Last updated on August 13, 2022
ଉତ୍ ତିଷ୍ଠ ବ୍ରହ୍ମଣସ୍ପତେ ଦେବାନ ଯଜ୍ଞେନ ବୋଧୟ।
ଆୟୁଃ ପ୍ରାଣଂ ପ୍ରଜାଂ ପଶୂନ୍ କୀର୍ତ୍ତିଂ ଯଜମାନଂ ଚ ବର୍ଧୟ।।
(ଅଥର୍ବବେଦ-୧୯/୬୩/୧)
ଭାବାର୍ଥ : ବ୍ରାହ୍ମଣମାନେ ନିଜେ ସାବଧାନ ରହିବା ସହ ନିଜ ଯଜମାନଙ୍କୁ ଦୁଷ୍କର୍ମରୁ ନିବୃତ୍ତ କରି ରଖିବା ଦରକାର, ଯଦ୍ଦ୍ୱାରା ସମସ୍ତଙ୍କର କଲ୍ୟାଣ ହେବ ଆଉ ସମସ୍ତଙ୍କର ଆୟୁ, ପ୍ରାଣ, ଧନ-ଧାନ୍ୟ, କୀର୍ତ୍ତି, ସୁଖ, ଶାନ୍ତି ବୃଦ୍ଧିହେବ।
ବ୍ୟାଖ୍ୟା : ସମାଜରେ ସମସ୍ତ ନାଗରିକ ଜ୍ଞାନବାନ୍, ଶୀଳବାନ୍, ସଂସ୍କାରବାନ୍ ହୁଅନ୍ତୁ, ଇନ୍ଦ୍ରିୟ ସଂଯମ, ଅର୍ଥ ସଂଯମ, ସମୟ ସଂଯମ ଓ ବିଚାର ସଂଯମର ସତତ ଅଭ୍ୟାସ ଜାରି ରଖନ୍ତୁ ଆଉ ସର୍ବତ୍ର ସତ୍କର୍ମ, ସୁବିଚାର ଏବଂ ସୁଖ-ଶାନ୍ତି ଅଭିବୃଦ୍ଧି ହେଉ। ଏଭଳି ଆଦର୍ଶନିଷ୍ଠ ସମାଜ ଗଢିବାର ଦାୟିତ୍ୱ ଋଷିମାନେ ବ୍ରାହ୍ମଣମାନଙ୍କ ଉପରେ ନ୍ୟସ୍ତ କରିଛନ୍ତି।
ଅତଃ ବ୍ରାହ୍ମଣମାନଙ୍କୁ ପ୍ରଥମେ ନିଜେ ସାବଧାନ ଓ ସଜାଗ ରହିବା ଦରକାର। ଜ୍ଞାନ-ବିଜ୍ଞାନର ଗୂଢ ତତ୍ତ୍ୱକୁ ଜାଣି ନୀତି ଓ ଅନୀତିର ଭେଦକୁ ଅବଗତ ହୋଇ ସତ୍ୟ ସମ୍ପର୍କରେ ଅବଧାରଣା ଆଣିବା ଦରକାର। ଯେ ପର୍ଯ୍ୟନ୍ତ ନିଜେ ସଠିକ ମାର୍ଗ ନ ଜାଣିଛେ, ଅନ୍ୟକୁ ସଠିକ ମାର୍ଗ ପ୍ରଦର୍ଶନ କିପରି କାରଇବା । ସଂସାରରେ ଜୀବନର ଦୁଇ ପ୍ରକାର ମାର୍ଗ ରହିଛି। କଠୋପନିଷଦରେ ଏହାକୁ — ‘ଶ୍ରେୟଶ୍ଚ ପ୍ରେୟଶ୍ଚ ମନୁଷ୍ୟମେତସ୍ତତା’ କୁହାଯାଇଛି। ଶ୍ରେୟମାର୍ଗ କହିଲେ କଲ୍ୟାଣକାରୀ ମାର୍ଗକୁ ବୁଝାଏ ଆଉ ପ୍ରେୟମାର୍ଗ କହିଲେ ଭଲ ଲାଗୁଥିବା ମାର୍ଗ ଅବା ଇନ୍ଦ୍ରିୟକୁ ସୁଖ ଦେଉଥିବା ମାର୍ଗକୁ ବୁଝାଏ। ଆମର ମନ ଏହି ପ୍ରେୟମାର୍ଗ ପ୍ରତି ଅଧିକ ଆକୃଷ୍ଟ ହୋଇଥାଏ। ଦୋଷ-ଦୁର୍ଗୁଣରେ ବୁଡି ମନୁଷ୍ୟ ଏଭଳି ଏକ ନିଶାରେ ବୁଡି ଯାଉଛି, ଚେଷ୍ଟାକଲେ ମଧ୍ୟ ସେଥିରୁ ନିବୃତ୍ତି ପାଉନାହିଁଁ। ଧୀରେ ଧୀରେ ତାର ମନୋବଳ ଭାଙ୍ଗି ଯାଉଛି, ଆଉ ସେ ଅସହାୟ ଅବସ୍ଥାରେ ନିଜକୁ ଧିକ୍କାର ଦେଇଥାଏ। ତେଣୁ ସେ କେବଳ ନିଜ ଜୀବନକୁ ନଷ୍ଟ କରିନଥାଏ ବରଂ ଅନ୍ୟ ପାଇଁ ମଧ୍ୟ ନରକର ବାତାବରଣ ସୃଷ୍ଟି କରିଦିଏ।
ଏଭଳି ନୁହେଁ ଯେ ଆମକୁ ସାଂସାରିକ କଥାକୁ ସମ୍ପୂର୍ଣ୍ଣ ତିଳାଞ୍ଜଳି ଦେଇ ବୈରାଗୀ-ସନ୍ନ୍ୟାସୀ ହୋଇଯିବାକୁ ପଡିବ। ସଂସାରବାଦ ଓ ଅଧ୍ୟାତ୍ମବାଦ ଉଭୟେ ମହତ୍ତ୍ୱପୂର୍ଣ୍ଣ ଆଉ ଜୀବନର ସଫଳତା ପାଇଁ ଉଭୟ ମଧ୍ୟରେ ସମନ୍ୱୟ ରହିବା ଦରକାର। ସେତେବେଳେ ଯାଇ ଲୋକଙ୍କର ଶାରୀରିକ, ମାନସିକ ଓ ଆତ୍ମିକ ଉନ୍ନତି ସମ୍ଭବ ହେବ। ଦେଶରେ ସ୍ୱର୍ଗୀୟ ବାତାବରଣ ସୃଷ୍ଟି ହେବା ସହ ଲୋକେ ଦୀର୍ଘାୟୁ, ପ୍ରାଣବାନ, ଚରିତ୍ରବାନ, ସମର୍ଥ ହୋଇ ସୁଖରେ କାଳାତିପାତ କରିବେ ।
Be First to Comment