Press "Enter" to skip to content

ଓଢଣ ଷଷ୍ଠୀ, ପ୍ରାବରଣ ଉତ୍ସବ

Last updated on February 6, 2021

ମାର୍ଗଶିର ଶୁକ୍ଳ ଷଷ୍ଠୀ

ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହୁଏ ‘ପ୍ରାବରଣ ଉତ୍ସବ’ । ଏହା ଶ୍ରୀଜଗନ୍ନାଥଙ୍କର ‘ଓଢଣଷଷ୍ଠୀ’ ଭାବରେ ପରିଚିତ । ଏହି ଦିନଠାରୁ ଶ୍ରୀଜଗନ୍ନାଥାଦି ଦେବତା ବିଧିବଦ୍ଧ ଭାବରେ ଶୀତବସ୍ତ୍ର ପିନ୍ଧିବା ଆରମ୍ଭ କରନ୍ତି । ମାଘ ଶୁକ୍ଳ ପଂଚମୀ ପୂର୍ବଦିନ ଯାଏ ସେମାନେ ଏହି ବେଶ ପିନ୍ଧନ୍ତି । ଏହାକୁ ‘ଘୋଡାଲାଗି’ କୁହାଯାଏ । ନୀଳାଦ୍ରି ମହୋଦୟ ଓ ଯାତ୍ରା ଭାଗବତ ଆଦିରେ ଏସଂପର୍କିତ ବିଧାନର ବର୍ଣ୍ଣନା ଅଛି । କିନ୍ତୁ ସ୍କନ୍ଦପୁରାଣରେ ଏ ସଂପର୍କରେ ବିଶଦ ଭାବରେ ବର୍ଣ୍ଣନା କରାଯାଇଛି । ଏହା ଅନୁସାରେ, ମାର୍ଗଶିର ଶୁକ୍ଳ ପଂଚମୀ ରାତିରେ ପ୍ରାବରଣ ବସ୍ତ୍ର ଗୁଡିକର ଅଧିବାସ କରାଯାଏ । ଓଢଣ ଷଷ୍ଠୀ ଦିନ ସେହି ବସ୍ତ୍ରକୁ ଦ୍ୟୁତାନସ୍ତୁ ମନ୍ତ୍ରରେ ସେମାନଙ୍କୁ ପରିଧାନ କରାଯାଏ । ଏଥିରେ ତୁଷ୍ଟ ହୋଇ ଶ୍ରୀଜଗନ୍ନାଥ ଶୀତକୁ ସ୍ୱୀକାର କରନ୍ତି ଏବଂ ଓଢଣଷଷ୍ଠୀଠାରୁ ଗଡା (ସୂତାବସ୍ତ୍ର),ଖଣ୍ଡୁଆ ପାଟ, ମଖମଲି ଘୋଡବସ୍ତ୍ର, ଶିରାବରଣ(ମଫଲର) ଓ ଟୋପର ଆଦି ପିନ୍ଧନ୍ତି । କିନ୍ତୁ ଶୀତ ସହ ଗୋଟିଏ ସର୍ତ୍ତ ରଖନ୍ତି ଯେ ସେ ସଂସାରର ଲୋକଙ୍କୁ ଅଧିକ କଷ୍ଟ ଦେବନାହିଁ ।

ସେହିସବୁ ବସ୍ତ୍ର ତାଙ୍କୁ ପରିଧାନ କରାଯିବା ବେଳେ ଆଚ୍ଛାଦନ ମନ୍ତ୍ରରେ କୁହାଯାଏ-ହେ ବସ୍ତ୍ର ! ଭଗବାନ ବିଷ୍ଣୁ ନିଜର ତେଜ ଦ୍ୱାରା ଅଖିଳ ଜଗତକୁ ଆବରଣ କରି ରଖିଥିଲେ ହେଁ, ତୁମ୍ଭେ ସେହି ଜଗତପତି ଭଗବାନଙ୍କର ଆଚ୍ଛାଦକ ହୁଅ ! ଆର୍ଥାତ୍ ଭଗବାନ ନିଜେ ଶୀତକୁ ସ୍ୱୀକାର କରୁଥିବାରୁ , ଆମେ ମଧ୍ୟ ଶୀତକୁ ସ୍ୱୀକାର କରିବା । ନିଜର ସୁରକ୍ଷା ପାଇଁ ଶୀତବସ୍ତ୍ର ପରିଧାନ କରିବା ।

ଋତୁ ମାନଙ୍କ ପ୍ରଭାବ ସଂସାରରେ ସମସ୍ତଙ୍କୁ ଉଣା ଅଧିକେ ଅନୁଭୂତ ହୁଏ। ଯାହାଦ୍ୱାରା ପ୍ରକୃତିରେ ବିଭିନ୍ନ ପରିବର୍ତ୍ତନ ମାନ ହୋଇଥାଏ। ପ୍ରତ୍ୟେକ ଋତୁ ମାନଙ୍କ କର୍ତ୍ତ୍ୟବ୍ୟକୁ ସମ୍ମାନ ଜଣାଇ ମହାପ୍ରଭୁଙ୍କ ଋତୁ ଅନୁଯାୟୀ ବେଶ ଓ ଉତ୍ସବ ମାନ ଅନୁଷ୍ଠିତ ହୋଇଥାଏ। ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣ ଷଷ୍ଠୀ ନାମରେ ପରିଚିତ। ଏହି ସମୟରୁ ଅଧିକ ଶୀତ ଅନୁଭୂତ ହେଉଥିବାରୁ ଏହି ଦିନୁ ମହାପ୍ରଭୁ ମାନଙ୍କ ସହିତେ ସବୁ ଦେବାଦେବୀଙ୍କ ଘୋଡଲାଗି ଅନୁଷ୍ଠିତ ହୋଇଥାଏ। ଶ୍ରୀକ୍ଷେତ୍ରେ ମହାପ୍ରଭୁଙ୍କ ଘୋଡ଼ଲାଗି ଆଜିଠାରୁ ଆରମ୍ଭ ହୋଇ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ଏହା ମହାପ୍ରଭୁ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ହେଉଛି ଅନ୍ୟତମ ଯାତ୍ରା। ସମସ୍ତ ସପ୍ତଧା ବିଗ୍ରହ ସହିତେ ଶ୍ରୀ କ୍ଷେତ୍ରର ସମସ୍ତ ଦେବାଦେବୀଙ୍କୁ ଘୋଡ଼ଲାଗି ଅନୁଷ୍ଠିତ ହୋଇଥାଏ। ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟ ଏହା ହେଉଛି ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଯାତ୍ରା। ମହାପ୍ରଭୁ ଏହିଦିନ ନୂତନ ଘୋଡ଼ ପରିଧାନ କରିଥାନ୍ତି। ଏହି ଘୋଡ଼ଲାଗି ପ୍ରାବରଣ ଷଷ୍ଠୀରୁ ଆରମ୍ଭ ହୋଇ ଶିବରାତ୍ରୀ ପର୍ଯ୍ୟନ୍ତ ପାଳିତ ହୋଇଥାଏ। ସମସ୍ତ ଶିବାଳୟରେ ଓ ଦେବୀ ମନ୍ଦିରରେ ଘୋଡ଼ଲାଗି ପର୍ବ ଅନୁଷ୍ଠିତ ହୋଇଥାଏ।

ଘୋଡ଼ ଅନ୍ୟ ନିତିଦିନ ବସ୍ତ୍ର ପରି ଏହା ବାରଲାଗି ବର୍ଣ୍ଣ ହୋଇଥାଏ। ସୋମବାର ଶୁକ୍ଳ, ମଙ୍ଗଳବାର  ବାରପାଟିଆ(ପଞ୍ଚରଙ୍ଗି), ବୁଧବାର ସବୁଜ, ଗୁରୁବାର ପୀତ, ଶୁକ୍ରବାର ଧଳା ଛିଟା, ଶନିବାର କଳା ଓ ରବିବାର ନାଲି ରଙ୍ଗର ହୋଇଥାଏ। ପ୍ରତିବର୍ଷ ଏହା ନୂତନ ଭାବେ ନିର୍ମିତ କରାଯାଇଥାଏ।

ସଂଗୃହିତ

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.