Press "Enter" to skip to content

ରାଜବିଦ୍ୟା ରାଜଗୁହ୍ୟ ଯୋଗ (ଶ୍ରୀଧର ଭାଷ୍ୟ)

Last updated on February 6, 2021

(ଶୁଦ୍ଧା ଭକ୍ତି ଦ୍ୱାରା ପରମେଶ୍ୱରଙ୍କ ପ୍ରାପ୍ତି ହୁଏ, ଏହା ଅଷ୍ଟମ ଅଧ୍ୟାୟରେ କୁହାଯାଇଛି, ଅଧୁନା ଏହି ନବମ ଅଧ୍ୟାୟରେ ତାହାର ଅତ୍ୟାଶ୍ଚର୍ଯ୍ୟ ଐଶ୍ୱର୍ଯ୍ୟର ବର୍ଣ୍ଣନା କରାଯିବ ।)
(ସ୍ୱକୀୟ ପରମେଶ୍ୱର ତତ୍ତ୍ୱ ଭକ୍ତି ଦ୍ୱାରା ହିଁ ସୁଲଭ ହୁଏ, ଅନ୍ୟ ଉପାୟରେ ନୁହେଁ—ଏହା ସପ୍ତମ ଏବଂ ଅଷ୍ଟମ ଅଧ୍ୟାୟରେ କୁହାଯାଇଛି, ଅଧୁନା ସ୍ୱୀୟ ଅଚିନ୍ତ୍ୟ ଐଶ୍ୱର୍ଯ୍ୟ ଏବଂ ଭକ୍ତିର ଅସାଧାରଣ ପ୍ରଭାବ ବର୍ଣ୍ଣନା କରିବାପାଇଁ) ଶ୍ରୀଭଗବାନ୍‌ କହିଲେ, ଯାହାଦ୍ୱାରା ବିଶେଷରୂପେ ଭଗବାନ୍‌ ଅବଗତ ହୋଇଥାନ୍ତି, ତାହା ବିଜ୍ଞାନ ଅର୍ଥାତ୍‌ ଉପାସନା ଅଟେ । ଏହା ସହିତ ଈଶ୍ୱରବିଷୟକ ଜ୍ଞାନ ତୁମକୁ କହିବି କାହିଁକି ନାଁ ତୁମେ ଅସୂୟାରହିତ ହୋଇ ଅର୍ଥାତ୍‌ ମୁଁ ଯେଉଁ ବାରମ୍ବାର ସ୍ୱମହାତ୍ମ୍ୟର ଉପଦେଶ କରୁଅଛି, ଏହିଭଳି ପରମକାରୁଣିକ ମୋଠାରେ ତୁମେ ଦୋଷଦୃଷ୍ଟି ରହିତ ହୋଇଯାଅ । ‘ତୁ’ ଶବ୍ଦ ଦ୍ୱାରା ଏଠାରେ ବୈଶିଷ୍ଟ୍ୟ ନିର୍ଦ୍ଧାରଣ କରାଯାଇଛି । (ସେହି ବିଶିଷ୍ଟ ଜ୍ଞାନ କଣ, ସେ ସମ୍ପର୍କରେ କହୁଅଛି) ଧର୍ମଜ୍ଞାନ ହିଁ ଗୁହ୍ୟ ଅଟେ, ଦେହାଦି ବ୍ୟତିରେକ ଆତ୍ମଜ୍ଞାନ ତାଠାରୁ ଗୁହ୍ୟତର ଅଟେ ଏବଂ ପରମାତ୍ମଜ୍ଞାନ ତା ଅପେକ୍ଷା ମଧ୍ୟ ରହସ୍ୟମୟ ହୋଇଥିବା କାରଣରୁ ଗୁହ୍ୟତମ ଅଟେ । ଏହି ଗୁହ୍ୟତମ ଜ୍ଞାନକୁ ଅବଗତ ହୋଇ ସଂସାର ବନ୍ଧନରୁ ତତ୍କାଳ ମୁକ୍ତ ହୋଇଯିବ  । (ବିଜ୍ଞାନସହିତମନୁଭବଯୁକ୍ତମ୍‌—ସାକ୍ଷାତ୍କାର ଅଥବା ଅନୁଭବଯୁକ୍ତ—ଶଙ୍କରାଚାର୍ଯ୍ୟ)  ॥୧ ॥
ଉକ୍ତ ଜ୍ଞାନ ରାଜବିଦ୍ୟା ଅର୍ଥାତ୍‌ ବିଦ୍ୟାର ରାଜା, ତଥା ରାଜଗୁହ୍ୟ, ଗୋପ୍ୟ ବିଷୟମାନଙ୍କ ମଧ୍ୟରେ ସର୍ବାପେକ୍ଷା ରହସ୍ୟମୟ ଅର୍ଥାତ୍‌ ଶ୍ରେଷ୍ଠ ଅଟେ, ଏହା ଅତ୍ୟନ୍ତ ପବିତ୍ର ଅଟେ, ଜ୍ଞାନୀମାନଙ୍କ ନିମନ୍ତେ ପ୍ରତ୍ୟକ୍ଷାବଗମ, ସ୍ପଷ୍ଟ ଅବବୋଧକାରୀ ଅର୍ଥାତ୍‌ ଏହାର ଫଳ ପ୍ରତ୍ୟକ୍ଷ ଇଷ୍ଟ ଅଟେ । ଏହା ଧର୍ମରୁ ଉତ୍ପନ୍ନ ଅର୍ଥାତ୍‌ ଧର୍ମର ବିରୁଦ୍ଧ ନୁହେଁ । ବେଦୋକ୍ତ ସର୍ବଧର୍ମ-ଫଳସମୂହର ପ୍ରଦାନକାରୀ ଅଟେ । କରିବାରେ ମଧ୍ୟ ଅତ୍ୟନ୍ତ ସୁକରଣୀୟ ଅଟେ ତଥା ଫଳ ମଧ୍ୟ ଅକ୍ଷୟ ଅଟେ । ଶଙ୍କରାଚାର୍ଯ୍ୟ କହିଛନ୍ତି—“ଅତଃ ଶ୍ରଦ୍ଧେୟମାତ୍ମଜ୍ଞାନମ୍‌”—ଏଥିପାଇଁ ଏହି ଆତ୍ମଜ୍ଞାନ ପ୍ରତି ତୁମର ଶ୍ରଦ୍ଧା ରହିବା ଆବଶ୍ୟକ  ॥୨ ॥
(ଉତ୍ତମ, ଜ୍ଞାନ ଯେତେବେଳେ ଏତେ ସୁକରଣୀୟ (ସୁକର) ଅଟେ ତେବେ ଜୀବ କାହିଁକି ସଂସାରୀ ହେଉଛି ? ଏହାର ଉତ୍ତରରେ କୁହାଯାଇଛି)—ଏହି ଭକ୍ତିଯୁକ୍ତ ଜ୍ଞାନଲକ୍ଷଣ ଧର୍ମରେ ଯେଉଁମାନଙ୍କର ଆସକ୍ତି ବୁଦ୍ଧି ନାହିଁ, ସେମାନେ ମୋତେ ପ୍ରାପ୍ତ କରିବାପାଇଁ ଅନ୍ୟ ଉପାୟ ଦ୍ୱାରା କୃତପ୍ରଯତ୍ନ ହେବାପରେ ମଧ୍ୟ ମୋତେ ନପାଇ ମୃତ୍ୟୁଯୁକ୍ତ ସଂସାରମାର୍ଗରେ ପରିଭ୍ରମଣ କରିଥାନ୍ତି  ॥୩ ॥
(ଅଧୁନା ବକ୍ତବ୍ୟ ଜ୍ଞାନର ସ୍ତୁତି କରିବାପୂର୍ବକ ଶ୍ରୋତାଙ୍କ ଚିତ୍ତକୁ ଉପଦିଷ୍ଟ ଜ୍ଞାନ ପ୍ରତି ଅଭିମୁଖ କରାଇ ଅର୍ଥାତ୍‌ ଶ୍ରୋତାଙ୍କୁ ପ୍ରସ୍ତୁତ କରି ଦୁଇଗୋଟିଶ୍ଳୋକରେ ସେହି ଜ୍ଞାନକୁ କୁହାଯାଇଛି)—ଯାହାଙ୍କର ସ୍ୱରୂପ ଅତୀନ୍ଦ୍ରିୟ ଅଟେ, ସେହି ମୁଁ କାରଣ ରୂପରେ ଏ ସମସ୍ତ ଜଗତରେ ପରିବ୍ୟାପ୍ତ ହୋଇ ଅବସ୍ଥାନ କରେ । ଶ୍ରୁତିରେ ଉଲ୍ଲେଖ ଅଛି କି, ସେହି ବ୍ରହ୍ମ ସମସ୍ତ ବିଶ୍ୱର ସୃଷ୍ଟି କରି ତନ୍ମଧ୍ୟରେ ପ୍ରବିଷ୍ଟ ହୋଇଯାଇଛନ୍ତି । ଅତଃ କାରଣଭୂତ ମୋଠାରେ ସମସ୍ତ ଚରାଚର ଭୂତ ଅବସ୍ଥାନ କରନ୍ତି । ଯଦ୍ୟପି ଘଟାଦି ରୂପ କାର୍ଯ୍ୟରେ ଯେଉଁଭଳି ମୃତ୍ତିକା ବିଦ୍ୟମାନ ରହିଥାଏ, ସେହିଭଳି ଆକାଶ ଭଳି ଅସଙ୍ଗ ହୋଇଥିବା କାରଣରୁ ସର୍ବଭୂତରେ ମୁଁ ଅବସ୍ଥିତ ନଥାଏ,  ॥୪ ॥
ସର୍ବ ଭୂତ ମୋଠାରେ ଅବସ୍ଥିତ ନାହାଁନ୍ତି କାହିଁକି ନାଁ ମୁଁ ଅସଙ୍ଗ ଅଟେ । ହେଲେ ମୋର ସର୍ବବ୍ୟାପକତ୍ୱ ଏବଂ ସର୍ବାଶ୍ରୟତ୍ୱ କଥା ଯାହା ପୂର୍ବରୁ କୁହାଯାଇଛି, ତା ଦ୍ୱାରା ଲୋକମାନେ ବିରୁଦ୍ଧ ଆଶଙ୍କା କରିପାରନ୍ତି, ଏଥିପାଇଁ କହୁଅଛି କି, ମୋର ଈଶ୍ୱରୀୟ ଅସାଧାରଣ ଅଘଟଣ-ଘଟଣା-ପଟୁତ୍ୱ-ରୂପ ଯୋଗକୁ ଦେଖ, ମୋର ଯୋଗମାୟାର ବୈଭବ ସମ କିଛି ବି ଅସମ୍ଭବ ନୁହେଁ, ଅତଏବ କିଛି ବି ବିରୁଦ୍ଧ ଆଶଙ୍କାର କୌଣସି ଅବସର ହିଁ ନାହିଁ । ଆହୁରି ଆଶ୍ଚର୍ଯ୍ୟ କଥା ଦେଖ, ମୁଁ ଭୂତଭୃତ୍‌ ଅଟେ ଅର୍ଥାତ୍‌ ସମସ୍ତ ଭୂତଙ୍କୁ ଧାରଣ କରିଥାଏ, ମୁଁ ଭୂତଭାବନ ଅଟେ ଅର୍ଥାତ୍‌ ସମସ୍ତ ଭୂତଙ୍କର ପାଳନ କରିଥାଏ । ମୁଁ ଏହିଭଳି ଅଟେ ତଥାପି ମୋର ଆତ୍ମା ଅର୍ଥାତ୍‌ ପରସ୍ୱରୂପ ଭୂତସ୍ଥ ନୁହେଁ । ଏହାର ଭାବ ହେଉଛି କି, ଜୀବ ଦେହ ଧାରଣ ଏବଂ ପାଳନ କରିବାପରେ ମଧ୍ୟ ଅହଂକାରବଶତଃ ସେଥିରେ ସଂଶ୍ଳିଷ୍ଟ ହୋଇଯାଏ, ହେଲେ ମୁଁ ସମସ୍ତ ଭୂତଙ୍କୁ ଧାରଣ ଏବଂ ପାଳନ କରିବାପରେ ମଧ୍ୟ ନିରହଂକାର ହୋଇଥିବା କାରଣରୁ ସେମାନଙ୍କ ସହ ସଂଶ୍ଳିଷ୍ଟ ହୁଏନାହିଁ  ॥୫ ॥
(ଅସଂଶ୍ଳିଷ୍ଟ ଦୁଇ ପଦାର୍ଥର ଆଧାରାଧେୟଭାବ ଦୃଷ୍ଟାନ୍ତ ଦ୍ୱାରା କୁହାଯାଇଛି)—ଅବକାଶ ବିନା ଅବସ୍ଥାନ ଅସମ୍ଭବ ଅଟେ । ସର୍ବତ୍ରଗାମୀ ଏବଂ ମହାନ୍‌ ବାୟୁ ନିତ୍ୟ ଆକାଶସ୍ଥିତ ହେବାପରେ ବି ଆକାଶ ସହିତ ସଂଶ୍ଳିଷ୍ଟ ହୋଇନଥାଏ । ନିରବୟବତ୍ୱ କାରଣରୁ ସଂଶ୍ଳେଷ ଅସମ୍ଭବ ଅଟେ । ଏହିଭଳି ସମସ୍ତ ଭୂତ ଅସଂଶ୍ଳିଷ୍ଟ ଭାବରେ ଆକାଶସ୍ୱରୂପ ମୋଠାରେ ଅବସ୍ଥିତ ଅଟନ୍ତି, ଏହା ଜାଣିବା ଆବଶ୍ୟକ  ॥୬ ॥
(ଅସଙ୍ଗ ଭଗବାନଙ୍କର ଯୋଗମାୟା ଦ୍ୱାରା ହିଁ ସଂସାରର ସ୍ଥିତି ହୁଏ, ଏହା ପୂର୍ବରୁ କଥିତ, ସେ ପୁଣି ସୃଷ୍ଟି ଏବଂ ପ୍ରଳୟର କାରଣ ଅଟନ୍ତି, ଏ ସମ୍ପର୍କରେ କୁହାଯାଇଛି)—ପ୍ରଳୟକାଳରେ ଭୂତଗଣ ମୋର ପ୍ରକୃତିକୁ ପ୍ରାପ୍ତ ହୋଇଥାନ୍ତି ଅର୍ଥାତ୍‌ ତ୍ରିଗୁଣାତ୍ମିକା ମାୟାରେ ଲୀନ ହୋଇଯାଇଥାନ୍ତି । ପୁନଃ ସୃଷ୍ଟିକାଳରେ ସେ ସମସ୍ତ ଭୂତଙ୍କୁ ମୁଁ ବିଶେଷରୂପେ ସୃଜନ କରିଥାଏ  ॥୭ ॥
(ଉତ୍ତମ, ତୁମେ ତ ଅସଙ୍ଗ ଏବଂ ନିର୍ବିକାର ଅଟ, ତା ପରେ ବି ତୁମେ କେଉଁଭଳି ସୃଷ୍ଟି କରିଥାଅ ? ଏ ସମ୍ବନ୍ଧରେ କହୁଅଛି)—ମୁଁ ମୋ ଅଧୀନ ପ୍ରକୃତିରେ ଅଧିଷ୍ଠାନ କରି ପ୍ରଳୟରେ ଲୀନ ଚତୁର୍ବିଧ (ଜରାୟୁଜ, ଅଣ୍ଡଜ, ସ୍ୱେଦଜ ଏବଂ ଭଦ୍ଭିଜ୍ଜ—ଏସମସ୍ତ) କର୍ମାଦିପରବଶ ଭୂତଗ୍ରାମକୁ ବାରମ୍ବାର ସୃଜନ କରିଥାଏ, କାହିଁକି ନାଁ ଏସମସ୍ତ ଭୂତଗ୍ରାମ ପ୍ରାକ୍ତନ କର୍ମସମୂହ କାରଣରୁ, ତତ୍ତତ୍‌ ସ୍ୱଭାବ କାରଣରୁ ବିବଶ ଅଟନ୍ତି  ॥୮ ॥
(ଉତ୍ତମ, ତୁମେ ତ ନାନାପ୍ରକାର କର୍ମ କରିଥାଅ, ତେବେ ଜୀବ ଭଳି ତୁମର ବନ୍ଧନ କାହିଁକି ହୁଏନାହିଁ, ଏହାର ଉତ୍ତରରେ କୁହାଯାଇଛି)—ହେ ଧନଞ୍ଜୟ, ସେ ସମସ୍ତ ବିଶ୍ୱ-ସୃଷ୍ଟି ଆଦି କର୍ମ ମୋତେ ବନ୍ଧନରେ ପକାଇପାରନ୍ତି ନାହିଁ । ବନ୍ଧନର ହେତୁ ହେଉଛି କର୍ମାସକ୍ତି । ମୁଁ ଆପ୍ତକାମ ଅଟେ, ଏହି କାରଣରୁ ମୋଠାରେ କର୍ମାଶକ୍ତି ନାହିଁ । ଅତଃ ଉଦାସୀନଭଳି ରହିବା କାରଣରୁ ମୋର କର୍ମ-ବନ୍ଧନ ହୁଏନାହିଁ । ଉଦାସୀନ ନିମନ୍ତେ କର୍ତ୍ତୃତ୍ୱ ଉତ୍ପନ୍ନ ହୁଏନାହିଁ । କର୍ତ୍ତୃତ୍ୱରେ ଉଦାସୀନତ୍ୱର ଅନୁପପତ୍ତି ଅର୍ଥାତ୍‌ ଅଭାବ ହୁଏ, ଏହି କାରଣରୁ “ଉଦାସୀନବତ୍‌” ଅବସ୍ଥିତ କହିଛି  ॥୯ ॥
(ତାହାକୁ ପ୍ରମାଣିତ କରି କହୁଛନ୍ତି—ମୋର ଅଧିଷ୍ଠାନ ବଶତଃ ଅର୍ଥାତ୍‌ ମୁଁ ନିମିତ୍ତ ଭୂତ ଅଟେ ଏହି କାରଣରୁ ପ୍ରକୃତି ସଚରାଚର ବିଶ୍ୱକୁ ଉତ୍ପନ୍ନ କରିଥାଏ । ଏହିଭଳି ମୋର ଅଧିଷ୍ଠାନ କାରଣରୁ ଏହି ଜଗତ୍‌ ବାରମ୍ବାର ଉତ୍ପନ୍ନ ହେଉଅଛି । ସନ୍ନିଧିମାତ୍ରେ ମୋର ଅଧିଷ୍ଠାତୃତ୍ୱ କାରଣରୁ ପ୍ରକୃତି ଜଗତ୍‌ କାର୍ଯ୍ୟରେ ସମର୍ଥ ହେଉଅଛି, ଅତଃ ସୃଷ୍ଟି କାର୍ଯ୍ୟରେ କର୍ତ୍ତୃତ୍ୱ ଏବଂ ଉଦାସୀନତ୍ୱ ବିରୁଦ୍ଧ ନୁହେଁ  ॥୧୦ ॥
(ତୁମେ ଏଭଳି ପରମେଶ୍ୱର ଅଟ, ତେବେ ତୁମକୁ କିଛି ଲୋକ କାହିଁକି ଆଦର କରନ୍ତି ନାହିଁ, ଏହାର ଉତ୍ତରରେ କୁହାଯାଇଛି)—ସର୍ବଭୂତ ମହେଶ୍ୱରରୂପ ମୋର ପରମତତ୍ତ୍ୱକୁ ନଜାଣି ମୂର୍ଖ ଲୋକମାନେ ମୋର ଅବଜ୍ଞା କରନ୍ତି । ଅବଜ୍ଞା କରିବାର କାରଣ ହେଉଛି, ମୁଁ ଶୁଦ୍ଧସତ୍ତ୍ୱମୟ ହେବାପରେ ମଧ୍ୟ ଭକ୍ତର ଇଚ୍ଛା କାରଣରୁ ମନୁଷ୍ୟାକାର ଦେହ ଧାରଣ କରୁଅଛି  ॥୧୧ ॥
ଅନ୍ୟ ଦେବତାମାନେ ଶୀଘ୍ର ଫଳ ପ୍ରଦାନ କରିବେ, ଏପ୍ରକାର ନିଷ୍ଫଳ ଆଶାରେ ଯୁକ୍ତ ଅତଃ ମଦ୍‌ବିମୁଖ ହୋଇ ନିଷ୍ଫଳ କର୍ମ କରୁଥିବା, ଯାହାଙ୍କର ଶାସ୍ତ୍ରଜ୍ଞାନ ନାନାପ୍ରକାରର କୁତର୍କର ଆଶ୍ରିତ ହୋଇଥିବା କାରଣରୁ ନିଷ୍ଫଳ ଅଟେ, ତଥା ଏହି କାରଣରୁ ଯିଏ ବିକ୍ଷିପ୍ତ ଚିତ୍ତ ଅଟନ୍ତି, ସେହି ବୁଦ୍ଧିଭ୍ରଂଶକାରୀ ହିଂସାଦିପୂର୍ଣ୍ଣ ତାମସୀ ରାକ୍ଷସୀ ପ୍ରକୃତି ତଥା କାମଦର୍ପାଦିବହୁଳ ରାଜସୀ ଆସୁରୀ ସ୍ୱଭାବର ଆଶ୍ରୟ ନେଇ ମୋର ଅବଜ୍ଞା କରିଥାନ୍ତି  ॥୧୨ ॥
(ସେତେବେଳେ କେଉଁପ୍ରକାରର ଲୋକ ତୁମର ଆରାଧନା କରନ୍ତି, ଏ ବିଷୟରେ କୁହାଯାଇଛି)—ଯିଏ ମହାତ୍ମା ଅଟନ୍ତି, ଯାହାଙ୍କର ଚିତ୍ତ କାମାଦି ଦ୍ୱାରା ଅଭିଭୂତ ନୁହେଁ ଏବଂ ଏହି କାରଣରୁ ଅଭୟ-ସତ୍ତ୍ୱଶୁଦ୍ଧି ଆଦି ଦୈବୀ ସ୍ୱଭାବର ଯେଉଁମାନେ ଆଶ୍ରୟ ଗ୍ରହଣ କରିଛନ୍ତି, ଅତଃ ମୋ ସେବା ଭିନ୍ନ ଅନ୍ୟ ବିଷୟମାନଙ୍କ ଦିଗକୁ ଯାହାଙ୍କର ତନ-ମନ ଯାଏନାହିଁ, ସେମାନେ ମୋତେ ଜଗତ୍‌ର କାରଣ ତଥା ଅବ୍ୟୟ ମନେକରି ଭଜନ କରନ୍ତି  ॥୧୩ ॥
(ତାଙ୍କର ଭଜନ ପ୍ରଣାଳୀକୁ ଦୁଇଗୋଟି ଶ୍ଳୋକରେ କୁହାଯାଇଛି)—(୧) କେହିକେହି ସର୍ବଦା ସ୍ତୋତ୍ର-ମନ୍ତ୍ରାଦି ଦ୍ୱାରା କୀର୍ତ୍ତନ କରି ମୋର ଉପାସନା କରନ୍ତି । (୨) କେହିକେହି ଦୃଢ଼ ନିୟମଯୁକ୍ତ ହୋଇ ଇନ୍ଦ୍ରିୟାଦି ସଂଯତ କରି ସଗୁଣ ଈଶ୍ୱରୋପାସନା ମାଧ୍ୟମରେ ପ୍ରଯତ୍ନ କରନ୍ତି । (୩) କେହିକେହି ଭକ୍ତିର ସହିତ ପ୍ରଣାମପୂର୍ବକ ଉପାସନା କରନ୍ତି ଆଉ (୪) ଅନ୍ୟ କେହିକେହି ନିରନ୍ତର ଅବହିତ ଚିତ୍ତରେ ମୋର ସେବା କରିଥାନ୍ତି  ॥୧୪ ॥
କେହି ତ ‘ସବୁକିଛି ବାସୁଦେବ ଅଟନ୍ତି,’ ଏ ଯେଉଁ ସର୍ବାତ୍ମଦର୍ଶନରୂପ ଜ୍ଞାନ ରହିଛି, ଏହି ଜ୍ଞାନରୂପ ଯଜ୍ଞ ଦ୍ୱାରା ମୋର ଉପାସନା କରନ୍ତି । ଏହିଭଳି ଜ୍ଞାନଯଜ୍ଞ ଭିତରେ ମଧ୍ୟ କେହିକେହି ‘ଏକମାତ୍ର ପରଂବ୍ରହ୍ମ ହିଁ ଅଟନ୍ତି’—ଏପ୍ରକାର ପରମାର୍ଥ ଦର୍ଶନରୂପୀ ଅଭେଦଭାବନା ଦ୍ୱାରା, ଅନ୍ୟ କୌଣସି ପୃଥକ୍‌ ଭାବନା ଦ୍ୱାରା—‘ତୁମେ ପ୍ରଭୁ ଅଟ ମୁଁ ଦାସ ଅଟେ’ ଆଉ କେହି ସର୍ବାତ୍ମକ ମୋତେ ବ୍ରହ୍ମରୁଦ୍ରାଦି ବିବିଧ ରୂପରେ ଭଜନ କରନ୍ତି  ॥୧୫ ॥
(‘ଅହଂ କ୍ରତୁଃ’ ଇତ୍ୟାଦି ଚାରିଗୋଟି ଶ୍ଳୋକରେ ନିଜର ସର୍ବାତ୍ମତାର ବର୍ଣ୍ଣନା କରାଯାଇଛି)—ମୁଁ କ୍ରତୁ, ଅର୍ଥାତ୍‌ ଅଗ୍ନିଷ୍ଟୋମାଦି ଶ୍ରୌତ ଯଜ୍ଞ ଅଟେ, ମୁଁ ସ୍ମୃତ୍ୟୁକ୍ତ ପଞ୍ଚମହାଯଜ୍ଞ ଅଟେ, ମୁଁ ସ୍ୱଧା ଅର୍ଥାତ୍‌ ପିତରମାନଙ୍କ ନିମିତ୍ତ ଶ୍ରାଦ୍ଧାଦି ଅଟେ, ମୁଁ ଔଷଧିରୁ ଉତ୍ପନ୍ନ ଅନ୍ନ ଅବା ଔଷଧି ଅଟେ, ମୁଁ ଯଜନକ୍ରିୟାର ବାକ୍ୟାଦି ମନ୍ତ୍ର ଅଟେ, ମୁଁ ହିଁ ହୋମାଦିର ସାଧନ ଘୃତ ଅଟେ, ମୁଁ ହିଁ ଆହବନୀୟ ଅଗ୍ନି ଅଟେ ଆଉ ମୁଁ ହିଁ ହୋମ ଅଟେ । ଏ ସବୁକିଛି ମୁଁ ଅଟେ  ॥୧୬ ॥
ମୁଁ ଏହି ଜଗତ୍‌ର ଜନୟିତା, ଜନୟିତ୍ରୀ ତଥା ପିତାଙ୍କର ମଧ୍ୟ ପିତା ଅର୍ଥାତ୍‌ ପିତାମହ ଅଟେ । ମୁଁ ହିଁ କର୍ମଫଳ ବିଧାତା ଅଟେ । ମୁଁ ଜ୍ଞେୟ ବସ୍ତୁ ଅଟେ । ମୁଁ ଶୋଧକ ଅଥବା ପ୍ରାୟଶ୍ଚିତ୍ତ-ସ୍ୱରୂପ ଅଟେ । ମୁଁ ପ୍ରଣବ ଅଟେ ତଥା ଋକ୍‌ ଆଦି ଚାରିବେଦ ମୁଁ ହିଁ ଅଟେ  ॥୧୭ ॥
ମୁଁ ଏହି ଜଗତ୍‌ର ଗତି ଅର୍ଥାତ୍‌ କର୍ମଫଳ ଅଟେ । ମୁଁ ପୋଷଣକର୍ତ୍ତା, ନିୟନ୍ତା, ଶୁଭାଶୁଭଦ୍ରଷ୍ଟା ଅଟେ । ମୁଁ ଭୋଗସ୍ଥାନ ଅଟେ । ମୁଁ ଶରଣ ଅର୍ଥାତ୍‌ ରକ୍ଷକ ଅବା ପ୍ରପଞ୍ଚ ଜନଙ୍କର ଆର୍ତ୍ତିକୁ ନଷ୍ଟ କରିଥାଏ । ମୁଁ ହିତକାରୀ ଅଟେ । ମୁଁ ସ୍ରଷ୍ଟା, ସଂହର୍ତ୍ତା ଅଟେ । ମୁଁ ଆଧାର ଏବଂ ଲୟସ୍ଥାନ ଅଟେ । ମୁଁ ଅବ୍ୟୟ ବୀଜ ଅଟେ ଅର୍ଥାତ୍‌ ଅବିନାଶୀ କାରଣ ଅଟେ, ବ୍ରୀହି-ଯବ ଆଦି ବୀଜସମୂହ ଭଳି ନଶ୍ୱର ନୁହେଁ  ॥୧୮ ॥
ହେ ଅର୍ଜ୍ଜୁନ, ନିଦାଘକାଳରେ ଆଦିତ୍ୟରୂପରେ ମୁଁ ଜଗତ୍‌କୁ ପରିତପ୍ତ କରିଥାଏ । ବୃଷ୍ଟି କାଳରେ ମୁଁ ହିଁ ବାରି ବର୍ଷଣ କରିଥାଏ, କଦାଚିତ୍‌ ବୃଷ୍ଟିକୁ ଆକର୍ଷଣ କରିଥାଏ । ମୁଁ ହିଁ ଜୀବନ ଅଟେ, ମୁଁ ହିଁ ନାଶ ଅଟେ । ମୁଁ ସତ୍‌ ଅର୍ଥାତ୍‌ ସ୍ଥୂଳ ଦୃଶ୍ୟ ଅଟେ, ମୁଁ ହିଁ ଅସତ୍‌ ଅର୍ଥାତ୍‌ ସୂକ୍ଷ୍ମ ଅଦୃଶ୍ୟ ଅଟେ । ଏସବୁ ମୁଁ ହିଁ ଅଟେ, ମୋତେ ଏପ୍ରକାର ଜାଣି ଲୋକମାନେ ଅନେକ ରୂପରେ ମୋର ଉପାସନା କରିଥାନ୍ତି ।  ॥୧୯ ॥
(‘ଅବଜାନନ୍ତି ମାଂ ମୂଢ଼ା’ ଇତ୍ୟାଦି ଦୁଇଗୋଟି ଶ୍ଳୋକରେ “ତତ୍‌କାଳ ଫଳ ଆଶାରେ ଯେଉଁମାନେ ଦେବତାନ୍ତରର ଉପାସନା କରିଥାନ୍ତି, ମୋର ସମାଦର କରି ନଥାନ୍ତି, ସେମାନେ ଅଭକ୍ତ ଅଟନ୍ତି,” ଏହା କୁହାଯାଇଛି ତଥା ‘ମହାତ୍ମାନସ୍ତୁ ମାଂ ପାର୍ଥ’ ଇତ୍ୟାଦି ଶ୍ଳୋକସମୂହ ଦ୍ୱାରା ‘ଭକ୍ତ କିଏ ଅଟେ,’ ଏହା କୁହାଯାଇଛି । ଏହାସମ ଅଭେଦ ଭାବନା ଦ୍ୱାରା ଅବା ପୃଥକ୍‌ ଭାବନା ଦ୍ୱାରା ଯିଏ ପରମେଶ୍ୱରଙ୍କ ଭଜନ କରନ୍ତି ନାହିଁ, ସେମାନଙ୍କ ପାଇଁ ଜନ୍ମ-ମୃତ୍ୟୁର ପ୍ରବାହ ଅନିବାର୍ଯ୍ୟ ଅଟେ, ଏହା ଦୁଇଗୋଟି ଶ୍ଳୋକରେ କୁହାଯାଇଛି)—ଋକ୍‌, ଯଜୁଃ ଏବଂ ସାମ—ଲକ୍ଷଣ ତିନିଗୋଟି ବିଦ୍ୟା ତ୍ରିବିଦ୍ୟା ନାମରେ ଅଭିହିତ, ଏହି ତ୍ରିବିଦ୍ୟାକୁ ଯିଏ ଅଧ୍ୟୟନ କରନ୍ତି ଅବା ଜାଣନ୍ତି, ସେ ତ୍ରୈବିଦ୍ୟ ଅଟନ୍ତି ଅର୍ଥାତ୍‌ ବେଦ-ତ୍ରୟୋକ୍ତ କର୍ମପରାୟଣ ବ୍ୟକ୍ତି । ବେଦତ୍ରୟ-ବିହିତ ଯଜ୍ଞ ଦ୍ୱାରା, ମୋର ସ୍ୱରୂପ ଅନ୍ୟ ଦେବତାମାନେ ଅଟନ୍ତି, ଏହାକୁ ନଜାଣି ଯିଏ ଇନ୍ଦ୍ରାଦି ରୂପେ ବସ୍ତୁତଃ ମୋର ପୂଜା କରି, ଯଜ୍ଞଶେଷରେ ସୋମ ପାନ ଦ୍ୱାରା ବିଗତକଳ୍ମଷ ହୋଇ ସ୍ୱର୍ଗ-ଗତିର ପ୍ରାର୍ଥନା କରନ୍ତି, ସେମାନେ ପୁଣ୍ୟଫଳ ସ୍ୱରୂପ ସୁରେନ୍ଦ୍ରଲୋକକୁ ପ୍ରାପ୍ତ କରି ସ୍ୱର୍ଗରେ ଦିବ୍ୟ ଦେବଭୋଗସମୂହକୁ ଭୋଗ କରନ୍ତି  ॥୨୦ ॥
ସେ (ସମସ୍ତ ସ୍ୱର୍ଗକାମୀ) ନିଜ ପ୍ରାର୍ଥିତ ବିପୁଳ ସ୍ୱର୍ଗଲୋକ ତଥା ତାହାର ସୁଖକୁ ଭୋଗ କରି ନିଜର ଭୋଗପ୍ରଦାୟକ ପୁଣ୍ୟର କ୍ଷୟ ହେବାପରେ ମର୍ତ୍ତ୍ୟଲୋକରେ ପ୍ରବେଶ କରନ୍ତି । ଏହିଭଳି ବେଦତ୍ରୟବିହିତ ଧର୍ମ ଅନୁଷ୍ଠାନରେ ଲାଗିରହିଥିବା କାମକାମୀ ବାରମ୍ବାର ଆବାଗମନ ଅର୍ଥାତ୍‌ ସଂସାର-ଗତିକୁ ପ୍ରାପ୍ତ କରନ୍ତି  ॥୨୧ ॥
(ହେଲେ ମୋର ଭକ୍ତଗଣ ମତ୍‌ପ୍ରସାଦ ଦ୍ୱାରା କୃତାର୍ଥ ହୋଇଯାନ୍ତି, ଏ ସମ୍ବନ୍ଧରେ କୁହାଯାଇଛି)—ଯାହାଙ୍କର ମୋ ବ୍ୟତିରେକ ଅନ୍ୟ କୌଣସି କାମ୍ୟ ଅବା ଭଜନୀୟ ଦେବତା ନାହାଁନ୍ତି, ସେମାନେ ମୋର ଚିନ୍ତନ କରିବାପୂର୍ବକ ସେବା ଅବା ଉପାସନା କରନ୍ତି, ସର୍ବଦା ଏକମାତ୍ର ମୋଠାରେ ନିଷ୍ଠା ରଖନ୍ତି, ସେମାନଙ୍କର ଧନାଦି ପ୍ରାପ୍ତି ତଥା ତାହାର ରକ୍ଷା ବିନା ତାଙ୍କଦ୍ୱାରା ଯାହା ଆଶା କରାଯାଏ, ତାହାକୁ ମୁଁ ବହନ କରିଥାଏ ଅର୍ଥାତ୍‌ ପ୍ରାପ୍ତ କରାଇଥାଏ । (ଶ୍ରୀଧର କହୁଛନ୍ତି କି, ଯୋଗକ୍ଷେମର ଅର୍ଥ ମୋକ୍ଷ ମଧ୍ୟ ହୋଇପାରେ । ଶଙ୍କରାଚାର୍ଯ୍ୟ କହିଛନ୍ତି—“ଯୋଗୋଽପ୍ରାପ୍ତସ୍ୟ ପ୍ରାପଣଂ, କ୍ଷେମସ୍ତଦ୍ରକ୍ଷରଣମ୍‌ । X X ନନ୍ୱନ୍ୟେଷାମପି ଭକ୍ତାନାଂ ଯୋଗକ୍ଷେମଂ ବହତ୍ୟେବ ଭଗବାନ୍‌ । କିନ୍ତ୍ୱୟଂ ବିଶେଷଃ—ଅନ୍ୟେ ୟେ ଭକ୍ତାସ୍ତେ ସ୍ୱାତ୍ମାର୍ଥଂ ସ୍ୱୟମପି ଯୋଗକ୍ଷେମମୀହନ୍ତେ । ଅନନ୍ୟଦର୍ଶିନସ୍ତୁ ନାତ୍ମାର୍ଥଂ ଯୋଗକ୍ଷେମମୀହନ୍ତେ । ନ ହି ତେ ଜୀବିତେ ମରଣେ ବାତ୍ମନୋ ଗୃଦ୍ଧିଂ କୁର୍ବନ୍ତି । କେବଳମେବ ଭଗବଚ୍ଛରଣାସ୍ତେ । ଅତୋ ଭଗବାନେବ ତେଷାଂ ଯୋଗକ୍ଷେମଂ ବହତୀତି”—ଅପ୍ରାପ୍ତ ବସ୍ତୁର ପ୍ରାପ୍ତିକୁ ଯୋଗ ଏବଂ ସେହି ଲବ୍ଧ ବସ୍ତୁର ରକ୍ଷଣକୁ କ୍ଷେମ କହନ୍ତି । ଏହା ସତ୍ୟ ଅଟେ କି ଅନ୍ୟ ଭକ୍ତମାନଙ୍କର ଯୋଗକ୍ଷେମକୁ ମଧ୍ୟ ଭଗବାନ୍‌ ବହନ କରିଥାନ୍ତି, କିନ୍ତୁ ଏଠାରେ ବିଶେଷତ୍ୱ ହେଉଛି କି, ଅନ୍ୟ ଭକ୍ତମାନେ ନିଜ ପାଇଁ ଯୋଗକ୍ଷେମ ସମ୍ପାଦନ କରିବାକୁ ନିଜେ ପ୍ରଯତ୍ନ କରିଥାନ୍ତି, ହେଲେ ଯେଉଁମାନେ ଭଗବାନଙ୍କୁ ଆତ୍ମଭାବରେ ପ୍ରାପ୍ତ କରିଥାନ୍ତି, ସେମାନେ କେତେବେଳେ ନିଜର ଭୋଗେଚ୍ଛାରେ ଯୋଗକ୍ଷେମ ପ୍ରାପ୍ତ କରିବାପାଇଁ ଚେଷ୍ଟା କରନ୍ତି ନାହିଁ । କି ଜୀବନ ଆଉ କି ମରଣ—ସେମାନେ ନିଜପାଇଁ ଭୋଗକାମନା କରନ୍ତି ନାହିଁ କାହିଁକି ନାଁ ଭଗବାନ୍‌ ହିଁ ସେମାନଙ୍କର ଏକମାତ୍ର ଶରଣ ଅବା ଆଶ୍ରୟ ହୋଇଥାନ୍ତି । ଏଥିପାଇଁ ଭଗବାନ୍‌ ହିଁ ସେମାନଙ୍କର ଯୋଗକ୍ଷେମ ବହନ କରିଥାନ୍ତି—ଶଙ୍କରାଚାର୍ଯ୍ୟ ।)  ॥୨୨ ॥
ତୁମ ବ୍ୟତିରେକ ଅନ୍ୟ ଦେବତାମାନଙ୍କର ବସ୍ତୁତଃ ଅଭାବ ହୋଇଥିବା କାରଣରୁ ଇନ୍ଦ୍ରାଦି ଦେବତାଙ୍କର ପୂଜାରୀ ମଧ୍ୟ ତୁମର ପୂଜା କରିଥାନ୍ତି, ପୁନଃ ସେମାନଙ୍କୁ କାହିଁକି ଆବାଗମନର ପ୍ରାପ୍ତି ହୁଏ, ଏହାର ଉତ୍ତର ଦେବାପୂର୍ବକ କୁହାଯାଇଛି)—ଠିକ୍‌ କଥା ତ, ଶ୍ରଦ୍ଧାନ୍ୱିତ ଏବଂ ଭକ୍ତିଯୁକ୍ତ ହୋଇ ଯିଏ ଯଜ୍ଞରେ ଇନ୍ଦ୍ରାଦି ଅନ୍ୟ ଦେବତାଙ୍କର ଉପାସନା କରନ୍ତି, ସେମାମେ ମଧ୍ୟ ମୋର ଉପାସନା କରିଥାନ୍ତି, ହେଲେ ସେମାନେ ଅବିଧିପୂର୍ବକ ଉପାସନା କରନ୍ତି ଅର୍ଥାତ୍‌ ମୋକ୍ଷ ପ୍ରଦାନକାରୀ ବିଧି ବ୍ୟତିରେକ ପୂଜା କରିଥାନ୍ତି, ଏହି କାରଣରୁ ସେମାନଙ୍କର ପୁନରାବୃତ୍ତି ହୁଏ  ॥୨୩ ॥
(ପୂର୍ବୋକ୍ତ କଥାକୁ ସ୍ପଷ୍ଟ କରି କୁହାଯାଇଛି)—ସମସ୍ତ ଯଜ୍ଞର ତତ୍‌ତତ୍‌ ଦେବତାରୂପେ ମୁଁ ହିଁ ଭୋକ୍ତା ଅଟେ, ମୁଁ ହିଁ ସ୍ୱାମୀ ଏବଂ ଫଳଦାତା ଅଟେ । ଏହି ରୂପରେ ମୋତେ ସେମାନେ ଯଥାର୍ଥରୂପେ ଜାଣିପାରନ୍ତି ନାହିଁ, ଏଥିପାଇଁ ସେମାନଙ୍କର ପୁନରାବୃତ୍ତି ହୁଏ । ଯିଏ ସମସ୍ତ ଦେବତାଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀରୂପେ ମୋତେ ଦେଖି ଉପାସନା କରନ୍ତି, ତାଙ୍କର ପୁନରାଗମନ ହୁଏନାହିଁ  ॥୨୪ ॥
(ସେହି ବିଷୟର ପ୍ରତିପାଦନ କରାଯାଇଛି)—ଇନ୍ଦ୍ରାଦି ଦେବତାମାନଙ୍କଠାରେ ଯାହାଙ୍କର ବ୍ରତ ଅର୍ଥାତ୍‌ ନିୟମ-ପରାୟଣତା ରହିଛି, ସେ ଅନ୍ତବାନ୍‌ ବା ବିନାଶଶୀଳ ଦେବଲୋକକୁ ପ୍ରାପ୍ତ ହୋଇଥାନ୍ତି, ଏଥିପାଇଁ ତାଙ୍କର ପୁନରାବୃତ୍ତି ହୁଏ । ଯେଉଁ ପିତୃବ୍ରତ ରହିଛି ଅର୍ଥାତ୍‌ ଶ୍ରାଦ୍ଧାଦିକ୍ରିୟାରତ (ଅଗ୍ନିଷ୍ୱାତ୍ତାଦି ଶଙ୍କର) ସେମାନେ ପିତୃଲୋକକୁ ପ୍ରାପ୍ତ ହୋଇଥାନ୍ତି । ଯେଉଁମାନେ ବିନାୟକ ଏବଂ ମାତୃକାଦି ଉପାସକ ଅଟନ୍ତି, ସେମାନେ ସମସ୍ତେ ଭୂତୋପାସକ ଭୂତଲୋକକୁ ପ୍ରାପ୍ତ ହୋଇଥାନ୍ତି । ଯେଉଁମାନେ ମୋର ଉପାସକ ଅଟନ୍ତି, ସେମାନେ ଅକ୍ଷୟ ପରମାନନ୍ଦରୂପ ମୋତେ ପ୍ରାପ୍ତ ହୋଇଥାନ୍ତି  ॥୨୫ ॥
(ଭକ୍ତଙ୍କର ଅକ୍ଷୟ ଫଳଲାଭର କଥା ପୂର୍ବରୁ କୁହାଯାଇଛି, ବର୍ତ୍ତମାନ ନିଜ ଭକ୍ତିର ଅନାୟାସତ୍ୱ ଦର୍ଶାଉଅଛି)—ଯିଏ ପ୍ରୀତିପୂର୍ବକ ପତ୍ରପୁଷ୍ପାଦି ମାତ୍ର ମୋତେ ଅର୍ପଣ କରନ୍ତି, ମୁଁ ସେହି ଶୁଦ୍ଧଚିତ୍ତ ନିଷ୍କାମ ଭକ୍ତଙ୍କର ଭକ୍ତିପୂର୍ବକ ସମର୍ପିତ ପତ୍ରପୁଷ୍ପାଦିକୁ ପ୍ରୀତିର ସହିତ ଗ୍ରହଣ କରିଥାଏ । ମୁଁ ମହାବିଭୂତିପତି ପରମେଶ୍ୱର ଅଟେ, କ୍ଷୁଦ୍ର ଦେବତାମାନଙ୍କ ସମ ବହୁଧନସାଧ୍ୟ ଯାଗାଦି ଦ୍ୱାରା ମୋତେ ସନ୍ତୁଷ୍ଟ କରିବାକୁ ପଡ଼ିନଥାଏ ବରଂ କେବଳ ଭକ୍ତି ଦ୍ୱାରା ମୁଁ ସନ୍ତୁଷ୍ଟ ହୋଇଯାଏ । ଅତଃ ଭକ୍ତ ଦ୍ୱାରା ସମର୍ପିତ ଯତ୍‌କିଞ୍ଚିତ୍‌ ପତ୍ରାଦିକୁ ମଧ୍ୟ ତାହାର ଅନୁଗ୍ରହରେ ମୁଁ ଗ୍ରହଣ କରିଥାଏ  ॥୨୬ ॥
(ପତ୍ର ପୁଷ୍ପାଦି ମଧ୍ୟ ଯଜ୍ଞାର୍ଥ ପଶୁସୋମାଦି ଦ୍ରବ୍ୟସମ ମୋ ନିମନ୍ତେ ଉଦ୍ୟମ ସହିତ ସଂଗ୍ରହ କରି ସମର୍ପଣ କରିବାର ଆବଶ୍ୟକତା ନାହିଁ, ତେବେ କଣ କରିବାପାଇଁ ପଡ଼ିବ, ଏଥିନିମନ୍ତେ କୁହାଯାଇଛି)—ସ୍ୱଭାବତଃ ଅବା ଶାସ୍ତ୍ର ଅନୁସାରେ ତୁମେ ଯାହାକିଛି କର୍ମ କରିବ, ଯାହାକିଛି ଭକ୍ଷଣ କରିବ, ଯାହାକିଛି ଦାନ କରିବ ଆଉ ଯାହାକିଛି ତପ କରିବ, ଏହା ଏହିଭଳି ଭାବରେ କର କି, ସବୁକିଛି ମୋତେ ସମର୍ପିତ ହୋଇପାରୁ  ॥୨୭ ॥
(ଏଭଳି କଲେ, ଯେଉଁ ଫଳ ପ୍ରାପ୍ତ ହେବ, ତାହା ଶୁଣ)—ଏହିଭଳି ଭାବରେ ମୋଠାରେ କର୍ମ ସମର୍ପଣ କଲେ କର୍ମନିମିତ୍ତ ଇଷ୍ଟାନିଷ୍ଟ ଫଳରୁ ତୁମେ ମୁକ୍ତ ହୋଇଯିବ । କର୍ମ ମୋଠାରେ ସମର୍ପିତ ହେଲେ ତୁମର ଫଳ-ସମ୍ବନ୍ଧ କିପରି ରହିବ ? କର୍ମଫଳରୁ ମୁକ୍ତ ହୋଇ ମୋଠାରେ କର୍ମାର୍ପଣରୂପ ଯୋଗରେ ଯୁକ୍ତଚିତ୍ତ ତୁମେ ମୋତେ ହିଁ ପ୍ରାପ୍ତ କରିବ  ॥୨୮ ॥
(ଯଦି ଭକ୍ତଗଣଙ୍କୁ ମୋକ୍ଷ ପ୍ରଦାନ କରିଥାନ୍ତି, ଅଭକ୍ତଗଣଙ୍କୁ କରନ୍ତି ନାହିଁ, ତେବେ କଣ ତୁମଠାରେ ମଧ୍ୟ ରାଗଦ୍ୱେଷକୃତ ବୈଷମ୍ୟ ରହିଛି, ଏହାର ଉତ୍ତରରେ କୁହାଯାଇଛି)—ମୁଁ ସର୍ବଭୂତରେ ସମାନ ଅଟେ, ଅତଃ ମୋର ପ୍ରିୟ ଅଥବା ଦ୍ୱେଷ ନାହିଁ । ଏଭଳି ହେବାପରେ ମଧ୍ୟ ଯିଏ ମୋର ଭଜନ କରନ୍ତି, ସେ ଭକ୍ତି କାରଣରୁ ମୋଠାରେ ବିଦ୍ୟମାନ ରୁହନ୍ତି ଆଉ ମୁଁ ମଧ୍ୟ ଅନୁଗ୍ରାହକ ରୂପେ ସେମାନଙ୍କ ଭିତରେ ବିଦ୍ୟମାନ ରୁହେ । ଏହାର ଭାବ ହେଉଛି କି, ଅଗ୍ନି-ସେବକର ତମଃ ଶୀତ ଆଦି ଦୁଃଖସମୂହକୁ ଦୂର କରିବାପରେ ମଧ୍ୟ ଯେଉଁଭଳି ଅଗ୍ନିରେ ବୈଷମ୍ୟ ଆସେନାହିଁ, ଅଥବା ନିଜ ସେବକ ସମ୍ବନ୍ଧରେ କଳ୍ପବୃକ୍ଷରେ ଯେଉଁଭଳି ବୈଷମ୍ୟ ଆସେ ନାହିଁ, ସେହିଭଳି ଭକ୍ତ ପକ୍ଷପାତୀ ମୋଠାରେ ମଧ୍ୟ ବୈଷମ୍ୟ ନାହିଁ । ମୋର ଭକ୍ତିର ମହିମା ହିଁ ଏହିଭଳି ଅଟେ । (କଳ୍ପବୃକ୍ଷ କାହାରିକୁ ଡ଼ାକେନାହିଁ, ହେଲେ ଯିଏ କଳ୍ପବୃକ୍ଷର ସେବା କରନ୍ତି ତାହାକୁ ସେ ଫଳ ପ୍ରଦାନ କରି ତୃପ୍ତ କରିଦିଏ । ଅଗ୍ନି ନିକଟସ୍ଥ ବ୍ୟକ୍ତିଙ୍କର ଶୀତ ଦୂର କରିଥାଏ, ଦୂରସ୍ଥ ବ୍ୟକ୍ତିଙ୍କର ନୁହେଁ । ଯେଉଁଭଳି ଏହି କଳ୍ପବୃକ୍ଷ ଆଉ ଅଗ୍ନିର ମହିମା ରହିଛି, ସେହିଭଳି ଯଦିଓ ମୋର ଦ୍ୱେଷ୍ୟ-ପ୍ରିୟ କେହି ବି ନାହାଁନ୍ତି, ତଥାପି ଯିଏ ଭକ୍ତି ଦ୍ୱାରା ମୋର ସେବା କରନ୍ତି ଅର୍ଥାତ୍‌ ସମୀପସ୍ଥ ହୁଅନ୍ତି, ସେ ମୋର ସନ୍ନିକଟରେ ଅବସ୍ଥିତ ହୋଇଥିବା କାରଣରୁ ମୋଠାରେ ସ୍ଥିତ ପରମ ଶାନ୍ତିକୁ ପ୍ରାପ୍ତ କରନ୍ତି  ॥୨୯ ॥
(ନିଜ ଭକ୍ତିର ଅବିତର୍କ୍ୟ ପ୍ରଭାବ ଦର୍ଶାଇ କୁହାଯାଇଛି)—ଅତ୍ୟନ୍ତ ଦୁରାଚାରୀ ଲୋକ ମଧ୍ୟ ଯଦି (ସ୍ୱରୂପତଃ ଅଭିନ୍ନ ହେବାପରେ ବି) ଭିନ୍ନ ଦେବତାଙ୍କୁ ଦେବତାନ୍ତରରୂପେ ଭକ୍ତି ନକରି, ସେ ହିଁ ବାସୁଦେବ ଅଟନ୍ତି, ଏହି ବୁଦ୍ଧିରେ ପରମେଶ୍ୱର-ସ୍ୱରୂପ ମୋତେ ଭଜନ୍ତି, ତେବେ ତାହାଙ୍କୁ ସାଧୁଶ୍ରେଷ୍ଠ ବୋଲି ମନେକରିବା ଆବଶ୍ୟକ । କାହିଁକି ନାଁ ସେ “ପରମେଶ୍ୱରଙ୍କ ଭଜନ ଦ୍ୱାରା କୃତାର୍ଥ ହୋଇଯିବି” ଏହା ଶୋଭନ ଅଧ୍ୟବସାୟ କରିଛନ୍ତି (ଅନନ୍ୟଭାଗନନ୍ୟଭକ୍ତିଃ—ଶଙ୍କର)  ॥୩୦ ॥
(ସମୀଚୀନ ଅଧ୍ୟବସାୟ କଲେ କିଭଳି ତାଙ୍କୁ ସାଧୁ ମନେକରିପାରିବା, ଏହାର ଉତ୍ତରରେ କୁହାଯାଇଛି)—ଅତି ଦୁରାଚାରୀ ମଧ୍ୟ ମୋର ଭଜନ କଲେ ଶୀଘ୍ର ଧର୍ମଚିତ୍ତ ହୋଇଯାଏ । ତାପରେ ଶାଶ୍ୱତୀ ଉପଶାନ୍ତି ଅର୍ଥାତ୍‌ ଚିତ୍ତର ଉପପ୍ଲବ (ତରଙ୍ଗ)ର ଉପରାମରୂପ ଏକାନ୍ତ ପରମେଶ୍ୱରନିଷ୍ଠା ପ୍ରାପ୍ତ ହୁଏ । ‘କୁତର୍କକର୍କଶବାଦୀ ଏହାକୁ ସ୍ୱୀକାର କରିବେନାହିଁ,’ ଏପ୍ରକାର ଶଙ୍କାକୁଳ ଅର୍ଜ୍ଜୁନଙ୍କୁ ପ୍ରୋତ୍ସାହିତ କରିବାପୂର୍ବକ କୁହାଯାଇଛି—ହେ କୌନ୍ତେୟ, ତୁମେ ବିବାଦମାନ ସଭାରେ ଯାଇ ନାଗରା ବଜାଇ ମହାଘୋଷପୂର୍ବକ ବାହୁ ଉପରକୁ ଉଠାଇ ନିର୍ଭୟ ହୋଇ ପ୍ରତିଜ୍ଞା କରିପାରିବ କି, ମୋର ଭକ୍ତ ସୁଦୁରାଚାର ହେବାପରେ ମଧ୍ୟ ପ୍ରନଷ୍ଟ ହୁଅନ୍ତି ନାହିଁ ବରଂ କୃତାର୍ଥ ହୋଇଥାନ୍ତି । ଏହାଦ୍ୱାରା ତୁମର ଏହି(ପ୍ରୌଢ଼ି ବିଜୃମ୍ଭ ଦ୍ୱାରା) ଉତ୍ସାହବାକ୍ୟ ସାହାଯ୍ୟରେ ତାଙ୍କର କୁତର୍କ ବିଧ୍ୱଂସିତ ହୋଇଯିବାପରେ ନିଃସନ୍ଦେହରେ ସେ ତୁମକୁ ହିଁ ଗୁରୁରୂପରେ ବରଣ କରିବେ  ॥୩୧ ॥
(ମୋର ଭକ୍ତି ଆଚାରଭ୍ରଷ୍ଟ ବ୍ୟକ୍ତିଙ୍କୁ ପବିତ୍ର କରିଥାଏ, ଏଥିରେ ଏତେ ଆଶ୍ଚର୍ଯ୍ୟ କଣ, କାହିଁକି ନାଁ ମୋର ଭକ୍ତି ଦୁଷ୍କୁଳରେ ଉତ୍ପନ୍ନ ଏବଂ ଅନଧିକାରୀ ପୁରୁଷଙ୍କୁ ମଧ୍ୟ ସଂସାରରୁ ମୁକ୍ତ କରିଥାଏ ଏ ବିଷୟରେ କୁହାଯାଇଛି)—ଯେଉଁ ନିକୃଷ୍ଟ ଜନ୍ମଧାରଣ କରିଥିବା ଅନ୍ତ୍ୟଜ ଆଦି ରହିଛନ୍ତି, ଯେଉଁମାନେ କେବଳ କୃଷ୍ୟାଦିରେ ରତ ରହିଥିବା ବୈଶ୍ୟ ଅଟନ୍ତି ତଥା ଅଧ୍ୟୟନାଦି-ରହିତ ସ୍ତ୍ରୀ-ଶୂଦ୍ର ଆଦି ଅଟନ୍ତି, ସେମାନେ ମଧ୍ୟ ମୋର ସେବାକରି ନିଶ୍ଚିତରୂପେ ପରମଗତିକୁ ପ୍ରାପ୍ତ ହୋଇଥାନ୍ତି  ॥୩୨ ॥
(ଯଦି ଏଭଳି କଥା, ତେବେ ସତ୍‌କୁଳସମ୍ଭୂତ ସଦାଚାରୀ ମୋର ଭକ୍ତ ପରମଗତିକୁ ପ୍ରାପ୍ତ କରିବେ, ଏଥିରେ ଆଉ କହିବାର କଣ ଅଛି । ଅତଃ କୁହାଯାଇଛି)—ସୁକୃତିଶାଳୀ ବ୍ରାହ୍ମଣ ତଥା ଭକ୍ତ ରାଜର୍ଷିଗଣ (ଯେଉଁମାନେ ରାଜା ଅଟନ୍ତି ଆଉ ଋଷି ମଧ୍ୟ ଅଟନ୍ତି) ପରମଗତିକୁ ପ୍ରାପ୍ତ କରିବେ ଏ ବିଷୟରେ ଆଉ କହିବାର କଣ ଅଛି । ଅତଃ ହେ ଅର୍ଜ୍ଜୁନ, ତୁମେ ଏହି ରାଜର୍ଷିଦେହ ପ୍ରାପ୍ତ କରି ମୋର ଭଜନ କର । ଏହି ଅଧ୍ରୁବ ତଥା ସୁଖରହିତ ମର୍ତ୍ତ୍ୟଲୋକ ଅବା ମନୁଷ୍ୟ ଦେହ ଲାଭକରି ସୁଖ ନିମନ୍ତେ ଉଦ୍ୟମ କରିବା ଛାଡ଼ି ଶୀଘ୍ର ମୋର ଭଜନ କର  ॥୩୩ ॥
(ଭଜନର ପ୍ରକାର ଦର୍ଶାଇ ଉପସଂହାର କରାଯାଇଛି)—ମୋଠାରେ ଯାହାଙ୍କର ମନ ସ୍ଥିତ ଅଟେ ସେ ମନ୍ମନା ଅଟନ୍ତି, ତୁମେ ମଧ୍ୟ ଏହିଭଳି ହୋଇଯାଅ । ଏହିଭଳି ତୁମେ ମୋର ସେବକ ହୋଇଯାଅ, ମୋର ଯଜନଶୀଳ ହୁଅ, ମୋତେ ହିଁ ନମସ୍କାର କର । ଏହିଭଳି ଭାବରେ ମତ୍‌ପରାୟଣ ହୋଇ ମୋଠାରେ ମନ ସମାହିତ କରି ପରମାନନ୍ଦରୂପ ମୋତେ ପ୍ରାପ୍ତ ହେବ  ॥୩୪ ॥

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.