Press "Enter" to skip to content

ଓମ୍ କାର ଜପ ବିଧି-୨

Last updated on November 15, 2020

ବ୍ୟବସାୟ, କୃଷିକାର୍ଯ୍ୟ ଆଦି ପରିଶ୍ରମଜନିତ କାର୍ଯ୍ୟକୁ ଏମାନେ ତୁଚ୍ଛ ଦୃଷ୍ଟିରେ ଦେଖନ୍ତି, ସେହି କାର୍ଯ୍ୟଗୁଡିକୁ କରିବାରେ ନିଜର ସାମର୍ଥ୍ୟକୁ ଠିକ୍ ଭାବେ ବୁଝିପାରନ୍ତି । ବିଦ୍ୟା ଉତ୍ତମରୂପେ ଅଧ୍ୟୟନ କରିନଥିବାରୁ କୌଣସି ଭଲ ଚାକିରି ମଧ୍ୟ କରିପାରନ୍ତି ନାହିଁ, ବଡ କଷ୍ଟକରି ଗୋଡହାତ ଧରି, ସୁପାରିଶ୍ କରିବାପରେ ଯାଇ ଛୋଟମୋଟ ଚାକିରି ଖଣ୍ଡେ ମିଳେ । ଶେଷରେ ଏହି ଛୋଟମୋଟ ଚାକିରି କରି ସେମାନେ ନିଜର ଗୁଜୁରାଣ ମେଣ୍ଟାଇବା ସହ ଜୀବିକା ନିର୍ବାହ କରନ୍ତି । ଏମାନଙ୍କ ସଂଖ୍ୟା ବର୍ତ୍ତମାନ ଦେଶରେ ସବୁଠାରୁ ଅଧିକ ।
ତୃତୀୟ ଶ୍ରେଣୀର ବାଳକ ହେଉଛନ୍ତି ସେମାନେ ଯେଉଁମାନେ ସୌଭାଗ୍ୟବଶତଃ କୌଣସି ପରୀକ୍ଷାରେ ପାସ୍ ହୋଇ ସ୍କୁଲ ଜୀବନ ଶେଷ କରନ୍ତି । ନିଜ ପୁତ୍ରର ସଫଳତା ଦେଖି ସେମାନଙ୍କର ମାତା ପିତାଙ୍କର ହୃଦୟ ମଧ୍ୟ କୃତକୃତ୍ୟ ହୋଇଯାଏ । ଉପରୋକ୍ତ ଉଭୟ ଶ୍ରେଣୀଙ୍କଠାରୁ ଏମାନଙ୍କ ଆଚାର ବିଚାର ମଧ୍ୟ ଉତ୍ତମ ହୋଇଥାଏ । ଏମାନଙ୍କୁ ଉଭୟ ଧନ ଆଉ ମାନ ଲାଭ ହୁଏ । ହେଲେ ଜୀବିକା କ୍ଷେତ୍ରରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥାଏ । ବାହାର ଦେଖାଇହେବା ଗୁଣକୁ ଧରିରଖିବା ପାଇଁ, ଦୀନ ହୋଇ ବି ନିଜକୁ ଦୀନ ମନେ ନ କରିବାପାଇଁ ଏମାନଙ୍କୁ ଅତୁଟ ପ୍ରଯତ୍ନ କରିବାକୁ ପଡେ । କୌଣସି ସ୍ଥିର ଚାକିରି, ଡାକ୍ତରୀ ଅଥବା ଓକିଲାତି କ୍ଷେତ୍ରରେ ଏମାନଙ୍କୁ ମଧ୍ୟ ବହୁତ କଷ୍ଟ କରିବାକୁ ହୁଏ ।
ଏହିଭଳି ଭାବେ ଏହି ବାଳକସମାଜ ନିଜର ପାପୀ ପେଟକୁ ପୂର୍ଣ୍ଣ କରିବାପାଇଁ ଚିନ୍ତାଗ୍ରସ୍ତ ହୋଇପଡିଛି । କିଂକର୍ତ୍ତବ୍ୟବିମୂଢ଼ ହୋଇପଡିଛି — କଣ କରିବାକୁ ହେବ କଣ ନ କରିବାକୁ ହେବ, ଏହା ତାକୁ ଜଣାନାହିଁ !
ପ୍ରିୟ ବାଳକଗଣ ! ବାସ୍ତବରେ ତୁମର ଏଭଳି ଅବସ୍ଥା ଉପରେ ବିଚାର କଲେ ଦୁଃଖ ନ କରି ରହି ହେଉନାହିଁ । ହେଲେ ବିଶ୍ୱାସ ରଖ ! ଯିଏ ତୁମକୁ ଗର୍ଭରେ ରକ୍ଷା କରିଛନ୍ତି, ସେ କେଉଁଆଡେ ଚାଲିଯାଇ ନାହାଁନ୍ତି । ଯିଏ ତୁମକୁ ସୃଷ୍ଟି କରିଛନ୍ତି ସେ ତୁମକୁ ଭୁଲିଯାଇ ନାହାଁନ୍ତି । ତୁମେ ତାଙ୍କୁ ଭୁଲି ଯାଇଛ । ତୁମେ ତାଙ୍କ ଆଜ୍ଞାର ଉଲଂଘନ କରିଛ । ଯେଉଁଥିପାଇଁ ତୁମେ ଏ ଦୁର୍ଦ୍ଦଶା ଭୋଗ କରୁଛ । ଯଦି ତୁମେ ଏହି ଦୁର୍ଦ୍ଦଶାରୁ ରକ୍ଷା ପାଇବାପାଇଁ ଚାହୁଁଛ, ଯଦି ପ୍ରାଚୀନ କାଳର ବାଳକମାନଙ୍କ ଝଲକ ନିଜ ଜୀବନରେ ପ୍ରାପ୍ତ କରିବାକୁ ଚାହୁଁଛ, ଯଦି ସଂସାରରେ ଉଚ୍ଚକୋଟିର ବାଳକମାନଙ୍କ ମଧ୍ୟରେ ନିଜର ଗଣନା କରିବାକୁ ଚାହୁଁଛ, ତେବେ ତାହାର ଏକମାତ୍ର ଉପାୟ ହେଉଛି, ତୁମେ ଜପ କରିଚାଲ । ଆଜିଠାରୁ ଏକ ଘଣ୍ଟା ପ୍ରାତଃ କାଳରେ ଏବଂ ଏକ ଘଣ୍ଟା ରାତିରେ ଶୋଇବା ପୂର୍ବରୁ, ସନ୍ଧ୍ୟା ସମୟରେ ‘ଓମ୍’ ଜପ କରିବା ଆରମ୍ଭ କରିଦିଅ ! ତା ପରେ ଦେଖିବ, ଏ ଜଗତ ତୁମକୁ ସ୍ୱର୍ଗ ସମ ସୁଖପ୍ରଦ ପ୍ରତୀତ ହେବାକୁ ଲାଗିବ ।
ଯେଉଁଦିନ ଠାରୁ ତୁମେ ‘ଓମ୍‌କାର’ ଜପ କରିବା ଆରମ୍ଭ କରିଦେବ, ସେହି ଦିନଠାରୁ ତୁମ ମୁଖମଣ୍ଡଳର, ଶରୀରର, ମନର, ଘରଲୋକଙ୍କର, ମିତ୍ରମାନଙ୍କର ଏବଂ ସଂସାରର ସ୍ଥିତି ତୁମ ସହ ବଦଳିଯିବ । ତୁମର କଷ୍ଟସମୂହ ଦୂର ହୋଇଯିବ । ତୁମ ମନରେ ଆନନ୍ଦର ତରଙ୍ଗ ଉଠିବାକୁ ଲାଗିବ । ତୁମ ମନ ଆନନ୍ଦ ସାଗରରେ ପହଁରିବାକୁ ଲାଗିବ । ଯାହା କିଛି ତୁମେ ପଢ଼ିବ, ଲେଖିବ ଦୁଇ ଚାରି ଥର ଦେଖିଲେ ତାହା ତୁମର ମନେ ରହିଯିବ । ଟିକିନିଖି କରି ସମସ୍ତ ବିଷୟ ତୁମକୁ ବୋଧ ହୋଇଯିବ । ଲୋକମାନଙ୍କ ମଧ୍ୟରେ ତୁମର କୀର୍ତ୍ତି ପ୍ରସାରିତ ହେବାରେ ଲାଗିବ । ସବୁ ଲୋକ ତୁମକୁ ଭଲ ପାଇବାକୁ ଲାଗିବେ । ପୁସ୍ତକ ତୁମକୁ ଭଲ ଲାଗିବ । ଅନୁଚିତ କର୍ମ ଏବଂ ଅନୁପଯୋଗୀ ପୁସ୍ତକ ପ୍ରତି ତୁମ ମନରେ ଘୃଣା ଭାବ ଉତ୍ପନ୍ନ ହେବ । ଯଦି ନିରନ୍ତର ଜପ କରିବ ତେବେ ଦିନେ ନା ଦିନେ ସଂସାରରେ ତୁମେ ଯୋଗ୍ୟ ପଦରେ ବିରାଜମାନ ହୋଇଯିବ ।
ଯେଉଁ ମାତା ପିତା ନିଜ ବାଳକମାନଙ୍କୁ ‘ଗୁରୁକୁଳ’ ତଥା ‘ଶାନ୍ତିନିକେତନ’ ଆଦି ସଂସ୍ଥାମାନଙ୍କୁ ପଠାଇ ପାରୁ ନାହାଁନ୍ତି, ସେମାନେ ସେମାନଙ୍କ ସନ୍ତାନମାନଙ୍କୁ ଘରେ ପ୍ରାତଃ ଏବଂ ସାୟଂ କାଳରେ ଏକ ଏକ ଘଣ୍ଟା ଗାୟତ୍ରୀଙ୍କର ଅଥବା ‘ଓମ୍‌କାର’ ଜପ କରାଇବାରେ ପ୍ରବୃତ୍ତ କରନ୍ତୁ, ଯଦି ନିଜ ବାଳକଙ୍କର ଯଜ୍ଞୋପବୀତ ହୋଇସାରିଥାଏ । ଏହାଦ୍ୱାରା ବାଳକ ସଦାଚାରୀ, ଆଜ୍ଞାକାରୀ, ସୁଶୀଳ, ବୁଦ୍ଧିମାନ୍, ବିଦ୍ୱାନ୍ ଏବଂ ଧାର୍ମିକ ହୋଇପାରିବେ ଏବଂ ସେମାନଙ୍କର ଭବିଷ୍ୟତ ଜୀବନ ଅତ୍ୟନ୍ତ ସୁଖ ଶାନ୍ତିମୟ ହୋଇଉଠିବ । ବାଳକମାନଙ୍କୁ ସୁଧାରିବାରେ ଏହାଠାରୁ ବଳି ସୁଲଭ, ସୁଗମ, ସରଳ ଏବଂ ସହଜ ଉପାୟ ନାହିଁ କହିଲେ ଚଳେ ।
ଯୁବାବସ୍ଥାରେ ଜପର ଆବଶ୍ୟକତା
ଜପ ଦ୍ୱାରା ବାଲ୍ୟାବସ୍ଥାରେ ଯେତେମାତ୍ରାରେ ହିତସାଧନ ହୋଇଥାଏ ତାଠାରୁ ଅଧିକ ଯୁବାବସ୍ଥାରେ ଯୁବକମାନଙ୍କର ହୋଇଥାଏ । ବାଳକ ଯେଉଁଭଳି ଛୋଟ ହୋଇଥାଏ, ସେହିଭଳି ସେମାନଙ୍କର ସଂସାର ମଧ୍ୟ ଛୋଟ ହୋଇଥାଏ । ଅଧ୍ୟାପକ, ପାଠଶାଳାର ପିଲାମାନେ ଆଉ ନିଜର ଘର ହିଁ ସେହି ବାଳକମାନଙ୍କ ସଂସାର ଅଟେ । ଏହି କ୍ଷୁଦ୍ର ସଂସାରର ସୁଖ ଦୁଃଖର ପ୍ରଭାବ ବାଳକମାନଙ୍କ ଉପରେ ପଡିଥାଏ । ହେଲେ ଯୁବାବସ୍ଥାରେ ସଂସାରର ସୀମା ସୁବିସ୍ତୃତ ହୋଇଥାଏ । ମାତା ପିତାଙ୍କର ଶୁଶ୍ରୂଷା, ବାଳକମାନଙ୍କର ସଙ୍ଗ, ପ୍ରଣୟିନୀର ପରିତୋଷ, ଜାତି ବର୍ଣ୍ଣାଦିର ବ୍ୟବହାର, ବ୍ୟାପାର ଅଥବା ଚାକିରିର ଚିନ୍ତା ଇତ୍ୟାଦି ଅନେକ ପ୍ରକାର ଝିନ୍ଝଟ ଯୁବା ଅବସ୍ଥା ପଛରେ ଲାଗିରହିଥାଏ । ରୋଗ, ଶୋକ, ଭୟ, ଗ୍ଲାନି, ଉଦ୍ୱେଗ ପ୍ରତି ମୁହୂର୍ତ୍ତରେ ଏମାନଙ୍କୁ ହଇରାଣ କରିଥାଏ ।
ଏହି ଅବସ୍ଥା ତ ସେମାନଙ୍କର ହୋଇଥାଏ, ଯେଉଁମାନେ ସର୍ବଦା ସୁଖୀ ଅଟନ୍ତି । ହେଲେ ଯିଏ ଦୈବ କୋପରୁ କୌଣସି ବିପତ୍ତି ଚକ୍ରରେ ଫଶିଯାନ୍ତି, ସେମାନଙ୍କ ଦଶା ବହୁତ ଶୋଚନୀୟ ହୋଇପଡେ । ଯେପରି କାହାର ସ୍ତ୍ରୀ ଅବା ପିଲା ରୋଗଗ୍ରସ୍ତ ହୁଅନ୍ତି, ଚିକିତ୍ସାର ସୁବିଧା ନଥାଏ, କି ପାଖରେ ପଇସା ନଥାଏ, ଚାକିରି ଅଥବା କାମଧନ୍ଦାରୁ ଅବସର ନଥାଏ, ଘରେ ଅନ୍ୟକେହି ସମ୍ଭାଳିବା ଭଳି ଲୋକ ନଥାନ୍ତି, ମିତ୍ର ବନ୍ଧୁବାନ୍ଧବ ଅବା ଅନ୍ୟ କାହାର କୌଣସି ସାହାରା ନଥାଏ । ଅଥବା ଯିଏ ଅର୍ଥ ପ୍ରତି ଅନୁରକ୍ତ ହୁଅନ୍ତି, ଯେଉଁ କାମରେ ଲାଭ ଖୋଜନ୍ତି, ସେଥିରେ କ୍ଷତି ହୁଏ, ଯେଉଁଥିରେ ଭଲର ଆଶା ରଖନ୍ତି, ସେଥିରେ ଖରାପ ହୁଏ, ଯାହାକୁ ସାହାଯ୍ୟ ମାଗନ୍ତି, ସେ ମୁହଁ ଫେରାଇନିଏ ଅଥବା ଚାକିରି କ୍ଷେତ୍ରରେ ବଡ ଅଫିସର ଅଥବା ବଡ ବାବୁଙ୍କୁ ଖୁସି ରଖିବାର ହଜାର ବାହାନା କରନ୍ତି ହେଲେ ସେମାନଙ୍କର ଆଶା ଯେତେବେଳେ ବଢ଼ି ବଢ଼ି ଚାଲେ, ସଫଳତାର ମୌକା ମିଳେ, ସେତେବେଳେ ଉପରିସ୍ଥ ଅଫିସରଙ୍କ କ୍ରୋଧ ବ୍ୟତିରେକ ଅନ୍ୟକିଛି ମିଳେନାହିଁ, ଏଭଳି ପରିସ୍ଥିତିରେ ଚାକିରି ବହୁତ ପୁରୁଣା ହେବା କାରଣରୁ ଛାଡ଼ିବାଯୋଗ୍ୟ ହୋଇନଥାଏ । ଅନ୍ୟ ସ୍ଥାନରେ ଚାକିରି ମିଳିବା କଷ୍ଟ ହୋଇଥାଏ । ଏହିଭଳି ଅନେକ ବିପରୀତ ପରିସ୍ଥିତି ସମସ୍ତଙ୍କ ଜୀବନରେ ନିଶ୍ଚିତରୂପେ ଲାଗିରହିଛି । ଯଦି କେହି ଗରିବ ହୋଇଥାଏ ତେବେ ତାହାର ବିବାହ ହୋଇପାରେ ନାହିଁ, କେହି ଯଦି ଧନୀ ଅଛନ୍ତି ତେବେ ତାଙ୍କର ସନ୍ତାନଙ୍କର ଅଭାବ ଥାଏ ଆଉ ଯଦି ବି ସନ୍ତାନ ଥାଏ, ତେବେ ସେ ରୋଗୀ, ଦୁର୍ବଳ, ମନ୍ଦମତି ହୋଇଯାଏ, କେହି ବିଦ୍ୱାନ୍ ହେଲେ ବି ଧନାଭାବ କାରଣରୁ ଦୀନ ହୁଏ, ଆଉ କେହି ବୁଦ୍ଧିମାନ୍ ହୋଇଥିଲେ ମଧ୍ୟ ଖଳମାନଙ୍କ ସମ୍ମୁଖରେ ସେମାନଙ୍କ ବୁଦ୍ଧି କାମ କରେ ନାହିଁ । ଏହିଭଳି ଭାବେ ଯୁବା ଅବସ୍ଥାରେ ସମସ୍ତଙ୍କ ପଛରେ କ୍ଳେଶ ଲାଗି ରହିଥାଏ । ହେଲେ ଏ ସମସ୍ତ କ୍ଳେଶ ସେହି ସମୟ ପର୍ଯ୍ୟନ୍ତ ମନୁଷ୍ୟଙ୍କୁ ଘେରି ରହିଥାଏ, ଯେପର୍ଯ୍ୟନ୍ତ ସେମାନେ ମନ୍ତ୍ରରୂପୀ କଳ୍ପବୃକ୍ଷର ଛାୟାରେ ପହଞ୍ଚି ନଥାନ୍ତି ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.