Last updated on August 13, 2022
ଯାଂ ରକ୍ଷନ୍ତ୍ୟସ୍ୱପ୍ନା ବିଶ୍ୱଦାନୀଂ ଦେବା ଭୂମିଂ ପୃଥିବୀମପ୍ରମାଦମ୍ ।
ସା ନୋ ମଧୁ ପ୍ରିୟଂ ଦୁହାମଥୋ ଉକ୍ଷତୁ ବର୍ଚସା ।।
(ଅଥର୍ବ ବେଦ-୧୨/୧/୭)
ଭାବାର୍ଥ : ଆଳସ୍ୟ ଓ ପ୍ରମାଦ ସମ୍ପନ୍ନ ବ୍ୟକ୍ତି ଯେଉଁ ଦେଶରେ ଥାଅାନ୍ତି, ସେହି ଦେଶ ଗୋଲାମ ହୋଇଯାଏ, ଅତଃ ରାଷ୍ଟ୍ର ନିର୍ମାଣ ପାଇଁ ଆମେ ସମସ୍ତ ନାଗରିକ କର୍ମଶୀଳ ଓ ଜାଗ୍ରତ ହେବା ।
ବ୍ୟାଖ୍ୟା : ରାଷ୍ଟ୍ରର ଉନ୍ନତି ନିମିତ୍ତ ଆଧ୍ୟାତ୍ମିକ, ଚାରିତ୍ରିକ, ସାଂସ୍କୃତିକ, ଆର୍ଥିକ, ଔଦ୍ୟୋଗିକ ସମସ୍ତ କ୍ଷେତ୍ରରେ ପ୍ରଗତି ଅପେକ୍ଷିତ ହୋଇଥାଏ । ତେବେ ଯାଇ ଏକ ସୁସ୍ଥ, ସବଳ, ସମର୍ଥ ରାଷ୍ଟ୍ର ନିର୍ମାଣ ହୋଇଥାଏ । କେବେ ଭାରତ ରାଷ୍ଟ୍ରକୁ ମଧ୍ୟ ଜଗତ୍ ଗୁରୁ କୁହାଯାଉଥିଲା । ବର୍ଣ୍ଣ ବ୍ୟବସ୍ଥାର ସ୍ୱସ୍ଥ ପରମ୍ପରା ଅନୁରୂପ ସମସ୍ତ ନାଗରିକ ଜାଗ୍ରତ ରହିବା ସହ ସତତ କର୍ମଶୀଳ ରହୁଥିଲେ । ସେମାନେ ନିଜର ଉନ୍ନତି ତ କରୁଥିଲେ, ରାଷ୍ଟ୍ରର ମଧ୍ୟ ସବୁ ପ୍ରକାରେ ବିକାଶ କରୁଥିଲେ । କିନ୍ତୁ ଆଳସ୍ୟ ଓ ପ୍ରମାଦ କାରଣରୁ ସମସ୍ତଙ୍କ ମଧ୍ୟରେ ନାନା ପ୍ରକାର ଦୁଷ୍ପ୍ରବୃତ୍ତି ଜନ୍ମ ନେବାରୁ ସେମାନେ ରାଷ୍ଟ୍ର ଉନ୍ନତିର ପ୍ରତିବନ୍ଧକ ହୋଇଗଲେଣି ।
ଆଜି ସ୍ଥିତି ବିପରୀତ ହୋଇଗଲାଣି । ବୈଜ୍ଞାନିକ ପ୍ରଗତି ଦ୍ୱାରା ସୁଖ ସୁବିଧା ଯେତିକି ବୃଦ୍ଧି ପାଉଛି, ମନୁଷ୍ୟ ସେତିକି ସେତିକି ଆଳସ୍ୟ କବଳିତ ହୋଇଯାଉଛି । ଉପରୁ ତଳ ପର୍ଯ୍ୟନ୍ତ ସମସ୍ତେ ଏହାଦ୍ୱାରା କବଳିତ ହୋଇଗଲେଣି । ଫଳ ସ୍ୱରୂପ ନାନା ପ୍ରକାର ଦୁର୍ନୀତି, ଅତ୍ୟାଚାର ବୃଦ୍ଧି ପାଉଛି ।
ପୂର୍ବେ ଆଚାର୍ଯ୍ୟଙ୍କର ଉପଦେଶ ଓ ରାଜଦଣ୍ଡ ଉଭୟ ରାଷ୍ଟ୍ରୋତ୍ଥାନ ପ୍ରତି ଲୋକଙ୍କୁ ଜାଗ୍ରତ ରଖୁଥିଲା । ଏବେ ସେମାନେ ସ୍ୱାର୍ଥାନ୍ଧ ହୋଇ ଭ୍ରଷ୍ଟ ଆଚରଣ କରିବାରେ ଲାଗିଛନ୍ତି, ଯାହା ଦେଶକୁ ପୁନଃ ପରାଧୀନତାର ବିଷପାନ କରିବାକୁ ବାଧ୍ୟକରିବାକୁ ବସିଲାଣି । ଅତଃ ବିଦ୍ୱାନ, ବ୍ରାହ୍ମଣ ଓ ସଜ୍ଜନମାନଙ୍କୁ ସ୍ୱୟଂ ସଜାଗ ରହି ନାଗରିକମାନଙ୍କୁ ସଠିକ ଦିଶାରେ କର୍ମଶୀଳ କରାଇବାର ଆବଶ୍ୟକତା ରହିଛି ।
Be First to Comment