Last updated on August 13, 2022
ତ୍ରାତାରୋ ଦେବା ଅଧି ବୋଚତା ନୋ ମା ନୋ ନିଦ୍ରା ଈଶତ ମୋତ ଜଳ୍ପିଃ ।
ବୟଂ ସୋମସ୍ୟ ବିଶ୍ୱହ ପ୍ରିୟାସଃ ସୁବୀରାସୋ ବିଦଥମା ବଦେମ । । (ଋଗ୍. ୮/୪୮/୧୪)
ଭାବାର୍ଥ : ଆଳସ୍ୟ ଓ ବ୍ୟର୍ଥ ବାର୍ତ୍ତାଳାପରୁ ମୁକ୍ତି ନିମିତ୍ତ ସର୍ବଦା କ୍ରିୟାଶୀଳ ରହିବା ଦରକାର । ଆମେ ଦୁର୍ଗୁଣରୁ ଦୂରେଇ ରହୁ, ଶ୍ରେଷ୍ଠ ସନ୍ତାନଙ୍କୁ ଜନ୍ମ ଦେଉ ଆଉ ସର୍ବତ୍ର ଆମ ଜ୍ଞାନର ଚର୍ଚ୍ଚା ହେଉ ।
ବ୍ୟାଖ୍ୟା : ଆମେ ସମସ୍ତେ ‘କାମ କମ୍, କଥା ଅଧିକ’ ଏହି ନ୍ୟାୟରେ ପରିଚାଳିତ ହେବାକୁ ଚାହୁଁ । ଏହା ତମୋଗୁଣୀ ଓ ରଜୋଗୁଣୀ ପ୍ରବୃତ୍ତି ଅଟେ, ଯାହା ମନୁଷ୍ୟକୁ ଆଳସ୍ୟ କରି ପକାଏ ଆଉ ମିଥ୍ୟା ଆତ୍ମପ୍ରଶଂସାକୁ ପ୍ରେରିତ କରିଥାଏ । ସେହି ଦୁର୍ଗୁଣ ହିଁ ଆମ ସ୍ୱଭାବର ଏକ ଅଙ୍ଗ ପାଲଟିଯାଏ । ଆଳସ୍ୟ ବ୍ୟକ୍ତି ନିଜେ ଅପ୍ରାକୃତିକ ଜୀବନ ଜୀଇଁବା ସହ ନିଜେ ହିଁ ନିଜର କ୍ଷତି କରିଥାଏ ।
ଅତଃ ଆମକୁ ଆମ ନିଜ ଉପରେ ସଂଯମ ରକ୍ଷା କରିବା ଦରକାର । ଆହାର, ନିଦ୍ରା, ବିଶ୍ୱାସ ଉପରେ ଉଚିତ ନିୟନ୍ତ୍ରଣ ରଖିବା ଦରକାର । ଏହା ଦ୍ୱାରା ନିଜେ ଶ୍ରେଷ୍ଠ ହୋଇପାରିବା ଏବଂ ଚତୁର୍ଦ୍ଦିଗରେ ମଧୁରତା, ସ୍ୱଚ୍ଛତା, ସଚ୍ଚୋଟତା, ସଜ୍ଜନତାରୂପୀ ବାତାବରଣ ସୃଷ୍ଟି କରିପାରିବା । ଯଦି ଆମେ ଆମ ସମୟକୁ ଠିକ୍ ଭାବରେ ସଂଯମିତ କରିପାରିବା କର୍ତ୍ତବ୍ୟ ସମ୍ପାଦନ ସହିତ ଆମର ସମୟ ମଧ୍ୟ ଅବଶିଷ୍ଟ ମିଳିପାରିବ । ସେହି ସମୟକୁ ଆମେ ଅନ୍ୟ ଭଲକାମ ତଥା ସାମାଜିକ କର୍ମରେ ନିୟୋଜିତ କରିପାରିବା । ନିଜ ପିଲାମାନଙ୍କୁ, ଆଶ୍ରିତଙ୍କୁ, ସହଯୋଗୀ ତଥା ପଡୋଶୀଙ୍କୁ ମଧ୍ୟ ଆଳସ୍ୟ ନିବୃତ୍ତି ନିମିତ୍ତ ପ୍ରରୋଚିତ କରିପାରିବା । ଦୁର୍ଗୁଣକୁ ପ୍ରାରମ୍ଭରୁ ନଷ୍ଟ କରିଦେଲେ ତାହା ଆଉ ବଢିବାର ଅବସର ପାଇବ ନାହିଁ । ପିଲାମାନଙ୍କୁ ସତ୍କର୍ମରେ ପ୍ରେରିତକରି ଶ୍ରେଷ୍ଠ ନାଗରିକ ରୂପେ ଗଢି ତୋଳିବା ଦରକାର । ନିଜ ଦୋଷ-ଦୁର୍ଗୁଣକୁ ଦୂରକରି ଏକ ଆଦର୍ଶ ଜୀବନ ବିତାଇବା ପାଇଁ ଆମ ମହାନ୍ ଗ୍ରନ୍ଥ ବେଦ ସର୍ବଦା ନିର୍ଦ୍ଦେଶ ଦେଇଛନ୍ତି ।
ଆଳସ୍ୟ ଓ ନିରର୍ଥକ କଥାରୁ ସର୍ବଦା ଦୂରେଇରହିବା, ନୀତି ନିଷ୍ଠ ହେବା ଯଦ୍ଦ୍ୱାରା ଆମ ଜ୍ଞାନ ସର୍ବତ୍ର ପ୍ରତିଷ୍ଠିତ ହେବ ।— ଏହା ହିଁ ବ୍ରାହ୍ମଣର ଧର୍ମ ଅଟେ ।
Be First to Comment