ହିଁ ମାର୍ଜନା କରନ୍ତି ।
ହେ ବ୍ରାହ୍ମଣଗଣ ! ଚତୁର୍ଦ୍ଦଶ ଭୁବନରେ ଏହିପରି ଭାବରେ ଯେଉଁ ଗୋପନୀୟ କ୍ଷେତ୍ରଟିଏ ଅଛି ସେ କ୍ଷେତ୍ର ଏହି (ପୁରୁଷୋତ୍ତମ କ୍ଷେତ୍ର) । କୌଣସି ଏକ ସମୟରେ ସେହି ନୀଳାଚଳ କ୍ଷେତ୍ରରେ ତୃଷାପୀଡ଼ିତ ଗୋଟିଏ କାକ ଆସି ପହଞ୍ଚିଲା । ରୋହିଣୀକୁଣ୍ଡରେ ପ୍ରତିବିମ୍ବିତ ହୋଇଥିବା ମାଧବଙ୍କୁ ଅନାୟାସରେ ଦର୍ଶନ କରି ଜଳପାନ କରିବାରୁ ସେ ଶଙ୍ଖ, ଚକ୍ର, ଗଦା, ପଦ୍ମ ହସ୍ତ ଧାରଣ ପୂର୍ବକ ଭଗବାନଙ୍କର ରୂପ ଗ୍ରହଣ କରି ବୈକୁଣ୍ଠକୁ ଗମନ କରିଥିଲା । ଏହା ଜାଣିପାରି ସୂର୍ଯ୍ୟଙ୍କର ପୁତ୍ର ଯମ ଶଙ୍କାକୁଳ ମନରେ ନିଜର ଅଧିକାର ଚାଲିଯିବାର ହୃଦୟଙ୍ଗମକରି ହଠାତ୍ ସେଠାକୁ ଆସି ମାଧବଙ୍କୁ ସ୍ତୁତି କରିବାକୁ ଲାଗିଲେ । ହେ ବିପ୍ରଗଣ ! ମାଧବ ଯମଙ୍କର ଦୁର୍ଲ୍ଲଭ ସ୍ତୁତି ଶୁଣି ଅଳ୍ପ ହସି ଲକ୍ଷ୍ମୀଙ୍କ ଆଡ଼କୁ ଟିକିଏ ଚାହିଁଦେଲେ (ଯମଙ୍କୁ କ୍ଷେତ୍ରର ମାହାତ୍ମ୍ୟ ବୁଝାଇ କହିବାପାଇଁ) । ମାଧବଙ୍କର ଚାହାଣିଦ୍ୱାରା ଇଙ୍ଗିତ ପାଇ ଭକ୍ତବତ୍ସଳା ମା ଲକ୍ଷ୍ମୀ ନିଜର ଅଧିକାରକୁ ହରାଇବସିଥିବା ଭୟାତୁର ଯମଙ୍କୁ ଏହି କଥା କହିଲେ ।
ଲକ୍ଷ୍ମୀ କହିଲେ—ହେ ଯମ ! ଶୁଣ ! ଏହି ପୁରୁଷୋତ୍ତମ କ୍ଷେତ୍ର ଅତ୍ୟନ୍ତ ପବିତ୍ର । ଏଠାରେ ଯେଉଁମାନେ ଦେହତ୍ୟାଗ କରନ୍ତି ସେମାନଙ୍କର ମୁକ୍ତି ସୁନିଶ୍ଚିତ । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ହେ ପୁତ୍ର ! ତୁମ୍ଭର (ଯମର) ଅଧିକାର ସର୍ବତ୍ର ବିଦ୍ୟମାନ । କିନ୍ତୁ ଏ ସଂସାରରେ ପୁରୁଷୋତ୍ତମ ମହାକ୍ଷେତ୍ରର ପାଞ୍ଚ କୋଶ ମଧ୍ୟରେ ତୁମ୍ଭର କୌଣସି ଅଧିକାର ନାହିଁ । ହେ ଯମ ! କୀଟ, ପତଙ୍ଗ, ମନୁଷ୍ୟ ଯେ କୌଣସି ଦେହ ଧାରଣ କରିଥିବା ପ୍ରାଣୀ ଏଠାରେ ଯଦି ଦେହତ୍ୟାଗ କରନ୍ତି ତେବେ ସେମାନେ ଅତି ଦୁର୍ଲ୍ଲଭ ମୁକ୍ତି ଲାଭ କରିଥାଆନ୍ତି । ଏହି ପୁରୁଷୋତ୍ତମ କ୍ଷେତ୍ରରେ ଆକାଶରେ, ଜଳରେ, ଭୂମିରେ ଅଥବା ଯେ କୌଣସି ସ୍ଥାନରେ ଯେଉଁମାନେ ମୃତ୍ୟୁବରଣ କରନ୍ତି, ସେମାନେ ମୁକ୍ତି ଲାଭ କରନ୍ତି । ହେ ଯମ ! ମୁଁ ସ୍ପଷ୍ଟକରି କହିଦେବାକୁ ଚାହେଁ ଯେ ସେମାନଙ୍କ ଉପରେ ତୁମ୍ଭର କୌଣସି ଅଧିକାର ନାହିଁ । ଏହି ଉତ୍ତମ କ୍ଷେତ୍ରକୁ ଛାଡ଼ିଦେଲେ ଆଉ ଯେତେ ସ୍ଥାନ ଅଛି ସେଠାରେ ତୁମ୍ଭର ନିର୍ବାଧ ଅଧିକାର ଅଛି । ଶ୍ରୀ ପୁରୁଷୋତ୍ତମକ୍ଷେତ୍ରକୁ ଆସିବା ଉଦ୍ଦେଶ୍ୟରେ ବାହାରି ଆସିଥିବା ଅନ୍ୟ ସ୍ଥାନର ଲୋକେ ଯଦି ଶହେ ପାଦ ମାତ୍ର ଆସି ମୃତ୍ୟୁବରଣ କରନ୍ତି ତେବେ ସେମାନଙ୍କ ଉପରେ ମଧ୍ୟ ତୁମ୍ଭର (ଯମର) କୌଣସି ଅଧିକାର ନାହିଁ—ଏହା ବାରମ୍ବାର ସତ୍ୟ ଉଚ୍ଚାରଣପୂର୍ବକ ମୁଁ ଘୋଷଣା କରୁଛି ।
ହେ ସୂର୍ଯ୍ୟପୁତ୍ର ଯମ ! ଏହି ମହାକ୍ଷେତ୍ରରେ ମହୋଦଧିରେ ସ୍ନାନ ପୂର୍ବକ ଯେଉଁମାନେ ଭକ୍ତି ସହକାରେ ବିଷ୍ଣୁ (ଜଗନ୍ନାଥ)ଙ୍କୁ ଦର୍ଶନ କରନ୍ତି ସେମାନଙ୍କ ଉପରେ ମଧ୍ୟ ତୁମ୍ଭର ଅଧିକାର ନାହିଁ । ଏଠାରେ ବିଷ୍ଣୁଙ୍କୁ ଦର୍ଶନ କରିବାକୁ ଆସି ଦର୍ଶନ କରି ଯଦି ଅନ୍ୟ ସ୍ଥାନରେ ଦେହତ୍ୟାଗ କରନ୍ତି ତଥାପି ସେମାନେ ମୁକ୍ତ ଅଟନ୍ତି ଅର୍ଥାତ୍ ତାଙ୍କ ଉପରେ ମଧ୍ୟ ତୁମ୍ଭର ଅଧିକାର ନାହିଁ ।
ଅତଏବ ହେ ସୂର୍ୟ୍ୟପୁତ୍ର (ଯମ) ! ଏ କଥା ତୁମ୍ଭେ ଭଲକରି ମନେରଖ ଯେ ଭଗବାନଙ୍କର ନାମରେ ବିଖ୍ୟାତ ହୋଇଥିବା ଏହି ଶ୍ରୀପୁରୁଷୋତ୍ତମ କ୍ଷେତ୍ର ବିଷ୍ଣୁଙ୍କର ସାକ୍ଷାତ୍ ଶରୀର ଅଟେ ।
ହେ ଯମ ! ସମଗ୍ର ବ୍ରହ୍ମାଣ୍ଡରେ ଏହି କ୍ଷେତ୍ର ତୁଲ୍ୟ କ୍ଷେତ୍ର ନାହିଁ, ଯେଉଁଠି ପଦାର୍ପଣ କଲେ ଜନ୍ମଗ୍ରହଣ କରିଥିବା ପ୍ରାଣୀମାନଙ୍କର ପୁନର୍ଜନ୍ମ ହୁଏନାହିଁ ।
ସେହି କ୍ଷେତ୍ରରେ ମୁଁ ନିବାସ କରି ରହିବି ଏପରି ଯିଏ ମୁଖରେ ଉଚ୍ଚାରଣ କରେ ସେ ମଧ୍ୟ ଭବବନ୍ଧନ ତ୍ୟାଗକରି ନିଃସନ୍ଦେହରେ ମୁକ୍ତ ହୋଇଯାଏ ।
ଯେଉଁମାନେ ସେହି କ୍ଷେତ୍ରରେ ନିବାସ କରି ରହିଛନ୍ତି ତାଙ୍କର କ୍ଷେତ୍ରବାସର ଫଳ ବା ମୁଁ ଆଉ କ’ଣ କହିବି ? ଏହିପରି ଲକ୍ଷ୍ମୀଙ୍କଠାରୁ ତାଙ୍କର ବଚନ ଶୁଣି ସୂର୍ଯ୍ୟପୁତ୍ର ଯମ ହୃଷ୍ଟମନା ହୋଇ କ୍ଷେତ୍ରରାଜର ମାହାତ୍ମ୍ୟକୁ ହୃଦୟଙ୍ଗମ କରି ନିଜପୁରକୁ ପ୍ରସ୍ଥାନ କଲେ ।
ହେ ଦ୍ୱିଜଗଣ ! ପୂର୍ବ ଏବଂ ପର ପରାର୍ଦ୍ଧ ପର୍ଯ୍ୟନ୍ତ ମାଧବ ଏଠାରେ ଅବସ୍ଥାନ କରନ୍ତି ।
ପୁଣି ଅପରାର୍ଦ୍ଧରେ ଦାରୁବ୍ରହ୍ମରୂପରେ ମନୁଷ୍ୟମାନଙ୍କ ସହ କେଶବ ଏହି କ୍ଷେତ୍ରରେ ଲୀଳା କରୁଛନ୍ତି ।
ହେ ବ୍ରାହ୍ମଣଗଣ ! ଏହିପରି ଭାବରେ ମହାବିଷ୍ଣୁଙ୍କର ଧାମ ଅତ୍ୟନ୍ତ ପ୍ରୀତିପ୍ରଦ ସ୍ଥାନ ଅଟେ । କିଏ ବା ନିଜ ମୁଖରେ ଏହାର ମାହାତ୍ମ୍ୟ ଠିକ୍ ଠିକ୍ ଭାବରେ କହିବାକୁ ସମର୍ଥ ?
ଯେଉଁଠି କାକ ଚତୁର୍ଭୁଜ ହୋଇଗଲା । ସୂର୍ଯ୍ୟପୁତ୍ର ଯମ ଲକ୍ଷ୍ମୀଙ୍କଠାରୁ ଏହି କ୍ଷେତ୍ରର ମହିମାମୟ ପରାକାଷ୍ଠା ଶୁଣି ନିଜ ଯମଗଣଙ୍କୁ ଏକଥା ସବୁ ବୁଝାଇ କହିଥିଲେ । ଇଏ ସେହି ପୁରୁଷୋତ୍ତମ କ୍ଷେତ୍ର ଯେଉଁଠି ଯମରାଜ ନିଜର ଅଧିକାରକୁ ମନରେ ମଧ୍ୟ ଉଠାଇବାକୁ ସାହାସ କରନ୍ତି ନାହିଁ ।
ଏହିପରି ସୂତସଂହିତା ଅନ୍ତର୍ଗତ ନୀଳାଦ୍ରିମହୋଦୟସ୍ଥ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ବିଷୟକ ପ୍ରଥମ ଅଧ୍ୟାୟ ସମାପ୍ତ ହେଲା ।
Be First to Comment