Last updated on November 19, 2020
ବିଦ୍ୟାବାନ ଗୁନୀ ଅତି ଚାତୁର । ରାମ କାଜ କରିବେ କୋ ଆତୁର ।।
ଜଣେ ବିଦ୍ୱାନ ହୋଇଥାନ୍ତି ଆଉ ଜଣେ ବିଦ୍ୟାବାନ ହୋଇଥାନ୍ତି । ଉଭୟଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଆମେ ରାବଣ ଆଉ ହନୁମାନଙ୍କ ଉଦାହରଣରୁ ଏହାକୁ ଭଲଭାବରେ ବୁଝିପାରିବା । ଏମାନଙ୍କ ମଧ୍ୟରୁ ରାବଣ ବିଦ୍ୱାନ ଅଟନ୍ତି ଆଉ ହନୁମାନ ବିଦ୍ୟାବାନ ଅଟନ୍ତି । ରାବଣର ଦଶ ଶିର ରହିଛି ଆଉ ଚତୁର୍ବେଦ ତଥା ଛଅଗୋଟି ଶାସ୍ତ୍ର ଉଭୟ ମିଳିତ ହୋଇ ଦଶ ଅଟେ । ଯାହାଙ୍କ ଶିରରେ ଏହି ଦଶତତ୍ତ୍ୱ ପୂର୍ଣ୍ଣ ହୋଇ ରହିଛି, ସେ ହିଁ ଦଶ ଶିର ଅଟନ୍ତି । ବାସ୍ତବରେ ରାବଣ ବିଦ୍ୱାନ ଅଟନ୍ତି, ହେଲେ ବିଡମ୍ବନା କଣ ? ସୀତାମାତାଙ୍କୁ ହରଣ କରି ନେଇଆସିଲା । ଅନେକ ଥର ବିଦ୍ୱାନ ଲୋକେ ନିଜର ବିଦ୍ୱତା କାରଣରୁ ଅନ୍ୟମାନଙ୍କୁ ଶାନ୍ତିରେ ରହିବାକୁ ଦିଅନ୍ତି ନାହିଁ । ତାଙ୍କର ଅଭିମାନ ଅନ୍ୟମାନଙ୍କର ସୀତାରୂପୀ ଶାନ୍ତିକୁ ହରଣ କରି ନେଇଆସେ । ହନୁମାନଜୀ ସେହି ହଜିଯାଇଥିବା ସୀତାରୂପୀ ଶାନ୍ତିକୁ ଫେରାଇଆଣି ଭଗବାନଙ୍କ ସହିତ ମିଶାଇ ଦେଇଛନ୍ତି । ଏହା ହେଉଛି ବିଦ୍ୱାନ ଏବଂ ବିଦ୍ୟାବାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ।
ହନୁମାନଜୀ, ରାବଣକୁ ବୁଝାଇବାପାଇଁ ଯାଇଛନ୍ତି । ଏହା ବିଦ୍ୱାନ ଏବଂ ବିଦ୍ୟାବାନଙ୍କର ମିଳନ ଅଟେ । ହନୁମାନଜୀ କହିଛନ୍ତି—
ବିନତୀ କରଉଁ ଜୋରି କର ରାବନ ।ସୁନହୁ ମାନ ତଜି ମୋର ସିଖାବନ ।।
ହନୁମାନଜୀ ହାତଯୋଡି କହିଛନ୍ତି, ମୁଁ ବିନତି କରୁଛି । ତାହେଲେ କଣ ହନୁମାନଜୀଙ୍କର ବଳ ନାହିଁ ? ଏପରି ନୁହେଁ ।
ବିନତୀ ଉଭୟ କରନ୍ତି, ଯିଏ ଭୟରେ ପୂର୍ଣ୍ଣ ହୋଇଥାନ୍ତି ଅବା ଯିଏ ଭାବପୂର୍ଣ୍ଣ ହୋଇଥାନ୍ତି । ରାବଣ କହିଛନ୍ତି, ତୁମେ କଣ ? ଏଠାରେ ଦେଖ, କେତେ ଲୋକ ହାତଯୋଡି ଛିଡା ହୋଇଛନ୍ତି ।
କର ଜୋରେ ସୁର ଦିସିପ ବିନୀତା ।ଭୃକୁଟି ବିଲୋକତ ସକଲ ସଭୀତା ।।
ଦେବତା ଏବଂ ଦିଗ୍ପାଳ ଭୟରେ ହାତଯୋଡି ଛିଡା ହୋଇଛନ୍ତି ଆଉ ଭ୍ରୁକୁଟି ଆଡକୁ ଚାହିଁ ରହିଛନ୍ତି । ହେଲେ ହନୁମାନଜୀ ଭୟରେ ହାତଯୋଡି ଛିଡା ହୋଇନାହାଁନ୍ତି ।
ରାବଣ ପୁଣି କହିଛନ୍ତି—
କୀଧୌଁ ଶ୍ରବନ ସୁନେହି ନହିଁ ମୋହୀ ।ଦେଖଉଁ ଅତି ଅସଂକ ସଠ ତୋହୀ ।।
ତୁମେ ମୋ ବିଷୟରେ ଶୁଣିନାହଁ ? ବହୁତ ନିଡର ଦେଖାଯାଉଛ ? ହନୁମାନଜୀ କହିଲେ—କଥା ଗୁରୁତ୍ୱପୂର୍ଣ୍ଣ ଥିବାରୁ ତୁମ ସମ୍ମୁଖକୁ ଆସିଛି, ଆଉ କଣ ଭୟରେ ଆସିଥାନ୍ତି ? ରାବଣ କହିଲେ-ଦେଖିନିଅ ଏଠାରେ ଯେତେ ଦେବତା ଆଉ ଅନ୍ୟମାନେ ଛିଡା ହୋଇଛନ୍ତି, ସେମାନେ ସମସ୍ତେ ଭୟଭୀତ ହୋଇ ଛିଡା ହୋଇଛନ୍ତି ।
ହନୁମାନଜୀ କହିଲେ—ସେମାନଙ୍କ ଭୟର କାରଣ ହେଉଛି, ସେମାନେ ତୁମ ଭ୍ରୁକୁଟି ଆଡକୁ ଚାହିଁ ରହିଛନ୍ତି ।
ଭୃକୁଟୀ ବିଲୋକତ ସକଲ ସଭୀତା ।
କିନ୍ତୁ ମୁଁ ଭଗବାନ ରାମଙ୍କ ଭ୍ରୁକୁଟିକୁ ନିରୀକ୍ଷଣ କରୁଛି । ତାଙ୍କ ଭ୍ରୁକୁଟି କେଉଁଭଳି ? ଏ ସମ୍ବନ୍ଧରେ କହୁଛନ୍ତି—
ଭୃକୁଟି ବିଲାସ ସୃଷ୍ଟି ଲୟ ହୋଈ ।ସପନେହୁ ସଂକଟ ପରୈ କି ସୋଈ ।।
ଯାହାଙ୍କର ଭ୍ରୁକୁଟି ତେଢ଼ା ହୋଇଗଲେ ପ୍ରଳୟ ଆସିଯାଏ ଆଉ ତାଙ୍କୁ ଏକଲୟରେ ନିରୀକ୍ଷଣ କରୁଥିବା ଭକ୍ତଙ୍କୁ ସ୍ୱପ୍ନରେ ସୁଦ୍ଧା ସଂକଟ ଆସେନାହିଁ । ମୁଁ ସେହି ଶ୍ରୀରାମଙ୍କର ଭ୍ରୁକୁଟିକୁ ନିରୀକ୍ଷଣ କରୁଅଛି ।
ରାବଣ କହିଲେ—ଏହା ତ ବିଚିତ୍ର କଥା । ଯଦି ଶ୍ରୀରାମଙ୍କ ଭ୍ରୁକୁଟିକୁ ନିରୀକ୍ଷଣ କରୁଛ, ତେବେ ମୋ ସମ୍ମୁଖରେ କାହିଁକି ହାତଯୋଡୁଛ ?
ବିନତୀ କରଉଁ ଜୋରି କର ରାବନ ।
ହନୁମାନଜୀ କହିଲେ—ଏହା ତୁମର ଭ୍ରମ ଅଟେ । ହାତ ତ ମୁଁ ତାଙ୍କୁ ଯୋଡୁଛି ।
ରାବଣ କହିଲେ—ସେ ଏଠାରେ କେଉଁଠି ଅଛନ୍ତି ? ହନୁମାନଜୀ କହିଲେ, ମୁଁ ତ ଏହା ବୁଝାଇବାପାଇଁ ଆସିଛି ।
ଶ୍ରୀରାମ କହିଥିଲେ—
ସୋ ଅନନ୍ୟ ଜାକେଁ ଅସି ମତି ନ ଟରଇ ହନୁମନ୍ତ ।
ମେଁ ସେବକ ସଚରାଚର ରୂପ ସ୍ୱାମୀ ଭଗବନ୍ତ ।।
ଭଗବାନ କହିଛନ୍ତି ଯେ ସମସ୍ତଙ୍କଠାରେ ମୋତେ ଦେଖିବ । ଏଥିପାଇଁ ମୁଁ ତୁମକୁ ନୁହେଁ, ତୁମଠାରେ ମଧ୍ୟ ଭଗବାନଙ୍କୁ ଦେଖୁଛି ।
ଏଥିପାଇଁ ହନୁମାନଜୀ କହିଛନ୍ତି—
ଖାୟଉଁ ଫଲ ପ୍ରଭୁ ଲାଗୀ ଭୂଖା ।
ଏବଂ, ସବକେ ଦେହ ପରମ ପ୍ରିୟ ସ୍ୱାମୀ ।
ହନୁମାନଜୀ ରାବଣକୁ ପ୍ରଭୁ ଏବଂ ସ୍ୱାମୀ କହିଛନ୍ତି ତଥା ରାବଣ—
ମୃତ୍ୟୁ ନିକଟ ଆଈ ଖଲ ତୋହୀ । ଲାଗେସି ଅଧମ ସିଖାବନ ମୋହୀ ।।
ରାବଣ ଖଳ ଆଉ ଅଧମ କହି ହନୁମାନଜୀଙ୍କୁ ସମ୍ବୋଧିତ କରିଛନ୍ତି । ଏହା ବିଦ୍ୱାନଙ୍କ ଲକ୍ଷଣ ଅଟେ ।
ନିଜକୁ ଗାଳି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ବି ଯାହାଙ୍କୁ ଭଗବାନ ଦୃଶ୍ୟ ହୁଅନ୍ତି, ସେ ବିଦ୍ୟାବାନ ଅଟନ୍ତି ।
ବିଦ୍ୟାବାନଙ୍କର ଗୋଟିଏ ଲକ୍ଷଣ ହେଉଛି, କହିଛନ୍ତି—
ବିଦ୍ୟା ଦଦାତି ବିନୟଂ ବିନୟାତି ଯାତି ପାତ୍ରତାମ ।
ଲେଖାପଢ଼ା କରି ଯିଏ ବିନମ୍ର ହୋଇଯାନ୍ତି, ସେ ବିଦ୍ୟାବାନ ଅଟନ୍ତି ଆଉ ଯିଏ ଲେଖାପଢ଼ା କରି ଅହଂକାରୀ ହୋଇଯାନ୍ତି, ସେ ବିଦ୍ୱାନ ଅଟନ୍ତି ।
ତୁଳସୀଦାସ କହିଛନ୍ତି—
ବରସହିଁ ଜଲଦ ଭୂମି ନିୟରାୟେ । ଜଥା ନବହିଁ ବୁଧ ବିଦ୍ୟା ପାୟେ ।।
ବାଦଲ ଜଳରେ ପରିପୂର୍ଣ୍ଣ ହେଲେ ନିମ୍ନକୁ ଆସିଯାଏ, ଯେଉଁଭଳି ବିଚାରବାନ୍ ବ୍ୟକ୍ତି ବିଦ୍ୟା ଲାଭ କରି ବିନମ୍ର ହୋଇଯାନ୍ତି ।
ଅତଃ ହନୁମାନଜୀ ହେଉଛନ୍ତି ବିନମ୍ର ଆଉ ରାବଣ ହେଉଛନ୍ତି ବିଦ୍ୱାନ ।
ବିଦ୍ୱାନ କିଏ ? ଏହାର ଉତ୍ତରରେ କହିଛନ୍ତି କି, ଯାହାଙ୍କର ମସ୍ତିଷ୍କର କ୍ଷମତା ତ ବଢ଼ିଯାଏ ହେଲେ ହୃଦୟ ଖରାପ ହୋଇଯାଏ, ହୃଦୟ ଅଭିମାନଯୁକ୍ତ ହୋଇଯାଏ ସେ ହେଉଛନ୍ତି ବିଦ୍ୱାନ । ଆଉ ବିଦ୍ୟାବାନ କିଏ ? ଏହାର ଉତ୍ତରରେ କହିଛନ୍ତି, ଯାହାଙ୍କ ହୃଦୟରେ ଭଗବାନ ବିରାଜମାନ କରନ୍ତି, ଆଉ ଯିଏ ଅନ୍ୟର ହୃଦୟରେ ମଧ୍ୟ ଭଗବାନଙ୍କୁ ବିରାଜମାନ କରାଇବା କଥା କହନ୍ତି, ସେ ବିଦ୍ୟାବାନ ଅଟନ୍ତି ।
ହନୁମାନଜୀ କହିଛନ୍ତି—ରାବଣ ! ଆଉ ସବୁ ତ ଠିକ୍ ଅଛି, କିନ୍ତୁ ତୁମର ହୃଦୟ ଠିକ୍ ନାହିଁ । କିପରି ଠିକ୍ ହେବ ? କହୁଛନ୍ତି—
ରାମ ଚରନ ପଂକଜ ଉର ଧରହୂ । ଲଂକା ଅଚଲ ରାଜ ତୁମ କରହୂ ।।
ନିଜ ହୃଦୟରେ ଶ୍ରୀରାମଙ୍କୁ ବିରାଜିତ କରିଦିଅନ୍ତୁ ତାପରେ ଆନନ୍ଦରେ ଲଙ୍କାରେ ରାଜ କରନ୍ତୁ । ତେବେ ହନୁମାନଜୀ ରାବଣ ହୃଦୟରେ ଭଗବାନଙ୍କୁ ବିରାଜମାନ କରାଇବା କଥା କହିଛନ୍ତି, ଏଥିପାଇଁ ସେ ବିଦ୍ୟାବାନ ଅଟନ୍ତି ।
ସାରାଂଶ — ବିଦ୍ୟାବାନ ହେବାପାଇଁ ପ୍ରଯତ୍ନ କର ।
Be First to Comment