Press "Enter" to skip to content

ସାଧନାର କେନ୍ଦ୍ର ‘ମନ୍ଦିର’

Last updated on November 26, 2020

ଭକ୍ତ ଓ ଭଗବାନ ମଧ୍ୟରେ ସମ୍ପର୍କ ସ୍ଥାପନର ମୁଖ୍ୟ ମାଧ୍ୟମର ଭୂମିକା ଗ୍ରହଣ କରେ ‘ମନ୍ଦିର’  । ସମସ୍ତେ ଜାଣନ୍ତି ଯେ ଭଗବାନ ସବୁଠାରେ ଅଛନ୍ତି  । ତେବେ ମନ୍ଦିରର ଆବଶ୍ୟକତା କଣ ? ଏହାର ଉତ୍ତର ଦେବାକୁ ଯାଇ ଜନୈକ ସନ୍ଥ କହିଥିଲେ—” ପବନ ତ ସବୁସ୍ଥାନରେ ଅଛି, ତେବେ ପଙ୍ଖାର ଆବଶ୍ୟକତା କଣ ?” ଏଥିରୁ ସ୍ପଷ୍ଟ ଜଣାପଡେ ଯେ, ଜଣେ ସାଧାରଣ ବ୍ୟକ୍ତିର ମନ ଓ ହୃଦୟକୁ ଭଗବଦ ମାର୍ଗରେ କେନ୍ଦ୍ରିତ କରିବା ନିମନ୍ତେ, ମନ୍ଦିର ଏକ ମାଧ୍ୟମ ଅଟେ  । ମନ୍ଦିର ହେଉଛି ସେହି ପ୍ରାଥମିକ ସ୍ତର, ଯେଉଁଠାରେ ଭଗବଦ ପ୍ରାପ୍ତିର ବୀଜ ବ୍ୟକ୍ତିର ମାନସ ରୂପକ ଭୂମିରେ ସ୍ଥାପନ କରାଯାଏ  । ପରବର୍ତ୍ତୀ ସମୟରେ ସେହି ବୀଜରୁ ଏକ ଛୋଟ ଚାରା ନିର୍ଗତ ହୋଇ କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ରୂପକ ପୋଷକ ଦ୍ୱାରା ପୁଷ୍ଟହୋଇ, ଏକ ବିରାଟ ଦ୍ରୁମରେ ପରିଣତ ହୁଏ ଏବଂ ଅଦ୍ୱୈତବ୍ରହ୍ମ ରୂପକ ସର୍ବବ୍ୟାପକ ଆକାଶକୁ ସ୍ପର୍ଶ କରେ ।  ଏଥି ନିମନ୍ତେ ଆବଶ୍ୟକ ଅସାଧାରଣ ନିଷ୍ଠା, ଭକ୍ତି, ଜ୍ଞାନ ଓ ସାଧନା । କିନ୍ତୁ ଏସବୁର ମୂଳରେ ରହିଛି ମନ୍ଦିରରେ ଗଢିଉଠିଥିବା ସକାରାତ୍ମକ ଭକ୍ତିଭାବର ବୀଜ । ମନ୍ଦିର ଭିତରେ ଥିବା ଦେବମୂର୍ତ୍ତି ଉପରେ ଧ୍ୟାନ କେନ୍ଦ୍ରୀଭୂତକରି ମନୁଷ୍ୟ ଏହି ମାୟିକ ସଂସାରରେ ଦୁଃଖରୁ ଆଶ୍ୱସ୍ତି ପାଏ। ମନ ପ୍ରଶାନ୍ତ ହୋଇଯାଏ । ତେବେ ସର୍ବବ୍ୟାପକ ଈଶ୍ୱର କଣ କେବଳ ମୂର୍ତ୍ତିରେ ଅବସ୍ଥିତ! ଏହା ମଧ୍ୟ ସମ୍ଭବ ଯେ, ମୂର୍ତ୍ତି ସେହି ଐଶ୍ୱରୀୟ ଶକ୍ତିର ପରିଚାୟକ ମଧ୍ୟ । ଯେତେବେଳେ ଆମେ ଦେଶର ଜାତୀୟ ପତାକାକୁ ସମ୍ମାନ ଜଣାଉ, ଆମେ କଣ କେବଳ ପତାକାର କପଡା, ରଙ୍ଗ, ଦଣ୍ଡକୁ ସମ୍ମାନ ଜଣାଉ ? କେବେ ନୁହେଁ । ଆମେ ସେହି ପ୍ରତୀକ ପଛରେ ରହିଥିବା ଜାତୀୟତାବାଦର ଆଦର୍ଶକୁ ସମ୍ମାନ ଜଣାଇ ହୃଦୟରେ ଦେଶାତ୍ମବୋଧକ ଭାବ ଜାଗ୍ରତକରୁ  । ଠିକ ସେହିପରି ମନ୍ଦିର ମଧ୍ୟସ୍ଥ ସମସ୍ତ ଦେବଦେବୀଙ୍କ ମୂର୍ତ୍ତି, ପ୍ରତୀକ ଆଦି ଏକ ଐଶ୍ୱରୀୟ ଶକ୍ତି ତଥା ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଇଙ୍ଗିତ କରିଥାଏ  ।
ମନ୍ଦିର କେବଳ ଆଧ୍ୟାତ୍ମିକ ଶକ୍ତିର ସାଧନା କେନ୍ଦ୍ର ନୁହେଁ  । କଳା, ସଂସ୍କୃତି, ସଙ୍ଗୀତ, ନୃତ୍ୟ(ଗାନ୍ଧର୍ବ ବିଦ୍ୟା), ସାହିତ୍ୟକଳାର ସାଧନା କେନ୍ଦ୍ର ହେଉଛି ମନ୍ଦିର। ଭାରତୀୟ ମନ୍ଦିରଗୁଡ଼ିକର କାରୁକାର୍ଯ୍ୟ ତଥା ଶିଳ୍ପୀକଳା ଅତ୍ୟନ୍ତ ମନୋରମ ଏବଂ ଅଦ୍ଭୁତ । ବର୍ତ୍ତମାନର ଆଧୁନିକ ସ୍ଥାପତ୍ୟକଳା ସେହି ଭଳି ଦୀର୍ଘସ୍ଥାାୟୀ କାରୁକାର୍ଯ୍ୟ ନିର୍ମାଣରେ ଅକ୍ଷମ । ଭାରତୀୟ ମନ୍ଦିର ନିର୍ମାଣ ଶୈଳୀ ମୁଖ୍ୟତଃ ତିନି ପ୍ରକାରର— ୧)ନାଗର, ୨) ଦ୍ରାବିଡ଼, ୩) ବେସର । କାରୁକାର୍ଯ୍ୟ ପୂର୍ଣ୍ଣ କେତୋଟି ମୁଖ୍ୟ ମନ୍ଦିରଗୁଡିକ ହେଉଛି—କୋଣାର୍କ ସୂର୍ଯ୍ୟ ମନ୍ଦିର, ସୋମନାଥ ମନ୍ଦିର(ଗୁଜୁରାଟ), ପୁରୀ ଶ୍ରୀମନ୍ଦିର, ଚେନକସଭ ମନ୍ଦିର(କର୍ଣ୍ଣାଟକ), ହୋୟସାଲେଶ୍ୱର ମନ୍ଦିର(କର୍ଣ୍ଣାଟକ), ମୁରୁଦେଶ୍ୱର ମନ୍ଦିର(କର୍ଣ୍ଣାଟକ), ପଦ୍ମନାଭସ୍ୱାମୀ ମନ୍ଦିର(କେରଳ), ଶୋରେ ମନ୍ଦିର(ତାମିଲନାଡୁ), ମହବଳିପୁରମ ପଞ୍ଚରଥ ମନ୍ଦିର, ମିନାକ୍ଷୀ ମଦୁରାଇ ମନ୍ଦିର, ବୃହଦେଶ୍ୱର ମନ୍ଦିର(ତାମିଲନାଡୁ), କୈଳାସ ମନ୍ଦିର(ମହାରାଷ୍ଟ୍ର), ମହାକାଳେଶ୍ୱର ମନ୍ଦିର(ମଧ୍ୟପ୍ରଦେଶ) ଇତ୍ୟାଦି  । ଏହି ମନ୍ଦିର ସବୁ ଅନେକ ଶିଳ୍ପୀକାରିଗରଙ୍କୁ ରୋଜଗାରର ସୁଯୋଗ ଦେଇଥାଏ ତଥା ମନୁଷ୍ୟର କଳାତ୍ମକ ଦିଗକୁ ଉଜ୍ଜୀବିତ କରେ  । ମନ୍ଦିର ନିର୍ମାଣ ସହ ଗଢିଉଠେ ପୁଷ୍ପଉଦ୍ୟାନ, ପ୍ରସାଦ ପ୍ରସ୍ତୁତି ତଥା ପାକ କାର୍ଯ୍ୟ, ବସ୍ତ୍ର ନିର୍ମାଣ, ରଥ ନିର୍ମାଣ, ଜ୍ୟୋତିଷ ଶାସ୍ତ୍ର, ପଥରକାରୁକାର୍ଯ୍ୟ, ସ୍ୱର୍ଣ୍ଣ ଓ ରୋୖପ୍ୟ ଅଳଙ୍କାର ନିର୍ମାଣ, ଗମନାଗମନ, ଚିତ୍ରକଳା, ପୂଜା ସାମଗ୍ରୀ ନିର୍ମାଣ, ପାନ୍ଥନିବାସ, ଯାତ୍ରୀନିବାସ, ସଂଗ୍ରହାଳୟ ଭଳି ଅନେକ ହସ୍ତଶିଳ୍ପ  ପ୍ରତିଷ୍ଠାନ ଏବଂ ଭିତ୍ତି ସରଂଚନା ପ୍ରକଳ୍ପ। ପର୍ଯ୍ୟଟନର ମୁଖ୍ୟ ଆଧାର ହେଉଛି ମନ୍ଦିର ଏବଂ ରାଷ୍ଟ୍ର ଅର୍ଥନୀତିରେ ତଥା ମାନବୀୟ ମୂଲ୍ୟବୋଧର ପୁନଃଜାଗରଣରେ ଏହାର ଅବଦାନ ଅତୁଳନୀୟ। ମନ୍ଦିର ବହୁପୁରାତନ କାଳରୁ ସାହିତ୍ୟ ସାଧନାର କେନ୍ଦ୍ର ରୂପେ ପରିଗଣିତ ହୋଇଛି । ବିଭୁକୃପା ବିନା ଯେ ସାହିତ୍ୟ ସୃଷ୍ଟି ଅସମ୍ଭବ, ଏହା ଯୁଗେଯୁଗେ ପ୍ରମାଣିତ। ମୂର୍ଖରୁ ପଣ୍ଡିତ କାଳିଦାସ ଏବଂ ସିଦ୍ଧେଶ୍ୱର ପରିଡାରୁ ଆଦିକବି ସାରଳା ଦାସରେ ପରିଣତ ହେବା କେବଳ ପ୍ରଭୁଙ୍କ ଆଶୀର୍ବାଦ ଦ୍ୱାରା ସମ୍ଭବ । ବୈଦିକ ସଭ୍ୟତାରୁ ଦର୍ଶନଶାସ୍ତ୍ର ତଥା ତର୍କସ୍ଥଳୀର ପ୍ରାଣକେନ୍ଦ୍ର ହେଉଛି ମନ୍ଦିର । ବହୁତ ଗୁରୁତ୍ୱପୂର୍ଣ୍ଣ ସଭାସ୍ଥଳ ଶାନ୍ତିପୂର୍ଣ୍ଣ ଭାବେ ମନ୍ଦିର ପ୍ରାଙ୍ଗଣରେ ସମ୍ପାଦିତ ହୋଇଥାଏ, କାରଣ ମନ୍ଦିର ଏକ ସକାରାତ୍ମକ ପରିବେଶ ସୃଷ୍ଟି କରେ ଏବଂ ଆଲୋଚନା ଶେଷରେ ଗଠନମୂଳକ ନିଷ୍କର୍ଷ ନିର୍ଗତ ହୁଏ  । ମନ୍ଦିର ପରିସରରେ ଯେଉଁ ଶାନ୍ତି ମିଳେ, ତାହାର ମାନସ୍ତାତ୍ତ୍ୱିକ ପ୍ରଭାବ ସମ୍ବନ୍ଧରେ ସମସ୍ତେ ଅନୁଭବ କରିପାରନ୍ତି । ମନ୍ଦିର ପ୍ରବେଶ କରିବା ପୂର୍ବରୁ ସ୍ନାନ ଓ ଶୌଚ ହେବା ଆବଶ୍ୟକ  । ଏହି ନୀତି ପତଞ୍ଜଳି ଯୋଗ ଦର୍ଶନର ସ୍ୱଚ୍ଛତା ଓ ଶୌଚ ନିୟମକୁ ଇଙ୍ଗିତ କରେ  । ସୁକର୍ମ ନିମନ୍ତେ ଉଭୟ ମନ ଓ ଶରୀର ସ୍ୱଚ୍ଛ ରହିବା ଜରୁରୀ  । ଭାରତୀୟ ଦର୍ଶନର ଏହି ଦିଗକୁ ଆଧାର କରି ବର୍ତ୍ତମାନ ସାରା ଦେଶରେ ‘ସ୍ୱଚ୍ଛ ଭାରତ ଅଭିଯାନର ନାରା ବାଜୁଛି  । ଏହି ମନ୍ଦିର ନୈତିକ ମୂଲ୍ୟବୋଧ, ସାମାଜିକ ମୂଲ୍ୟବୋଧ, ଭ୍ରାତୃଭାବ, ଆନୁଷ୍ଠାନିକ ସଂଗଠନ ତଥା ଗ୍ରାମ୍ୟ ପରିବେଶର ଆଧାରସ୍ତମ୍ଭ  । ବାସ୍ତବରେ, ଆତ୍ମା ସହ ପରମାତ୍ମାର ମିଳନର ମହାରାସ ସଙ୍ଗଠିତ ହେବା ପାଇଁ, ମନ୍ଦିର ହେଉଛି ସର୍ବୋତ୍ତମ ସ୍ଥାନ  ।

ଅନୁସୃଜନ : ସତ୍ୟବ୍ରତ ପାଣିଗ୍ରାହୀ ஃ

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.