Press "Enter" to skip to content

ରାଜ ବିଦ୍ୟାରାଜଗୁହ୍ୟଯୋଗ

Last updated on February 6, 2021

ନବମ ଅଧ୍ୟାୟ


ଦାଦା ଜେ.ପି.ବାସୱାନୀ


ଆମର ପରମ ଗୁରୁ ସାଧୁ ବାସୱାନୀ ଏହି ଅଧ୍ୟାୟକୁ ପରମ ରହସ୍ୟ ଯୋଗ ବୋଲି କହୁଥିଲେ ।
ଜର୍ମାନ୍‌ର ମହାକବି ଗୋୟଥେଙ୍କ ବିଚାରରେ — ‘‘ଈଶ୍ୱର ଏକ ଅନାଦି ରହସ୍ୟ ଅଟନ୍ତି, ଯିଏ ସର୍ବଦା ଆମ ଚତୁର୍ପାର୍ଶ୍ୱରେ ପ୍ରବାହିତ ହେଉଅଛନ୍ତି ।’’
ଏହି ଅଧ୍ୟାୟରେ ଭଗବାନ କୃଷ୍ଣ, ଅର୍ଜ୍ଜୁନଙ୍କୁ ଉକ୍ତ ଶାଶ୍ୱତ ରହସ୍ୟ ସମ୍ବନ୍ଧରେ ଆଲୋଚନା କରିବାପୂର୍ବକ କହିଛନ୍ତି କି, ଏହା ଏକ ସର୍ବାଧିକ ଗୋପନୀୟ ରହସ୍ୟ ଅଟେ । ଏହା ଈଶ୍ୱରଙ୍କର ଦିବ୍ୟ ରହସ୍ୟ ଜ୍ଞାନ ଏବଂ ବିଜ୍ଞାନର ସଂଯୁକ୍ତ ମିଶ୍ରଣ ଅଟେ । ଏହା ତାଙ୍କ ପ୍ରେମର ପ୍ରକଟ ଅଟେ । ପରମାତ୍ମା ଏ ସମଗ୍ର ବ୍ରହ୍ମାଣ୍ଡରେ, ସଂସାରର କୋଣ ଅନୁକୋଣରେ ବିଦ୍ୟମାନ । ସେ ସବୁଆଡେ ଅଛନ୍ତି, ତଥାପି ସ୍ୱତନ୍ତ୍ର ଅଟନ୍ତି, କାହା ଉପରେ ଆଶ୍ରିତ ନୁହଁନ୍ତି । ସେ ଏକ ଶାଶ୍ୱତ ସାର୍ବଭୌମିକ ପରମ ଆତ୍ମା ଅଟନ୍ତି, ଯାହାଙ୍କର ଆରାଧନା କରି, ଯାହାଙ୍କଠାରେ ନିଜର ଚିତ୍ତକୁ ଏକାଗ୍ର କରି, ଆମେ ତାଙ୍କୁ ପ୍ରାପ୍ତ କରିପାରିବା । ଏହି ଅଧ୍ୟାୟରେ ଅର୍ଜ୍ଜୁନଙ୍କର ଭକ୍ତି, ଶ୍ରଦ୍ଧା ଏବଂ ଜିଜ୍ଞାସା ଦ୍ୱାରା ପରମ ସତ୍ୟକୁ ଅବଗତ ହେବାର ନିଷ୍କପଟ ପ୍ରୟାସ ବର୍ଣ୍ଣିତ ହୋଇଛି । ଭଗବାନ କୃଷ୍ଣ ମଧ୍ୟ ତାଙ୍କୁ ପ୍ରକୃତ ଜିଜ୍ଞାସୁ ଶିଷ୍ୟ ମନେକରି, ଏହି ପରମ ରହସ୍ୟର ଜ୍ଞାନ ପ୍ରଦାନ କରିଛନ୍ତି ।
ଗୀତାରେ ଭଗବାନ କୃଷ୍ଣ ୯ମ ଅଧ୍ୟାୟର ଚତୁର୍ଥ ଏବଂ ପଞ୍ଚମ ଶ୍ଳୋକରେ କହିଛନ୍ତି—
ମୋପରି ନିରାକାର ପରମାତ୍ମାଙ୍କ ଠାରୁ ହିଁ ଏହି ଜଗତ ଜଳରୁ ଉତ୍ପନ୍ନ ବରଫ ଭଳି ପୂର୍ଣ୍ଣ ନିର୍ମିତ ହୋଇଛି । ଏଠାରେ ସମସ୍ତ ପ୍ରାଣୀ ମୋ ସଂକଳ୍ପ ଦ୍ୱାରା ସ୍ଥିତ ଅଟନ୍ତି, ହେଲେ ମୁଁ ସେମାନଙ୍କଠାରେ ନାହିଁ । ମୋର ଯୋଗଶକ୍ତି ବଳରେ ସମସ୍ତ ପ୍ରାଣୀ ଉତ୍ପନ୍ନ ଏବଂ ପୋଷିତ ହୋଇଥାନ୍ତି କିନ୍ତୁ ମୁଁ ସେମାନଙ୍କଠାରେ ନାହିଁ । (ଗୀତା-୯- ୪/୫)
କୃଷ୍ଣ — ଯିଏ ଅଜ୍ଞାନୀ ଅଟେ, ସେ ଏହି ସତ୍ୟକୁ ବୁଝିପାରେ ନାହିଁ କି, ସମସ୍ତଙ୍କ ଭିତରେ ଶକ୍ତି ରହିଛି, ଯାହା ସମସ୍ତଙ୍କର ରକ୍ଷକ ଅଟେ । ନିଜ ଶରଣାଗତର ସେ ନିଜେ ଦାୟିତ୍ୱ ବହନ କରିଥାନ୍ତି । ପୁନଃ ଏହି ଅଧ୍ୟାୟର ୨୭ ଶ୍ଳୋକରେ କୃଷ୍ଣ କହିଛନ୍ତି —
ହେ ଅର୍ଜ୍ଜୁନ ! ତୁମେ ଯାହା ବି କର୍ମ କରୁଛ, ଯେମିତି କି ଯଜ୍ଞକରିବା, ଦାନଦେବା, ତପସ୍ୟାକରିବା, ସେ ସବୁକୁ ମୋତେ ଅର୍ପଣ କରିଦିଅ ।
ଏହା ଏକ ସୁନ୍ଦର ଶ୍ଳୋକ ଅଟେ, ଯେଉଁଥିରେ କୁହାଯାଇଛି କି, ନିଜ ଶ୍ରଦ୍ଧାରେ କିପରି ପରମେଶ୍ୱରଙ୍କୁ ପ୍ରସନ୍ନ କରାଯାଇପାରିବ । ଆମେ କର୍ମ ବନ୍ଧନରୁ ବି ମୁକ୍ତ ହୋଇଯାଉ ।
“ଯଦି ତୁମ ମନ ମୋ’ଠାରେ ଆସକ୍ତ, ତେବେ ତୁମେ ମୋର ଭକ୍ତହୋଇ ମତେ ଭଜନକର । ମୋତେ ସବୁ-ବେଳେ ପ୍ରଣାମ କର । ଏହିଭଳି ଭାବେ ନିଜର ଆତ୍ମାକୁ ମୋଠାରେ ଲୀନ କରାଇ ମୋତେ ପ୍ରାପ୍ତ ହୋଇଯାଅ ।”
ଯେଉଁ ଅନନ୍ୟପ୍ରେମୀ ନିରନ୍ତର ମୋର ଚିନ୍ତନ କରିବାସହ ନିଷ୍କାମ ଭାବରେ ମୋତେ ହିଁ ଭଜନ କରନ୍ତି, ସେହି ଭକ୍ତମାନଙ୍କର ଯୋଗକ୍ଷେମ ମୁଁ ସ୍ୱୟଂ ଗ୍ରହଣ କରିଥାଏ ।
ଏଭଳି ଭକ୍ତମାନଙ୍କୁ, ଯେଉଁମାନେ ଆତ୍ମସଂଯମୀ ଅଟନ୍ତି, ମୁଁ ସେ ସବୁକିଛି ପ୍ରଦାନ କରେ, ଯାହାର ତାଙ୍କୁ ଅଭାବ ଥାଏ ଆଉ ଯାହା ତାଙ୍କ ନିକଟରେ ପୂର୍ବରୁ ଥାଏ, ତାହାର ମୁଁ ସଦାସର୍ବଦା ରକ୍ଷାକରେ । ମୁଁ ସେମାନଙ୍କୁ ଚିରଆନନ୍ଦର ବରଦାନ ଦେଇଥାଏ ।
ରମଣ ମହର୍ଷି ଏକ ଗଳ୍ପରେ ଶୁଣାଇଥିଲେ କି, ଜଣେ ନିର୍ଦ୍ଧନ ବ୍ରାହ୍ମଣ ଭଗବାନଙ୍କର ଅନନ୍ୟ ଭକ୍ତ ଥିଲେ । କର୍ମ ଅନୁସାରେ ସେ ଘୋର ଗରିବ ଅବସ୍ଥାରେ ନିଜ ପରିବାର ସହିତ ଅନେକ ଦିନ ପର୍ଯ୍ୟନ୍ତ ଭୋକରେ ରହିଥିଲେ । ପତ୍ନୀ ନିରନ୍ତର ତାଙ୍କୁ ବ୍ୟଙ୍ଗବାଣରେ ଛେଦନ କରନ୍ତି । ଦିନେ ସେ ଏ ସବୁରୁ ବିରକ୍ତ ହୋଇ, କ୍ରୋଧରେ ଭୋଜପତ୍ରରେ ନିଜ ଦ୍ୱାରା ଲିଖିତ ପାଣ୍ଡୁଲିପି ଉପରେ ଏକ କୋଇଲା ଦ୍ୱାରା ନବମ ଅଧ୍ୟାୟର “ଯୋଗକ୍ଷେମ ବହାମ୍ୟହମ୍‌” ଶବ୍ଦକୁ କାଟିଦେଲେ ଆଉ ନିରାଶାରେ ଭରା ନଦୀକୁ ସ୍ନାନ ନିମନ୍ତେ ଚାଲିଗଲେ । ଅଳ୍ପ ସମୟ ପରେ ତାଙ୍କ ଦ୍ୱାରରେ ଖାଦ୍ୟସାମଗ୍ରୀ, ଫଳ-ଫୁଲ ଏବଂ ଅନ୍ୟ ବସ୍ତୁସମୂହରେ ପରିପୂର୍ଣ୍ଣ ଏକ ଗାଡିନେଇ ଗୋଟିଏ ସୁନ୍ଦର, ଯୁବା ଆଉ ତେଜସ୍ୱୀ ବାଳକ ଆସି ପହଞ୍ଚିଲା ଆଉ ଜିନିଷପତ୍ରକୁ ଓହ୍ଲାଇଦେଇ ତାଙ୍କ ରୋଷେଇଘରେ ରଖିବାକୁ ଲାଗିଲେ । ବ୍ରାହ୍ମଣ ପତ୍ନୀ ଏହାର ବିରୋଧକରି କହିଲେ,…ଭାଇ ଏହି ଜିନିଷପତ୍ର ଆମପାଇଁ ନୁହେଁ । ତୁମେ ଭୁଲରେ ଏସବୁ ନେଇଆସିଛ ।
ବାଳକ—ନାଁ ମାତା ! ମୋ ମାଲିକ ଏ ସବୁକୁ ଆପଣଙ୍କ ପାଇଁ ପଠାଇଛନ୍ତି । ମୁଁ ତାଙ୍କର ସେବକ ଅଟେ ।
ଗୃହିଣୀ—ପୁତ୍ର ! ତୁମ ମଥାରେ ତ ଗଭୀର ଆଘାତ ଲାଗିଛି, ସେଥିରୁ ରକ୍ତ ବାହାରୁଛି ।
ବାଳକ—ମୁଁ ଆପଣଙ୍କ ସ୍ୱାମୀ ଆଉ ମୋ ମାଲିକଙ୍କ ଆଜ୍ଞା ପୂରା କରିବାପାଇଁ ଟିକିଏ ବିଳମ୍ବ କରିଦେଇଥିଲି, ଅତଃ ସେ କ୍ରୋଧରେ ମୋ ମୁଣ୍ଡରେ ଆଘାତ ଦେଇଦେଲେ ।
ଯେତେବେଳେ ସେହି ବ୍ରାହ୍ମଣ ଘରେ ପହଞ୍ଚିଲେ, ଦେଖିଲେ— ପୁରା ପରିବାର ଖୁସି ଅଛି ଆଉ ମଉଜ ମସ୍ତୀ କରୁଛି । ସେ ଦ୍ୱିଧାରେ ପଡି, ଈଶ୍ୱରଙ୍କୁ ଧନ୍ୟବାଦ ଦେବାରେ ଲାଗିଲେ ।
ପତ୍ନୀ କହିଲେ—ଆମେମାନେ ଆପଣଙ୍କ ବାଟକୁ ଚାହିଁରହିଥିଲୁ । ଭୋଜନ ପ୍ରସ୍ତୁତ ଅଛି, ଯଥାଶୀଘ୍ର ଭଗବାନଙ୍କୁ ଭୋଗ ଲଗାନ୍ତୁ, ତାପରେ ଆମେ ସମସ୍ତେ ଏକସଙ୍ଗରେ ଭୋଜନ କରିବା ।
ପତ୍ନୀ ପୁନଃ କହିଲେ—ଆରେ ହଁ ! ଆପଣ ସେହି ସୁନ୍ଦର ବାଳକଟିର ମଥାରେ ଘା’ କାହିଁକି କଲେ ? ମୋତେ ବହୁତ ଖରାପ ଲାଗିଲା କି, ଆପଣ ଏତେ କ୍ରୂରତାରେ କାହାକୁ କିପରି ଆଘାତ ଦେଇପାରନ୍ତି !
ବ୍ରାହ୍ମଣ— କଣ କହୁଛ ? ମୁଁ ମୋ ସେବକକୁ ଲହୁଲୁହାଣ କରିଦେଲି ! ମୋର ତ କେହି ସେବକ ନାହାଁନ୍ତି ।
ଯେତେବେଳେ ପତ୍ନୀ ସେହି ନିଷ୍କପଟ, ସୁନ୍ଦର ବାଳକର ବର୍ଣ୍ଣନା କଲେ ସେତେବେଳେ ବ୍ରାହ୍ମଣ ବୁଝିପାରିଲେ କି ଏଠାକୁ ତ ଭଗବାନ୍‌ ଶ୍ରୀକୃଷ୍ଣ ସ୍ୱୟଂ ଏକ କ୍ଷୁଦ୍ର ବାଳକ ହୋଇ, ଗୀତାର ବଚନକୁ ପୂର୍ଣ୍ଣ କରିବାପାଇଁ ଆସିଥିଲେ । ତାଙ୍କ ମଥାରେ ଆଘାତ ସେତେବେଳେ ଲାଗିଥିବ, ଯେତେବେଳେ ମୁଁ ନବମ ଅଧ୍ୟାୟର ଶ୍ଳୋକ ଯୋଗକ୍ଷେମ ବହାମ୍ୟହମ୍‌କୁ, କ୍ରୋଧିତ ହୋଇ କାଟିପକାଇଥିଲି । ପରମାତ୍ମାଙ୍କର ଏହି ଅନନ୍ୟ ପ୍ରେମର ଅନୁଭବ ହଜାର ହଜାର ଲୋକଙ୍କ ଜୀବନରେ ହୋଇଛି । ସେ ତାଙ୍କ ଭକ୍ତଙ୍କର ବ୍ୟାକୁଳ ଡାକରେ ତାଙ୍କୁ ରକ୍ଷା କରିବାପାଇଁ ଦୌଡିଯାନ୍ତି ।
କଣ ଆପଣ ବି ସବୁବେଳେ ଘର-ପରିବାର, ଚାକିରୀ, ଗଚ୍ଛିତ ରଖିବା, ପିଲାମାନଙ୍କର, ବୁଢାବୁଢୀଙ୍କର, ଦୁର୍ଘଟଣାର ଆଶଙ୍କା ଅଥବା ନିଜ ପରିବାରର ଭବିଷ୍ୟତ ବିଷୟରେ ଚିନ୍ତିତ ରହନ୍ତି ଆଉ ଦୁଃଶ୍ଚିନ୍ତା ମଧ୍ୟରେ ବଞ୍ଚନ୍ତି? ତେବେ —
(୧) ପ୍ରତ୍ୟେକଟି ସ୍ଥିତିକୁ ପ୍ରଭୁଙ୍କ ଇଚ୍ଛାର ଉପହାର ମନେକରି, ଧନ୍ୟବାଦ ସହିତ ସ୍ୱୀକାର କରି ସନ୍ତୁଷ୍ଟ ରୁହନ୍ତୁ ।
(୨) ଜୀବନରେ ବାଧା ଏବଂ ସମସ୍ୟାସମୂହକୁ ନିୟନ୍ତ୍ରିତ କରିବାପାଇଁ ଈଶ୍ୱରୀୟ ସହାୟତା ମାଗନ୍ତୁ, କାରଣ ସେ ହିଁ ପରମଶକ୍ତିର ଦାତା ଅଟନ୍ତି ।
(୩) ନିଜ ମନକୁ ସଂଯମିତ କରିଦିଅନ୍ତୁ । ନକାରାତ୍ମକ ବିଚାରସମୂହରୁ ଦୂରରେ ରୁହି ସକାରାତ୍ମକ ହୁଅନ୍ତୁ । ଆପଣଙ୍କ ଜୀବନରୁ ନିରାଶା ଏବଂ ଚିନ୍ତା  ଆପେ ଦୂର ହୋଇଯିବ ଆଉ ଅନ୍ତଃକରଣରେ ଶାନ୍ତି ଏବଂ ଅଚିନ୍ତ୍ୟ ମଧୁର ବଂଶୀ ବାଜିବାକୁ ଲାଗିବ ।
(୪) ବିଶ୍ୱାସ ରଖ… ଖରାପ ସମୟ ବି ଦିନେ ଚାଲିଯାଏ । ଏହା କେବଳ ଆପଣଙ୍କ ବିଶ୍ୱାସର ପରୀକ୍ଷା ପାଇଁ ଆସିଥାଏ । ଚିନ୍ତାର ବାଦଲ ଦୂର ହୋଇଗଲେ ପୁନଃ ସ୍ୱର୍ଣ୍ଣିମ କିରଣ ଝଲସି ଉଠିବ ।
ଏସବୁ ସତ୍ତ୍ୱେ ବି ଯଦି ଆପଣ ସଫଳ ନହୁଅନ୍ତି, ତେବେ ଗୀତାର ବାଣୀ ଅନୁସାରେ ସମସ୍ତ କର୍ମର ପରିତ୍ୟାଗ କରି କେବଳ ତାଙ୍କରି ଶରଣାପନ୍ନ ହୋଇଯାନ୍ତୁ । ସେ ତାଙ୍କର ଶରଣାଗତକୁ କଦାପି ତାଙ୍କର ପବିତ୍ର ଚରଣରୁ ଦୂର କରନ୍ତି ନାହିଁ । ସେ ତାଙ୍କ ଭକ୍ତଙ୍କୁ ନିରାଶ କରନ୍ତିନାହିଁ । ஃ

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.