Press "Enter" to skip to content

ରାଜ ବିଦ୍ୟାରାଜଗୁହ୍ୟଯୋଗ (ଶ୍ରୀହରିପ୍ରିୟଦାସ ବାବାଜୀ)-1

Last updated on February 6, 2021

ପୂର୍ବ ଦୁଇ ଅଧ୍ୟାୟରେ ପ୍ରଧାନୀଭୂତା ଭକ୍ତି ଏବଂ କେବଳାଭକ୍ତିର ମିଶ୍ରିତ ବର୍ଣ୍ଣନା ଉଲ୍ଲେଖ ଅଛି ବରଂ ପରିମାଣ ଦୃଷ୍ଟିରୁ ପ୍ରଧାନୀଭୂତା ଭକ୍ତିର ଅଧିକ ବର୍ଣ୍ଣନା ହୋଇଛି, ହେଲେ ୬.୪୭ରେ ଭଗବାନ୍ ଏହି ପ୍ରତିଜ୍ଞା କରିଥିଲେ କି ମୁଁ ଯୁକ୍ତତମର ବର୍ଣ୍ଣନା କରିବି  । ଯୁକ୍ତତମ ହେବାପାଇଁ ଯେଉଁ ଜ୍ଞାନୀଙ୍କର ଆବଶ୍ୟକତା ରହିଛି, ଏହାର ବର୍ଣ୍ଣନା ତ ହୋଇସାରିଛି, ହେଲେ ଏହାଦ୍ୱାରା କେଉଁଭଳି ଭକ୍ତି କରାଯାଇପାରିବ, ଏହାର ବର୍ଣ୍ଣନା ଅବଶିଷ୍ଟ ରହିଯାଇଛି  । ଯୁକ୍ତତମ ପ୍ରତିଯୋଗୀଙ୍କ ରୂପରେ ଯୁକ୍ତତର ସ୍ଥିତିର ପ୍ରଦାନକାରୀ ପ୍ରଧାନୀଭୂତା ଭକ୍ତି ପ୍ରକ୍ରିୟାର ବିଶେଷରୂପେ ବର୍ଣ୍ଣନା ହୋଇଯାଇଛି  । ଅତଃ ଏହି ଅଧ୍ୟାୟରେ ଯୁକ୍ତତମ ରୂପରେ ପ୍ରତିଜ୍ଞାତ, ହେଲେ ଅବଶିଷ୍ଟ, ସେହି ବିଷୟର ନିରୂପଣ ହେବ  । ଏଥିରେ ପ୍ରଥମେ ଭକ୍ତିର ଉଦ୍ଦୀପକ ଭଗବାନଙ୍କର ଐଶ୍ୱର୍ଯ୍ୟ ଏବଂ ତାହାର ପ୍ରଭାବର ବର୍ଣ୍ଣନା ହେବ  । ପ୍ରଥମ ତିନିଗୋଟି ଶ୍ଳୋକରେ ଏହାସହ ସମ୍ବନ୍ଧିତ ଜ୍ଞାନ-ବିଜ୍ଞାନର ମହିମା ବର୍ଣ୍ଣନା କରାଯାଇଛି, ଯଦିଓ ପୂର୍ବରୁ ମଧ୍ୟ ୭.୧, ୨ରେ କୁହାଯାଇଛି—
ଶ୍ରୀଭଗବାନ୍‌ କହିଲେ— ମୋର ଅଚିନ୍ତ୍ୟ ଐଶ୍ୱର୍ଯ୍ୟାଦି ଗୁଣସମୂହ ପ୍ରତି ଦୋଷାରୋପଣ ନ କରୁଥିବା ତୁମପାଇଁ, ପୂର୍ବୋକ୍ତ କଥିତ ଜ୍ଞାନରୁ ମଧ୍ୟ ଗୁହ୍ୟତମ, ମୋର ଅନୁଭବକାରୀ ବିଜ୍ଞାନସହିତ ମୋର କୀର୍ତ୍ତନାଦି-ଲକ୍ଷଣା ଭକ୍ତିରୂପ ଉକ୍ତ ଜ୍ଞାନକୁ କହିବି, ଯାହାକୁ ଅବଗତ ହେବା ପରେ ଅଶୁଭ ଅର୍ଥାତ୍‌ ଦୁଃଖମୟ ସଂସାରରୁ ମୁକ୍ତ ହୋଇଯିବ  । ।୧ । ।
ଶରଣାଗତିପୂର୍ବିକା ଭକ୍ତିରୂପ ଏହି ଜ୍ଞାନ ଶ୍ରୁତିମାନଙ୍କରେ ବର୍ଣ୍ଣିତ ଶାଣ୍ଡିଲ୍ୟବିଦ୍ୟା, ବୈଶ୍ୱାନରବିଦ୍ୟା, ଦହରବିଦ୍ୟା ଆଦି ସମସ୍ତ ବିଦ୍ୟାସମୂହର ରାଜା ଅଟନ୍ତି  । ଏହି ଜୀବ-ପ୍ରକୃତି-ବ୍ରହ୍ମ ପ୍ରଭୃତି ସମସ୍ତ ରହସ୍ୟ-ବିଷୟସମୂହର ମଧ୍ୟ ରାଜା ଅଟନ୍ତି  । ଏହି ଭକ୍ତିରୂପ ଜ୍ଞାନ ବ୍ରହ୍ମଜ୍ଞାନଦ୍ୱାରା ମଧ୍ୟ ବିନାଶ ନ ହେଉଥିବା ପ୍ରାରବ୍ଧକର୍ମ ପର୍ଯ୍ୟନ୍ତ ବିଧ୍ୱଂସ୍ତ ହୋଇଯାଏ ଆଉ ଲିଙ୍ଗଦେହପର୍ଯ୍ୟନ୍ତ ଲିପ୍ତ ସର୍ବବ୍ୟାପକଙ୍କର ବିନାଶକ ଅଟେ  । ଏହି କାରଣରୁ ଏହା ସର୍ବାତିଶୟ ପବିତ୍ର ଅଟେ  । ଭକ୍ତିରୂପ ଏହି ଜ୍ଞାନ ସୀତାନାଥ, ରାଧାନାଥ ଆଦି ନାମର ଶ୍ରବଣ-କୀର୍ତ୍ତନାଦି ଦ୍ୱାରା ଏହି ନାମ-ଶ୍ରବଣ-କୀର୍ତ୍ତନାଦି ବିଷୟ ଶ୍ରୀସୀତା ସହିତ ଶ୍ରୀରାମ, ଶ୍ରୀରାଧାସହିତ ଶ୍ରୀକୃଷ୍ଣ ଆଦିଙ୍କର ପ୍ରତ୍ୟକ୍ଷ ଅନୁଭୂତିକାରୀ ଅଟେ  । କେବଳ ଭଗବଦ୍‌ ବିଷୟକ ନାମ-ଶ୍ରବଣ-କୀର୍ତ୍ତନାଦିର ଆଚରଣ କରିବାଦ୍ୱାରା ବର୍ଣ୍ଣାଶ୍ରମାଦି ଅନୁସାରେ ବିହିତ ଅନ୍ୟ ସମସ୍ତ ଧର୍ମର ଅପାଳନରେ ଉତ୍ପନ୍ନ ହେଉଥିବା ଦୋଷରୁ ରହିତ ଅଟେ  । ଏହା ସ୍ୱରୂପତଃ ସ୍ୱୟଂ ସମସ୍ତ ଧର୍ମର ପୂରକ ଅଟେ  । ଏହାର ଆଚରଣ ମଧ୍ୟ ଅନ୍ୟ ସାଧନସମୂହଭଳି କ୍ଳେଶଦାୟକ ନହେବାପରେ ବି ଅତ୍ୟନ୍ତ ସୁଖପ୍ରଦ ଅଟେ  । କର୍ମଯୋଗାଦି ସାଧନ ସଦୃଶ ନଶ୍ୱର ନ ହୋଇ ମୋକ୍ଷଦଶାରେ ମଧ୍ୟ ସାଧ୍ୟମତେ ଅନୁବର୍ତନୀୟ ହୋଇଥିବା କାରଣରୁ ଅବ୍ୟୟ ଅଟେ  । ।୨ । ।
ହେ ପରନ୍ତପ ! ଶ୍ରୁତି ପ୍ରଭୃତିରେ ଯାହାଙ୍କର ଅପ୍ରତିମ ପ୍ରଭାବର ବର୍ଣ୍ଣନା ରହିଛି, ମୋର ଭକ୍ତିରୂପ ଏହି ଧର୍ମର ମହିମାକୁ ସ୍ତୁତିମାତ୍ର ମନେକରି ଦୃଢ଼ବିଶ୍ୱାସପୂର୍ବକ ତାହାକୁ ଯିଏ ଗ୍ରହଣ କରନ୍ତି ନାହିଁ ଏବଂ ସର୍ବସଞ୍ଜିବନୀ ଉକ୍ତ ଭକ୍ତିର ଅନୁଗ୍ରହ ବିନା ମୋର ନିର୍ବିଶେଷ ବ୍ରହ୍ମ ଅଥବା ପରମାତ୍ମପ୍ରକାଶକୁ ପ୍ରାପ୍ତ କରିବାପାଇଁ ଅନ୍ୟ ସାଧନସମୂହର ଅନୁଷ୍ଠାନ କରିଥାନ୍ତି, ସେହି ବ୍ୟକ୍ତିଗଣ ଭକ୍ତିର ଅବହେଳା କରୁଥିବା କାରଣରୁ ମୋର ବ୍ରହ୍ମ ଅଥବା ପରମାତ୍ମପ୍ରକାଶକୁ ପ୍ରାପ୍ତ ନ କରି ମୃତ୍ୟୁଯୁକ୍ତ ସଂସାରପଥରେ ଅତିଶୟ ଭ୍ରମଣ କରିଥାନ୍ତି  । ।୩ । ।
ଶ୍ରୀକୃଷ୍ଣ ସ୍ୱଦାସ୍ୟ ଭକ୍ତିର ଉଦ୍ଦୀପକ ନିଜର ଅଦ୍ଭୁତ ଐଶ୍ୱର୍ଯ୍ୟ ସମ୍ବନ୍ଧରେ କହୁଛନ୍ତି—
ଏହି ଭକ୍ତିରୂପ ଅଚିନ୍ତ୍ୟଶକ୍ତିମୟ ଧର୍ମ ବ୍ୟତିରେକ ଅନ୍ୟ ସାଧନସମୂହ ମାଧ୍ୟମରେ ମୋର ସ୍ୱରୂପ ସର୍ବଥା ଅନ୍ତଃ ଏବଂ ବାହ୍ୟ ଇନ୍ଦ୍ରିୟସମୂହ ଦ୍ୱାରା ଅଗ୍ରାହ୍ୟ ଅଟେ  । ଅତଃ ମୁଁ ଅବ୍ୟକ୍ତମୂର୍ତ୍ତି ବୋଲାଏ  । ଅବ୍ୟକ୍ତମୂର୍ତ୍ତି ମୋ ଦ୍ୱାରା ଏହି ସମ୍ପୂର୍ଣ୍ଣ ଜଗତକୁ ଧାରଣ କରିବାପାଇଁ ଏବଂ ନିୟମନ କରିବାପାଇଁ ବ୍ୟାପ୍ତ ହୋଇଛି  । ଅର୍ଥାତ୍‌ ଯଦି ମୁଁ ଏଥିରେ ବ୍ୟାପ୍ତ ହୋଇ ରହିବି ନାହିଁ ତେବେ ଏହାର ଧାରଣ ଆଉ ନିୟମନ ହୋଇପାରିବ ନାହିଁ  । ଅତଃ ଚର-ଅଚର ସମସ୍ତ ଭୂତସମୂହ ଧାରକ ଏବଂ ନିୟାମକ ମୋଠାରେ ଅବସ୍ଥିତ ଅଟନ୍ତି ଅର୍ଥାତ୍‌ ଏମାନଙ୍କ ସ୍ଥିତି ମୋ ଅଧୀନ ଅଟେ, କିନ୍ତୁ ମୁଁ ସେହି ଭୂତସମୂହରେ ଅବସ୍ଥିତ ନାହିଁ ଅର୍ଥାତ୍‌ ମୋ ସ୍ଥିତି ସେମାନଙ୍କ ଅଧୀନ ନୁହେଁ  । ।୪ । ।
ଅଚିନ୍ତ୍ୟଶକ୍ତିମାନ୍‌ ମୋର ସତ୍ୟସଂକଳ୍ପତାରୂପ ଯୋଗୈଶ୍ୱର୍ଯ୍ୟକୁ ଅବଗତ ହୁଅ  । ଚର-ଅଚର ସମସ୍ତ ଭୂତ ମୋଠାରେ ସ୍ଥିତ ଅଟନ୍ତି, କିନ୍ତୁ ଏମାନେ ଜଳରେ ଘଟ ସଦୃଶ ମୋଠାରେ ସ୍ଥିତ ନୁହଁନ୍ତି ଅର୍ଥାତ୍‌ ମୋଠାରେ ଆଶ୍ରିତ ହେବାପରେ ମଧ୍ୟ ମୋସହ ଏମାନଙ୍କର ସଂସର୍ଗ ହୋଇନଥାଏ  । ଅନ୍ୟପକ୍ଷରେ ଭୂତସମୂହର ଧାରକ ଏବଂ ପାଳକ ହେବାପରେ ମଧ୍ୟ ମୁଁ କିନ୍ତୁ ଭୂତସମୂହରେ ଅବସ୍ଥିତ ନଥାଏ ଅର୍ଥାତ୍‌ ଭୂତସମୂହ ସହ ସମ୍ପୃକ୍ତ ହୋଇନଥାଏ, କାରଣ ମୋର ସ୍ୱରୂପଶକ୍ତିଭୂତ ମନ ହିଁ ଭୂତଭାବନ—ଭୂତସମୂହର ପାଳକ ଅଟେ ଅର୍ଥାତ୍‌ ସତ୍ୟସଂକଳ୍ପତାଲକ୍ଷଣ ଐଶ୍ୱର-ଯୋଗ ଦ୍ୱାରା ହିଁ ମୁଁ ସମସ୍ତ ଭୂତଗଣଙ୍କର ଧାରଣ ଏବଂ ପାଳନ କରିଥାଏ, ମାତା-ପିତାଙ୍କ ଭଳି ସ୍ୱମୂର୍ତ୍ତିର ବ୍ୟାପାର ଭଳି ନୁହେଁ  । ।୫ । ।
ଦୃଷ୍ଟାନ୍ତ ଦ୍ୱାରା ଏହା ବ୍ୟକ୍ତ କରୁଅଛି କି, ସମସ୍ତ ଭୂତଗଣଙ୍କର ସ୍ଥିତିରୂପ ବ୍ୟାପାର ମୋର ସତ୍ୟସଂକଳ୍ପତାର ଅଧୀନ କେଉଁଭଳି ହୋଇଥାଏ—
ମୋର ଐଶ୍ୱର ଯୋଗକୁ ଏହିଭଳି ଅବଗତ ହୁଅ—ଯେଉଁଭଳି ଆଲମ୍ବନହୀନ ମହାନ୍‌ ଆକାଶରେ ଆଲମ୍ବନହୀନ ଅପରିସୀମ ବାୟୁ ନିତ୍ୟ ସ୍ଥିତ ଅଟେ ଏବଂ ସର୍ବତ୍ର ଗମନ କରୁଥାଏ ଅର୍ଥାତ୍‌ ଉଭୟର ନିରାଲମ୍ବତୟା ସ୍ଥିତି ମୋ ସଂକଳ୍ପ କାରଣରୁ ହିଁ ହୋଇଥାଏ, ସେହିଭଳି ସମସ୍ତ ଭୂତ, ସେହି ଭୂତସମୂହରୁ ସର୍ବଥା ଅସମ୍ପୃକ୍ତ ମୋଠାରେ ସ୍ଥିତ ଅଟନ୍ତି ଅର୍ଥାତ୍‌ ମୋ ଦ୍ୱାରା ସଂକଳ୍ପମାତ୍ରେ ଧୃତ ଏବଂ ନିୟମିତ ଅଟନ୍ତି, ସଂସର୍ଗ ଦ୍ୱାରା ମୋଠାରେ ଆଲମ୍ବନରେ ସ୍ଥିତ ନୁହଁନ୍ତି  । ।୬ । ।
ସଂକଳ୍ପଦ୍ୱାରା ଭୂତଗଣଙ୍କ ସ୍ଥିତି ସମ୍ପର୍କରେ କହିବାପରେ ସଂକଳ୍ପଦ୍ୱାରା ହିଁ ଏମାନଙ୍କର ସୃଷ୍ଟି ଆଉ ପ୍ରଳୟ ସମ୍ବନ୍ଧରେ କହୁଅଛି—
ହେ କୌନ୍ତେୟ ! ଚତୁର୍ମୁଖ ବ୍ରହ୍ମାଙ୍କର ଅବସାନ କାଳରେ ସମସ୍ତ ଭୂତ ମୋ ସଂକଳ୍ପରୁ ହିଁ ମୋର ପ୍ରକୃତିରେ ଅର୍ଥାତ୍‌ ପ୍ରକୃତିଶକ୍ତିମାନ୍‌ ମୋଠାରେ ଲୀନ ହୋଇଯାନ୍ତି ଅର୍ଥାତ୍‌ ‘ଏକମେବାଦ୍ୱିତୀୟମ୍‌‘ ଭଳି ସ୍ଥିତି ପ୍ରାପ୍ତ ହୁଅନ୍ତି  । ପୁନଃ ସୃଷ୍ଟିକାଳରେ ମୁଁ ସେ ସମସ୍ତର ‘ଏକୋଽହଂ ବହୁ ସ୍ୟାମ୍‌‘ ଉକ୍ତ ସଂକଳ୍ପ ଅନୁସାରେ ବିବିଧ ପ୍ରକାରରେ ସୃଜନ କରିଥାଏ  । ।୭ । ।
ସୃଷ୍ଟିକାଳରେ ଭୂତସମୁଦାୟଙ୍କର ବିବିଧ ପ୍ରକାରେ ସୃଜନର କାରଣର ସମ୍ବନ୍ଧରେ କହୁଅଛି—
ନିଜର ତ୍ରିଗୁଣାତ୍ମିକା ପ୍ରକୃତିର ଆଶ୍ରୟକରି ଅଚିନ୍ତ୍ୟଶକ୍ତିମାନ୍‌ ଏବଂ ଅସଙ୍ଗ ସ୍ୱଭାବବାନ୍‌ ମୁଁ ସର୍ଗ ସମୟରେ ପ୍ରାଚୀନ କର୍ମବାସନାରେ ବଶୀଭୂତ ହୋଇଥିବା କାରଣରୁ ପରତନ୍ତ୍ର ଏହି ସମଗ୍ର ଚର-ଅଚର ଭୂତସମୂହର ସୃଜନ ସେମାନଙ୍କର କର୍ମାନୁରୂପ ଦେହାଦି ରୂପେ ବାରମ୍ବାର କରିଥାଏ  । ।୮ । ।
ସୃଷ୍ଟି ଏବଂ ପାଳନରୂପ ବିଷମ କର୍ମ ମୋଭଳି ସର୍ବସମର୍ଥ ଭଗବାନଙ୍କୁ ବାନ୍ଧିପାରେ ନାହିଁ, ଏଥିପାଇଁ କହୁଅଛି—
ହେ ଧନଞ୍ଜୟ ! ଦେବ-ମାନବ-ପଶୁ-ପକ୍ଷୀ ଆଦି ଦେହ, ତଥା ସେହି ସେହି ଦେହରେ ଅଭ୍ୟୁଦୟର ତାରତମ୍ୟ ବିଷୟରେ ସେହି ଜୀବଗଣଙ୍କର ପୂର୍ବାର୍ଜିତ କର୍ମ ହିଁ କାରଣ ହୋଇଥାଏ, ଅତଃ ସୃଷ୍ଟି ଆଦି ସେ ସମସ୍ତ କର୍ମରେ ଆସକ୍ତିରହିତ ଏବଂ ଉଦାସୀନ ସଦୃଶ ଅବସ୍ଥିତ ବିଷମତାରହିତ ମୋତେ ସୃଷ୍ଟି ଆଦି କର୍ମ ବାନ୍ଧିପାରନ୍ତି ନାହିଁ  । ।୯ । ।

ସୃଷ୍ଟି ସମ୍ବନ୍ଧରେ ନିଜର କର୍ତ୍ତୃତ୍ୱ ଏବଂ ଔଦାସୀନତ୍ୱ ସମ୍ବନ୍ଧରେ କହୁଅଛି—
ହେ କୌନ୍ତେୟ ! ଜୀବର ପୂର୍ବ ପୂର୍ବ କର୍ମାନୁରୂପ ତା ନିମନ୍ତେ ଦେହାଦି ସୃଷ୍ଟିର ଭାବନାରେ ସତ୍ୟସଂକଳ୍ପ ଏବଂ ପ୍ରକୃତିର ଅଧ୍ୟକ୍ଷ ସର୍ବେଶ୍ୱର ମୁଁ ପ୍ରକୃତିକୁ ଦେଖିଥାଏ ଏବଂ ସେହି ପ୍ରକୃତି ଗର୍ଭରେ ଜୀବରାଶିର ଆଧାନ କରିଥାଏ  । ମୋର ଏହି ଦୃଷ୍ଟିପାତ କାରଣରୁ ପ୍ରକୃତି ଗୁଣସମୂହର ସାମ୍ୟାବସ୍ଥାର ପରିତ୍ୟାଗ କରିଥାଏ ଏବଂ ଚର-ଅଚରସହିତ ସମ୍ପୂର୍ଣ୍ଣ ଜଗତର ପ୍ରସବ କରିଥାଏ  । ଜୀବନର ପୂର୍ବ ପୂର୍ବ କର୍ମାନୁରୂପେ ମୋର ଦର୍ଶନରୂପ କାରଣରୁ ଜଗତ ବାରମ୍ବାର ଉତ୍ପନ୍ନ ହୋଇଥାଏ  । ।୧୦ । ।
ଆପଣ ଏଭଳି ମହିମାଯୁକ୍ତ ଅଟନ୍ତି ତଥାପି ଆପଣଙ୍କ ଆଦର ଅସୁରମାନେ କାହିଁକି କରନ୍ତି ନାହିଁ, ଉକ୍ତ ପ୍ରଶ୍ନର ଉତ୍ତର ଦେଉଅଛି—
ମୂଢ଼ ଲୋକମାନେ ମନୁଷ୍ୟାକୃତି ଏବଂ ମାନୁଷୀ ଚେଷ୍ଟାର ବହୁଳତାଯୁକ୍ତ ମୋର ନିତ୍ୟ ଶରୀରର ପରମ ସତ୍ତାକୁ ଜାଣନ୍ତି ନାହିଁ, ଅତଃ ଏଭଳି ସତ୍‌ସଂକଳ୍ପ, ସର୍ବଜ୍ଞ, ମହାକାରୁଣିକ, ନିଖିଳ ଜଗତର ଏକମାତ୍ର ସ୍ୱାମୀ ମୋର ଅବଜ୍ଞା କରିଥାନ୍ତି  । ଭାବାର୍ଥ ହେଉଛି, ଏମାନଙ୍କ ମଧ୍ୟରୁ (୧) କେତେକ ମୂଢ଼ ତ ମୋତେ କର୍ମ ଅନୁରୂପ ପ୍ରାପ୍ତ ତ୍ରିଗୁଣମୟ ପଞ୍ଚଭୌତିକ ବିନାଶୀ ଶରୀରଯୁକ୍ତ ବୋଲି ମନେକରନ୍ତି, (୨) କେତେକ ମୂଢ଼ଶ୍ରେଷ୍ଠ ବିଶେଷ ମୋତେ ସଦ୍‌ଗୁଣସମ୍ପନ୍ନ ଶରୀରଧାରୀ ଯୋଗିଶ୍ରେଷ୍ଠ ମନେକରନ୍ତି, (୩) କର୍ମଜଡ-ସ୍ମାର୍ତ କେତେକ ମୂଢ଼ବିଶେଷ ମୋତେ ବ୍ରହ୍ମା-ରୁଦ୍ର-ଇନ୍ଦ୍ରାଦି ଇତର ଦେବତାମାନଙ୍କର ସମ ମନେ କରିଥାନ୍ତି ଏବଂ (୪) ନିର୍ବିଶେଷ-ବ୍ରହ୍ମବାଦୀ କେତେକ ଇତର ମୂଢ଼ଚୂଡାମଣି ମୋତେ ମାୟିକ ଶୁଦ୍ଧସତ୍ତ୍ୱରେ ଉପହିତ ଈଶ୍ୱରବିଶେଷ ମନେକରନ୍ତି  । ଏ ସମସ୍ତ ମୂଢ଼ ଲୋକମାନେ ଏହା ଜାଣନ୍ତି ନାହିଁ ଯେ, ମୁଁ ଏହି ନରାକାରରୂପରେ ହିଁ ମାୟାରେ ଅନୁପହିତ ହୋଇଥିବା କାରଣରୁ ଅପ୍ରାକୃତ ତଥା ସଚ୍ଚିଦାନନ୍ଦଘନସ୍ୱରୂପ ଏବଂ ସ୍ୱରୂପଭୂତ ବିଗ୍ରହବାନ୍‌ ଅଟେ, ଏଥିପାଇଁ କୌଣସି ନା କୌଣସି ପ୍ରକାରେ ଏ ସମସ୍ତ ମୋର ଅବଜ୍ଞା ଅବା ଅପମାନ କରନ୍ତି  । ମୋର ଐଶ୍ୱର-ଯୋଗ ଦ୍ୱାରା ମୋର ଏହି ସ୍ୱରୂପଭୂତ ଚିଦାନନ୍ଦମୟ ନରାକାର ବିଗ୍ରହରେ ଜଡ-ମାୟା-ପ୍ରକୃତିର ସଂସର୍ଗ ସୁଦ୍ଧା ହୋଇନଥାଏ, ପୁନର୍ବାର ତା ଦ୍ୱାରା ଉପହିତ ଅଥବା ତାହାର ବିକାର ପ୍ରାକୃତ ପାଞ୍ଚଭୌତିକ ଶରୀରୀ ହେବାର ପ୍ରଶ୍ନ ଉଠୁଛି କେଉଁଠୁ  । ।୧୧ । ।
ଏଭଳି ମୂଢ଼ ଲୋକଙ୍କର କେଉଁଗତି ହୋଇଥାଏ, ସେ ସମ୍ପର୍କରେ କହୁଅଛି—
ଯଦି ସେ ମୋକ୍ଷାଭିଳାଷୀ ହୋଇ କୌଣସି ବ୍ୟକ୍ତି ଅଥବା ମାୟୋପହିତ ଜଗତନିୟନ୍ତା ଈଶ୍ୱର ନାମକ ପଦାର୍ଥର ଉପାସକ ତଥାକଥିତ ଯୋଗୀ ହେବାର ମିଥ୍ୟା ଅଭିମାନ ମଧ୍ୟ କରିଥାନ୍ତି, ତେବେ ମଧ୍ୟ ତାଙ୍କର ମୋକ୍ଷବାଞ୍ଛା ନିଷ୍ଫଳ ହୋଇଯାଏ, ସେ ଯଦି ଅଗ୍ନିହୋତ୍ରାଦି କର୍ମନିଷ୍ଠ ବି ହୋଇଥାନ୍ତି, ତେବେ ତାଙ୍କର କର୍ମ ବ୍ୟର୍ଥ ହୋଇଯାଏ, ସେ ଯଦି ବେଦାନ୍ତାଦି ଶାସ୍ତ୍ରସମୂହର ପରିଶୀଳନକାରୀ ଅଟନ୍ତି, ତେବେ ତାଙ୍କର ସେହି ଶାସ୍ତ୍ରବୋଧ ନିଷ୍ଫଳ ହୋଇଯାଏ  । ଏହା ଏଥିପାଇଁ ଯେ, ନିତ୍ୟସିଦ୍ଧ ମନୁଷ୍ୟସନ୍ନିବେଶୀ ମଧ୍ୟମାକାର ସଚ୍ଚିଦାନନ୍ଦ ସାକ୍ଷାତ୍‌ ପରମବ୍ରହ୍ମ ମୋ ପ୍ରତି କରାଯାଇଥିବା ତାତ୍ତ୍ୱିକୀ ଅବଜ୍ଞା ଅବା ଅପମାନରୁ ଉତ୍ପନ୍ନ ପାପ କାରଣରୁ ତାଙ୍କର ବିବେକ ପ୍ରତିବଦ୍ଧ ହୋଇଯାଏ  । ଏଥିପାଇଁ ସେ ଏଭଳି କୁତର୍କ କରିଥାନ୍ତି କି, କୌଶଲ୍ୟା-ଦେବକୀ ଆଦିଙ୍କର ଗର୍ଭରୁ ଉତ୍ପନ୍ନ ତଥା ସୀତାଙ୍କ ବିୟୋଗରେ ବିଳାପକାରୀ ଏବଂ ଗୋପୀବସନ ଚୋର, ନବନୀତଚୋର ଶ୍ରୀରାମ-କୃଷ୍ଣାଦି କେଉଁଭଳି ଚିଦାନନ୍ଦମୟ, ମାୟା-ଅନୁପହିତ, ବିଭୁ ଏବଂ ନିତ୍ୟ ହୋଇପାରନ୍ତି ? ଏହି ଦୋଷର ଫଳସ୍ୱରୂପ ସେମାନେ ପ୍ରଚୁର ହିଂସାଦିଯୁକ୍ତ ବିବେକ-ବିଲୋପିନୀ ତାମସୀ ପ୍ରକୃତି ଏବଂ ପ୍ରଚୁର କାମ-ଗର୍ବାଦିଯୁକ୍ତ ବିବେକ-ଆଚ୍ଛାଦିନୀ ରାଜସୀ ପ୍ରକୃତିର ଆଶ୍ରିତ ହୋଇ ନରକ ନିବାସପାଇଁ ଯୋଗ୍ୟ ହୋଇଥାନ୍ତି  । ।୧୨ । ।
ତେବେ ପୁଣି କିଏ ଆପଣଙ୍କ ଆଦର କରନ୍ତି, ଏହାର ଉତ୍ତରରେ କହୁଅଛି—
ଅବଶିଷ୍ଟାଂଶ ଅାଗାମୀ ସଂଖ୍ୟାରେ …

ହେ ପାର୍ଥ ! କିନ୍ତୁ ରାମ-କୃଷ୍ଣାଦି ମୋଭଳି ନରାକୃତି-ପରବ୍ରହ୍ମ ରୂପରେ ନିଷ୍ଠ କୌଣସି ସତ୍‌ପୁରୁଷଙ୍କର ପ୍ରସଙ୍ଗରେ ଉତ୍ପନ୍ନ ସେହିଭଳି ନିଷ୍ଠା ଦ୍ୱାରା ମୋର ସହସ୍ରଶୀର୍ଷାଦି ଆକାରରେ ମଧ୍ୟ ଅରୁଚିଯୁକ୍ତ ଏବଂ ଅପ୍ରାକୃତତ୍ତ୍ୱକୁ ଧାରଣ କରିବା ଯୋଗ୍ୟତା କାରଣରୁ ବିସ୍ତୀର୍ଣ୍ଣ ଏବଂ ଅଗାଧ ମନଯୁକ୍ତ ଶୁଦ୍ଧ ମହାତ୍ମା ହୋଇଥାନ୍ତି  । ଏଭଳି ମହାତ୍ମା ମନୁଷ୍ୟଗଣ ମୋର ସ୍ୱରୂପଭୂତା ଦୈବୀ ପ୍ରକୃତିର ଆଶ୍ରୟକାରୀ ହୋଇଥାନ୍ତି  । ସେ ମୋତେ ସମସ୍ତ ଭୂତଗଣଙ୍କର ଏବଂ ବ୍ରହ୍ମା-ରୁଦ୍ରାଦି ସମସ୍ତ ଦେବତାଙ୍କର ଆଦି କାରଣ ଏବଂ ଅବିନାଶୀ ରୂପେ ଅବଗତ ହୋଇ ମୋର ନରାକାରରୂପରେ ଆବିଷ୍ଟ ଚିତ୍ତଯୁକ୍ତ ହୋଇ ମୋର ଅହର୍ନିଶ ସେବା କରିଥାନ୍ତି  । ।୧୩ । ।
ସେହି ମହାତ୍ମାଗଣ କେଉଁଭଳି ଭଜନ-ଭକ୍ତି-ସେବନ କରନ୍ତି, ଏହାକୁ ଦୁଇଗୋଟି ଶ୍ଳୋକରେ ବ୍ୟକ୍ତ କରାଯାଇଛି—
ସେହି ମହାତ୍ମାଗଣ ମୋଠାରେ ନିତ୍ୟଯୁକ୍ତ ହେବାର ଭାବନା ସମ୍ପନ୍ନ ଅଟନ୍ତି  । ଏଥିପାଇଁ ନିତ୍ୟଯୁକ୍ତ ରହିବାପୂର୍ବକ ସେମାନେ ଦେଶ-କାଳାଦିର ବିଶୁଦ୍ଧିରେ ନିରପେକ୍ଷ ହୋଇ ଶତତ ଏବଂ ଅତ୍ୟନ୍ତ ସ୍ନେହସହିତ ସୁଧା ସଦୃଶ ମଧୁର ମୋର କଲ୍ୟାଣମୟ ଗୁଣ ଏବଂ କର୍ମ ସହ ଓତପ୍ରୋତ ରାମ-କୃଷ୍ଣ-ଗୋବିନ୍ଦ ଆଦି ନାମକୁ ଉଚ୍ଚସ୍ୱରରେ ଉଚ୍ଚାରଣ କରିବାପୂର୍ବକ ମୋର ଉପାସନା କରନ୍ତି  । ସେମାନେ ପ୍ରଣାମ କରିବା ପୂର୍ବକ ତଥା ଶ୍ରବଣ-ଅର୍ଚ୍ଚନ-ବନ୍ଦନାଦି କରିବାସହିତ ନିରନ୍ତର ମୋର ଉପାସନା କରିଥାନ୍ତି  । ସେହି ସମାନ ହୃଦୟଯୁକ୍ତ ସାଧୁମାନଙ୍କ ସହିତ ମୋର ସ୍ୱରୂପ-ଗୁଣ-କର୍ମାଦିର ଯଥାସ୍ୱରୂପତାର ନିର୍ଣ୍ଣୟ ନିମନ୍ତେ ପ୍ରଯତ୍ନକାରୀ ହୋଇଥାନ୍ତି ଆଉ ଏକାଦଶୀ-ଜନ୍ମାଷ୍ଟମୀ ଆଦି ଦିନମାନଙ୍କରେ ଉପବାସାଦିରୂପ ଅପତିତ ବ୍ରତଯୁକ୍ତ ହୋଇଥାନ୍ତି  । ।୧୪ । ।

କେବଳ ଭଗବତ୍‌ସ୍ୱରୂପନିଷ୍ଠ ଏବଂ କୀର୍ତ୍ତନାଦି-ଶୁଦ୍ଧଭକ୍ତିପ୍ରଧାନ ମହାତ୍ମା-ଶବ୍ଦବାଚ୍ୟ ଭକ୍ତଗଣଙ୍କର ବର୍ଣ୍ଣନା କରିବାପରେ ସେହି ଜ୍ଞାନଯଜ୍ଞପ୍ରଧାନ ଭକ୍ତମାନଙ୍କର ବର୍ଣ୍ଣନା କରୁଛନ୍ତି, ଯାହାଙ୍କ ପାଇଁ ଭଗବନ୍ନାମକୀର୍ତ୍ତନାଦି ଶୁଦ୍ଧଭକ୍ତି ହୌଣ ହୋଇଥାଏ—

ପୂର୍ବୋକ୍ତ ଶୁଦ୍ଧ ମହାତ୍ମା ଭକ୍ତଗଣଙ୍କଠାରୁ ଭିନ୍ନ କିଛି ଭକ୍ତ ମୋର ନାମ-କୀର୍ତ୍ତନାଦି ବ୍ୟତିରେକ ଜ୍ଞାନଯଜ୍ଞ ଦ୍ୱାରା ମଧ୍ୟ ଯଜନ କରିବାପୂର୍ବକ ମୋର ଉପାସନା କରିଥାନ୍ତି  । ସେମାନଙ୍କର ଜ୍ଞାନଯଜ୍ଞର ପ୍ରକାର ହେଉଛି କି, ସେମାନେ ମୋତେ ବିଶ୍ୱତୋମୁଖ-ପ୍ରପଞ୍ଚ-ଦେବତା ଆଦି ସର୍ବରୂପରେ ସ୍ଥିତ ଜାଣନ୍ତି ଏବଂ ଏଥିରେ ‘ଏକତ୍ୱ’ ତଥା ‘ପୃଥକ୍‌ତ୍ୱ’ର ଭାବନା କରନ୍ତି  । ଏଠାରେ ଏକତ୍ୱ ଭାବନାର ତିନିଗୋଟି ମୁଖ୍ୟ କାରଣ ରହିଛି—ପ୍ରଥମ ହେଉଛି କି, ମୁଁ ବିଶ୍ୱତୋମୁଖ ଅଟେ, ଅତଃ ତ୍ରିଗୁଣାତ୍ମିକା ପ୍ରକୃତିଶକ୍ତି ଏବଂ ଜୀବଶକ୍ତିର ସଂଗଠନରୁ ରଚିତ ଏହି ଜଡ-ଚେତନାତ୍ମକ ସମ୍ପୂର୍ଣ୍ଣ ଜଗତ ଭଗବତ୍‌ ଶକ୍ତିମୟ ହୋଇଥିବା କାରଣରୁ ଭଗବାନଙ୍କ ଆଶ୍ରିତ ଅଟେ, ଅତଃ ଭଗବାନଙ୍କଠାରୁ ପୃଥକ୍‌ ନୁହେଁ  । ଦ୍ୱିତୀୟ ହେଉଛି କି, ଅନ୍ତର୍ଯ୍ୟାମୀ ରୂପରେ ଏହା ଭଗବାନଙ୍କ ଦ୍ୱାରା ନିୟମ୍ୟ ଅଟେ, ଅତଃ ଭଗବାନଙ୍କ ଠାରୁ ପୃଥକ୍‌ ନୁହେଁ  । ଆଉ ତୃତୀୟ ହେଉଛି କି, ବ୍ୟାପ୍ୟ ହୋଇଥିବାରୁ ଏବଂ ଭଗବାନଙ୍କ ଆଶ୍ରିତ ହୋଇଥିବାରୁ ଏହି ଜଗତ ସ୍ୱତନ୍ତ୍ରତୟା ପୃଥକ୍‌ ସ୍ଥିତିର ଯୋଗ୍ୟ ନୁହେଁ  । ଅତଃ ଭଗବାନଙ୍କ ଠାରୁ ଭିନ୍ନ ନୁହଁନ୍ତି ଅର୍ଥାତ୍‌ ଭଗବାନଙ୍କ ଠାରୁ ଅଭିନ୍ନ ଅଟନ୍ତି  । ପୃଥକ୍‌ତ୍ୱ ଭାବନାର କାରଣ ହେଉଛି, ଏହିଭଳି ଭଗବାନଙ୍କ ଠାରେ ଆଶ୍ରିତ ହୋଇଥିବା କାରଣରୁ ଭଗବାନଙ୍କଠାରୁ ପୃଥକ୍‌ ହେବାପରେ ମଧ୍ୟ ଏହି ଜଡ-ଚେତନାତ୍ମକ ଜଗତ ଭଗବାନଙ୍କର ସଚ୍ଚିଦାନନ୍ଦମୟ ସ୍ୱରୂପରୁ ଭିନ୍ନ ଅଟେ  । ଏପ୍ରକାର ଏକତ୍ୱର ଭାବନାରେ ତଥା ପୃଥକତ୍ୱ ଭାବନାରେ ସେମାନେ ସତ୍ୟର ଚିନ୍ତନ କରିଥାନ୍ତି  । ।୧୫ । ।

ପୂର୍ବକଥିତ ଜ୍ଞାନଯଜ୍ଞର ଆଧାରଭୂତ ଚିନ୍ତନ ସାମଗ୍ରୀର ସିଦ୍ଧି ନିମନ୍ତେ ଶ୍ରୀକୃଷ୍ଣ ଅଗ୍ରୀମ ଚାରିଗୋଟି ଶ୍ଳୋକରେ ଏହା କହୁଛନ୍ତି କି, ମୁଁ ହିଁ ବିଭିନ୍ନ ଶକ୍ତିସମୂହଦ୍ୱାରା ନାମ-ରୂପ-କ୍ରିୟାତ୍ମକ ଜଗତ୍‌ ରୂପେ ସ୍ଥିତ ଅଟେ—
ହେ ଅର୍ଜ୍ଜୁନ ! ମୁଁ ‘ଅଗ୍ନିଷ୍ଟୋମ’ ଆଦି ଶ୍ରୌତ କର୍ମ ଅଟେ, ‘ବୈଶ୍ୱଦେବ’ ଆଦି ସ୍ମାର୍ତ କର୍ମ ଅଟେ, ମୁଁ ଶ୍ରାଦ୍ଧର ଅନ୍ନ ଅଟେ, ମୁଁ ଔଷଧି ଅଟେ, ମୁଁ ମନ୍ତ୍ର ଅଟେ, ମୁଁ ଘୃତ ଅଟେ, ମୁଁ ଅଗ୍ନି ଅଟେ, ମୁଁ ହୋମ ଅଟେ  । ମୁଁ ହିଁ ଜଗତ୍‌ର ମାତା, ପିତା, ଧାତା ଆଉ ପିତାମହ ଅଟେ  । ମୁଁ ଜ୍ଞେୟ ବସ୍ତୁ ଅଟେ, ମୁଁ ଶୋଧକ ଅଟେ, ମୁଁ ଓଁକାର ଅଟେ ଏବଂ ମୁଁ ହିଁ ଋକ୍‌, ସାମ, ଯଜୁର୍ବେଦାଦି ଅଟେ  । ମୁଁ କର୍ମଫଳରୂପ ସମସ୍ତଙ୍କର ଗତି, ଭର୍ତା, ପ୍ରଭୁ, ସାକ୍ଷୀ, ନିବାସ, ଶରଣ ଏବଂ ସୁହୃତ୍‌ ଅଟେ  । ସୃଷ୍ଟି, ସ୍ଥିତି ତଥା ଲୟ—ଏ ସମସ୍ତ କ୍ରିୟା ମୁଁ ଅଟେ  । ମୁଁ ଜଗତର ଆଧାର ଏବଂ ଅବ୍ୟୟ ବୀଜ ଅଟେ  । ମୁଁ ହିଁ ତାପ ପ୍ରଦାନ କରେ, ବର୍ଷା କରାଏ ତଥା ତାହାର ଆକର୍ଷଣ କରେ  । ମୁଁ ମୋକ୍ଷ ଅଟେ, ମୁଁ ସଂସାର ଅଟେ ତଥା ମୁଁ ହିଁ ସ୍ଥୂଳ ଏବଂ ସୂକ୍ଷ୍ମ ସମସ୍ତ ବସ୍ତୁ ଅଟେ  ।

ଏପ୍ରକାର ସ୍ୱଭକ୍ତମାନଙ୍କର ବ୍ୟବହାର କହିବାପରେ ସେହି ଭକ୍ତମାନଙ୍କର ବିଶିଷ୍ଟତା କହିବା ନିମନ୍ତେ ସ୍ୱବିମୁଖ ଅଭକ୍ତମାନଙ୍କର ବ୍ୟବହାର ସମ୍ପର୍କରେ କହୁଅଛି—

ଇନ୍ଦ୍ରାଦି ମୋର ବିଭୂତିରୂପ ଅଟନ୍ତି—ଉକ୍ତ ତଥ୍ୟକୁ ଦେବାନ୍ତରମାନଙ୍କ ଉପାସକ ମୋଠାରୁ ଅର୍ଥାତ୍‌ ଭଗବାନଙ୍କଠାରୁ ବିମୁଖ, ସେହି ଲୋକମାନେ ଜାଣନ୍ତି ନାହିଁ  । ତ୍ରିବେଦ-ସମ୍ମତ-କର୍ମପରାୟଣ ଏହି ବ୍ୟକ୍ତିଗଣ ବେଦତ୍ରୟୀରେ ବିହିତ ଜ୍ୟୋତିଷ୍ଟୋମ ଆଦି ଯଜ୍ଞ ଦ୍ୱାରା ଫଳପ୍ରଦାନକାରୀ ଇନ୍ଦ୍ରାଦିଙ୍କ ରୂପରେ ଅବସ୍ଥିତ ମୋର ଅବିଧିପୂର୍ବକ ପୂଜା କରିଥାନ୍ତି  । ଏହି ପୂଜା ଅବିଧିପୂର୍ବକ ଏଥିପାଇଁ ହୋଇଛି ଯେ, ଲୋକମାନେ ଇନ୍ଦ୍ରାଦିଙ୍କୁ ସ୍ୱତନ୍ତ୍ରତୟା ଫଳପ୍ରଦାନକାରୀ ମନେକରନ୍ତି  । ଯଜ୍ଞାବଶେଷ ସୋମରସର ପାନ କରି ସ୍ୱର୍ଗାଦି ଲୋକ ପ୍ରାପ୍ତିରେ ପ୍ରତିବନ୍ଧକ ପାପସମୂହରୁ ପବିତ୍ର ହୋଇ ସେମାନେ ସ୍ୱର୍ଗଗମନ ନିମନ୍ତେ ପ୍ରାର୍ଥନା କରନ୍ତି  । ସେମାନେ ଯଜ୍ଞକ୍ରିୟାଜନ୍ୟ ପୁଣ୍ୟଫଳ ରୂପରେ ଦେବରାଜ ଇନ୍ଦ୍ର ଲୋକକୁ ପ୍ରାପ୍ତ କରି ସ୍ୱର୍ଗରେ ଦେବଭୋଗ୍ୟ ଦିବ୍ୟ ବସ୍ତୁସମୂହର ଉପଭୋଗ କରନ୍ତି  । ।୨୦ । ।

ସେହି ସ୍ୱର୍ଗପ୍ରାର୍ଥୀଗଣ ନିଜର ପ୍ରାର୍ଥିତ ସେହି ବିଶାଳ ସ୍ୱର୍ଗଲୋକର ଭୋଗ କରିବାପରେ ପୁଣ୍ୟ କ୍ଷୀଣ ହେବାରୁ ମୃତ୍ୟୁଲୋକକୁ ପୁନର୍ବାର ଆଗମନ କରନ୍ତି  । ଏହିଭଳି ବେଦତ୍ରୟୀବିହିତ ସକାମ କର୍ମସମୂହର ଅନୁଷ୍ଠାନକାରୀ ଏବଂ ସ୍ୱର୍ଗୀୟ ଭୋଗସମୂହର କାମନାକାରୀମାନେ ବାରମ୍ବାର ସଂସାରରେ ଆବାଗମନକୁ ପ୍ରାପ୍ତ କରିଥାନ୍ତି  । ।୨୧ । ।

ଅଧୁନା ସ୍ୱଭକ୍ତମାନଙ୍କର ବିଶେଷତ୍ୱ ସମ୍ପର୍କରେ କହୁଅଛି—

ଅନନ୍ୟ ଭକ୍ତଗଣ କେବଳ ମୋ ପ୍ରତି ପ୍ରୀତିରୂପ ପ୍ରୟୋଜନକାରୀ ହୋଇଥାନ୍ତି, ସ୍ୱର୍ଗାଦି କାମନାକାରୀ ନୁହଁନ୍ତି  । ସ୍ୱାର୍ଗିକ ସୁଖଭୋଗର ଅଭିଳାଷାରେ ଜ୍ୟୋତିଷ୍ଟୋମ ଆଦି ଯଜ୍ଞ-କର୍ମସମୂହରେ ନିରତ ନହୋଇ ସେମାନେ ମୋ ରୂପର ଧ୍ୟାନରେ ନିରତ ରହନ୍ତି ଏବଂ କଲ୍ୟାଣଗୁଣସାଗର, ବିଚିତ୍ରଲୀଳାମୃତସମୁଦ୍ର ତଥା ଦିବ୍ୟ ବିଭୂତିସମୂହର ଆଶ୍ରୟ ରୂପେ ମୋର ଉପାସନା କରନ୍ତି  । ସର୍ବଦା ମୋଠାରେ ଅଭିନିବିଷ୍ଟ ହୋଇଥିବା କାରଣରୁ ଦେହଯାତ୍ରାର ନିର୍ବାହକୁ ମଧ୍ୟ ବିସ୍ମୃତ କରି ଦେଉଥିବା, ସେହି ମହାନ୍‌ ଭକ୍ତମାନଙ୍କର ଅପ୍ରାପ୍ତର ପୂର୍ତ୍ତି ଏବଂ ସେମାନଙ୍କ ସଂରକ୍ଷଣର ଭାର ମୁଁ କୁଟୁମ୍ବଭଳି ବହନ କରିଥାଏ  । ।୨୨ । ।

ଇନ୍ଦ୍ରାଦିଙ୍କର ଯାଜକ ମଧ୍ୟ ବସ୍ତୁତଃ ଆପଣଙ୍କର ଯାଜକ ଅଟନ୍ତି, ତେବେ ପୁନଃ ସେମାନଙ୍କର ଆବାଗମନ କାହିଁକି ହୋଇଥାଏ, ଏହି ସଂଶୟକୁ ଛେଦନ କରୁଅଛି—

ହେ କୌନ୍ତେୟ ! ଯେଉଁ କେବଳ ଇନ୍ଦ୍ରାଦି ଦେବତାମାନଙ୍କର ଭକ୍ତଗଣ ଏହି ଦୃଢ଼ବିଶ୍ୱାସରେ ଯୁକ୍ତ ହୋଇ ଉପାସନା କରନ୍ତି କି, ଏହି ଇନ୍ଦ୍ରାଦି ଦେବତା ହିଁ ଫଳପ୍ରଦାୟକ ଅଟନ୍ତି, ସେହିମାନେ ମୋତେ ପୂଜନ କରିଥାନ୍ତି, ଏହା ସତ୍ୟ ଅଟେ, କିନ୍ତୁ ମୋତେ ପ୍ରାପ୍ତକରାଉଥିବା ବିଧିରୁ ବିହୀନ ହୋଇ ପୂଜନ କରନ୍ତି, ଅତଃ ଆବାଗମନକୁ ପ୍ରାପ୍ତ କରନ୍ତି  । ।୨୩ । ।

ସେହିଭଳି ଦେବୋପାସକଙ୍କର ଉପାସନାର ଅବୈଧତା ସମ୍ପର୍କରେ ଦର୍ଶାଉଅଛି—

କାରଣ ଇନ୍ଦ୍ରାଦି ଦେବତାମାନଙ୍କ ରୂପରେ ମୁଁ ହିଁ ସମସ୍ତ ଯଜ୍ଞର ଭୋକ୍ତା ଅଟେ, ପ୍ରଭୁ, ସ୍ୱାମୀ, ପାଳକ ଏବଂ ଯଥାର୍ଥ ଫଳପ୍ରଦାୟକ ଅଟେ, କିନ୍ତୁ ସେମାନେ ଏହି ଯଥାର୍ଥ ରୂପରେ ମୋତେ ଜାଣିପାରନ୍ତି ନାହିଁ, ଅତଃ ମୋତେ ପ୍ରାପ୍ତ କରାଉଥିବା ପଥରୁ ପତିତ ହୋଇଯାନ୍ତି ଅର୍ଥାତ୍‌ ସଂସାରରେ ଊର୍ଦ୍ଧ୍ୱ-ନିମ୍ନକୁ ଆତଯାତ କରନ୍ତି  । ।୨୪ । ।

ସତ୍ୟକୁ ନ ଜାଣି ଅନ୍ୟ ଦେବତା ଆଦିଙ୍କର ଉପାସନାକାରୀଙ୍କ ଗତି ସମ୍ପର୍କରେ କହୁଅଛି—

ଦେବତାମାନଙ୍କର ପୂଜନକାରୀ ଦେବଲୋକକୁ ପ୍ରାପ୍ତ ହୁଅନ୍ତି, ପିତରମାନଙ୍କ ପୂଜନକାରୀ ପିତୃଲୋକକୁ ପ୍ରାପ୍ତ ହୁଅନ୍ତି, ଭୂତଗଣଙ୍କର ପୂଜନକାରୀ ଭୂତଲୋକକୁ ପ୍ରାପ୍ତ ହୁଅନ୍ତି, କିନ୍ତୁ ମୋର ପୂଜନକାରୀ ମୋତେ ହିଁ ପ୍ରାପ୍ତ ହୋଇଥାନ୍ତି  । ।୨୫ । ।

ଏହିଭଳି ଏହା ସିଦ୍ଧ କରିବାପରେ କି, ଅକ୍ଷୟ, ଅନନ୍ତ ସୁଖର ପ୍ରାପ୍ତି ଶ୍ରୀକୃଷ୍ଣଭକ୍ତି ଦ୍ୱାରା
ହିଁ ହୋଇପାରେ, ଅଧୁନା ଏହା ସିଦ୍ଧ ହେଉଛି କି, ସୁଖସାଧ୍ୟ ହୋଇଥିବା କାରଣରୁ ମଧ୍ୟ ଶ୍ରୀକୃଷ୍ଣଭକ୍ତି କରିବା ଉଚିତ ଏବଂ ସର୍ବୋତ୍ତମ ଅଟେ—

ଦ୍ରବ୍ୟବହୁଳ ଏବଂ କ୍ରିୟାବହୁଳ ଜ୍ୟୋତିଷ୍ଟୋମ ଯଜ୍ଞସମୂହର ପରିତ୍ୟାଗ କରି ଯିଏ ଅତିଶୟ ପ୍ରୀତିପୂର୍ବକ ମୋପାଇଁ ପତ୍ର, ପୁଷ୍ପ, ଫଳ, ଜଳ ଆଦି ଅତିସୁଲଭ ବସ୍ତୁ ମଧ୍ୟ ପ୍ରେମରେ ପ୍ରଦାନ କରେ, ସେହି ନିଷ୍କାମ ଭକ୍ତର ପ୍ରୀତିପୂର୍ବକ ପ୍ରଦତ୍ତ ସେହି ଉପହାର ପୂର୍ଣ୍ଣକାମ ହେବାପରେ ବି ମୁଁ ତାହାର ପ୍ରୀତି ଦ୍ୱାରା ଉଦିତ କ୍ଷୁଧା-ତୃଷାରେ ଯୁକ୍ତ ହୋଇ ଯଥୋଚିତ ଭୋଗ କରିଥାଏ  । ।୨୬ । ।

ଲୋକସଂଗ୍ରହ ନିମନ୍ତେ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କୀର୍ତ୍ତନାଦି ସାକ୍ଷାତ୍‌ ଭଗବତ୍‌ ସମ୍ବନ୍ଧୀ କର୍ମ କରିବାପୂର୍ବକ, ସାକ୍ଷାତ୍‌ ଭଗବତ୍‌ ସମ୍ବନ୍ଧ ରହିତ କିନ୍ତୁ ପରୋକ୍ଷତୟା ଭଗବତ୍‌ ସମ୍ବନ୍ଧ ଯୁକ୍ତ ବର୍ଣ୍ଣାଶ୍ରମବିହିତ ବୈଦିକ, ସ୍ମାର୍ତ ଏବଂ ଲୌକିକ କର୍ମସମୂହକୁ କର୍ମାନୁଷ୍ଠାନ ପଶ୍ଚାତ୍‌ ସମର୍ପଣ ଉପଦେଶ ପ୍ରଦାନ କରୁଅଛୁ—

ହେ କୌନ୍ତେୟ ! ତୁମେ ଯାହା ବି ଜୀବନ ନିର୍ବାହ ସିଦ୍ଧ କରୁଥିବା ଲୌକିକ କର୍ମ କରୁଅଛ, ଦେହଧାରଣାର୍ଥେ ଯାହା କିଛି ଅନ୍ନାଦି ଭୋଜନ କରୁଅଛ, ଯେଉଁ ବୈଦିକ ଅଗ୍ନିହୋତ୍ରାଦି ହୋମ କରୁଅଛ, ସତ୍‌ପାତ୍ରକୁ ଯାହା ବି ଅନ୍ନଦାନ କରୁଅଛ, ପ୍ରତିବର୍ଷ ଅଜ୍ଞାତ ପାପାଦି କ୍ଷୟ ନିମିତ୍ତ ଯେଉଁ ଚାନ୍ଦ୍ରାୟାଣାଦି ତପ କରୁଅଛ, ସେ ସବୁକୁ ମୋତେ ସମର୍ପଣ କରିଦିଅ  । ।୨୭ । ।

ଏଭଳି ପରିନିଷ୍ଠିତା ଭକ୍ତିର ଫଳ ସମ୍ବନ୍ଧରେ କହୁଅଛି—

ଏହିଭଳି ମୋ ନିର୍ଦ୍ଦେଶରେ କୃତ ସର୍ବକର୍ମାର୍ପଣରୂପା ଭକ୍ତି ଯୋଗୁଁ ତୁମେ ଶୁଭ ଆଉ ଅଶୁଭ ଫଳରୂପ କର୍ମବନ୍ଧନସମୂହରୁ ମୁକ୍ତ ହୋଇଯିବ  । ମୋଠାରେ କର୍ମାର୍ପଣରୂପ ସନ୍ନ୍ୟାସ ନାମକ ଚିତ୍ତବିଶୋଧକ ଯୋଗ—ଉପାୟରେ ଯୁକ୍ତ ପ୍ରଜ୍ଞାଧାରୀ ହୋଇ ନା କେବଳ କର୍ମବନ୍ଧନରୁ ମୁକ୍ତ ହେବ, ବରଂ ମୁକ୍ତଗଣଙ୍କ ମଧ୍ୟରେ ବିଶିଷ୍ଟ ହୋଇ ସାକ୍ଷାତ୍‌ ମୋ ନିକଟକୁ ଆସିବ ଅର୍ଥାତ୍‌ ସାମୀପ୍ୟ ଲକ୍ଷଣା ମୁକ୍ତି ପ୍ରାପ୍ତ କରିବ  । ।୨୮ । ।

ଆପଣ ଭକ୍ତମାନଙ୍କୁ ବିମୁକ୍ତ କରି ନିଜ ସମୀପକୁ ଆଣନ୍ତି ଏବଂ ଅନ୍ୟ ପ୍ରକାରର ଯୋଗୀମାନଙ୍କୁ କେବଳ ମୁକ୍ତ କରନ୍ତି ତଥା ଅଭକ୍ତଙ୍କୁ ମୁକ୍ତ ନ କରି ସଂସାରତାପରେ ଦଗ୍ଧ ହେବାକୁ ଛାଡି ଦିଅନ୍ତି, ତେବେ କଣ ଆପଣଙ୍କଠାରେ ମଧ୍ୟ ରାଗ-ଦ୍ୱେଷକୃତ ବିଷମତା ରହିଛି ? ଅର୍ଜ୍ଜୁନଙ୍କର ଏହି ସଂଶୟର ନିବାରଣ ଶ୍ରୀକୃଷ୍ଣ କରୁଅଛନ୍ତି—

ଜାତି-ଆକୃତି-ସ୍ୱଭାବ ଆଦିରୁ ବିଷମ ଦେବ-ମନୁଷ୍ୟ-ପଶୁ-ପକ୍ଷୀ ଆଦି ସମସ୍ତ ଭୂତରେ ମୁଁ ବର୍ଷା ସଦୃଶ ସମ ଅର୍ଥାତ୍‌ ସମଦର୍ଶୀ ଅଟେ, ମୋର କେହି ଅପ୍ରିୟ ନୁହଁନ୍ତି କି ପ୍ରିୟ ନୁହଁନ୍ତି, କିନ୍ତୁ ଯିଏ ଭକ୍ତିପୂର୍ବକ ଶ୍ରବଣ-କୀର୍ତ୍ତନାଦି ଭକ୍ତିରେ ମୋତେ ଅନୁକୂଳ କରନ୍ତି, ଭକ୍ତିରେ ଅନୁରଞ୍ଜିତ ସେ ମୋ ପ୍ରତି ଯେଉଁଭଳି ବ୍ୟବହାର କରନ୍ତି, ସର୍ବଜ୍ଞ-ସର୍ବେଶ୍ୱର ମୁଁ ମଧ୍ୟ ତାଙ୍କ ପ୍ରତି ସେହିଭଳି ଭକ୍ତିର ସହ ବ୍ୟବହାର କରିଥାଏ  । ।୨୯ । ।

ଭକ୍ତିବଶ୍ୟତାଲକ୍ଷଣ ମୋର ସ୍ୱଭାବ ଦୁସ୍ତ୍ୟଜ ଅଟେ, କାରଣ ତୁଚ୍ଛ କର୍ମ ଆଚରଣକାରୀ ଭକ୍ତମାନଙ୍କଠାରେ ବି ମୁଁ ଅନୁରକ୍ତ ହୋଇ ତାଙ୍କୁ ଉତ୍କର୍ଷ ପ୍ରାପ୍ତ କରାଇଥାଏ, ଏହା ଦ୍ୱାରା ପୂର୍ବ କଥିତ ଅର୍ଥର ପୋଷଣ କରୁଅଛି—

ଯଦି ଅତିବିଗର୍ହିତ କର୍ମ ଆଚରଣକାରୀ ହୋଇ ମଧ୍ୟ କୌଣସି ବ୍ୟକ୍ତି ମୋର ଅନନ୍ୟ ପରାୟଣ ହେବାପୂର୍ବକ ମୋର ନାମ-କୀର୍ତ୍ତନାଦି ଦ୍ୱାରା ମୋର ସେବା କରିଥାଏ, ଅର୍ଥାତ୍‌ ମୋ ବ୍ୟତିରେକ ଅନ୍ୟ କୌଣସି ଦେବତାଙ୍କର ଆଶ୍ରୟ ନେଇ ନଥାଏ, ମୋତେ ହିଁ ସ୍ୱାମୀ ମନେ କରିଥାଏ ଏବଂ ପରମ ପ୍ରୟୋଜନ ମନେକରିଥାଏ, ତେବେ ଏହି କାରଣରୁ ସେ ସମୟରେ ମଧ୍ୟ ସେ ସାଧୁ ପଦବାଚ୍ୟ ଅଟେ, କାରଣ ସେ ମୋ ପ୍ରତି ଐକାନ୍ତିକୀ ନିଷ୍ଠାରୂପ ଶ୍ରେଷ୍ଠ ନିଶ୍ଚୟଯୁକ୍ତ ଅଟେ  । ।୩୦ । ।

ଦୁରାଚାରୀ ହେବାପରେ ମଧ୍ୟ ତାହାର ସାଧୁତ୍ୱ କିପରି ସିଦ୍ଧ ହୋଇଥାଏ, ଏହାର ଉତ୍ତରରେ କହୁଅଛି—
ମୋର ଐକାନ୍ତିକ ଭକ୍ତ ନିଜ ମନରେ ଧୃତ ଅତିପବିତ୍ର ମୋଦ୍ୱାରା ବା ସର୍ବେଶ୍ୱରଙ୍କ ଦ୍ୱାରା ଆଗନ୍ତୁକ ଦୁରାଚାରର ବିଖଣ୍ଡନ କରି ଯଥାଶୀଘ୍ର ସଦାଚାରନିଷ୍ଠ ହୋଇଯାଏ ଏବଂ ବାରମ୍ବାର ଅନୁତାପ କରିବାସହ ମୋର ପ୍ରୀତିର ପ୍ରତିକୂଳ ସେହି ଦୁରାଚାରରୁ ନିବୃତ୍ତିକୁ ପ୍ରାପ୍ତ ହୋଇଥାଏ  । ହେ କୌନ୍ତେୟ ! ପ୍ରମାଦବଶ ସୁଦୁରାଚାରୀ ହେବାପରେ ମଧ୍ୟ ମୋର ଐକାନ୍ତିକ ଭକ୍ତ ମୋଠାରୁ ଭ୍ରଷ୍ଟ ହୋଇ ଦୁର୍ଗତିକୁ ପ୍ରାପ୍ତ ହୋଇଥାଏ—ଏହି ପ୍ରତିଜ୍ଞା ନିର୍ଗୁଣା ଏବଂ ଚିନ୍ମୟୀ ଭକ୍ତି ତତ୍ତ୍ୱରୁ ଅନଭିଜ୍ଞ ତ୍ରିଗୁଣାତ୍ମକ-କର୍ମରେ ନିଷ୍ଠ ହେବାର କାରଣ ଜଡସ୍ମାର୍ତଙ୍କ ସଭାକୁ ଯାଇ କରିନିଅ ଅଥବା ଶୁଣାଇ ଦିଅ  । ।୩୧ । ।

ନିଜର ପ୍ରତିଜ୍ଞାବଚନକୁ ହିଁ ଦୃଢ଼ କରୁଅଛି କି, ଅତିପାପୀ ଲୋକ ମଧ୍ୟ ମୋ ଭକ୍ତଙ୍କ ପ୍ରସଙ୍ଗରେ ଅବିଦ୍ୟାର ଖଣ୍ଡନ କରି ସଂସାରରୁ ମୁକ୍ତ ହୋଇଯାନ୍ତି—

ହେ ପାର୍ଥ ! ସର୍ବେଶ୍ୱର ମୁଁ ମୋର ଐକାନ୍ତିକ ଭକ୍ତର ଆଗନ୍ତୁକ ଦୋଷର ଖଣ୍ଡନ କରୁଅଛି, ଏଥିରେ କି ଆଶ୍ଚର୍ଯ୍ୟ ରହିଛି !!! କାହିଁକି ନାଁ କୌଣସି ଜନ୍ମଜାତ ଦୁରାଚାରୀ ଅନ୍ତ୍ୟଜ ଲୋକ, ଅଶୁଚିଯୁକ୍ତ ସ୍ତ୍ରୀଗଣ, ବୈଶ୍ୟଗଣ ଏବଂ ଶୂଦ୍ରଗଣ ଯେ କେହି ହୁଅନ୍ତୁ ନା କାହିଁକି, ସେମାନେ ମଧ୍ୟ ମୋର ଅର୍ଥାତ୍‌ ବସୁଦେବନନ୍ଦନଙ୍କ ଶରଣାପନ୍ନ ହୋଇ କର୍ମାଦି ଯୋଗୀଗଣଙ୍କ ନିମନ୍ତେ ସୁଦୁର୍ଲ୍ଲଭ ‘ମୋର ପ୍ରାପ୍ତି’ ରୂପା ଉତ୍ତମା ଗତି ଅବଶ୍ୟ ପ୍ରାପ୍ତ କରନ୍ତି  । ।୩୨ । ।

କୈମୁତିକ ନ୍ୟାୟ ପୂର୍ବରୁ ପ୍ରତିଜ୍ଞାକୁ ଦୃଢ଼ କରିବାପୂର୍ବକ ଭକ୍ତିଯୋଗ ନିମନ୍ତେ ସମସ୍ତଙ୍କୁ ପ୍ରେରିତ କରୁଛନ୍ତି—

ଯଦି ଏପରି ହୁଏ ତେବେ ସଦାଚାରପରାୟଣ ସତ୍‌କୁଳୋତ୍ପନ୍ନ ବ୍ରାହ୍ମଣଗଣ ଏବଂ ରାଜର୍ଷିଗଣ ଭକ୍ତ ହୋଇ ପରା ଗତି ପ୍ରାପ୍ତ କରନ୍ତି, ଏହାକୁ କଣ ପୁନଃ କହିବା ଆବଶ୍ୟକ, ଅର୍ଥାତ୍‌ ନୁହେଁ  । ଅତଃ ରାଜ୍ୟାଦିର ସ୍ପୃହା ତ୍ୟାଗକରି ରାଜର୍ଷି ତୁମେ ମଧ୍ୟ ଅସ୍ଥାୟୀ, ଦୁଃଖପୂର୍ଣ୍ଣ ଈଷତ୍‌ ସୁଖଯୁକ୍ତ ଏହି ଲୋକକୁ ପ୍ରାପ୍ତ ହୋଇ ମୋର ଭଜନ କର  । ।୩୩ । ।

ପରିନିଷ୍ଠିତ ଅର୍ଜ୍ଜୁନଙ୍କୁ ଅଭୀଷ୍ଟା ଶୁଦ୍ଧା ଭକ୍ତିର ଉପଦେଶ ଏବଂ ଆଶୀର୍ବାଦ ଦେବାପୂର୍ବକ ପ୍ରକରଣର ଉପସଂହାର କରୁଅଛି—

ନୀଳକମଳ ସମ ଶ୍ୟାମକାନ୍ତିମୟ ନିର୍ଗୁଣ-ଗୁଣବାନ୍‌ ବସୁଦେବନନ୍ଦନ ମୋଠାରେ ସ୍ୱ-ସ୍ୱାମିତ୍ୱ ଏବଂ ସ୍ୱପୁରୁଷାର୍ଥତ୍ୱ ବୁଦ୍ଧିରୁ ଅନବଚ୍ଛିନ୍ନ ମଧୁଧାରାବତ୍ ସତତ ଅଭିନିବିଷ୍ଟ ମନଯୁକ୍ତ ମୋର ଭକ୍ତ ହୋଇଯାଅ, ତାଦୃଶ ମୋ ଭଳି ଅତିପ୍ରିୟଙ୍କର ପୂଜନ-ଅର୍ଚ୍ଚନରେ ନିରତ ହୋଇ, ତାଦୃଶ ମୋତେ ଅତିପ୍ରେମରେ ଦଣ୍ଡବତ୍‌ ପ୍ରଣାମ କର, ଏହିଭଳି ମନ ଏବଂ ଦେହକୁ ମୋଠାରେ ନିତ୍ୟଯୁକ୍ତ କର ଅର୍ଥାତ୍‌ ସମର୍ପିତ କରି ଏକମାତ୍ର ମୋର ଆଶ୍ରୟ ଗ୍ରହଣକାରୀ ହୋଇ ମୋତେ ପ୍ରାପ୍ତ ହୋଇଯାଅ  । ।୩୪ । ।
ଇତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ରାଜବିଦ୍ୟାରାଜଗୁହ୍ୟଯୋଗୋ ନାମ ନବମୋଽଧ୍ୟାୟଃ  ।
—————————————

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.