Press "Enter" to skip to content

ହୃଦୟର ଅଦୃଶ୍ୟ ହୃଦୟ

Last updated on September 5, 2020

ମନୁଷ୍ୟ ଅଦୃଶ୍ୟ ଅଟେ, ଏପରି ଭାବିଲେ କଥାଟା ହାସ୍ୟାସ୍ପଦ ମନେହୁଏ । ପ୍ରତିଦିନ ଭୌତିକ ଶରୀର ରୂପେ ଆମେ ଆମକୁ ପ୍ରଦର୍ଶିତ କରୁ । କିନ୍ତୁ ଆମେ ଆମର ବାସ୍ତବିକ ଅଦୃଶ୍ୟତାକୁ ଅନେକ ପ୍ରକାରେ ପ୍ରକଟ କରିଥାଉ। ଉଦାହରଣ ପାଇଁ ନିଜ ଆଖିକୁ ବନ୍ଦ କରନ୍ତୁ । ବର୍ତ୍ତମାନ ଆପଣଙ୍କ ପାଇଁ ଆପଣଙ୍କ ଶରୀର ଅଦୃଶ୍ୟ ହୋଇଗଲା, ତେବେ ଆପଣ କିପରି ଜାଣୁଛନ୍ତି ଯେ ଆପଣଙ୍କ ଅସ୍ତିତ୍ୱ ଅଛି? ଆପଣ ଶରୀରର ଭାର ପ୍ରତି ସଚେତ ଅଟନ୍ତି, ଆପଣ ଶୁଣି ପାରୁଛନ୍ତି, ଗନ୍ଧ ଆଘ୍ରାଣ କରିପାରୁଛନ୍ତି, ସ୍ୱାଦ ଚାଖିପାରୁଛନ୍ତି ଆଉ ସ୍ପର୍ଶ ମଧ୍ୟ କରିପାରୁଛନ୍ତି । ତଥାପି ଆପଣ ଆପଣଙ୍କ ପାଇଁ କେବଳ ବିଚାର ସ୍ତରରେ ବାସ୍ତବ ଅଟନ୍ତି  । ଆପଣ ଏକ ଅଦୃଶ୍ୟ କେନ୍ଦ୍ର ଅଟନ୍ତି, ଯାହାର ଚତୁର୍ପାର୍ଶ୍ୱରେ ଅନେକ କିଛି ଘୂରିବୁଲୁଛନ୍ତି । ବର୍ତ୍ତମାନ ଆପଣ ଆଖି ଖୋଲନ୍ତୁ । କଣ ଆପଣ ଏହି ଶରୀର ଅଟନ୍ତି, ଯାହାକୁ ଆପଣ ଦେଖୁଛନ୍ତି, ଅଥବା ସେହି ଆନ୍ତରିକ ପ୍ରାଣୀ ଅଟନ୍ତି ଯାହାପ୍ରତି ଆପଣ ବର୍ତ୍ତମାନ ସୁଦ୍ଧା ଆଖିବନ୍ଦ ରଖି ଜାଗ୍ରତ ରହିଛନ୍ତି?
ଦୃଶ୍ୟ ମାନବର ମହତ୍ତ୍ୱ ଖୁବ୍ କମ୍, ଅଦୃଶ୍ୟ ଅସ୍ତିତ୍ୱ, ଅବା ଆତ୍ମା ପରମ ମହତ୍ତ୍ୱ ସମ୍ପନ୍ନ ଅଟେ । ନିଦ୍ରା କାଳରେ ଆପଣ ଦୃଷ୍ଟମାନବ ପ୍ରତି ଅଜ୍ଞାତ ରହନ୍ତି, ହେଲେ ନିଜପ୍ରତି ନିଶ୍ଚିତଭାବେ ସଚେତ ଥାନ୍ତି, କାରଣ ଜାଗ୍ରତ ହେବାପରେ ଆପଣ ଠିକ୍ ଭାବେ ଶୋଇଥିଲେ କି ନାହିଁ ତାହା ଜାଣିପାରନ୍ତି  । ଅତଃ ଆପଣଙ୍କର ଅଦୃଶ୍ୟ ଅସ୍ତିତ୍ୱ ବାସ୍ତବିକ ଅଟେ  । ଏହାକୁ ଦୂର କରିଦେବାପରେ ଆପଣଙ୍କ ବାହ୍ୟ ଦୃଶ୍ୟମାନତା ନିରର୍ଥକ ହୋଇଯାଏ  । ଅଦୃଶ୍ୟ ଅସ୍ତିତ୍ୱ ବିନା ଶରୀର ଶବଭଳି ଅଦରକାରୀ ହୋଇଯାଏ । ଅନ୍ତରସ୍ଥିତ ଅଦୃଶ୍ୟ ମାନବ ହିଁ ବାସ୍ତବ ସତ୍ୟ ଅଟେ କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଅଦୃଶ୍ୟ ଅସ୍ତିତ୍ୱ କଣ? ଏହା ଜାଣିବାପାଇଁ ବ୍ୟକ୍ତି ବିଶ୍ଳେଷଣ କରିବାକୁ ପ୍ରୟାସ କରେନାହିଁ । ସେ ଯେଉଁ ଶରୀରକୁ ଦେଖିଥାଏ, ସେଥିରେ ଏତେ ରୁଚି ରଖିଥାଏ ଯେ, ସବୁବେଳେ ନିଜର ଭୌତିକ ରୂପ-ରଙ୍ଗ ଆଉ କଲ୍ୟାଣ ବିଷୟରେ ଭାବୁଥାଏ  । ଆନ୍ତରିକ ଅଦୃଶ୍ୟ ଅସ୍ତିତ୍ୱର ବାସ୍ତବିକତା ସମ୍ପର୍କରେ ଭାବିିବାପାଇଁ ତା ପାଖରେ ଆଦୌ ସମୟ ନଥାଏ ।
ଭୌତିକ ଶରୀର ଭିତରେ, ଭୌତିକ ନେତ୍ରର ଅଦୃଶ୍ୟ, ପ୍ରକାଶର ଏକ ସମରୂପ ଶରୀର ରହିଛି, ଯାହା ଆତ୍ମାର ସୂକ୍ଷ୍ମ ଆବରଣ ଅଟେ   । ଆପଣଙ୍କର କୌଣସି ଆଙ୍ଗୁଠି କଟିଯିବାପରେ ମଧ୍ୟ ସେହି ଆଙ୍ଗୁଠିର ଉପସ୍ଥିତିକୁ ଆପଣ ଅନୁଭବ କରନ୍ତି । କୌଣସି ବ୍ୟକ୍ତିଙ୍କର ଅଙ୍ଗ ଭଙ୍ଗ ହୋଇଗଲେ, ସେ ନିଜେ ଏହାର ଯନ୍ତ୍ରଣାକୁ ଅନୁଭବ କରିପାରନ୍ତି । ଶରୀରର ପ୍ରତ୍ୟେକ ଅଙ୍ଗର ଏକ ଅଦୃଶ୍ୟ ସୂକ୍ଷ୍ମ ପ୍ରତିରୂପ ରହିଛି । ଆପଣଙ୍କ ଭୌତିକ ହୃଦୟ ପଛରେ ଏକ ଅଦୃଶ୍ୟ ହୃଦୟ ରହିଛି । ଅଦୃଶ୍ୟ ହୃଦୟ ବିନା ଭୌତିକ ହୃଦୟ ସ୍ପନ୍ଦିତ ହୋଇପାରେ ନାହିଁ । ଆପଣଙ୍କ ନିକଟରେ ଦେଖିବା ଆଉ ଶୁଣିବାପାଇଁ ଅଦୃଶ୍ୟ ଅଙ୍ଗ ରହିଛି, ଏକ ଅଦୃଶ୍ୟ ମସ୍ତିଷ୍କ ରହିଛି, ଅଦୃଶ୍ୟ ଅସ୍ଥି ଆଉ ନାଡୀ ରହିଛି। ପ୍ରକାଶ ଆଉ ଊର୍ଜାସମ୍ପନ୍ନ ଏହି ଅଙ୍ଗସମୂହଦ୍ୱାରା ଅଦୃଶ୍ୟ ମାନବର ସୂକ୍ଷ୍ମ ଶରୀର ନିର୍ମିତ ହୋଇଥାଏ । ସୂକ୍ଷ୍ମ ଶରୀର ଠିକ୍ ଦୃଶ୍ୟମାନ ଶରୀର ଭଳି ଦେଖାଯାଇଥାଏ । ତାହା ଆକାର, ପ୍ରକାଶ ଏବଂ ଊର୍ଜାରୁ ନିର୍ମିତ ହୋଇଥିବାରୁ ଅତ୍ୟଧିକ ସୂକ୍ଷ୍ମ ହୋଇଥାଏ, ଏହା କେହି ବି ଜାଣିପାରନ୍ତି ନାହିଁ ।
ଆପଣ ଶରୀରତଃ କଷ୍ଟ ପାଉଥିଲେ ମଧ୍ୟ କୁହନ୍ତୁ ନାହିଁ ଯେ, ‘ମୋର ଦୃଷ୍ଟିଶକ୍ତି ଚାଲିଯାଇଛି’ ଅଥବା ‘ମୁଁ ମୋ ହାତ ହରାଇବସିଛି ।’ କାରଣ ଆପଣଙ୍କ ଅଦୃଶ୍ୟ ନେତ୍ର ଏବଂ ହସ୍ତ ବର୍ତ୍ତମାନ ମଧ୍ୟ ବିଦ୍ୟମାନ ଅଛି । ଆପଣଙ୍କର ଭୌତିକ ବାହୁ ଅପଙ୍ଗ ହୋଇଯାଉପଛକେ ହେଲେ ଆପଣଙ୍କ ଅଦୃଶ୍ୟ ବାହୁ ଅପଙ୍ଗ ନୁହେଁ । ଆପଣଙ୍କ ଅଦୃଶ୍ୟ ଅଙ୍ଗ କୌଣସି ଶାରୀରିକ ଅଙ୍ଗଜନିତ ରୋଗ ଦ୍ୱାରା ପ୍ରଭାବିତ ହେଉଥିବା କଥା ଉପରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ, କାରଣ ଏହାଦ୍ୱାରା ଆପଣଙ୍କର ନକାରାତ୍ମକ ବିଚାର ଯୋଗୁଁ ଭୌତିକ ଶରୀରସ୍ଥ ଅଙ୍ଗମାନଙ୍କରେ ପ୍ରଜ୍ଞାଶୀଳ ଜୀବନୀ ଊର୍ଜାର ପ୍ରବାହ ବାଧିତ ହେବାରେ ଲାଗିବ ।
ବିଦ୍ୟୁତ୍ ତରଙ୍ଗ ତାର ମଧ୍ୟଦେଇ ପ୍ରବାହିତ ହୁଏ । କାହାର ମହତ୍ତ୍ୱ ଅଧିକ, ତାରର ନାଁ ବିଦ୍ୟୁତ୍ ? ତାରର ଆବଶ୍ୟକତା କେବଳ ବିଦ୍ୟୁତ୍ ପ୍ରବାହ ନିମନ୍ତେ ରହିଛି, ବିଦ୍ୟୁତ୍ ତାରପାଇଁ ନୁହେଁ  । ସେହିଭଳି ଶରୀର ଅଦୃଶ୍ୟ ମାନବ ଅର୍ଥାତ୍ ଆତ୍ମାର ପ୍ରୟୋଗ ନିମିତ୍ତ ସୃଷ୍ଟି ହୋଇଛି, ଆତ୍ମା ଶରୀରପାଇଁ ସୃଷ୍ଟି ହୋଇନାହିଁ ।
ଏହି ଅଦୃଶ୍ୟ ଆତ୍ମା ଶରୀର ସହିତ ବାନ୍ଧି ହୋଇଯାଇଛି, ସତରେ ଏହା କେତେ ଦୁଃଖର କଥା ! ଯଦି ଏପରି ହୋଇ ନଥାନ୍ତା, ତେବେ ଆମେ ଜଳ ଉପରେ ଚାଲିପାରନ୍ତେ, ଆକାଶରେ ଉଡିପାରନ୍ତେ ଆଉ ଭୌତିକ ଶରୀରକୁ ପୁନଃ ଫେରିଆସି ପାରନ୍ତେ ।

ସ୍ୱାମୀ ଯାଗାନନ୍ଦ ପରମହଂସ

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.