Last updated on August 13, 2022
ଅକ୍ରନ୍ କର୍ମ କର୍ମକୃତଃ ସହ ବାଚା ମୟୋଭୁବା ।
ଦେବେଭ୍ୟଃ କର୍ମ କୃତ୍ୱାସ୍ତଂ ପ୍ରେତ ସଚାଭୁବଃ ॥ (ଯଜୁର୍ବେଦ -୩/୪୭)
ଭାବାର୍ଥ : ଆଳସ୍ୟକୁ ତ୍ୟାଗ କରି ପୁରୁଷାର୍ଥୀ ହୁଅ, ମୂର୍ଖତାକୁ ତ୍ୟାଗ କରି ବେଦଜ୍ଞାନ ପ୍ରାପ୍ତ ହୁଅ, ମଧୁର ବଚନ କୁହ, ପରସ୍ପର ମିଶି ଜଣେ ଅପରର ସହାୟତା କର । ଏହା ଦ୍ୱାରା ଇହଲୌକିକ ଓ ପାରଲୌକିକ ସୁଖକୁ ଅବଶ୍ୟ ପ୍ରାପ୍ତି ହୋଇପାରିବ ।
ବ୍ୟାଖ୍ୟା : ବେଦ ଜ୍ଞାନ-ବିଜ୍ଞାନର ଅଜସ୍ର ଭଣ୍ଡାର ଅଟେ । ବେଦ ଜ୍ଞାନର ପରିପୁଷ୍ଟିରେ ମନୁଷ୍ୟ ଜୀବନର ସାର୍ଥକତା ନିହିତ । ଯେଉଁ ବୈଦିକ ଜ୍ଞାନ ଆମକୁ ସଂସାରର ଗୂଢତମ ତତ୍ତ୍ୱ ଅବଗାହନରେ ସହାୟ ହୋଇଥାଏ, ସେହି ଜ୍ଞାନ ଆମକୁ ଜୀବନରେ ପ୍ରୟୋଗ କରିବାର ମାର୍ଗ ମଧ୍ୟ ପ୍ରଦର୍ଶନ କରିଥାଏ । ଅଜ୍ଞାନ ଓ କୁସଂସ୍କାରରୁ ମୁକ୍ତ ହେବା, ପତିତକୁ ଉଦ୍ଧାର କରିବାର ପ୍ରୟାସୀ କରିବା ତଥା ସଦ୍ ଜ୍ଞାନର ପ୍ରସାର କରିବା ମାନବର ଧର୍ମ ଅଟେ । ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ମନୁଷ୍ୟ ନିଜ ସ୍ୱାର୍ଥ, ଲାଳସା ଓ କାମନା ପୂରଣ ନିମିତ୍ତ ମୂର୍ଖ ଭାବରେ, ଉଚିତ-ଅନୁଚିତର ଧ୍ୟାନ ନ ରଖି ନୀଚତାକୁ ମଧ୍ୟ ସ୍ୱୀକାର କରିନିଏ ।
ଆମକୁ ସଜ୍ଜନମାନଙ୍କର ମାର୍ଗ ଅନୁସରଣ କରିବା ଦରକାର । ସେଥିପାଇଁ କୁହାଯାଇଛି ‘ଓଁ ଦେବାନାମପି ପନ୍ଥାମଗନ୍ମ ।’ ଉଦାରତା, ସହାୟତା ଓ ପ୍ରେମ ପରିପୂର୍ଣ୍ଣ ଜୀବନ ନିର୍ବାହ ପୂର୍ବକ ସମସ୍ତଙ୍କର ଉନ୍ନତିକୁ ପ୍ରଶସ୍ତ କରିବା ଦରକାର । ନିଜ ସ୍ୱାର୍ଥ ସାଧନରୁ ନିବୃତ୍ତ ରହି ଅନ୍ୟର ହିତସାଧନ ପାଇଁ ତତ୍ପର ରହିବା ଉଚିତ ।
ଜୀବନ ନଶ୍ୱର, ଏହାର ଅର୍ଥ ନୁହେଁ କି ସମୟ ନଷ୍ଟ କରିବା, ଆଳସ୍ୟ ଓ ବ୍ୟର୍ଥ ବାର୍ତ୍ତାଳାପରେ ଅପଚୟ କରିବା । ଏଥିରୁ ଏଇ ପ୍ରେରଣା ଲାଭ କରିବା ଦରକାର କି, ସମୟର ସଦୁପଯୋଗ କରି, ପରମାତ୍ମ ଚିନ୍ତନରେ ତତ୍ପର ରହି ଉଚିତ କର୍ମ ସମ୍ପାଦନ କରିବା ଦରକାର ।
ନିଷ୍କ୍ରିୟତା ଜଡତାର ଲକ୍ଷଣ ଅଟେ, ମୃତ୍ୟୁର ଲକ୍ଷଣ ଅଟେ । ଅତଃ ଆଳସ୍ୟ ପରାୟଣ ବ୍ୟକ୍ତି ନିଷ୍କ୍ରିୟ ହେବାବେଳେ ଜ୍ଞାନୀ ଶାନ୍ତ ଏବଂ ସନ୍ତୁଳିତ ହୋଇଥାନ୍ତି । ସେମାନେ ଶ୍ରେୟ ପଥ ଅନୁସରଣ କରି ଆତ୍ମିକ ପରମାନନ୍ଦ ପ୍ରାପ୍ତ ହୋଇଥାନ୍ତି ଏବଂ ଜୀବନର ସବୁ ପ୍ରକାର ସୁଖ ଓ ସନ୍ତୁଷ୍ଟି ଲାଭ କରିଥାନ୍ତି ।
Be First to Comment