Press "Enter" to skip to content

ମୌନ ଯୋଗ-୨ (ସ୍ୱାମୀ ପରମାନନ୍ଦ- rkm)

Last updated on November 19, 2020

ମୌନର ଉଦ୍ଦେଶ୍ୟ ଆମ ମନକୁ ବିଚାରସମୂହରୁ ମୁକ୍ତ ରଖିବା ଏବଂ ଶୂନ୍ୟତା ତଥା ନିଷ୍କ୍ରିୟତାର ସ୍ଥିତିରେ ରହିବା ନୁହେଁ । ଏହାର ବିପରୀତ, ମୌନ ଆମର କାର୍ଯ୍ୟକୁଶଳ ଏବଂ ଏକାଗ୍ର ବିଚାର ନିମନ୍ତେ ଏକ ସୁସ୍ପଷ୍ଟ ତଥ୍ୟ ହୋଇଯାଏ । ମୌନର ଅଭିପ୍ରାୟ ଆମ ଶରୀର, ମନ ଏବଂ ଆମର ସମସ୍ତ କାର୍ଯ୍ୟକ୍ଷମତାର ଏକ ଏଭଳି ସଂଯୋଜନ ଅଟେ ଯାହାଦ୍ୱାରା ଆମେ ପ୍ରତ୍ୟେକ ମୁହୂର୍ତ୍ତ ଏକ ସାମଞ୍ଜସ୍ୟରେ କ୍ରିୟାଶୀଳ ରହୁ । ଏହି ସ୍ଥିତିରେ ଆମର ସମସ୍ତ ଆକାଂକ୍ଷା ଏବଂ ଆଦର୍ଶ ଏଭଳି ସାମଞ୍ଜସ୍ୟତାରେ କାର୍ଯ୍ୟ କରିଥାଏ ଯେ, ସେଥିରେ କୌଣସି ସଂଘର୍ଷ ରହେନାହିଁ । ଏହାର ସତ୍ୟାପନ ଆପଣ ଏକ ଏଭଳି ଯନ୍ତ୍ର ଦ୍ୱାରା କରିପାରିବେ ଯେଉଁଥିରେ ସଂଘର୍ଷରୁ ରକ୍ଷା ପାଇହୁଏ; ସେଥିରେ ଅତି କମ୍‌ କୋଳାହଳ ହୋଇଥାଏ ଏବଂ ମେସିନ୍‌ ଅଧିକ ସମୟ ପର୍ଯ୍ୟନ୍ତ କ୍ରିୟାଶୀଳ ରହିଥାଏ । ଜୀବନରେ ଏବଂ କ୍ରିୟାଶୀଳତାର ସମସ୍ତ ରୂପରେ ଆମେ ଏହାକୁ ସଠିକ୍‌ ସ୍ଥିତିରେ ପାଇଥାଉ । ଯେଉଁ ଜୀବନରେ ଅସାମଞ୍ଜସ୍ୟ ଏବଂ ସଂଘର୍ଷର ଅଭାବ ରହିଛି, ତାହା ଅତ୍ୟନ୍ତ କାର୍ଯ୍ୟକୁଶଳ ଜୀବନ ଅଟେ । ଯେଉଁ ବ୍ୟକ୍ତିଙ୍କର ମନ ସୁବ୍ୟବସ୍ଥିତ ଅଟେ ଏବଂ ଯାହାଙ୍କର ଜୀବନପଦ୍ଧତି ସୁସଙ୍ଗଠିତ ଅଟେ, ସେ ସର୍ବଦା ନିଜ ଭିତରେ କିଛି ରୋଚକ ବସ୍ତୁର ଅନୁଭବ କରିଥାନ୍ତି । ଯେହେତୁ ସେ ନିଜ ଭିତରେ କିଛି ପାଇଯାଇଥାନ୍ତି, ଏଥିପାଇଁ ସେ ତାଙ୍କର ନିଷ୍ପତ୍ତି ଅନ୍ୟମାନଙ୍କୁ ଶୁଣାଇନଥାନ୍ତି । ସେ ଶାନ୍ତ ହୋଇଥାନ୍ତି ଏବଂ ନିଜ ମନ ତଥା ମନୋବୃତ୍ତି ସମୂହର ସନ୍ତୁଳନ ଦ୍ୱାରା ସର୍ବଦା ଅନ୍ତରତମ ରୋଚକ ବସ୍ତୁର ଅନୁସନ୍ଧାନ କରିଥାନ୍ତି । ଭାରତୀୟ ଆର୍ଯ୍ୟମାନଙ୍କ ଅଧ୍ୟୟନର ସମସ୍ତରୂପରେ ଏହାକୁ ସବୁଠାରୁ ଆବଶ୍ୟକ ତଥ୍ୟ ରୂପେ ବ୍ୟକ୍ତ କରାଯାଇଛି । କୌଣସି ବି ବ୍ୟକ୍ତି ସଫଳତାପୂର୍ବକ ସେପର୍ଯ୍ୟନ୍ତ ଅଧ୍ୟୟନ କରିପାରନ୍ତି ନାହିଁ, ଯେପର୍ଯ୍ୟନ୍ତ ତାଙ୍କ ନିକଟରେ ଏକାଗ୍ରତା ଏବଂ ସଂଯୋଜନର ଶକ୍ତି ନାହିଁ ତଥା ଏହି ଶକ୍ତି ସେପର୍ଯ୍ୟନ୍ତ ପ୍ରାପ୍ତ ହୁଏନାହିଁ, ଯେପର୍ଯ୍ୟନ୍ତ ଆମେ ମୌନ ଦିଗକୁ ଅଭିମୁଖ ବା ଆକର୍ଷିତ ହୋଇନାହୁଁ । ଏକ ମୌନ ପ୍ରାଣୀ ଅତ୍ୟନ୍ତ ସୁଖପ୍ରଦ ପ୍ରାଣୀ ହୋଇଥାଏ । ଗୃହସ୍ଥ ଜୀବନରେ ମଧ୍ୟ ଆମେ ଦେଖୁ ଯେ, ଯେଉଁ ବ୍ୟକ୍ତି ଶାନ୍ତ, ପ୍ରକୃତିସ୍ଥ ଏବଂ ବିଚାରଶୀଳ ହୋଇଥାନ୍ତି, ସେ ଶକ୍ତିଶାଳୀ ପ୍ରଭାବ ବିସ୍ତାର କରିଥାନ୍ତି । ସ୍ନାୟବିକ ଅସନ୍ତୁଳନ ସ୍ଥିତିରେ ଥିବା ଲୋକମାନେ ଏଭଳି ଶାନ୍ତଚିତ୍ତ ବ୍ୟକ୍ତିଙ୍କ ଭିତରେ ବିଶ୍ରାନ୍ତିର ଏକ ବିରାଟ ସ୍ରୋତକୁ ପାଇଥାନ୍ତି ।
ମୌନ ସାଧନା ସମ୍ବନ୍ଧରେ ଏକ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି କି, ମନ ସୃଜନାତ୍ମକ ପ୍ରତିଭାର ବିକାଶ କରିଥାଏ । ଉଦାହରଣସ୍ୱରୂପ, ନିଜର ମନୋରଂଜନ ଏବଂ ଆନନ୍ଦ ନିମନ୍ତେ ତୀବ୍ର କ୍ରିୟାଶୀଳତା ତଥା ବାହ୍ୟ ମନୋରଂଜନରେ ଅଭ୍ୟସ୍ତ ବ୍ୟକ୍ତି ଯେତେବେଳେ ହଠାତ୍‌ ନିଜର ଆନ୍ତରିକ ସଂସାଧନସମୂହର ଭରସାରେ ଛାଡିଦିଆଯାଏ, ଯଦି ତାହାକୁ ଏହାଦ୍ୱାରା ବିଫଳ କରାନଯାଏ, ତେବେ ତାହାର ମନ ବିଚିତ୍ର ପ୍ରତିକ୍ରିୟା କରିବ ଏବଂ ନିଜର ପ୍ରସୁପ୍ତ ଆତ୍ମସନ୍ତୁଳନ ଏବଂ ମୌଳିକତାର ଅନୁସନ୍ଧାନ କରିବ । ବାଳକମାନଙ୍କର ଶିକ୍ଷା ସମ୍ବନ୍ଧରେ ମଧ୍ୟ ଏହା ସତ୍ୟ ଅଟେ । ଯଦି ଆମେ କୃତ୍ରିମ ଖେଳଣା ଏବଂ କୋଳାହଳପୂର୍ଣ୍ଣ ଖେଳସମୂହ ଦ୍ୱାରା ତାଙ୍କର ମନକୁ ବ୍ୟସ୍ତ ନ ରଖିବା, ତେବେ ସେମାନେ ନୂତନ ଖେଳଣା ଆଉ ଖେଳ ସବୁର ଆବିଷ୍କାର କରିବେ । ଆନ୍ତରିକ କାର୍ଯ୍ୟଶକ୍ତିକୁ ଏ ପ୍ରକାର ତୀବ୍ର କରିବା ହିଁ ପ୍ରକୃତ ଶିକ୍ଷାର ସାର ଅଟେ । ଯେତେବେଳେ ଜଡପଦାର୍ଥ ଦ୍ୱାରା ଆମର ମନ ଭାରାକ୍ରାନ୍ତ ହୁଏନାହିଁ, ସେତେବେଳେ ଆମେ ଉଚ୍ଚତର ଚିନ୍ତନ କରିପାରିବା । ଯେତେବେଳେ ଆମର ଆଖି ଏକ ଲକ୍ଷ୍ୟ ଦିଗକୁ ଅଭିମୁଖ ହୋଇଯାଏ, ସେତେବେଳେ ଆମେ ଅଧିକ ସୁସ୍ପଷ୍ଟତାରେ ଦେଖୁ ଏବଂ ଏହି ସାଧ୍ୟ ନିମନ୍ତେ ମୌନସାଧନାଠାରୁ ଅଧିକ ପ୍ରଭାବକାରୀ କିଛି ବି ନାହିଁ ।
ସମସ୍ତ ପ୍ରବୁଦ୍ଧ ଲୋକ ଏହା ଅନୁଭବ କରନ୍ତି କି, ଯେତେବେଳେ ଆମର ବାହ୍ୟ ଜଗତ ଶାନ୍ତ ରହିଥାଏ, କେବଳ ସେତେବେଳେ ଆମର ସ୍ୱଭାବର ଅଧିକ ଗମ୍ଭୀର ଅଂଶ ପ୍ରଭାବଶାଳୀ ଢ଼ଙ୍ଗରେ ଅଭିବ୍ୟକ୍ତ ହୋଇଥାଏ  । ଏହି କାରଣରୁ, ପ୍ରବୁଦ୍ଧ ଲୋକେ କୋଳାହଳରୁ ଅଲଗା ରହିଥାନ୍ତି  । ସେମାନେ ତାଙ୍କର ବିଚାର ପ୍ରସ୍ତୁତ କରିବା ନିମନ୍ତେ ସାଗ୍ରହୀ ହୋଇନଥାନ୍ତି  । ସେମାନେ ଗଭୀର ଚିନ୍ତନ କରନ୍ତି ଏବଂ ଶାନ୍ତିପୂର୍ବକ କାର୍ଯ୍ୟ କରନ୍ତି  । ଆମେ ପ୍ରାୟତଃ ଏଭଳି ଲୋକମାନଙ୍କ ବିଷୟରେ ଭୁଲ ଧାରଣା କରିନେଉ ଯେ, ସେମାନେ ଆମମାନଙ୍କ ଭଳି ସତତ କ୍ରିୟାଶୀଳ ନୁହଁନ୍ତି  । ଆମେ କଳ୍ପନା କରିନେଉ ଯେ, ତାଙ୍କର ଜୀବନ ବ୍ୟର୍ଥ ଅଟେ କାରଣ ସେମାନେ ସତତ ବାହ୍ୟ କାର୍ଯ୍ୟରେ ଲାଗି ରୁହନ୍ତି ନାହିଁ  । କିନ୍ତୁ ଆମେ କଦାପି ଏକ ଶାନ୍ତ ଏବଂ ମନନଶୀଳ ଆତ୍ମା ଦ୍ୱାରା ପ୍ରସାରିତ ଉତ୍ତମତାକୁ ଆକଳନ କରିପାରିବା ନାହିଁ  ।
ଆମକୁ ଆମର ଆଧ୍ୟାତ୍ମିକ ଜୀବନ ସହିତ କିଛି ଆଗକୁ ବଢ଼ିବାପାଇଁ ପ୍ରୟାସ କରିବା ପୂର୍ବରୁ ହିଁ କିଛି ମୌଳିକ ସଦ୍‌ଗୁଣସମୂହକୁ ପ୍ରାପ୍ତ କରିନେବା ଆବଶ୍ୟକ  । ଯଦି ଆମର ମନ ଉତ୍ତମ ବିଚାରସମୂହରେ ପୂର୍ଣ୍ଣ ରହେ ତେବେ କୌଣସି ସମୟରେ ଆମେ ସ୍ୱୟଂକୁ ଏକାକୀ ଆଉ ଅସୁରକ୍ଷିତ ପାଇବା ନାହିଁ  । ଏକ ସାଧାରଣ ବ୍ୟକ୍ତି ନିଜକୁ ସେତେବେଳେ ଏକାକୀ ଅନୁଭବ କରେ, ଯେତେବେଳେ ତା ସହିତ କେହି ଅନ୍ୟ ବ୍ୟକ୍ତି କଥାବାର୍ତ୍ତା ଅଥବା ମନୋରଂଜନ କରିବାପାଇଁ ନଥାନ୍ତି  । କିନ୍ତୁ ଏଭଳି ବ୍ୟକ୍ତି, ଯିଏ ଅଳ୍ପମାତ୍ରାରେ ନିଜର ଆଧ୍ୟାତ୍ମିକ ଗଭୀରତାରେ ପ୍ରବେଶ କରିସାରିଥାନ୍ତି, ନିଜର ଏକାକୀ ରହିବାର କୌଣସି ଅବସରକୁ ପ୍ରାପ୍ତକରି ନିଜର ଅନ୍ତରାତ୍ମା ସହିତ ଏକୀଭୂତ ହୋଇ ବହୁତ ପ୍ରସନ୍ନ ରହନ୍ତି  । ଆମମାନଙ୍କୁ ଆମର ଅନ୍ତରାତ୍ମା ସହିତ ଏକାକୀ ରହିବା ଶିଖିନେବାକୁ ହେବ  । ଲୋକମାନଙ୍କର ଧାରଣା ଯେ, ସେମାନେ ନିରନ୍ତର ଅନ୍ୟମାନଙ୍କର ସଙ୍ଗତି ନ ମିଳିଲେ ପ୍ରସନ୍ନ ହୋଇପାରିବେ ନାହିଁ  । ତଥାପି କିଛି ଲୋକ ବିଚାର କରନ୍ତି ଯେ, ସେମାନଙ୍କୁ ମନର ଶାନ୍ତି ପ୍ରାପ୍ତ କରିବାପାଇଁ ପ୍ରତ୍ୟେକ ବସ୍ତୁ ଏବଂ ବ୍ୟକ୍ତିଙ୍କ ଠାରୁ ଦୂରକୁ ଚାଲିଯିବା ଦରକାର  । କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ଆମେ ଆମର ଅଜ୍ଞାନ ଏବଂ ସ୍ୱାର୍ଥପରତା ଯୋଗୁଁ ବ୍ୟଥିତ ରହିଥାଉ, ସେପର୍ଯ୍ୟନ୍ତ ଆମେ କୌଣସି ପର୍ବତର ଗୁମ୍ଫାରେ ପ୍ରବେଶ କରିବାପରେ ବି ଏକାକୀ ରହିପାରି ନଥାଉ  । ଆପଣଙ୍କୁ ଆଶ୍ଚର୍ଯ୍ୟ ହୋଇପାରେ କି, ଯଦି ମୌନର ଅଭିପ୍ରାୟ ଭିଡ ଠାରୁ ଦୂରକୁ ଚାଲିଯିବା ଆଉ ଜୀବନର କୋଳାହଳପୂର୍ଣ୍ଣ ଅଂଶକୁ ଦୂରେଇଦେବା ନୁହେଁ ତେବେ ପୁଣି ମୌନର କି ତାତ୍ପର୍ଯ୍ୟ ରହିଛି ? ମୌନ ଦ୍ୱାରା ଉପରୋକ୍ତ ଅଭିପ୍ରାୟ ବ୍ୟକ୍ତ ହୋଇନଥାଏ  । ଏଥିନିମିତ୍ତ ଲୋକମାନଙ୍କ ଠାରୁ ଦୂରେଇଯିବା ଠାରୁ ଆହୁରି କିଛି ଅଧିକର ଆବଶ୍ୟକତା ରହିଛି  । ଆପଣ ବନର ଗହନତମ ପ୍ରଦେଶରେ ପ୍ରବେଶ କରିପାରନ୍ତି କିନ୍ତୁ ତଥାପି ଯଦି ଆପଣଙ୍କ ମନ କୋଳାହଳପୂର୍ଣ୍ଣ ରହୁଛି, ତେବେ ଆପଣ ଶାନ୍ତି ଲାଭ କରିପାରିବେ ନାହିଁ  । ଯଦି ଆପଣଙ୍କ ମନୋବୃତ୍ତି ବିକ୍ଷୁବ୍ଧ ହୋଇଯାଏ ତଥା ଆପଣଙ୍କ ଅନ୍ତରାତ୍ମା ସହିତ ସଙ୍ଗତି ହୋଇପାରି ନଥାଏ, ତେବେ ଆପଣ ଶାନ୍ତି ପ୍ରାପ୍ତ କରିପାରିବେ ନାହିଁ  । ଏହା ଏଭଳି ହୋଇଥାଏ, ଯାହା ଆମକୁ ଉପାର୍ଜନ କରିବାପାଇଁ ପଡିଥାଏ ଆଉ ସବୁଠାରୁ ଭଲ ହେବ କି, ଆମେ ଜୀବନର ପ୍ରପଞ୍ଚରେ ପଡିବା ପୂର୍ବରୁ ଏହାକୁ ଉପାର୍ଜିତ କରିନେବା  । ଏ ସଂସାରରେ ଆମେ ପ୍ରତ୍ୟେକ ବସ୍ତୁକୁ ନିଜ ଇଚ୍ଛାନୁସାରେ ପାଇବାର ଆଶା ରଖିପାରିବା ନାହିଁ  । ସଂସାରରେ ନିରାଶା ତଥା ଅପ୍ରତ୍ୟାଶିତ ଘଟଣାସମୂହ ଘଟିଥାଏ, କିନ୍ତୁ ଏ ସମସ୍ତ ବିପତ୍ତି ପରେ ଯଦି ଆମେ ମନ ଆଉ ଅଭ୍ୟାସର ମୌନବୃତ୍ତିକୁ ପ୍ରାପ୍ତ କରିନେଉ, ତେବେ ଆମେ ସୁରକ୍ଷିତ ଏବଂ ସନ୍ତୁଳିତ ରହିପାରିବା  ।
ଆପଣ ବୌଦ୍ଧିକ ରୂପେ ଏହା ବିଶ୍ୱାସ କରିପାରନ୍ତି କି, କ୍ରୋଧିତ ହେବା, ଅଧୀର ହେବା ତଥା କଟୁଶବ୍ଦ କହିବା ଖରାପ କଥା, କିନ୍ତୁ ଅପ୍ରତ୍ୟାଶିତ ଢ଼ଙ୍ଗରେ ଅବାଞ୍ଛିତ ଶବ୍ଦ ବାହାରିଆସେ ଆଉ ଯେପର୍ଯ୍ୟନ୍ତ ଆପଣ ଏହାର ଅନୁଭବ କରିଥାନ୍ତି, ତାହା ପୂର୍ବରୁ ଆପଣ ଅପ୍ରିୟଭାଷଣ କରିସାରିଥାନ୍ତି  ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.