Last updated on January 28, 2021
ପୂର୍ବସଂଖ୍ୟା ଉତ୍ତାରୁ …
ଓମ୍ ଧନୁଶର ଅଟେ, ଆତ୍ମା ତୀର ଅଟେ, ବ୍ରହ୍ମ ତାହାର ଲକ୍ଷ୍ୟ ଅଟନ୍ତି । ଅପ୍ରମତ୍ତ ହୋଇ ତୀରଦ୍ୱାରା ଲକ୍ଷ୍ୟକୁ ଭେଦ କରିବା ଆବଶ୍ୟକ ଏବଂ ତୀର ଲକ୍ଷ୍ୟ ଦିଗରେ ନିକ୍ଷେପିତ ହୋଇ ଯଥାସ୍ଥାନରେ ଅବସ୍ଥାନ କରିବାପୂର୍ବକ ସେହି ରୂପରେ ଲୀନ ହୋଇଯାଏ । ସେହିଭଳି ‘ଓମ୍କାର’ ଜପ କରି କରି ବ୍ରହ୍ମଙ୍କଠାରେ ତନ୍ମୟ ହୋଇଯିବା ଆବଶ୍ୟକ-ତଲ୍ଲୀନ ହୋଇଯିବା ଆବଶ୍ୟକ ।
ଭଗବାନ୍ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି–
ତସ୍ମାଦୋମିତ୍ୟୁଦାହୃତ୍ୟ ଯଜ୍ଞ ଦାନ ତପଃ କ୍ରିୟାଃ ।
ପ୍ରବର୍ତ୍ତନ୍ତେ ବିଧାନୋକ୍ତାଃ ସତତଂ ବ୍ରହ୍ମ ବାଦିନାମ୍ ।
୧୭ ।୨୪
ବ୍ରହ୍ମବେତ୍ତା ପୁରୁଷଙ୍କର ବିଧିପୂର୍ବକ ଯଜ୍ଞ ଦାନ ତପସ୍ୟାଦି କ୍ରିୟା ସର୍ବଦା ଓମ୍ ପଦର ଉଚ୍ଚାରଣ କରି ପ୍ରାରମ୍ଭ ହୁଏ । ଏହିଭଳି ଭାବେ ବେଦରୁ ନେଇ ଗୀତା ଏବଂ ପୁରାଣ ପର୍ଯ୍ୟନ୍ତ ‘ଓମ୍କାର’ ଜପକୁ ହିଁ ସବୁଠାରୁ ଶ୍ରେଷ୍ଠ ବୋଲି କୁହାଯାଇଛି । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଏଭଳି ସର୍ବମାନ୍ୟ ମନ୍ତ୍ରକୁ ଛାଡି ସମଗ୍ର ଦେଶରେ ଅବୈଦିକ ମନ୍ତ୍ରସମୂହର ପ୍ରଚାର ହେଉଅଛି । କହିପାରିବା କି, ତଦନୁଯାୟୀ ଲୋକମାନେ ଫଳ ମଧ୍ୟ ପାଉଛନ୍ତି ।
ଅନ୍ୟ ଧର୍ମମାନଙ୍କରେ ‘ଓମ୍’ର ସ୍ୱୀକୃତି :
ଓଁକାର ନିର୍ଣ୍ଣୟ ନାମକ ପୁସ୍ତକରେ ଲେଖାଅଛି, ମୁସଲମାନ ଏବଂ ଖ୍ରୀଷ୍ଟିୟାନ୍ ନିଜ ନିଜ ପ୍ରାର୍ଥନା ଶେଷରେ ଯେଉଁ ଆମୀନ ଶବ୍ଦର ଉଚ୍ଚାରଣ କରନ୍ତି, ତାହା ‘ଓମ୍’ ଶବ୍ଦର ରୂପାନ୍ତର ଅଟେ । ମନୁଷ୍ୟ ଜାତିର ଯେଉଁ ଶାଖାସମୂହ ଭାରତବାସୀ ଆର୍ଯ୍ୟଙ୍କଠାରୁ ପୃଥକ୍ ହୋଇ ଭିନ୍ନ ଭିନ୍ନ ଦେଶରେ ଯାଇ ନିବାସ କରୁଛନ୍ତି, ସେମାନେ ଅନେକ କାଳ ବ୍ୟତୀତ ହୋଇଯିବାପରେ ପରମ ପବିତ୍ର ପରମାତ୍ମାଙ୍କର ନିଜ ନାମକୁ ଭୁଲି, ତାଙ୍କୁ ଭିନ୍ନ ଭିନ୍ନ ରୂପରେ ସଜାଇଦେଲେ । ସେହିଭଳି ତିବ୍ବତ, ଚୀନ୍, ଜାପାନ ଆଦି ଦେଶମାନଙ୍କରେ ପ୍ରଚଳିତ ବୌଦ୍ଧଧର୍ମର ପରମ ପବିତ୍ର ମନ୍ତ୍ର ହେଉଛି– ଓଁ ମନୀ ପଦମୋ ହୋମ ।
ଅର୍ଥାତ୍ ହୃଦୟ କମଳରେ ଓମ୍ ରୂପ ମଣି ବିଦ୍ୟମାନ । ଏହା କେତେ ସରଳ ଆଉ ସୁନ୍ଦର ମନ୍ତ୍ର ଅଟେ ।
ଏହିଭଳି ଭାବେ ସଂସାରର ଯେତେସବୁ ଧର୍ମ ରହିଛି, ସବୁକିଛି ଓମ୍ ଶବ୍ଦକୁ କୌଣସି ନା କୌଣସିମତେ ପ୍ରୟୋଗ କରିଥାନ୍ତି । ଏତେ ସମ୍ମାନନୀୟ, ଏତେ ସମାଦୃତ ଏବଂ ଏତେ ପ୍ରଭାବଶାଳୀ ଜଗତରେ ଅନ୍ୟ କୌଣସି ମନ୍ତ୍ର ନାହିଁ । ଧନ, ଧାନ୍ୟ, ବଳ, ବିଦ୍ୟା, ଆରୋଗ୍ୟତା, ଲକ୍ଷ୍ମୀ ଆଦି ଇହଲୋକର ସୁଖ ଏବଂ ମୋକ୍ଷ ପର୍ଯ୍ୟନ୍ତ ପରଲୋକର ସୁଖ କେବଳ ଏହାର ଜପ ମାତ୍ରକେ ଲାଭ ହୋଇପାରେ ।
ଯେଉଁ ମନୁଷ୍ୟ ଅତ୍ୟନ୍ତ ଦୁର୍ବଳ ହୋଇଥିବ ଧନ, ବିଦ୍ୟା, ବୁଦ୍ଧି ଆଦି କୌଣସିଥିରେ ବି ସବଳ ହୋଇ ନଥିବ, ଯିଏ ସବୁବେଳେ ନିରାଶାର ଅନୁଭବ କରୁଥିବ, ଯାହାର ସଂସାରରେ କେହି ଯତ୍ନ ନେବାକୁ ନଥିବେ, ଯାହାର ଅସ୍ତିତ୍ୱକୁ ବଜାୟ ରଖିବାପାଇଁ କି ବଞ୍ଚିବାପାଇଁ କୌଣସି ସାହାରା ନଥିବ, ଏହିଭଳି ସବୁଠାରୁ ଦୀନହୀନ ମନୁଷ୍ୟ ମଧ୍ୟ ଯଦି ନିୟମପୂର୍ବକ ତିନିଘଣ୍ଟା ନିତ୍ୟନିରନ୍ତର ଏକ ବର୍ଷ ପର୍ଯ୍ୟନ୍ତ ‘ଓମ୍କାର’ ଜପ କରିବେ, ତେବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ଯେ, ତାଙ୍କର ଭାଗ୍ୟ ନିଶ୍ଚିତରୂପେ ପରିବର୍ତ୍ତିତ ହୋଇଯିବ ଆଉ ତାଙ୍କ ଚିନ୍ତାସମୂହ ସମୂଳେ ନାଶ ହୋଇଯିବେ । ତାଙ୍କର ସମସ୍ତ କାର୍ଯ୍ୟ ଅବଶ୍ୟ ସିଦ୍ଧ ହୋଇଯିବ ଆଉ ସେ ଆନନ୍ଦରେ ଜୀବନ ଅତିବାହିତ କରିବାକୁ ଲାଗିବେ ।
ଯିଏ ନିଷ୍କାମ ଭାବରେ କେବଳ ଭଗବତ୍ ପ୍ରୀତ୍ୟର୍ଥେ ‘ଓମ୍କାର’ ଜପ କରିବେ, ତାଙ୍କୁ ଗୋଟିଏ ମାସରେ ବିଲକ୍ଷଣ ଆନନ୍ଦ ଅନୁଭବ ହେବାକୁ ଲାଗିବ । ଚିତ୍ତର ଚାଞ୍ଚଲ୍ୟତା, ଭୟ ଏବଂ ଉଦ୍ୱେଗ ଯଦିଓ କିଛି ଦିନ ପର୍ଯ୍ୟନ୍ତ ପିଛା ଛାଡିବ ନାହିଁ ତଥାପି ତାଙ୍କର ଜ୍ଞାନ ଏବଂ ଶାନ୍ତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିବ । ଏହା ତାଙ୍କୁ ସ୍ୱତଃ ପ୍ରତୀତ ହେବ କି, ଯେମିତି ତାଙ୍କୁ କେହି ଜଣେ ସତତ ରକ୍ଷା କରିଆସୁଛନ୍ତି । ତାଙ୍କୁ ବିଶ୍ୱାସ ହୋଇଯାଏ ଯେ, ଯାହାକିଛି ବି ହେଉଅଛି, ସେ ସବୁ ତାଙ୍କର ଭଲପାଇଁ ହେଉଛି । ଏହିଭଳି ଭାବେ ଧୀରେ ଧୀରେ ନିରନ୍ତର ଅଭ୍ୟାସ ଦ୍ୱାରା ଦିନେ ତାଙ୍କର ଆଶା ପୂର୍ଣ୍ଣ ହୋଇଯାଏ । ସେ ଈଶ୍ୱରଙ୍କର ଚରଣକମଳରେ ପହଞ୍ଚିଯାଇ ପାରିବେ ଆଉ ନିଜର ମନୁଷ୍ୟ ଜନ୍ମକୁ ସଫଳ କରିପାରିବେ ।
ଅଦ୍ୟା ବାବ୍ଦ ଜ୍ଞତାନ୍ତେବା ମୃତ୍ୟୁର୍ବୈ ପ୍ରାଣିନାଂଧ୍ରୂବମ୍ ।
(ଶ୍ରୀମଦ୍ ଭାଗବତ)
ଜାତସ୍ୟହି ଧ୍ରୁବୋମୃତ୍ୟୁଃ । (ଗୀତା)
ଦିନେ ନା ଦିନେ ସମସ୍ତଙ୍କୁ ମରିବାକୁ ହେବ, ଏକଥା ସମସ୍ତେ ଜାଣନ୍ତି । ଯାହାକୁ ଏକାଠି କରିବାକୁ ସେ ଜୀବନସାରା ପ୍ରୟାସ କରୁଛନ୍ତି, ସେ ସବୁ ମୃତ୍ୟୁ ସମୟରେ ତାଙ୍କର କିଛି ବି ସହାୟତା କରିପାରିବ ନାହିଁ । ଧନୀ ଆଉ ଗରିବ ଜନ୍ମପାଇ ବଞ୍ଚିବାରେ ଭିନ୍ନତା ଦେଖାଯାଇପାରେ ହେଲେ ମରଣ କାଳରେ କିଛି ବି ଭିନ୍ନତ୍ୱ ନଥାଏ । ମୃତ୍ୟୁର ଯେଉଁ ଯନ୍ତ୍ରଣା, ଯେଉଁ ପୀଡା, ଯେଉଁ ଭୟ ଅତ୍ୟନ୍ତ ଦରିଦ୍ର ମନୁଷ୍ୟକୁ ହୋଇଥାଏ, ତାହା ଜଣେ ମହାରାଜାଙ୍କୁ ମଧ୍ୟ ହୁଏ । ସେଠାରେ ଧନୀ ଆଉ ଦରିଦ୍ର, ମୂର୍ଖ ଏବଂ ବିଦ୍ୱାନ୍, ଦୁର୍ବଳ ଆଉ ବଳବାନ୍ ସମସ୍ତେ ଏକ ସମାନ ହୋଇଯାନ୍ତି । ସେତେବେଳେ କେହି କାହାର ସହଯୋଗ ଦେଇପାରନ୍ତି ନାହିଁ, କେହି କାହାର ସହାୟତା କରିପାରନ୍ତି ନାହିଁ । କେବଳ ଏକମାତ୍ର ‘ଓମ୍କାର’ ଜପ, ‘ଓମ୍କାର’ ଆରାଧନା, ‘ଓମ୍କାର’ ଶ୍ରବଣ ହିଁ ସେ ସମୟରେ ମନୁଷ୍ୟକୁ ଶାନ୍ତି ଦେଇଥାଏ ଏବଂ ତାଙ୍କର ପରଲୋକ ସୁଧାରି ଦେଇଥାଏ । ଏଥିପାଇଁ ଭଗବାନ୍ କୃଷ୍ଣ ଗୀତାରେ କହିଛନ୍ତି-
ଓମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରନ୍ ମାମନୁସ୍ମରନ୍ ।
ଯଃ ପ୍ରୟାତି ତ୍ୟଜନ୍ ଦେହଂ ସ ଯାତି ପରମାଂ ଗତିମ୍ । ୮/୧୩ ।
ଓମ୍ ଏହି ଏକାକ୍ଷର ବ୍ରହ୍ମଙ୍କର ଜପ କରିବାପୂର୍ବକ ଯିଏ ଶରୀର ଛାଡି ଚାଲିଯାନ୍ତି ସେ ପରମଗତିକୁ ପ୍ରାପ୍ତ ହୋଇଥାନ୍ତି ।
ମହାତ୍ମା ଭର୍ତୃହରିଙ୍କ ମତରେ–
ସ୍ଥାଲ୍ୟାଂ ବୈଡୂର୍ଯ୍ୟମୟାଂ ପତି
ଲଶୁନଂ ଚଂଦନୈରିନ୍ଘନାଦ୍ଯୈଃ ।
ସୌବର୍ଣ୍ଣୈ ର୍ଲାଙ୍ଗଳାର୍ଗୈ ର୍ବିଲିଖତି
ବସୁଧା ମର୍କତୂଳସ୍ୟ ହେତୋଃ॥
ଛିତ୍ୱା କର୍ପୂର ଖଣ୍ଡାନ୍ ବୃତିମିହ
କୁରୁତେ କୋଦ୍ରବାଣାଂ ସମନ୍ତାତ୍ ।
ପ୍ରାପ୍ୟେମାଂ କର୍ମଭୂମିଂ ନ ଚରତି
ମନୁଜୋ ୟସ୍ତପୋ ମନ୍ଦଭାଗ୍ୟଃ॥
ସେହି ମନୁଷ୍ୟ ଯେପରି ମରକତମଣିର ଥାଳିରେ ଚନ୍ଦନର ଇନ୍ଧନ ଦ୍ୱାରା ରସୁଣ ରନ୍ଧନ କରିଥାନ୍ତି ଅଥବା ଆକ୍ର ମୂଳ ଖୋଳିବାପାଇଁ ସୁବର୍ଣ୍ଣର ହଳ ଜମିରେ ଯୋଚିଥାନ୍ତି ଅଥବା କୋଦୋଁର ବଗିଚା କରିବା ପାଇଁ କର୍ପୂର ବୃକ୍ଷକୁ କାଟିଥାନ୍ତି, ସେହିପରି ମନୁଷ୍ୟ ଶରୀର ପାଇବାପରେ ବି ତପ ନ କରି ଇତଃସ୍ତତଃ କର୍ମରେ ବାତିଥାନ୍ତି, ସେ ମନ୍ଦଭାଗ୍ୟ ଅଟନ୍ତି !
କଠୋପନିଷଦର ଏକ ମନ୍ତ୍ରରେ ଉଲ୍ଲେଖ ଅଛି କି, ସବୁ ତପ ଠାରୁ ବଡ ହେଉଛି ‘ଓମ୍କାର’ ଜପ । ଏଥିପାଇଁ ହେ ପ୍ରିୟ ମିତ୍ରଗଣ ! ଯଦି ନିଜର ଇହଲୋକ ଏବଂ ପରଲୋକ ସୁଧାରିବାକୁ ଚାହଁ ତେବେ ତତ୍କାଳ ‘ଓମ୍କାର’ ଜପ ଆରମ୍ଭ କରିଦିଅ । ଏହାଦ୍ୱାରା ମନୁଷ୍ୟ ଜୀବନର ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରିବ, ଏହାଦ୍ୱାରା ଭଗବତ୍ ଜ୍ଞାନ ଲାଭ ହେବ ଏବଂ ଏହା ମାଧ୍ୟମରେ ମନୁଷ୍ୟଯୋନିରେ ଜନ୍ମ ନେବା ସଫଳ ହୋଇପାରିବ ।
(କ୍ରମଶଃ)
Be First to Comment