Press "Enter" to skip to content

ଐତରେୟ ଉପନିଷଦର କାହାଣୀ-2

Last updated on February 6, 2021

ବ୍ରହ୍ମାଣ୍ଡ ତଥା ପିଣ୍ଡର ଉତ୍ପତ୍ତି ଏବଂ ବିକାଶର କାହାଣୀ

ସୃଷ୍ଟିର ନିର୍ମାତା କିଏ ?

ବ୍ରହ୍ମାଣ୍ଡ-ପିଣ୍ଡର ଏହି ବିଶାଳ ସୃଷ୍ଟିରେ ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ଆଦି ତତ୍ତ୍ୱସମୂହକୁ ଦେଖି ପ୍ରତ୍ୟେକ ଜିଜ୍ଞାସୁର ମନରେ କୌତୁହଳ ହୋଇଥାଏ—ଏହାର ନିର୍ମାତା କିଏ ? ପୃଥିବୀର ଉଚ୍ଚାଉଚ୍ଚା ପାହାଡ, ଛୋଟଛୋଟ ଘାଇ, ହଜାରହଜାର ମାଇଲ ସୁଦୀର୍ଘ ଜଳଧାରା, ସୂର୍ଯ୍ୟ, ଚନ୍ଦ୍ର, ତାରା, ନକ୍ଷତ୍ରଗଣ, କୋଟିକୋଟି ଭାରର ଅନନ୍ତ ନକ୍ଷତ୍ରମାନଙ୍କର ଆଧାର ଶୂନ୍ୟ ଭ୍ରମଣକୁ ଦେଖି ଏହି ଜିଜ୍ଞାସା ସ୍ୱଭାବତଃ ଜାତ ହୋଇଥାଏ କି, ସୃଷ୍ଟି-ଜଗତ୍‌ର ଏ ସମସ୍ତ ଚକ୍ର କେଉଁଭଳି ଚାଲୁଛି ? କଣ ଏହି ମହାଭୂତ ସ୍ୱତଃ ସୃଷ୍ଟିକୁ ଚଳାଉଛି ଅଥବା ଏମାନଙ୍କ ସଞ୍ଚାଳନକାରୀ ଜଡ ଜଗତକୁ ଚଳାଉଥିବା କେହି ଅଛି ? ଏହି ଜିଜ୍ଞାସାର ଉତ୍ତର ଐତରେୟ ଉପନିଷଦ୍‌ରେ ପ୍ରଦାନ କରାଯାଇଛି— ସୃଷ୍ଟି ଉତ୍ପତ୍ତି ପୂର୍ବରୁ ଏକ ପରମାତ୍ମା ହିଁ ଥିଲେ, ଅନ୍ୟ କୌଣସି ପଦାର୍ଥ ଗତି ମଧ୍ୟ କରିପାରୁ ନଥିଲେ । ପରମାତ୍ମା ଦେଖିଲେ ଏବଂ ଆକାଂକ୍ଷା ପ୍ରକଟ କଲେ କି, ଏହି ନାନାରୂପ ସୃଷ୍ଟିର ସୃଜନ କରିବି । ଐତରେୟ ଉପନିଷଦ୍‌ ଅଧ୍ୟାୟ ୧ (ପ୍ରଥମ ଖଣ୍ଡ) ।  ।୧  ।  ।
ଉପନିଷତ୍‌କାର ବର୍ଣ୍ଣନା କରୁଛନ୍ତି— ସୃଷ୍ଟିକୁ ସର୍ଜନା କରିବାପରେ ପରମାତ୍ମା ଲୋକମାନଙ୍କର ସର୍ଜନା କଲେ । କେଉଁ ଲୋକମାନଙ୍କର ? ଦ୍ୟୁଲୋକର ଊର୍ଦ୍ଧ୍ୱରେ ଯେଉଁ ପର୍ଯ୍ୟନ୍ତ ମଧ୍ୟ ଲୋକ ରହିଛି, ସେହିଠାରୁ ଦ୍ୟୁଲୋକ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ‘ଅମ୍ଭସ-ଲୋକ’ ଅଟେ । ସୂର୍ଯ୍ୟ, ଚନ୍ଦ୍ର, ତାରା, ନକ୍ଷତ୍ର ଆଦି ପ୍ରକାଶ ପ୍ରଦାନକାରୀ ତାରାମଣ୍ଡଳର ସମସ୍ତ କ୍ଷେତ୍ର ‘ମରୀଚୀ-ଲୋକ’ ଅଟେ । ଉତ୍ପନ୍ନ ହେଉଥିବା ଏବଂ ମୃତ୍ୟୁବରଣ କରୁଥିବା ପ୍ରାଣୀଗଣଙ୍କର ଲୋକ ‘ମର ଲୋକ’ ଅଟେ, ଏହି ଲୋକରେ ପୃଥିବୀର ନିମ୍ନକୁ ଯେତେସବୁ ଲୋକ ଅଛନ୍ତି ସେ ସମସ୍ତ ଆପଃ ପାତାଳ-ଲୋକ ଅଟେ । ଉପନିଷତ୍‌କାରଙ୍କ ଦୃଷ୍ଟିରେ ପୃଥିବୀର ଉପରେ ଆଉ ତଳେ ଜଳ ରହିଛି ।
ଜଗନ୍ନିୟନ୍ତା ପରମାତ୍ମା ଦେଖିଲେ କି ପୃଥିବୀ, ଦ୍ୟୁ, ଅନ୍ତରିକ୍ଷ ଏ ଲୋକସମସ୍ତର ନିର୍ମାଣ ହୋଇଗଲା, କିନ୍ତୁ ଏହି ସମସ୍ୟା ଅବଶିଷ୍ଟ ରହିଗଲା କି, ଏହି ଲୋକସମୂହର ପରିପାଳନ କିପରି ହେବ ? ଏହି ଲୋକସମୂହ କେଉଁଭଳି ବ୍ୟବହାରରେ ଆସିବେ ? ଏମାନଙ୍କର ଉପଭୋଗ କେଉଁଭଳି ହେବ ଆଉ କିଏ କରିବ, ଏହା ଉପରେ ବିଚାର କରି ସେ ଭାବିଲେ ଯେ, ଲୋକପାଳମାନଙ୍କର ସୃଷ୍ଟି କରିବା ଆବଶ୍ୟକ । ଲୋକସମୂହର ପାଳନ ନିମନ୍ତେ ଜଳ ମଧ୍ୟରୁ ଅନନ୍ତ ବିରାଟ ପୁରୁଷଙ୍କର ସର୍ଜନା କଲେ । ସୃଷ୍ଟିର ରଚନା କରିବାପୂର୍ବକ ପରମାତ୍ମା ସର୍ବପ୍ରଥମେ ଏଭଳି ବିରାଟ ପୁରୁଷଙ୍କର ନିର୍ମାଣ କଲେ, ଯାହାଙ୍କଠାରେ ବ୍ରହ୍ମାଣ୍ଡ ତଥା ପିଣ୍ଡ ଉଭୟର ମୌଳିକ ତତ୍ତ୍ୱ ବିଦ୍ୟମାନ ଥିଲା । ସୃଷ୍ଟିର ଚକ୍ର ନିରନ୍ତର ଚାଲୁ, ଏଥିପାଇଁ ପରମାତ୍ମା ତପସ୍ୟା କଲେ । ଐତରେୟ ଉପନିଷତ୍‌ର ରଚୟିତା ଋଷି କହୁଛନ୍ତି— ସେହି ଅନନ୍ତ ଅବ୍ୟକ୍ତ ପୁରୁଷାକାର ପିଣ୍ଡକୁ ତପ୍ତ କରାଗଲା— ତାହା ପୁରୁଷାକାର ତ ଥିଲା, କିନ୍ତୁ ସେହି ବ୍ରହ୍ମାଣ୍ଡ-ପୁରୁଷଙ୍କର ମୁଖ, ନାକ, ଆଖି, କାନ ଆଦି ଅଙ୍ଗ ଖୋଲା ବା ଉନ୍ମୁକ୍ତ ନଥିଲା— ପିଣ୍ଡକୁ ତପ୍ତ କରିବାରୁ ତାହା ଏଭଳି ଉନ୍ମୁକ୍ତ ହୋଇଗଲା ଯେଉଁଭଳି ଉତ୍ତାପ ଦେବାରୁ ଅଣ୍ଡା ଖୋଲିଯାଏ ଆଉ ଭିତରୁ ମୁଖ, ନାକ, ଆଖିଯୁକ୍ତ ପ୍ରାଣଧାରୀ ଜୀବ ପ୍ରାଦୁର୍ଭୂତ ହୋଇଯାଏ । ଏହି ବ୍ରହ୍ମାଣ୍ଡ-ପୁରୁଷଙ୍କ ମୁଖରୁ ବାଣୀର ଗୁଞ୍ଜରଣ ହେଲା, ବ୍ରହ୍ମାଣ୍ଡ-ପୁରୁଷଙ୍କ ବାଣୀରୁ ଅଗ୍ନି ପ୍ରକଟ ହେଲା । ବ୍ରହ୍ମାଣ୍ଡ ପୁରୁଷଙ୍କର ନାସିକା ଉନ୍ମୁକ୍ତ ହୋଇଗଲା ଏବଂ ଏହି ଉନ୍ମୁକ୍ତ ନାସିକାରୁ ବ୍ରହ୍ମାଣ୍ଡ ପୁରୁଷଙ୍କ ପ୍ରାଣର ସର୍ଜନା ହେଲା । ଏହାର ପ୍ରାଣ ପ୍ରାଣବାୟୁ ଦ୍ୱାରା ଓତଃ-ପ୍ରୋତ ହୋଇଗଲା । ବ୍ରହ୍ମାଣ୍ଡ ପୁରୁଷଙ୍କର ଆଖି ଖୋଲିଗଲା, ତାଙ୍କ ଆଖିରୁ ବ୍ରହ୍ମାଣ୍ଡର ଆଦିତ୍ୟଙ୍କର ସୃଷ୍ଟି ହେଲା । ଏହି ଉନ୍ମୁକ୍ତ କର୍ଣ୍ଣରୁ ପୁରୁଷଙ୍କ କର୍ଣ୍ଣର ନିର୍ମାଣ ହେଲା ଆଉ ତାଙ୍କ କର୍ଣ୍ଣରୁ ବ୍ରହ୍ମାଣ୍ଡର ଦିଗବିଦିଗର ସୃଷ୍ଟି ହେଲା । ବ୍ରହ୍ମାଣ୍ଡ ପୁରୁଷଙ୍କର ତ୍ୱଚାରୁ ତାଙ୍କର ଲୋମ ଏବଂ ଲୋମରୁ ଔଷଧି ତଥା ବନସ୍ପତିସମୂହର ସୃଜନ ହେଲା । ଫଳତଃ ବ୍ରହ୍ମାଣ୍ଡ ପୁରୁଷଙ୍କ ହୃଦୟର ଏବଂ ତାଙ୍କ ହୃଦୟରୁ ତାଙ୍କ ମନର ଉତ୍ପତ୍ତି ହେଲା । ବ୍ରହ୍ମାଣ୍ଡ ପୁରୁଷଙ୍କ ମନରୁ ଚନ୍ଦ୍ରମାଙ୍କର ସୃଜନ ହେଲା, ତାପରେ ବ୍ରହ୍ମାଣ୍ଡ ପୁରୁଷଙ୍କର ନାଭି ଉନ୍ମୁକ୍ତ ହେଲା ଆଉ ନାଭିରୁ ଅପାନ ଉନ୍ମୁକ୍ତ ହେଲା । ଅପାନର ପ୍ରକ୍ରିୟା ପ୍ରାରମ୍ଭ ହେବାରୁ ମୃତ୍ୟୁଚକ୍ରର ପ୍ରାରମ୍ଭ ହେଲା । ଅପାନରୁ ବ୍ରହ୍ମାଣ୍ଡ ପୁରୁଷଙ୍କର ଶୀଶନର ଛିଦ୍ର ଉନ୍ମୁକ୍ତ ହେଲା, ତାହା ଉନ୍ମୁକ୍ତ ହେବାରୁ ପୁରୁଷଙ୍କର ଓଜ-ବୀର୍ଯ୍ୟର ସୃଜନ ହେଲା ଆଉ ଏହାର ସୃଜନ ଯୋଗୁଁ ଜଳର ସୃଜନ ହେଲା । ବସ୍ତୁତଃ ସୃଷ୍ଟି-ବିକାଶର ପ୍ରକ୍ରିୟାକୁ ସଶବ୍ଦ ଅବଗତ ହେବା ସ୍ଥାନରେ ଏହା ତାହାର ବିକାଶର ଗୋଟିଏ ଦିଗ ଆଡକୁ ଇଙ୍ଗିତ କରିଥାଏ ।
ଐତରେୟ ଉପନିଷତ୍‌ର ଋଷି ସୃଷ୍ଟି ଉତ୍ପତ୍ତିର ବିଷୟ ପ୍ରସ୍ତୁତ କରିବାପୂର୍ବକ କହିଲେ କି, ଯେତେବେଳେ ଭଗବାନ୍‌ ପୃଥିବୀ, ଆପ୍‌, ତେଜ ଆଦି ଲୋକସମୂହର ଏବଂ ମୁଖ, ନାକ, ଆଖି, କାନ ଆଦି ଲୋକପାଳଙ୍କର ଇନ୍ଦ୍ରିୟାଦିର ସୃଷ୍ଟି କରିଦେଲେ, ସେତେବେଳେ ତା ସହ କ୍ଷୁଧା-ତୃଷାକୁ ମଧ୍ୟ ଯୋଡି ଦେଲେ । ସେ ସମୟରେ ତାଙ୍କୁ ଅନୁଭୂତି ହେଲା କି, ତାଙ୍କ ସହ ତାଙ୍କର ଭରଣ ପୋଷଣ ନିମନ୍ତେ ଅନ୍ନ-ଜଳ, ଖାଦ୍ୟ-ପାନୀୟର ବ୍ୟବସ୍ଥା ହେବା ଆବଶ୍ୟକ ।
ଭଗବାନ୍‌ ଅନ୍ନର ସୃଷ୍ଟି ନିମନ୍ତେ ଜଳକୁ ଉତ୍ତପ୍ତ କଲେ, ଯେତେବେଳେ ଜଳ ଉତ୍ତପ୍ତ ହେବାରେ ଲାଗିଲା, ସେଥିରୁ ବାଷ୍ପ ବାହାରିଲା, ବାଷ୍ପରୁ ବାଦଲ ହେଲା, ବାଦଲରୁ ବର୍ଷା ହେଲା ଆଉ ବର୍ଷାରୁ ଅନ୍ନ ହେଲା । ଫଳରେ ସାକ୍ଷାତ୍‌ ମୂର୍ତ୍ତିମନ୍ତ ହୋଇ ଗଛଲତା ଅଙ୍କୁରିତ ହେଲା—ଏହି ଗଛଲତା ବନସ୍ପତିସମୂହ ହିଁ ଅନ୍ନର ପ୍ରତୀକ ସ୍ୱରୂପ ଥିଲେ ।
ଯଦିଓ ଭଗବାନ୍‌ ଅନ୍ନ-ବନସ୍ପତି ଉତ୍ପନ୍ନ କରିଛନ୍ତି, ତଥାପି ଅନ୍ନ ଦେବଗଣଙ୍କର ବିପରୀତ ଦିଗକୁ ଚାଲିଗଲା । ଫଳତଃ ଦିବ୍ୟ ଶକ୍ତିସମୂହକୁ ଅନ୍ନ ହସ୍ତଗତ ହେଲାନାହିଁ । ଦିବ୍ୟଶକ୍ତିଗଣ ବାଣୀରୁ ଅନ୍ନ ଗ୍ରହଣ କରିବାପାଇଁ ପ୍ରୟାସ କଲେ, ହେଲେ କେବଳ କଥା କହିଲେ ଅନ୍ନ ମିଳେନାହିଁ, ନିଜ ଆଡକୁ ଅନ୍ନର ଆହ୍ୱାନ କଲେ ସେହି ଅନ୍ନ ମିଳିପାରେ ନାହିଁ । (ତତ୍‌ ବାଚା ଅଜିଘୃକ୍ଷତ୍‌ । ତତ୍‌ ନ ଅଶକ୍ନୋତ୍‌ ବାଚା ଗ୍ରହୀତୁମ୍‌ ।) ବାଣୀ ପରେ ପ୍ରାଣ ଅନ୍ନ ଧରିବାକୁ ପ୍ରଯତ୍ନ କଲେ, କିନ୍ତୁ ଏହା ପ୍ରାଣର ହାତକୁ ମଧ୍ୟ ଆସିଲା ନାହିଁ (ତତ୍‌ ପ୍ରାଣେନ ଅଜିଘୃକ୍ଷତ୍‌ । ତତ୍‌ ନ ଅଶକ୍ନୋତ୍‌ ପ୍ରାଣେନ ଗ୍ରହୀତୁମ୍‌ ।) ଦିବ୍ୟ ଶକ୍ତିସମୂହ ଶ୍ୱାସ-ପ୍ରଶ୍ୱାସ ଦ୍ୱାରା ଆକର୍ଷିତ କରି ଅନ୍ନ ଗ୍ରହଣ କରି ପାରିଲେ ନାହିଁ । ବାଣୀ ତଥା ପ୍ରାଣ ପରେ ଆଖି ତାହାକୁ ଧରିବାପାଇଁ ପ୍ରଯତ୍ନ କଲେ, କିନ୍ତୁ ସେ ଆଖିର ନିୟନ୍ତ୍ରଣରେ ମଧ୍ୟ ଆସିଲେ ନାହିଁ । (ତତ୍‌ ଚକ୍ଷୁଷା ଅଜିଘୃକ୍ଷତ୍‌ । ତତ୍‌ ନ ଅଶକ୍ନୋତ୍‌ ଚକ୍ଷୁଷା ଗ୍ରହୀତୁମ୍‌ ।) ବାଣୀ, ପ୍ରାଣ, ଆଖି ପରେ ଶ୍ରୋତ୍ର ମଧ୍ୟ ଅନ୍ନକୁ ଧରିବାପାଇଁ ପ୍ରୟାସ କଲେ, କିନ୍ତୁ ତାହା ଶ୍ରୋତ୍ର ହାତକୁ ମଧ୍ୟ ଆସିଲା ନାହିଁ (ତତ୍‌ ଶ୍ରୋତ୍ରେଣ ଅଜିଘୃକ୍ଷତ୍‌ ତତ୍‌ ନ ଅଶକ୍ନୋତ୍‌ ଶ୍ରୋତ୍ରେଣ ଗ୍ରହୀତୁମ୍‌ ।)
ଦିବ୍ୟ ଶକ୍ତିସମୂହ ବାଣୀ, ପ୍ରାଣ, ଆଖି, ଶ୍ରୋତ୍ର ଦ୍ୱାରା ଅନ୍ନକୁ ଧରିବାପାଇଁ ପ୍ରଯତ୍ନ କଲେ, କିନ୍ତୁ ସଫଳତା ମିଳିଲା ନାହିଁ, ତାପରେ ଚର୍ମ ଅନ୍ନକୁ ଧରିବାପାଇଁ ଚାହିଁଲେ, କିନ୍ତୁ ତାହା ଚର୍ମର ହାତକୁ ମଧ୍ୟ ଆସିଲା ନାହିଁ । (ତତ୍‌ ତ୍ୱଚା ଅଜିଘୃକ୍ଷତ୍‌ । ତତ୍‌ ନ ଅଶକ୍ନୋତ୍‌ ତ୍ୱଚା ଗ୍ରହୀତୁମ୍‌ । ସ ଯଦ୍‌ ହ ଏନତ୍‌ ତ୍ୱଚା ଅଗ୍ରହୈଷ୍ୟତ୍‌ ।) ଯେତେବେଳେ ଦିବ୍ୟ ଶକ୍ତିସମୂହ ବାଣୀ, ପ୍ରାଣ, ଆଖି, ଶ୍ରୋତ୍ର ଏବଂ ତ୍ୱଚା ମାଧ୍ୟମରେ ଧରିବାପାଇଁ ଚାହିଁଲେ ଏବଂ ସଫଳତା ମିଳିଲା ନାହିଁ, ସେତେବେଳେ ମନ ତାକୁ ଧରିବାପାଇଁ ପ୍ରଯତ୍ନ କଲେ, କିନ୍ତୁ ଚାହିଁବାମାତ୍ରେ ଏହା ସମ୍ଭବ ହେଲାନାହିଁ । (ତତ୍‌ ମନସା ଅଜିଘୃକ୍ଷତ୍‌ । ତତ୍‌ ନ ଅଶକ୍ନୋତ୍‌ ମନସା ଗ୍ରହୀତୁମ୍‌ ।)

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.