Last updated on August 13, 2022
ଇଚ୍ଛନ୍ତି ଦେବାଃ ସୁନ୍ୱନ୍ତଂ ନ ସ୍ୱପ୍ନାୟ ସ୍ପୃହୟନ୍ତି ।
ଯନ୍ତି ପ୍ରମାଦମତନ୍ଦ୍ରାଃ ।। (ଋଗବେଦ-୮/୨/୧୮, ଅଥର୍ବବେଦ-୨୦/୧୮/୩)
ଭାବାର୍ଥ : ଅଳସୁଆ ବ୍ୟକ୍ତି ସବୁବେଳେ ଦୁଃଖ ପାଇଥାଏ, ଅତଃ ଆମ ସମସ୍ତଙ୍କୁ ସବୁବେଳେ କର୍ମନିଷ୍ଠ ଓ ଉଦ୍ୟୋଗୀ ହେବା ଦରକାର ।
ବ୍ୟାଖ୍ୟା : ଆଳସ୍ୟ ହିଁ ମନୁଷ୍ୟର ଅସଲ ଶତ୍ରୁ । ସେ ଆମକୁ ପାପ ମାର୍ଗରେ ନେଇଯାଏ । ମନୁଷ୍ୟ ଲୋଭବଶତଃ ଅର୍ଥକାରୀ ବ୍ୟବସାୟ ଆରମ୍ଭ କରିଥାଏ, କିନ୍ତୁ ଆଳସ୍ୟବଶତଃ ତାକୁ ପୂର୍ଣ୍ଣ କରି ନ ପାରି ମଝିରେ ହିଁ ଛାଡିଦିଏ । ଅନ୍ୟଠାରୁ ପଛରେ ପଡିବା ଦେଖି ନିରାଶ ହୁଏ ଓ ଆତ୍ମକଲ୍ୟାଣରୁୁ ବଞ୍ଚିତ ହୁଏ । ଫଳତଃ ନାନା ପ୍ରକାର କୁକର୍ମରେ ନିଜକୁ ବୁଡାଇ ପତନର ଗହ୍ୱରରେ ପତିତ ହୁଏ । ପରମାତ୍ମା ତ କର୍ମୀ, ଉଦ୍ୟୋଗୀଙ୍କୁ ସାହା ହୁଅନ୍ତି । ଆଳସ୍ୟକୁ ଆପଣେଇଲେ ତାଙ୍କ କୃପାରୁ ମଧ୍ୟ ବଞ୍ଚିତ ହେବା ସୁନିଶ୍ଚିତ ।
ଏହି ସଂସାର ଯଜ୍ଞମୟ ଅଟେ । ଏଠାରେ ପ୍ରତ୍ୟେକ ବ୍ୟକ୍ତି ପ୍ରତି ସମୟରେ ନିଜ ଶ୍ରମକୁ ଆହୁତି ଦେବା ଦରକାର । ଏହା ହିଁ କର୍ମନିଷ୍ଠତାର ତାତ୍ପର୍ଯ୍ୟ । ଯେଉଁ କର୍ମ ସଂସାରକୁ ଉଚ୍ଚସ୍ତରକୁ ନେବା ସହିତ ପବିତ୍ର ତଥା ଉତ୍ତମ କରାଏ, ତାହାକୁ ଶୁଭକର୍ମ କୁହାଯାଏ । ଶ୍ରମ ଓ ଉଦ୍ୟୋଗର ଅନୁଶାସନରେ ଯିଏ ଆଳସ୍ୟ ଆପଣେଇନିଏ, ତାକୁ ପରମେଶ୍ୱର ଦଣ୍ଡଦେବା ସହ ଉଚିତ ଶିକ୍ଷା ପ୍ରଦାନ କରିଥାନ୍ତି । ତେଣୁ ସାବଧାନତାର ସହ ଶ୍ରମ ଓ ପୁରୁଷାର୍ଥ ଅର୍ଜନରେ ଲାଗିରହିବା ଦରକାର । ଯିଏ ନିଃସ୍ୱାର୍ଥ ଭାବରେ ଶୁଭକର୍ମଯୁକ୍ତ ରହିଥାଏ, ସେ କର୍ମଯୋଗୀ ବୋଲାଏ । ସଂସାରରେ ଯେତେସବୁ ମହାପୁରୁଷଙ୍କୁ ଦେଖୁଛେ ସେ ସମସ୍ତେ ଅସୀମ କର୍ମଠତା ଏବଂ ନିଷ୍ଠାର ସହ ନିଜ ଜୀବନର ପ୍ରତିଟି କ୍ଷଣସମାଜର ଉତ୍ଥାନ ନିମନ୍ତେ ସମର୍ପିତ କରିଦେଇଛନ୍ତି । ସେହିମାନଙ୍କର ଉତ୍କୃଷ୍ଟ ଉଦ୍ୟମଶୀଳତାକୁ ସନ୍ଦର୍ଶନ କରି ପରମାତ୍ମାଙ୍କ ପ୍ରତି ସମର୍ପିତ କର୍ମ ସମ୍ପାଦନରେ ବ୍ରତୀ ହେବା ଉଚିତ । ତା ନହଲେ ଆଳସ୍ୟ ରୂପୀ ରାକ୍ଷସ ନିଶ୍ଚିତ ଗ୍ରାସ କରିବାକୁ ପଛାଇବ ନାହିଁ ।
ଶ୍ରୀମଦ୍ଭଗବଦ୍ଗୀତାରେ ଭଗବାନ କହିଛନ୍ତି– ଦୈବୀସମ୍ପଦ ବିଶିଷ୍ଟ ଗୁଣ, ଯେଉଁଥିରେ ମାନବ ଜୀବନର ପ୍ରକୃତ ମୂଲ୍ୟ ନିହିତ । ଅତଃ ଆମକୁ ଆଳସ୍ୟ ତ୍ୟାଗକରି ସେହି ଦୈବୀଗୁଣସମୂହକୁ ଆପଣେଇନେବା ଉଚିତ, ଯଦ୍ଦ୍ୱାରା ନିଜ ସହିତ ଅପରର ଉନ୍ନତି ସମ୍ଭବ ହୋଇପାରିବ ।
Be First to Comment