Press "Enter" to skip to content

ଶୁଶ୍ରୁତଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ — ୧

Last updated on February 6, 2021

ଡା. ଯଜ୍ଞେଶ୍ୱର ନାଥ,

ପ୍ରାଚୀନ ଭାରତରେ ଆୟୁର୍ବେଦ ବିଜ୍ଞାନକୁ ଆଠ ଭାଗରେ ବିଭକ୍ତ କରାଯାଇଛି । ସେଥିମଧ୍ୟରୁ କାୟଚିକିତ୍ସା ଓ ଶଲ୍ୟଚିକିତ୍ସାକୁ ବିଶେଷ ପ୍ରାଧାନ୍ୟତା ଦିଆଯାଇଛି । କାୟଚିକିତ୍ସକଙ୍କୁ ଆତ୍ରେୟ ସମ୍ପ୍ରଦାୟ ଓ ଶଲ୍ୟଚିକିତ୍ସକମାନଙ୍କୁ ଧନ୍ୱନ୍ତର ସମ୍ପ୍ରଦାୟ ବୋଲି କୁହାଯାଏ । ପରବର୍ତ୍ତୀକାଳରେ ଏହି ଦୁଇ ସମ୍ପ୍ରଦାୟର ପ୍ରଧାନ ସଂହିତାକାର ହେଲେ ମହର୍ଷି ଅଗ୍ନିବେଶ ଓ ମହର୍ଷି ସୁଶ୍ରୁତ ଏବଂ ଏମାନଙ୍କ ଦ୍ୱାରା ଲିଖିତ ସଂହିତାକୁ ଅଗ୍ନିବେଶ ସଂହିତା ଓ ବୃଦ୍ଧ ସୁଶ୍ରୁତଙ୍କ ଦ୍ୱାରା ଲିଖିତ ସଂହିତାକୁ ସୁଶ୍ରୁତ ସଂହିତା ବୋଲି କୁହାଯାଏ । ଅଗ୍ନିବେଶ ସଂହିତାକୁ ପରବର୍ତ୍ତୀ କାଳରେ ମହର୍ଷି ଚରକ ପ୍ରତି ସଂସ୍କାର କରି ”ଚରକ ସଂହିତା” ନାମ ଦେଲେ । ସୁଶ୍ରୁତଙ୍କ ପୂର୍ବରୁ ମଧ୍ୟ ଶଲ୍ୟଚିକିତ୍ସା ଥିଲା । ସେତେବେଳେ ବୃଦ୍ଧ ସୁଶ୍ରୁତଙ୍କ ଦ୍ୱାରା ଓ ଅନ୍ୟମାନେ ଶଲ୍ୟ ବିଷୟକ ଗ୍ରନ୍ଥମାନ ଲେଖିଥିଲେ । ଯାହା ପରବର୍ତ୍ତୀକାଳରେ ଋଷି ବିଶ୍ୱାମିତ୍ରଙ୍କ ପୁତ୍ର ସୁଶ୍ରୁତ, ଯେକି କାଶୀରାଜ ଦିବୋଦାସ ଧନ୍ୱନ୍ତରିଙ୍କ ଶିଷ୍ୟ, ସେ ନିଜ ନାମରେ ସଂହିତା ସଂକଳନ କରିଛନ୍ତି । ଚରକ ସଂହିତାର ପରବର୍ତ୍ତୀ କାଳରେ କେତେକ ଅଧ୍ୟାୟ ନଷ୍ଟ ହୋଇଯାଇଥିବାରୁ ”ଦୃଢ଼ବଳ” ତାକୁ ପୂରଣ କରିଥିଲେ । ସେହିପରି ସୁଶ୍ରୁତ ସଂହିତା ପରବର୍ତ୍ତୀକାଳରେ ନାଗାର୍ଜ୍ଜୁନଙ୍କ ଦ୍ୱାରା ପ୍ରତିସଂସ୍କାର ହୋଇଥିଲା । ପ୍ରଥମେ ସୁଶ୍ରୁତ ସଂହିତାରେ ୫ଟି ସ୍ଥାନ ଓ ୧୨୦ ଅଧ୍ୟାୟ ଥିଲା । ପରବର୍ତ୍ତୀକାଳରେ ଉତ୍ତରତନ୍ତ୍ର ନାମରେ ୬୬ ଅଧ୍ୟାୟ ଏହା ସହିତ ସନ୍ନିବେଶିତ ହୋଇଛି । ସେଥିରେ ଶାଲାକା ତନ୍ତ୍ର ବା ଚକ୍ଷୁ, କର୍ଣ୍ଣ, ନାସିକା, ଶିରୋରୋଗ ତଥା ଶିଶୁରୋଗର ଚିକିତ୍ସା ବିଷୟରେ ବର୍ଣ୍ଣନା ମିଳେ । ଯାହାକୁ ବିଦେହାଧିପତି ନିମି ଲେଖିଛନ୍ତି—”ଶାଲାକ୍ୟ ତନ୍ତ୍ରା ଭିହିତା ବିଦେହାଧିପ କୀର୍ତ୍ତିତା ।”
ଦେବତାମାନଙ୍କର ଜରା (Senility) ସେମାନଙ୍କ ରୋଗ ଏବଂ ମୃତ୍ୟୁକୁ ଦୂର କରିବାପାଇଁ ଆଦିଦେବ ଧନ୍ୱନ୍ତରି ଅନ୍ୟ ଅଙ୍ଗ ସହିତ ଶଲ୍ୟତନ୍ତ୍ରର ଉପଦେଶ ଦେବାପାଇଁ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ । ଅହିଂ ହି ଧନ୍ୱନ୍ତରି ରାଦିଦେବୋ ଜରାମୃତ୍ୟୁ ରୋଗଽମରାଣାମ୍‌, ଶଲ୍ୟାଙ୍ଗ ମଙ୍ଗୈରୂପେତଂ ପ୍ରାନ୍ତୋଽସ୍ମି ଗାଂ ଭୂୟ ଇହୋପଦେଷ୍ଟୁମ୍‌ । ସୂ.୧.୨୦.
ପରବର୍ତ୍ତୀକାଳରେ ଭଗବାନ ଧନ୍ୱନ୍ତରି ନରରୂପରେ ଜନ୍ମନେଇ କାଶୀରେ ରାଜା ହୋଇଥିଲେ । ସେ ଜଣେ ବିଶିଷ୍ଟ ଶଲ୍ୟ ଚିକିତ୍ସକ ଥିଲେ । ସେତେବେଳେ କାଶୀ ଶଲ୍ୟଚିକିତ୍ସାର କେନ୍ଦ୍ର ଭାବରେ ପ୍ରସିଦ୍ଧ ଥିଲା । ଦିବୋବାସ ଧନ୍ୱନ୍ତରି ବାନପ୍ରସ୍ଥରେ ଥିବା ସମୟରେ ଶଲ୍ୟତନ୍ତ୍ର ସହ ଆୟୁର୍ବେଦ ଶିକ୍ଷା ପାଇବାପାଇଁ ଔପଧେନବ, ଔରଭ, ବୈତରଣ, ପୌଷ୍କଳାବତ, କରବୀର୍ଯ୍ୟ, ଗୋପୁରରକ୍ଷିତ ତଥା ସୁଶ୍ରୁତ ଆଦି ଶିଷ୍ୟମାନେ ତାଙ୍କ ପାଖରେ ଉପସ୍ଥିତ ହୋଇଥିଲେ । ଶିକ୍ଷା ଲାଭ କଲାପରେ ସମସ୍ତେ ନିଜନିଜ ନାମରେ ସଂହିତା ରଚନା କଲେ । ମାତ୍ର ସୁଶ୍ରୁତଙ୍କ ସଂହିତା ଶ୍ରେଷ୍ଠ ହେବାରୁ ସମସ୍ତଙ୍କ ଦ୍ୱାରା ଆଦୃତ ଏବଂ କାଳଜୟୀ ହେଲା ।
ସୁଶ୍ରୁତ ସଂହିତାରେ—(୧) ଶଲ୍ୟତନ୍ତ୍ର (Surgery), (୨) ଶାଲାକ୍ୟତନ୍ତ୍ର– ଚକ୍ଷୁ, କର୍ଣ୍ଣ, ନାସା ଏବଂ ଗଳାରୋଗ ବର୍ଣ୍ଣିତ (Opthalmology, E.N.T), (୩) କାୟ ଚିକିତ୍ସା (Medicine), (୪) ଭୂତବିଦ୍ୟା (Psychiatry), (୫) କୌମାର ଭୃତ୍ୟ (Paediatrics), (୬) ଅଗଦ ତନ୍ତ୍ର (Toxicology), (୭) ରସାୟନତନ୍ତ୍ର (Geriatrics), ତଥା (୮) ବାଜୀକରଣତନ୍ତ୍ର (Science of Fertility and Virility) ବିଷୟରେ ସମ୍ପୂର୍ଣ୍ଣ ଚିକିତ୍ସା ବର୍ଣ୍ଣିତ ହୋଇଛି ।
ସୁଶ୍ରୁତ ସଂହିତାରେ—(୧) ରୋଗୀମାନଙ୍କର ରୋଗ ଦୂର କରିବା, (୨) ସୁସ୍ଥ ଲୋକମାନଙ୍କର ସ୍ୱାସ୍ଥ୍ୟରକ୍ଷା କରିବାକୁ ପ୍ରାଧାନ୍ୟ ଦିଆଯାଇଛି ।
ବତ୍ସ ସୁଶ୍ରୁତ ! ଇହ ଖଲ୍ୱାୟୁର୍ବେଦ ପ୍ରୟୋଜନଂ—ବ୍ୟାଧ୍ୟୁପ ସୃଷ୍ଟାନାଂ ବ୍ୟାଧିପରିମୋକ୍ଷଃ, ସ୍ୱସ୍ଥସ୍ୟ ରକ୍ଷଣଂ ଚ । ସୁ.ସଂ.୧.୧୩
ଆୟୁର୍ବେଦ ଶାସ୍ତ୍ରର ନିରୂକ୍ତି—ଆୟୁ ସମ୍ବନ୍ଧିତ ଜ୍ଞାନ ତଥା ଦୀର୍ଘାୟୁର ଉପାୟ ଯେଉଁ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ତାକୁ ଆୟୁର୍ବେଦ (Science of life) କୁହାଯାଏ ।
ଆୟୁର୍ବେଦ ଅବତରଣ—(Geneology of Ayurved)—(୧) ବ୍ରହ୍ମା, (୨) ପ୍ରଜାପତି, (୩) ଅଶ୍ୱିନୀକୁମାର ଦ୍ୱୟ, (୪) ଇନ୍ଦ୍ର, (୫) ଧନ୍ୱନ୍ତରି-ସୁଶ୍ରୁତ ଆଦି ବ୍ୟାଧି ପରିଭାଷା—ତଦ୍ଦୁଃଖ ସଂଯୋଗା ବ୍ୟାଧୟଉଚ୍ୟନ୍ତେ । ସୂ. ୧-୨୨
ବ୍ୟାଧି ତାହାକୁ କହନ୍ତି ଯାହା ଶରୀରକୁ କଷ୍ଟଦିଏ । ଏହି ବ୍ୟାଧି ଚାରିପ୍ରକାର—ଆଗନ୍ତବଃ, ଶାରୀର, ମାନସା ସ୍ୱଭାବିକାଶ୍ଚେତି । ସୁ.ସୂ. ୧.୨୩
୧—ଆଗନ୍ତୁଜ—(Traumatic), ୨—ଶାରୀର (Somatic), ୩—ମନସା (Psychic), ୪—ସ୍ୱଭାବିକ (Natural) ।
ଶାରୀରିକ ବ୍ୟାଧିର ମୂଳ କାରଣ ହେଉଛି ଅନ୍ନପାନ, ଯାହା ସେବନ ଦ୍ୱାରା ବାତ, ପିତ୍ତ, କଫ, ରକ୍ତ ଏବଂ ତ୍ରିଦୋଷର ବିଷମ ହୁଏ ।
ମାନସିକ ରୋଗ—କ୍ରୋଧ, ଶୋକ, ଭୟ, ହର୍ଷ, ବିଶାଦ, ଈର୍ଷା, ଅଭ୍ୟସୂୟା (Envy) ଦୈନ୍ୟ (Meanness), ମାତ୍ସର୍ଯ୍ୟ (Madice), କାମ (Lust), ଲୋଭ (Greed), ଇଚ୍ଛା (Desireness) ତଥା ଦ୍ୱେଷ (Dislikes) ଅଟେ । ସ୍ୱଭାବିକାସ୍ତୁ କ୍ଷୁତ୍‌ପିପାସା ଜରାମୃତ୍ୟୁ ଦ୍ରୋପ୍ରଭୃତୟଃ । ସୁ.୧-୨୪
ସ୍ୱଭାବିକ ବ୍ୟାଧି—ଯଥା—କ୍ଷୁଧା, ପିପାସା (ତୃଷ୍ଣା), ବାର୍ଦ୍ଧକ୍ୟ, ମୃତ୍ୟୁ, ନିଦ୍ରା ଏବଂ ପ୍ରକୃତି (ପ୍ରକୃତି ଭାବ) ରୋଗାଃ ଗୃହ୍ୟନ୍ତେ, ତେ ଚ କଦାଚିତ୍‌ ସ୍ୱଭାବିକା କଦାଚିଦ୍‌ ଦୋଷଜାଃ— ଡହ୍ଲଣ) ।

ବ୍ୟାଧିର ଆଶ୍ରୟ—ତ ଏତେ ମନଃ ଶରୀରାଧିଷ୍ଠାନାଃ । ସୂ. ୧.୨୫
ଏହି ବ୍ୟାଧି ମଧ୍ୟରୁ କ୍ରୋଧାଦିର ଅଧିଷ୍ଠାନ ବା ଆଶ୍ରୟ ମନ ଏବଂ ଜ୍ୱରାଦିର ଅଧିଷ୍ଠାନ ଶରୀର ତଥା ଅପଷ୍ଟାରାଦିର ମନ ଏବଂ ଶରୀର (Psychosomatic) ବ୍ୟାଧି ପ୍ରତିଷେଧ ଉପାୟ—ତେଷାଂ ସଂଶୋଧନ ସଂଶମନାହାରାଚାରାଃ ସମ୍ୟକ୍‌ ପ୍ରଯୁକ୍ତା ନିଗ୍ରହହେତବଃ । ସୂ.୧-୨୬
ମନ ଏବଂ ଶରୀରକୁ ଆଶ୍ରୟକରି ହେଉଥିବା ରୋଗର ପ୍ରତିଶେଧ ଉପାୟ ହେଉଛି—ସଂଶୋଧନ (ବମନ, ବିବେଚନା ଦ୍ୱାରା ଦୋଷକୁ ବାହାର କରିବା), ସଂଶମନ (ଔଷଧ ପ୍ରୟୋଗ), ଆହାର (ସାତ୍ମ୍ୟ ଓ ପୁଷ୍ଟିକର ଆହାର) ଆଚାର (ସଦାଚାର ଓ ସ୍ୱସ୍ଥ ଉପାଦାନ)
ସ୍ୱୟମ୍ଭୁ (ବ୍ରହ୍ମା)ଙ୍କ ଦ୍ୱାରା ଉପଦିଷ୍ଟ ଏବଂ କାଶିପତି (ଧନ୍ୱନ୍ତରି)ଙ୍କ ଦ୍ୱାରା ପ୍ରକାଶିତ ଏହି ସନାତନ ବିଜ୍ଞାନକୁ ଅଧ୍ୟୟନ କଲେ ସେ ପୁଣ୍ୟକର୍ମା (Virtous) ହୋଇ ପୃଥିବୀର ରାଜ୍ୟମାନଙ୍କ ଦ୍ୱାରା ପୂଜା ପାଏ ଓ ମୃତ୍ୟୁପରେ ଇନ୍ଦ୍ରସମାନ ସ୍ୱର୍ଗରେ ସୁଖଭୋଗ କରେ ।
ଯସ୍ତୁ କେବଳ ଶାସ୍ତ୍ରଜ୍ଞ କର୍ମସ୍ୱ ପରିନିଷ୍ଠିତଃ । ସମୁହ୍ୟତ୍ୟାତୁରଂ ପ୍ରାପ୍ୟପ୍ରାପ୍ୟ ଭୀରୁ ରିବା ହବମ୍‌ । ସୁ.ସୂ.୩.୪୮
ଜଣେ ଚିକିତ୍ସକ ଶାସ୍ତ୍ରଜ୍ଞ ଓ କର୍ମକୁଶଳ ଉଭୟରେ ଦକ୍ଷ ହେବା ଉଚିତ । (Sound in Theory and Practical) । ତାହା ନହେଲେ ଚିକିତ୍ସକ ରୋଗୀ ଦେଖି ମୁହ୍ୟମାନ ହୋଇଯାଏ ଏବଂ ଭୀରୁ ସୈନିକ ପରି ଯୁଦ୍ଧ କ୍ଷେତ୍ରରୁ ପଳାୟନ କରେ । ଏତଦ୍‌ବ୍ୟତୀତ ଚିକିତ୍ସକ କେବଳ ଶାସ୍ତ୍ରଜ୍ଞ ବା କେବଳ କର୍ମକୁଶଳ ହୋଇଥିଲେ ତାକୁ ଏକ ଡେଣା ବିଶିଷ୍ଟ ପକ୍ଷୀ କିମ୍ବା ଏକ ଚକ୍ର ବିଶିଷ୍ଟ ରଥ କୁହାଯିବ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.