Press "Enter" to skip to content

ଓମ୍‌କାର ଉପାସନା : ପୂର୍ବ ପ୍ରକାଶନ ଉତ୍ତାରୁ

Last updated on November 1, 2020

ପରମାତ୍ମା ଅନ୍ତରରୁ ପ୍ରକାଶିତ ହୋଇଥାନ୍ତି

କେବଳ ପାଣି ପାଣି କହି ଚାଲିଲେ ତୃଷା ମେଣ୍ଟେନାହିଁ, କେବଳ ରୁଟି ରୁଟି କହି ଚାଲିଲେ କ୍ଷୁଧା ଦୂର ହୁଏନାହିଁ । ଆଉ ଅଗ୍ନି ଶବ୍ଦର ଉଚ୍ଚାରଣ ଦ୍ୱାରା ମୁଖ ଜଳିଯାଏ ନାହିଁ, କିନ୍ତୁ ଏହି କଥାରେ କେଉଁ ବୁଦ୍ଧିମାନ୍ ନାରାଜ ହେବେ କି ପାଣି ପାଣି ଆଦି ଶବ୍ଦ ସେତେବେଳେ ଉଚ୍ଚାରଣ କରାଯାଏ, ଯେତେବେଳେ ସେହି ବସ୍ତୁ ପାଇଁ ତା ମନରେ ତୀବ୍ର ଉତ୍କଣ୍ଠା ଜାଗ୍ରତ ହୋଇଥାଏ । ଯେ କେହି ବିଚାର କରି ଦେଖିଲେ ପ୍ରତୀତ ହେବେ କି ଜଗତରେ ଜାତିବିଶେଷର ଭୌତିକ ପ୍ରଭୁତାର ମଧୁର ଫଳ ଏହି ତୀବ୍ର ଉତ୍କଣ୍ଠାର ବଳରୁ ହିଁ ପ୍ରାପ୍ତ ହୋଇଛି । ଏହି ମାନସ ଉତ୍କଣ୍ଠାରେ ହିଁ ସମସ୍ତ ଉନ୍ନତି ନିହିତ । ଆଉ ଏହି ମନୋରଥ ରୂପୀ ଉତ୍କଣ୍ଠାରେ ପ୍ରେରିତ ହୋଇ ମନୁଷ୍ୟ ତାହାର ପ୍ରାପ୍ତି ନିମିତ୍ତ ପ୍ରଯତ୍ନଶୀଳ ହୋଇଥାଏ ।
ଯେଉଁ ଭକ୍ତ ପରମାତ୍ମ ଦେବଙ୍କ ପରମପବିତ୍ର ଓମ୍ ନାମର ଜପରେ ବାରମ୍ବାର ନିଜ ମନକୁ ଲଗାଇରଖେ, ସେ ପରମାତ୍ମଦେବଙ୍କର ପ୍ରାପ୍ତି ନିମିତ୍ତ ନିଜର ଲଗ୍ନ ପ୍ରକାଶିତ କରିଥାନ୍ତି । ବାରମ୍ବାର ପାଠ ଦ୍ୱାରା ଭକ୍ତର ଅନନ୍ତ ଚେତନା ଜାଗି ଉଠି ପ୍ରକଟିତ ହୋଇଥାଏ । ବହୁ ଦୂର ସ୍ଥିତ ପ୍ରାକୃତ ପଦାର୍ଥର ନାମ ଜପ ଫଳ ସିଦ୍ଧିରୂପ ନ ହେଲେ ମଧ୍ୟ ଫଳସିଦ୍ଧିର ପ୍ରବଳ ନିମିତ୍ତକାରଣ ଓ ସିଦ୍ଧି ପ୍ରାପ୍ତକର୍ତ୍ତାଙ୍କର କ୍ରିୟାର ଉପାଦାନ କାରଣ ଅବଶ୍ୟ ରହିଛି ।
ପରମାତ୍ମା ପ୍ରାପ୍ତି କଥା ଭୌତିକ ପଦାର୍ଥ ପ୍ରାପ୍ତି ଠାରୁ ସର୍ବଥା ଭିନ୍ନ ଅଟେ । ପ୍ରକୃତିର ସ୍ଥୂଳ ପଦାର୍ଥ, କର୍ତ୍ତାଙ୍କର ମନଃପ୍ରେରିତ, ତାଙ୍କର ସ୍ଥୂଳ ଇନ୍ଦ୍ରିୟର ସ୍ଥୂଳ କ୍ରିୟାରୁ ପ୍ରାପ୍ତ ହୋଇଥାଏ କାହିଁକି ନାଁ ପ୍ରାପ୍ତକର୍ତ୍ତା ବ୍ୟକ୍ତିଙ୍କର ବାହ୍ଯ ପଦାର୍ଥ ତାଙ୍କର ବାହ୍ଯକ୍ରିୟାର ଅପେକ୍ଷା ରଖତ୍ଥାଏ । କିନ୍ତୁ ପରମାତ୍ମା ସୂକ୍ଷ୍ମତମ, ସମସ୍ତଙ୍କ ଭିତରେ ପରିପୂର୍ଣ୍ଣ, ଅତଃ ବିବେକ, ବିଚାର, ଜ୍ଞାନ ଓ ଭକ୍ତି ଆଦି ସାଧନ ଦ୍ୱାରା ହିଁ ପ୍ରାପ୍ତି ହୋଇଥାନ୍ତି । ଏହା ସର୍ବ ଶାସ୍ତ୍ରସମ୍ମତ ସିଦ୍ଧାନ୍ତ ଅଟେ ।
ଉକ୍ତ ବିବେକାଦି ସାଧନ ଅନ୍ତରଙ୍ଗ ସାଧନ ଅଟେ । ଏହି ସାଧନ ଭକ୍ତର ସ୍ୱ-ଆତ୍ମପ୍ରକାଶ ଅଟେ । ସତ୍ୟ ହେଉଛି, ସମସ୍ତଙ୍କର ଅନ୍ତରାତ୍ମା ପରମାତ୍ମା ଭକ୍ତଙ୍କର ଆତ୍ମ ମନ୍ଦିରରେ ବିରାଜିତ । ତାଙ୍କର ପ୍ରାପ୍ତି ନିମିତ୍ତ କେବଳ ଭକ୍ତିରୂପକ ତୈଳପୂର୍ଣ୍ଣ ଦୀପରେ ଜ୍ଞାନରୂପକ ପ୍ରଦୀପର ଆବଶ୍ୟକତା ରହିଛି । ରୁଟି ରୁଟି ଖାଲି ଉଚ୍ଚାରଣ କଲେ କ୍ଷୁଧାର୍ତ୍ତ କ୍ଷୁଧାରେ ହିଁ ରହିଯାଏ କାହିଁକି ନାଁ ଭୋଜନ ତା ଠାରୁ ବହୁ ଦୂରରେ, କିନ୍ତୁ ଭକ୍ତ ଯେଭଳି ଚିତ୍ତରେ ଈଶ୍ୱରଙ୍କର ଚିନ୍ତନ କରେ, ତାହା ହିଁ ତାହାର ଆତ୍ମିକ ଭୋଜନ ଅଟେ ଆଉ ଯେଉଁ ରସନାରେ ସମସ୍ତ ରସର ସାର ଓମ୍ ନାମକୁ ଜପ କରିଥାଅ, ସେହି ରସନାରେ, ସେହି ନାମରେ ହିଁ ପରମ ତୃପ୍ତିକାରକ ଅମୃତରସ ବିଦ୍ୟମାନ । ସେହି ଅମୃତରସକୁ ଅନୁଭବ କରିବା ପାଇଁ କେବଳ ଅଭ୍ୟାସର ଆବଶ୍ୟକତା ରହିଛି । ଆଉ ମାନସ ତଥା ବାଚିକ ଜପର ନାମ ହିଁ ଏଠାରେ ଅଭ୍ୟାସ ଅଟେ ।
ଆତ୍ମାନଂଚେଦ୍ୱିଜାନୀୟାଦୟମସ୍ତୀତି ପୁରୁଷଃ । ପିଲାଦିନୁ ମେଣ୍ଢାଦଳରେ ବୁଲୁଥିବା ସିଂହଶିଶୁକୁ ନିଜ ଭିତରର ସିଂହପଣ ପ୍ରାପ୍ତ କରିବାପାଇଁ ‘ମୁଁ ସିଂହ ଅଟେ’ ଏହାକୁ ବାରମ୍ବାର ଭାବିବାର ଆବଶ୍ୟକତା ରହିଛି । ଏହାକୁ ସ୍ମରଣ କରିବା ଦ୍ୱାରା ତା ମଧ୍ୟରେ ସିଂହର ସତ୍ତା ବୋଧ ହୋଇଗଲା । ନିଜକୁ ବିନାଶୀ ଓ ମରଣଧର୍ମୀ ମନେକରୁଥିବା ମନୁଷ୍ୟକୁ ସେହି ଅମର ଅବିନାଶୀ ସ୍ୱରୂପର ବୋଧହେବା କେବଳ ଜ୍ଞାନ ଦ୍ୱାରା ହିଁ ସମ୍ଭବ ହୁଏ । ଆତ୍ମଜ୍ଞାନ ଆତ୍ମଗୁଣର ବାରମ୍ବାର ମନନ ଦ୍ୱାରା ପ୍ରାପ୍ତି ହୁଏ । ‘ମୁଁ ଅମର, ଅବିନାଶୀ, ଅଚ୍ଛେୟ, ଅମେଦ୍ୟ ଓ ଚେତନ ଅଟେ’ ଇତ୍ୟାଦି ଆତ୍ମସ୍ୱରୂପ ବୋଧକ ଶବ୍ଦ ବାରମ୍ବାର ଜପ କରିବା ଦ୍ୱାରା ଭୁଲିଯାଇଥିବା ସେହି ଆତ୍ମସ୍ୱରୂପ ନିଜ ଭିତରେ ହିଁ ଉପଲବ୍ଧ ହୋଇଥାଏ । ସାରାଂଶ ହେଉଛି ଯେଭଳି ନିଜକୁ, ବିସ୍ମୃତ ସିଂହକୁ ନିଜ ସତ୍ତାର ଜ୍ଞାନ ଆତ୍ମ ସ୍ମରଣ ଦ୍ୱାରା ସମ୍ଭବ ହେଲା ଆଉ ଆତ୍ମାକୁ ଆତ୍ମଚିନ୍ତନ ଦ୍ୱାରା ନିଜ ଭିତରେ ହିଁ ଆତ୍ମବୋଧ ହୋଇଥାଏ । ଏହିଭଳି ନିଜ ଅନ୍ତରାତ୍ମାରେ ବ୍ୟାପକ ପରମେଶ୍ୱର ଦେବଙ୍କର ଜ୍ଞାନ ତାଙ୍କର ସଚ୍ଚିଦାନନ୍ଦ ଆଦି ଗୁଣଯୁକ୍ତ ଓମ୍ ନାମର ବାରମ୍ବାର ସ୍ମରଣାଭ୍ୟାସ ଦ୍ୱାରା ସ୍ୱାତ୍ମାରେ ହିଁ ସମ୍ଭାବିତ ଅଟେ । କୌଣସି ଶବ୍ଦର ବାରମ୍ବାର ଚିନ୍ତନ ମାନସ ଜପ ନିମିତ୍ତ ପର୍ଯ୍ୟାୟବାଚୀ ଶବ୍ଦମାତ୍ର ବୁଝିବା ଦରକାର ।
ତନ୍ମେ ମନଃ ଶିବସଙ୍କଳ୍ପମସ୍ତୁ — ନାମ ପ୍ରଭାବ
ଏହି କଥାକୁ ସମସ୍ତେ ମାନିଥାନ୍ତି କି, ଅଶୁଭ ସଙ୍କଳ୍ପ, ଅଧମ ବିଚାର, ନୀଚଭାବ ଆଉ ଅପବିତ୍ର ଚିନ୍ତନ ଉତ୍ପନ୍ନ ହେଲେ ମନୁଷ୍ୟର ମନ ଅପବିତ୍ର ହୋଇଯାଏ । ଶୁଭ ସଙ୍କଳ୍ପ ଓ ଶୁଦ୍ଧଭାବ ଆଦି ଉତ୍ପନ୍ନ ହେଲେ ମନୁଷ୍ୟର ମନ ନିର୍ମଳତା ଓ ପବିତ୍ରତାକୁ ପ୍ରାପ୍ତ କରିଥାଏ । କୌଣସି ଦୁଷ୍ଟ ନରନାରୀଙ୍କର ସ୍ମରଣରେ ଚିତ୍ତ ସାଗରରେ ପାପର ତରଙ୍ଗ ଉତ୍ପନ୍ନ ହେବା ଅଧିକ ସମ୍ଭାବିତ, ଏଭଳି କୌଣସି ସନ୍ଥ, ସଜ୍ଜନ, ଭଗବଦ୍ଭକ୍ତ ବ୍ୟକ୍ତିର ଧ୍ୟାନରେ ମନରେ ଶୁଭ ଭାବ, ଶୁଭ ସଂକଳ୍ପ ଏବଂ ସଜ୍ଜନତାର ଲହରୀ ଉଠିବା ସ୍ୱାଭାବିକ । ସର୍ବଗୁଣସମୂହ ପବିତ୍ର ଓମ୍ ନାମ ସମ ଶୁଦ୍ଧ ଓ ନିର୍ମଳ ଅନ୍ୟ କୌଣସି ସଂକଳ୍ପ, କୌଣସି ଭାବ, କୌଣସି ଚିନ୍ତନ ଓ ବିଚାର ନାହିଁ । ଅନ୍ତଃକରଣର ସମ୍ପୂର୍ଣ୍ଣ ବୃତ୍ତିମଧ୍ୟରେ ସର୍ବୋତ୍ତମ ବୃତ୍ତି, ପରମ ପବିତ୍ର ବୃତ୍ତି- ଭକ୍ତି ବୃତ୍ତି ଅଟେ । ପରମ ପବିତ୍ର ପରମାତ୍ମ ଦେବ ଅଟନ୍ତି, ଅତଏବ ଓମ୍ ପବିତ୍ରନାମର ଚିନ୍ତନ ମାତ୍ରକେ ମନୁଷ୍ୟ ମନରେ ପବିତ୍ରତାର ଧାରା ପ୍ରବାହିତ ହେବାକୁ ଲାଗେ । ମନର ମଳିନତା ଦୂରେଇ ଯାଏ । ଓମ୍ ନାମର ପ୍ରଭାବ ସମ୍ପୂର୍ଣ୍ଣ ପ୍ରଭାବରୁ ପ୍ରବଳ ଅଟେ ।
ବିସୂଚିକାଦି ମହାରୋଗ ସମୟରେ ସର୍ବ ସାଧାରଣଙ୍କୁ ବୈଦ୍ୟଗଣ ଶିକ୍ଷା ଦେଇଥାନ୍ତି ଯେ ମହାରୋଗର ଧ୍ୟାନ ଓ ଚିନ୍ତନ କରିବା ଦରକାର ନାହିଁ । ତାହାର ଧ୍ୟାନ ଦ୍ୱାରା ହୃଦୟ ଦୁର୍ବଳ ହୋଇଯାଏ । ତାହାର ରୁଚି ରୋଗ ଆଡକୁ ପ୍ରଭାବିତ କରିଥାଏ ଆଉ ଶେଷରେ ମନୁଷ୍ୟ ରୋଗ କବଳରେ ପଡିଯାଏ । ପ୍ରସିଦ୍ଧ ବୈଦ୍ୟ ମଣ୍ଡଳୀରେ ଏହିକଥା କୁହାଯାଏ ଯେ, ରୋଗର ଧ୍ୟାନକରିବା ରୋଗର ବୀଜ ଅଟେ । ଯିଏ ପ୍ରତ୍ୟେକ ପଦାର୍ଥର ଉପଯୋଗରେ ବାତ, ପିତ୍ତ, ଫଳର ପ୍ରତିମା ଦେଖତ୍ଥାନ୍ତି, ଯିଏ ପଦେ ପଦେ ଅଶୁଭ କଥା ଚିନ୍ତନ କରିଥାନ୍ତି, ଯିଏ କଥା କଥାରେ ଶୀତଉଷ୍ଣ କଥା ବିଚାର କରିଥାନ୍ତି, ମିତ୍ରମଣ୍ଡଳୀରେ ବସି ଯିଏ ନିଜ ରୋଗ କଥା ହୋଇଥାନ୍ତି ଆଉ ଯାହାର କାୟାରେ ରୋଗର ନାମ ନେଉ ନେଉ କମ୍ପନ ଉଠିଥାଏ, ସେହି ଲୋକମାନେ ନିଜେ ଉଚ୍ଚସ୍ୱରରେ ରୋଗକୁ ନିମନ୍ତ୍ରଣ କରିଥାନ୍ତି । ତାଙ୍କ ଦେହରେ ନାନା ପ୍ରକାର ରୋଗ ବସା ବାନ୍ଧିଥାଏ । ଦେଶୀ ବିଦେଶୀ ସବୁପ୍ରକାର ଚିକିତ୍ସା କରିନେଲେ ମଧ୍ୟ ସେ ସେଥିରୁ ମୁକ୍ତି ପାଇନଥାନ୍ତି ।
ଯେତେବେଳେ ରୋଗର ଧ୍ୟାନଜନିତ ଫଳର ପ୍ରଭାବ ଏତେ ଯେ ଆମ ଦେହର ସର୍ବନାଶ ମଧ୍ୟ ସମ୍ଭବ ହୋଇପାରେ, କଣ ଏପରି କେହି ବିଶ୍ୱାସୀ ବ୍ୟକ୍ତି ଅଛନ୍ତି ଯିଏ ଏହାକୁ ମାନନ୍ତି କି ଓମ୍ ନାମର ଚିନ୍ତନ ଓ ଓମ୍ ନାମର ଧ୍ୟାନର ପ୍ରଭାବ ଆମ ଅନ୍ତଃକରଣ ଓ ଆତ୍ମା ଉପରେ କିଛି ହେଲେ ପଡିନଥାଏ! ଆଉ ଏହି ଧ୍ୟାନ ରୋଗର ଧ୍ୟାନରୁ ଅତୀତ, ଯେଉଁ ଓମର ଇଚ୍ଛା ପରମାଣୁ ପରମାଣୁ ଯାଏ ପ୍ରଭାବିତ, ଆଉ ଯିଏ ସମସ୍ତଙ୍କର ଅନ୍ତରାତ୍ମା, ତାହାର ଚିନ୍ତନ ଆଉ ଧ୍ୟାନର ପ୍ରଭାବ ସଦୃଶ ଅନକୌଣସି ବସ୍ତୁର ପ୍ରଭାବ ହୋଇପାରେ !
ସର୍ବସାଧାରଣ ଏହାକୁ ମାନ୍ୟତା ଦିଅନ୍ତି କି, ମିଥ୍ୟା ସଂସ୍କାରରେ ମନୁଷ୍ୟର ମନ ମଳିନ ହୋଇଯାଏ । କାହାକୁ କୁ-ବଚନ କହିବାରେ ଆଉ ଗାଳି ଦେବାରେ ମନୁଷ୍ୟର ହୃଦୟ ଦୂଷିତ ଓ ଅନ୍ତଃକରଣ କଳୁଷିତ ହୋଇଯାଏ । ସେହିଭଳି ଯଦି କୌଣସି ବ୍ୟକ୍ତି ଉପରେ ଶୁଭ ସଂସ୍କାର ପକାଯାଏ ତେବେ ସେ ଶୁଦ୍ଧ ହୋଇଯିବ, ତା ମନରୁ କୁସଂସ୍କାର ରୂପକ ଧୂଳି ଦୂରେଇଯିବ । ଶୁଭ ଶବ୍ଦ ଉଚ୍ଚାରଣ କରିବାରେ, ପବିତ୍ର ଶବ୍ଦ ପାଠ କରିବାରେ ସତ୍ୟ, ହିତ ଓ ମଧୁର ବଚନ କହିବାରେ ମନୁଷ୍ୟର ଅନ୍ତଃକରଣର କଳ୍ମଷ ଓ ହୃଦୟର ଅପବିତ୍ରତା ଅବଶ୍ୟମେବ ଦୂର ହୋଇଯାଏ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.