Press "Enter" to skip to content

ଶୁଶ୍ରୁତଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ — 2

Last updated on February 6, 2021

ଡା. ଯଜ୍ଞେଶ୍ୱର ନାଥ

ମୂର୍ଖ ବୈଦ୍ୟ ଦ୍ୱାରା ପ୍ରଯୁକ୍ତ ହୋଇଥିବା ଅମୃତ ସମାନ (ପ୍ରାଣଦାୟକ) ଔଷଧିମାନ ଶସ୍ତ୍ର, ବଜ୍ର ଓ ବିଷ ସମାନ ପ୍ରାଣଘାତକ ହୋଇଯାଏ । ତେଣୁ ମୂର୍ଖ ବୈଦ୍ୟକୁ ପରିତ୍ୟାଗ କରିବ । ସୁ.ସୂ.୩.୫୧
ଯେପରି ଦୁଇଚକ୍ର ବିଶିଷ୍ଟରଥ ଯୁଦ୍ଧ କ୍ଷେତ୍ରରେ କାର୍ଯ୍ୟ କରିବାପାଇଁ ସମର୍ଥ ହୋଇଥାଏ । ସେହିପରି ବୁଦ୍ଧିମାନ୍‌ ବୈଦ୍ୟ ଯେକି ଶାସ୍ତ୍ରଜ୍ଞାନ ସମ୍ପନ୍ନ ଓ କ୍ରିୟାକୁଶଳ ସେ ଚିକିତ୍ସା କରିବାରେ ସମର୍ଥ ହୁଏ । ସୁ.ସୂ.୩.୫୩
ଯଥା ଖରଶ୍ଚଳନ ଭାରବାହୀ
ଭାରସ୍ୟ ବେତ୍ତା ନତୁ ଚନ୍ଦନସ୍ୟ ।
ଏବଂ ହି ଶାସ୍ତ୍ରାଣି ବହନ୍ୟଧୀତ୍ୟ
ଚାର୍ଥେଷୁ ମୂଢ଼ା ଖରବଦ ଦହନ୍ତୁ ।। ସୁ.ସୂ.୪.୪
ଯେପରି ଚନ୍ଦନର ବୋଝକୁ ବହନ କରୁଥିବା ଗଧ ଓଜନକୁ ଜାଣେ ମାତ୍ର ଚନ୍ଦନର ଗୁଣକୁ (ସୁଗନ୍ଧ) ଜାଣିପାରେ ନାହିଁ । ସେହିପରି ଅନେକ ଶାସ୍ତ୍ର ପଢ଼ିଥିବା ବ୍ୟକ୍ତି ଯଦି ଅର୍ଥକୁ ବୁଝିପାରେ ନାହିଁ ତେବେ ତାହା ଗଧର ଭାର ବହନ ସଦୃଶ ନିରର୍ଥକ ହୋଇଥାଏ ।
ବିମଳ ବିପୁଳ ବୁଦ୍ଧେରପି ବୁଦ୍ଧିମାକୁଳୀ
କୁର୍ଯ୍ୟୁଃ କିଂ ପୁନରଳ୍ପ ବୁଦ୍ଧେଃ । ସୁ.ସୂ.୪.୫
ଆୟୁର୍ବେଦ ବିଜ୍ଞାନ ଅତ୍ୟନ୍ତ ବ୍ୟାପକ ଓ ଏହାର ଅର୍ଥ ମଧ୍ୟ ଗମ୍ଭୀର ଯାହାକୁ ବୁଝିବାପାଇଁ ନିର୍ମଳ ଓ ବିପୁଳ ବୁଦ୍ଧିମାନ ମନୁଷ୍ୟ ମଧ୍ୟ ଆକୁଳ ହୋଇଯାଏ । ସେଠାରେ ଅଳ୍ପବୁଦ୍ଧିଯୁକ୍ତ ମନୁଷ୍ୟର ଅବସ୍ଥା କଣ ହେବ ?
ଏକଂ ଶାସ୍ତ୍ର ମଧୀୟାନୋ ନ ବିଦ୍ୟାତ୍‌ ଶାସ୍ତ୍ର ନିଶ୍ଚୟମ୍‌ ।
ତସ୍ମାଦ୍ଦ ହୁ ଶ୍ରୁତଂ ଶାସ୍ତ୍ରଂ ବିଜାନୀୟାଚିକିତ୍ସକଃ ।।
ସୁ.ସୂ.୪.୪୭
କେବଳ ଗୋଟିଏ ଶସ୍ତ୍ରକୁ ପଢ଼ିଥିବା ଚିକିତ୍ସକ ସେହି ଶାସ୍ତ୍ରର ତତ୍ତ୍ୱକୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରିପାରେ ନାହିଁ । ଏଥିପାଇଁ ଚିକିତ୍ସକ ଅନ୍ୟ ଆବଶ୍ୟକ ଶସ୍ତ୍ରମାନ ଅଧ୍ୟୟନ କରି ଆୟୁର୍ବେଦ ବିଜ୍ଞାନ ପଢ଼ିବା ଉଚିତ । ତେଣୁ ଆୟୁର୍ବେଦ ପଢ଼ିବା ପୂର୍ବରୁ ନ୍ୟାୟ, ବୈଶେଷିକ, ବେଦାନ୍ତ ଦର୍ଶନ ଓ ସଂସ୍କୃତ ବ୍ୟାକରଣ ଆଦି ପଢ଼ିବା ଉଚିତ । ଏତଦ୍‌ବ୍ୟତୀତ ରସାୟନଶାସ୍ତ୍ର (Chemistry), ଭୌତିକ ବିଜ୍ଞାନ (Physics), ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଜୀବ ରସାୟନ (Biochemistry), ଆଧୁନିକ ଚିକିତ୍ସା ବିଜ୍ଞାନ, ଆଦି ଅନ୍ୟ ଶସ୍ତ୍ରମାନ ପଢ଼ିବା ଆବଶ୍ୟକ ।
ବାସ୍ତବରେ ଜଣେ ବୈଦ୍ୟ ଗୁରୁମୁଖରୁ ସମସ୍ତ ଶସ୍ତ୍ର ପଢ଼ି ଏବଂ ଏହାର ଅର୍ଥକୁ ଅନେକଥର ବୁଝି କର୍ମାଭ୍ୟାସ କରିବାପରେ ଚିକିତ୍ସାରେ ପ୍ରବୃତ୍ତ ହେବା ଉଚିତ । ଏହି ଗୁଣରୁ ରହିତ ଚିକିତ୍ସକ ତସ୍କର ବା Quack ଅଟେ । ସୁ.ସୂ.୪.୮
ତ୍ରିବିଧ କର୍ମ— ପୂର୍ବକର୍ମ, ପ୍ରଧାନକର୍ମ, ପଶ୍ଚାତ କର୍ମେତଃ ତଦ୍‌ବ୍ୟାଧିଂ ପ୍ରତ୍ୟୁପଦେଶ୍ୟାମ୍‌ । ସୁ.ସୂ.୫.୩
ଶସ୍ତ୍ରକର୍ମ ସମ୍ବନ୍ଧୀ ସମ୍ପୂର୍ଣ୍ଣ ଚିକିତ୍ସା ତିନିଭାଗରେ ବିଭକ୍ତ—(୧) ପୂର୍ବକର୍ମ (Pre operative measures), (୨) ପ୍ରଧାନକର୍ମ (Operative Procedures), ଏବଂ (୩) ପଶ୍ଚାତ୍‌କର୍ମ (Post Operative Care)
ଶୁଶ୍ରୁତ ଶସ୍ତ୍ରକର୍ମକୁ ୮ଭାଗରେ ବିଭକ୍ତ କରିଛନ୍ତି । ଯଥା—(୧) ଛେଦ୍ୟ—(Excision), (୨) ଭେଦ୍ୟ—(Incision), (୩) ଲେଖ୍ୟ—(Scraping), (୪) ବେଧ୍ୟ—(Puncturing), (୫) ଏଷ୍ୟ—(Probing), (୬) ଆହାର୍ଯ୍ୟ—(Extraction), (୭) ବିସ୍ରାବ୍ୟ—(Drainage or blood letting) ତଥା (୮) ସୀବ୍ୟ—(Suturing)
ଶଲ୍ୟ ଚିକିତ୍ସକର ଗୁଣ—(Quality of a surgeon)
ଶୌର୍ଯ୍ୟମାଶୁକ୍ରିୟା ଶସ୍ତ୍ରତୈକ୍ଷ୍ନୁମସ୍ୱେଦ ବେପଥୁ
ଅସମୋହଶ୍ଚ ବୈଦ୍ୟଶ୍ଚ ଶସ୍ତ୍ରକର୍ମଣି ଶସ୍ୟତେ ।
ସୁ.ସୂ ୫.୧୦
୧. ଶୌର୍ଯ୍ୟ—Boldness, ୨. ଆଶୁକ୍ରିୟା—Swiftness, ୩. ଶସ୍ତ୍ର ତୈକ୍ଷ୍ନୁମ (Sharpness of instruments), ୪. ଅସ୍ୱେଦ ବେପଥୁ ଅର୍ଥାତ୍‌ ଡରିବାଯୋଗୁଁ ଝାଳ ବୋହିବା, ଶସ୍ତ୍ର କର୍ମ କରିବା ସମୟରେ ଥରିବା (No sweating and no treambling of hands) ତଥା ଅସମ୍ମୋହ—Confidence ଶଲ୍ୟଚିକିତ୍ସକର ଗୁଣ ଅଟେ ।
ପ୍ରଶସ୍ତ ବ୍ରଣର ଲକ୍ଷଣ—
ଆୟତଶ୍ଚ ବିଶାଳଶ୍ଚ ସୁବିଉକ୍ତୋନିରାଶ୍ରୟଃ ।
ପ୍ରାପ୍ତକାଳ କୃତଶ୍ଚାପି ବ୍ରତଃ କର୍ମଣି ଶସ୍ୟତେ । ସୁ.ସୂ. ୫.୯
ଅର୍ଥାତ୍‌ ଶସ୍ତ୍ରକର୍ମ କରାଯାଇଥିବା ବ୍ରଣର ଭେଦନ (Incision) ପ୍ରଶସ୍ତ (ପର୍ଯ୍ୟାପ୍ତ ଲମ୍ବ), ପର୍ଯ୍ୟାପ୍ତ ଚୌଡା, କଟାଯାଇଥିବା ସ୍ଥାନ ବଙ୍କା ହୋଇନଥିବ, ମର୍ମସ୍ଥାନକୁ ଆଶ୍ରୟ କରିନଥିବ ଏବଂ ଭେଦନ ଠିକ୍‌ ସମୟରେ ହୋଇଥିବ ।
ଅର୍ଥାତ୍‌ ବ୍ରଣର ପକ୍ୱାବସ୍ଥାରେ ଭେଦ ନ ହେଲେ କୌଣସି ବିକୃତି ହେବନାହିଁ । ଶସ୍ତ୍ର ଚିକିତ୍ସା ପରେ ଗୁଗୁଳୁ, ଅଗୁରୁ, ଝୁଣା, ବଚ ଏବଂ ଧଳା ସୋରିଷର ଚୂର୍ଣ୍ଣରେ ଲବଣ, ନିମ୍ବପତ୍ର ତଥା ଘୃତମିଶାଇ ଧୂପନ ଯନ୍ତ୍ର ସାହାଯ୍ୟରେ ବ୍ରଣ ତଥା ଶଲ୍ୟ ପ୍ରଣିଧାନଗୃହ(Operation Theator)ର ଧୂପନ କରି Sanitization କରାଯାଏ । ଫଳରେ ଜୀବାଣୁ ସଂକ୍ରମଣ ହୁଏ ନାହିଁ । ଶେଷରେ ଥିବା ଘୃତକୁ ରୋଗୀର ହୃଦୟ ପ୍ରଦେଶରେ ମର୍ଦ୍ଦନ କରିବ । ସୁ.ସୂ.୫.୧୮
ରୋଗୀର ଆପତ୍କାଳିକ ଅବସ୍ଥାରେ ଶଲ୍ୟକର୍ମର ନିୟମକୁ ଅପେକ୍ଷା ନକରି ଜଳୁଥିବା ଗୃହକୁ ଶୀଘ୍ର ଅଗ୍ନିନିର୍ବାପନ କଲାପରି ଶୀଘ୍ର ଶଲ୍ୟ ଚିକିତ୍ସା କରିବ । ସୁ.ସୂ.୫.୪୧
ଶସ୍ତ୍ରକର୍ମ ପରେ ଭୟଙ୍କର ବେଦନା ହେଉଥିଲେ ଉଷ୍ଣ ଘୃତରେ ଯଷ୍ଟିମଧୁ ପାକକରି ବ୍ରଣରେ (ଶଲ୍ୟକର୍ମ ସ୍ଥାନରେ) ଲଗାଇଲେ ବେଦନା ଶାନ୍ତ ହୁଏ । ସୁ.ସୂ.୫.୪୨

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.