Press "Enter" to skip to content

ମଳ ମାସ (18/09/2020 ଶୁକ୍ରବାର ଆରମ୍ଭ ହେବ ‘ମଳ ମାସ’)

Last updated on October 7, 2020

ଏହାର ମହତ୍ୱ ଓ ଜ୍ୟୋତିଷୀୟ କାରଣ

ହିନ୍ଦୁ କ୍ୟାଲେଣ୍ଡରରେ ମଳମାସ ଅବଧାରଣା ଇଂରାଜୀ କ୍ୟାଲେଣ୍ଡରର ‘ଲିପ୍‌ ଇୟର’ ସହ ସମାନ । ପ୍ରତି ୪ ବର୍ଷରେ ଥରେ ୨୯ ଦିନିଆ ହୁଏ ଫେବୃୟାରୀ ମାସ । ଯାହାକୁ ଆମେ ଲିପ୍‌ ଇୟର କହୁ । ଠିକ୍‌ ସେହିପରି ହିନ୍ଦୁ କ୍ୟାଲେଣ୍ଡରରେ ପ୍ରତି ୩ ବର୍ଷରେ ମଳମାସ ଆସିଥାଏ । ଯାହାକୁ ଅଧିମାସ ଓ ପୁରୁଷୋତ୍ତମ ମାସ ବୋଲି ମଧ୍ୟ କୁହାଯାଏ । ଚଳିତବର୍ଷ ଶୁକ୍ରବାର ଅର୍ଥାତ ସେପ୍ଟେମ୍ବର ୧୮ ତାରିଖରୁ ମଳମାସ ଆରମ୍ଭ ହେଉଛି ।
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ଦିନଟି ପ୍ରତିପଦ ତିଥିରେ ପଡୁଥିବା ବେଳେ ଚନ୍ଦ୍ର ଓ ସୂର୍ଯ୍ୟ ଉଭୟ କନ୍ୟାରାଶିରେ ବିରାଜମାନ କରୁଛନ୍ତି । ହିନ୍ଦୁଙ୍କ ଲାଗି ଏହି ମାସଟି ଧାର୍ମିକ ମହତ୍ୱର ମାସ । ପୂଜାପାଠ, ଭାଗବତ ଭକ୍ତି, ବ୍ରତ ଉପବାସ, ଜପ ଓ ଯୋଗ ଭଳି ଧାର୍ମିକ କାର୍ଯ୍ୟ ଲାଗି ମାସଟି ପ୍ରକୃଷ୍ଠ । ମାନ୍ୟତା ଅନୁସାରେ ଏହି ମାସରେ କରାଯାଉଥିବା ଧର୍ମକର୍ମର ଫଳ ଅନ୍ୟମାସ ତୁଳନାରେ ୧୦ଗୁଣା ଅଧିକ ମିଳିଥାଏ । ଏହି ମାସରେ ଜପ, ତପ, ଦାନ କଲେ ଅନନ୍ତ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଏହି ମାସରେ ଶ୍ରୀକୃଷ୍ଣ, ଶ୍ରୀମଦ୍ ଭଗବଦ୍ ଗୀତା, ଶ୍ରୀରାମ କଥା ଆଦି ପଠନ ଏବଂ ବିଷ୍ଣୁ ଭଗବାନଙ୍କର ଉପାସନା କରାଯାଏ । ପୁରୁଷୋତ୍ତମ ମାସରେ କଥା, ପୁରାଣ ଆଦି ଗ୍ରନ୍ଥ ପଢିବ । ଓ ଶୁଣିବାରେ ବହୁତ ଲାଭ ହୋଇଥାଏ ।
ଦାନ, ଧର୍ମ, ପୂଜା ଆଦିର ମହତ୍ତ୍ୱ ପୁରାଣ ଶାସ୍ତ୍ରରେ କୁହାଯାଇଛି ଯେ ଏହି ମାସରେ ବ୍ରତ, ଉପବାସ, ଦାନ, ପୂଜା, ଯଜ୍ଞ, ହୋମ ଏବଂ ଧ୍ୟାନ କରିବା ଦ୍ୱାରା ମନୁଷ୍ୟର ପ୍ରତ୍ୟେକ ପାପକର୍ମର କ୍ଷୟ ହୋଇଥାଏ । ଏବଂ ଅନେକ ଗୁଣର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଏହି ମାସରେ ଧାର୍ମିକ ତୀର୍ଥସ୍ଥଳ ମାନଙ୍କରେ ସ୍ନାନ କରିବା ଦ୍ୱାରା ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ଓ ଅନନ୍ତ ପୁଣ୍ୟ ମିଳିଥାଏ । ପୁରୁଷୋତ୍ତମ ମାସରେ ଦୀପଦାନ, ବସ୍ତ୍ର ଏବଂ ଶ୍ରୀମଦ୍ ଭାଗବତ କଥା ଗ୍ରନ୍ଥ ଦାନର ବିଶେଷ ମହତ୍ତ୍ୱ ଥାଏ ।
ଏହି ମାସରେ ଭୂମିରେ ଶୟନ, ହବିଷ୍ୟ ଅନ୍ନ ଭୋଜନ କରିବା ଦ୍ୱାରା ଅନନ୍ତ ଫଳ ପ୍ରାପ୍ତ ହୋଇଥାଏ । ସୂର୍ଯ୍ୟଙ୍କର ୧୨ ସଂକ୍ରାନ୍ତିକୁ ନେଇ ବର୍ଷରେ ୧୨ମାସ ହୋଇଥାଏ । ପ୍ରତ୍ୟେକ ତିନି ବର୍ଷରେ ପୁରୁଷୋତ୍ତମ ମାସ ଆସିଥାଏ । ପଞ୍ଚାଙ୍ଗ ଅନୁସାରେ ତିଥି, ବାର, ଯୋଗ, କରଣ, ନକ୍ଷତ୍ରକୁ ଛାଡ଼ି ପ୍ରତ୍ୟେକ ମାସରେ କେହି ନା କେହି ଦେବତା ବା ସ୍ୱାମୀ ଥାନ୍ତି । କିନ୍ତୁ ପୁରୁଷୋତ୍ତମ ମାସର କେହି ସ୍ୱାମୀ ନଥିବା କାରଣରୁ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ, ଶୁଭ କାର୍ଯ୍ୟ, ପିତୃ କାର୍ଯ୍ୟ ବର୍ଜିତ କରାଯାଇଥାଏ ।
ତେବେ ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସରେ ସମସ୍ତ ଶୁଭ କାର୍ଯ୍ୟ ବର୍ଜିତ ହୋଇଥାଏ । ଏପରି ସମୟରେ ନାମକରଣ, ବ୍ରତୋପନୟନ, ବିବାହ ଓ ସାଧାରଣ ଧାର୍ମିକ କାର୍ଯ୍ୟ ଯେପରି ନୂତନ ଗୃହପ୍ରବେଶ, ନୂଆ ମୂଲ୍ୟବାନ ସାମଗ୍ରୀ କ୍ରୟ କରାଯାଇ ନଥାଏ । ଅତିରିକ୍ତ ହୋଇଥିବା କାରଣରୁ ଏହି ମାସ ମଳିନ ବୋଲି କୁହାଯାଏ । ଏଣୁ ମାସ ନାମ ମଳ ମାସ କୁହାଯାଏ । ଏହି ଅଧିକ ମାସର ସ୍ୱାମୀ ଭଗବାନ ବିଷ୍ଣୁ ସ୍ୱୟଂ । ପୁରୁଷୋତ୍ତମ ଭଗବାନ ବିଷ୍ଣୁଙ୍କ ଆଉ ଏକ ନାମ । ଏଣୁ ଏହାକୁ ତାଙ୍କ ନାମରେ ଉତ୍ସର୍ଗ କରାଯାଇଛି ।
ତେବେ ଜ୍ୟୋତିଷୀୟ କାଳଗଣନାରେ ପ୍ରତ୍ୟେକ ବର୍ଷ ୩୬୫ ଦିନ ଓ ୬ ଘଣ୍ଟା ହୋଇଥାଏ । ସେହିପରି ଚନ୍ଦ୍ର ବର୍ଷ ୩୫୪ ଦିନର । ଉଭୟ ମାସ ମଧ୍ୟରେ ପ୍ରାୟ ୧୧ ଦିନର ଅନ୍ତର ରହିଥାଏ । ଯାହା ପ୍ରତି ୩ ବର୍ଷରେ ଗୋଟିଏ ଅତିରିକ୍ତ ମାସ ଭାବେ ଗଣନା କରାଯାଏ । ଯେହେତୁ ଅତିରିକ୍ତ ମାସ ଓ ଶୁଭାଶୁଭ କାର୍ଯ୍ୟ ବର୍ଜିତ ଏଣୁ ମହାଳୟା ଅମାବାସ୍ୟା ପରଦିନଠାରୁ ଶକ୍ତି ଉପାସନା ଅର୍ଥାତ ଶାରଦୀୟ ଦୁର୍ଗାପୂଜା ବିଳମ୍ବିତ ହୋଇଛି । ଆସନ୍ତା ମାସ ୧୭ ତାରିଖରୁ ପୁଣି ଶୁଦ୍ଧକାଳ ଆରମ୍ଭ ସହ ଦୂର୍ଗା ଉପାସନା ଆରମ୍ଭ ହେବ ।
ସଂଗୃହୀତ

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.