Press "Enter" to skip to content

ଵିଜ୍ଞାନ ଓ ଆଧ୍ୟାତ୍ମିକ ଦର୍ଶନ :

Last updated on November 19, 2020

‘ଆକର୍ଷୟତେ ଇତି କୃଷ୍ଣ’—ଅର୍ଥାତ ଯିଏ ସମସ୍ତଙ୍କୁ ଆକର୍ଷଣ କରିପାରେ, ସେ ହିଁ କୃଷ୍ଣ  । କୃଷ୍ଣ ହେଉଛନ୍ତି ଆକର୍ଷଣକାରୀ  । (Science of self-realization,  By Srila prabhupada) କୃଷ୍ଣ ହେଉଛନ୍ତି ବେଦାନ୍ତରେ ବର୍ଣ୍ଣିତ ବ୍ରହ୍ମ । ବର୍ତ୍ତମାନର ପଦାର୍ଥ ବିଜ୍ଞାନ ଯେଉଁ ‘ସିଂଗୁଲାରୀଟି’,’ଥିଓରୀ ଅଫ ଏଭ୍ରିଥିଙ୍ଗ’ ବା ‘ମହାଏକୀକୃତ ତଥ୍ୟ (Grand unified theory)’ର ସନ୍ଧାନ କାର୍ଯ୍ୟ କରିଚାଲିଛି, ସେହି ଵାସ୍ତବ ଓ ପରମ ମୂଳ ସତ୍ତାକୁ ଆମ ଋଷିମୁନିଗଣ ବହୁ ପୂର୍ବରୁ ଆତ୍ମଜ୍ଞାନ ଦ୍ୱାରା ସନ୍ଧାନ କରିସାରିଛନ୍ତି । ଵାସ୍ତବ ରେ ଶ୍ରୀକୃଷ୍ଣ ହିଁ ସମସ୍ତ ଜଡ଼ ଓ ଚେତନ ପଦାର୍ଥର ମୂଳଉତ୍ସ  । ସମସ୍ତ ଜଡ(matter), ପ୍ରାଣ(force), ଚେତନ (Consciousness-the life principle), ଶ୍ରୀକୃଷ୍ଣଙ୍କ ମାୟା ପ୍ରଭାବରେ ଜାତ ହୋଇଛି । ପ୍ରକୃତ ପକ୍ଷେ, ମାୟା କୌଣସି ଯାଦୁ କିମ୍ବା ଭ୍ରମ ନୁହେଁ, ମାୟା ହେଉଛି ଦେଶ-କାଳ-ନିମିତ୍ତ(Space-time-cause) । ମାୟା ହେଉଛି ଈଶ୍ୱରଙ୍କ ଶକ୍ତି, ଯାହା ଦ୍ୱାରା ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ପରିଚାଳିତ ହେଉଅଛି ।     
ସିଂଗୁଲାରୀଟି ହେଉଛି କୃଷ୍ଣଗର୍ତ (black hole) ମଧ୍ୟରେ ସ୍ଥିତ ଅସୀମ ସାନ୍ଦ୍ରତା (Infinite density) ବିଶିଷ୍ଟ ଏକ ବିନ୍ଦୁ, ଯେଉଁଠାରେ ସର୍ବାଧିକ ଆକର୍ଷଣ ଶକ୍ତି ରହିଛି । ଅର୍ଥାତ୍ ଏହା ସମସ୍ତ ପଦାର୍ଥକୁ ନିଜ ଆଡକୁ ଆକର୍ଷଣ କରିପାରେ  । ଠିକ ସେହିପରି ଶ୍ୟାମବର୍ଣ୍ଣ ଶ୍ରୀକୃଷ୍ଣଙ୍କ ନିକଟରେ ଅସୀମ ଆକର୍ଷଣ ଶକ୍ତି ରହିଛି, ଯଦ୍ଦ୍ୱାରା ସେ ବ୍ରଜଧାମର  ଗୋପୀବୃନ୍ଦ, ଆର୍ଯ୍ୟବର୍ତ୍ତର ସମ୍ରାଟବୃନ୍ଦ, ପଶୁପକ୍ଷୀ, ପ୍ରକୃତିର ସମସ୍ତ ଜଡ଼ ଓ ଚେତନ ପଦାର୍ଥ ତଥା ପରିଶେଷରେ ଭକ୍ତପ୍ରାଣକୁ ବିମୋହିତ କରି ନିଜ ନିକଟକୁ ଆକର୍ଷଣ କରିପାରୁଥଲେ । ଯାହା ବ୍ୟାସକୃତ ଶ୍ରୀମଦ ଭାଗବତରେ ଅତିସୁନ୍ଦର ଭାବେ ବର୍ଣ୍ଣିତ ।
ଆଧୁନିକ ବିଜ୍ଞାନର ‘‘ବିଗବ୍ୟାଙ୍ଗ’’ ତଥ୍ୟ ଅନୁସାରେ ସିଙ୍ଗୁଲାରୀଟିରୁ ସମସ୍ତ ବ୍ରହ୍ମାଣ୍ଡର ସୃଷ୍ଟି  । ସେହିପରି ଆଧ୍ୟାତ୍ମିକତାରେ ସିଙ୍ଗୁଲାରୀଟି ବା ଶ୍ରୀକୃଷ୍ଣଙ୍କ ଠାରୁ ସମଗ୍ର ସୂକ୍ଷ୍ମ ଓ ସ୍ଥୁଳ ପଦାର୍ଥ ଜାତ, ଅର୍ଥାତ୍‌ ଏକ ଅବ୍ୟକ୍ତ ମୂଳରୁ ବିବିଧ ପଦାର୍ଥ ବ୍ୟକ୍ତ ।
ଶ୍ରୀକୃଷ୍ଣଙ୍କ ବଂଶୀର ସୁମଧୁର, ସୁସଜ୍ଜିତ ସ୍ୱରର କମ୍ପନରେ ସୃଷ୍ଟିର ସବୁକିଛି ବ୍ୟକ୍ତ ହୋଇ ସୁନ୍ଦର ଓ ଶୃଙ୍ଖଳିତ ନିୟମ ଦ୍ୱାରା ପରିଚାଳିତ  । ବିଶ୍ୱବ୍ରହ୍ମାଣ୍ଡ ଠାରୁ ଆରମ୍ଭକରି ଗ୍ରହ, ତାରା, ମନୁଷ୍ୟ, ପଶୁ, ପକ୍ଷୀ, ବୃକ୍ଷ, କୀଟପତଙ୍ଗ ସମସ୍ତଙ୍କ ମଧ୍ୟରେ ଏହି  ତାଳ, ଲୟ, କ୍ରମ ଥିବାର ଦେଖାଯାଏ । ସମସ୍ତ କ୍ରିୟାର ଏକ ପ୍ରୟୋଜନ ମଧ୍ୟ ରହିଛି  । ଏହି ତାଳ ଓ ଶୃଙ୍ଖଳିତ ନିୟମ ବିନା ସୃଷ୍ଟିପ୍ରକ୍ରିୟା ଓ ପରିଚାଳନା ତିଷ୍ଠିପାରିବ ନାହିଁ । ତେବେ ଏହି ସୁନ୍ଦର ବିଶ୍ୱ କଣ କେବଳ ଅଚେତନ ଜଡ ପଦାର୍ଥରୁ ସୃଷ୍ଟି ? ନା, କୌଣସି ନିର୍ଦ୍ଦେଶକ ଶକ୍ତି, ବୁଦ୍ଧି (intelligence), ଚେତନାଶକ୍ତି (self-consciousness) ର ବିନା ସହାୟତାରେ ଏହି ସୁନ୍ଦର ଓ ଉଦ୍ଦେଶ୍ୟପୂର୍ଣ୍ଣ ବ୍ରହ୍ମାଣ୍ଡର ସୃଷ୍ଟି କଥା କଳ୍ପନା କରିବା ନିରର୍ଥକ । ସୃଷ୍ଟି ପ୍ରକ୍ରିୟା ଆକସ୍ମିକ ନୁହେଁ  । ସୃଷ୍ଟି ପ୍ରକ୍ରିୟା ନିମନ୍ତେ ଅାବଶ୍ୟକ ଯେଉଁ ଆଧାର ଓ କଳାଗୁଡିକ ପୁରୁଷ ସୂକ୍ତରେ ବର୍ଣ୍ଣିତହୋଇଛି— ଯଥାକ୍ରମେ ୧)କାମନା, ୨)ଇକ୍ଷଣ, ୩)ତପ, ୪)ବିଭୁତି, ୫)ଦେଶତୀତ-କାଳତୀତ, ୬)ମହିମା, ୭)ଈଶତ୍ୱ, ୮) ଜ୍ଞାନ, ୯) ବିକ୍ରମ, ୧୦) ଅତ୍ୟରିଚତ, ୧୧) ଅଗ୍ରଜାତ୍ୟମ, ୧୨) ସର୍ବବୃହତ, ୧୩) ସମ୍ଭରଣ, ୧୪) ଜ୍ଞାନମୟୀ, ୧୫) ଯଞ୍ଚମୟୀ, ୧୬) ଆନନ୍ଦମୟୀ । ଏହି ସବୁ କଳା କୌଣସି ଜଡ଼ ବସ୍ତୁର ନଥାଏ  । କେବଳ ଚେତନ ପଦାର୍ଥର ଆଜ୍ଞାରେ ଜଡ଼ ପରିଚାଳିତ ହୁଏ, ଠିକ ଯେମିତି ସଚେତନ ମନୁଷ୍ୟ ଦ୍ୱାରା ଏକ କମ୍ପୁଟର ଚାଳିତ ହୁଏ । ଜଡ଼ରୁ ଚେତନ ବା ଜୀବର ସୃଷ୍ଟି ହୋଇନପାରେ । କେବଳ ପରମାତ୍ମା ହିଁ ଜୀବ ସୃଷ୍ଟି କରିପାରନ୍ତି । ସୃଷ୍ଟିର କୋଣ ଅନୁକୋଣରେ ସୃଷ୍ଟିକର୍ତ୍ତା କଳାଚାତୁରୀର ନିଦର୍ଶନ ମିଳେ । ବିଶ୍ୱଶିଳ୍ପୀ (engineer) ବିଶ୍ୱକର୍ମାଙ୍କ ରଚନାଶକ୍ତି (creative power)ର ପରାକାଷ୍ଠା ହେଉଛି ଏହି ବିଶ୍ୱବ୍ରହ୍ମାଣ୍ଡ । ଅତଏବ ଏହି ରଚନାଶକ୍ତି, ବୁଦ୍ଧି ଓ ଚେତନ ବିନା କଣ ସୃଷ୍ଟି ପ୍ରକ୍ରିୟା ସମ୍ଭବ ? ନା, କଦାପି ନୁହେଁ । ସୃଷ୍ଟିରେ ତଥା ପ୍ରକୃତିରେ ପରିଲକ୍ଷିତ ଏହି ରମଣୀୟତା, ସୌନ୍ଦର୍ଯ୍ୟ, ଲାବଣ୍ୟ, ତାଳବଦ୍ଧ ଶୃଙ୍ଖଳିତ ନିୟମ, ମାଧୁର୍ଯ୍ୟ କେବଳ ଜଡ ଠାରୁ ଉତ୍ପନ୍ନ ହୋଇପାରିବ ନାହିଁ । କାରଣ ଆମେ ଜାଣୁ ଯାହା ସୁନ୍ଦର(beautiful), ତାହା ହିଁ ଶିବ(goodness) ଏବଂ ଯାହା ଶିବ, ତାହା ହିଁ ସତ୍ୟ (truth) । ସେହି ଶ୍ରୀକୃଷ୍ଣ ହିଁ ପରମସତ୍ୟ, ଯାହାଙ୍କ ବଂଶୀର ସୁମଧୁର ତାଳରେ ଏହି ସୃଷ୍ଟି ମାଧୁର୍ଯ୍ୟମୟ ହୋଇଛି  । ବଂଶୀରୁ ନାଦ ଉତ୍ପନ୍ନ ହୁଏ , ନାଦ ଅର୍ଥାତ କମ୍ପନ(vibration) । ସମଗ୍ର ସୃଷ୍ଟି ସେହି ନାଦବ୍ରହ୍ମ(vibration)ରୁ  ଉତ୍ପନ୍ନ । ବୈଦିକ ସଭ୍ୟତା ରେ ଆମ ଭାରତର ମହର୍ଷି ବୈଜ୍ଞାନିକଗଣ ଏହି ସତ୍ୟକୁ ହୃଦୟଙ୍ଗମ କରିଥିଲେ । ବର୍ତ୍ତମାନ ପଦାର୍ଥ ବିଜ୍ଞାନ ମଧ୍ୟ ସେହି ସତ୍ୟ ସନ୍ଧାନରେ ଚେଷ୍ଟିତ, ଯାହାକୁ ଷ୍ଟ୍ରିଙ୍ଗ (string theory) କୁହାଯାଏ । ଏହି string theory ଅନୁସାରେ ବିଶ୍ୱର ଅଣୁ, ପରମାଣୁ, କ୍ୱାର୍କ ଓ ସୂକ୍ଷ୍ମ କନିକମାନ ଏକ ମୂଳସତ୍ତାର କମ୍ପନରୁ ହିଁ ସୃଷ୍ଟ । ସେଥିପାଇଁ ଭାରତୀୟ ସଭ୍ୟତାରେ ନାଦ ଶବ୍ଦର ମହତ୍ତ୍ୱ ଅଧିକ । ସମସ୍ତ ହିନ୍ଦୁ ଦେବଦେବୀଙ୍କ ନିକଟରେ ଏକ ନାଦଉତ୍ପନ୍ନକାରୀ ଯନ୍ତ୍ର (musical instrument) ଯଥା ବୀଣା, ଶଙ୍ଖ, ଡମୁରୁ, ବଂଶୀ  ରହିଛି ।
ଆଧୁନିକ ବିଜ୍ଞାନର ଲକ୍ଷ୍ୟ ହେଉଛି ମୌଳିକ ବ୍ରହ୍ମାଣ୍ଡର ଏକତା ନିରୂପଣ, ଯାହାକି ବହୁପୂର୍ବରୁ ବେଦାନ୍ତ ଦ୍ୱାରା ବର୍ଣ୍ଣିତ  । ବେଦାନ୍ତ କହେ, ସମଗ୍ର ସୃଷ୍ଟିର ମୂଳରେ କେବଳ ଗୋଟିଏ ସତ୍ତା ଯାହାକି ସତ-ଚିତ-ଆନନ୍ଦ ବ୍ରହ୍ମ । ବିଜ୍ଞାନ ଖୋଜେ ଜଡ଼ବସ୍ତୁର ମୂଳ ଏକକ ଉତ୍ସ (ପ୍ରକୃତି) । ଆଧ୍ୟାତ୍ମିକ ଖୋଜେ ଚେତନାର ଉତ୍ସ ପୁରୁଷ । ଭାରତୀୟ ଦର୍ଶନ ଉଭୟ ପ୍ରକୃତି ଓ ପୃରୁଷକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭାବରେ ଗ୍ରହଣ କରି ଏହା ସମ୍ବନ୍ଧରେ ଅନୁଧ୍ୟାନ କରେ । ପ୍ରକୃତି ଓ ପୁରୁଷ ଅଭିନ୍ନ  । ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଏହି ବାର୍ତ୍ତା ପ୍ରଦାନ କରେ । ଏହା ହିଁ ଅଦ୍ୱୈତବାଦ (advaita philosophy or philosophy of nonduality)ର ସିଦ୍ଧାନ୍ତ । ଆଇନଷ୍ଟାଇନଙ୍କ ବହୁ ପୂର୍ବରୁ ସ୍ୱାମୀ ବିବେକାନନ୍ଦ ୧୮୯୩ ଚିକାଗୋ ସମ୍ମିଳନୀରେ ‘ଥିଓରୀ ଅଫ ଏଭ୍ରିଥିଙ୍ଗ’  ସମ୍ବନ୍ଧରେ କହିଥିଲେ,—
” ଏକତ୍ୱର ଆବିଷ୍କାର ବ୍ୟତୀତ ବିଜ୍ଞାନ ଆଉ କିଛି ନୁହେଁ ଏବଂ ଯେତେବେଳେ ଵିଜ୍ଞାନ ସେହି ପୂର୍ଣ୍ଣ ଏକତ୍ୱ (theory of everything)ରେ ଉପନୀତ ହୁଏ, ସେତେବେଳେ ତାହାର ଅଗ୍ରଗତି ବନ୍ଦ ହେବ, କାରଣ ବିଜ୍ଞାନ ତାହାର ଲକ୍ଷରେ ଉପନୀତ ହୋଇଛି  । ପଦାର୍ଥବିଦ୍ୟା ଯଦି ଏପରି ଗୋଟିଏ ଶକ୍ତି ଆବିଷ୍କାର କରିପାରେ, ଅନ୍ୟାନ୍ୟ ଶକ୍ତି ଯାହାର ରୂପାନ୍ତର ମାତ୍ର, ତାହାହେଲେ ସେହିଠାରେ ବିଜ୍ଞାନର କାର୍ଯ୍ୟ ଶେଷ ହେଲା  । ଧର୍ମବିଜ୍ଞାନ ମଧ୍ୟ ସେତେବେଳେ ପୂର୍ଣ୍ଣତା ଲାଭ କରେ, ଯେତେବେଳେ ଏହା ଆବିଷ୍କାର କରେ, ଯେ ଏହି ମୃତ୍ୟୁମୟ ଜଗତରେ ଏକମାତ୍ର ପରମ ଆତ୍ମା ହିଁ ସତ୍ୟ । ଏହିରୂପେ ଦ୍ୱୈତବାଦ ଭିତର ଦେଇ ଶେଷରେ ଅଦ୍ୱୈତବାଦ ଉପନୀତ ହେଲେ ଧର୍ମବିଜ୍ଞାନ ଆଉ ଅଗ୍ରସର ହୋଇପାରେ ନାହିଁ । ଏହା ହିଁ ସର୍ବପ୍ରକାର ଜ୍ଞାନ ବା ବିଜ୍ଞାନର ଚରମ ଲକ୍ଷ୍ୟ ।”
ଵିଜ୍ଞାନ ଶ୍ରୀକୃଷ୍ଣଙ୍କ ବଂଶୀରୁ ନିର୍ଗତ ସେହି ସୁମଧୁର କମ୍ପନ ପର୍ଯ୍ୟନ୍ତ ଅନୁସନ୍ଧାନ କରିଛି ଏବଂ ଏହାର ନାମକରଣ କରି string theory ଆଖ୍ୟା ପ୍ରଦାନ କରିଛି । ପ୍ରକୃତରେ ବଂଶୀ ଏବଂ ଏହାର କମ୍ପନ ଜଡ଼ର ଅନ୍ତର୍ଗତ । କିନ୍ତୁ ଵିଜ୍ଞାନ ସେହି ବଂଶୀକୁ ବାଦନ କରୁଥିବା କଳାକାର ତଥା ସତ୍ ଚିତ୍ ଆନନ୍ଦମୟ ଶ୍ରୀକୃଷ୍ଣଙ୍କୁ ଭୁଲିଯାଇଛି । ଆପେ ଆପେ ବଂଶୀରୁ ସ୍ୱର ନିର୍ଗତ ହୋଇ କମ୍ପନ ସୃଷ୍ଟି ହୁଏ ନାହିଁ । ଏଥି ନିମନ୍ତେ ବଂଶୀଵାଦକର ଆବଶ୍ୟକତା ରହିଛି । ସେଥିପାଇଁ ଭାରତୀୟ ଦର୍ଶନ (Indian philosophy)ରେ ବର୍ଣ୍ଣିତ ସୃଷ୍ଟି ତତ୍ତ୍ୱରେ ଚେତନାର ମହତ୍ୱ ଅତ୍ୟଧିକ ଓ ପ୍ରାଥମିକ ।
ପରିଶେଷରେ ଏତିକି କୁହାଯାଇପାରେ ଯେ ବିଜ୍ଞାନ ‘କ୍ଷେତ୍ର (field)’ ସମ୍ବନ୍ଧରେ ଅନୁସନ୍ଧାନ କରେ କିନ୍ତୁ ଅଧ୍ୟାତ୍ମିକ ଵିଜ୍ଞାନ (spiritual science)  ‘କ୍ଷେତ୍ରଜ୍ଞ (knower of field)’କୁ ପ୍ରାଧାନ୍ୟ ଦିଏ । ଅତଏବ ଏକ ସାମଗ୍ରିକ ଓ ପୋଷଣୀୟ ବିକାଶ (sustainable development) ନିମନ୍ତେ ଉଭୟ ଵିଜ୍ଞାନ ଓ ଆଧ୍ୟାତ୍ମିକ ଵିଜ୍ଞାନ ସମତାଳରେ ପରସ୍ପର ସହିତ ସମନ୍ୱୟ ରକ୍ଷାକରି ଅଗ୍ରଗତି କରିବା ଉଚିତ ।
ଜର୍ମାନୀର ପ୍ରସିଦ୍ଧ ବୈଜ୍ଞାନିକ ମାକ୍ସ ପ୍ଲାଙ୍କ କହିଥିଲେ,—
“ଵିଜ୍ଞାନ କଦାପି ସୃଷ୍ଟିର ପରମ ସତ୍ୟର ରହସ୍ୟ ଉନ୍ମୋଚନ କରିପାରିବ ନାହିଁ  । କାରଣ ପରିଶେଷରେ ଆମେ ନିଜେ ସେହି ରହସ୍ୟର ଅନ୍ତର୍ଭୁକ୍ତ, ଯାହାକୁ ଜାଣିବା ନିମନ୍ତେ ଆମେ ଅହରହ ଚେଷ୍ଟିତ ।”
ମାକ୍ସ ପ୍ଲାଙ୍କଙ୍କ ଉପରଲିଖିତ ସମସ୍ୟାର ସମାଧାନ ଆମ ବୈଦିକ ଶାସ୍ତ୍ରରେ ଉପଲବ୍ଧ । ସେଥିପାଇଁ ସମସ୍ତ ଉପନିଷଦର ସାର କଥା(central theme) -“ନିଜ ଅନ୍ତରର ମୂଳ ସ୍ୱରୂପ କୁ ଚିହ୍ନ, ନିଜ ଭିତରେ ଥିବା ସଚ୍ଚିଦାନନ୍ଦମୟ ଆତ୍ମାକୁ ଚିହ୍ନ (know your absolute existence-consciousness-blissfull  self)” ।

ସତ୍ୟବ୍ରତ ପାଣିଗ୍ରାହୀ
ଗୁଣପୁର, ରାୟଗଡା
(ମୋ) ୬୩୭୧୬୮୪୬୯୯

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.