Press "Enter" to skip to content

ସ୍ୱାମୀ ଯୋଗାନନ୍ଦ ସଂସ୍ମରଣ

Last updated on July 14, 2020


ଜଣାନାହିଁ ବିବାହ ଦ୍ୱାରା ଯୋଗୀନ୍ ନିଜ ମାତାଙ୍କୁ ପ୍ରସନ୍ନ କରିପାରିଲେ କି ନାହିଁ, କିନ୍ତୁ ଏ କଥାର ତାଙ୍କୁ ସ୍ପଷ୍ଟ ବୋଧ ଥିଲା କି ତାଙ୍କର ଶାନ୍ତି ଦିନ ପରେ ଦିନ ହଜିଯାଉଛି । ଧୀରେ ଧୀରେ ତାଙ୍କୁ ଏହା ଅଧିକାଧିକ ସ୍ପଷ୍ଟ ରୂପେ ପ୍ରତୀତ ହେବାକୁ ଲାଗିଲା କି ତାଙ୍କର ଭବିଷ୍ୟତର ଆଶା, ଉଦାତ୍ତ ବିଚାର ଏବଂ ଉଚ୍ଚ ଆକାଂକ୍ଷା ଗୋଟି ଗୋଟି କରି ତାଙ୍କଠାରୁ ବିଦାୟ ନେଉଛନ୍ତି । ସେ ପ୍ରତିଜ୍ଞା ଭଙ୍ଗ କରିଛନ୍ତି-ବିବାହ କରିଛନ୍ତି, ବର୍ତ୍ତମାନ ସେ ସେହି ମନ୍ଦିର ଉଦ୍ୟାନର ପ୍ରାଣମନୋହରକାରୀ ଠାକୁରଙ୍କ ପାଖକୁ କେଉଁ ମୁଁହ ନେଇ ଯିବେ । ସେ ବିଚାର କଲେ–‘ଯିଏ ପ୍ରତିଜ୍ଞା ପାଳନ କରିପାରେ ନାହିଁ ତା’ଠାରୁ ହୀନ ଆଉ କିଏ ହୋଇପାରିବ? କଣ ସେ ଏବେ ମଧ୍ୟ ମୋତେ ସ୍ନେହ କରିବେ? ସେ କାମ କାଞ୍ଚନର ତ୍ୟାଗୀ ଅଟନ୍ତି ଆଉ ମୋତେ ତ ବର୍ତ୍ତମାନ କାମିନୀ-କାଞ୍ଚନ ସହିତ ସମୟ କଟାଇବାକୁ ହେବ । ଏବେ ଆଉ ତାଙ୍କ ନିକଟକୁ ଯିବାର ମାନେ କଣ?’ ଏହି ଭଳି ଅନେକ ବିଚାର ବିମର୍ଶପରେ ସେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ସେ ଆଉ କାଳୀମନ୍ଦିର ଯିବେ ନାହିଁ ।
ଧୀରେ ଧୀରେ ଯୋଗୀନଙ୍କ ବିବାହ ସମ୍ବାଦ ଠାକୁରଙ୍କ ନିକଟରେ ପହଞ୍ଚିଲା । ସେ ତାଙ୍କ ସହିତ ସାକ୍ଷାତ କରିବାପାଇଁ ଅତ୍ୟନ୍ତ ବ୍ୟଗ୍ର ହୋଇଉଠିଲେ ଆଉ ବିଭିନ୍ନ ଲୋକମାନଙ୍କ ଦ୍ୱାରା ବାରମ୍ବାର ତାଙ୍କ ନିକଟକୁ ବାର୍ତ୍ତା ପ୍ରେରଣ କରିବାକୁ ଲାଗିଲେ । ତଥାପି ଯୋଗୀନ୍ ଆସିଲେନାହିଁ କି ସେ ଠାକୁରଙ୍କ ନିକଟକୁ କୌଣସି ଉତ୍ତର ପଠାଇବାକୁ ଆବଶ୍ୟକ ମଧ୍ୟ ମନେକଲେ ନାହିଁ । ଅନ୍ୟ କୌଣସି ଉପାୟ ନ ଦେଖି, ଶେଷରେ ଦିନେ ଠାକୁର କୌଣସି ଏକ ପରିିଚିତ ବ୍ୟକ୍ତିଙ୍କୁ ଡାକି କହିଲେ, ଅମୁକର ପୁତ୍ର କିଭଳିଆ ଲୋକ? କାନପୁର ଯିବା ପୂର୍ବରୁ ଏଠାରୁ କିଛି ପଇସା ତା ପାଖରେ ଥିଲା, ତାର ହିସାବ ବି ଦେଲାନାହିଁ, ଡାକିଲେ ବି ଆସୁନାହିଁ । ଯାଇକରି ତାକୁ ଟିକିଏ ଜଣାଇ ଦେବ ତ ।
ଏ କଥା ଶୁଣି ଯୋଗୀନଙ୍କୁ ବଡ ଆଘାତ ଲାଗିଲା । ତାଙ୍କର ମନେ ପଡିଗଲା ଯେ, ଖଜାଞ୍ଚି ତାଙ୍କୁ କେତୋଟି ଜିନିଷ କିଣିବାପାଇଁ କିଛି ପଇସା ଦେଇଥିଲେ ଆଉ ସେଥିରୁ ବଳକା ହୋଇଥିବା ଚାରିଅଣା ପଇସା ତାଙ୍କୁ ଫେରାଇବାକୁ ବାକି ରହିଯାଇଛି, କାରଣ ଉପରୋକ୍ତ ବିବିଧ ପରିସ୍ଥିତିରେ ଫଶି ରହିଥିବା କାରଣରୁ ସେ କାଳୀମନ୍ଦିର ଯାଇପାରି ନାହାଁନ୍ତି । ପରେ ସେ ଯେତେବେଳେ ଭବିଷ୍ୟତରେ ପୁଣିଥରେ ଠାକୁରଙ୍କ ପାଖକୁ ନ ଯିବାପାଇଁ ନିଶ୍ଚୟ ନେଲେ, ସେତେବେଳେ ସେ ବିଚାର କଲେ ଯେ, ପଇସା ଅନ୍ୟ କାହା ହାତରେ ପଠାଇଦେବେ । ଠିକ୍ ଏହି ସମୟରେ ଠାକୁରଙ୍କର ଏହି ଅଭିଯୋଗ ତାଙ୍କ ନିକଟରେ ପହଞ୍ଚିଲା । ଏହାକୁ ନେଇ ଅଭିମାନ ତଥା ସଙ୍କୋଚରେ ଅଭିଭୂତ ହୋଇ ସେ ବିଚାର କଲେ ଯେ, ମୋର ସମସ୍ତ ଆଶା ତ ମଉଳିଗଲା, କିନ୍ତୁ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଏତେ ତଳକୁ ଖସିଯାଇନାହିଁ ଯେ, ଚୋରି କରିବି । କଣ ସେ ମୋତେ ଏତେ ଭୁଲ ଭାବିନେଇଛନ୍ତି? ଯାହା ବି ହେଉ, ଆଜି ଯାଇ ପଇସା ଫେରାଇ ଆସିବି । ବ୍ୟଥିତ ହୃଦୟରେ ଯୋଗୀନ୍ ଧୀରେ ଧୀରେ ଦକ୍ଷିଣେଶ୍ୱର ଉଦ୍ୟାନ ଆଡକୁ ଚାଲିଲେ । ଠାକୁରଙ୍କ କୋଠରୀରେ ପହଞ୍ଚି ଦେଖଲେ କି, ସେହି ଛୋଟ ଚଉକି ଉପରେ ଦିଗମ୍ବର ବସିଛନ୍ତି । ଯୋଗୀନଙ୍କୁ ଦେଖବା ମାତ୍ରେ ସେ ଛୋଟ ପିଲାଭଳି ଧୋତିକୁ ଧରି ଧରି ପାଖକୁ ଆସିଲେ । ଅନେକ ଦିନ ଧରି ଉପେକ୍ଷିତ ନିଧିକୁ ଅଚାନକ ସମ୍ମୁଖରେ ପାଇ ଭାବମୟ ପୁରୁଷଙ୍କର ଭାବାବେଗ ବଢ଼ିଗଲା । ଆଜି ଯେମିତି କୌଣସି ଅଦ୍ଭୂତ ଶକ୍ତି ତାଙ୍କ ଶରୀର ମନକୁ ଆଲୋଡିତ କରିପକାଉଛି । ଯୋଗୀନଙ୍କ ହାତଧରି ସେ କହିଲେ, ବିବାହ କଲୁ ତ କଣ ହେଲା? ମୁଁ ବି ତ ବିବାହ କରିଛି । ବିବାହ କରିଛୁ ତ ଏଥିରେ ଡରିବାର କଣ ଅଛି? (ନିଜ ଛାତି ଉପରେ ହାତରଖି) ଏହାଙ୍କର କୃପା ରହିଲା ତ ଗୋଟିଏ କାହିଁକି ଲକ୍ଷ ସଂଖ୍ୟାରେ ବିବାହ କରିବାପରେ ବି ତୋର କିଛି ବିଗିଡିଯିବ ନାହିଁ । ଯଦି ତୋର ସଂସାରରେ ରହିବାପାଇଁ ଇଚ୍ଛା ହୁଏ ତେବେ ଦିନେ ପତ୍ନୀକୁ ଏଠାକୁ ନେଇଆସିବୁ । ତାକୁ ଏଭଳି ଭାବରେ ଗଢ଼ିତୋଳିବି ଯେ, ସେ ତୋ ଧର୍ମପଥରେ ସହାୟକ ହେବ-ବାଧା କଦାପି ଦେବନାହିଁ । ଆଉ ଯଦି ସଂସାର କରିବାର ଇଚ୍ଛା ନ ହୁଏ ତେବେ କହିବୁ, (ମୁଁ) ତୋର ମାୟା ମମତା ସବୁକୁ ଖାଇଯିବି ।
— ଶ୍ରୀରାମକୃଷ୍ଣ ଭକ୍ତଙ୍କ କଥା-୨ ପୁସ୍ତକରୁ

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.