Press "Enter" to skip to content

ପ୍ରଶାସନିକ କ୍ଷେତ୍ରରେ ସାଧୁତା ରକ୍ଷା କରିବା ସମ୍ଭବ କି ?

Last updated on November 19, 2020

ସ୍ୱାମୀ ଭୂତେଶାନନ୍ଦ

ପ୍ରଶ୍ନ–ମହାରାଜ ! ସାଧୁତାକୁ ଉଜ୍ଜୀବିତ ରଖିବା ସହିତ କିପରି ପ୍ରଶାସନିକ କାର୍ଯ୍ୟ କରିବା ସମ୍ଭବ ହୋଇପାରେ ?
ମହାରାଜ– ବିଚାର କରି ଦେଖ, ଚିନ୍ତନ କର, ଉତ୍ତର ପାଇଯିବ ।
— ନାଁ ମହାରାଜ, ଟିକିଏ ବିସ୍ତାରପୂର୍ବକ ବୁଝାଇଦିଅନ୍ତୁ ।
ମହାରାଜ–କହିଲି ତ, ନିଜେ ଚିନ୍ତନ କରି ଆତ୍ମବିଶ୍ଳଷଣ କର ।
–ମହାରାଜ, ସ୍ପଷ୍ଟରୂପେ କହୁଅଛି । ପ୍ରଶାସନିକ କାର୍ଯ୍ୟ ନିମନ୍ତେ ରାଜବୁଦ୍ଧିର ଆବଶ୍ୟକତା ରହିଛି । ସାଧୁତା ଏବଂ ରାଜବୁଦ୍ଧି ଏକ ସଙ୍ଗରେ କିପରି ସମ୍ଭବ ?
ମହାରାଜ–(ଟିକିଏ ରୁଷ୍ଟ ହୋଇ) ନିଜକୁ କାହିଁକି ରାଜା ମନେକରୁଛ ? ସେବକ ବୋଲି ମନେକର । ତେବେଯାଇ ସାଧୁତା ରକ୍ଷାକରି ପ୍ରଶାସନିକ କାର୍ଯ୍ୟ କରିପାରିବ ।
–କେହିକେହି କାର୍ଯ୍ୟ କରାଇନେବାପାଇଁ କହିଛନ୍ତି ।
ମହାରାଜ– କଣ ମିଥ୍ୟାର ଆଶ୍ରୟ ନେବାକୁ ପଡେ ? ମିଥ୍ୟା କହିବାପାଇଁ ପଡେ ? ଠାକୁର ଏତିକି ସତ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି, ପଇସା ପାଇଁ କେବେ ଅସତ୍ୟର ଆଲମ୍ବନ ନିଅନାହିଁ । ସଂଘ ରହୁ କି ନ ରହୁ । (ମହାରାଜ ଗମ୍ଭୀର ହୋଇ ମୌନ ଅଛନ୍ତି । ସମସ୍ତେ ମୌନ ଅଛନ୍ତି ।) ସତ୍ୟ ସହିତ କଦାପି ପରସ୍ପର ମଧ୍ୟରେ ବିଦ୍ୱେଷ କରନାହିଁ । ପଇସା ପାଇଁ ବଡ ଲୋକଙ୍କୁ ମହତ୍ତ୍ୱ ଦେଲେ ସର୍ବନାଶ ହୋଇଥାଏ ।
–କିନ୍ତୁ ମହାରାଜ ! ଏହି କର୍ମ କାରଣରୁ ମନ ବହିର୍ମୁଖୀ ହୋଇଯାଏ ।
ମହାରାଜ–ଗଭୀର ଆତ୍ମବିଶ୍ଳେଷଣର ଆବଶ୍ୟକତା ରହିଛି । ଯଦି ଏହି ଭାବରେ କାର୍ଯ୍ୟ କର ଯେ ଏହା ଠାକୁରଙ୍କର ଅଟେ, ତେବେ କୌଣସି କ୍ଷତି ହେବନାହିଁ ।
‘‘ଯଦ୍ୟତ୍‌କର୍ମ କରୋମି ତତ୍ତଦଖିଳଂ ଶମ୍ଭୋ ତବାରାଧନମ୍‌ ।’’
‘‘ନଗର ବୁଲିଲେ, ବିଚାର କର ପ୍ରଦକ୍ଷିଣା ଶ୍ୟାମା ମା ଙ୍କର । ଆହାର କଲେ, ବିଚାର କର ଆହୁତି ଦେଉଛ ଶ୍ୟାମା ମା ଙ୍କର ।।’’
ଏଠାରେ ଚାଲାକି ଚଳିବନାହିଁ ।
–କାର୍ଯ୍ୟ କରିବା ସମୟରେ ସମସ୍ତଙ୍କ ସହିତ କେଉଁଭଳି ବ୍ୟବହାର କରିବା ଆବଶ୍ୟକ ?
ମହାରାଜ–ଏଥିପାଇଁ ଅତ୍ୟଧିକ ଆତ୍ମବିଶ୍ଳେଷଣର ପ୍ରୟୋଜନ ରହିଛି । ପ୍ରତ୍ୟେକ କ୍ଷେତ୍ରରେ ନିଜର ବିଶ୍ଳେଷଣ କରିବାକୁ ହୋଇଥାଏ । ଅନେକ ଲୋକ କହୁଛନ୍ତି–କଣ ! ଦୁଇ ଦିନର ବାଳକ ଆମ ସମ୍ମୁଖରେ କଥା କହିବ ! ସେମାନେ ଏହା ଜାଣନ୍ତି ନାହିଁ କି, ଆଜି ଯେଉଁ ବାଳକ ଦୁଇ ଦିନର ଅଟେ, ସେ ଆସନ୍ତା କାଲି ଦଶ ଦିନର ହୋଇଯିବ । ମୁଁ ସକ୍ଷମ, ଉଚ୍ଚପଦରେ ଅଧିଷ୍ଠିତ, ଏଭଳି ବିଚାର ନକରି, ସମସ୍ତଙ୍କ ସହିତ ମଧୁର ବ୍ୟବହାର କରିବା ଆବଶ୍ୟକ । ଆଦେଶ ନ ଦେଇ ବୁଝାଇ କହିଲେ ମନୁଷ୍ୟ ବୁଝିଯାଏ । ବାସ୍ତବରେ ବ୍ୟକ୍ତି ସ୍ୱୟଂ ନିଜକୁ ନିୟନ୍ତ୍ରିତ ନ କରୁଥିବା କାରଣରୁ ରୁଷ୍ଟ ହୋଇ ଚିତ୍କାର କରିଥାଏ । ଚିତ୍କାର କଲେ ଆଦେଶ ପାଳନ ହୋଇନଥାଏ । ଥରେ ଗୋଟିଏ ସ୍ଥାନରେ ପଢ଼ିଥିଲି–ଜଣେ ସେନାପତି ବହୁତ ମଧୁରଭାଷୀ ଥିଲେ । ଅନେକ ଲୋକ ତାଙ୍କୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଉଥିଲେ । ଲୋକମାନେ ତାଙ୍କୁ ପଚାରୁଥିଲେ ଏତେ ନମ୍ର ମଧୁର ଗଳାରେ ନିୟନ୍ତ୍ରିତ କରିବା କିପରି ସମ୍ଭବ ? ସେ କହିଥିଲେ–‘‘ନିୟନ୍ତ୍ରଣ ନିମନ୍ତେ ଚିତ୍କାର କରିବାର ଆବଶ୍ୟକତା ପଡିନଥାଏ ।’’
— ଧରି ନିଅନ୍ତୁ ମହାରାଜ ! ଆମର କୌଣସି ସହଯୋଗୀ କିଛି ଦିନ ପାଇଁ କୌଣସି ତୀର୍ଥଯାତ୍ରାରେ ଯିବାକୁ ଚାହୁଁଛନ୍ତି । ମୁଁ ତାଙ୍କୁ କେଉଁଭଳି ବୁଝାଇବି ?
ମହାରାଜ– ଦେଖ, ସେ ନ ରଖିଲେ କଣ ଅସୁବିଧା ହୋଇପାରେ । ସେହି ଅସୁବିଧା ସମ୍ବନ୍ଧରେ ବୁଝାଇକୁହ । ବୁଝାଇ କହିଲେ ସେ ବୁଝିପାରିବେ । ଏପରି ନ କରି ଯଦି ତୁମେ ଚିତ୍କାର କରି ରୁଷ୍ଟ ହୋଇ କହିବ- -ନାଁ, ଯାଇପାରିବ ନାହିଁ ଇତ୍ୟାଦି, ତେବେ ତାଙ୍କ ମନରେ ଆଘାତ ଲାଗିବ । ଏଭଳି ବ୍ୟବହାର ପାଇ ତାଙ୍କ ମନରେ ଦୁଃଖର ବୀଜ ଅଙ୍କୁରିତ ହୋଇଥାଏ । ପରେ ବୁଝାଇବାପରେ ମଧ୍ୟ ଲୋକ ଶୁଣିବାକୁ ଇଚ୍ଛା କରନ୍ତି ନାହିଁ, ବୁଝିବାକୁ ଚାହାଁନ୍ତି ନାହିଁ । ସମସ୍ତଙ୍କୁ ସମ୍ମାନ ଦେବାକୁ ପଡିଥାଏ । ଶ୍ରୀମା କହିଛନ୍ତି– ‘ଝାଡୁକୁ ମଧ୍ୟ ସମ୍ମାନପୂର୍ବକ ରଖିବା ଆବଶ୍ୟକ ।’
ଗୋଟିଏ ଘଟଣା ମନେପଡୁଛି । ଚିଦାତ୍ମାନନ୍ଦ (ଆଲୋପୀ ମହାରାଜ) ଜଣେ ସାଧୁଙ୍କୁ ଖୁବ୍‌ ଗାଳିକଲେ । ସେହି ସାଧୁ ଚାଲିଯିବାପରେ ମୁଁ ଚିଦାତ୍ମାନନ୍ଦଙ୍କୁ କହିଲି– ‘‘ମାତ୍ରା ଟିକିଏ ଅଧିକ ହୋଇଗଲା ।’’ ସେ ମୋ କଥା ଶୁଣି ସେହି ସାଧୁଙ୍କୁ ଡାକି କହିଲେ– ‘‘ବୁଝିଲ ? ତୁମକୁ ଗାଳି କରିଛି, ଏଥିପାଇଁ ଭୂତେଶାନନ୍ଦ ସ୍ୱାମୀ ମୋତେ ଗାଳି କରୁଛନ୍ତି, କହୁଛନ୍ତି– ‘‘ପରିମାଣ ଟିକିଏ ଅଧିକ ହୋଇଗଲା । ତୁମେ କିଛି ଖରାପ ଭାବିବ ନାହିଁ ।’’ ଡାକିକରି ଏଭଳି କହିବାରୁ, ତାଙ୍କ ମନ କେତେ ହାଲୁୁକା ହୋଇଗଲା ! ନଚେତ୍‌ ତାଙ୍କ ମନରେ ଦୁଃଖର ବୀଜ ଅଙ୍କୁରିତ ହୋଇଯାଇଥାନ୍ତା ।
–ଆଚ୍ଛା ମହାରାଜ ! କଣ ସବୁବେଳେ ମଧୁର ବାଣୀ ଦ୍ୱାରା କାମ ହୁଏ ?
ମହାରାଜ–ସବୁବେଳେ କଣ କଠୋର କଥା ଦ୍ୱାରା କାମ ଚଳେ ?
–ଆପଣ ତ ସମସ୍ତଙ୍କ ସହ ମଧୁର କଥା ହୁଅନ୍ତି । କେଉଁଭଳି ମଧୁର କଥା ଦ୍ୱାରା କାର୍ଯ୍ୟ ହେଉଛି ?
ମହାରାଜ–କାର୍ଯ୍ୟ ହେଉନାହିଁ, ତ କଣ ଅକାର୍ଯ୍ୟ ହେଉଛି ?
–ନାଁ, ଏପରି କଥା ନୁହେଁ । କିନ୍ତୁ ଆମେମାନେ ବାସ୍ତବରେ ଏହା ବିଚାର କରି ଆଶ୍ଚର୍ଯ୍ୟଚକିତ ହୋଇଯାଉଛୁ ଯେ ଆପଣ କେଉଁଭଳି ସମସ୍ତଙ୍କ ସହ ମଧୁର ବ୍ୟବହାର କରିପାରୁଛନ୍ତି !
ପ୍ରଶ୍ନ–ମହାରାଜ ! ଠାକୁର ମାଙ୍କୁ କହିଥିଲେ– ‘‘କାହା ଆଗରେ ହାତ ପତାଇବ ନାହିଁ । ହାତ ପତାଇଲେ ତାଙ୍କ ନିକଟରେ ମୁଣ୍ଡ ବିକିବାପାଇଁ ପଡିଥାଏ ।’’ ଆମେମାନେ ଆଶ୍ରମ ନିମନ୍ତେ ଲୋକମାନଙ୍କଠାରୁ ଯେଉଁ ଅର୍ଥ ମାଗୁଛୁ !
ମହାରାଜ–ତୁମେ ତ ନିଜପାଇଁ ମାଗୁନାହଁ, ଆଶ୍ରମ ପାଇଁ ମାଗୁଛ । ଆଶ୍ରମ ପାଇଁ ଗ୍ରହଣ ତୁମ ଗ୍ରହଣ କରିବା ସଙ୍ଗେ ସମାନ ନୁହେଁ ।
–ମହାରାଜ, ସାଧାରଣତଃ ଦେଖାଯାଏ କି ଲୋକମାନେ ବ୍ୟକ୍ତିଗତ ପ୍ରଭାବ କାରଣରୁ ହିଁ ଦାନ କରୁଛନ୍ତି ।
ମହାରାଜ– ବ୍ୟକ୍ତିଗତ ପ୍ରଭାବରେ ଧନସଂଗ୍ରହ ଆମମାନଙ୍କୁ ଅଧୋଗାମୀ କରିଥାଏ । ଦାନ ଗ୍ରହଣ କରିବାପାଇଁ ଯଦି ନିୟମର ଉଲଂଘନ କରିବାକୁ ପଡେ, ତେବେ ଗ୍ରହଣ କରନାହିଁ । କିନ୍ତୁ ରୁଷ୍ଟ ହୋଇ କିଛି କୁହନାହିଁ, ବିନମ୍ରତା ସହ କୁହ । ଗୋଟିଏ କଥା ମନେପଡୁଛି । ମୁମ୍ବାଇରେ ଦାନସଂଗ୍ରହ କରୁଥିଲି । ଜଣେ ବ୍ୟକ୍ତି ମୋତେ ଏକ ମହଲ୍ଲାରେ ପରିଚୟ କରାଇବାପାଇଁ ନେଇଗଲେ । ଯଦି ମୁଁ ନିଜେ ଯିବି, ତେବେ ସେ କିଛି ଦେବନାହିଁ । ଏଥିପାଇଁ ସେହି ଲୋକମାନଙ୍କର ଜଣେ ପରିଚିତ ବ୍ୟକ୍ତି ମୋତେ ନେଇଯାଇଥିଲେ । ଚାନ୍ଦା ମାଗିବା ସମୟରେ ଜଣେ ମୋତେ ପଚାରିଲେ– ‘‘ଆପଣମାନେ ସେଠାରେ ଛାତ୍ରାବାସରେ ହରିଜନମାନଙ୍କୁ ମଧ୍ୟ ରଖୁଛନ୍ତି ?’’ ମୁଁ କହିଲି– ‘‘ସେଠାରେ ରହୁଥିବା ଛାତ୍ରମାନଙ୍କ ମଧ୍ୟରେ କେହି ହରିଜନ ନାହାଁନ୍ତି, କିନ୍ତୁ ମିଳିଲେ ଆମେମାନେ ରଖିବୁ ।’’ ଏ କଥା ଶୁଣିବାମାତ୍ରେ ସେ କହିଲେ– ‘‘ନାଁ, ମୁଁ ଆପଣମାନଙ୍କୁ ଦାନ ଦେବିନାହିଁ ।’’ ମୁଁ ମଧ୍ୟ ହାତଯୋଡି କହିଲି– ‘‘ଆପଣଙ୍କ ଦାନର ଆମମାନଙ୍କୁ କୌଣସି ଆବଶ୍ୟକତା ନାହିଁ ।’’
–ମହାରାଜ, କାହା ପାଖରେ ହାତ ନ ପତାଇବା କଥା ହେଉଥିଲା । ଆପଣ କହିଲେ କି ନିଜପାଇଁ କାହା ପାଖରେ ହାତ ପତାଇବାର ଆବଶ୍ୟକତା ନାହିଁ । କିନ୍ତୁ ତୀର୍ଥଯାତ୍ରାରେ ଗଲେ ତ ହାତ ପତାଇବାପାଇଁ ପଡିଥାଏ ।
ମହାରାଜ–ହଁ, ମୁଁ ତ ତୀର୍ଥାଟନକୁ ଯାଉନଥିଲି । କିନ୍ତୁ ତପସ୍ୟା କରିବାକୁ ଯାଇଥିଲି । ମୁଁ ତୀର୍ଥଯାତ୍ରାରେ ଯାଉନଥିଲି, ଏହା କୌଣସି ଚମତ୍କାର ନୁହେଁ । ମୋର ଇଚ୍ଛା ହେଉନଥିଲା । ମୋର ସ୍ୱଭାବ ଏହିଭଳି ଥିଲା । ଟଙ୍କାପଇସା ତ କେହି ନା କେହି ଦେଇପାରନ୍ତି, କିନ୍ତୁ ଇଚ୍ଛା ତ ଅନ୍ୟ କେହି ଦେଇପାରନ୍ତି ନାହିଁ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.