Press "Enter" to skip to content

ସୁଶ୍ରୁତଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ—4

Last updated on February 6, 2021

ପ୍ରୋ. ଯଜ୍ଞେଶ୍ୱର ନାଥ, ମୋ: ୭୦୦୮୫୮୦୯୦୧

ଚିକିତ୍ସା ଚତୁଷ୍ପାଦ— ସୁଶ୍ରୁତ ରୋଗୀର ସଫଳ ଚିକିତ୍ସା ପାଇଁ ଚାରୋଟି ପାଦ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି  । ୧) ବୈଦ୍ୟ, ୨) ରୋଗୀ, ୩) ଔଷଧୀ ଏବଂ ୪) ପରିଚାରକ  । ଏହି ଚାରୋଟି ପାଦ ଧାତୁସାମ୍ୟ ବା ଆରୋଗ୍ୟ ରୂପୀ କର୍ମସିଦ୍ଧି ପାଇଁ ଆବଶ୍ୟକ  । ସୁ.ସୂ.୩୪.୧୪
ଉପରୋକ୍ତ ଚାରୋଟି ପାଦ ମଧ୍ୟରୁ ବୈଦ୍ୟ ଶ୍ରେଷ୍ଠ ଅଟେ କାରଣ ବୈଦ୍ୟ ବିନା ଅନ୍ୟ ତିନୋଟି ପାଦ ନିରର୍ଥକ  । ଯେପରିକି ଗଭୀର ଜଳରେ ରହିଥିବା ନୌକାକୁ କେବଳ କୁଶଳ ନାଉରୀ ଅନ୍ୟର ସହାୟତା ବିନା ଉଦ୍ଧାର କରେ, ସେହିପରି ଯଥୋକ୍ତ ଗୁଣଯୁକ୍ତ ବୈଦ୍ୟ ରୋଗରୂପୀ ଜଳାର୍ଣ୍ଣବରୁ ରୋଗୀକୁ ଉଦ୍ଧାର କରିପାରେ  ।
ବୈଦ୍ୟଗୁଣ — ଶାସ୍ତ୍ରର ତତ୍ତ୍ୱ ଜାଣିଥିବ, ଚିକିତ୍ସା କର୍ମ ଦେଖିଥିବ, ନିଜେ ଚିକିତ୍ସା କରିଥିବ, ଲଘୁହସ୍ତା, ଯାହାର ଅନ୍ତର ଓ ବାହ୍ୟ ସ୍ୱଚ୍ଛ, ସମସ୍ତ ସାଧନ ସାମଗ୍ରୀଯୁକ୍ତ ଏହାଙ୍କୁ ଚିକିତ୍ସକ କୁହାଯାଏ  । ସୁ.ସୂ.୩୪.୧୮-୧୯
ଆୟୁ ପରୀକ୍ଷା ମହତ୍ତ୍ୱ — ରୋଗୀର ଚିକିତ୍ସା କରିବା ପୂର୍ବରୁ ବୈଦ୍ୟଙ୍କୁ ପ୍ରଥମେ ରୋଗୀର ଆୟୁ ପରୀକ୍ଷା କରିବା ଉଚିତ  । ଯଦି ଆୟୁ ଥିବ, ତେବେ ବ୍ୟାଧି, ଋତୁ, ବୟସ, ଦେହ, ସତ୍ତ୍ୱ, ସ୍ୱାସ୍ଥ୍ୟ, ପ୍ରକୃତି, ଔଷଧ ଏବଂ ଦେଶ ଆଦିର ପରୀକ୍ଷା କରିବ  । ସୁ,ସୂ.୩୫-୨
ସାଧାରଣତଃ ମାତାର ଗର୍ଭ ସଞ୍ଚାର ଠାରୁ ଯେ ନିରୋଗ ତଥା ଯାହାର ଶରୀର, ଜ୍ଞାନ ଏବଂ ବିଜ୍ଞାନ ଧୀରେ ଧୀରେ ବୟସାନୁସାରେ ବୃଦ୍ଧି ହୁଏ, ତାକୁ ଦୀର୍ଘାୟୁ ବୋଲି ଜାଣିବ  । ସୁ.ସୂ.୩୫-୫
ପଞ୍ଚବିଂଶୋ ଗତବର୍ଷେ ପୁମାନ୍ ନାରୀ ତୁ ଷୋଡଶୋ  ।
ସମତ୍ୱାଗତ ବୀର୍ଯ୍ୟେ ତୌ ଜାନୀୟାତ୍ କୁଶଳୋ ଭିଷକ୍   ॥ ସୁ.ସୂ.-୩୫-୧୪
ପୁରୁଷର ବୟସ ୨୫ବର୍ଷ ଏବଂ ସ୍ତ୍ରୀର ୧୬ ବର୍ଷ ଅବସ୍ଥାରେ ପରିପୂର୍ଣ୍ଣ ହୁଏ  । ଏହା କୁଶଳ ବୈଦ୍ୟ ଜାଣିବା ଉଚିତ  । ସୁ.ସୂ.୩୫-୧୪
ବିମର୍ଶ – ଆଜିକାଲି ୧୮ବର୍ଷ ପୂର୍ବରୁ ଝିଅର ବାହାଘରକୁ ଧର୍ତବ୍ୟ ଅପରାଧ ବୋଲି ଗଣାଯାଏ  ।
ନାସ୍ତି ରୋଗୋ ବିନା ଦୋଷୈର୍ଯସ୍ମାତ୍ତସ୍ମାଦବିଚକ୍ଷଣଃ  ।
ଅନୁକ୍ତମପି ଦୋଷାଣାଂ ଲିଙ୍ଗୈ ର୍ବ୍ୟାଧିମୁପାଚରେତ୍  । ସୁ.ସୂ.୩୫-୨୨
ଅନୁକ୍ତ ରୋଗ ଚିକିତ୍ସା— ଦୋଷ ବିନା ରୋଗ ହୁଏନାହିଁ  । ଏଥିପାଇଁ ଅଜ୍ଞାତ ରୋଗର ଚିକିତ୍ସା ଦୋଷର ଲକ୍ଷଣ ଅନୁସାରେ ଚତୁର ବୈଦ୍ୟ କରିବା ଉଚିତ  । ପ୍ରକୃତ ଚିକିତ୍ସା ବୃଦ୍ଧି ହୋଇଥିବା ଦୋଷକୁ ଶାନ୍ତକରେ ଏବଂ ଅନ୍ୟ (ନୂଆ) ବ୍ୟାଧିକୁ ଉତ୍ପନ୍ନ କରେନାହିଁ  । କିନ୍ତୁ ଯାହା ଏକ ରୋଗକୁ ଦୂରକରି ଅନ୍ୟ ବ୍ୟାଧିକୁ ଉତ୍ପନ୍ନ କରେ, ତାହା ଯଥାର୍ଥ କ୍ରିୟା ବା ଚିକିତ୍ସା ନୁହେଁ  । ସୁ.ସୂ.୩୫-୨୬
ପ୍ରାଗଭିହିତୋଽଗ୍ନିରନ୍ନସ୍ୟ ପାଚକଃ  । ସ ଚତୁବିଧା ଭବତି— ବିଷମୋ ବାତେନ, ତୀକ୍ଷ୍ଣଃ ପିତ୍ତେନ, ମନ୍ଦଃ ଶ୍ଲେଷ୍ମଣା, ଚତୁର୍ଥଃ ସମଃ ସର୍ବସାମ୍ୟା ଦିତି  । ସୁ.ସୂ.୩୫-୨୭
ଜଠରାଗ୍ନି ପ୍ରକାର — ପୂର୍ବରୁ କୁହାଯାଇଛି— ଅଗ୍ନି ଅନ୍ନକୁ ପାଚନକରେ  । ତାହା ଦୋଷାନୁସାରେ ୪ ପ୍ରକାର ଅଟେ  । ବାୟୁ ଦ୍ୱାରା ବିଷମ, ପିତ୍ତରୁ ତୀକ୍ଷ୍ଣ, କଫରୁ ମନ୍ଦ ଏବଂ ସର୍ବଦୋଷର ସମାନତାରୁ ସମାଗ୍ନି ହୋଇଥାଏ  ।
ଯାହା ଠିକ୍ ସମୟରେ ଖାଇଥିବା ଖାଦ୍ୟକୁ ଉତ୍ତମ ରୂପେ ପାକ କରିନିଏ, ତାକୁ ‘ସମ’ ଅଗ୍ନି କୁହାଯାଏ  । ଏହା ଦୋଷର ସାମ୍ୟତାରୁ ହୋଇଥାଏ  । ଯାହା କେବେକେବେ ଅନ୍ନକୁ ଠିକ୍‌ ସମୟରେ ପାକ କରେଏବଂ କେବେକେବେ ଆଧ୍ମାନ, ଶୂଳ, ମୁଳାବରୋଧ, ଅତିସାର, ପେଟରେ ଗୁରୁତା, ଅନ୍ତରେ ଗୁଡୁଗୁଡୁ ଶବ୍ଦ, କୁନ୍ଥନ ଆଦି ବିକାର ଉତ୍ପନ୍ନକରି ପାକ କରେ, ତାହା ବିଷମାଗ୍ନି ଅଟେ  । ଯାହା ମାତ୍ରାଧିକ ଭୋଜନକୁ ଶୀଘ୍ର ପାକକରେ, ତାହା ତୀକ୍ଷ୍ଣାଗ୍ନି ଅଟେ  । ଏହା ବାରମ୍ବାର ଅଧିକ ମାତ୍ରାରେ ସେବନ କରିଥିବା ଅନ୍ନକୁ ଶୀଘ୍ର ପାକ କରିଦିଏ ଏବଂ ପରେ ପରେ ଗଳା, ତାଳୁ, ଓଠରେ ଶୁଷ୍କତା, ଦାହ ସନ୍ତାପ ଉତ୍ପନ୍ନ କରେ  । ଯାହା ଯଥା ବିଧି ସେବନ କରିଥିବା ଅଳ୍ପ ଭୋଜନରୁ ପେଟ ଓ ଶିରରେ ଗୁରୁତା, କାଶ, ଶ୍ୱାସ, ବମନ, ଆଳସ୍ୟ ଆଦି ବିକାର ଉତ୍ପନ୍ନ କରି ବହୁତ ବିଳମ୍ବରେ ପାକ କରେ, ତାକୁ ମନ୍ଦାଗ୍ନି କୁହାଯାଏ  ।
ତୀକ୍ଷ୍ଣାଗ୍ନିକୁ ଭସ୍ମକ(polyphagia) କୁହାଯାଏ  । ଏହା ଆମାସୟିକ ରସର ଅଧିକତା (hyperchlicrhydria) ମଧୁମେହ, ହିଷ୍ଟେରିଆ ତଥା ଆନ୍ତ୍ରସ୍ଥ କୃମି ଯୋଗୁ ହୋଇଥାଏ  । ସୁ.ସୂ.୩୫-୨୮
ବିଷମୋ ବାତଜାନ୍ ରୋଗାଂସ୍ତୀକ୍ଷ୍ଣଃ ପିତ୍ତନିମିତ୍ତଜାନ୍  ।
କରୋତ୍ୟଗ୍ନିସ୍ତଥା ମନ୍ଦୋବିକାରାନ୍ କଫସଂଭବାନ୍  । ସୁ.ସୂ.୩୫-୨୯
ବିଷମାଗ୍ନି ବାତ ଜନିତ ରୋଗ, ତୀକ୍ଷ୍ଣାଗ୍ନି ପିତ୍ତ ଜନିତ ରୋଗ ଏବଂ ମନ୍ଦାଗ୍ନି କଫଜନିତ ରୋଗକୁ ଉତ୍ପନ୍ନ କରେ  ।
ଅଗ୍ନିର ଚିକିତ୍ସା — ଏଥି ମଧ୍ୟରୁ ସମ ଅଗ୍ନିକୁ ରକ୍ଷା କରିବ, ବିଷମ ଅଗ୍ନି ହୋଇଥିଲେ ସ୍ନିଗ୍ଧ ଦ୍ରବ୍ୟ, ଅମ୍ଳ, ଲବଣ(ରସରେ) ତଥା ବାତନାଶକ ଆହାର ବିହାର କ୍ରିୟା ବିଶେଷରେ ତାହାର ପ୍ରତିକାର କରିବ  । ଅଗ୍ନି, ତୀକ୍ଷ୍ଣ ହେଲେ ମଧୁର, ସ୍ନିଗ୍ଧ, ଶୀତଳ (ଖାଦ୍ୟପେୟ) ତଥା ବିରେଚନ ଦ୍ୱାରା ପ୍ରତିକାର କରିବ  । ମଇଁଷି ଦୁଗ୍ଧ, ଦହି ଏବଂ ଘୃତ ଦ୍ୱାରା ଅତ୍ୟଗ୍ନିକୁ ଶାନ୍ତ କରିବ  । ମନ୍ଦାଗ୍ନିରେ କଟୂ, ତିକ୍ତ, କଷାୟ, ଦ୍ରବ୍ୟ ଭୋଜନ ଏବଂ ବମନ ଦ୍ୱାରା ପ୍ରତିକାର କରିବ  । ସୁ.ସୂ.୩୫-୩୦
ଜଠରୋ ଭଗବାନଗ୍ନିରୀଶ୍ୱରୋଽନ୍ନସ୍ୟ ପାଚକଃ  ।
ସୌକ୍ଷ୍ମ୍ୟାଦ୍ରସାନାଦଜାନୋ ବିବେକ୍ତୁଂ ନୈବ ଶକ୍ୟତେ  । ସୁ.ସୂ. ୩୫-୩୧
ଅନ୍ନର ପରିପାକ କରୁଥିବା ରସକୁ ଗ୍ରହଣ କରୁଥିବା, ମହାବୀର୍ଯ୍ୟବାନ୍ ଶରୀରର ମାଲିକ, ମାତ୍ର ଜଠରାଗ୍ନି ସୂକ୍ଷ୍ମ ହୋଇଥିବାରୁ ବିଶେଷ ବିବେଚନ କରିବା ଅସମ୍ଭବ ଅଟେ  । ଚରକଙ୍କ ମତରେ ଅଗ୍ନି ଶାନ୍ତ ହୋଇଗଲେ ମଣିଷର ମୃତ୍ୟୁ ହୁଏ  । ଅଗ୍ନି ଠିକ୍ ରହିଲେ ରୋଗୀର ହିତ ହୋଇ ଦୀର୍ଘଜୀବି ହୁଏ  । ତେଣୁ ବିକୃତ ଅଗ୍ନିକୁ ରୋଗର ମୂଳ କାରଣ ବୋଲି କୁହାଯାଇଛି  ।
ପ୍ରାଣାପାନ ସମାନୈସ୍ତୁ ସର୍ବତଃ ପବନୈସ୍ତ୍ରିଭିଃ  ।
ଧ୍ୟାୟତେ ପାଚ୍ୟତେ ଚାପି ସ୍ୱେ ସ୍ୱେ ସ୍ଥାନେ ବ୍ୟବସ୍ଥିତୈଃ  ।
ନିଜ ସ୍ଥାନରେ ବ୍ୟବସ୍ଥିତ (ପ୍ରକୃତିସ୍ଥ) ପ୍ରାଣ, ଅପାନ ଏବଂ ବ୍ୟାନ ବାୟୁର ଅଧୀନ ଅଟେ  । ପ୍ରାଣବାୟୁ ଅନ୍ନକୁ ଗ୍ରହଣ କରେ, ଅପାନ ବାୟୁ ମଳମୂତ୍ରାଦିକୁ ଯଥା କାଳରେ ଉତ୍ସର୍ଗ କରେ ଏବଂ ସମାନ ବାୟୁ ସହିତ ମିଶି ଜଠରାଗ୍ନିକୁ ପରିପାଳନ ଏବଂ ପ୍ରଜ୍ୱଳନ କରେ  । ଏଣୁ ବାୟୁ ମାନଙ୍କର ବିକୃତି ହେଲେ ଜଠରାଗ୍ନି ବିକୃତି ହୋଇଯାଏ  ।
ବକ୍ତବ୍ୟ : ଜଠରାଗ୍ନି ଯଦ୍ୟପି ଶରୀରର ଇଶ୍ୱର ଅଟେ, ତଥାପି ନିଜର ଈଶ୍ୱର ନୁହେଁ  । ଏହା ପ୍ରାଣ, ଅପାନ ଏବଂ ବ୍ୟାନ ବାୟୁର ଅଧିନ ଅଟେ  । ପ୍ରାଣ ବାୟୁ ଅନ୍ନକୁ ଗ୍ରହଣ କରେ. ଅପାନ ବାୟୁ ମଳମୂତ୍ରାଦିକୁ ଯଥା କାଳରେ ଉତ୍ସର୍ଗକରେ ଏବଂ ସମାନ ବାୟୁ ସହିତ ମିଶି ଜଠରାଗ୍ନିକୁ ପରିପଳନ ଏବଂ ପ୍ରଜ୍ଜ୍ୱଳନ କରେ  । ଏଣୁ ବାୟୁମାନଙ୍କର ବିକୃତି ହେଲେ ଜଠରାଗ୍ନି ବିକୃତ ହୋଇଥାଏ  ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.