Press "Enter" to skip to content

ମାଣ୍ଡୂକ୍ୟ ଉପନିଷଦ ବର୍ଣ୍ଣିତ
‘ଓମ୍’ର ମହିମା ବିବରଣୀ

Last updated on February 6, 2021

(ପୂର୍ବ ପ୍ରକାଶନ ଉତ୍ତାରୁ)
ଉପନିଷତ୍‌ର ପ୍ରଥମ ଋଚାରେ ଉଲ୍ଲେଖ ଅଛି କି ଭୂତ-ବର୍ତ୍ତମାନ-ଭବିଷ୍ୟତ ଆଦି ତିନିକାଳରୁ ଅତୀତ ସୃଷ୍ଟି ନିର୍ମାଣ ପୂର୍ବରୁ ଯେତେବେଳେ କାଳ ଏବଂ ସମୟର ନିର୍ଦ୍ଧାରଣ ହୋଇନଥିଲା, ସେହି କାଳାତୀତ ଅବସ୍ଥାରେ ମଧ୍ୟ ଓଁକାର ଥିଲେ । ସ୍ୱଭାବତଃ ଜିଜ୍ଞାସା ହୋଇଥାଏ କି, ଯଦି କାଳର ଚାରିଗୋଟି ପକ୍ଷ ରହିଛନ୍ତି, ତେବେ ବ୍ରହ୍ମଙ୍କର ମଧ୍ୟ ଚାରି ପକ୍ଷ ରହିବା ଆବଶ୍ୟକ । ମାଣ୍ଡୂକ୍ୟ ଋଷି ପରବର୍ତ୍ତୀ ଋଚାରେ କହିଛନ୍ତି—ଏ ସବୁକିଛି ବ୍ରହ୍ମ ଓଁକାର ଅଟନ୍ତି । ଉକ୍ତ ଆତ୍ମତତ୍ତ୍ୱ-ପରମାତ୍ମା ଚାରିପାଦ ବା ଚରଣଯୁକ୍ତ ଅଟନ୍ତି ।
ବ୍ରହ୍ମଙ୍କର ଚାରିପାଦର ବ୍ୟାଖ୍ୟା ମହର୍ଷି ପରବର୍ତ୍ତୀ ଋଚାରେ କରିଛନ୍ତି । ସେ ଜାଗ୍ରତ, ସୁଷୁପ୍ତ ତଥା ତୁରୀୟ—ଉକ୍ତ ଚାରିପ୍ରକାର ପାଦ ସମ୍ପର୍କରେ କହିଛନ୍ତି । ପରବର୍ତ୍ତୀ ୫ଗୋଟି ଋଚାରେ ଆତ୍ମା ତଥା ବ୍ରହ୍ମଙ୍କ ବିଷୟରେ ଚର୍ଚ୍ଚା କରାଯାଇଛି । ଅଷ୍ଟମରୁ ଦ୍ୱାଦଶ ଋଚାରେ ଓଁକାରଙ୍କର ଚାରି ମାତ୍ରାର ବର୍ଣ୍ଣନା କରାଯାଇଛି । ଆତ୍ମ-ଜ୍ଞାନ-ଆତ୍ମ-ତତ୍ତ୍ୱ ଜାଗ୍ରତ ଅବସ୍ଥାରେ ବହିଃପ୍ରଜ୍ଞ ହୋଇଥାଏ । ସେ ସମୟରେ ସେହି ଶିର, ନେତ୍ର, କର୍ଣ୍ଣ, ବାଣୀ, ଫୁସ୍‌ଫୁସ୍‌, ହୃଦୟ ତଥା ପାଦ ଆଦି ସପ୍ତ ଅଙ୍ଗ ଦ୍ୱାରା ଜୀବନ-ଯାପନ କରିଥାଏ । ଏଭଳି ବ୍ରହ୍ମଙ୍କର ମଧ୍ୟ ଶିର ରୂପୀ ଅଗ୍ନି, ସୂର୍ଯ୍ୟ-ଚନ୍ଦ୍ର ଭଳି ନେତ୍ର, ଦିଗ ସଦୃଶ କର୍ଣ୍ଣ, ବେଦ (ଜ୍ଞାନ) ବାଣୀ ରହିଛି, ବାୟୁ ଫୁସ୍‌ଫୁସ୍‌ ଅଟେ, ବିଶ୍ୱ ହୃଦୟ ଅଟେ ଆଉ ପୃଥିବୀ ପାଦରୂପୀ-ସପ୍ତ ଅଙ୍ଗ-ସପ୍ତାଙ୍ଗ ଅଟେ । ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ପ୍ରାଣ, ମନ-ବୁଦ୍ଧି, ଚିତ୍ତ, ଅହଂକାର ଆଦି ଚାରି ଅନ୍ତଃକରଣ—ଏହିଭଳି ସବୁମିଶି ଉଣେଇଶି ମୁଖ ରହିଛି, ଏଥିପାଇଁ ଯେଉଁଭଳି ଆତ୍ମା ବ୍ୟଷ୍ଟିରୂପେ ଭିନ୍ନ ଭିନ୍ନ ନରନାରୀମାନଙ୍କ ସ୍ୱରୂପରେ ବିଦ୍ୟମାନ ଅଟେ, ଏଥିପାଇଁ ଯେଉଁଭଳି ଆତ୍ମା ବୈଶ୍ୱାନର ଅଟେ, ସେହିଭଳି ବ୍ରହ୍ମ ମଧ୍ୟ ବୈଶ୍ୱାନର ଅଟନ୍ତି । ଯେଉଁଭଳି ଶରୀରର ଜାଗ୍ରତ ଅବସ୍ଥା ବ୍ରହ୍ମଙ୍କର ଜାଗ୍ରତ ସ୍ଥାନ ଅଟେ । ଉପନିଷତ୍‌ର ଋଷି ଆତ୍ମା ତଥା ପରମାତ୍ମାଙ୍କର ପ୍ରଥମ ପାଦ ଚରଣ ନାମରେ କଥିତ ।
ଋଷି କହୁଛନ୍ତି—ଆତ୍ମାର ଯେତେବେଳେ ସ୍ୱପ୍ନ ସ୍ଥାନ ହୋଇଥାଏ, ସେତେବେଳେ ସେ ଅନ୍ତଃପ୍ରଜ୍ଞ ହୋଇଯାଏ । ବାହ୍ୟ ପ୍ରଜାବସ୍ଥାରେ ଆତ୍ମା ତାର ସପ୍ତାଙ୍ଗ ଶରୀର ଏବଂ ଭୋଗର ୧୯ ଉପକରଣ ଦ୍ୱାରା ସଂସାରର ଭୋଗ କରିଥାଏ । ସେତେବେଳେ ସେଠାରେ ସ୍ୱପ୍ନାବସ୍ଥାରେ ସୂକ୍ଷ୍ମ ଶରୀର ବିଚାରମୟ ଜଗତର ଚିନ୍ତନ କରିଥାଏ । ସେଠାରେ କିଛି ଭୋଜନ ନ କରି ବି ଭୋଜନ କରେ, କିଛି ପାନ ନ କରି ବି ପାନ କରିଥାଏ, ଆଖି ନ ଖୋଲି ବି ସବୁ ଦେଖିଥାଏ, ବିନା କାନରେ ସବୁ ଶୁଣିଥାଏ । ସେ ଅବସ୍ଥାରେ ସ୍ଥୂଳ ଇନ୍ଦ୍ରିୟଗଣ କାର୍ଯ୍ୟ କରିନଥାନ୍ତି, କିନ୍ତୁ ସୂକ୍ଷ୍ମ ରୂପେ ତାଙ୍କର କାମ ଚାଲିଥାଏ । ଅନେକ ନରନାରୀଙ୍କ ମଧ୍ୟରେ ଦୃଶ୍ୟ ହେଉଥିବା ଆତ୍ମାର ସ୍ଥୂଳ ଶରୀର ‘ବୈଶ୍ୱାନର’ ବୋଲାଏ, ତାଙ୍କର ସୂକ୍ଷ୍ମ ଶରୀର ତୈଜସ୍‌ ବୋଲାଏ ।
ଆତ୍ମଜ୍ଞାନର ତୃତୀୟ ସ୍ଥାନ-ପାଦରେ ପହଞ୍ଚି ଯେତେବେଳେ ସୁଷୁପ୍ତ ଅବସ୍ଥାରେ ପହଞ୍ଚିଥାଏ, ସେତେବେଳେ ତାକୁ କୌଣସି ଆକାଂକ୍ଷା ହୋଇନଥାଏ, ସେ କୌଣସି ସ୍ୱପ୍ନ ଦେଖନ୍ତି ନାହିଁ । ଜାଗ୍ରତ ଅବସ୍ଥାରେ ଶକ୍ତିସମୂହକୁ ବିଷୟମାନଙ୍କ ଠାରେ ବାହାରେ ବିଚ୍ଛୁରିତ କରିବା ଅପେକ୍ଷା ଗୋଟିଏ କେନ୍ଦ୍ରରେ ଏକତ୍ରିତ କରି ଜ୍ଞାନମୟ-ଆନନ୍ଦବିଭୋର ହୋଇ ଚେତନା ଦିଗକୁ ଆକୃଷ୍ଟ ହୋଇ ଜ୍ଞାନମୟ ହୋଇଯାଏ । ଶରୀରର ଅନୁଭୂତି ଦୂର ହୋଇଯାଏ । ଶୋଇକରି ଉଠିବାପରେ ତାଙ୍କୁ ଆତ୍ମଜ୍ଞାନରୂପୀ ଆନନ୍ଦ ମିଳିଥାଏ ।
ଉପନିଷତ୍‌କାର କହିଛନ୍ତି—ଜାଗ୍ରତ, ସ୍ୱପ୍ନ, ସୁଷୁପ୍ତ ସ୍ଥାନରେ ନିବାସକାରୀ ବ୍ରହ୍ମ ହିଁ ସର୍ବେଶ୍ୱର ଅଟନ୍ତି, ସର୍ବଜ୍ଞ ଏବଂ ଅନ୍ତର୍ଯ୍ୟାମୀ ଅଟନ୍ତି, ସେ ସମସ୍ତ ଭୂତଗଣଙ୍କର ଉତ୍ପତ୍ତି ତଥା ପ୍ରଳୟର କାରଣ ଅଟନ୍ତି ।
ନିର୍ଗୁଣ ଚତୁର୍ଥ ପାଦ ବ୍ରହ୍ମଙ୍କର ବର୍ଣ୍ଣନା କରିବାପୂର୍ବକ ମୁନି ମାଣ୍ଡୂକ୍ୟ କହୁଛନ୍ତି—ତତ୍ତ୍ୱତଃ, ଆତ୍ମା ଏବଂ ବ୍ରହ୍ମ ନିର୍ଗୁଣ ଅଟନ୍ତି, ସେ ନା ତ ଅନ୍ତଃପ୍ରଜ୍ଞ ଅଟନ୍ତି ଆଉ ନା ବହିଃପ୍ରଜ୍ଞ, ନା ଉଭୟପ୍ରଜ୍ଞ ଅଟନ୍ତି, ଆତ୍ମା ନା ଦୃଶ୍ୟ ଅଟନ୍ତି, ନା ବ୍ୟବହାର୍ଯ୍ୟ ଅଟନ୍ତି, ନା ଗ୍ରାହ୍ୟ ଅଟନ୍ତି, ନା ତାଙ୍କର ଚିନ୍ତନ କରାଯାଇପାରେ, ନା ତାଙ୍କୁ ବାଣୀ ଦ୍ୱାରା ଅଭିବ୍ୟକ୍ତ କରିହୁଏ, ନିଜ ମଧ୍ୟରେ ସେ ଏକ ଅଟନ୍ତି । ତାଙ୍କୁ ଅବଗତ ହୋଇଯିବାପରେ ସଂସାରର ବିଶ୍ୱର ସମସ୍ତ ପ୍ରପଞ୍ଚ ଶାନ୍ତ ହୋଇଯାଏ, ସେହି ପ୍ରପଞ୍ଚ ଦ୍ୱାରା ବ୍ୟକ୍ତି ଉଦ୍‌ବିଗ୍ନ ହୁଏନାହିଁ, ସେ ଶିବ-ଶାନ୍ତ, କଲ୍ୟାଣକାରୀ ଶିବ ଅଟନ୍ତି, ତାଙ୍କଭଳି ଆଉ କେହି ନାହାଁନ୍ତି । ସେ ଚତୁର୍ଥ ପାଦ ଅଟନ୍ତି । ଏହା ଆତ୍ମାର ଶୁଦ୍ଧ ରୂପ ଅଟେ—ଯାହାକୁ ଅବଗତ ହେବା ଆବଶ୍ୟକ । ଉପନିଷତ୍‌କାରମାନେ ଏହି ଋଚାରେ ଏହି ଛୋଟଛୋଟ ବାକ୍ୟରେ ଯାହା କିଛି କହିଛନ୍ତି ତାହା ଆତ୍ମା ଏବଂ ବ୍ରହ୍ମ ଉଭୟଙ୍କ ଉପରେ ଏକାଭଳି ଚରିତାର୍ଥ ହୋଇଥାଏ । ନିଜର ଯଥାର୍ଥ ରୂପରେ ବ୍ରହ୍ମ ଏବଂ ଆତ୍ମା ନା ବହିଃପ୍ରଜ୍ଞ ଅଟନ୍ତି ଆଉ ନା ଅନ୍ତଃପ୍ରଜ୍ଞ, ନା ଉଭୟପ୍ରଜ୍ଞ, ନା ପ୍ରଜ୍ଞାନଘନ ଆଉ ନା ପ୍ରଜ୍ଞ ଅଟନ୍ତି । ନା ତାଙ୍କର ବାଣୀ ଦ୍ୱାରା ବର୍ଣ୍ଣନା କରିହୁଏ, ନା ସେ ବିଚାରକୋଟି ଅନ୍ତର୍ଭୁକ୍ତ ଅଟନ୍ତି । ଏହି ନକାରାତ୍ମକତା ସହିତ ତାଙ୍କ ସମ୍ବନ୍ଧରେ ଏହା କୁହାଯାଇପାରିବ କି ନିଜ ସ୍ୱରୂପରେ ହିଁ ତାହାର ଅବଧାରଣା କରାଯାଇପାରିବ ।
ମହର୍ଷି ମାଣ୍ଡୂକ୍ୟ ‘ଓ୩ମ୍‌ ଇତି ଏତଦ୍‌ ଅକ୍ଷରମ୍‌’—ବାକ୍ୟ ଦ୍ୱାରା ଏହି ଉପନିଷତ୍‌ର ପ୍ରାରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମା ଏବଂ ବ୍ରହ୍ମଙ୍କର ଚାରିଗୋଟି ପାଦର ବର୍ଣ୍ଣନା କରିଛନ୍ତି । ଅଧୁନା ଋଷି ପ୍ରତ୍ୟେକ ପାଦର ଅକ୍ଷରସମୂହ ଏବଂ ତାହାର ମାତ୍ରାସମୂହର ଚର୍ଚ୍ଚା କରିବାପୂର୍ବକ କହୁଛନ୍ତି—ଆତ୍ମା ତଥା ବ୍ରହ୍ମଙ୍କ ବର୍ଣ୍ଣନା ମାତ୍ରାମାନଙ୍କ ମଧ୍ୟରେ ଓଁକାର ଅଟେ । ‘ଅ’ ‘ଉ’ ‘ମ୍‌’ ତିନି ମାତ୍ରା ହିଁ ତିନିପାଦ ଅଟନ୍ତି । ବ୍ରହ୍ମଙ୍କର ତିନି ପାଦ ହିଁ ତିନିମାତ୍ରା ଅଟନ୍ତି । ‘ଅ’ ‘ଉ’ ‘ମ୍‌’ଙ୍କର ସାମୂହିକ ରୂପ ଓଁକାର ସ୍ୱୟଂ ପରମାତ୍ମ ତତ୍ତ୍ୱ ଅଟେ ।
‘ଓ୩ମ୍‌’ର ‘ଅ ଉ ମ୍‌’ ତିନି ମାତ୍ରା ଅବା ପାଦ ଶରୀର ତଥା ପ୍ରକୃତିର ଜାଗ୍ରତ, ସ୍ୱପ୍ନ ତଥା ସୁଷୁପ୍ତିର ତିନି ଅବସ୍ଥା ଆତ୍ମା ତଥା ବ୍ରହ୍ମଙ୍କର ଜାଗ୍ରତ, ସ୍ୱପ୍ନ ଏବଂ ସୁଷୁପ୍ତିର ତିନିଗୋଟି ସ୍ଥିତି ଉପରେ କେଉଁଭଳି ଚରିତାର୍ଥ କରାଯାଇପାରେ, ତାହାର ବର୍ଣ୍ଣନା କରିବାପୂର୍ବକ ଉପନିଷତ୍‌କାର କହୁଛନ୍ତି—’ଅ ଉ ମ୍‌’ର ସାମୂହିକ ଓଁକାର ରୂପ ସ୍ୱୟଂ ପରମାତ୍ମ ତତ୍ତ୍ୱ ଅଟନ୍ତି ଏବଂ ତାଙ୍କର ମାତ୍ରାତ୍ରୟ ଅବା ପାଦର ବ୍ରହ୍ମଙ୍କ ସହିତ ସମାନତା ରହିଛି । ତାଙ୍କର କଥନାନୁସାରେ ସେହି ଓଁକାରଙ୍କର ପ୍ରଥମ ଅକାର ମାତ୍ରା ହିଁ ଶବ୍ଦମାତ୍ରରେ ବ୍ୟାପ୍ତ ହୋଇଥିବାରୁ ଏବଂ ଜାଗ୍ରତ ହୋଇଥିବାରୁ ବୈଶ୍ୱାନର ବୋଲାଏ । ସମସ୍ତ ଅକ୍ଷର ମଧ୍ୟରୁ ଅ ର ମାତ୍ରା ବ୍ୟାପ୍ତ ଅଟେ, ତା ବିନା କୌଣସି ଅକ୍ଷର ଉଚ୍ଚାରିତ ହୋଇପାରିବ ନାହିଁ । ଏହିଭଳି ବୈଶ୍ୱାନର ପରମାତ୍ମା ସମସ୍ତ ପଦାର୍ଥରେ ବ୍ୟାପ୍ତ ଅଟନ୍ତି । ସମସ୍ତ ଅକ୍ଷର ମଧ୍ୟରେ ଅକାର ସର୍ବପ୍ରଥମ ଅଟେ । ଏହିଭଳି ସୃଷ୍ଟିର ସମସ୍ତ କାରଣ ମଧ୍ୟରୁ ପରମାତ୍ମା ପ୍ରଥମ କାରଣ ବା କର୍ତ୍ତା ଅଟନ୍ତି—ଯିଏ ଏହି ତଥ୍ୟକୁ ଜାଣିନିଅନ୍ତି । ସେ ସମ୍ପୂର୍ଣ୍ଣ ଇଚ୍ଛାକୁ ପୂରଣ କରିପାରନ୍ତି ।
ଶରୀରରେ ଆତ୍ମା ତଥା ପ୍ରକୃତିରେ ବ୍ରହ୍ମଙ୍କର ସ୍ୱପ୍ନ ସ୍ଥାନକୁ ଆତ୍ମା ତଥା ବ୍ରହ୍ମଙ୍କର ତୈଜସ୍‌—ଶରୀର କୁହାଯାଇଥିଲା—ଏଠାରେ ଓଁକାରଙ୍କ ଦ୍ୱିତୀୟ ମାତ୍ରା ଉକାର—ଅ ଠାରୁ ଉତ୍କୃଷ୍ଟ ହୋଇଥିବା କାରଣରୁ ‘ଉତ୍କର୍ଷାତ୍‌’ ମହାନ୍‌ ହୋଇଥିବାରୁ ଅଥବା ଉଭୟ ଭାବ ରହିବା କାରଣରୁ—ଅଥବା ଉଭୟ ମାତ୍ରା ମଧ୍ୟରେ ରହିଥିବା କାରଣରୁ—ଉଭୟଙ୍କ ସହିତ ସମ୍ବନ୍ଧ ରହିବା କାରଣରୁ ଉକାରଙ୍କ ନିମନ୍ତେ ଯେଉଁ ଉପାସକ ଓଁକାରଙ୍କ ଉପାସନା କରନ୍ତି—ତାଙ୍କର ଉତ୍କର୍ଷ ହୋଇଥାଏ । ଓଁକାରରେ ଉ ର ମଧ୍ୟ ସ୍ଥିତି ହୋଇଥିବାରୁ ମହତ୍ତାକୁ ପ୍ରାପ୍ତ କରିଥାଏ । ତାହାର ଜ୍ଞାନ ଉଭୟ ପକ୍ଷ ନିମନ୍ତେ ଏକାଭଳି ହୋଇଯାଏ । ଉଭୟ ଭାବ ହୋଇଥିବା କାରଣରୁ ସ୍ୱପ୍ନସମ ସୂକ୍ଷ୍ମ ଜଗତ ରୂପୀ ଶରୀରଯୁକ୍ତ ତୈଜସ୍‌ ନାମକ ଦ୍ୱିତୀୟ ପାଦ ଅଟେ । ଏଭଳି ଆତ୍ମଜ୍ଞାନୀ-ବ୍ରହ୍ମଜ୍ଞାନୀଙ୍କ କୁଳରେ କେହି ଅବ୍ରହ୍ମବିତ୍‌ ନଥାନ୍ତି । ଏଭଳି କୌଣସି ବ୍ୟକ୍ତି ନଥାନ୍ତି, ଯାହାଙ୍କୁ ଆତ୍ମା ଅବା ବ୍ରହ୍ମଙ୍କ ସମ୍ବନ୍ଧରେ ଜ୍ଞାନ ହୋଇନଥିବ । ‘ଉ’ ଠାରୁ ଉତ୍କର୍ଷ ହେବାର ସୂଚନା ମଧ୍ୟ ମିଳିଥାଏ । ଯାହା ନା କେତେବେଳେ ଦୁଃଖୀ ନା ସୁଖୀ, ନା ମିତ୍ର, ନା ଶତ୍ରୁ ସମସ୍ତଙ୍କଠାରେ ସମାନ ରହିଥାଏ ।
ଓଁକାରଙ୍କର ମକାର-ତୃତୀୟ ମାତ୍ରା ଅଟେ—ଶରୀରରେ ଆତ୍ମା ତଥା ପ୍ରକୃତିରେ ବ୍ରହ୍ମଙ୍କର ସୁଷୁପ୍ତ ସ୍ଥାନ-ଆତ୍ମା ତଥା ବ୍ରହ୍ମଙ୍କର ପ୍ରାଜ୍ଞ ଶରୀର ବୋଲାଏ । ମାତ୍ରାର ଅର୍ଥ ମାପିବାକୁ ବୁଝାଏ—’ମା ମାପନେ’ । ଏହି ଓଁକାରଙ୍କର ତୃତୀୟ ‘ମକାର’ ମାତ୍ରାର ମାପକାରୀ ଅବା ଜୟକାରୀ ହେବାରୁ ସୁଷୁପ୍ତି ଅଭାବ କାରଣରେ ଲୀନ ଜଗତ ହିଁ ତାହାର ଶରୀର ଅଟେ—ପ୍ରାଜ୍ଞ ତାହାର ତୃତୀୟ ପାଦ ଅଟେ, ଯିଏ ଏଭଳି ଜାଣନ୍ତି, ସେ ନିଶ୍ଚିତରୂପେ ଜଗତକୁ ମାପ କରନ୍ତି—ସେ ତାହାକୁ ଉତ୍ତମରୂପେ ଅବଗତ ହୋଇଥାନ୍ତି, ସେ ସମସ୍ତ ବିଷୟକୁ ଭଲଭାବରେ ନିଜ ମଧ୍ୟରେ ଆତ୍ମସାତ୍‌ କରିନିଅନ୍ତି ।
ଏହିଭଳି ମାତ୍ରା ରହିତ ଚତୁର୍ଥ ପାଦ ଯାହାଠାରେ କୌଣସି ବ୍ୟବହାର ପ୍ରଚଳିତ ହୋଇନଥାଏ, ଯେଉଁଠାରେ ପହଞ୍ଚି ସାଧକ ସମସ୍ତ ପ୍ରକାର ପ୍ରପଞ୍ଚ ଏବଂ ଜ୍ଞାନରୁ ଅତୀତ କଲ୍ୟାଣମୟ ଅଦ୍ୱିତୀୟ ପୂର୍ଣ୍ଣ ବ୍ରହ୍ମଙ୍କର ଚତୁର୍ଥପାଦରେ ପହଞ୍ଚିଥାଏ, ସେଠାରେ ସେ କ୍ଷୁଧା, ତୃଷା, ଶୋକ, ମୋହ, ବୃଦ୍ଧାବସ୍ଥା ଏବଂ ମୃତ୍ୟୁ ଆଦିରୁ ଅତୀତ ହୋଇ ଶିବ କଲ୍ୟାଣକାରୀ ପରମ ଆତ୍ମତତ୍ତ୍ୱରେ ସମାବିଷ୍ଟ ହୋଇଯାନ୍ତି । ସେହି ଅଦ୍ୱିତୀୟ ଅନୁପମ ଓଁକାର ଜୀବାତ୍ମା ଅଟନ୍ତି । ଯିଏ ଆତ୍ମାକୁ ପରମାତ୍ମାଙ୍କଠାରେ ବ୍ୟାପ୍ତ କରାଇ ସେଠାରେ ରମଣ କରନ୍ତି ।
ପରମ ବ୍ରହ୍ମ ତାଙ୍କ ନାମର ଅପାର ମହିମା ଅଟେ । ଏହି ଉପନିଷଦ୍‌ରେ ପରମ ବ୍ରହ୍ମ ଓଁକାରଙ୍କର ଚାରିପାଦର ବର୍ଣ୍ଣନା ତାହାର ରହସ୍ୟକୁ ଅବଗତ ହେବାପାଇଁ କୁହାଯାଇଛି ।
ମାଣ୍ଡୂକ୍ୟ ଉପନିଷଦ୍ ଅଥର୍ବବେଦ ସହ ସମ୍ବନ୍ଧିତ ଅଟେ । ଏହି ଉପନିଷଦରେ ଅତ୍ୟନ୍ତ ଗଭୀରତାର ସହ ଓଁକାରଙ୍କ ବିଷୟ ପ୍ରସ୍ତୁତ କରାଯାଇଛି । ଶରୀରରେ ଆତ୍ମା ଏବଂ ପ୍ରକୃତିରେ ବ୍ରହ୍ମ ଅବା ପରମାତ୍ମାରୂପେ ଦୁଇ ମୁଖ୍ୟ ତତ୍ତ୍ୱ ସଂସାରରେ ରହିଛି ।
୧. ଅ—ଶରୀର ତଥା ପ୍ରକୃତିର ଜାଗ୍ରତ ଅବସ୍ଥା
୨. ‘ଉ’—ଶରୀର ଏବଂ ପ୍ରକୃତିର ସ୍ୱପ୍ନାବସ୍ଥା ତଥା
୩. ମ—ଶରୀର ଏବଂ ପ୍ରକୃତିର ସୁଷୁପ୍ତାବସ୍ଥା ସ୍ୱରୂପ ଅଟେ । ଏହି ମାତ୍ରାତ୍ରୟ ଆତ୍ମା ତଥା ବ୍ରହ୍ମଙ୍କର ଦୃଶ୍ୟ ସଗୁଣ ରୂପ ଅଟେ । ଆତ୍ମାର ଜାଗ୍ରତ, ସ୍ୱପ୍ନ ଏବଂ ସୁଷୁପ୍ତ ସ୍ଥିତିସମୂହ ସମ୍ପୂର୍ଣ୍ଣରୂପେ ବ୍ୟାବହାରିକ ଅଟେ ।
ଏହି ତିନିଗୋଟି ସ୍ଥିତି ବ୍ୟତିରେକ ଆତ୍ମା ତଥା ବ୍ରହ୍ମଙ୍କର ନିର୍ଗୁଣ ସ୍ଥିତିକୁ ତୁରୀୟ-ଚତୁର୍ଥ ଅବା ମାତ୍ରାହୀନ ସ୍ଥିତି କୁହାଯାଇଛି । ବସ୍ତୁତଃ ସେ ଅଦୃଶ୍ୟ ବ୍ୟବହାରର ଊର୍ଦ୍ଧ୍ୱରେ, ଗ୍ରହଣଯୋଗ୍ୟ ନହେଉଥିବା ବିଚାରକୋଟିକୁ ନଆସୁଥିବା ଅବସ୍ଥା ଅଟେ । ସେହି ସ୍ଥିତିର ଆତ୍ମା-ପରମାତ୍ମାଙ୍କୁ ଅବଗତ ହେବା ଆମର ଲକ୍ଷ୍ୟ ଅଟେ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.