Last updated on August 13, 2022
ଯୋ ଜାଗାର ତମୃଚଃ କାମୟନ୍ତେ,ଯୋ ଜାଗାର ତମୁ ସାମାନି ଯନ୍ତି ।
ଯୋ ଜାଗାର ତମୟଂ ସୋମ ଆହ,ତବାହମସ୍ମି ସଖ୍ୟେ ନ୍ୟୋକାଃ ।।
(ଋଗ୍ବେଦ – ୫/୪୪/୧୪)
ଭାବାର୍ଥ : ଯିଏ ସର୍ବଦା ଜାଗ୍ରତ ଥାଆନ୍ତି ଆଉ ଆଳସ୍ୟ ଓ ପ୍ରମାଦରୁ ସର୍ବଦା ସାବଧାନ ରହିଥାନ୍ତି, ତାଙ୍କୁ ଏହି ସଂସାରରେ ଜ୍ଞାନ ଓ ବିଜ୍ଞାନ ପ୍ରାପ୍ତି ହୋଇଥାନ୍ତି । ତାଙ୍କୁ ଶାନ୍ତି ପ୍ରାପ୍ତି ହୋଇଥାଏ । ସେ ହିଁ ମହାପୁରୁଷ ବୋଲାଇଥାନ୍ତି ।
ବ୍ୟାଖ୍ୟା : “ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ନିବୋଧତ’’, ଉଠ, ଜାଗ ଯେ ପର୍ଯ୍ୟନ୍ତ ଧ୍ୟେୟକୁ ପ୍ରାପ୍ତି ହୋଇନାହାଁନ୍ତି, ପ୍ରୟାସ କରିଚାଲ । ଏହି କଠୋପନିଷଦର ମୂଳମନ୍ତ୍ର ସ୍ୱାମୀ ବିବେକାନନ୍ଦଙ୍କର ମଧ୍ୟ ମହାବାକ୍ୟ ଥିଲା । ଜାଗ୍ରତ ରହିଲେ ହିଁ ସବୁକିଛି ପ୍ରାପ୍ତ ହୋଇପାରିବ ଅନ୍ୟଥା ଏହି ମନୁଷ୍ୟ ଜୀବନ ବ୍ୟର୍ଥ ହୋଇଯିବ । ଆମ ଉପରେ ଅଜ୍ଞାନ, ଆଳସ୍ୟ, ପ୍ରମାଦ ତଥା ତମୋଗୁଣରୂପୀ ଯେଉଁ ଛାୟା ବିସ୍ତାର ହୋଇରହିଛି, ତଦ୍ଦ୍ୱାରା ଆମର ଆଖି ଏବେ ମଧ୍ୟ ବନ୍ଦ ହୋଇ ରହିଛି । ତେବେ ଆମେ ଜାଗ୍ରତ କିପରି ହେଲେ ? ପରମ ଜାଗ୍ରତ ତ ପରମେଶ୍ୱର ଅଟନ୍ତି । ଏହିଭଳି ଆମେ ମଧ୍ୟ ନିଜର ଶକ୍ତିକ୍ଷେତ୍ରରେ ଜାଗ୍ରତ ରହିବା, ସଦା ସାବଧାନ ଓ କଟିବଦ୍ଧ ରହିବା । ନିଜ କର୍ତ୍ତବ୍ୟର ପାଳନ କରିବାରେ କେବେ ଆଳସ୍ୟ ହେବାନାହିଁ । ଏହିଭଳି ଅଭ୍ୟାସପୂର୍ବକ ପରମେଶ୍ୱରୀୟ ଗୁଣ ନିଜ ଭିତରେ ଧାରଣ କରି ସଫଳତା ପ୍ରାପ୍ତି ହୋଇପାରିବା ।
ଏହି ସଂସାର ଜାଗ୍ରତ ଲୋକଙ୍କ ପାଇଁ ହିଁ ଉଦ୍ଦିଷ୍ଟ । ଆଳସ୍ୟ ବ୍ୟକ୍ତି ସମସ୍ତ ସୁଖ ସୁବିଧାରୁ ବଞ୍ଚିତ ହୋଇଥାଏ, ସେ ଲାଳସା ଓ କାମନାରେ ପୀଡିତ ହୁଏ କିନ୍ତୁ ସୁଖରୁ ବଞ୍ଚିତ ହୁଏ । ତାମସିକତାର ନିଶାରେ ପଡି ସାତ୍ତ୍ୱିକତାରୂପୀ ଅମୃତରୁ ଦୂରେଇଯାଏ । ଅତଃ ଆଳସ୍ୟ ଓ ପ୍ରମାଦକୁ ତ୍ୟାଗ କରି ଯେପର୍ଯ୍ୟନ୍ତ ଉଦ୍ୟମଶୀଳତାକୁ ଆପଣେଇ ନନେଉ, ତେବେ ସ୍ଥାୟୀ ପ୍ରଗତି ଅସମ୍ଭବ । ପରମାତ୍ମାଙ୍କ କୃପା ପ୍ରାପ୍ତି ହେବାପାଇଁ ଆମକୁ ତାଙ୍କ ଚରଣରେ ଉଦ୍ୟମ, ସାହସ, ଧୈର୍ଯ୍ୟ, ବୁଦ୍ଧି, ଶକ୍ତି ଓ ପରାକ୍ରମରୂପୀ ପୁଷ୍ପ ଅର୍ପଣ କରିବାକୁ ହେବ । ବେଦର ଘୋଷଣା ହେଉଛି- “ନ ଋତେ ଶ୍ରାନ୍ତସ୍ୟ ସଖ୍ୟାୟ ଦେବାଃ ।’’
ଆଜିର ଏହି ବିଷମ ସ୍ଥିତିରେ ଶିଶୁ, ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭକରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଅଯଥା ସମୟ ବିତାଇବାକୁ ଭଲପାଉଛନ୍ତି । ଡାକ୍ତର, ଶିକ୍ଷକ, ବ୍ୟବସାୟୀ, କୃଷକ, ଶ୍ରମିକ, ଅଧିକାରୀ ସମସ୍ତେ ଠକାମୀ ଓ ଆଳସ୍ୟର ଶିକାର ହୋଇଛନ୍ତି । ଏହିଭଳି ସ୍ଥିତିରୁ ରକ୍ଷା କରିବା ବିଦ୍ୱାନ ବ୍ରାହ୍ମଜ୍ଞମାନଙ୍କର ପ୍ରାଥମିକ କର୍ତ୍ତବ୍ୟ । ବ୍ରହ୍ମଜ୍ଞ ବିଦ୍ୱାନ ହିଁ ସମାଜକୁ ସଚେତନ ଓ ଜାଗ୍ରତ କରାଇପାରିବେ ।
Be First to Comment