Press "Enter" to skip to content

ଶୁଶ୍ରୁତଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ—୩

Last updated on February 6, 2021

ପ୍ରୋ. ଯଜ୍ଞେଶ୍ୱର ନାଥ, ମୋ: ୭୦୦୮୫୮୦୯୦୧

ମନୁଷ୍ୟ ସୁସ୍ଥ ରହିବାପାଇଁ ମହର୍ଷି ଶୁଶ୍ରୁତ ଦିନଚର୍ଯ୍ୟା ଓ ଋତୁଚର୍ଯ୍ୟାର ବର୍ଣ୍ଣନା କରିଛନ୍ତି  । ଋତୁ ପରିବର୍ତ୍ତନ ପୃଥିବୀର ବାର୍ଷିକ ଗତି ଓ ଦିନରାତି ପାଇଁ ପୃଥିବୀର ଦୈନିକ ଗତି ହିଁ ଦାୟୀ  । ଶୁଶ୍ରୁତଙ୍କ ମତରେ ଚନ୍ଦ୍ରମା ପୃଥିବୀକୁ ଆର୍ଦ୍ର କରେ ଏବଂ ସୂର୍ଯ୍ୟ ଶୁଷ୍କ କରେ  । ଏହି ଦୁହିଁଙ୍କୁ ଆଶ୍ରୟକରି ବାୟୁ ଜଗତକୁ ପାଳନ କରେ  ।
ଶୀତାଂଶୁ କ୍ଳେଦୟତ୍ୟୁର୍ବୀ ବିବଶ୍ୱାନ ଶୋଷୟ ତ୍ୟପି  ।
ତାବୁ ଭାବାପି ସଂଶ୍ରିତ୍ୟ ବାୟୁଃ ପାଳୟତି ପ୍ରଜାଃ  ।
ସୁ.ସୂ ୬.୭
ଋତୁମାନଙ୍କର ସ୍ୱଭାବିକ ଗୁଣର ଅତିଯୋଗ, ବିପରୀତଯୋଗ, ବିଷମଯୋଗ ହେଲେ ମନୁଷ୍ୟ ଶରୀରରେ ବାତାଦି ଦୋଷ କୁପିତ ହୁଏ  । ମନୁଷ୍ୟ ଶରୀରରେ ସ୍ୱଭାବିକ ଭାବରେ ବର୍ଷାଋତୁରେ ବାୟୁ କୁପିତ ହୁଏ  । ଶରତରେ ପିତ୍ତ ଓ ବସନ୍ତ ଋତୁରେ କଫର ବୃଦ୍ଧି ହୁଏ  । ତେଣୁ ସୁସ୍ଥ ରହିବାକୁ ହେଲେ ବିକାର ଉତ୍ପନ୍ନ ହେବା ପୂର୍ବରୁ ବସନ୍ତ ଋତୁରେ କଫର, ଶରତ ଋତୁରେ ପିତ୍ତର ଏବଂ ବର୍ଷା ଋତୁରେ ବାତର ନିର୍ହରଣ (Elimination) କରିବା ଉଚିତ  ।
ହରେତ୍‌ ବସନ୍ତେ ଶ୍ୱେଷ୍ମାଣଂ ପିତ୍ତଂ ଶରଦି ନିର୍ହରେତ୍‌  ।
ବର୍ଷାସୁ ଶମୟେଦ୍‌ ବାୟୁ ପ୍ରାଗ୍‌ ବିକାର ସମୁଚ୍ଛ୍ରୟାତ୍‌  ।
ସୁ.ସୂ ୬.୩୮
ଶରୀରର ମୂଳାଧାର ଦୋଷ, ଧାତୁ ଏବଂ ମଳ ଅଟେ  । ତେଣୁ ଏ ବିଷୟରେ ବୈଦ୍ୟ ଜାଣିବା ଉଚିତ  ।
ଦୋଷ ଧାତୁ ମଳମୂଳଂହି ଶରୀରଂ,
ତସ୍ମାତେଷାଂ ଲକ୍ଷଣବୀମୁଚ୍ୟ ମାନମୁପଧାରୟ  ।
ସୁ.ସୂ ୫.୩
ଯେପରି ଚନ୍ଦ୍ରମା, ସୂର୍ଯ୍ୟ ଏବଂ ବାୟୁ ଯଥାକ୍ରମେ ନିଜର ବିସର୍ଗ (Emission), ଆଦାନ (Absorption) ଏବଂ ବିକ୍ଷେପ (Movement) କର୍ମ ଦ୍ୱାରା ସମଗ୍ର ସଂସାର(ପୃଥିବୀ)କୁ ଧାରଣ କରିଛନ୍ତି, ସେହିପରି କଫ, ପିତ୍ତ ଓ ବାୟୁ ମଧ୍ୟ ଶରୀରକୁ ଧାରଣ କରନ୍ତି  ।
ବିସର୍ଗାଦାନ ବିକ୍ଷେପୈଃ ସୋମସୂର୍ଯ୍ୟା ନିନ୍ଦା ଯଥା  ।
ଧାରୟନ୍ତି ଜଗଦ୍ଧେୟଂ କଫ ପିତ୍ତାନିନ୍ଦା ସ୍ତଥା  । ସୁ.ସୂ ୨୧.୮
ଦୋଷ ଅର୍ଥାତ୍‌ ବାତପିତ୍ତକଫର ସଂଚୟ (Accumulation) ପ୍ରକୋପ (Provocation), ପ୍ରସର (Spread), ସ୍ଥାନ ସଂଶ୍ରୟ (Localisation), ବ୍ୟକ୍ତି (ବ୍ୟାଧି-ପ୍ରଦର୍ଶନ— Manifestation), ଭେଦ (Complication)କୁ ଯିଏ ଜାଣେ ତାକୁ ବୈଦ୍ୟ କୁହାଯାଏ  ।
ଯଦି ସଂଚୟ କାନ୍ଦରେ ହିଁ ଦୋଷର ଉପଚାର ବହୁ ଦୋଷର ସଂଶୋଧନ, ମଧ୍ୟ ଦୋଷରେ ଲଂଘନ, ପାଚନ ଓ ଅଳ୍ପଦୋଷରେ ସଂଶମନ କ୍ରିୟା କରାଯାଏ, ତାହାହେଲେ ରୋଗ ବଳବାନ ହୋଇପାରେ ନାହିଁ  ।
ସଞ୍ଚୟେଽପହୃତା ଦୋଷାଲଭନ୍ତେ ନୋତ୍ତରା ଗତୀଂ  ।
ତେ ତୁତ୍ତରାସୁ ଗତିଷୁ ଭବନ୍ତି ବନ୍ଦବତ୍ତରାଃ  ।
ସୁ.ସୂ ୨୧.୩୭
ତଦ୍‌ ଦୁଃଖ ସଂଯୋଗା ବ୍ୟାଧୟ  । ସୂ. ୧.୨୨ ତଚ୍ଚ୍‌ ଦୁଃଖଂ ତ୍ରିବିଧମ୍‌ — ଆଧ୍ୟାତ୍ମିକମ୍‌, ଆଧିଭୌତିକମ୍‌, ଆଧିଦୈବିକମିତି  । ସୁଶ୍ରୁତଙ୍କ ମତରେ ଯାହା ସମ୍ପର୍କରେ ଆସିଲେ, ମନୁଷ୍ୟର ଦୁଃଖ ହୁଏ, ତାକୁ ବ୍ୟାଧି କୁହାଯାଏ  । ଏହି ଦୁଃଖ ତିନି ପ୍ରକାର ଅଟେ  । ୧. ଆଧ୍ୟାତ୍ମିକ (Psychosomatic), ୨. ଆଧିଭୌତିକ (Traumatic) ଏବଂ ଅଧିଦୈବିକ (Natural)  ।
ଶରୀରରେ ବିଚରଣ କରୁଥିବା କୁପିତ ଦୋଷ ସ୍ରୋତେ ବୈଗୁଣ୍ୟ (Obstruction) ଯେଉଁ ଠାରେ ହୁଏ ସେଠାରେ ରୋଗ ଉତ୍ପନ୍ନ ହୁଏ  ।
କୁପିତାନାଂ ଦୋଷାଣାଂ ଶରୀରେ ପରିଧାବତାମ୍‌  ।
ଯତ୍ର ସଙ୍ଗ ଖଦୈଗୁଣ୍ୟତ୍‌ ବ୍ୟାଧି ସ୍ତତ୍ରୋପ ଜାୟତେ  ।
ସୁ.ସୂ ୨୪.୧୦
ଅଷ୍ଟମହାଗଦା— ବାତବ୍ୟାଧିଃ ପ୍ରମେହଶ୍ଚ କୁଷ୍ଠମର୍ଶୋ ଭଗନ୍ଦରମ୍‌ ଅଶ୍ମରୀ ମୂତ୍ର ଗର୍ଭଶ୍ଚ ତଥୈବୋ ଦରମଷ୍ଟମମ୍‌  । ଅଷ୍ଟାବେତେ ପ୍ରକୃତ୍ୟୈବ ଦୁଶ୍ଚିକିତ୍ସ୍ୟା ମହାଗଦାଃ  । ସୁ.ସୂ ୩୩.୪
ବାତବ୍ୟାଧି, ପ୍ରମେହି, କୁଷ୍ଠ, ଅର୍ଶ, ଭଗନ୍ଦର, ଅଶ୍ମରୀ (Stone in kidney Urinarry bladder, Gallbladder), ମୂତ୍ରଗର୍ଭ (Abnormal position of foetus) ଏବଂ ଉଦର ରୋଗ ଆଦି ସ୍ୱଭାବତଃ ଦୁଶ୍ଚିକିତ୍ସ୍ୟ ହେବା କାରଣରୁ ମହାଗଦା କୁହାଯାଏ  । ଉପରୋକ୍ତ ରୋଗ ମଧ୍ୟରୁ ଆଜିକାଲି ଅନେକ ରୋଗ ସାଧ୍ୟ ହେଲାଣି  । କାରଣ ଶୁଶ୍ରୁତଙ୍କ ପରକାଳରେ ରସୌଷଧିର ପ୍ରୟୋଗ ହେବାରୁ ବାତବ୍ୟାଧି, ପ୍ରମେହ, କୁଷ୍ଠରୋଗ ଔଷଧିସାଧ୍ୟ ହେଲାଣି  । ଶଲ୍ୟ ଓ ନିଶ୍ଚେତନ ବିଜ୍ଞାନର ଉନ୍ନତି ଯୋଗୁଁ ଅଶ୍ମରୀ, ମୂତ୍ରଗର୍ଭ ସହଜରେ ଶଲ୍ୟ କ୍ରିୟା ଦ୍ୱାରା ଠିକ୍‌ ହୋଇ ପାରୁଛି  । ସର୍ବୋପରି କ୍ଷାର ମୂତ୍ର ଚିକିତ୍ସା ଓ ଔଷଧି ଚିକିତ୍ସା ଦ୍ୱାରା ଅର୍ଶ, ଭଗନ୍ଦର ମଧ୍ୟ ସହଜସାଧ୍ୟ ହୋଇପାରିଛି  । କ୍ଷାରସୂତ୍ର ଚିକିତ୍ସାକୁ ଆଧୁନିକ ଭାରତୀୟ ଶଲ୍ୟବିତ୍‌ମାନେ ତଥା ବୈଦେଶିକ ଚିକିସ୍ଚକ ମାନେ ଏହାକୁ ଏକ ସଫଳ ଚିକିତ୍ସା ବୋଲି ଗ୍ରହଣ କରି ଚିକିତ୍ସା କରୁଛନ୍ତି  ।
ଯୁଦ୍ଧରେ ଜୟ କରିବାକୁ ଇଚ୍ଛା କରୁଥିବା ସେନାପତି ଚିକିତ୍ସକଙ୍କ ଦ୍ୱାରା ଯତ୍ନପୂର୍ବକ ସ୍ଥାବର, ଜଙ୍ଗମ ଓ କୃତ୍ରିମ ବିଷ କ୍ରିୟାରୁ ରାଜାଙ୍କୁ ରକ୍ଷାକରିବା ଉଚିତ  ।
ସୁ.ସୂ ୩୪/୩୫  ।
ଏଥିରୁ ଜଣାପଡେ, ପ୍ରାଚୀନ କାଳରେ ବୈଦ୍ୟମାନଙ୍କୁ ରାଜା ଓ ସୈନିକମାନଙ୍କ ଚିକିତ୍ସା କରିବାପାଇଁ ସେନାବାହିନୀରେ ନିଯୁକ୍ତ କରାଯାଉଥିଲା  । ଆଲେକଜାଣ୍ଡର ଭାରତରୁ ଫେରିଲାବେଳେ ତାଙ୍କ ସୈନ୍ୟଙ୍କ ଚିକିତ୍ସା ପାଇଁ କେତେକ ଭାରତୀୟ ବୈଦ୍ୟଙ୍କୁ ସଙ୍ଗରେ ନେଇଯାଇଥିବାର ଉଲ୍ଲେଖ ରହିଛି  । s

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.