Last updated on July 19, 2020
କୌଣସି ଏକ ବସ୍ତୁ ସ୍ୱ ସ୍ୱରୂପକୁ ବାଦ୍ ଦେଇ କେବେହେଲେ ନିଜର ଅସ୍ତିତ୍ୱ ରକ୍ଷା କରି ନ ପାରେ । ଦୁଃଖରୁ ନିବୃତ୍ତି ହିଁ ପ୍ରତ୍ୟେକଙ୍କର ଏକମାତ୍ର ଲକ୍ଷ୍ୟ । ତେଣୁ ଦୁଃଖ ସାଙ୍ଗରେ ବାସ୍ତବିକ ମନୁଷ୍ୟର କୌଣସି ସମ୍ବନ୍ଧ ନାହିଁ । ଦୁଃଖ ମନୁଷ୍ୟର ସ୍ୱଧର୍ମର ବିରୋଧୀ । ଏଥିରୁ ସ୍ପଷ୍ଟ ବୁଝାପଡେ ଯେ, ବସ୍ତୁତଃ ମନୁଷ୍ୟ ସୁଖସ୍ୱରୂପ । ସୁଖସ୍ୱରୂପ ହୋଇ ସୁଦ୍ଧା ଯଦି ମନୁଷ୍ୟ ସର୍ବଦା ସୁଖ ଲାଭ ପାଇଁ ବ୍ୟାକୁଳ ତା’ ହେଲେ ତା’ର ଏହି ପରିସ୍ଥିତିର କାରଣ ହେଉଛି— ସେ ନିଜର ସ୍ୱରୂପ ସମ୍ବନ୍ଧରେ ଅଜ୍ଞ । ତେଣୁ ପ୍ରକାରାନ୍ତରେ ବିଚାର କଲେ ଦେଖାଯିବ ଯେ, ମନୁଷ୍ୟର ସମସ୍ତ ଚେଷ୍ଟା ତା’ର ସ୍ୱରୂପ ଲାଭ ପାଇଁ ହିଁ ଉଦ୍ଦିଷ୍ଟ, ଜ୍ଞାତସାରରେ ହେଉ ବା ଅଜ୍ଞାତ ଭାବରେ ହେଉ । ଆତ୍ମତତ୍ତ୍ୱ ସମ୍ବନ୍ଧରେ ଅଜ୍ଞାନ ହିଁ ତା’ର ହୃଦୟରେ ସଞ୍ଚାର କରେ ସୁଖୀ ହେବାର କାମନା ଓ ଏହି କାମନାକୁ ପୂର୍ଣ୍ଣ କରିବା ପାଇଁ ମନୁଷ୍ୟ ହୁଏ କର୍ମରତ । ତା’ର ପ୍ରତ୍ୟେକ କର୍ମର ଫଳ କିନ୍ତୁ ତାକୁ ସୁଖୀ କରିପାରେ ନାହିଁ । ତେଣୁ ସେ ହୁଏ ନିରାଶ ଓ ବ୍ୟାକୁଳ । ତା’ର ଜୀବନ ହୁଏ ଅପୂର୍ଣ୍ଣ, କ୍ଷତବିକ୍ଷତ ଓ ଜର୍ଜରିତ ।
ଏହିପରି ଆତ୍ମ-ଅଜ୍ଞାନରୂପ ସମସ୍ୟା ଦ୍ୱାରା ଆକ୍ରାନ୍ତ ଯେଉଁ ମନୁଷ୍ୟ, ତା’ ପାଇଁ ତା ହେଲେ କ’ଣ କରାଯାଇପାରେ ?
ମନୁଷ୍ୟମାନଙ୍କ ମଧ୍ୟରୁ ସମସ୍ତେ ଏପରି ମୂର୍ଖ ନୁହନ୍ତି ବା ଅବିବେକୀ ନୁହନ୍ତି । ଅତି ଅଳ୍ପ କେତେ ଜଣ ବ୍ୟକ୍ତି ଏହି ଅଜ୍ଞାନ ଅନ୍ଧକାରାଚ୍ଛନ୍ନ ଅରଣ୍ୟରୁ ବାହାରି ବାସ୍ତବିକ ସୁଖର ଅନୁସନ୍ଧାନ କରିବା ସଙ୍ଗେ ସଙ୍ଗେ ଦୁଃଖର କାରଣ ଖୋଜି ବାହାର କରିବାରେ ବ୍ରତୀ ହୁଅନ୍ତି । ଏହିମାନେ ଆମର ସନାତନ ଧର୍ମ ପରମ୍ପରାରେ ଋଷି ମୁନି ରୂପେ ଖ୍ୟାତ । ଏମାନଙ୍କ ଦ୍ୱାରା ଆବିଷ୍କୃତ ଜୀବନର ତତ୍ତ୍ୱକୁ ଆତ୍ମତତ୍ତ୍ୱ ବୋଲି କୁହାଯାଏ । ମନୁଷ୍ୟର ସର୍ବପ୍ରଥମ ଶାସ୍ତ୍ର ବେଦର ଅନ୍ତିମ ଭାଗରେ ଜୀବନର ଏହି ତତ୍ତ୍ୱ ଆଲୋଚିତ । ବେଦସ୍ଥ ଏହି ଆତ୍ମ ବା ଜୀବନତତ୍ତ୍ୱକୁ ବେଦାନ୍ତ ବା ଉପନିଷଦ ବୋଲି ମଧ୍ୟ କୁହାଯାଏ ।
ତତ୍ତ୍ୱବୋଧ ଆଚାର୍ଯ୍ୟଙ୍କ ରଚିତ ଏକ ସାମାନ୍ୟ ପ୍ରକରଣ ଗ୍ରନ୍ଥ । ଗୁରୁ ଶିଷ୍ୟ ସମ୍ବାଦ (ପ୍ରଶ୍ନୋତ୍ତର) ଛଳରେ ରଚିତ ବେଦାନ୍ତ ଦର୍ଶନର ପରିଭାଷାମୂଳକ ଏହି ଗ୍ରନ୍ଥର ଅଧ୍ୟୟନ ଅତି ଗୁରୁତ୍ୱପୂର୍ଣ୍ଣ । ଏହାର ଅଧ୍ୟୟନ ଶ୍ରଦ୍ଧାଳୁ ଜିଜ୍ଞାସୁଙ୍କର ବହୁ ପ୍ରଶ୍ନର ସମାଧାନ କରି ତାଙ୍କର ଅନ୍ତଃକରଣକୁ ପବିତ୍ର ଓ ବେଦାନ୍ତ ତତ୍ତ୍ୱଦର୍ଶନ ପାଇଁ ପ୍ରସ୍ତୁତ କରିବାରେ ଅମୋଘ ଅସ୍ତ୍ର ।
ଶଙ୍କରାଚାର୍ଯ୍ୟ ଯେତେବେଳେ ଏହି ଗ୍ରନ୍ଥ ରଚନା କରିଥିଲେ ସେହି କାଳର ପରିସ୍ଥିତି ଓ ଏବେକାର ପରିସ୍ଥିତିର ମଧ୍ୟରେ ଆକାଶ ପାତାଳ ଭେଦ ରହିଛି । ଆଜି ସଂସ୍କୃତ ଭାଷା ଲୁପ୍ତପ୍ରାୟ । ସେଇ ସମୟରେ ଯାହା ଲୋକଙ୍କ ପକ୍ଷରେ ସହଜବୋଧ ବସ୍ତୁ ହୋଇଥିଲା ଆଜି ତାହା ଜନସାଧାରଣଙ୍କ ପକ୍ଷରେ ଦୁର୍ବୋଧ୍ୟ । ତେଣୁ ଆଜି ଏହାର ମଧ୍ୟ ଭାଷ୍ୟ (ବ୍ୟାଖ୍ୟା)ର ଆବଶ୍ୟକତା ରହିଛି । ଏହି ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ଯତ୍କିଞ୍ଚିତ୍ ଚେଷ୍ଟା ହିଁ ଏହି ବ୍ୟାଖ୍ୟା ରଚନାର ମୁଖ୍ୟ ଲକ୍ଷ୍ୟ ।
ଏହି ଗ୍ରନ୍ଥର ଆଲୋଚ୍ୟ ବିଷୟ ହେଉଛି ଜୀବ, ଜଗତ୍ ଓ ଈଶ୍ୱର ଏବଂ ତାଙ୍କ ମଧ୍ୟରେ ଥିବା ସମ୍ବନ୍ଧ । ଏହି ତିନୋଟି ସମ୍ବନ୍ଧରେ ସମ୍ୟକ୍ ତତ୍ତ୍ୱଜ୍ଞାନ ମନୁଷ୍ୟକୁ ନିତ୍ୟପରିବର୍ତ୍ତନଶୀଳ, ଜନ୍ମମରଣଧର୍ମୀ, ସୁଖଦୁଃଖ ରୂପ ଦ୍ୱନ୍ଦ୍ୱରୁ ଅର୍ଥାତ୍ ସଂସାରରୁ ମୁକ୍ତ କରେ । ସ୍ୱ ସ୍ୱରୂପ ଜ୍ଞାନଲାଭପୂର୍ବକ ଅଜ୍ଞାନଜନିତ ଦୁଃଖରୁ ମନୁଷ୍ୟ ତ୍ରାହି ପାଏ । ମନୁଷ୍ୟର ମୁକ୍ତି ଏହିଠାରେ, ଏହି ଜୀବନ କାଳରେ ହିଁ ସମ୍ଭବ । ମୃତ୍ୟୁ ପରେ ମୁକ୍ତି ଏକ ପ୍ରହେଳିକା । ମୃତ୍ୟୁ ପରେ ମୁକ୍ତି ଲାଭ ପାଇଁ ଚେଷ୍ଟା ବା ପୁରୁଷାର୍ଥର ଆବଶ୍ୟକତା ନାହିଁ ।
ତାତ୍ପର୍ଯ୍ୟ ହେଉଛି ଏହି ଜନ୍ମକୁ ହିଁ ଶେଷ ବୋଲି ମନେକରି ପରମପୁରୁଷାର୍ଥ ମୋକ୍ଷ ସାଧନାର ବ୍ରତୀ ହେବା ପ୍ରତ୍ୟେକ ବୁଦ୍ଧିମାନ୍ ବ୍ୟକ୍ତିର ପରମ କର୍ତ୍ତବ୍ୟ । କାରଣ ମୃତ୍ୟୁ ପରେ କଣ ହେବ ତା’ର କୌଣସି ନିଶ୍ଚୟ ଏହି ଜୀବନକାଳରେ କରାଯାଇ ନ ପାରେ । ତେଣୁ ଇତସ୍ତତଃ ସମୟ ଓ ଶକ୍ତି କ୍ଷୟ ନ କରି ମୋକ୍ଷ ସାଧନ ଉଦ୍ଦେଶ୍ୟରେ ତତ୍ତ୍ୱବୋଧର ଅଧ୍ୟୟନ ହିଁ କରଣୀୟ ।
ପୁସ୍ତକର ଦ୍ୱିତୀୟ ଭାଗ ହେଉଛି ପ୍ରଶ୍ନୋତ୍ତରୀ । ଏହାର ଅନ୍ୟନାମ ମଣିରତ୍ନମାଳା । ବାସ୍ତବରେ ଜ୍ଞାନମଣିମାନଙ୍କୁ ନେଇ ଗଠିତ ଏହା ଏକ ବିଶେଷ ମାଳା ସଦୃଶ, ଯାହାକି ପ୍ରତ୍ୟେକ ମୁମୁକ୍ଷୁ ସାଧକର ଅବଶ୍ୟ ଜ୍ଞାତବ୍ୟ । ଆଦିଶଙ୍କର ସାଧକମାନଙ୍କ ମନରେ ଉଠୁଥିବା ପ୍ରଶ୍ନାବଳୀ (FAQ: frequently asked questions)ମାନଙ୍କୁ ଏତେ ସୁନ୍ଦର ଭାବରେ ସମାଧାନ କରିଛନ୍ତି, ତାହା ବର୍ଣ୍ଣନାତୀତ । କାହିଁକି ନାଁ ଉଦ୍ଦିଷ୍ଟ ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର (Bit question’s fit answer) ଆମ ଶାସ୍ତ୍ରରେ ପ୍ରାୟତଃ ଦେଖାଯାଉ ନ ଥିବା ବେଳେ ଏଭଳି ସ୍ପଷ୍ଟ ଅଭିବ୍ୟକ୍ତି ସାଧକପାଇଁ ସ୍ୱତନ୍ତ୍ର ।
ଏହାକୁ ବେଦାନ୍ତାନୁରାଗୀଙ୍କ ନିମନ୍ତେ ଏକ ମାର୍ଗଦର୍ଶିକା କହିବା ଯଥାର୍ଥ ହେବ । ପ୍ରଶ୍ନୋତ୍ତରୀ ଶୈଳୀରେ ପୁଣି ସର୍ବନିମ୍ନ ଶବ୍ଦ ମାଧ୍ୟମରେ ହୋଇଥିବାରୁ ଏହା ମୋକ୍ଷକାମୀ ପାଇଁ ମହୌଷଧୀ ସଦୃଶ ଅଟେ ।
ସଂଶିତ ସଂସ୍କରଣରେ ପ୍ରଶ୍ନୋତ୍ତରୀ ବା ମଣିରତ୍ନମାଳା ଦୁଇପ୍ରକାରେ ବା ଖଣ୍ଡରେ ଯେପରି ଶଙ୍କରାଚାର୍ଯ୍ୟ ଗ୍ରନ୍ଥାବଳୀରେ ଉପଲବ୍ଧ, ସେପରି ଉପସ୍ଥାପନ କରାଯାଇଛି । ପ୍ରାସଙ୍ଗିକତା ଦୃଷ୍ଟିରୁ ବ୍ୟକ୍ତିଗତ ମତ ଭାବରେ କୁହାଯାଇପାରେ ସନ୍ନ୍ୟାସୀ ତଥା ଗୃହସ୍ଥ ଉଭୟଙ୍କର ସ୍ତୋତ୍ରବ୍ୟ । ଆଚାର୍ଯ୍ୟ ଶଙ୍କର ଏପରି ଏକ ଉପାଦେୟ ସ୍ତୋତ୍ର ରଚନାକରି ନିଶ୍ଚିତ ମୁମୁକ୍ଷୁର ପରମପୂଜ୍ୟ ହୋଇପାରିଛନ୍ତି । ଏହାର ପ୍ରତ୍ୟେକଟି ପ୍ରଶ୍ନ ନିଶ୍ଚିତ ମନନୀୟ । ସ୍ତ୍ରୀ, ଧନ, ପୁତ୍ରାଦି ପଦାର୍ଥ ଯାହା ସବୁ ଜୀବକୁ ନିଶ୍ଚିତ ବନ୍ଧନରେ ପତିତ କରାଉଥିବା ବେଳେ କିଏ ଏଥିରୁ ଉଦ୍ଧାର କରିଥାଏ, ତାହାର ଯଥାର୍ଥ ଉତ୍ତର ବ୍ୟତିବ୍ୟସ୍ତ ତଥା ଅଶାନ୍ତ ଜୀବ ପାଇଁ ପ୍ରଶମନର ବାରି ଭଳି । ପ୍ରତ୍ୟେକଟି ଶଙ୍କା ଏଠାରେ ମଣିର ମାଳା ସଦୃଶ ଗ୍ରଥିତ ହୋଇ ଉପସ୍ଥାପିତ ହୋଇଛି । ସେହିଭଳି ସାଂସାରିକ ଜୀବ କେଉଁ କେଉଁ କାରଣରୁ ବଦ୍ଧ ଏବଂ କିପରି ଏଥିରୁ ମୁକ୍ତ ହୋଇ ପରମାର୍ଥ ପଥରେ ଅଗ୍ରସର ହୋଇପାରିବ, ତାହାକୁ ଚେତାଇ ଦେଇଥିବାରୁ ଶ୍ରୀମଦ୍ ଆଦିଶଙ୍କର ଆମ ସମସ୍ତଙ୍କର ସତତ ନମସ୍ୟ । ଅତଃ ତାଙ୍କୁ ପ୍ରଣାମ, ବାରମ୍ବାର ପ୍ରଣାମ ।
Be First to Comment