Press "Enter" to skip to content

ଦେବୀଙ୍କର ସପ୍ତରୂପ ବିବେଚନା

Last updated on August 13, 2022

ଭଗବାନ୍‌ ଯୁଗର ଆବଶ୍ୟକତା ଅନୁସାରେ ନିଜର ମହାଶକ୍ତିର ଆଶ୍ରୟ ନେଇ ଅବତାର ଧାରଣ କରନ୍ତି  । ସେହିଭଳି ଆଦ୍ୟାଶକ୍ତି ମହାମାୟା ମଧ୍ୟ ଯୁଗ-ପ୍ରୟୋଜନ ଅନୁସାରେ ବିବିଧ କଳ୍ପରେ ନାନା ରୂପରେ ଅବତୀର୍ଣ୍ଣ ହୋଇଥାନ୍ତି । ଦେବୀଭାଗବତ, ଦେବୀପୁରାଣ, ମାର୍କଣ୍ଡେୟ ପୁରାଣ ଆଦି ଗ୍ରନ୍ଥ ସମୂହରୁ ଏହା ଆମେ ଜାଣିବାକୁ ପାଉ । ‘ଅଗ୍ନି ଏବଂ ତାହାର ଦାହିକାଶକ୍ତି ଭଳି ଅଭିନ୍ନ ଈଶ୍ୱର ଏବଂ ଈଶ୍ୱରଙ୍କ ଶକ୍ତିର ଶରୀରଧାରଣ ଗୋଟିଏ ମାତ୍ର ଉଦ୍ଦେଶ୍ୟରେ ହୋଇଥାଏ ॥’
ମାର୍କଣ୍ଡେୟ ବର୍ଣ୍ଣିତ ଶ୍ରୀଚଣ୍ଡୀର ବର୍ଣ୍ଣନାନୁସାରେ ଜଗତର ରକ୍ଷା ନିମନ୍ତେ ଦେବୀଙ୍କର ମହାକାଳୀ ମହାଲକ୍ଷ୍ମୀ, ମହାସରସ୍ୱତୀ, ବ୍ରହ୍ମାଣୀ ଆଦି ବିବିଧ ଅବତାର ସମ୍ବନ୍ଧରେ ଆମେ ଅବଗତ ହେଉ । ମଧୁକୈଟଭ, ମହିଷାସୁର, ରକ୍ତବୀଜ, ଚଣ୍ଡମୁଣ୍ଡ, ଶୁମ୍ଭ-ନିଶୁମ୍ଭ ବଧ ପରେ ଦେବତାଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ଦେବୀ ସେମାନଙ୍କୁ ବରଦାନ ସମୟରେ ନନ୍ଦା ଆଦି ସାତଗୋଟି ଭବିଷ୍ୟତ ଅବତାର ସମ୍ପର୍କରେ କହିଛନ୍ତି । ଶେଷରେ ସେ ଆଶ୍ୱାସନା ଦେଇ କହିଛନ୍ତି କି ,‘‘ଏହିଭଳି ଭାବରେ ଯେଉଁ ସମୟରେ ଦାନବ ବାଧା ସୃଷ୍ଟି ହେବ, ମୁଁ ଅବତୀର୍ଣ୍ଣ ହୋଇ ସେହି ବାଧାସବୁକୁ ଦୂର କରିବି ॥’’
ତାଙ୍କର ଅସଂଖ୍ୟ ଅବତାର ରହିଛି । ଶାନ୍ତନବୀ ଟୀକାକାର ଏ ପ୍ରସଙ୍ଗରେ କହିଛନ୍ତି, ଯଦିଓ ଦେବୀ ନିତ୍ୟ ଅଟନ୍ତି, ତଥାପି ଯୁଗ ଯୁଗରେ କାର୍ଯ୍ୟର ଅନୁରୋଧରେ ତାଙ୍କର ଏହି ଅବତାର ଧାରଣ ହୋଇଥାଏ । ଦେବୀଙ୍କର ମାହାତ୍ମ୍ୟର ବର୍ଣ୍ଣନା କାଳରେ ମେଧସ ମୁନି ମହାରାଜ ସୁରଥ ଏବଂ ସମାଧି ବୈଶ୍ୟଙ୍କୁ କହିଲେ —
ଗୁପ୍ତବତୀ ଟୀକାକାର ଏଲମ୍ବା, ତୁଲଜା, ଏକବୀରା, ଯୋଗଲା ଆଦି ଦେବୀଙ୍କର ଅନେକ ଅବତାର କଥା ଶାସ୍ତ୍ରବଚନସମୂହକୁ ଉଦ୍ଧୃତ କରିଦେଖାଇଛି । ଆମେ ଏହି ପ୍ରବନ୍ଧଟିରେ ‘ଶ୍ରୀଦୁର୍ଗାସପ୍ତଶତୀ’ ବର୍ଣ୍ଣିତ ଦେବୀଙ୍କର ନିଜ ମୁଖରୁ ନିସୃତ ନନ୍ଦାଦି ସପ୍ତରୂପ ବିଷୟରେ ବିବେଚନା କରିବା ॥ (ଚଣ୍ଡୀ ୧/୬୫)
୧. ନନ୍ଦା — ବୈବସ୍ୱତ ମନ୍ୱନ୍ତରରେ ୨୮ତମ ଯୁଗରେ ଶୁମ୍ଭ-ନିଶୁମ୍ଭ ନାମକ ଦୁଇ ଭୟଂକର ଅସୁରଙ୍କର ବଧ କରିବାପାଇଁ ସେ ନନ୍ଦଗୋପ ଘରେ ଜନ୍ମଗ୍ରହଣ କରିବେ ଏବଂ ବିନ୍ଧ୍ୟପର୍ବତବାସିନୀ ହେବେ । କିନ୍ତୁ ‘ଶ୍ରୀଦୁର୍ଗାସପ୍ତଶତୀ’ର ନବମ ଏବଂ ଦଶମ ଅଧ୍ୟାୟରେ ନିଶୁମ୍ଭ ଏବଂ ଶୁମ୍ଭଙ୍କର ବଧ ବୃତ୍ତାନ୍ତ ରହିଛି । ତତ୍‌ପଶ୍ଚାତ୍‌ ‘ନାଶୟିଷ୍ୟାମି’—ଏଭଳି ଭବିଷ୍ୟବାଣୀର ସାମଞ୍ଜସ୍ୟ କିପରି ସମ୍ଭବ ହୋଇଥାନ୍ତା ? ଏଠାରେ ଧ୍ୟାନ ରଖିବାକୁ ହେବ କି, ସ୍ୱାରୋଚିଷ ମନ୍ୱନ୍ତରରେ ମେଧସ ମୁନି ମହାରାଜ ସୁରଥ ଏବଂ ସମାଧି ବୈଶ୍ୟଙ୍କୁ ଦେବୀ-ମାହାତ୍ମ୍ୟର ବର୍ଣ୍ଣନା ପ୍ରସଙ୍ଗରେ ସେହି କାହାଣୀ ଶୁଣାଇଥିଲେ । ସ୍ୱାୟମ୍ଭୁବ ଆଦି ଚତୁର୍ଦ୍ଦଶ ମନ୍ୱନ୍ତରର ଦ୍ୱିତୀୟ ମନ୍ୱନ୍ତର ହେଉଛି ସ୍ୱାରୋଚିଷ । ପୁଣି ନନ୍ଦାରୂପରେ ଦେବୀଙ୍କର ଆବିର୍ଭାବ ୭୧ ଚତୁର୍ଯୁଗ କାଳ ପର୍ଯ୍ୟନ୍ତ ସପ୍ତମ ମନ୍ୱନ୍ତର ବୈବସ୍ୱତର ୨୮ ଯୁଗରେ ଦ୍ୱାପର ଏବଂ କଳିଯୁଗର ସନ୍ଧିକ୍ଷଣରେ ହୋଇଥିଲା । ଏହି ସମୟରେ ଦୁରାଚାରୀ କଂସର ବଧ ନିମନ୍ତେ ଶ୍ରୀଭଗବାନ୍‌ କୃଷ୍ଣରୂପରେ ଆବିର୍ଭୂତ ହେବେ । ଏଥିପାଇଁ ସେ ମହାମାୟାଙ୍କୁ ନିର୍ଦ୍ଦେଶ ଦେଲେ, “ଗଚ୍ଛ ଦେବୀ ବ୍ରଜଂ ଭଦ୍ରେ ॥(ଭାଗବତ ୧୦/୨/୬)” ଦେବୀ ମଧ୍ୟ ନନ୍ଦ-ଯଶୋଦାଙ୍କ କନ୍ୟାରୂପରେ ଜନ୍ମଗ୍ରହଣ କରିବେ । ଭଗବାନ୍‌ ଶ୍ରୀମଦ୍‌ଭାଗବତରେ କହିଛନ୍ତି—
ନନ୍ଦା ଦେବୀ ମହାଲକ୍ଷ୍ମୀ ଅଂଶଭୂତା ଅଟନ୍ତି ॥୧୦/୨/୯ ମୂର୍ତ୍ତିରହସ୍ୟରେ ତାଙ୍କର ସ୍ୱରୂପ ବର୍ଣ୍ଣିତ ହୋଇଛି—ଶ୍ରୀଶ୍ରୀଚଣ୍ଡୀଙ୍କର ତତ୍ତ୍ୱପ୍ରକାଶିକା ଟୀକାକାର ପୁରାଣ କାହାଣୀରେ ଉଲ୍ଲେଖ କରି କହିଛନ୍ତି, ଥରେ ବିନ୍ଧ୍ୟାଚଳରେ ଅତିଶୟ ବଳବାନ୍‌ ଶୁମ୍ଭ ଏବଂ ନିଶୁମ୍ଭ ନାମକ ଦୁଇ ଅସୁର ନିବାସ କରୁଥିଲେ । ସେମାନଙ୍କ ସମ୍ମୁଖରେ ନନ୍ଦା ଦେବୀ ପ୍ରକଟ ହେବାରୁ ଉଭୟେ ତାଙ୍କୁ ପତ୍ନୀ ରୂପେ ପାଇବାପାଇଁ ଚାହିଁଲେ । ଦେବୀ ସେମାନଙ୍କୁ କହିଲେ—“ତୁମମାନଙ୍କ ମଧ୍ୟରେ ଅଧିକ ବଳଶାଳୀଙ୍କର ହିଁ ମୁଁ ସେବା କରିବି ।” ଅତଃ ସେମାନେ ଘୋର ଯୁଦ୍ଧରେ ଲିପ୍ତ ହୋଇ ପରସ୍ପର ପରସ୍ପରର ବଧ କରିପକାଇଲେ ॥
ମହାଭାରତରେ ଯୁଧିଷ୍ଠିରକୃତ ସ୍ତୋତ୍ରରେ ବିନ୍ଧ୍ୟବାସିନୀ ଦେବୀଙ୍କ ସମ୍ବନ୍ଧରେ ଉଦାହରଣ ରହିଛି ॥ ପଦ୍ମପୁରାଣରେ ଦେବୀକ୍ଷେତ୍ରର ଗଣନାରେ କୁହାଯାଇଛି ॥ ପୁଣି ବାମନପୁରାଣରେ ଇନ୍ଦ୍ରଙ୍କ ଦ୍ୱାରା ବିନ୍ଧ୍ୟାଚଳରେ ସ୍ଥାପିତ ଦେବୀଙ୍କର ବର୍ଣ୍ଣନା ମଧ୍ୟ ରହିଛି ॥
ଏ ସମସ୍ତ କଥାରୁ ଦେବୀଙ୍କୁ ନନ୍ଦଙ୍କ ଗୃହରେ ଉତ୍ପନ୍ନ ନନ୍ଦା ଏବଂ ବିନ୍ଧ୍ୟବାସିନୀ ହୋଇ ଭୟଙ୍କୁ ଦୁଇ ଅସୁରଙ୍କର ବିନାଶକାରିଣୀରୂପେ ଜଣାଯାଇଥାଏ । ଆଜି ମଧ୍ୟ ବିନ୍ଧ୍ୟାଚଳ ପର୍ବତରେ ଦେବୀ ଭକ୍ତମାନଙ୍କର ପୂଜା ଗ୍ରହଣ କରୁଅଛନ୍ତି ।
ତତ୍ତ୍ୱତଃ ବିନ୍ଧ୍ୟାଚଳ ହୃଦଦେଶ ଅଟେ । ତନ୍ତ୍ରଶାସ୍ତ୍ରରେ ସୁମେରୁ ପର୍ବତକୁ ମସ୍ତକ, ବିନ୍ଧ୍ୟପର୍ବତକୁ ହୃଦୟ ଏବଂ କୁଳପର୍ବତକୁ ମୂଳାଧାର ରୂପେ ବର୍ଣ୍ଣନା କରାଯାଇଛି । ବିନ୍ଧ୍ୟାଚଳ ଜୀବର ହୃଦଦେଶ ଅଟେ । ଗୋପ ଶବ୍ଦର ଅର୍ଥ — ସମସ୍ତ ଇନ୍ଦ୍ରିୟର ପାଳକ, ରକ୍ଷକ । ମନରୂପୀ ଗୋପ ଯେତେବେଳେ ନନ୍ଦ ଅର୍ଥାତ୍‌ ଆନନ୍ଦସ୍ୱରୂପ ଆତ୍ମାର ଅଭିମୁଖ ହୁଏ, ସେତେବେଳେ ସେ ଯଶୋଦାନକାରିଣୀ ଯଶୋଦାଙ୍କ କୋଳରେ ଅବସ୍ଥାନ କରି ଶୁମ୍ଭ-ନିଶୁମ୍ଭ ରୂପୀ ଅସୁରମାନଙ୍କର ବିନାଶ କରିଥାନ୍ତି । ଏଥିପାଇଁ ତାଙ୍କର ନାମ ନନ୍ଦା ଶକ୍ତି ଅଟେ ।
୨. ରକ୍ତ ଦନ୍ତିକା : — ଅଗ୍ନିପୁରାଣରେ କୁହାଯାଇଛି, କଶ୍ୟପ ମୁନିଙ୍କର ପତ୍ନୀ ଦିତିଙ୍କ ଗର୍ଭରୁ ‘ହିରଣ୍ୟାକ୍ଷ ’ଏବଂ ‘ହିରଣ୍ୟକଶିପୁ’ ନାମକ ଦୁଇ ପୁତ୍ର ତଥା ‘ସିଂହିକା ’ଏବଂ ‘ନାମ୍ନୀ’ ନାମକ ଦୁଇ କନ୍ୟାଙ୍କର ଜନ୍ମ ହୋଇଥିଲା । ବିପ୍ରଚିତ୍ତି ସିଂହିକାଙ୍କୁୁ ବିବାହ କରିଥିଲେ ଏବଂ ତାଙ୍କ ଗର୍ଭରୁ ରାହୁ ଆଦି ଚଉଦଗୋଟି ଅସୁରଙ୍କର ଉତ୍ପତ୍ତି ହୋଇଥିଲା । ବାୟୁପୁରାଣର (୬୮ ଅଧ୍ୟାୟରେ) ସେମାନଙ୍କ ନାମ ମିଳେ: ଶତଗାଲ, ନ୍ୟାସ, ଶାମ୍ବ, ଅନୁଲୋମ, ଶୁଚି, ବାତାପି, ସିତାଂଶୁକ, ହରକଳ୍ପ, କାଲନାଭ, ନରକ, ଭୌମ, ରାହୁ, ଚନ୍ଦ୍ରପ୍ରମର୍ଦ୍ଦନ, ସୂର୍ଯ୍ୟପ୍ରମର୍ଦ୍ଦନ । ଏମାନେ ସମସ୍ତେ ‘ବୈପ୍ରଚିତ୍ତ’ ନାମରେ ପ୍ରସିଦ୍ଧ ଅଟନ୍ତି । ସେହି ବିପ୍ରଚିତ୍ତିବଂଶୀୟ ଅସୁରମାନଙ୍କର ଭକ୍ଷଣ କରିବାପାଇଁ ଦେବୀଙ୍କର ଦନ୍ତସମୂହ ଅନାର ପୁଷ୍ପ ସମ ରକ୍ତବର୍ଣ୍ଣ ହୋଇଗଲା । ଏଥିପାଇଁ ତାଙ୍କର ନାମ ‘ରକ୍ତ ଦନ୍ତିକା’ ଅଟେ । ତାଙ୍କର ସର୍ବାଙ୍ଗ ରକ୍ତ-ରଂଜିତ ହୋଇଥିବା କାରଣରୁ ତାଙ୍କୁ ରକ୍ତଚାମୁଣ୍ଡା ମଧ୍ୟ କୁହାଗଲା । ମୂର୍ତ୍ତି ରହସ୍ୟରେ ତାଙ୍କର ବର୍ଣ୍ଣନା କରାଯାଇଛି ॥
ଦେବୀ ସ୍ୱୟଂ ତାଙ୍କର ଏହି ଅବତାର କଥା ଘୋଷଣା କରି କହିଛନ୍ତି— ବିପ୍ରଚିତ୍ତ ଅର୍ଥାତ୍‌ ବିପରୀତ ଚିତ୍ତ । ଈଶ୍ୱରଙ୍କ ବିରୁଦ୍ଧ ଆସୁରୀ ଶକ୍ତି ରହିଥାଏ । ଆସୁରୀ ଶକ୍ତି ଜୀବନକୁ ବିପଥଗାମୀ କରାଇ ପଥଭ୍ରଷ୍ଟ କରିଦେଇଥାଏ, ଆତ୍ମସ୍ୱରୂପକୁ ଭୁଲାଇ ଦେଇଥାଏ । ଏଥିପାଇଁ ଦେବୀ ସେହି ଅସୁରମାନଙ୍କୁ କବଳିତ କରି (ଗ୍ରାସ କରି) ଜୀବର ଅଧ୍ୟାତ୍ମପଥ ଆଲୋକିତ କରିଥାନ୍ତି । ଦନ୍ତସମୂହ ସବୁକିଛି ଚୋବାଇ ପକାଇଥାନ୍ତି । ଅନାର ପୁଷ୍ପର ରଙ୍ଗଯୁକ୍ତ ରକ୍ତ ଦନ୍ତିକା ଦେବୀ ଜୀବମାନଙ୍କ ଉପରେ କୃପା କରିବାପାଇଁ ଅବତୀର୍ଣ୍ଣ ହେବାକୁ ବଚନ ଦେଇଥିଲେ ।
୩. ଶତାକ୍ଷୀ : — ଦେବୀ ଭାଗବତରେ କୁହାଯାଇଛି କି ପ୍ରାଚୀନ କାଳରେ ରୁଦ୍ର ନାମକ ଅସୁରର ପୁତ୍ର ଦୁର୍ଗମାସୁର ବିଚାରିଲା, ଦେବତାମାନଙ୍କର ଶକ୍ତି ହେଉଛି, ବେଦ । ଅତଃ ଯଦି ବେଦକୁ ଆୟତ୍ତ କରିନିଆଯାଏ, ତେବେ ଦେବତାଗଣ ଶକ୍ତିହୀନ ହୋଇଯିବେ । ଏଣୁ ବେଦକୁ ପ୍ରାପ୍ତ ହେବା ପାଇଁ ସେ କଠୋର ତପସ୍ୟା କଲା । ବ୍ରହ୍ମା ସନ୍ତୁଷ୍ଟ ହୋଇ ତାକୁ ତା ଦ୍ୱାରା ପ୍ରାର୍ଥିତ ବେଦ ଏବଂ ଦେବତାମାନଙ୍କୁ ପରାଜିତ କରିବାର ଶକ୍ତି ପ୍ରଦାନ କରିଦେଲେ । ଅସୁର ବେଦର ଅଧୀଶ୍ୱର ହେବାରୁ ବେଦବିହିତ ଯଜ୍ଞାଦି କର୍ମ ବିଲୁପ୍ତ ହୋଇଗଲା । ସେତେବେଳେ ଅସୁର ସ୍ୱର୍ଗରାଜ୍ୟ ଉପରେ ଆକ୍ରମଣ କରି ଦେବତାମାନଙ୍କୁ ଦୂରେଇ ଦେଲା । ନିରାଶ୍ରୟ ହୋଇ ଦେବଗଣ ପର୍ବତ ଗୁମ୍ଫାମାନଙ୍କରେ ଆଶ୍ରୟ ନେଲେ । ଏପଟେ ବେଦବିହିତ ଯଜ୍ଞାଦିର ଅଭାବରେ ପୃଥିବୀ ଉପରେ ଅନାବୃଷ୍ଟି ହେଲା । ଫଳସ୍ୱରୂପ ତୃଣ, ଲତା, ଧାନ୍ୟାଦି ସୁଖ ନଷ୍ଟ ହେଲେ । ନଦୀନାଳ, ପୋଖରୀ ଜଳହୀନ ହୋଇଗଲା । ଏଭଳି ସଂକଟ ସମୟରେ ମୁନିଗଣ ପର୍ବତ ପାଦଦେଶକୁ ଯାଇ ଦେବୀଙ୍କର ସ୍ତୁତି କଲେ । ଦେବୀ ସନ୍ତୁଷ୍ଟ ହୋଇ ଶତାକ୍ଷୀ ରୂପରେ ପ୍ରକଟ ହେଲେ ॥
ଚତୁର୍ଭୂଜା ଦେବୀଙ୍କର ଦକ୍ଷିଣ ହସ୍ତରେ ଶରମୁଷ୍ଟି ଏବଂ କମଳ ତଥା ବାମ ହସ୍ତଦ୍ୱୟରେ କ୍ଷୁଧା-ତୃଷ୍ଣାବିନାଶକ ପୁଷ୍ପ-ପଲ୍ଲବ, ଫଳମୂଳାଦି ଏବଂ ମହାଶବାସନ ଥିଲା । ତାଙ୍କ ନେତ୍ରରୁ ନବଦିନ ପର୍ଯ୍ୟନ୍ତ ବର୍ଷା ହେଲା । ମୁନିଗଣ ସେହି ଦେବୀଙ୍କର ଦର୍ଶନ କରି ସ୍ତୁତି କରିବାକୁ ଲାଗିଲେ  ।
ଶ୍ରୀଦୁର୍ଗାସପ୍ତସତୀରେ ଦେବୀ ସ୍ୱୟଂ କହିଛନ୍ତି—ଯେତେବେଳେ ଜଗତରେ ଧର୍ମ ହ୍ରାସ ହେବାକୁ ଲାଗିବ, ସେତେବେଳେ ଦେବୀ ଶତାକ୍ଷୀ ରୂପରେ ଆବିର୍ଭୂତ ହୁଅନ୍ତି । ‘ଶତ’ ବହୁଳତାର ସୂଚକ ଅଟେ । ‘ବିଶ୍ୱତଶ୍ଚକ୍ଷୁଋତ’ ପରମସତ୍ତା ଜୀବକଲ୍ୟାଣ ହେତୁ ଆବିର୍ଭୂତ ହୋଇ ତାଙ୍କ ପ୍ରତି କରୁଣା ବୃଷ୍ଟି କରିଚାଲନ୍ତି । ଅତଃ ଦେବୀ ମଧ୍ୟ ଶତାକ୍ଷୀରୂପେ ଜୀବ କଲ୍ୟାଣ ନିମନ୍ତେ ଆବିର୍ଭୂତା ହେଲେ ॥
୪. ଶାକମ୍ଭରୀ : — ଏହାପରେ ଦେବୀ କହୁଛନ୍ତି, “ମୁଁ ମୋ ଦେହରୁ ଉତ୍ପନ୍ନ ଜୀବନ-ରକ୍ଷକ ପତ୍ରାଦି ଶାକ ଦ୍ୱାରା ବର୍ଷା ନ ହେବା ପର୍ଯ୍ୟନ୍ତ ସମସ୍ତ ଲୋକଙ୍କର ପାଳନ କରିବି । ଏଥିପାଇଁ ସେତେବେଳେ ମୁଁ ଶାକମ୍ଭରୀ ରୂପରେ ପରିଚିତ ହୋଇଯିବି ॥”
ଶତାକ୍ଷୀରୂପେ ଦେବୀ କରୁଣୀ ବୃଦ୍ଧି କଲେ, କିନ୍ତୁ ଜୀବମାନଙ୍କୁ ପୁଷ୍ଟ ହେବାପାଇଁ ଭୋଜନର ଆବଶ୍ୟକତା ରହିଛି । ବିରାଟ ରୂପରେ ବିସ୍ତୃତ ନିଜ ଦେହରେ ଦେବୀ ପୌଷ୍ଟିକ ଶାକର ସୃଜନ କଲେ । ଶାକ ଦ୍ୱାରା ଜୀବମାନଙ୍କର ପାଳନ କଲେ, ଏଥିପାଇଁ ନାମହେଲା ‘ଶାକମ୍ଭରୀ’ ॥ ଜଳାଭାବ କାରଣରୁ ଭୂମିରେ ଉତ୍ପାଦନ ସମ୍ଭବ ନୁହେଁ, ଏଥିପାଇଁ ‘ଆତ୍ମଦେହସମୁଦ୍ଧବୈଃ ଶାକୈଃ’ କୁହାଗଲା ।
ଏହି ଶାକ ଦଶ ପ୍ରକାର: ମୂଳ, ମୂଳକାଦି ପତ୍ର, ପରବଲ ଆଦି, କରୀର, ବାଉଁଶର କରୀର ଆଦି, ଉଗ୍ର ବେତ ଆଦି, ଫଳ କୁମ୍ହଡ଼ା ଆଦି, କାଣ୍ଡ କମଳ-ନାଳ ଆଦି, ଅଧିରୂଢ଼କ ତାଳ ଫଳର ଗୁଚ୍ଛ ଆଦି, ତ୍ୱକ୍‌ ମାତୁତୁଂଗାଦି, ପୁଷ୍ପ କୋବିଦାର ଆଦି ଏବଂ କବକ ଛତୁ ଆଦି । ଦେବୀ ଭାଗବତରେ କୁହାଯାଇଛି— ଦେବତା ଏବଂ ମୁନିଗଣ କ୍ଷୁଧାରେ କାତର ହୋଇ ଦେବୀଙ୍କୁ ଭୋଜନର ପ୍ରାର୍ଥନା କରିବାରୁ ଭଗବତୀ ତାଙ୍କୁ ସୁସ୍ୱାଦୁ ଫଳ, ମୂଳ ଏବଂ ଶାକ ପ୍ରଦାନ କରିଅଛନ୍ତି ।
ପୃଥିବୀ ତତ୍ତ୍ୱ ହିଁ ଆତ୍ମାର ଦେହ ଅଟେ । ସେଥିରୁ ଉଦ୍‌ଭୂତ ପ୍ରାଣଧାରକ ଶାକ, ଜୀବର ରକ୍ଷା ପୁନଃ ବର୍ଷା ହେବା ପର୍ଯ୍ୟନ୍ତ କରିବ । ବର୍ଷା ଅର୍ଥାତ୍‌ ପରମାତ୍ମାଙ୍କର ଆନନ୍ଦ ଧାରାରେ ସାଧକ ଯେତେବେଳ ପର୍ଯ୍ୟନ୍ତ ଅଭିସ୍ନାତ ନ ହୋଇଛନ୍ତି, ସେତେବେଳ ପର୍ଯ୍ୟନ୍ତ ଦେବୀଙ୍କର ପାଳନୀ ଶକ୍ତି ତାଙ୍କର ଶୋକସନ୍ତପ୍ତ ହୃଦୟରେ ଶାନ୍ତିର ବାୟୁ ପ୍ରବାହିତ କରୁଥିବ ॥
୫. ଦୁର୍ଗା :— ଶତାକ୍ଷୀ ରୂପେ ଦେବୀ ଅନନ୍ତ ନେତ୍ରଦ୍ୱାରା ବର୍ଷା କରାଇ ଜୀବଲୋକକୁ ସୁଖ ପ୍ରଦାନ କଲେ । ଶାକମ୍ଭରୀ ରୂପେ ଆତ୍ମଦେହ-ସମୁଦ୍‌ଭୂତ ଦଶପ୍ରକାର ଶାକ ଦ୍ୱାରା ଜୀବମାନଙ୍କର ସୁଖ-ବିଧାନ କରିଛନ୍ତି । କିନ୍ତୁ ବର୍ତ୍ତମାନ ମଧ୍ୟ ଦୁର୍ଗମାସୁର ଜୀବିତ ରହିଛି । ଏଥର ସେ ଦୁର୍ଗମାସୁରର ବଧ କରି ‘ଦୁର୍ଗା’ ନାମରେ ପ୍ରସିଦ୍ଧ ହେବେ ॥
ଏଠାରେ ଶଂକା ଉତ୍ପନ୍ନ ହୁଏ କି, ମହିଷାସୁରମର୍ଦ୍ଦିନୀ ଦୁର୍ଗା ଏବଂ ଦୁର୍ଗମାସୁରଘାତିନୀ ଦୁର୍ଗା ଏକ ଅଟନ୍ତି ନାଁ ଭିନ୍ନ ଅଟନ୍ତି ? କାହିଁକି ନାଁ କାଳ ଆଦିର ବିଚାର କଲେ ଉଭୟ ମଧ୍ୟରେ ପାର୍ଥକ୍ୟ ପ୍ରତୀତ ହୁଏ । ମହିଷାସୁରମର୍ଦ୍ଦିନୀଙ୍କର ଆବିର୍ଭାବ ସ୍ୱାୟମ୍ଭୁବ ଅର୍ଥାତ୍‌ ପ୍ରଥମ ମନ୍ୱନ୍ତରରେ  । ତଥା ଲୀଳାସ୍ଥଳ ହିମାଳୟରେ ଆଉ କାର୍ଯ୍ୟ ମହିଷାସୁର ବଧ । ଦୁର୍ଗମାସୁରଘାତିନୀଙ୍କର ଆବିର୍ଭାବ ବୈବସ୍ୱତ ମନ୍ୱନ୍ତରରେ ଲୀଳା ସ୍ଥଳ ବିନ୍ଧ୍ୟାଚଳ ତଥା କାର୍ଯ୍ୟ ଦୁର୍ଗମାସୁର ବଧ ।
ଦେବୀଭାଗବତରେ ଦେବୀ ଦେବତାମାନଙ୍କୁ ଏ ସମ୍ପର୍କରେ କହିଛନ୍ତି—
ସ୍କନ୍ଦପୁରାଣର କାଶୀଖଣ୍ଡରେ ଦୁର୍ଗାସୁରର ବଧ କରି ତାଙ୍କର ଦୁର୍ଗା ନାମ ପ୍ରସିଦ୍ଧ ହେବାକଥା କୁହାଯାଇଛି । ଦୁର୍ଗମ ଏବଂ ଦୁର୍ଗାସୁର ଜଣେ ବ୍ୟକ୍ତି ଅଟେ । କାଶୀଖଣ୍ଡର ବର୍ଣ୍ଣନାନୁସାରେ ଦୁର୍ଗାସୁର ସହିତ ଯୁଦ୍ଧ ବିନ୍ଧ୍ୟାଚଳରେ ହୋଇଥିଲା ।
ଶତାକ୍ଷୀ ଦେବୀଙ୍କ ଆବିର୍ଭାବର ସମାଚାର ଶୁଣି ଦୁର୍ଗମାସୁର ସେନା ସହିତ ଯୁଦ୍ଧ ନିମନ୍ତେ ଚାଲିଲେ । ସେ ସମୟରେ ଦେବୀଙ୍କ ଶରୀରରୁ କାଳୀ, ତାରା ଆଦି ଶକ୍ତିସମୂହ ବାହାରି ଦୈତ୍ୟମାନଙ୍କ ସେନାକୁ ଚ୍ଛିନ୍ନ-ଭିନ୍ନ କରିପକାଇଲେ । ଯୁଦ୍ଧର ଏକାଦଶ ଦିନ ଦେବୀ ଦୁର୍ଗମାସୁରର ବଧ କରି ନିଜ ‘ଦୁର୍ଗା’ ନାମର ଘୋଷଣା କଲେ ॥
ତିନିଲୋକରେ ଶାନ୍ତି ସ୍ଥାପିତ ହେଲା । ମୁନିଗଣ ସ୍ତୁତିକଲେ । ଦେବୀଭାଗବତର ଟୀକାକାର ନୀଳକଣ୍ଠ କହିଛନ୍ତି, ଶତାକ୍ଷୀ ଆଦି ନାମତ୍ରୟ ଏକ ଭଗବତୀଙ୍କର ଜଳଦାନ ଆଦିର କାର୍ଯ୍ୟଭେଦ ସହ ରହିଛି, ଅବତାର ଭେଦ ସହ ନାହିଁ । ହେଲେ ନାଗୋଜୀ ଭଟ୍ଟ ତାଙ୍କର ଆବିର୍ଭାବ କାଳ ସମ୍ବନ୍ଧରେ କହିଛନ୍ତି, ବୈବସ୍ୱତ ମନ୍ୱନ୍ତରର ୪୦ତମ ଚତୁର୍ଯୁଗରେ ଦେବୀ ଶତାକ୍ଷୀ ଶାକମ୍ଭରୀରୂପେ ଅବତୀର୍ଣ୍ଣ ହେବେ । ଲକ୍ଷ୍ମୀତନ୍ତ୍ରରେ ମଧ୍ୟ କୁହାଯାଇଛି—“ତସ୍ମିନ୍ନେବାନ୍ତରେ ଶକ୍ର ଚତ୍ୱାରିଂଶତତମେ ଯୁଗେ ।” ଏ ସମସ୍ତ ବଚନର ଅବଲମ୍ବନରେ ଶତାକ୍ଷୀ, ଶାକମ୍ଭରୀ ଏବଂ ଦୁର୍ଗା ଦେବୀଙ୍କ ଅବତାର ଭେଦରେ ତିନୋଟି ନାମ  ।
୬. ଭୀମା :— ଲକ୍ଷ୍ମୀତନ୍ତ୍ରନୁସାରେ ଭୀମା, କାଳୀଙ୍କର ଅଂଶଭୂତା ଅଟନ୍ତି । ଆହୁରି ମଧ୍ୟ କୁହାଯାଇଛି, ବୈବସ୍ୱତ ମନ୍ୱନ୍ତରର ୫୦ତମ ଚତୁର୍ଯୁଗରେ ତାଙ୍କର ଆବିର୍ଭାବ ହେବ । ସେ ନୀଳବର୍ଣ୍ଣା, ଦଂଷ୍ଟ୍ରାକରାଳବଦନା ଅଟନ୍ତି । ତାଙ୍କର ହସ୍ତରେ ଚନ୍ଦ୍ରହାସ, ଡ଼ମରୁ, ନରମୁଣ୍ଡ ପାନପତ୍ର ରହିଥାଏ । ସେ ଏକବୀରା ଏବଂ କାଳରାତ୍ରି ନାମରେ ମଧ୍ୟ ଅଭିହିତ । ସେ ନିଦ୍ରା ଏବଂ ଦୁରତିକ୍ରମ୍ୟା ତୃଷ୍ଣାତରଙ୍ଗିଣୀ ଅଟନ୍ତି ।
ଶ୍ରୀଶ୍ରୀଚଣ୍ଡୀର ମୂର୍ତ୍ତିରହସ୍ୟରେ ତାଙ୍କ ରୂପର ବର୍ଣ୍ଣନା କରାଯାଇଛି— ଦେବୀ ସ୍ୱୟଂ ବଚନ ଦେଇ କହିଛନ୍ତି କି, ସେ ମୁନିମାନଙ୍କର ପରିତ୍ରାଣ ନିମନ୍ତେ ହିମାଳୟରେ ଭୀଷଣମୂର୍ତ୍ତି ଧାରଣକରି ରାକ୍ଷସମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ତେଣୁ ମୁନିଗଣ ତାଙ୍କୁ ଭୀମା ନାମ ପ୍ରଦାନ କରିବେ ॥
୭. ଭ୍ରାମରୀ :— ଶ୍ରୀଶ୍ରୀଚଣ୍ଡୀରେ ଦେବୀଙ୍କର ଭ୍ରାମରୀ ରୂପ ସପ୍ତମ ଅବତାର । ଦେବୀ କହିଛନ୍ତି, ଯେତେବେଳେ ଅରୁଣ ନାମକ ଅସୁର ତ୍ରିଭୁବନରେ ଉତ୍ପାତ କରିବ, ସେତେବେଳେ ସେ ଭ୍ରାମରୀ ରୂପେ ଅବତୀର୍ଣ୍ଣ ହୋଇ ଅସୁରର ବଧକରିବେ । ଲକ୍ଷ୍ମୀତନ୍ତ୍ରରେ ଭ୍ରାମରୀ ଦେବୀଙ୍କର ଆବିର୍ଭାବ ସମୟ ବୈବସ୍ୱତ ମନ୍ୱନ୍ତରର ୬୦ତମ ଚତୁର୍ଯୁଗ ଅଟେ । ତେଣୁ ସେ କାଳୀଙ୍କର ଅଂଶ ବୋଲାନ୍ତି । ଗୁପ୍ତବତୀ ଟୀକାକାର ଭାସ୍କର ରାୟଙ୍କ ମତରେ ଭୀମରଥୀ ଏବଂ କାକିନୀ ନଦୀର ସଙ୍ଗମରେ ଅନୁଗୁଣ୍ଠ କ୍ଷେତ୍ରରେ ଏବଂ ତାହାର ପୂର୍ବ ଦିଗକୁ ସନ୍ନିତି କ୍ଷେତ୍ରରେ ପରମେଶ୍ୱରୀ ନାମରେ ପ୍ରସିଦ୍ଧ ତାଙ୍କର କୁଳଦେବୀ ଭ୍ରମରା ଅଟନ୍ତି ॥
ଦେବୀଭାଗବତର ବର୍ଣ୍ଣନାନୁସାରେ ପାତାଳର ରାଜା ଅରୁଣ ନାମକ ଅସୁର ଅମର ହେବାପାଇଁ କଠୋର ତପସ୍ୟା କଲା । ବ୍ରହ୍ମା କହିଲେ—“ଦେବତାଗଣ ମଧ୍ୟ ମୃତ୍ୟୁଗ୍ରସ୍ତ ଅଟନ୍ତି । ତୁମକୁ କିପରି ଅମରତ୍ୱ ପ୍ରଦାନ କରିବି ? ସେତେବେଳେ ଅସୁର କହିଲା—
ହେ ପ୍ରଭୁ, ଯୁଦ୍ଧ, ଅସ୍ତ୍ର, ଶସ୍ତ୍ର, ପୁରୁଷ ଅଥବା ନାରୀ, ଦ୍ୱିପଦ, ଚତୁଷ୍ପଦ ଅଥବା ଉଭୟ ଆକାର ଦ୍ୱାରା ମୋର ମୃତ୍ୟୁ ନହେଉ, ଏହି ବର ପ୍ରଦାନ କରନ୍ତୁ । ବ୍ରହ୍ମା ମଧ୍ୟ ‘ତଥାସ୍ତୁ’ କହି ଚାଲିଗଲେ । ଅସୁର ଅହଂକାରରେ ମତ୍ତ ହୋଇ ସ୍ୱର୍ଗ ରାଜ୍ୟ ଉପରେ ଆକ୍ରମଣ କଲା । ଦେବତାଗଣ ଭୟଭୀତ ହୋଇ ମହାଦେବଙ୍କର ଶରଣାଗତ ହେଲେ । ସେହି ସମୟରେ ଆକାଶବାଣୀ ହେଲା, “ତୁମେମାନେ ଭୁବନେଶ୍ୱରୀଙ୍କର ଭଜନ କର । ସେ ହିଁ ସମସ୍ତ କାର୍ଯ୍ୟ କରିବେ । ଦୈତ୍ୟରାଜଙ୍କଠାରୁ ଗାୟତ୍ରୀର ତ୍ୟାଗ କରାଅ” ଦେବତାମାନେ ବୃହସ୍ପତିଙ୍କୁ ପଠାଇ ଛଳପୂର୍ବକ ଦୈତ୍ୟରାଜଙ୍କଠାରୁ ଗାୟତ୍ରୀର ତ୍ୟାଗ କରାଇଦେଲେ । ନିସ୍ତେଜ ଅସୁରର ମୃତ୍ୟୁ ନିମନ୍ତେ ଦେବତାମାନଙ୍କ ଦ୍ୱାରା ଦେବୀଯଜ୍ଞ କରିବାରୁ ପ୍ରସନ୍ନ ହୋଇ ଦେବୀ ଭ୍ରାମରୀ-ମୂର୍ତ୍ତିରେ ଆବିର୍ଭୂତ ହେଲେ । ଦେବତାମାନଙ୍କ ଦ୍ୱାରା ତାଙ୍କୁ ଅସୁର ବଧ ନିମନ୍ତେ ପ୍ରାର୍ଥନା କରିବାରୁ ଦେବୀ ସ୍ୱହସ୍ତରେ ସ୍ଥିତ ଅସଂଖ୍ୟ ଭ୍ରମରକୁ ପ୍ରେରଣ କଲେ । ଭ୍ରମରବାହିନୀ ଅରୁଣାସୁରର ସେନାର ବକ୍ଷସ୍ଥଳକୁ ବିଦୀର୍ଣ୍ଣ କରି ବିନଷ୍ଟ କରିଦେଲେ । ଯଥାଶୀଘ୍ର ଅରୁଣାସୁର ସମେତ ଅସୁର-ସମୂହ ବିଧ୍ୱଂସ ହୋଇଗଲେ ।”
ପୁରାଣାଦିରେ ଦେବୀଙ୍କର ଭ୍ରାମରୀ ନାମର ଅନେକ ବ୍ୟାଖ୍ୟା ମିଳିଥାଏ । ସପ୍ତଶତୀ ଚଣ୍ଡୀର ଟୀକାକାର ନାଗୋଜୀ ଭଟ୍ଟ ଏବଂ ଦେବୀଭାଗବତରେ ମଧ୍ୟ ଏକଥା ଉଲ୍ଲେଖ ଅଛି ॥
ଦେବୀଙ୍କର ଏହି ସମସ୍ତ ଅବତାରର ଆବିର୍ଭାବକାଳ ସମ୍ବନ୍ଧରେ ଲକ୍ଷ୍ମୀତନ୍ତ୍ରରେ ଉଲ୍ଲେଖ ରହିଛି— ସେ ବୈବସ୍ୱତ ମନ୍ୱନ୍ତରରେ ବିଭିନ୍ନ ସମୟରେ ଆବିର୍ଭୂତ ହେବେ । ଦେବୀଙ୍କର ସମସ୍ତ ଅବତାର ମନ୍ୱନ୍ତର ଏବଂ ଯୁଗଭେଦରୁ ଏହି କଳ୍ପର ପୂର୍ବବର୍ତ୍ତୀ କଳ୍ପରେ ଆବିର୍ଭୂତ ହୋଇଥିଲେ । ଗୁପ୍ତବତୀ ଟୀକାକାର ସ୍ପଷ୍ଟ କହିଛନ୍ତି କି ମନେରଖିବାକୁ ହେବ ଯେ, ବର୍ତ୍ତମାନ ଶ୍ୱେତ ବରାହ କଳ୍ପର ପୂର୍ବବର୍ତ୍ତୀ କଳ୍ପମାନଙ୍କରେ ମଧ୍ୟ ଦେବୀଙ୍କର ଏହି ସମସ୍ତ ଅବତାର ମନ୍ୱନ୍ତର ଏବଂ ଯୁଗଭେଦ କାରଣରୁ ହୋଇଥିଲା । ଏଥିପାଇଁ ଆଧୁନିକ କାଳର ସାଧକଗଣ ଯେଉଁ ଶାକମ୍ଭରୀ ଆଦିଙ୍କର ନିଜ ନିଜ କୁଳଦେବୀ ରୂପରେ ଅର୍ଚ୍ଚନା କରନ୍ତି, ତାହା ସଙ୍ଗତ ଅଟେ ॥
ଏହିଭଳି ଭାବରେ ସେହି ନିତ୍ୟା ଦେବୀ ଜଗତପରିପାଳନ ନିମନ୍ତେ ବିଭିନ୍ନ କାଳରେ ଅବତାର ଗ୍ରହଣ କରିଥାନ୍ତି । ଦେବତାମାନଙ୍କୁ ଦେଇଥିବା ସେହି ବଚନର ପାଳନାର୍ଥେ ବିଭିନ୍ନ ଅବତାରରେ ଆବିର୍ଭୂତ ହୋଇ ସେମାନେ ଶତ୍ରୁମାନଙ୍କର ବିନାଶ କରିଥାନ୍ତି ।
କଳ୍ପକଳ୍ପରେ ଅସୁରମାନଙ୍କର ରୂପ ପରିବର୍ତ୍ତିତ ହୋଇଥାଏ । ଏଥିପାଇଁ ଦେବୀଙ୍କୁ ମଧ୍ୟ ବିବିଧ ଉପାୟର ଅବଲମ୍ବନ କରିବାକୁ ପଡ଼େ । ପ୍ରାଚୀନ କାଳରେ ଦାନବଗଣଙ୍କୁ ବିନାଶ କରିବାପାଇଁ ତାଙ୍କର ଆବିର୍ଭାବ ହୋଇଥିଲା । ଦାନବଗଣଙ୍କର ଏହି ତାଣ୍ଡବ ବହିର୍ଜଗତ୍‌ ସଦୃଶ ଅନ୍ତର୍ଜଗତ୍‌ରେ ମଧ୍ୟ ଚାଲିଥାଏ ।
“ଆସ୍ତିକ୍ୟଭାବ, ପରଲୋକ-ଚିନ୍ତନ, ଧ୍ୟାନନିଷ୍ଠା ଆଦି ସଦ୍‌ଗୁଣସମୂହକୁ ନିର୍ମୂଳ କରିବାପାଇଁ ବର୍ତ୍ତମାନ ଯୁଗରେ ଅଶ୍ରଦ୍ଧା, ଜଡ଼ବାଦପ୍ରିୟତା, ଭୋଗପରାୟଣତା ଆଦି ଆସୁରୀ ଦୁର୍ଗୁଣସମୂହ ଯେଉଁ ଯୁଦ୍ଧର ଘୋଷଣା କରିଛନ୍ତି ତଥା ଯାହାର ଫଳସ୍ୱରୂପ ଧର୍ମଗ୍ଲାନି, ଅଧର୍ମରେ ବୃଦ୍ଧି ଏବଂ ଈର୍ଷା, ଦ୍ୱେଷ, କାମ ଆଦିର ଆଧିକ୍ୟତା କାରଣରୁ ଲୋକକ୍ଷୟକାରୀ କଳହ-ଯୁଦ୍ଧ ଆଦି ହେଉଛି, ଏହା ଏ ସମୟର ଦେବାସୁର-ସଂଗ୍ରାମ ଅଟେ ॥”

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.