Press "Enter" to skip to content

ବିବେକର ଅଧିଷ୍ଠାତ୍ରୀ ଦେବୀ ଗାୟତ୍ରୀ

Last updated on August 13, 2022

ପରମପିତା ପରମାତ୍ମାଙ୍କର ଅନେକ ଶକ୍ତି ରହିଛି, ତାଙ୍କର କାର୍ଯ୍ୟ ଓ ଗୁଣ ମଧ୍ୟ ପୃଥକ୍ ପୃଥକ୍ ଅଟେ । ତନ୍ମଧ୍ୟରୁ ଗାୟତ୍ରୀ ଏକ ଦୈବଶକ୍ତି, ଯାହାର ସ୍ଥାନ ଅତି ମହତ୍ତ୍ୱପୂର୍ଣ୍ଣ । ଗାୟତ୍ରୀଙ୍କର ଉପାସନା କରିବା ଦ୍ୱାରା ମାନବର ବିବେକ ଶକ୍ତି ବୃଦ୍ଧି ପାଇଥାଏ, ବୁଦ୍ଧି ପ୍ରଖର ହୋଇଥାଏ । ମନୁଷ୍ୟଠାରେ ଦେବତ୍ୱର ଜାଗରଣ ହୋଇଥାଏ । ତାହାର ସୂକ୍ଷ୍ମ ଚେତନା-ଅନ୍ତଃକରଣ ଶୁଦ୍ଧ ହୋଇଥାଏ, ଆଉ ଯଦ୍ଦ୍ୱାରା ତାହାର କୁସଂସ୍କାର-ବିକାର-ଦୁର୍ଗୁଣର ଅନ୍ଧକାର ଏହି ଗାୟତ୍ରୀ ରୂପୀ ଦିବ୍ୟ ପ୍ରକାଶ ଉଦୟ ହେବାରୁ ତିରୋହିତ ହୋଇଯାଏ । ଅତଃ କୁହାଯାଏ— ‘ତମସୋ ମାଂ ଜ୍ୟୋତିର୍ଗମୟ, ଅସତୋ ମାଂ ସଦ୍ଗମୟ’— ପ୍ରାୟଃ କୌଣସି ବି କାର୍ଯ୍ୟକୁ ପ୍ରାରମ୍ଭ କରିବା ପୂର୍ବରୁ ତା’ଉପରେ ବିଚାର କରାଯାଇଥାଏ । ଯାହାର ବିଚାର ଉତ୍ତମ ଅଟେ, ତାହାର କାର୍ଯ୍ୟ ମଧ୍ୟ ଉତ୍ତମ ଅଟେ, ଆଉ ସୁଖ ଶାନ୍ତି ତା ନିକଟକୁ ପ୍ରବାହିତ ହୋଇ ଆସିଥାଏ । ଗାୟତ୍ରୀ ମନ୍ତ୍ର ଜପ କରିବାରେ ସାଧକର ବିବେକ ଜାଗ୍ରତ ହୁଏ, ବିବେକ ଜାଗ୍ରତ ହେଲେ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୁଏ, ଏହା ସେହି ମନ୍ତ୍ର ଜପର ବିଶେଷତା ଅଟେ ।
ପଣ୍ଡିତ ଶ୍ରୀ ରାମଜୀ ଶର୍ମା ଯିଏ ଶାନ୍ତିକୁଞ୍ଜ ହରିଦ୍ୱାରର ସଂସ୍ଥାପକ, ତାଙ୍କର କଥନ ହେଉଛି— ‘ଗାୟତ୍ରୀ ଉପାସନା ଦ୍ୱାରା ସାଧକକୁ ବଡ ଲାଭ ହୋଇଥାଏ । ଆମର ପରାମର୍ଶ ଏବଂ ପଥ ପ୍ରଦର୍ଶନ ଦ୍ୱାରା ଏ ପର୍ଯ୍ୟନ୍ତ ଅନେକେ ଗାୟତ୍ରୀ ଉପାସନା କରୁଛନ୍ତି ଆଉ ତାଙ୍କୁ ସାଂସାରିକ ଓ ଆତ୍ମିକ ଶାନ୍ତି, ସୁଖ, ସୁବିଧା ପ୍ରାପ୍ତ ହୋଇଛି, ଯାହା ଆମେ ସ୍ୱଚକ୍ଷୁରେ ଦେଖିଛୁ ।’ ଅତଃ ଏଥିରୁ ସ୍ପଷ୍ଟ ହେଉଛି କି ସାଧକକୁ ଦେବୀ ବରଦାନରୂପେ ସଦ୍ବୁଦ୍ଧି ପ୍ରାପ୍ତ ହୁଏ, ତାହାର ପ୍ରକାଶରେ ସମସ୍ତ ସମସ୍ୟା ସମାଧାନର ମାର୍ଗ ଉନ୍ମୁକ୍ତ ହୋଇଯାଏ । ମନୁଷ୍ୟ ଦୀନଦୁଃଖୀ ଦରିଦ୍ର ହେବାରୁ ମୁକ୍ତି ହୋଇଯାଏ ତଥା ତା ଜୀବନ ଆନନ୍ଦମୟ ବ୍ୟତୀତ ହୁଏ । ଅତଃ ଗାୟତ୍ରୀଙ୍କୁ ସଦ୍ ଜ୍ଞାନର ଦେବୀ କୁହାଯାଏ । ଗାୟତ୍ରୀ ମନ୍ତ୍ର ଆଦି ମନ୍ତ୍ର ଅଟେ, ଯାହାର ଉଲ୍ଲେଖ ଚତୁର୍ବେଦରେ ମିଳିଥାଏ କିନ୍ତୁ ଅଥର୍ବବେଦରେ ଗୋଟିଏ ଋଚ୍ଚା ଆସେ— ‘ଓଁ ସ୍ତୁତାମୟା ବରଦା ବେଦମାତା ପ୍ରଚୋଦୟାନ୍ତାଂ ପାବମାନୀ ଦ୍ୱିଜାନାମ ଆୟୁଃ ପ୍ରାଣଂ, ପ୍ରଜ୍ଞାଂ, ପଶୁଂ, କୀର୍ତିମ୍, ଦୃବିଣଂ ବ୍ରହ୍ମବର୍ଯ୍ୟସ୍ମ୍ ମହିୟାଂ ଦତ୍ତ୍ୱା ବ୍ରଜତ ବ୍ରହ୍ମଲୋକମ୍’ (ଅର୍ଥ, ୧୯/୭୧/୨) । ଏହାର ଭାବାର୍ଥ ହେଉଛି—ଗାୟତ୍ରୀ ଜପ ପ୍ରଭାବରୁ ସାଧକର ଆୟୁ ବୃଦ୍ଧି ହୁଏ, ପ୍ରାଣରେ ଉର୍ଜା ଜାଗ୍ରତ ହୁଏ, ସାଧକଙ୍କର ପରିବାରରେ ପଶୁଧନ ବୃଦ୍ଧି ହୋଇଥାଏ, ଯଶ ବୃଦ୍ଧି ହୋଇଥାଏ ଆଉ ସର୍ବୋପରି ସେ ମୋକ୍ଷ ପ୍ରାପ୍ତି ହୋଇଥାନ୍ତି ।
ପ୍ରାଚୀନ କାଳରୁ ମୁନିଋଷିମାନେ ଗାୟତ୍ରୀ ଜପ କରିଆସୁଛନ୍ତି । ସେମାନେ ଗାୟତ୍ରୀ ମନ୍ତ୍ରର ମହିମାର ଗୁଣଗାନ କରିଛନ୍ତି, ଯେଉଁଥିରୁ କିଛି ମନିଷୀଙ୍କର ବିଚାର ନିମ୍ନ ପ୍ରକାରେ—
୧- ନାରଦ ମୁନିଙ୍କର ଉକ୍ତି ହେଉଛି– ଯେଉଁଠାରେ ଭକ୍ତିରୂପୀ ଗାୟତ୍ରୀ ଅଛନ୍ତି, ସେଠାରେ ଶ୍ରୀନାରାୟଣଙ୍କର ନିବାସରେ କୌଣସି ସନ୍ଦେହ କରିବା ଉଚିତ ନୁହେଁ ।
୨- ବ୍ରହ୍ମର୍ଷି ବିଶ୍ୱାମିତ୍ର ଲେଖିଛନ୍ତି— ଗାୟତ୍ରୀ ସମ ଚତୁର୍ବେଦରେ ଆଉ କୌଣସି ମନ୍ତ୍ର ନାହିଁ । ସମ୍ପୂର୍ଣ୍ଣ ବେଦ ଯଜ୍ଞ, ଦାନ, ତପ ଗାୟତ୍ରୀ ମନ୍ତ୍ରର ଏକ କଳା ସମ ମଧ୍ୟ ନୁହେଁ ।
୩-ଯୋଗୀରାଜ ଯାଜ୍ଞବଳ୍କ୍ୟ ଲେଖିଛନ୍ତି— ଏକଦା ଗାୟତ୍ରୀ ଏବଂ ସମସ୍ତ ବେଦକୁ ଏକ ତରାଜୁରେ ତୋଳାଗଲା, ତରାଜୁର ଗୋଟିଏ ପଲାରେ ସମସ୍ତ ପୁରାଣ ସହିତ ବେଦ ଆଉ ଅନ୍ୟ ପଲାରେ ଗାୟତ୍ରୀମନ୍ତ୍ରକୁ ରଖାଗଲା, ମନ୍ତ୍ରପଟ ପଲାଟି ଭାରି ରହିଲା । ବେଦର ସାର ଉପନିଷଦ, ଆଉ ଉପନିଷଦର ସାର ବ୍ୟାହତି ସହ ଗାୟତ୍ରୀ ମନ୍ତ୍ର ଅଟେ । ଗାୟତ୍ରୀ ବେଦର ଜନନୀ ଅଟନ୍ତି, ପାପ ନାଶକାରୀ ଅଟନ୍ତି । ଏହାଠାରୁ ଅଧିକ ପବିତ୍ରକାରୀ ମନ୍ତ୍ର ସ୍ୱର୍ଗ ଓ ପୃଥିବୀରେ ମଧ୍ୟ ନାହିଁ । ଯେଭଳି ଗଙ୍ଗା ସମ କୌଣସି ତୀର୍ଥ ନାହିଁ, କେଶବଙ୍କ ଠାରୁ ଶ୍ରେଷ୍ଠ କୌଣସି ଦେବତା ନୁହଁନ୍ତି, ଗାୟତ୍ରୀ ଠାରୁ ଶ୍ରେଷ୍ଠ କୌଣସି ମନ୍ତ୍ର ନାଁ ଅଛି, ନାଁ ଆଗକୁ ରହିବ । ଗାୟତ୍ରୀଙ୍କୁ ବୋଧ ହୋଇଥିବା ସାଧକ ସମସ୍ତ ବିଧାନର ଜ୍ଞାତା ଓ ଶ୍ରେଷ୍ଠ ଶ୍ରୋତ୍ରୀୟ ହୋଇଯାଆନ୍ତି । ଯେଉଁ ଦ୍ୱିଜ ଗାୟତ୍ରୀ ଉପାସନା କରନ୍ତି ନାହିଁ, ସେ ବେଦ ପାରଙ୍ଗତ ହୋଇଥିଲେ ମଧ୍ୟ ଶୂଦ୍ର ସମ ଅଟନ୍ତି । ଯିଏ ଗାୟତ୍ରୀ ଜାଣନ୍ତି ନାହିଁ, ସେ ବ୍ରାହ୍ମଣ ଚ୍ୟୁତ ପାପଯୁକ୍ତ ହୋଇଯାଆନ୍ତି ।
୪- ପାରାଶର ଋଷିଙ୍କ ମତାନୁସାରେ— ସମସ୍ତ ସୂକ୍ତ ତଥା ବେଦମନ୍ତ୍ର ମଧ୍ୟରେ ଗାୟତ୍ରୀ ପରମ ଶ୍ରେଷ୍ଠ ଅଟନ୍ତି । ବେଦ ଓ ଗାୟତ୍ରୀର ତୁଳନାରେ ସର୍ବଦା ଗାୟତ୍ରୀଙ୍କର ପଲା ଭାରି ରହିଥାଏ । ଶ୍ରଦ୍ଧା, ବିଶ୍ୱାସ ଓ ଭକ୍ତି ପୂର୍ବକ ଗାୟତ୍ରୀ ଜପକାରୀ ପାପମୁକ୍ତ ହୋଇ ପବିତ୍ର ହୋଇଯାଆନ୍ତି ।
୫- ଯୋଗୀରାଜ ଶ୍ରୀଅରବିନ୍ଦ କହିଛନ୍ତି— ଗାୟତ୍ରୀ ଏଭଳି ଶକ୍ତି ଅଟନ୍ତି, ଯାହା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି । ସେ ମନୁଷ୍ୟକୁ ସାଧନା ନିମିତ୍ତ ଗାୟତ୍ରୀ ଜପ କରିବା ପାଇଁ ପ୍ରବର୍ତ୍ତାଇଛନ୍ତି । ସେ ଲେଖିଛନ୍ତି, ମୁଁ ଅଲିପୁର କାରାଗୃହରେ ଗାୟତ୍ରୀ ଉପାସନା କରିବାରୁ ସେଠାରେ ସୁରକ୍ଷା କବଚର ଅନୁଭୂତି ପ୍ରାପ୍ତି ହୋଇଥିଲା ।
୬— କରପାତ୍ରୀଜୀ ମହାରାଜ କହନ୍ତି— ଯିଏ ଗାୟତ୍ରୀର ଅଧିକାରୀ ଅଟନ୍ତି, ତାଙ୍କୁ ନିତ୍ୟ ନିୟମିତ ରୂପେ ମନ୍ତ୍ର ଜପ କରିବାର ଆବଶ୍ୟକତା ରହିଛି । ଦ୍ୱିଜମାନଙ୍କ ପାଇଁ ଗାୟତ୍ରୀମନ୍ତ୍ର ଜପ ଏକ ପ୍ରକାର ଧର୍ମକୃତ୍ୟ ଅଟେ ା ଯାହାକୁ ଆବଶ୍ୟକ ରୂପରେ ଅନୁଷ୍ଠାନ କରାଯାଇପାରେ ।
ଉପରୋକ୍ତ ବିଚାରରୁ ନିଷ୍କର୍ଷ ହେଉଛି କି, ଗାୟତ୍ରୀ ଉପାସନା-ସାଧନା କୌଣସି ଅନ୍ଧ ପରମ୍ପରା ନୁହେଁ, କିନ୍ତୁ ଏହା ପଛରେ ଗହନ ଶକ୍ତି-ତତ୍ତ୍ୱ କାର୍ଯ୍ୟ କରୁଛି । ଯେ କେହି ଏହି ମହାନ ଶକ୍ତିର ସାଧନା ଉପାସନା କରିଛନ୍ତି, ତାଙ୍କୁ ନିଶ୍ଚିତ ସୁଖ ସମୃଦ୍ଧି ଓ ଲାଭ ପ୍ରାପ୍ତ ହୋଇଛି । ବିଧି ପୂର୍ବକ କରାଯାଇଥିବା ସାଧନା କେବେ ନିଷ୍ଫଳ ହୋଇନଥାଏ, ଏଭଳି ଆମ ଭାରତୀୟ ଋଷିମୁନିମାନଙ୍କର ମାନ୍ୟତା ସ୍ୱୀକୃତୀ ରହିଛି । ଗାୟତ୍ରୀ ମନ୍ତ୍ରର ସାଧନାକରି ରାଜା ବିଶ୍ୱରଥ ବ୍ରହ୍ମର୍ଷି ବିଶ୍ୱାମିତ୍ର ହୋଇଗଲେ । ଗାୟତ୍ରୀ ମନ୍ତ୍ରର ମହତ୍ତ୍ୱ ବର୍ଣ୍ଣନା କରିବାକୁ ଯାଇ ସେ କହିଛନ୍ତି, ‘‘ଧିକ ବଲମ୍, କ୍ଷତ୍ରିୟ ବଲମ୍-ବ୍ରହ୍ମତେଜୋ ବଲମ୍-ବଲମ୍’’ ।
ଆଜିର ଏହି ଭୌତିକ ଯୁଗରେ ସମସ୍ୟା ଉପରେ ସମସ୍ୟାର ପାହାଡ ଲଦି ହୋଇରହିଛି, ସେଗୁଡିକ ସମାଧାନର ଏକମାତ୍ର ଉପାୟ ଏହି ମନ୍ତ୍ରର ସାଧନା । ତେଣୁ ଆବ୍ରାହ୍ମଣ ଏହାର ସଦୁପଯୋଗ କରି ଜୀବନ ସାର୍ଥକ କରିବା ବାଞ୍ଛନୀୟ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.