Press "Enter" to skip to content

ରାଜବିଦ୍ୟା ରାଜଗୁହ୍ୟ ଯୋଗ (ତିଳକ ବ୍ୟାଖ୍ୟା)

Last updated on February 6, 2021

ସପ୍ତମ ଅଧ୍ୟାୟରେ ଜ୍ଞାନ-ବିଜ୍ଞାନର ନିରୂପଣ ଏହା ଦର୍ଶାଇବା ପାଇଁ କରାଯାଇଛି କି, କର୍ମଯୋଗ ଆଚରଣକାରୀ ପୁରୁଷକୁ ପରମେଶ୍ୱରଙ୍କର ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇ ମନର ଶାନ୍ତି ଅଥବା ମୁକ୍ତ ଅବସ୍ଥା କିପରି ପ୍ରାପ୍ତ ହୋଇଥାଏ ? ପୁନଃ ଅକ୍ଷର ଓ ଅବ୍ୟକ୍ତ ପୁରୁଷଙ୍କର ସ୍ୱରୂପ ମଧ୍ୟ ବତାଇ ଦିଆଯାଇଛି ଏବଂ ପୂର୍ବ ଅଧ୍ୟାୟରେ କୁହାଯାଇଛି କି, ଅନ୍ତଃକାଳରେ ମଧ୍ୟ ସେହି ସ୍ୱରୂପକୁ ମନରେ ସ୍ଥିର ରଖିବା ନିମିତ୍ତ ପାତଞ୍ଜଳ ଯୋଗରେ ସମାଧି ଅବସ୍ଥାରେ ସ୍ଥିତ ହୋଇ ଶେଷରେ ଓଁକାରଙ୍କର ଉପାସନା କରିବା ଦରକାର । କିନ୍ତୁ ପ୍ରଥମେ ତ ଅକ୍ଷର ବ୍ରହ୍ମଙ୍କର ଜ୍ଞାନ ହେବା ଅତ୍ୟନ୍ତ କଠିନ, ଆଉ ପୁଣି ସେଥିରେ ସମାଧିର ଆବଶ୍ୟକତା ହେବା, ସାଧାରଣ ଲୋକଙ୍କୁ ତ ଏହି ମାର୍ଗ ତ୍ୟାଗ କରିଦେବାକୁ ପଡିବ । ଏହି କଷ୍ଟକର ମାର୍ଗ ପ୍ରତି ଧ୍ୟାନ ଦେଇ ଭଗବାନ୍ ଏଭଳି ରାଜମାର୍ଗ କଥା କହୁଛନ୍ତି କି, ଯଦ୍ଦ୍ୱାରା ସମସ୍ତ ଲୋକଙ୍କୁ ପରମେଶ୍ୱରଙ୍କର ଜ୍ଞାନ ସୁଲଭ ହୋଇଯିବ । ଏହାକୁ ଭକ୍ତିମାର୍ଗ କୁହାଯାଏ, ଆଉ ଗୀତାରହସ୍ୟର ତ୍ରୟୋଦଶ ପ୍ରକରଣରେ ଆମେ ତାହାର ବିସ୍ତୃତଭାବରେ ବିବେଚନ କରିଛୁ । ଏହି ମାର୍ଗରେ ପରମେଶ୍ୱରଙ୍କର ସ୍ୱରୂପ ପ୍ରେମଗମ୍ୟ ଓ ବ୍ୟକ୍ତ ଅର୍ଥାତ୍ ପ୍ରତ୍ୟକ୍ଷ ଜାଣିବାଯୋଗ୍ୟ ହୋଇଥାଏ । ଆଉ ସେହି ବ୍ୟକ୍ତ ସ୍ୱରୂପର ବିସ୍ତୃତ ନିରୂପଣ ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଅଧ୍ୟାୟରେ କରାଯାଇଛି । ତଥାପି ଏହା ସ୍ମରଣ ରଖିବା ଦରକାର କି, ଏହି ଭକ୍ତି ମାର୍ଗ ମଧ୍ୟ ସ୍ୱତନ୍ତ୍ର ନୁହେଁ, କର୍ମଯୋଗର ସିଦ୍ଧି ନିମିତ୍ତ ସପ୍ତମ ଅଧ୍ୟାୟରେ ଯେଉଁ ଜ୍ଞାନ-ବିଜ୍ଞାନର ଆରମ୍ଭ କରାଯାଇଛି, ତାହାର ଏହା ଅଂଶ ଅଟେ ଆଉ ଏହି ଅଧ୍ୟାୟର ପ୍ରାରମ୍ଭ ପୂର୍ବ ଜ୍ଞାନ-ବିଜ୍ଞାନର ଦୃଷ୍ଟିରୁ ହିଁ କରାଯାଇଛି ।)
ଶ୍ରୀଭଗବାନ କହିଲେ– ଏବେ ତୁମେ ଦୋଷଦର୍ଶୀ ନୁହଁ, ଅତଃ ଗୁହ୍ୟରୁ ମଧ୍ୟ ଗୁହ୍ୟ ବିଜ୍ଞାନ ସହିତ ଜ୍ଞାନ ତୁମକୁ କହୁଅଛି, ଯାହାକୁ ଜ୍ଞାତ ହେବାପରେ ତୁମେ ପାପରୁ ମୁକ୍ତ ହୋଇଯିବ ।।୧।।
ଏହିଜ୍ଞାନ ସମସ୍ତ ଗୁହ୍ୟମଧ୍ୟରେ ରାଜା ଅର୍ଥାତ୍ ଶ୍ରେଷ୍ଠ, ରାଜବିଦ୍ୟା ଅର୍ଥାତ୍ ସମସ୍ତ ବିଦ୍ୟା ମଧ୍ୟରେ ଶ୍ରେଷ୍ଠ, ପବିତ୍ର, ଉତ୍ତମ, ପ୍ରତ୍ୟକ୍ଷବୋଧ୍ୟ, ଆଚରଣ ନିମିତ୍ତ ସୁଖକର, ଅବ୍ୟକ୍ତ ଓ ଧର୍ମ୍ୟ ଅଟେ ।।୨।।
ହେ ପରନ୍ତପ ! ଏହି ଧର୍ମ ପ୍ରତି ଶ୍ରଦ୍ଧା ନରଖୁଥିବା ପୁରୁଷ ମୋତେ ପ୍ରାପ୍ତ ହୁଅନ୍ତିନାହିଁ, ସେମାନେ ମୃତ୍ୟୁଯୁକ୍ତ ସାଂସାରିକ ମାର୍ଗକୁ ଫେରିଆସନ୍ତି, (ଅର୍ଥାତ୍ ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୁଏନାହିଁ ।)।।୩।।
(ଗୀତାରହସ୍ୟର ତ୍ରୟୋଦଶ ପ୍ରକରଣରେ(ପୃ୪୧୩ ରୁ ୪୧୯) ଦ୍ୱିତୀୟ ଶ୍ଳୋକର ‘ରାଜବିଦ୍ୟା’, ‘ରାଜଗୁହ୍ୟ’ ଓ ‘ପ୍ରତ୍ୟକ୍ଷାବଗମ’ ପଦର ଅର୍ଥ ବିଚାର କରାଯାଇଛି । ଈଶ୍ୱର ପ୍ରାପ୍ତିର ସାଧନକୁ ଉପନିଷଦରେ ‘ବିଦ୍ୟା’ କୁହାଯାଇଛି ଆଉ ସେହି ବିଦ୍ୟା ଗୁପ୍ତ ରଖାଯାଉଥିଲା । କୁହାଯାଇଛି କି, ଭକ୍ତିମାର୍ଗ ଅଥବା ବ୍ୟକ୍ତ ଉପାସନା ରୂପୀ ବିଦ୍ୟା ଏହିସବୁ ଗୁହ୍ୟ ବିଦ୍ୟା ମଧ୍ୟରେ ଶ୍ରେଷ୍ଠ ଅଥବା ରାଜା ଅଟେ, ଏତଦିରିକ୍ତ ଏହି ଧର୍ମ ପ୍ରତ୍ୟକ୍ଷ ଦୃଷ୍ଚ ଓ ଆଚରଣ ନିମିତ୍ତ ସୁଲଭ ଅଟେ । ତଥାପି ଇକ୍ଷ୍ୱାକୁ ପ୍ରଭୃତି ରାଜାମାନଙ୍କର ପରମ୍ପରାରୁ ହିଁ ଏହି ଯୋଗର ପ୍ରଚାର ହୋଇଛି(ଗୀତା-୪/୨) । ଅତଃ ଏହି ମାର୍ଗକୁ ରାଜାମାନଙ୍କର ଅଥବା ଶ୍ରେଷ୍ଠବ୍ୟକ୍ତିମାନଙ୍କର ବିଦ୍ୟା- ରାଜବିଦ୍ୟା- କୁହାଯାଇପାରେ । ଯେ କୌଣସି ଅର୍ଥ ନିଅନ୍ତୁ, ଏହା ସ୍ପଷ୍ଟ ହେଉଛି କି, ଅକ୍ଷର ବା ଅବ୍ୟକ୍ତ ବ୍ରହ୍ମଜ୍ଞାନକୁ ଲକ୍ଷ୍ୟକରି ଏହା ବର୍ଣ୍ଣନ କରାଯାଇନାହିଁ, କିନ୍ତୁ ରାଜବିଦ୍ୟା ଶବ୍ଦରୁ ଏଠାରେ ଭକ୍ତିମାର୍ଗ ହିଁ ବିବକ୍ଷିତ ଅଟେ । ଏହିଭଳି ପ୍ରାରମ୍ଭରୁ ଏହି ମାର୍ଗର ପ୍ରଶଂସାକରି ଭଗବାନ୍ ଏବେ ବିସ୍ତୃତଭାବରେ ତାହାର ବର୍ଣ୍ଣନା କରୁଛନ୍ତି –।)
ମୁଁ ମୋର ଅବ୍ୟକ୍ତ ସ୍ୱରୂପ ଦ୍ୱାରା ଏହି ସମଗ୍ର ଜଗତକୁ ବ୍ୟାପ୍ତ କରିରଖିଛି । ମୋଠାରେ ସମସ୍ତ ଭୂତ ସ୍ଥିତ ରହିଛନ୍ତି, କିନ୍ତୁ ମୁଁ ତାଙ୍କଠାରେ ନାହିଁ ।।୪।। ଆଉ ମୋଠାରେ ସମସ୍ତ ଭୂତ ମଧ୍ୟ ନାହାନ୍ତି । ଦେଖ, (ଏହା କିଭଳି) ଏହା ମୋର ଈଶ୍ୱରୀ କୃତ୍ୟ ଅବା ଯୋଗସାମର୍ଥ୍ୟ ଅଟେ । ଭୂତଗଣଙ୍କର ଉତ୍ପତ୍ତିକାରୀ ମୋର ଆତ୍ମା, ଭୂତଗଣଙ୍କୁ ଧାରଣ କରି ମଧ୍ୟ (ପୁନଃ), ସେମାନଙ୍କ ମଧ୍ୟରେ ନଥାଏ ।। ୫।। ସର୍ବତ୍ର ବିଚରଣକାରୀ ମହାନ୍ ବାୟୁ ଯେଉଁଭଳି ସର୍ବଦା ଆକାଶରେ ସ୍ଥିତ, ସେହିଭଳି ସମସ୍ତ ଭୂତଙ୍କୁ ମୋ ମଧ୍ୟରେ ସ୍ଥିତ ବୋଲି ଜାଣ ।।୬।।
(ଏହି ବିରୋଧାଭାସ ଏଇଥିପାଇଁ ହେଉଛି କି, ପରମେଶ୍ୱର ନିର୍ଗୁଣ ଅଟନ୍ତି ଆଉ ସଗୁଣ ମଧ୍ୟ ଅଟନ୍ତି (ସପ୍ତମ ଅଧ୍ୟାୟର ୧୨ଶ ଶ୍ଳୋକର ଟିପ୍ପଣୀ. ଏବଂ ଗୀତାରହସ୍ୟ ପ୍ର ୯, ପୃ ୨୦୬, ୨୦୯, ୨୧୦ ଦେଖ) । ଏହିଭଳି ନିଜ ସ୍ୱରୂପର ଆଶ୍ଚର୍ଯ୍ୟକର ବର୍ଣ୍ଣନ କରି ଅର୍ଜ୍ଜୁନଙ୍କ ଜିଜ୍ଞାସାକୁ ଜାଗ୍ରତ କରିଦେବା ପରେ ଏବେ ଭଗବାନ୍ ପୁନଃ ସେହି ବର୍ଣ୍ଣନା ପ୍ରସଙ୍ଗାନୁସାରେ କହୁଛନ୍ତି, ଯାହା ପୂର୍ବରୁ ସପ୍ତମ ଓ ଅଷ୍ଟମ ଆଧ୍ୟାୟରେ ବର୍ଣ୍ଣନା କରାଯାଇଛି– ଅର୍ଥାତ୍ ମୋ ଦ୍ୱାରା ବ୍ୟକ୍ତ ସୃଷ୍ଟି କେଉଁଭଳି ହୋଇଥାଏ ଆଉ ମୋର ବ୍ୟକ୍ତ ରୂପ କେଉଁଠି ରହିଛି (ଗୀତା-୭/୪-୧୮, ୮/୧୭-୨୦) । ‘ଯୋଗ’ ଶବ୍ଦର ଅର୍ଥ ଯଦ୍ୟପି ଅଲୌକିକ ସାମର୍ଥ୍ୟ ଅବା ଯୁକ୍ତି ବୋଲି କହିବା, ତଥାପି ସ୍ମରଣ ରହିବା ଦରକାର କି, ଅବ୍ୟକ୍ତରୁ ବ୍ୟକ୍ତ ହେବା କାରଣରୁ ଏହି ଯୋଗ ଅଥବା ଯୁକ୍ତିକୁ ହିଁ ମାୟା କୁହାଯାଏ । ଏହି ବିଷୟର ପ୍ରତିପାଦନ ଗୀତା ୭-୨୫ର ଟିପ୍ପଣୀେର ଏବଂ ରହସ୍ୟର ୯ମ ପ୍ରକରଣରେ (ପୃ ୨୩୮-୨୪୧) ହୋଇଛି । ପରମେଶ୍ୱରଙ୍କୁ ଏହି ଯୋଗ ଅତ୍ୟନ୍ତ ସୁଲଭ ଅଟେ । କେବେ ଏହା ପରମେଶ୍ୱରଙ୍କର ଦାସ ଥିଲା, ଅତଃ ପରମେଶ୍ୱରଙ୍କୁ ଯୋଗେଶ୍ୱର(ଗୀତା ୧୮-୭୫) କୁହାଯାଇଛି । ଏବେ କହୁଛନ୍ତି କି, ଏହି ଯୋଗସାମର୍ଥ୍ୟ ଦ୍ୱାରା ଜଗତର ଉତ୍ପତ୍ତି ଓ ନାଶ କିଭଳି ହୋଇଥାଏ–)
ହେ କୌନ୍ତେୟ ! କଳ୍ପାନ୍ତରେ ସମସ୍ତ ଭୂତ ମୋ ପ୍ରକୃତିରେ ଆସି ବିଲୀନ ହୁଅନ୍ତି ଆଉ କଳ୍ପ ପ୍ରାରମ୍ଭରେ (ଅର୍ଥାତ୍ ବ୍ରହ୍ମାଙ୍କର ଦିବସ ପ୍ରାରମ୍ଭରେ) ସେମାନଙ୍କୁ ମୁଁ ହିଁ ପୁନଃ ସୃଷ୍ଟି କରିଥାଏ ।।୭।। ମୁଁ ନିଜ ପ୍ରବୃତ୍ତିକୁ ହାତରେ ନେଇ (ନିଜ ନିଜ କର୍ମରେ ବାନ୍ଧି ହେବାଭଳି) ସମସ୍ତ ଭୂତ ସମୁଦାୟକୁ ପୁନଃ ପୁନଃ ସୃଷ୍ଟି କରିଥାଏ, ଯିଏ କି ଏହି ପ୍ରକୃତିର ବଶରେ ରହିଥିବାରୁ ଅବଶ ଅର୍ଥାତ୍ ପରତନ୍ତ୍ର ଅଟନ୍ତି ।।୮।। (କିନ୍ତୁ) ହେ ଧନଞ୍ଜୟ ! ଏହି (ସ୍ୃଷ୍ଟି ନିର୍ମାଣ କରିବା) କାମରେ ମୋର ଆସକ୍ତି ନାହିଁ, ମୁଁ ଉଦାସୀନ ରହିଥାଏ, ଏହି କାରଣରୁ ମୋତେ ସେହି କର୍ମ ବନ୍ଧକ ହୋଇନଥାଏ ।।୯।। ମୁଁ ଅଧ୍ୟକ୍ଷ ହୋଇ ପ୍ରକୃତିଦ୍ୱାରା ସମସ୍ତ ଚରାଚର ସୃଷ୍ଟି ଉନ୍ନତ ରୂପେ ସମ୍ପାଦନ କରିଥାଏ । େହ କୌନ୍ତେୟ ! ଏହି କାରଣରୁ ଜଗତର ଏହି ସୃଷ୍ଟି ଓ ବିନାଶ କାର୍ଯ୍ୟ ଚାଲୁ ରହିଥାଏ ।।୧୦।।
(ପୂର୍ବ ଅଧ୍ୟାୟରେ ଏହା ବତାଇ ସାରିଛି କି, ବ୍ରହ୍ମଦେବଙ୍କର ଦିବସ(କଳ୍ପର) ପ୍ରାରମ୍ଭ ହେବାକ୍ଷଣି ଅବ୍ୟକ୍ତ ପ୍ରକୃତିରେ ବ୍ୟକ୍ତ ସୃଷ୍ଟି ହେବାକୁ ଲାଗିଥାଏ (ଗୀ.୮-୧୮) । ଏଠାରେ ଏହି କଥାର ଅଧିକ ସ୍ପଷ୍ଟୀକରଣ କରୁଅଛି କି, ପରମେଶ୍ୱର ପ୍ରତ୍ୟେକଙ୍କର କର୍ମାନୁସାରେ ତାକୁ ଭଲ-ମନ୍ଦ ଜନ୍ମ ଦେଇଥାନ୍ତି, ଅତଏବ ସେ ସ୍ୱୟଂ ଏହି କର୍ମରେ ଅଲିପ୍ତ ଅଟନ୍ତି । ଶାସ୍ତ୍ରୀୟ ପ୍ରତିପାଦନରେ ଏ ସମସ୍ତ ତତ୍ତ୍ୱ ଗୋଟିଏ ସ୍ଥାନରେ ବତାଇ ଦିଆଯାଇଛି, କିନ୍ତୁ ଗୀତାର ପଦ୍ଧତି ସର୍ବଦା ଆତ୍ମିକ ଅଟେ, ଏହି କାରଣରୁ ପ୍ରସଙ୍ଗ ଅନୁସାରେ ସେହି ଏକା ବିଷୟ, ଏଠାରେ ଅଳ୍ପ, ସେଠାରେ ଅଳ୍ପ ଏହିଭଳି ବର୍ଣ୍ଣିତ ହୋଇଛି । କିଛିଲୋକଙ୍କର ସାକ୍ଷୀ ପ୍ରମାଣ(ଦଲିଲ)ହେଉଛି କି, ଦଶମ ଶ୍ଳୋକର ‘ଜଗଦ୍ବିପରିବର୍ତ୍ତତେ’ ପଦ ବିବର୍ତବାଦକୁ ସୂଚିତ କରିଥାଏ । କିନ୍ତୁ ‘ଜଗତର ସୃଷ୍ଟି ଓ ବିନାଶ ଚାଲୁ ରହିଥାଏ’ ଅର୍ଥାତ୍ ‘ବ୍ୟକ୍ତରୁ ଅବ୍ୟକ୍ତ ଓ ପୁନଃ ଅବ୍ୟକ୍ତରୁ ବ୍ୟକ୍ତ ହୋଇ ଚାଲିଥାଏ’, ଆମେ ବୁଝିପାରିନଥାଉ କି ଏହା ଅପେକ୍ଷା ‘ବିପରିବର୍ତ୍ତତେ’ ପଦର କିଛି ଅଧିକା ଅର୍ଥ ହୋଇପାରେ ଆଉ ଶାଙ୍କରଭାଷ୍ୟରେ ମଧ୍ୟ କୌଣସି ବିଶେଷ ଅର୍ଥ କୁହାଯାଇନାହିଁ । ଗୀତା ରହସ୍ୟର ଦଶମ ପ୍ରକରଣରେ ବିବେଚନ କରାଯାଇଛି କି, ମନୁଷ୍ୟ କର୍ମ ଦ୍ୱାରା କିପରି ଅବଶ ହୋଇଥାଏ– ।)
ମୂଢ ଲୋକେ ମୋର ସେହି ପରମ ସ୍ୱରୂପକୁ ଜାଣିପାରନ୍ତି ନାହିଁ କି, ଯିଏ ସର୍ବଭୂତର ମହାନ୍ ଈଶ୍ୱର ଅଟନ୍ତି । ମନୁଷ୍ୟ ଦେହଧାରଣ କରିନେବାରୁ (ସେ ମୋତେ) ମାନବ-ଦେହଧାରୀ ବୁଝିନେଇ, ମୋର ଅବହେଳା କରିଥାନ୍ତି ।।୧୧।। ସେମାନଙ୍କର ଆଶା ବ୍ୟର୍ଥ, କର୍ମ ମୂଲ୍ୟହୀନ, ଜ୍ଞାନ ନିରର୍ଥକ ଓ ଚିତ୍ତ ଭ୍ରଷ୍ଟ ହୋଇଥାଏ, ଆଉ ସେମାନେ ମୋହାତ୍ମକ ରାକ୍ଷସୀ ତଥା ଆସୁରୀ ସ୍ୱଭାବର ଆଶ୍ରୟକରି ରହିଥାନ୍ତି ।।୧୨।।
(ଏହା ଆସୁରୀ ପୁରୁଷର ବର୍ଣ୍ଣନା ଅଟେ । ବର୍ତ୍ତମାନ ଦୈବୀ ସ୍ୱଭାବର ବର୍ଣ୍ଣନା କରୁଛି–)
କିନ୍ତୁ ହେ ପାର୍ଥ ! ଦୈବୀ ପ୍ରକୃତିର ଆଶ୍ରୟ ନେଇଥିବା ମହାତ୍ମା ଲୋକେ ମୋତେ ସମସ୍ତ ମତର ଅବ୍ୟୟ ଆଦିସ୍ଥାନ ବୋଲି ଜାଣି ନେଇ ଅନନ୍ୟଭାବରେ ମୋର ଭଜନ କରିଥାନ୍ତି, ।।୧୩।। ଆଉ ଯତ୍ନଶୀଳ, ଦୃଢବ୍ରତ ଏବଂ ନିତ୍ୟ ଯୋଗଯୁକ୍ତ ହୋଇ ସଦା ମୋର କୀର୍ତ୍ତନ ଓ ବନ୍ଦନା କରି ଭକ୍ତି ସହକାରେ ମୋର ଉପାସନା କରିଥାନ୍ତି ।।୧୪।। ଏଭଳି ଏବଂ ଆଉ କିଛି ଲୋକେ ଏକତ୍ୱରୁ ଅର୍ଥାତ୍ ଅଭେଦଭାବରୁ, ପୃଥକତ୍ୱରୁ ଅର୍ଥାତ ଭେଦଭାବରୁ, ଏବଂ ଅନେକ ପ୍ରକାର ଜ୍ଞାନଯଜ୍ଞ ଦ୍ୱାରା ଯଜନ କରି ସର୍ବୋତମୁଖ ମୋର ଉପାସନା କରିଥାନ୍ତି ।।୧୫।।
(ସଂସାରରେ ଥିବା ଦୈବୀ ଓ ରାକ୍ଷସୀ ସ୍ୱଭାବ ପୁରୁଷଙ୍କର ଏହି ଯେଉଁ ସଂକ୍ଷିପ୍ତ ବର୍ଣ୍ଣନ, ତାହା ଆଗକୁ ୧୬ଶ ଅଧ୍ୟାୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ପୂର୍ବରୁ ଏହା ବତାଇ ଦିଆଯାଇଛି କି, ଜ୍ଞାନଯଜ୍ଞର ଅର୍ଥ ‘ପରମେଶ୍ୱରଙ୍କର ସ୍ୱରୂପକୁ ଜ୍ଞାନ ଦ୍ୱାରା ଆକଳନ କରି ତାହା ଦ୍ୱାରା ସିଦ୍ଧି ପ୍ରାପ୍ତ କରିବା'(ଗୀତା ୪-୩୩ର ଟିପ୍ପଣୀ) । କିନ୍ତୁ ପରମେଶ୍ୱରଙ୍କର ଏହି ଜ୍ଞାନ ମଧ୍ୟ ଦ୍ୱୈତ-ଅଦ୍ୱୈତ ଆଦି ଭେଦରେ ଅନେକ ପ୍ରକାର ହୋଇପାରେ, ଏହି କାରଣରୁ ଜ୍ଞାନଯଜ୍ଞ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରରେ ହୋଇପାରେ । ଏହିଭଳି ଜ୍ଞାନଯଜ୍ଞ ଯଦି ଅନେକ ପ୍ରକାରେ ହୋଇପାରେ, ତେବେ ମଧ୍ୟ ୧୫ଶ ଶ୍ଳୋକର ତାତ୍ପର୍ଯ୍ୟ ହେଉଛି କି, ପରମେଶ୍ୱର ବିଶ୍ୱତୋମୁଖ ହେବା କାରଣରୁ ଏହି ସବୁ ଯଜ୍ଞ ତାଙ୍କ ଠାରେ ହିଁ ପହଞ୍ଚିଥାଏ । ‘ଏକତ୍ୱରୁ’ ‘ପୃଥକତ୍ୱ’ ଆଦି ପଦ ଦ୍ୱାରା ବୁଝାଯାଉଛି କି ଦ୍ୱୈତ-ଅଦ୍ୱୈତରୁ, ବିଶିଷ୍ଟାଦ୍ୱୈତ ଆଦି ସମ୍ପ୍ରଦାୟ ଯଦ୍ୟପି ଅର୍ବାଚୀନ ତଥାପି ଏହି କଳ୍ପନା ପ୍ରାଚୀନ ଅଟେ । ଏହି ଶ୍ଳୋକରେ ପରମେଶ୍ୱରଙ୍କର ଯେଉଁ ଏକତ୍ୱ ଓ ପୃଥକତ୍ୱ ବତାଯାଇଛି, ତାହାର ଏବେ ବିସ୍ତୃତ ନିରୂପଣ କରାଯାଉଛି କି ପୃଥକତ୍ୱରେ ଏକତ୍ୱ କ’ଣ –)
କ୍ରତୁ ଅର୍ଥାତ୍ ଶ୍ରୌତଯଜ୍ଞ ମୁଁ ହିଁ ଅଟେ, ଯଜ୍ଞ ଅର୍ଥାତ୍ ସ୍ମାର୍ତ୍ତଯଜ୍ଞ ମୁଁ ହିଁ ଅଟେ, ସ୍ୱଧା ଅର୍ଥାତ୍ ଶ୍ରାଦ୍ଧରେ ପିତରଙ୍କୁ ଅର୍ପିତ ଅନ୍ନ ମୁଁ ହିଁ ଅଟେ, ଔଷଧ ଅର୍ଥାତ୍ ବନସ୍ପତିରୁ (ଯଜ୍ଞାେର୍ଥ) ଉତ୍ପନ୍ନ ଅନ୍ନ ମୁଁ ହିଁ ଅଟେ, (ଯଜ୍ଞରେ ହବନ ସମୟରେ ଉଚ୍ଚାରିତ) ମନ୍ତ୍ର ମୁଁ ଅଟେ, ଘୃତ ମୁଁ ଅଟେ, ଅଗ୍ନି ମୁଁ ଅଟେ ଆଉ (ଅଗ୍ନିରେ ଅର୍ପିତ)ଆହୁତି ମୁଁ ହିଁ ଅଟେ ।।୧୬।।
(ମୂଳରେ କ୍ରତୁ ଓ ଯଜ୍ଞ, ଉଭୟ ଶବ୍ଦ ସମାନାର୍ଥକ ଅଟେ । କିନ୍ତୁ ଯେଉଁଭଳି ‘ଯଜ୍ଞ’ ଶବ୍ଦର ଅର୍ଥ ଆଗକୁ ବ୍ୟାପକ ହୋଇଛି ଆଉ ଦେବପୂଜା, ବୈଶ୍ୱଦେବ, ଅତିଥିସତ୍କାର, ପ୍ରାଣାୟାମ ଏବଂ ଜପ ଇତ୍ୟାଦି କର୍ମକୁ ମଧ୍ୟ ‘ଯଜ୍ଞ’ କୁହାଗଲା (ଗୀତା-୪/୨୩-୩୦), ସେହିଭଳି ‘କ୍ରତୁ’ ଶବ୍ଦର ଅର୍ଥ ପ୍ରସାରିତ ହେଲାନାହିଁ । ଶ୍ରୌତଧର୍ମରେ ଅଶ୍ୱମେଧ ଆଦି ଯେଉଁ ଯଜ୍ଞ ନିମିତ୍ତ ଏହି ଶବ୍ଦ ପ୍ରଯୁଜ୍ୟ, ତାହାର ଏହି ଅର୍ଥ ଆଗକୁ ମଧ୍ୟ ସ୍ଥିର ରହିବ । ଅତଏବ ଶାଙ୍କରଭାଷ୍ୟରେ କୁହାଯାଇଛି କି, ଏଠାରେ ‘କ୍ରତୁ’ ଶବ୍ଦକୁ ‘ଶ୍ରୌତ’ ଯଜ୍ଞ ଓ ‘ଯଜ୍ଞ’ ଶବ୍ଦକୁ ‘ସ୍ମାର୍ତ୍ତ’ ଯଜ୍ଞ ବୁଝିବା ଦରକାର, ଆଉ ପୂର୍ବରୁ ଆମେ ଏହି ଅର୍ଥ ବ୍ୟକ୍ତ କରିଛୁ । କାହିଁକି ନାଁ ଏଭଳି ଭେଦ ନ କଲେ, ‘କ୍ରତୁ’ ଓ ‘ଯଜ୍ଞ’ ସମାନାର୍ଥକ ହୋଇ ଏହି ଶ୍ଳୋକରେ ତାହାର ଅକାରଣ ଦ୍ୱିରୁକ୍ତି ଦୋଷ ଆସିବ ।)
ଏହି ଜଗତର ପିତା, ମାତା, ଧାତା(ଆଧାର), ପିତାମହ(ଜେଜେ ବାପା) ମୁଁ ହିଁ ଅଟେ, ଯାହା କିଛି ପବିତ୍ର ଅବା ଜ୍ଞେୟ ଅଟେ, ତାହା ଏବଂ ଓଁକାର, ଋଗ୍ ବେଦ, ସାମବେଦ ତଥା ଯଜୁର୍ବେଦ ମଧ୍ୟ ମୁଁ ଅଟେ ।।୧୭।। (ସମସ୍ତଙ୍କର) ଗତି, (ସମସ୍ତଙ୍କର) ପୋଷକ, ପ୍ରଭୁ, ସାକ୍ଷୀ, ନିବାସ, ଶରଣ, ସଖା, ଉତ୍ପତ୍ତି, ପ୍ରଳୟ, ସ୍ଥିତି, ନିଧାନ ଓ ଅବ୍ୟୟ ବୀଜ ମଧ୍ୟ ମୁଁ ଅଟେ ।।୧୮।। ହେ ଅର୍ଜ୍ଜୁନ ! ମୁଁ ଉଷ୍ଣତା ପ୍ରଦାନ କରେ, ମୁଁ ଜଳକୁ ଅବରୋଧ କରିଥାଏ ଏବଂ ବୃଷ୍ଟି ମଧ୍ୟ କରିଥାଏ. ଅମୃତ ଓ ମୃତ୍ୟୁ, (ଏଭଳି କି) ସତ ଓ ଅସତ୍ ମଧ୍ୟ ମୁଁ ହିଁ ଅଟେ ।।୧୯।।
(ପରମେଶ୍ୱରଙ୍କ ସ୍ୱରୂପର ଏଭଳି ବର୍ଣ୍ଣନ ପୁନଃ ବିସ୍ତୃତ ଭାବରେ ୧୦ମ ରୁ ୧୨ଶ ଅଧ୍ୟାୟରେ କରାଯାଇଛି । ତଥାପି ସେଠାରେ କେବଳ ବିଭୂତି କଥା ନ କୁହାଯାଇ ଏହି ବିଶେଷତା ଦର୍ଶାଯାଇଛି କି, ପରମେଶ୍ୱର ଓ ଜଗତର ଭୂତଗଣଙ୍କ ସମ୍ବନ୍ଧ ମାଆ-ବାପା, ମିତ୍ର ଇତ୍ୟାଦିଙ୍କ ସମ ଅଟେ, ଏହି ଦୁଇ ସ୍ଥାନର ବର୍ଣ୍ଣନରେ ଏହି ପାର୍ଥକ୍ୟ ରହିଛି । ଧ୍ୟାନ ରଖିବା ଦରକାର, ଜଳକୁ ବୃଷ୍ଟିକରିବା ଅବା ରୋକିବା ଗୋଟିଏ କ୍ରିୟା ଆମ ଦୃଷ୍ଟିରେ ଲାଭପ୍ରଦ ହେଉ କି କ୍ଷତିକାରକ ହେଉ, ତଥାପି ତାତ୍ତ୍ୱିକ ଦୃଷ୍ଟିରେ ଉଭୟ କାର୍ଯ୍ୟ ପରମେଶ୍ୱର ହିଁ କରିଥାନ୍ତି । ଏହି ଅଭିପ୍ରାୟକୁ ମନରେ ରଖି ଭଗବାନ୍ ପୂର୍ବରୁ(ଗୀତା-୭-୧୨) କହିଛନ୍ତି କି, ସାତ୍ତ୍ୱିକ, ରାଜସ ଓ ତାମସ ଏ ସବୁ ପଦାର୍ଥ ମୁଁ ହିଁ ଉତ୍ପନ୍ନ କରିଥାଏ । ଆଉ ଆଗକୁ ୧୪ଶ ଅଧ୍ୟାୟରେ ଏହି କଥା ବିସ୍ତୃତଭାବରେ ବର୍ଣ୍ଣନ କରିଛନ୍ତି ଗୁଣତ୍ରୟ ବିଭାଗରେ ସୃଷ୍ଟିରେ ନାନାତ୍ୱ କିପରି ଉତ୍ପନ୍ନ ହୋଇଥାଏ । ଏହି ଦୃଷ୍ଟିରୁ ଦେଖିଲେ କିପରି ୧୯ଶ୍ଳୋକରେ ସତ୍ ଓ ଅସତ୍ ପଦ କ୍ରମରେ ‘ଭଲ’ ଓ ‘ମନ୍ଦ’ ଅର୍ଥ କରାଯାଇପାରିବ ଆଉ ଆଗକୁ ଗୀତାରେ(୧୭/୨୬-୨୮) ଏକଦା ଏଭଳି ଅର୍ଥ କରାଯାଇଛି କିନ୍ତୁ ଜଣାପଡେ କି ଏହି ଶବ୍ଦରେ ସତ୍ – ଅବିନାଶୀ ଏବଂ ଅସତ୍ – ବିନାଶୀ ଅବା ନାଶବାନ୍ ଏହି ଯେଉଁ ସାମାନ୍ୟ ଅର୍ଥ ରହିଛି, (ଗୀତା-୨-୧୬), ସେଠାରେ ସେହି ସ୍ଥାନରେ ଅଭୀଷ୍ଟ ହେବ ଆଉ ମୃତ୍ୟୁ ଓ ଅମୃତ ସମ ସତ୍ ଓ ଅସତ୍ ଏହି ଦ୍ୱନ୍ଦ୍ୱାତ୍ମକ ଶବ୍ଦ ଋକ୍ ବେଦର ନାସଦୀୟ ସୂକ୍ତରୁ ଜଣାପଡିପାରେ । ତଥାପି ଉଭୟରେ ଏହି ଭେଦ ହେଉଛି କି, ନାସଦୀୟ ସୂକ୍ତରେ ‘ସତ୍’ ଶବ୍ଦର ଉପଯୋଗ ଦୃଶ୍ୟ ଦୃଷ୍ଟି ନିମିତ୍ତ କରାଯାଇଛି ଆଉ ଗୀତାରେ ‘ସତ୍’ ଶବ୍ଦର ଉପଯୋଗ ପରବ୍ରହ୍ମଙ୍କ ପାଇଁ ହୋଇଥାଏ, ଏବଂ ଦୃଶ୍ୟ-ସୃଷ୍ଟିକୁ ଅସତ୍ କୁହାଯାଇଥାଏ (ଗୀତା ର. ପ୍ର.-୯, ପୃ- ୨୪୫-୨୪୭) । କିନ୍ତୁ ଏହିଭଳି ପରିଭାଷାର ଯଦି ଭେଦ ଥିବ, ତେବେବି ‘ସତ୍’ ଓ ‘ଅସତ୍’ ଏହି ଉଭୟ ଶବ୍ଦ ଏକାସାଥୀରେ ଯୋଜନାରେ ପ୍ରକଟ ହୋଇଯାଆନ୍ତି କି ସେଥିରେ ଦୃଶ୍ୟ ସୃଷ୍ଟି ଓ ପରବ୍ରହ୍ମ ଉଭୟଙ୍କର ମଧ୍ୟ ଏକତ୍ର ସମାବେଶ ହୋଇଥାଏ । ଅତଃ ଉକ୍ତ ବର୍ଣ୍ଣନରୁ ଏହି ଭାବାର୍ଥ ମଧ୍ୟ ସିଦ୍ଧ ହେବ କି ପାରିଭାଷିକ ଭେଦ କାହାକୁ ବି ‘ସତ୍’ ଓ ‘ଅସତ୍’ କୁହାଯାଉ, କିନ୍ତୁ ଏହା ଦର୍ଶାଇବାପାଇଁକି ଉଭୟ ପରମେଶ୍ୱରଙ୍କର ରୂପ ଅଟେ, ଭଗବାନ୍ ‘ସତ୍’ ଓ ‘ଅସତ୍’ ଶବ୍ଦର ବ୍ୟାଖ୍ୟା ନକରି କେବଳ ଏହା ବର୍ଣ୍ଣନା କରିଛନ୍ତି କି ‘ସତ୍’ ଓ ‘ଅସତ୍’ ମୁଁ ହିଁ ଅଟେ(ଗୀତା-୧୧/୩୭, ୧୩/୧୨) । ଏହିଭଳି ଯଦ୍ୟପି ପରମେଶ୍ୱରଙ୍କର ଅନେକ ରୂପ, ତଥାପି ଏବେ କହୁଛନ୍ତି କି ତାଙ୍କର ଏକତ୍ୱର ଉପାସନା ଓ ଅନେକତ୍ୱ ଉପାସନା କରିବାର ପାର୍ଥକ୍ୟ କଣ ରହିଛି–)
ଯେଉଁ ତ୍ରୈବିଦ୍ୟ ଅର୍ଥାତ୍ ଋକ୍, ଯଜୁ ଓ ସାମ ଏହି ତ୍ରିବେଦୋକ୍ତ କର୍ମୀ, ସୋମ ପାନକାରୀ ଅର୍ଥାତ୍ ସୋମଯାଜୀ, ତଥା ନିଷ୍ପାପ(ପୁରୁଷ) ଯଜ୍ଞଭାବରେ ମୋର ପୂଜନ କରି ସ୍ୱର୍ଗଲୋକ ପ୍ରାପ୍ତିର ଇଚ୍ଛା ରଖିଥାନ୍ତି, ସେ ଇନ୍ଦ୍ରଙ୍କର ପୁଣ୍ୟଲୋକରେ ପହଞ୍ଚି ସ୍ୱର୍ଗରେ ଦେବତାଙ୍କର ଅନେକ ଦିବ୍ୟଭୋଗ ଭୋଗ କରିଥାନ୍ତି ।।୨୦।। ଏବଂ ସେହି ବିଶାଳ ସ୍ୱର୍ଗଲୋକର ଉପଭୋଗ କରି ପୁଣ୍ୟ କ୍ଷୟ ହୋଇଯିବା ପରେ, ସେ (ପୁୁନଃ ଜନ୍ମ ନେଇ) ମୃତ୍ୟୁଲୋକକୁ ଆସିଥାନ୍ତି । ଏହିଭଳି ତ୍ରୟୀଧର୍ମ ଅର୍ଥାତ୍ ତ୍ରିବେଦୋକ୍ତ ଯଜ୍ଞଯାଗ ଆଦି ଶ୍ରୌତଧର୍ମର ପାଳନକାରୀ ଓ କାମ୍ୟ ଉପଭୋଗର ଇଚ୍ଛାପୋଷଣକାରୀ ଲୋକଙ୍କୁ(ସ୍ୱର୍ଗର) ଆବାଗମନ ପ୍ରାପ୍ତ ହୋଇଥାଏ ।
(ଏହି ସିଦ୍ଧାନ୍ତ ପୂର୍ବରୁ ପ୍ରାୟ କେତେଥର ଆସିଛି କି ଯାଗଯଜ୍ଞ ଆଦି ଧର୍ମ ପ୍ରଭାବରୁ ଅବା ନାନା ଦେବତାଙ୍କର ଆରାଧନାରେ କିଛି ସମୟ ପାଇଁ ସ୍ୱର୍ଗବାସ ମିଳିଯାଏ, ତେବେ ମଧ୍ୟ ପୁଣ୍ୟଅଂଶ କ୍ଷୟ ହେବା ପର୍ଯ୍ୟନ୍ତ ପୁନଃ ଜନ୍ମ ନେଇ ଭୂଲୋକକୁ ଆସିବାକୁ ପଡିଥାଏ (ଗୀତା-୨/୪୨-୪୪, ୪-୩୪, ୬-୪୧, ୭-୨୩, ୮-୧୬, ୨୫ । କିନ୍ତୁ ମୋକ୍ଷପ୍ରାପ୍ତିରେ ଏଭଳି ସମସ୍ୟା ନ ଥାଏ, ତାହା ନିତ୍ୟ ଅର୍ଥାତ୍ ଥରେମାତ୍ର ପରମେଶ୍ୱରଙ୍କୁ ପାଇଯିବା ପରେ ପୁନଃ ଆଉ ଜନ୍ମ-ମରଣ ଚକ୍ରରେ ପଡିବାକୁ ହୋଇନଥାଏ । ମହାଭାରତରେ(ବନ-୨୬୦) ସ୍ୱର୍ଗସୁଖର ଯେଉଁ ବର୍ଣ୍ଣନ ରହିଛି, ତାହା ମଧ୍ୟ ସେହିଭଳି ଅଟେ । କିନ୍ତୁ ଯଜ୍ଞଯାଗ ଆଦିରୁ ହିଁ ପର୍ଜନ୍ୟ ପ୍ରଭୃତି ଉତ୍ପତ୍ତି ହୋଇଥାଏ । ଅତଏବ ଶଙ୍କା ଆସୁଛି କି, ତାଙ୍କୁ ଛାଡିଦେଲେ ଏହି ଜଗତର ଯୋଗକ୍ଷେମ ଅର୍ଥାତ୍ ନିର୍ବାହ କିପରି ହେବ ? (ଗୀତା ୨-୪୫ର ଟିପ୍ପଣୀ, ଗୀତା ରହସ୍ୟ ପ୍ର-୧୦, ପୃ ୨୯୪) ଅତଃ ବର୍ତ୍ତମାନ ପୂର୍ବଶ୍ଳୋକକୁ ମିଶାଇ ତାହାର ଉତ୍ତର ଦେଉଛି–)
ଯେଉଁ ଅନନ୍ୟନିଷ୍ଠ ବ୍ୟକ୍ତି ମୋର ଚିନ୍ତନକରି ମୋତେ ଭଜନ କରିଥାନ୍ତି, ସେହି ନିତ୍ୟ ଯୋଗଯୁକ୍ତ ପୁରୁଷଙ୍କର ଯୋଗକ୍ଷେମ ମୁଁ ବହନ କରିଥାଏ ।।୨୨।।
(ଅପ୍ରାପ୍ତ ବସ୍ତୁ ପ୍ରାପ୍ତିକୁ ଯୋଗ ଏବଂ ପ୍ରାପ୍ତ ବସ୍ତୁର ରକ୍ଷା କରିବାକୁ କ୍ଷେମ କୁହାଯାଏ । ଶାଶ୍ୱତ କୋଶରେ ମଧ୍ୟ(ଶ୍ଳୋକ-୧୦୦, ୨୯୨) ଯୋଗକ୍ଷେମର ଏହିଭଳି ବ୍ୟାଖ୍ୟା ହୋଇଛି ଆଉ ତାହାର ପୂରା ଅର୍ଥ ‘ସାଂସାରିକ ନିତ୍ୟ ନିର୍ବାହ’ ଅଟେ । ଗୀତାରହସ୍ୟର ଦ୍ୱାଦଶ ପ୍ରକରଣରେ(ପୃ -୩୮୪-୩୮୫) ଏହାର ବିଚାର କରାଯାଇଛି କି, କର୍ମଯୋଗ ମାର୍ଗରେ ଏହି ଶ୍ଳୋକର ଅର୍ଥ କିଭଳି, ଏହିଭଳି ନାରାୟଣୀୟ ଧର୍ମରେ ମଧ୍ୟ (ମହା. ଶା.୩୪୮-୭୨) କୁହାଯାଇଛି, କି–
ମନୀଷିଣୋ ହି ଯେ କେଚିତ୍ ଯତୟୋ ମୋକ୍ଷଧର୍ମିଣ ।
ତେଷା ବିଚ୍ଛିନ୍ନତୃଷ୍ଣାନା ଯୋଗକ୍ଷେମବହୋ ହରିଃ ।।
ସେଠାରେ ଏଭଳି ବର୍ଣ୍ଣନ ରହିଛି କି, ସେହି ପୁରୁଷ ଏକାନ୍ତ ଭକ୍ତ ହେଲେ ମଧ୍ୟ ପ୍ରବୃତ୍ତିମାର୍ଗୀ ଅର୍ଥାତ୍ ନିଷ୍କାମ ବୁଦ୍ଧିରେ କର୍ମ ସମ୍ପନ୍ନ କରିଥାନ୍ତି । ଏବେ କହୁଛନ୍ତି କି ପରମେଶ୍ୱରଙ୍କର ବହୁତ୍ୱ ସେବାଉପାସନା କରୁଥିବା ପୁରୁଷଙ୍କର କିଭଳି ଗତି ହୋଇଥାଏ –)
ହେ କୌନ୍ତେୟ ! ଶ୍ରଦ୍ଧାଯୁକ୍ତ ହୋଇ ଅନ୍ୟ ଦେବତାଙ୍କର ଭକ୍ତ ହୋଇ ଯିଏ ଯଜନ କରିଥାନ୍ତି, ସେମାନେ ବିଧିପୂର୍ବକ ନ ହେଲେ ମଧ୍ୟ (ପର୍ଯ୍ୟାୟ ଭାବରେ) ମୋର ହିଁ ଯଜନ କରିଥାନ୍ତି ।।୨୩।। କାହିଁକି ନାଁ ସମସ୍ତ ଯଜ୍ଞର ଭୋକ୍ତା ଓ ସ୍ୱାମୀ ମୁଁ ହିଁ ଅଟେ । କିନ୍ତୁ ସେ ତତ୍ତ୍ୱତଃ ମୋତେ ଜାଣନ୍ତି ନାହିଁ. ଅତଃ ପତନର ଗହ୍ୱରରେ ପତିତ ହୋଇଥାନ୍ତି ।।୨୪।।
(ଗୀତା ରହସ୍ୟର ୧୩ଶ ପ୍ରକରଣରେ (ପୃ-୪୨୨-୪୨୬) ବିବେଚନ ହୋଇଛି କି, ଏହି ଉଭୟ ଶ୍ଳୋକର ସିଦ୍ଧାନ୍ତର ମହତ୍ତ୍ୱ କଣ । ବୈଦିକ ଧର୍ମରେ ଏହି ତତ୍ତ୍ୱ ବହୁ ପ୍ରାଚୀନ ସମୟରୁ ଚାଲିଆସିଛି କି, ଯେ କୌଣସି ଦେବତା ହୁଅନ୍ତୁ ନାଁ କାହିଁକି, ସେ ଭଗବାନଙ୍କର ଏକ ସ୍ୱରୂପ ଅଟନ୍ତି । ଉଦାହରଣାର୍ଥେ ଋଗ୍ ବେଦରେ କୁହାଯାଇଛି, ‘ଏକ ସଦ୍ ବିପ୍ରା ବହୁଧା ବଦନ୍ତ୍ୟଦ୍ନି ଯମ ମାତରିଶ୍ୱାନମାହୁ’ । (ଋ-୧-୧୬୪-୪୬) ପରମେଶ୍ୱର ଏକ ଅଟନ୍ତି, କିନ୍ତୁ ପଣ୍ଡିତମାନେ ତାଙ୍କୁ ଅଗ୍ନି, ଯମ, ମାତରିଶ୍ୱା(ବାୟୁ) ଆଦି କହିଥାନ୍ତି ଆଉ ତଦନୁସାରେ ପରବର୍ତ୍ତୀ ଅଧ୍ୟାୟରେ ପରମେଶ୍ୱର ଏକ ହେଲେ ମଧ୍ୟ ତାଙ୍କର ଅନେକ ବିଭୂତି କଥା ବର୍ଣ୍ଣନ କରାଯାଇଛି । ଏହିଭଳି ମହାଭାରତ ଅନ୍ତର୍ଗତ ନାରାୟଣୀୟୋପାଖ୍ୟାନରେ ଚାରି ପ୍ରକାର ଭକ୍ତଙ୍କ ମଧ୍ୟରେ କର୍ମଯୋଗାନୁଗାମୀ ଐକାନ୍ତିକ ଭକ୍ତକୁ ଶ୍ରେଷ୍ଠ (ଗୀତା-୭-୧୯ର ଟିପ୍ପଣୀ) ବତାଇ କହିଛନ୍ତି–
ବ୍ରହ୍ମାଣ ଶିତିକଣ୍ଠ ଚ ଯାଶ୍ଚାନ୍ୟା ଦେବତା ସ୍ମୃତା ।
ପ୍ରବୁଦ୍ଧଚର୍ଯ୍ୟା ସେବନ୍ତୋ ମାମେବୈଷ୍ୟନ୍ତି ଯତ୍ପରମ୍ ।।
”ବ୍ରହ୍ମାଙ୍କୁ, ଶିବଙ୍କୁ ଅଥବା ଅନ୍ୟ ଦେବତାଙ୍କର ଭଜନାକାରୀ ସାଧୁ ପୁରୁଷ ମଧ୍ୟ ମୋଠାରେ ହିଁ ଆସି ମିଳିତ ହୋଇଥାନ୍ତି”(ମ. ଭା.ଶା.-୩୪୧-୩୫) ଏବଂ ଗୀତାର ସେହି ଶ୍ଳୋକର ଅନୁବାଦ ଭାଗବତପୁରାଣରେ ମଧ୍ୟ କରାଯାଇଛି(ଭାଗ-୧୦, ପୂ-୪୦/୮-୧୦) । ଏହିଭଳି ନାରାୟଣୀୟୋପାଖ୍ୟାନରେ ଆଗକୁ ପୁଣି କହୁଛନ୍ତି–
ଯେ ଯଜନ୍ତି ପିତୃନ୍ ଦେବାନ୍ ଗୁରୁଶ୍ଚୈବାତିର୍ଥୀସ୍ତଥା ।
ଗାଶ୍ଚୈବ ଦ୍ୱିଜମୁଖ୍ୟାଶ୍ଚ ପୃଥିବୀଂ ମାତର ତଥା ।
କର୍ମଣା ମନସା ବାଚା ବିଷ୍ଣୁମେବ ଯଜନ୍ତି ତେ ।
”ଦେବ, ପିତର, ଗୁରୁ, ଅତିଥି, ବ୍ରାହ୍ମଣ ଓ ଗୌ ପ୍ରଭୃତିର ସେବକ ପର୍ଯ୍ୟାୟ ଭାବରେ ବିଷ୍ଣୁଙ୍କର ହିଁ ଯଜନ କରିଥାନ୍ତି” (ମହା. ଶା. ୩୪୫- ୨୬, ୨୭) — ଏହିଭଳି ଭାଗବତ ଧର୍ମଙ୍କର ସ୍ପଷ୍ଟ କଥନ ହେଲେ ମଧ୍ୟ ଭକ୍ତିକୁ ହିଁ ମୁଖ୍ୟ ବୋଲି ଜାଣ । ଦେବତାରୂପ ପ୍ରତୀକ ଗୌଣ ଅଟେ, ଅଥବା ଯଦ୍ୟପି ବିଧିଭେଦ ଅଟେ, ତଥାପି ଉପାସନା ତ କେବଳ ପରମେଶ୍ୱରଙ୍କର ହିଁ ହୋଇଥାଏ, ଏହା ଅତି ଆଶ୍ଚର୍ଯ୍ୟର କଥା କି ଭାଗବତଧର୍ମୀ ମଧ୍ୟ ଶୈବଙ୍କ ସହ ଝଗଡା କରନ୍ତି । ଏବେ କହୁଛନ୍ତି କି ଯଦ୍ୟପି ଏହି ସିଦ୍ଧାନ୍ତ ସତ୍ୟ ଅଟେ ଯେ କୌଣସି ଦେବତାଙ୍କର ଉପାସନା କର ନା କାହିଁକି, ତାହା ଭଗବାନଙ୍କ ଠାରେ ହିଁ ପହଞ୍ଚିଥାଏ, ତଥାପି ଏହି ଜ୍ଞାନ ନ ହେବାଯାଏଁ କି ସମସ୍ତ ଦେବତା ଏକ ହିଁ ଅଟନ୍ତି, ମୋକ୍ଷର ମାର୍ଗ ଦୂରେଇରହିଥାଏ ଆଉ ଭିନ୍ନ ଭିନ୍ନ ଦେବତାଙ୍କର ଉପାସକଙ୍କୁ ତାଙ୍କ ଭାବନାନୁସାରେ ଭଗବାନ ଭିନ୍ନ ଭିନ୍ନ ଫଳ ପ୍ରଦାନ କରିଥାନ୍ତି– )
ଦେବଉପାସନାକାରୀ ଦେବତାଙ୍କ ପାଖକୁ, ପିତୃଉପାସନାକାରୀ ପିତରଙ୍କ ପାଖକୁ, (ଭିନ୍ନ ଭିନ୍ନ) ଭୂତଙ୍କର ପୂଜନକାରୀ(ସେହି) ଭୂତଙ୍କ ନିକଟକୁ ଯାଇଥାନ୍ତି ଆଉ ମୋର ଯଜନକାରୀ ମୋ ପାଖକୁ ଆସିଥାନ୍ତି ।।୨୫।।
(ସାରାଂଶ- ଯଦ୍ୟପି ଏକ ପରମେଶ୍ୱର ସର୍ବତ୍ର ବିଦ୍ୟମାନ ତଥାପି ଉପାସନାର ଫଳ ପ୍ରତ୍ୟେକଙ୍କର ଭାବ ଅନୁରୂପ ନ୍ୟୂନାଧିକ ଯୋଗ୍ୟତା ସଂଶ୍ଲିଷ୍ଟ କରାଇଥାଏ । ତଥାପି ଏହି ପୂର୍ବ କଥନକୁ ଭୁଲିଯିବା ଅନୁଚିତ କି, ଫଳଦାନ କାର୍ଯ୍ୟ ମଧ୍ୟ ଦେବତା କରନ୍ତି ନାହିଁ, ପରମେଶ୍ୱର ହିଁ ସମ୍ପନ୍ନ କରିଥାନ୍ତି ।(ଗୀତା -୭/୨୦-୨୩) ଉପରୋକ୍ତ ୨୪ ଶ୍ଳୋକରେ ଭଗବାନ୍ ଏହା କହିଛନ୍ତି କି, ”ସମସ୍ତ ଯଜ୍ଞର ଭୋକ୍ତା ମୁଁ ହିଁ ଅଟେ”, ଏହାର ତାତ୍ପର୍ଯ୍ୟ ଏହିଭଳି ଅଟେ । ମହାଭାରତରେ ମଧ୍ୟ କୁହାଯାଇଛି–
ଯସ୍ମିନ୍ ଯସ୍ମିଶ୍ଚ ବିଷୟେ ଯୋଯୋ ଯାତି ବିନିଶ୍ଚୟମ୍ ।
ସ ତମେବାଭିଜାନାତି ନାନ୍ୟ ଭରତସତ୍ତମ ।।
”ଯେଉଁ ପୁରୁଷ ଯେଉଁ ଭାବରେ ଦୃଢ ନିଶ୍ଚୟ ହୋଇଥାନ୍ତି, ସେ ସେହି ଭାବ ଅନୁରୂପ ହିଁ ଫଳ ପ୍ରାପ୍ତି କରିଥାନ୍ତି(ଶା. ୩୫୨-୩)” ଆଉ ଏହା ଶ୍ରୁତି ମଧ୍ୟ ଅଟେ, ”ଯ ଯଥା ଯଥୋପାସତେ ତଦେବ ଭବତି” (ଗୀତା-୮-୬ର ଟିପ୍ପଣୀ ଦ୍ରଷ୍ଟବ୍ୟ) ନାନାତ୍ୱରେ ଅର୍ଥାତ୍ ଅନେକ ଦେବତାଙ୍କର ଉପାସନାକାରୀଙ୍କୁ ଯେଉଁ ଫଳ ପ୍ରାପ୍ତି ହୋଇଥାଏ, ତାହାକୁ ପ୍ରଥମ ଚରଣରେ ବତାଇ ଦ୍ୱିତୀୟ ଚରଣରେ ଏହି ଅର୍ଥ ବର୍ଣ୍ଣନ କରୁଛନ୍ତି କି, ଭଗବାନଙ୍କର ଅନନ୍ୟ ଭକ୍ତକୁ ହିଁ ଭଗବତ୍ ପ୍ରାପ୍ତି ହୋଇଥାଏ । ଏବେ ଭକ୍ତିମାର୍ଗର ଏହି ମହତ୍ତ୍ୱର ତତ୍ତ୍ୱ ବତାଉଛନ୍ତି କି, ଭକ୍ତ କଣ ସମର୍ପଣ କରେ, ତାକୁ ନ ଦେଖି ଭଗବାନ ତାର ଭାବକୁ ହିଁ ଦୃଷ୍ଟି ଦେଇ ତାର ଭକ୍ତି ସ୍ୱୀକାର କରିଥାନ୍ତି– ।)
ଯିଏ ମୋତେ ଭକ୍ତି ସହକାରେ ଗୋଟିଏ କି ଅଧେ ପତ୍ର, ପୁଷ୍ପ, ଫଳ ଅଥବା(ଯଥାଶକ୍ତି) ଟିକିଏ ଜଳ ଅର୍ପଣ କରେ, ସେହି ପ୍ରଯତାତ୍ମା ଅର୍ଥାତ୍ ନିୟତଚିତ୍ତ ପୁରୁଷଙ୍କର ଭକ୍ତିପୂର୍ଣ ଭେଟିକୁ ମୁଁ(ଆନନ୍ଦରେ) ଗ୍ରହଣ କରିଥାଏ ।।୨୬।।
(କର୍ମ ଅପେକ୍ଷା ବୁଦ୍ଧି ଶ୍ରେଷ୍ଠ ଅଟେ(ଗୀତା-୨-୪୧)- କର୍ମଯୋଗର ଏହି ତତ୍ତ୍ୱ ଭକ୍ତିମାର୍ଗରେ ରୂପାନ୍ତର ହେବାକଥା ଉକ୍ତ ଶ୍ଳୋକରେ ବର୍ଣ୍ଣନ ହୋଇଛି ।(ଗୀତା. ର. ପ୍ର. ୧୫, ପୃ ୪୭୫-୪୭୭) । ଏହି ବିଷୟରେ ସୁଦାମାଙ୍କର ତଣ୍ଡୁଳର କଥା ପ୍ରସିଦ୍ଧ ଅଟେ ଆଉ ଏହି ଶ୍ଳୋକ ଭାଗବତ ପୁରାଣର ସୁଦାମା-ଚରିତ୍ରର ଉପାଖ୍ୟାନରୁ ହିଁ ଆସିଛି(ଭାଗ-୧୦, ଉ-୮୧-୪) । ଏଥିରେ ସନ୍ଦେହ ନାହିଁ କି ପୂଜାର ଦ୍ରବ୍ୟ ଅଥବା ସାମଗ୍ରୀର ନ୍ୟୂନାଧିକ ହେବା ସର୍ବଥା ଓ ସର୍ବଦା ମନୁଷ୍ୟ ବଶର କଥା ନୁହେଁ । ଏଥିପାଇଁ ଶାସ୍ତ୍ରରେ କୁହାଯାଇଛି କି ଯଥାଶକ୍ତି ପ୍ରାପ୍ତ ହେଉଥିବା ସ୍ୱଳ୍ପ ପୂଜା-ଦ୍ରବ୍ୟରେ ନୁହେଁ, ପ୍ରତ୍ୟୁତ ଶୁଦ୍ଧଭାବରେ ସମର୍ପଣ କରାଯାଇଥିବା ମାନସିକ ପୂଜା-ଦ୍ରବ୍ୟରେ ମଧ୍ୟ ଭଗବାନ୍ ସନ୍ତୁଷ୍ଟ ହୋଇଯାଆନ୍ତି । ଦେବତା ଭାବର ଭୁଖା ଅଟନ୍ତି, ପୂଜା ସାମଗ୍ରୀର ନୁହଁନ୍ତି । ମୀମାଂସକ ମାର୍ଗ ଅପେକ୍ଷା ଭକ୍ତି ମାର୍ଗରେ ଯାହା କିଛି ବିଶେଷତା ରହିଛି, ତାହା ଏହିଭଳି ଅଟେ । ଯାଗଯଜ୍ଞ କରିବା ପାଇଁ ବହୁତ ସାମଗ୍ରୀ ସଂଗ୍ରହ କରିବାକୁ ହୋଇଥାଏ ଆଉ ଉଦ୍ୟୋଗ ମଧ୍ୟ କରିବାକୁ ପଡିଥାଏ । କିନ୍ତୁ ଭକ୍ତିଯଜ୍ଞ ଏକମାତ୍ର ତୁଳସୀ ଦଳ ଦ୍ୱାରା ମଧ୍ୟ ହୋଇଥାଏ । ମହାଭାରତରେ ଉକ୍ତ ହୋଇଛି କି ଯେତେବେଳେ ଦୁର୍ବାସା ଋଷି ଘରକୁ ଆସିଥିଲେ, ସେତେବେଳେ ଦ୍ରୌପଦୀ ଏହିଭଳି ଯଜ୍ଞ ଦ୍ୱାରା ଭଗବାନଙ୍କୁ ସନ୍ତୁଷ୍ଟ କରିଥିଲେ । ଭଗବଦ୍ ଭକ୍ତ ଯେଉଁଭଳି ନିଜର କର୍ମ କରିଥାଏ, ଅର୍ଜ୍ଜୁନଙ୍କୁ ସେହିଭଳି କରିବାର ଉପଦେଶ ଦେଇ ଏବେ କହୁଛନ୍ତି କି ତାହା ଦ୍ୱାରା କଣ ଫଳ ମିଳିଥାଏ –)
ହେ କୌନ୍ତେୟ ! ତୁମେ ଯାହା(କିଛି) କରୁଛ, ଯାହା ଖାଉଛ, ଯାହା ହୋମ-ହବନ କରୁଛ, ଯାହା ଦାନ ଦେଉଛ ଆଉ ଯେଉଁ ତପ କରୁଛ, ସେ ସବୁକିଛି ମୋତେ ଅର୍ପଣ କରିଦିଅ ।।୨୭।। ଏହିଭଳି କରିବା(କର୍ମ) ଦ୍ୱାରା କର୍ମର ଶୁଭ-ଅଶୁଭ ଫଳରୂପ ବନ୍ଧନରୁ ତୁମେ ମୁକ୍ତ ରହିବ ଆଉ, (କର୍ମଫଳକୁ) ତ୍ୟାଗ(ସନ୍ନ୍ୟାସ) କରିଦେବାରୁ ଏହି ଯୋଗରେ ଯୁକ୍ତାତ୍ମା ଅର୍ଥାତ୍ ଶୁଦ୍ଧ ଅନ୍ତଃକରଣ ହୋଇ ମୁକ୍ତ ହୋଇଯିବ ଏବଂ ମୋଠାରେ ବିଲୀନ ହୋଇଯିବ ।।୨୮।।
(ଏଥିରୁ ସ୍ପଷ୍ଟ ହେଉଛି କି, ଭଗବଦ୍ ଭକ୍ତ ମଧ୍ୟ କୃଷ୍ଣାର୍ପଣ ବୁଦ୍ଧିରେ ସମସ୍ତ କର୍ମ ସମ୍ପାଦନ କରୁ, ତାଙ୍କୁ ଛାଡି ନ ଦେଉ ଆଉ ଏହି ଦୃଷ୍ଟିରୁ ଏହି ଉଭୟ ଶ୍ଳୋକ ମହତ୍ତ୍ୱପୂର୍ଣ୍ଣ ଅଟେ । ”ବ୍ରହ୍ମାର୍ପଣ ବ୍ରହ୍ମ ହବି” (ଗୀତା-୪-୨୪) ଏହି ଜ୍ଞାନଯଜ୍ଞର ତତ୍ତ୍ୱ ହିଁ ଏବେ ଭକ୍ତିର ପରିଭାଷା ଅନୁସାରେ ୨୭ଶ ଶ୍ଳୋକରେ କହିଛନ୍ତି (ଗୀତା ର. ପ୍ର-୧୩, ପୃ ୪୩୨. ୪୩୩) । ୩ୟ ଅଧ୍ୟାୟରେ ଅର୍ଜ୍ଜୁନଙ୍କୁ କହିଛନ୍ତି କି ”ମୟି ସର୍ବାଣି କର୍ମାଣି ସନ୍ନ୍ୟାସ” (ଗୀତା-୩-୩୦)– ମୋଠାରେ ସମସ୍ତ କର୍ମ ସମର୍ପଣ କରି ଯୁଦ୍ଧ କର ଆଉ ୫ମ ଅଧ୍ୟାୟରେ ପୁନଃ କହୁଛନ୍ତି କି, ”ବ୍ରହ୍ମରେ କର୍ମକୁ ଅର୍ପଣକରି ଅନାସକ୍ତ ଭାବରେ କର୍ମ ସମ୍ପନ୍ନକାରୀଙ୍କୁ କର୍ମବନ୍ଧନ ହୁଏନାହିଁ”(୫-୨୦) । ଗୀତାର ମତାନୁସାେର ଏହା ହିଁ ଯଥାର୍ଥ ସନ୍ନ୍ୟାସ ଅଟେ (ଗୀତା ୧୮-୨), ଏବଂ ଏହିଭଳି ଅର୍ଥାତ୍ କର୍ମଫଳାଶା ତ୍ୟାଗକରି(ଅନାସକ୍ତ) କର୍ମ ସମ୍ପନ୍ନ କରୁଥିବା ପୁରୁଷ ହିଁ ‘ନିତ୍ୟସନ୍ନ୍ୟାସୀ’ ଅଟନ୍ତି (ଗୀତା-୫-୩), କର୍ମତ୍ୟାଗରୂପ ସନ୍ନ୍ୟାସ ଗୀତାଙ୍କୁ ସମ୍ମତ ନୁହେଁ । ପୂର୍ବରୁ ଅନେକ ସ୍ଥଳରେ କହିଛନ୍ତି କି, ଏହି ରୀତିରେ କରାଯାଉଥିବା କର୍ମ ମୋକ୍ଷ ନିମିତ୍ତ ପ୍ରତିବନ୍ଧକ ହୁଏନାହିଁ(ଗୀତା ୨-୬୪, ୩-୧୯, ୪-୨୩, ୫-୧୨, ୬-୧, ୮-୭) ଆଉ ଏହି ୨୮ଶ ଶ୍ଳୋକରେ ସେହି କଥାକୁ ପୁଣି କହିଛନ୍ତି । ଭାଗବତ ପୁରାଣରେ ନୃସିଂହରୂପୀ ଭଗବାନ ପ୍ରହ୍ଲାଦକୁ ଏହି ଉପଦେଶ ଦେଇଛନ୍ତି କି, ”ମୟାବେଶ୍ୟ ମନସ୍ତାତ କୁରୁ କର୍ମାଣି ମତ୍ପର”–ମୋଠାରେ ଚିତ୍ତ ନିବେଶକରି ସମସ୍ତ କର୍ମ ସମ୍ପାଦନକର (ଭାଗ-୭-୧୦-୨୩), ଏବଂ ଆଗକୁ ୧୧ଶ ସ୍କନ୍ଧରେ ଭକ୍ତିଯୋଗର ଏହି ତତ୍ତ୍ୱ କହିଛନ୍ତି କି ଭଗବଦ୍ ଭକ୍ତ ସମସ୍ତକର୍ମକୁ ନାରାୟଣାର୍ପଣ କରିଦେଉ (ଭାଗ-୧୧-୨-୨୬, ୧୧-୧୧-୨୪) । ଏହି ଅଧ୍ୟାୟର ପ୍ରାରମ୍ଭରୁ ବର୍ଣ୍ଣନ କରିଛନ୍ତି କି ଭକ୍ତିମାର୍ଗ ସୁଖକର ଓ ସୁଲଭ ଅଟେ । ଏବେ ତାହାର ସମତ୍ୱରୂପୀ ଅନ୍ୟ ବୃହତ୍ ଓ ବିଶେଷଗୁଣର ବର୍ଣ୍ଣନ କରୁଛନ୍ତି–)
ମୁଁ ସର୍ବଭୂତଙ୍କ ଠାରେ ଅବସ୍ଥିତ । ନା ମୋର କେହି ଦ୍ୱେଷୀ ଅର୍ଥାତ୍ ଅପ୍ରିୟ ଅଟନ୍ତି, ଆଉ ନାଁ କେହି ପ୍ରିୟ ଅଟନ୍ତି । ଭକ୍ତି ସହକାରେ ଯିଏ ମୋର ଭଜନ କରନ୍ତି, ସେ ମୋଠାରେ ସ୍ଥିତ ଆଉ ମୁଁ ମଧ୍ୟ ତା’ଠାରେ ସ୍ଥିତ ଥାଏ ।।୨୯।। େଯତେ ବଡ ଦୂରାଚାରୀ ହେଉ ନାଁ କାହିଁକି, ଯଦି ସେ ମୋତେ ଅନନ୍ୟଭାବରେ ଭଜନ କରନ୍ତି, ତେବେ ତାକୁ ସାଧୁ ବୋଲି ହିଁ ବୁଝିବାକୁ ହେବ । କାହିଁକି ନାଁ ତାଙ୍କର ବୁଦ୍ଧି ନିଶ୍ଚୟ ଦୃଢ ଅଟେ ।।୩୦।। ସେ ଅତି ଶୀଘ୍ର ଧର୍ମାତ୍ମା ହୋଇଯାଆନ୍ତି ଆଉ ନିତ୍ୟ ଶାନ୍ତି ପାଇଥାନ୍ତି । ହେ କୌନ୍ତେୟ ! ତୁମେ ଭଲଭାବରେ ବୁଝିନିଅ କି ମୋର ଭକ୍ତ(କେବେବି) ନଷ୍ଟ ହୁଏନାହିଁ ।।୩୧।।
(୩୦ଶ ଶ୍ଳୋକର ଭାବାର୍ଥ ଏଭଳି ବୁଝିବା ଉଚିତ ନୁହେଁ କି, ଭଗବଦ୍ ଭକ୍ତ ଯଦି ଦୂରାଚାରୀ ହୁଏ, ତେବେ ବି ସେ ଭଗବାନଙ୍କର ପ୍ରିୟ ହୋଇଥାଏ । ଭଗବାନ୍ ଏତିକି ହିଁ କହିଥାନ୍ତି କି, କୌଣସି ମନୁଷ୍ୟ ଯଦି ପ୍ରଥମରୁ ଦୂରାଚାରୀ ରହିଥାନ୍ତି କିନ୍ତୁ ଯେତେବେଳେ ଥରେ ତାଙ୍କର ବୁଦ୍ଧି ନିଶ୍ଚିତ ପରମେଶ୍ୱରାଭିମୁଖ ଭଜନରେ ରତ ରହେ, ତାଙ୍କ ହାତରେ ଆଉ କୌଣସି ଦୁଷ୍କର୍ମ ହୋଇପାରେନାହିଁ, ଆଉ ସେ ଧୀରେ ଧୀରେ ଧର୍ମାତ୍ମା ଭାବରେ ସିଦ୍ଧିପ୍ରାପ୍ତ ହୋଇଥାନ୍ତି ତଥା ଶେଷରେ ଏହି ସିଦ୍ଧିରେ ତାଙ୍କର ପାପସମୂହ ସମ୍ପୂର୍ଣ୍ଣ ନାଶ ହୋଇଯାଇଥାଏ । ସାରାଂଶ ହେଉଛି, ଷଷ୍ଠ ଅଧ୍ୟାୟରେ(୬-୪୪) ଯେଉଁ ସିଦ୍ଧାନ୍ତ କରିଛନ୍ତି କି କର୍ମଯୋଗ ଜାଣିବାର କେବଳ ଇଚ୍ଛା ଜାତ ହେବା ମାତ୍ରକେ ହିଁ ମନୁଷ୍ୟ ବାଧ୍ୟହୋଇ ଶବ୍ଦବ୍ରହ୍ମଙ୍କ ଊର୍ଦ୍ଧ୍ୱକୁ ଚାଲିଯାଏ, ବର୍ତ୍ତମାନ ତାକୁ ହିଁ ଭକ୍ତିମାର୍ଗ ନିମିତ୍ତ କହୁଛନ୍ତି । ଏବେ ସେହିକଥାକୁ ଅଧିକ ସ୍ପଷ୍ଟ କରୁଛନ୍ତି କି, ପରମେଶ୍ୱର ସର୍ବଭୂତଙ୍କ ମଧ୍ୟରେ କିଭଳି ସ୍ଥିତ–)
କାହିଁକି ନାଁ ହେ ପାର୍ଥ ! ମୋର ଆଶ୍ରୟ ନେଇ ସ୍ତ୍ରୀ, ବୈଶ୍ୟ ଓ ଶୂଦ୍ର, (ଅଥବା) ଅନ୍ତ୍ୟଜ ଆଦି ଯେଉଁ ନୀଚ୍ଚଜାତି ଅଛନ୍ତି, ସେମାନେ ମଧ୍ୟ ପରମଗତି ପ୍ରାପ୍ତି ହୁଅନ୍ତି ।।୩୨।। ପୁନଃ ପୁଣ୍ୟବାନ୍ ବ୍ରାହ୍ମଣ, ମୋ ଭକ୍ତ ଏବଂ ରାଜର୍ଷି(କ୍ଷତ୍ରିୟ)ଙ୍କର କଥା ଆଉ କଣ କହିବି ? ତୁମେ ଏହି ଅନିତ୍ୟ ଆଉ ଅସୁଖ ଅର୍ଥାତ୍ ଦୁଃଖକାରକ ମୃତ୍ୟୁଲୋକରେ ଅଛ, ଏହି କାରଣରୁ ମୋର ଭଜନ କର ।।୩୩।।
(୩୨ଶ ଶ୍ଳୋକରେ ‘ପାପଯୋନି’ ଶବ୍ଦକୁ ସ୍ୱତନ୍ତ୍ର ନ ମାନି କିଛି ଟୀକାକାର କହନ୍ତି କି, ତାହା ସ୍ତ୍ରୀ, ବୈଶ୍ୟ ଓ ଶୂଦ୍ରଙ୍କ ପାଇଁ ପ୍ରଯୁଜ୍ୟ କାରଣ ପୂର୍ବରୁ କିଛି ନା କିଛି ପାପ ନ କରି କେହି ବି ସ୍ତ୍ରୀ, ବୈଶ୍ୟ ତଥା ଶୂଦ୍ର ଜନ୍ମ ପାଆନ୍ତି ନାହିଁ । ସେମାନଙ୍କ ମତାନୁସାରେ ପାପଯୋନି ଶବ୍ଦ ସାଧାରଣ ଅଟେ ଆଉ ସେହି ସ୍ତ୍ରୀ, ବୈଶ୍ୟ ଓ ଶୂଦ୍ର ତାହାର ଭେଦ ଉଦାହରଣାର୍ଥେ ଦିଆଯାଇଛି । କିନ୍ତୁ ଆମ ମତରେ ଏହି ଅର୍ଥ ଠିକ୍ ନୁହେଁ । ଆଜିକାଲି ରାଜଦରବାରରେ ଯାହାକୁ ‘ଦୋଷୀ ଜାତି’ ବୋଲି କହନ୍ତି, ପାପଯୋନି ଶବ୍ଦରୁ ସେହିଭଳି ଅର୍ଥ ବିବକ୍ଷିତ ଅଟେ । ଏହି ଲୋକର ସିଦ୍ଧାନ୍ତ ହେଉଛି କି, ସେହି ଜାତିର ଲୋକଙ୍କୁ ମଧ୍ୟ ଭଗବଦ୍ ଭକ୍ତି ଦ୍ୱାରା ସିଦ୍ଧି ପ୍ରାପ୍ତି ହୋଇଥାଏ । ସ୍ତ୍ରୀ, ବୈଶ୍ୟ ଓ ଶୂଦ୍ର ଏହି ବର୍ଗର ନୁହେଁ, ତାଙ୍କୁ ମୋକ୍ଷ ମିଳିବାରେ ଏତେ ବିଘ୍ନ ହୋଇଥାଏ କି ସେମାନେ ବେଦ ଶୁଣିବାର ଅଧିକାରୀ ନୁହଁନ୍ତି । ଏ ବିଷୟରେ ଭାଗବତପୁରାଣରେ କୁହାଯାଇଛି କି–
ସ୍ତ୍ରୀଶୂଦ୍ରଦ୍ୱିଜବନ୍ଧୁନା ତ୍ରୟୀ ନ ଶ୍ରୁତିଗୋଚରା ।
କର୍ମଧେୟସି ମୂଢାନା ଶ୍ରେୟ ଏବ ଭବେଦିହ ।
ଇତି ଭାରତମାଖ୍ୟାନ କୃପୟା ମୁନିନା କୃତମ୍ ।।
”ସ୍ତ୍ରୀ, ଶୂଦ୍ର ଅଥବା କଳିଯୁଗର ନାମଧାରୀ ବ୍ରାହ୍ମଣଙ୍କ କର୍ଣ୍ଣରେ ବେଦ ପହଞ୍ଚିପାରେନାହିଁ, ଏହି କାରଣରୁ ସେମାନଙ୍କୁ ମୂର୍ଖତାରୁ ମୁକ୍ତି ନିମିତ୍ତ ବ୍ୟାସମୁନି କୃପାଳୁ ହୋଇ ସେମାନଙ୍କ କଲ୍ୟାଣାର୍ଥେ ମହାଭାରତ ଅର୍ଥାତ୍ ଗୀତାର ମଧ୍ୟ ରଚନା କଲେ” (ଭାଗ-୧/୪/୧୫) । ଭଗବଦ୍ ଗୀତାର ଉକ୍ତ ଶ୍ଳୋକ କିଛି ପାଠଭେଦରେ ଅନୁଗୀତାରେ ମଧ୍ୟ ମିଳିଥାଏ (ମ.ଭା. ଅଶ୍ୱ.-୧୯/୬୧-୬୨) । ଜାତି, ବର୍ଣ୍ଣ, ସ୍ତ୍ରୀ-ପୁରୁଷ ଆଦିର ଅଥବା କଳା-ଗୋରା ଆଦି ରଙ୍ଗ ପ୍ରଭୃତିର କୌଣସି ଭେଦ ନ ରଖି ସମସ୍ତଙ୍କୁ ଏକ ସଦ୍ଗତି ପ୍ରଦାନକାରୀ ଭଗବଦ୍ ଭକ୍ତିରେ ହିଁ ଏହି ରାଜମାର୍ଗର ଶ୍ରେଷ୍ଠତା ଏହି ଦେଶର– ଏବଂ ବିଶେଷତଃ ମହାରାଷ୍ଟ୍ରର- ସନ୍ଥମଣ୍ଡଳୀର ଇତିହାସରେ କାହାକୁ ବି ଜ୍ଞାତ ହୋଇପାରିବ । ଉଲ୍ଲିଖିତ ଶ୍ଳୋକର ଅଧିକ ସ୍ପଷ୍ଟୀକରଣ ଗୀତାରହସ୍ୟର ପ୍ର-୧୩, ପୃ- ୪୩୮-୪୪୨ରେ କରାଯାଇଛି । ଏହିଭଳି ଧର୍ମ ଆଚରଣ କରିବା ବିଷୟରେ ୩୩ଶ ଶ୍ଳୋକର ଉତ୍ତରାର୍ଦ୍ଧରେ ଅର୍ଜ୍ଜୁନଙ୍କୁ ଯେଉଁ ଉପଦେଶ ଦେଇଛନ୍ତି, ପର ଶ୍ଳୋକରେ ମଧ୍ୟ ତାହା ପ୍ରଚଳିତ ।)
ମୋଠାରେ ମନ ଲଗାଅ, ମୋର ଭକ୍ତ ହୁଅ, ମୋର ଯଜନ-ପୂଜନ କର ଓ ମୋତେ ନମସ୍କାର କର, ଏହିଭଳି ମୋ ପରାୟଣ ହୋଇ ଯୋଗ ଅଭ୍ୟାସ କରିବାରେ ମୋତେ ହିଁ ପାଇବ ।।୩୪।।
(ବାସ୍ତବରେ ଏହି ଉପଦେଶର ପ୍ରାରମ୍ଭ ୩୩ଶ ଶ୍ଳୋକରୁ ହୋଇଛି । ୩୩ଶ ଶ୍ଳୋକର ‘ଅନିତ୍ୟ’ ପଦ ଅଧ୍ୟାତ୍ମଶାସ୍ତ୍ରର ଏହି ସିଦ୍ଧାନ୍ତ ଅନୁସାରେ ହୋଇଛି କି, ପ୍ରକୃତିର ପରିବ୍ୟାପ୍ତି ଅଥବା ନାମରୂପାତ୍ମକ ଦୃଶ୍ୟ-ସୃଷ୍ଟି ଅନିତ୍ୟ ଅଟେ ଆଉ ଏକ ପରମାତ୍ମା ହିଁ ନିତ୍ୟ ଅଟନ୍ତି, ଆଉ ‘ଅସୁଖ’ ପଦରେ ଏହି ସିଦ୍ଧାନ୍ତର ଅନୁବାଦ କରାଯାଇଛି କି ଏହି ସଂସାରରେ ସୁଖ ଅପେକ୍ଷା ଦୁଃଖ ଅଧିକ । ତଥାପି ଏହି ବର୍ଣ୍ଣନ ଅଧ୍ୟାତ୍ମିକ ନୁହେଁ, ଭକ୍ତିମାର୍ଗୀ ଅଟେ । ଅତଏବ ଭଗବାନ୍ ପରବ୍ରହ୍ମ ଅଥବା ପରମାତ୍ମା ଶବ୍ଦର ପ୍ରୟୋଗ ନ କରି ‘ମୋତେ ଭଜନ କର, ମୋଠାରେ ମନ ଲଗାଅ, ମୋତେ ନମସ୍କାର କର’ ଏଭଳି ବ୍ୟକ୍ତ ସ୍ୱରୂପର ଦର୍ଶନକାରୀ ପ୍ରଥମ ପୁରୁଷର ନିର୍ଦ୍ଦେଶ କରିଛନ୍ତି । ଭଗବାନଙ୍କର ଅନ୍ତିମ କଥନ ହେଉଛି, ହେ ଅର୍ଜ୍ଜୁନ ! ଏହିଭଳି ଭକ୍ତିକରି ମତ୍ପରାୟଣ ହେଉଥିବା ଯୋଗ ଅର୍ଥାତ୍ କର୍ମଯୋଗର ଅଭ୍ୟାସ କରି ଚାଲ, (ଗୀତା-୭-୧), ତେବେ କର୍ମବନ୍ଧନରୁ ମୁକ୍ତ ହୋଇ ନିଃସନ୍ଦେହ ମୋତେ ପ୍ରାପ୍ତ ହେବ । ଏହି ଉପଦେଶର ପୁନରାବୃତ୍ତି ୧୧ଶ ଅଧ୍ୟାୟର ଶେଷରେ କରାଯାଇଛି । ସମସ୍ତ ଗୀତାର ରହସ୍ୟ ମଧ୍ୟ ଏହା ଅଟେ । ଭେଦ ଏତିକି ଅଟେ କି, ଏହି ରହସ୍ୟକୁ ଥରେମାତ୍ର ଅଧ୍ୟାତ୍ମ ଦୃଷ୍ଟିରୁ ଏବଂ ଥରେ ଭକ୍ତି ଦୃଷ୍ଟିରୁ କୁହାଯାଇଛି ।)
ଏହିଭଳି ଶ୍ରୀଭଗବାନଙ୍କର କଥିତ ଉପନିଷଦରେ, ବ୍ରହ୍ମ ବିଦ୍ୟାନ୍ତର୍ଗତ ଯୋଗ- ଅର୍ଥାତ୍ କର୍ମଯୋଗ – ଶାସ୍ତ୍ର ବିଷୟକ, ଶ୍ରୀକୃଷ୍ଣ ଓ ଅର୍ଜ୍ଜୁନଙ୍କ ସମ୍ବାଦରେ ରାଜବିଦ୍ୟା-ରାଜଗୁହ୍ୟଯୋଗ ନାମକ ନବମ ଅଧ୍ୟାୟ ସମାପ୍ତ ହେଲା ।

ଇତି ତିଲକ ଭାଷ୍ୟ  ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.