Press "Enter" to skip to content

ରାଜବିଦ୍ୟା-ରାଜଗୁହ୍ୟଯୋଗ (ନବମ ଅଧ୍ୟାୟ) : ଅଭିରାମ ପ୍ରକାଶ ବ୍ରହ୍ମଚାରୀ

Last updated on February 6, 2021

ଈଶ୍ୱରଙ୍କ ପ୍ରଭାବ ଓ ବାସସ୍ଥାନ

ଭଗବାନ କହିଲେ, “ହେ ଅର୍ଜୁନ ! ସଂସାରରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଖାଲି ଅନ୍ୟର ଦୋଷ ଦେଖିବାରେ ଲାଗନ୍ତି, ଗୁଣ ଦେଖନ୍ତି ନାହିଁ ।  ମାଛି ମଇଳା ଜିନିଷ ଉପରେ ବସେ, ମାତ୍ର ମହୁମାଛି ଫୁଲରେ ବସି ମହୁ ସଂଗ୍ରହ କରେ  । ସେହିପରି ସଂସାରରେ ମାଛି ଓ ମହୁମାଛି ଉଭୟ ପ୍ରକୃତିର ଲୋକ ଅଛନ୍ତି  । ଏ ଦୁହିଁଙ୍କ ମଧ୍ୟରୁ ତୁମେ ମହୁମାଛି ଧରଣର  । କେତେବେଳେ ହେଲେ ମୋର ଖାଲି ଦୋଷ ଧରି ବସିବା ତୁମର ପ୍ରକୃତି ନୁହେଁ ଓ ମୁଁ ଯାହା କହେ ଓ କହୁଛି, ତାହା ସବୁ ତୁମେ ଶ୍ରଦ୍ଧା ସହିତ ଶୁଣ ବୋଲି ଏବେ ତୁମକୁ ମୁଁ ଆତ୍ମା, ପରମାତ୍ମା ବିଷୟରେ ଅତି ଗୋପନୀୟ କଥା କହିବି  । ଏହା ଜାଣିଲେ ତୁମେ ସଂସାରରୁ ତ୍ରାହି ପାଇପାରିବ  । ଏହି ଜ୍ଞାନ ହେଉଛି ବିଦ୍ୟାମାନଙ୍କ ରାଜା, ଅର୍ଥାତ୍ ଶ୍ରେଷ୍ଠ  । ଏଥିପାଇଁ ଏହାକୁ ରାଜବିଦ୍ୟା କୁହାଯାଏ ଏବଂ ଗୋପନୀୟ ବିଷୟମାନଙ୍କ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ବା ରାଜା ବୋଲି ଏହାକୁ ରାଜଗୁହ୍ୟ କୁହାଯାଏ । ହେ ଅର୍ଜ୍ଜୁନ ! ଏହି ରାଜବିଦ୍ୟା ଓ ରାଜଗୁହ୍ୟ ଯୋଗ ହେଉଛି ସବୁଠାରୁ ଶ୍ରେଷ୍ଠ ଓ ପବିତ୍ର । ଏହା ସାଙ୍ଗେ ସାଙ୍ଗେ ଫଳ ଦିଏ   । ମନରେ ସ୍ୱର୍ଗସୁଖ ଅନୁଭବ କରାଏ । ଏହାର କ୍ଷୟ ନାହିଁ, ମୃତ୍ୟୁ ନାହିଁ ଓ ସବୁ ଧର୍ମରେ ଏହାର ପ୍ରଶଂସା କରାଯାଇଛି   ।
ହେ ପରନ୍ତପ ଅର୍ଜ୍ଜୁନ ! ତୁମକୁ ସିନା ତୁଣ୍ଡେ ତୁଣ୍ଡେ ଦିପଦ କଥାରେ ଏହି ଜ୍ଞାନର ମହିମା କହିଦେଲି, ମାତ୍ର ସବୁଲୋକ କଣ ଏହା ପାଇଛନ୍ତି କି ? ସବୁ କୁକୁର ଯଦି ବାରାଣସୀ ଯିବେ, ତାହାହେଲେ ଖଲି ଚାଟିବ କିଏ ? ଯେଉଁମାନେ ଶ୍ରଦ୍ଧା ସହିତ ଏହି ଜ୍ଞାନ ବାଟରେ ଯାଆନ୍ତି, ସେମାନେ ମୋତେ ପାଇପାରନ୍ତି  । ମାତ୍ର ଯେଉଁମାନେ ଖାଲି ଉପର ଠାଉରିଆ ହୋଇ ଦେଖେଇହେବା ପାଇଁ ମାଳି ଗଡାନ୍ତି ଓ ମନରେ ଶ୍ରଦ୍ଧା ନ ରଖନ୍ତି, ସେମାନେ ଏହି ମୃତ୍ୟୁପୂର୍ଣ୍ଣ ଗହନ ସଂସାରରେ ଠିକ୍ ବାଟ ନ ପାଇ ଖାଲି ଭଉଁରି ବୁଲୁଥାନ୍ତି, ମୋତେ ପାଇପାରନ୍ତି ନାହିଁ । ମୁଁ ଏହି ବିଶ୍ୱ ବ୍ରହ୍ମାଣ୍ଡରେ ସବୁଠାରେ ସୁଚି ରହିଛି । ମୋତେ କେହି ଦେଖିପାରନ୍ତି ନାହିଁ । ପଣା ସହିତ ମିଠାଗୁଣ ମିଶି ରହିଲା ପରି ମୁଁ ସାରା ସଂସାରରେ ପୂର୍ଣ୍ଣ ଭାବରେ ରହିଛି । ସାରା ସଂସାର ମୋ ଭିତରେ ରହିଲେ ମଧ୍ୟ ମୁଁ ତା ଭିତରେ ନ ଥାଏ  । ମୁଁ ପ୍ରାଣୀମାନଙ୍କୁ ସୃଷ୍ଟି କରେ ଓ ଲାଳନ ପାଳନ ମଧ କରେ । ମାତ୍ର ସେଥିରେ ଜଡିତ ହୁଏନାହିଁ । ଶୂନ୍ୟ ଅର୍ଥାତ୍ ଆକାଶ ମଧ୍ୟରେ ପବନ ପୂରି ରହିଛି ଓ ତାର ପ୍ରବଳ ପରାକ୍ରମ ମଧ୍ୟ ଦେଖାଉଛି । ଏହା ହେଲେ ମଧ୍ୟ ଶୂନ୍ୟ ଅର୍ଥାତ୍ ଆକାଶ ପବନ ସହିତ ଯୋଡି ହୋଇ ନ ଥାଏ । ସେହିପରି ପ୍ରାଣୀମାନେ ମୋଠାରେ ରହିଲେ ମଧ୍ୟ ମୁଁ ତାଙ୍କ ଠାରେ ନ ଥାଏ   । ହେ ଅର୍ଜ୍ଜୁନ ! ମୋର ଅସାଧାରଣ ଯୋଗପ୍ରଭାବ ଦେଖ   ।

ଜଗତର ଉତ୍ପତ୍ତି, ସ୍ଥିତି ଓ ବିନାଶର ଭେଦ

ହେ କୁନ୍ତୀନନ୍ଦନ ! ମୁଁ ସୃଷ୍ଟି କରେ ଓ ପ୍ରଳୟକାଳରେ ସମସ୍ତ ଭୂତ ଓ ବିଶ୍ୱ ବ୍ରହ୍ମାଣ୍ଡ ମୋ’ଠାରେ ଲୀନ ହୁଅନ୍ତି   । ଏହା ମୋର ମାୟା ପ୍ରକୃତି  । ପ୍ରଳୟ ଶେଷରେ ମୁଁ ପୁଣି ସବୁ ସୃଷ୍ଟି କରେ  । ପୂର୍ବଜନ୍ମର କର୍ମାନୁସାରେ ପ୍ରାଣୀମାନଙ୍କୁ ପରଜନ୍ମ ଦିଏ  । ଅର୍ଥାତ୍ ପୂର୍ବଜନ୍ମରେ ଯେ ଯେପରି କାମ କରିଥାଏ, ତାହାରି ଫଳସ୍ୱରୂପ ପରଜନ୍ମରେ ସେ ସେପରି ଭାବରେ ଜନ୍ମଲାଭ କରେ  । ଏହିପରି ମୋର ମାୟା ପ୍ରକୃତିର ପ୍ରଭାବରେ ଏହି ବିଶ୍ୱର ସୃଷ୍ଚି ତଥା ଭଙ୍ଗାଗଢା ଚାଲିଛି  । ଏସବୁ କାମ ମୁଁ କଲେ ମଧ୍ୟ ମୁଁ ସବୁଥିରେ ଉଦାସୀନ  । ତେଣୁ ସେହିପ୍ରକାର କର୍ମରୂପ ବନ୍ଧନରେ ମୁଁ ବାନ୍ଧି ହୁଏନାହିଁ   ।
ପ୍ରକୃତି ଓ ପୁରୁଷ ଦୁହିଁଙ୍କର ମିଳନରେ ଏହି ବିଶ୍ୱର ସୃଷ୍ଟି ଚାଲିଛି   । ହେ ଅର୍ଜ୍ଜୁନ ! ମୋର ନିର୍ଦ୍ଦେଶ ଦ୍ୱାରା ପ୍ରକୃତି ଏ ସୃଷ୍ଟିକରେ ଓ ପ୍ରଳୟ ମଧ୍ୟ ସେହିପରି ହୁଏ  । ନିର୍ଦ୍ଦିଷ୍ଟ ଦୁଇଟି ଜିନିଷର ମିଳନରେ ସୃଷ୍ଟି ସମ୍ଭବ ହୁଏ   ।

ଭଗବାନ୍ କିଏ ଓ ସେ କି ପୂଜା ଗ୍ରହଣ କରନ୍ତି ?

ହେ ଅର୍ଜ୍ଜୁନ ! ତୁମେ ପଚାରିପାର, “ଯଦି ତୁମେ ଏପରି ସର୍ବଶକ୍ତିମାନ୍ ପରମେଶ୍ୱର ଅଟ, ତାହାହେଲେ ଲୋେକ କାହିଁକି ତୁମକୁ ପୂଜା କରନ୍ତି ନାହିଁ ?’’ ଏ ବିଷୟ କହୁଛି ଶୁଣ   । ଲୋକମାନେ ସବୁବେଳେ ଶସ୍ତାରେ ଓ ଅଳ୍ପ କଷ୍ଟରେ ସୋମାନଙ୍କର କାମନା ପୂର୍ଣ୍ଣ ହେବା ପାଇଁ ଚେଷ୍ଟା କରିଥାନ୍ତି କିମ୍ବା ମନ ବଳାଇଥାଆନ୍ତି   । ଏଥିପାଇଁ ସେମାନେ ନାନା ପ୍ରକାର ଛୋଟ ଛୋଟ ଦେବତାମାନଙ୍କୁ ନିଜ ନିଜ ରୁଚି ଅନୁସାରେ ପୂଜା କରି କେବେ ଫଳ ପାଇଥାନ୍ତି ଏବଂ କେବେ କେବେ ସେମାନଙ୍କର ଆଶା ବିଫଳ ହୋଇଥାଏ   । ଏହିଭଳି ଚିତ୍ତ ଚଞ୍ଚଳ ହୋଇ କାମନାର ମରୀଚିକା ପଛରେ ପୂଜା ଆରାଧନା ପରିବର୍ତ୍ତେ ମୋତେ ଲୋକେ ଅବଜ୍ଞା କରନ୍ତି ଏବଂ ମନୁଷ୍ୟ ଦେହ ଧରିଛି ବୋଲି ଜାଣି ନ ପାରି ମୋତେ ଖାତିର କରନ୍ତି ନାହିଁ   । ଯେଉଁ ଛୋଟ ଛୋଟ ଦେବତାଙ୍କ କଥା କହିଲି ସେଥିର ଭେଦ ମଧ୍ୟ କହୁଛି । ଦେବତାଙ୍କ ଭିତରେ ଛୋଟ ବଡ କିଛି ନାହିଁ  । ସମସ୍ତେ ମୋର ଶକ୍ତିରେ ଶକ୍ତିମାନ୍, ମାତ୍ର ଅଜ୍ଞାନୀ ଲୋକେ ସେପରି ଧାରଣା ନ କରି ନାନା ଛୋଟ ଛୋଟ ଦେବତା କଳ୍ପନା କରି ହୋମ, ଯଜ୍ଞ, ବଳି ପୂଜା ଇତ୍ୟାଦି ରାକ୍ଷସୀ ଓ ଆସୁରୀ ପ୍ରକୃତି ଅନୁସାରେ କରି ଶସ୍ତାରେ କାମନା ପୂରଣ କରିବା ପାଇଁ ଚେଷ୍ଟା କରନ୍ତି   । ଯେଉଁମାନେ ପ୍ରକୃତ ଜ୍ଞାନୀ, ସେମାନେ ଦୈବୀ ପ୍ରକୃତି ଆଚରଣ କରି ମୋର ଅସଲପ୍ରଭାବରୂପ ବୁଝି ପାରି ଏରମନ ଓ ଏକଲୟରେ ମୋର ପୂଜା କରନ୍ତି   । ବେକରେ ମାଳି ପକାଇ, ଚିତା ତୈତନ୍ୟ କାଟି, ଆଖି ବୁଜି ପୂଜା କଲେ ଯୋ ମୁଁ ପାଇବି, ଏପରି କିଛି ଧରାବନ୍ଧା ନିୟମ ନାହିଁ   । ଚିତ୍ତକୁ ଆୟତ୍ତକୁ ଆଣିବା ପାଇଁ ଏସବୁ ଏକ ଏକ ଉପାୟ   । କେହି କେହି ସ୍ତୋତ୍ର ମନ୍ତ୍ର ପାଠକରି ମୋର ନାମ କୀର୍ତ୍ତନ କରନ୍ତି   । କେହି କେହି ଦୃଢ ବ୍ରତ ଦ୍ୱାରା ମୋ ଆରାଧନା କରନ୍ତି ଏବଂ କେହି ଏକ ଲୟରେ ଭକ୍ତି ପୂର୍ଣ୍ଣ ଚିତ୍ତରେ ମୋର ଉପାସନା କରନ୍ତି   । ଯେଉଁ ପ୍ରକାର ଉପାୟ କର, କିଛି ଯାଏ ଆସେ ନାହିଁ   । ମୋଟ ଉପରେ ମୋଠାରେ ଯେଉଁମାନେ ଏକ ମନ ଓ ଏକ ଲୟ ରଖି ମୋତେ ଭଜନା କରନ୍ତି, ମୁଁ ତାହା ପାଏ   । ପୂଜାର ହଜାର ଆଡମ୍ବର ମୁଁ ଭୁଲିଯାଏ ନାହିଁ   । ଭକ୍ତି ଦ୍ୱାରା ମୋତେ କିଣାଯାଇପାରେ, ମାତ୍ର ଧନ ଦ୍ୱାରା ନୁହେଁ   ।
ହେ ଅର୍ଜ୍ଜୁନ ! ଲୋକେ ମୋତେ ନାନା ପ୍ରକାର ରୂପରେ ପୂଜା କରିଥାନ୍ତି   । କିଏ କହେ ଯେ, ‘ଭଗବାନ୍ ଏକ ତାଙ୍କ ଛଡା ଆଉ କେହି ନାହିଁ   ।’ ଅନ୍ୟମାନେ ମତ ଦିଅନ୍ତି ଯେ “ଭଗବାନ୍ ହେଉଛନ୍ତି ଦୁଇ- ଅର୍ଥାତ୍ ପୁରୁଷ ଓ ପ୍ରକୃତି   ।’ ଏହି ଅଦ୍ୱୈତ ଓ ଦ୍ୱୈତବାଦ ଛଡା ଆହୁରି ମଧ୍ୟ ମୋତେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଇନ୍ଦ୍ର, ବରୁଣ ପ୍ରଭୃତି ରୂପରେ କଳ୍ପନା କରି ସେହି ଅନୁସାରେ ଆପଣା ଆପଣା ରୁଚି ଅନୁଯାୟୀ ପୂଦା କରନ୍ତି   । ଭକ୍ତି ଭାବରେ ଯାହା କହ ଓ ଯେପରି ପୂଜା କର ପଛକେ, ସେସବୁ କେବଳ ମୋ ପାଖରେ ଯାଇ ପହଞ୍ଚେ   ।

ଭଗବାନ୍ କେଉଁଠାରେ, କି ଭାବରେ ଥାଆନ୍ତି ?


ହେ ଅର୍ଜ୍ଜୁନ ! ବେଦ ଓ ସ୍ମୃତିରେ ଯେଉଁ ଯଜ୍ଞ, ପ୍ରାଣୀମାନେ ଯେଉଁ ଖାଦ୍ୟ ଖାଇ ବଞ୍ଚନ୍ତି, ମୁଁ ହେଉଛି ସେହି ଖାଦ୍ୟ   । ଏହିପରି ଅଗ୍ନି, ହୋମ, ଘୃତ, ଯଜ୍ଞ, ପ୍ରଭୃତି ଯାବତୀୟ ଦ୍ରବ୍ୟରେ ମୁଁ ଥାଏ   । ମୁଁ ଏ ଜଗତର ପିତା, ମାତା, ପିତାମହ, ବୈଦ୍ୟ, ଓଁକାର ଓ ଚାରିବେଦ   । ଏହି ଜଗତକୁ ମୁଁ ସୃଷ୍ଟିକରେ, ତାର ଲାଳନ ପାଳନ ଭାର ମୋ ଉପରେ ଓ ମୁଁ ଏହି ସୃଷ୍ଟିକୁ ସଂହାର କରେ   । ସୂର୍ଯ୍ୟ ରୂପେ ଏ ଜଗତକୁ ମୁଁ କିରଣ ଦିଏ   । ବର୍ଷା ଆକାରରେ ଏ ପୃଥିବୀକୁ ଧୋଇଦିଏ ମୁଁ, ମୁଁ ଜୀବନ, ମୁଁ ମୃତ୍ୟୁ, ମୁଁ ବିଷ, ମୁଁ ଅମୃତ, ମୁଁ ସତ୍ ଓ ମୁଁ ଅସତ୍   । ଏହିପରି ମୋର ପ୍ରଭାବ ନାନା ଆକାର ଓ ପ୍ରକାର ଅନୁସାରେ ଲୋକେ କଳ୍ପନା କରି ନାନା ଉପାୟରେ ମୋର ଉପାସନା କରିଥାନ୍ତି   ।

ଭଗବାନଙ୍କୁ କେଉଁମାନେ କିପରି ପାଆନ୍ତି ?

ହେ ଅର୍ଜ୍ଜୁନ ! ସାଧୁମାନେ ଋଗବେଦ, ସାମବେଦ ଓ ଯଜୁର୍ବେଦରେ ଲେଖାଥିବା ଯାଗଯଜ୍ଞ ଦ୍ୱାରା ମୋର ପୂଜା କରି, ପୂଜା କରିଥିବା ସୋମରସ ପାନ କରନ୍ତି   । ଏହାଦ୍ୱାରା ସେମାନଙ୍କର ପାପାତାପ ସବୁ ଧୋଇ ହୋଇଯାଏ   । ଏହିପରି ପୁଣ୍ୟବାନ ଲୋକମାନେ ସ୍ୱର୍ଗସୁଖ କାମନା କରନ୍ତି ଓ ସେହି ଦେବଭୋଗ ପାଆନ୍ତି   । ହେ ଅର୍ଜ୍ଜୁନ ! ସୁଖ କାମନା ରଖି ଆରାଧନା କଲେ ସୁଖ ମିଳିପାରେ, ମାତ୍ର ତାହା ପ୍ରକୃତ ଆନନ୍ଦ ଦେଇପାରେ ନାହିଁ   । ବରଂ ମନୁଷ୍ୟକୁ ଭୁଲ ବାଟରେ ନେଇଯାଏ   । ଏହିପରି ସ୍ୱର୍ଗଭୋଗ ପାଇଥିବା ସାଧୁମାନେ ନାନାପ୍ରକାର ଭୋଗବିଳାସରେ ମାତି ଅର୍ଜିଥିବା ପୁଣ୍ୟ ତକ ସାରି ଦିଅନ୍ତି ଓ ଫଳରେ ପୁଣି ମର୍ତ୍ତ୍ୟ ଲୋକରେ ଜନ୍ମ ହୁଅନ୍ତି   । ଏହିପରି ସେମାନଙ୍କର ଜନ୍ମମରଣ ଚାଲିଥାଏ   ।
ଯେଉଁମାନେ ଅନ୍ୟ ଠାରେ ମନ ନ ଦେଇ କିମ୍ବା ଜଡିତ ନ ରହି କେବଳ ମୋତେ ଡାକନ୍ତି ବା ମୋର ଉପାସନା ଆରାଧନା କରନ୍ତି, ମୁଁ ସେମାନଙ୍କୁ ଅଷ୍ଟ ଐଶ୍ୱର୍ଯ୍ୟ ଓ ମୋକ୍ଷ ଦାନ କରେ, ଅର୍ଥାତ୍ ସେମାନେ ପ୍ରକୃତରେ ମୋତେ ପଇପାରନ୍ତି   । ଆଗରୁ ମୁଁ କହିଛି ଯେ ବାହ୍ୟ ଆଡମ୍ବର ମୁଁ ପାଏନା, କେବଳ ଭକ୍ତି ପାଏ   । ଯେଉଁମାନେ ଭକ୍ତି ଚିତ୍ତରେ ଇନ୍ଦ୍ର, ବରୁଣ ପ୍ରଭୃତି ଦେବତାଙ୍କୁ ପୂଜା କରନ୍ତି, ତାହା ମୁଁ ପାଏ ସତ ମାତ୍ର ସେହି ପୂଜାରେ କାମନା ବା ଫଳ ପାଇବା ଇଚ୍ଛା ଥିବାରୁ ସେହି ବାଟରେ ଯାଉଥିବା ସାଧୁମାନେ ଏକାବେଳକେ ଏହି ସଂସାର ବନ୍ଧନରୁ ମୁକ୍ତି ନ ପାଇ ବାରମ୍ବାର ଜନ୍ମ ଲାଭ କରୁଥାନ୍ତି   । ସେମାନେ ବୁଝିପାରନ୍ତି ନାହିଁ ଯେ, ମୁଁ କେବଳ ସବୁ ଯଜ୍ଞର ପ୍ରଭୁ ଓ ଫଳ ଦେବାବାଲା କେବଳ ମୁଁ   । ମୋର ପ୍ରକୃତ ତତ୍ତ୍ୱକୁ କେହି ଜାଣଇବାକୁ ଚେଷ୍ଟା ନ କରି ଶସ୍ତା, ସହଜ ବାଟରେ ଯିବାକୁ ପସନ୍ଦ କରନ୍ତି   । ଫଳରେ ମଲାପରେ ସେମାନେ ପୁଣି ଏ ସଂସାରକୁ ଫେରିଆସନ୍ତି   ।
ହେ ଅର୍ଜ୍ଜୁନ ! ଭିନ୍ନ ଭିନ୍ନ ପ୍ରକାର ପୂଜା ଓ ଆରାଧନା ଫଳରେ ଲୋକେ ଭିନ୍ନ ଭିନ୍ନ ସ୍ଥାନକୁ ଯାଆନ୍ତି   । ଯେଉଁମାନେ ଇନ୍ଦ୍ର ପ୍ରଭୃତି ଦେବତାମାନଙ୍କର ଉପାସନା କରନ୍ତି, ସେମାନେ ଦେବଲୋକ ପାଆନ୍ତି   । ସେହିପରି ଶ୍ରାଦ୍ଧ ପ୍ରଭୃତି ଦ୍ୱାରା ଯେଉଁମାନେ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରନ୍ତି, ସେମାନେେ ପିତୃଲୋକ ପାଆନ୍ତି ଓ ଭୂତମାନଙ୍କର ଉପାସକମାନେ ଭୂତଲୋକ ଲାଭ କରନ୍ତି   । ମାତ୍ର କେବଳ ମୋଠାରେ ଯେଉଁମାନେ ଶରଣ ପଶନ୍ତି, ସେମାନେ ମୋତେ ପାଆନ୍ତି   ।

ଭଗବାନ୍ ଭକ୍ତ ଠାରୁ କଣ ଗ୍ରହଣ କରନ୍ତି ?

ହେ ଅର୍ଜ୍ଜୁନ ! ଆଗରୁ କହିଛି ଯେ ମୁଁ ବାହାରର ଆଡମ୍ବର ପାଏନା, ମାତ୍ର ଭକ୍ତି ପାଏ   । ସେହିପରି ଯେଉଁମାନେ ଭକ୍ତି ସହକାରେ ପତ୍ର, ପୁଷ୍ପ, ଫଳ, ଜଳ ମୋତେ ଦାନ କରନ୍ତି, ମୁଁ ସେଥିରୁ କେବଳ ଭକ୍ତି ଟିକକ ପାଏ   । ଭକ୍ତିକୁ ମୋ ପାଖରେ ପହଞ୍ଚାଇ ଦେବା ପାଇଁ ଏହି ପତ୍ର, ପୁଷ୍ପ ପ୍ରଭୃତି କେବଳ ଉପାୟ ମାତ୍ର   । ହେ କୌନ୍ତେୟ ! ତୁମେ ଯାହା କିଛିକର, ଯାହା ଖାଅ, ଯାହା ହୋମ, ଦାନ, ତପସ୍ୟା କର ସବୁ ମୋଠାରେ ଅର୍ପଣ କର   । ଅର୍ଥାତ୍ କେବଳ ମୋ ନାମ ମନରେ ରଖି ସବୁ କର   । ଏହା କରିପାରିଲେତୁମେ ପ୍ରକୃତ ଆନନ୍ଦ ପାଇପାରିବ   । ତୁମର ଦୁଃଖ ରହିବ ନାହିଁ କି ଅଭାବ ରହିବ ନାହିଁ, ଦୁଃଖ ସମୟରେ ଯେପରି ମୋତେ ଡାକିବ, ସୁଖ ସମୟରେ ମଧ୍ୟ ସେପରି ମୋର ଭଜନା କରିବ ଓ ମୋତେ ଆଗରେ ରଖି ମୋର ଚିନ୍ତା କରି ସବୁ କାମ କରିଯିବ ଓ ସେସବୁ ମୋଠାରେ ସମର୍ପଣ କରିବ   । ତାହା ହେଲେ ମୋତେ ପାଇପାରିବ   ।
ଏହା ଦ୍ୱାରା ତୁମେ ମନେ କରନାହିଁ ଯେ, ମୁଁ ଭକ୍ତମାନଙ୍କୁ ଭଲପାଏ ଓ ଅଭକ୍ତି ମାନଙ୍କୁ ଘୃଣାକରେ   । ମୋ ଠାରେ ରାଗ, ଦ୍ୱେଷ, ଘୃଣା ପ୍ରଭୃତି ନଥାଏ   । ମୋ ଆଖିରେ ସମସ୍ତେ ସମାନ   । ମୋର କେହି ଶତ୍ରୁ ନୁହେଁ କିମ୍ବା କେହି ମିତ୍ର ନୁହେଁ   । କେବଳ ଏତିକି ପ୍ରଭେଦ ଯେ, ଯେଉଁମାନେ ଭକ୍ତି ସହକାରେ ମୋତେ ଡାକନ୍ତି ଓ ମୋର ପୂଜା କରନ୍ତି, ସେମାନେ ମୋ ପାଖରେ ରହନ୍ତି ଓ ମୁଁ ସେମାନଙ୍କ ପାଖରେ ଥାଏ   । ଏପରିକି ଯେଉଁମାନେ ଅତି ଦୁରାଚାରୀ ଓ ପାଷାଣ୍ଡ ସେମାନେ ଯଦି ଏକମନ, ଏକଲୟରେ ମୋର ଭଜନ ଓ ଆରାଧନା କରନ୍ତି, ସେମାନଙ୍କୁ ସାଧୁ ବୋଲି ଭାବିବ   । କାରଣ ମୋର ନାମ ସ୍ମରଣ କରିକରି ସେହି ଦୁରାଚାରୀ, କାଷଣ୍ଡ ମାନଙ୍କ ମନରେ ପରିବର୍ତ୍ତନ ଆସେ ଓ ସେମାନେ ଧର୍ମ ପରାୟଣ ହୋଇ ଶାନ୍ତିଲାଭ କରନ୍ତି   । ହେ କୌନ୍ତେୟ ! ମୋର ଭକ୍ତମାନେ କେବେହେଲେ ବିନାଶ ପ୍ରାପ୍ତ ହୁଅନ୍ତି ନାହିଁ   । ହେ ପାର୍ଥ ! ଯେଉଁମାନେ ନୀଚ କୁଳରେ ଜନ୍ମଲାଭ କରନ୍ତି, ସ୍ତ୍ରୀ, ବୈଶ୍ୟ, ଶୂଦ୍ର ଯେ କେହି ହେଉ ମୋ ପାଖରେ ଶରଣ ପଶିଲେ ବା ମୋର ଆଶ୍ରୟ ନେଲେ ନିଶ୍ଚୟ ପରମଗତି ବା ମୋକ୍ଷ ଲାଭକରିବେ   । ଯଦି ଏମାନଙ୍କର ମୁକ୍ତିଲାଭ ହୁଏ, ତାହାଲେ ପୁଣ୍ୟବାନ୍ ବ୍ରାହ୍ମଣ, ଭକ୍ତ, ରାଜର୍ଷିମାନେ ବା କାହିଁକି ମୁକ୍ତି ନ ପାଇବେ ? ଅତଏବ ଏହି ଅନିତ୍ୟ ଓ ଦୁଃଖଦାୟକ ସଂସାରରେ ରହି ମୋର ଉପାସନା କର   । ମୋଠାରେ ଚିତ୍ତ ସମର୍ପଣ କର, ମୋର ସେବା କର   । ମୋର ପୂଜାରେ ମନ ପ୍ରାଣ ଢାଳି ମୋତେ ଭକ୍ତି ସହକାରେ ନମସ୍କାର କର   । ଏପରି କଲେ ମୋତେ ପାଇପାରିବ   ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.