Press "Enter" to skip to content

ସୁଶ୍ରୁତଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ—୫

Last updated on February 6, 2021

ପ୍ରୋ. ଯଜ୍ଞେଶ୍ୱର ନାଥ, ମୋ: ୭୦୦୮୫୮୦୯୦୧

ମହର୍ଷି ସୁଶ୍ରୁତଙ୍କ ମତରେ ବୟଃ(ବୟସ) ତିନି ପ୍ରକାର ଅଟେ— ବାଲ୍ୟ, ମଧ୍ୟ ଓବଂ ବୃଦ୍ଧ । ବାଲ୍ୟାବସ୍ଥା ୧୬ ବର୍ଷରୁ କମ୍, ଏହା ମଧ୍ୟ ତିନି ଭାଗରେ ବିଭକ୍ତ, ୧—କ୍ଷୀରପା, ୨-କ୍ଷୀରାନ୍ନଦା, ୩) ଅନ୍ନଦା । ଏଥି ମଧ୍ୟରୁ ୧ ବର୍ଷ ପର୍ଯ୍ୟନ୍ତ କ୍ଷୀରପା ଅର୍ଥାତ୍ କେବଳ କ୍ଷୀର ପାନ ଉପରେ ଶିଶୁ ନିର୍ଭର କରେ । ୨) ଦୁଇ ବର୍ଷ ପର୍ଯ୍ୟନ୍ତ କ୍ଷୀରାନ୍ନଦା(ଦୁଗ୍ଧ ଏବଂ ଅନ୍ନ ଉପରେ ନିର୍ଭରଶୀଳ) । ଏହା ପରେ ଅନ୍ନଦା (କେବଳ ଅନ୍ନ ଉପରେ ନିର୍ଭରକରେ) । ବକ୍ତବ୍ୟ— ଏଠାରେ କ୍ଷୀରପା କହିଲେ ମାତୃଦୁଗ୍ଧ । ବାଗ୍ ଭଟ୍ଟଙ୍କ ମତରେ—‘ମାତୁରେବ ପିବେତ ସ୍ତନ୍ୟଂ ତତ୍ପରଂ ବଳ ବୃଦ୍ଧୟେ’ ।(ଉ. ୧-୧୫) ମାତୃ ସ୍ତନ୍ୟ ପାନ ଦ୍ୱାରା ପିଲାର ବଳ ବୃଦ୍ଧି ସଙ୍ଗେ ସଙ୍ଗେ ରୋଗ ପ୍ରତିରୋଧକ ଶକ୍ତି (Immunity Power) ବଢେ । ମାତୃ ସ୍ତନ୍ୟ ଅଭାବରେ ଛେଳି ବା ଗାଈ ଦୁଧ ଦିଆଯିବା ଆବଶ୍ୟକ । ବାଗ୍ ଭଟ୍ଟ ୬ମାସରେ ପିଲାକୁ ଅନ୍ନପ୍ରାଶନ କରିବାକୁ କହିଛନ୍ତି ।
ମଧ୍ୟବସ୍ଥା—୧୬ ବର୍ଷ ଠାରୁ (୧) ବୃଦ୍ଧି (୨୦ ବର୍ଷ ପର୍ଯ୍ୟନ୍ତ) ୨)ଯୌବନ (୩୦ବର୍ଷ ପର୍ଯ୍ୟନ୍ତ), (୩) ସମ୍ପୂର୍ଣ୍ଣତା (୪୦ ବର୍ଷ ପର୍ଯ୍ୟନ୍ତ), ୪) ହାନି ବା କ୍ଷୟ (deterioration)- ୭୦ ବର୍ଷ ପର୍ଯ୍ୟନ୍ତ, (୫) ବୃଦ୍ଧ— ୭୦ ବର୍ଷ ପରେ । ଆୟୁର୍ବେଦରେ ମନୁଷ୍ୟର ଆୟୁ ୧୦୦ ବର୍ଷ ଗ୍ରହଣ କରାଯାଇଛି ।
ବାଳେ ବିବର୍ଧତେ ଶ୍ଳେଷ୍ମା ମଧ୍ୟମେ ପିତ୍ତମେବ ତୁ ।
ଭୂୟିଷ୍ଠ ବର୍ଧତେ ବାୟୁର୍ବୃଦ୍ଧେ ତଦ୍ୱୀକ୍ଷ ଯୋଜୟେତ୍ । ସୁ.ସଂ-୩୫-୩୧
ଅର୍ଥାତ୍ ବାଲ୍ୟ କାଳରେ ପ୍ରାୟଃ କଫ ଅଧିକ ବଢେ, ମଧ୍ୟ କାଳରେ ବା ଯୁବକ ଅବସ୍ଥାରେ ପିତ୍ତ ବୃଦ୍ଧି ହୁଏ ଏବଂ ବୃଦ୍ଧାବସ୍ଥାରେ ବାତଦୋଷ ଅଧିକ ହୁଏ । ଏଣୁ ଏହାର ବିଚାର କରି ଔଷଧ ଯୋଜନା କରିବା ଉଚିତ ।
ବାଳକ ଓ ବୃଦ୍ଧଙ୍କ ଠାରେ ଅଗ୍ନିକର୍ମ କ୍ଷାରକର୍ମ ଏବଂ ବିରୋଚନ କର୍ମ କରିବ ନାହିଁ । ରୋଗାନୁସାରେ ଅଗ୍ନିକର୍ମ କ୍ଷାରକର୍ମ ଏବଂ ବିରୋଚନ ଆବଶ୍ୟକ ହେଲେ ଧୀରେ ଧୀରେ ଅଳ୍ପ ମାତ୍ରାରେ ପ୍ରୟୋଗ କରିବ । ସୁ.ସୂ. ୩୫-୩୨
ସ୍ଥୂଳାଦି ବ୍ୟକ୍ତିର ଚିକିତ୍ସା ସୂତ୍ର — ସ୍ଥୂଳ ବ୍ୟକ୍ତିର ଚିକିତ୍ସା କର୍ଷଣ (thining) ଏବଂ କୃଶ ବ୍ୟକ୍ତିକୁ ବୃଂହଣ (Nourishing) ଚିକିତ୍ସା କରାଯାଏ ଏବଂ ମଧ୍ୟ ଶରୀର ବ୍ୟକ୍ତିକୁ ଯଥାସ୍ଥିତିରେ ରଖିବା ପାଇଁ ପ୍ରଯତ୍ନ କରିବ । ସୁ.ସୂ. ୩୫-୩୩-୩୪
କେଚିତ୍ କୃଶଃା ପ୍ରାଣବନ୍ତଃ ସ୍ଥୂଳାଶ୍ଚାଳ୍ପବଳା ନରାଃ ।
ତସ୍ମାତ୍ ସ୍ଥିରତ୍ୱଂ ବ୍ୟାୟମୈର୍ବଳଂ ବୈଦାନ୍ତ ପ୍ରତର୍କୟେତ୍ । ସୁ.,ୂ.୩୫-୩୫
କେତେକ ବ୍ୟକ୍ତି କୃଶ ହେଲେ ମଧ୍ୟ ପ୍ରାଣବାନ୍(ବଳବାନ୍) ଏବଂ କେତେକ ବ୍ୟକ୍ତି ସ୍ଥୂଳ(ମୋଟା) ହେଲେ ମଧ୍ୟ ଅଳ୍ପ ବଳବାନ୍ ଅଟନ୍ତି । ତେଣୁ ଚିକିତ୍ସା କରିବା ସମୟରେ ଶରୀର ଦୃଢତା ଅନୁସାରେ ବ୍ୟାୟାମ ଦ୍ୱାରା ବୈଦ୍ୟ ଜାଣିପାରିବେ, ସେହି ଅନୁସାରେ ଚିକିତ୍ସା ସମ୍ବନ୍ଧୀ କ୍ରିୟା ଯଥା-ବମନ, ବିରେଚନ ଓ ଶସ୍ତ୍ରକ୍ରିୟା କରାଯାଏ ।
ସତ୍ତ୍ୱ, ରଜ ଓ ତମକୁ ମାନସିକ ଗୁଣ କୁହାଯାଏ । ସତ୍ତ୍ୱ ଗୁଣଯୁକ୍ତ ମନୋବଳ ବ୍ୟକ୍ତି ସ୍ୱୟଂ ମନକୁ ନିଜ ଆୟତ୍ତରେ ରଖି ସୁଖ-ଦୁଃଖାଦି ସହନ କରନ୍ତି । ରାଜସ ଗୁଣଯୁକ୍ତ ବ୍ୟକ୍ତି ଅନ୍ୟର ସହାୟତାରେ ସୁଖ-ଦୁଃଖ ସହିବାକୁ ସମର୍ଥ ହୁଅନ୍ତି । ମାତ୍ର ତାମସ ବ୍ୟକ୍ତି କୌଣସି ପ୍ରକାର ସୁଖ-ଦୁଃଖକୁ ସହି ପାରନ୍ତି ନାହିଁ । ସେଥିପାଇଁ ସୁଶ୍ରୁତ ସଂହିତାର ଶ୍ରେଷ୍ଠ ଟୀକାକାର ଡହ୍ଲଣ କହିଛନ୍ତି—
ସତ୍ତ୍ୱେ ଉତ୍ତମଂ ମନୋବଳଂ, ରଜସି ମଧ୍ୟମଂ ମନୋବଳଂ, ତମସି ମନୋଦୈବଲ୍ୟମିତି ।
ସାତ୍ମ୍ୟ ଲକ୍ଷଣ— ଯେବେ ଦେଶ, କାଳ, ଜାତି, ଋତୁ, ରୋଗ, ବ୍ୟାୟାମ(ତ୍ରିବିଧ କାୟବାକ୍ ମନୋଭେଦାନ୍) ଉଦକ (ଦ୍ରବ ଦ୍ରବ୍ୟ) ଏବଂ ଦିବା ସ୍ୱପ୍ନାଦି ପ୍ରକୃତି ବିରୁଦ୍ଧ ହେଲେ ମଧ୍ୟ ହାନିକର ହୁଏନାହିଁ, ତେବେ ତାକୁ ସାତ୍ମ୍ୟ କୁହାଯାଏ ।
ବକ୍ତବ୍ୟ — ଯାହା ଆତ୍ମାକୁ ସୁଖ ପ୍ରଦାନ କରେ, ତାହା ସାତ୍ମ୍ୟ ଅଟେ ।
ସାତ୍ମ୍ୟମ୍ ଆତ୍ମସୁଖଂ ଯତ୍ କରୋତି ତଦୁଚ୍ୟତେ । ସୁ.ସୂ.୩୫-୪୦
ଦେଶୋହି ଦ୍ୱିବିଧଃ- ଭୂମିରାତୁର ଶରୀରଂ ଚ । ରୋଗସାତ୍ମ୍ୟଂ ଯଥା- ଗୁଳ୍ମିନାଂ କ୍ଷୀରମ୍, ଉଦାବର୍ତିନାଂ ଘୃତଂ, ପ୍ରମେହିଣାଂ କ୍ଷୌଦ୍ରମ୍ ଇତ୍ୟାଦିଂ ।
ଦେଶ ଭେଦ — ଦେଶସ୍ତ୍ୱାନୂପୋ ଜାଙ୍ଗଲଃ ସାଧାରଣ ଇତି ।
ଯେଉଁଠାରେ ଜଳ ଅଧିକ, ଭୂମି ବହୁତ ଉଚ୍ଚ ନୀଚ୍ଚ, ନଦୀ ଅଧିକ, ଅଧିକ ବର୍ଷା ହେଉଥିବ, ଅଧିକ ବଣ ଜଙ୍ଗଲ ଥିବ, ବାୟୁ ମୃଦୁ ଶୀତଳ, ଲୋକମାନେ ସୁକୁମାର(delicate) ତଥା କଫ ଓ ବାୟୁ ରୋଗ ଅଧିକ ହୁଏ, ତାକୁ ଆନୁପ(swampy) ଦେଶ କୁହାଯାଏ ।
ଜାଙ୍ଗଲ ଦେଶ— ଯେଉଁ ଦେଶ ଆକାଶ ପରି ସମ(ଉଚ୍ଚ ନୀଚ୍ଚ ନୁହେଁ), ଯେଉଁଠାରେ ବୃକ୍ଷ ବିରଳ ଏବଂ ଅଳ୍ପ କଣ୍ଟକଯୁକ୍ତ, ଯେଉଁଠାରେ ବର୍ଷା କମ୍ ହୋଇଥାଏ, ଝରଣା ଓ କୂପରେ ପାଣି କମ୍ ରହେ, ଗରମ ଓ ଅତ୍ୟଧିକ ପବନ ବହେ ତଥା ପାହାଡ ଛୋଟ ଓ ବିରଳ ଅଟେ । ମନୁଷ୍ୟ ଅଧିକ ସ୍ଥିର(firm) ଏବଂ କୃଶ ଯେଉଁ ଦେଶରେ ବାତ ତଥା ପିତ୍ତ ଦୋଷର ରୋଗ ଅଧିକ ହୁଏ, ତାହାକୁ ଜାଙ୍ଗଲ ଦେଶ କୁହାଯାଏ ।
ସଧାରଣ ଦେଶ— ଏଠାରେ ଶୀତ, ବର୍ଷା, ଉଷ୍ଣତା, ବାୟୁ ଏବଂ ପ୍ରାଣୀମାନଙ୍କର ବାତାଦି ଦୋଷ ସାମ୍ୟାବସ୍ଥାରେ ରହେ । ସୁ.ସୂ.୩୫-୪୩
— ଯଦି ବ୍ୟାଧି କଷ୍ଟସାଧ୍ୟ ହୋଇଥାଏ ଏବଂ ହିତକର ଔଷଧୀ ଦ୍ୱାରା ଶୀଘ୍ର ଲାଭ ମିଳେ ନାହିଁ । ଏହି ଅବସ୍ଥାରେ ମଧ୍ୟ ସେହି ଔଷଧର ବ୍ୟବହାର ବାରମ୍ବାର ବଦଳାଇବ ନାହିଁ । ଡହ୍ଲଣଙ୍କ ମତରେ ଫଳ ନ ମିଳିଲେ ମଧ୍ୟ ୭ଦିନ ଔଷଧ ବ୍ୟବହାର କରିବ । ସୁ.ସୂ.୩୫-୪୯
ବିଡଙ୍ଗ, ପିପ୍ପଳୀ, ମହୁ ଏବଂ ଘୃତ ପୁରୁଣା ହେଲେ ହିତକର ହୁଏ । ମାତ୍ର ଅନ୍ୟ ସମସ୍ତ ଔଷଧୀ ନବୀନ ଏବଂ ଦୋଷ ବର୍ଜିତ ବ୍ୟବହାର କରିବା ଉଚିତ । ଯଦି ଘୃତ ଆଦି ପୁରୁଣା ନ ମିଳେ, ତେବେ ୧ବର୍ଷ ପୁରୁଣା ଗ୍ରହଣ କରିବା ଉଚିତ ।
ବନସ୍ପତି ଚିହ୍ନିବାର ଉପାୟ— ଗୋମହିଷାଦି ପାଳକ(ଗୋପାଳ) ତପସ୍ୱୀ (ସାଧୁସନ୍ଥ) କନ୍ଦ, ମୂଳ, ଫଳ ଖାଉଥିବା ଲୋକ, ଶିକାରୀ ତଥା ଅନ୍ୟ ବନବାସୀ ଲୋକମାନେ ଔଷଧୀ ସମ୍ବନ୍ଧରେ ଜାଣନ୍ତି । ତେଣୁ ସେମାନଙ୍କ ଦ୍ୱାରା ବୃକ୍ଷ ଲତା ଚିହ୍ନିବା ଉଚିତ । ସୁ.ସୂ.୩୬-୫୦
ବକ୍ତବ୍ୟ — ଓଡିଶାର ପୁରପଲ୍ଲୀରେ ସୁପରିଚିତ କବିରାଜ ଲକ୍ଷ୍ମଣ ମିଶ୍ର ( I.P.S.-ପୋଲିସ ଅଧୀକ୍ଷକ) ଥାଇ ଉପରୋକ୍ତ ଉପାୟରେ ବୃକ୍ଷଲତାର ବିଭିନ୍ନ ରୋଗରେ ପ୍ରୟୋଗ, ବଣଜଙ୍ଗଲରେ ଥିବା ଲୋକମାନଙ୍କ ଠାରୁ ସଂଗ୍ରହକରି ‘ଅନୁଭୂତ ଯୋଗମାଳା’ ପୁସ୍ତକ ଲେଖିଛନ୍ତି । ସେ ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ ଓ ସର୍ପାଘାତରେ ମନ୍ତ୍ର ଚିକିତ୍ସକ ରୂପେ ସୁନାମ ଅର୍ଜନ କରିଥିଲେ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.