Last updated on August 21, 2022
ଏହିପରି ଭାବରେ ପ୍ରତ୍ୟହ ଜଗନ୍ନାଥଙ୍କର ତ୍ରିକାଳ ପୂଜା କରାଇବ । ଅଧିକାରୀଙ୍କ ବ୍ୟତୀତ ଅନ୍ୟ କେହି ପୂଜା ଗୃହରେ ପ୍ରବେଶ କରିବ ନାହିଁ ।।
ଜଗନ୍ନାଥଙ୍କ ପୂଜା ସମୟରେ ପୂଜାଗୃହର ସମ୍ମୁଖସ୍ଥ ଗୋଟିଏ ପ୍ରକୋଷ୍ଠର ଦ୍ୱାର ନିରୋଧ କରିବ ।।
ପୂଜା ସମୟରେ ଦ୍ୱାରପାଳମାନେ ଖୁବ୍ ଜାଗରୁର ରହିବେ । ଏହି ସମୟରେ ଯଦି ଯତି, ବ୍ରାହ୍ମଣ କିମ୍ବା ଅନ୍ୟକେହି ପୂଜା ଗୃହରେ ପ୍ରବେଶ କରିବେ ତେବେ ସମସ୍ତ ଭୋଗ ପୋତି ଦେବାକୁ ହେବ । ପୁଣି ପୂଜକଦ୍ୱାରା ଶୁଚି ହୋଇ ଠାକୁରଙ୍କର ସ୍ନାନ କରାଇବା ବିଧେୟ ।।
ସେହି ଅବସରରେ ପୂଜା ପ୍ରକୋଷ୍ଠକୁ ପୁନର୍ବାର ଜଳରେ ଧୌତକରି ନାନାବିଧ ନୈବେଦ୍ୟ ଦ୍ୱାରା ପରମେଶ୍ୱର ଜଗନ୍ନାଥଙ୍କୁ ସନ୍ତୁଷ୍ଟ କରାଇବ ।।
ହେ ରାଜା ! ପୂଜା ସମୟରେ ଯଦି ଆଚାର୍ଯ୍ୟ ଲୋଭବଶତଃ ନୈବେଦ୍ୟ ଉପରେ ଦୃଷ୍ଟି ପକାନ୍ତି ତେବେ ସେ ସବୁ ରାକ୍ଷସମାନଙ୍କର ଭୋଗ୍ୟ ପଦାର୍ଥ ହୋଇଯାଏ । (ଅର୍ଥାତ୍ ଦେବଯୋଗ୍ୟ ହେବନାହିଁ) ଏଥିରେ ସନ୍ଦେହ ନାହିଁ ।।129।।
ହେ ରାଜା ! ନୈବେଦ୍ୟ ଉପରେ ଦୃଷ୍ଟି ପକାଇ ଯଦି ଆଚାର୍ଯ୍ୟ ସେହି ନୈବେଦ୍ୟକୁ ଠାକୁରଙ୍କୁ ଭୋଗ ଲଗାଇବେ ତେବେ ସେ ଆଚାର୍ଯ୍ୟ ଦେବତାଙ୍କର ଶହେ ବର୍ଷ ପର୍ଯ୍ୟନ୍ତ ରାକ୍ଷସଯୋନିରେ ଜନ୍ମ ହୋଇ ଭ୍ରମଣ କରିଥାନ୍ତି ।।
ଏହି ଦୋଷରୁ ରାଜା ବିଷ୍ଣୁଦ୍ରୋହଜନିତ ପାପ ଅର୍ଜନ କରିବେ । ତାଙ୍କର ପୁତ୍ର ପତ୍ନୀ ନାଶ ଯିବେ । ସେ ଅତି ଦୁଃଖରେ କାଳାତିପାତ କରିବେ ।।
ମୃତ୍ୟୁପରେ ପରଲୋକରେ ସେ ଅତି ଦୁସ୍ତର ନରକକୁ ଯିବାକୁ ବାଧ୍ୟ ହେବେ । ହେ ରାଜା ! ସେଥିପାଇଁ ଶାସ୍ତ୍ରାନୁସାରେ ଏହିକାର୍ଯ୍ୟ କରିଥିବା ଅପରାଧୀମାନଙ୍କୁ ଦଣ୍ଡ ଦେବାକୁ ଭୁଲିବ ନାହିଁ ।।132।।
ମୁଁ ଯେଉଁ ବିଧିବିଧାନମାନ କହିଅଛି, ତଦନୁସାରେ ଜଗନ୍ନାଥଙ୍କର ପ୍ରାତଃକାଳୀନ ପୂଜା ସମ୍ପାଦନ କରିବ ।।133।।
ସୂତ କହିଲେ— ହେ ଋଷିଗଣ ! ଯେଉଁ ଲୋକମାନେ ଭଗବାନ୍, ଲକ୍ଷ୍ମୀପତି, ଜଗନ୍ନାଥଙ୍କର ଦୈନନ୍ଦିନ ପ୍ରାତଃକାଳୀନ ବିଧି ଓ ବିଧାନଯୁକ୍ତ ଭାବରେ ପୂଜା କରନ୍ତି, ଦର୍ଶନ କରନ୍ତି, ଶୁଣନ୍ତି କିମ୍ବା ସଂସାରରେ ଆଲୋଚନା କରନ୍ତି ସେମାନେ ଅତିଶୀଘ୍ର ଭବସାଗରକୁ ଅତିକ୍ରମ କରି ବିଷ୍ଣୁଙ୍କ ପ୍ରୀତି ଭାଜନ ହୁଅନ୍ତି ।।134।।
ଏହିପରି ଭାବରେ ସୁତସଂହିତା ଅନ୍ତର୍ଗତ ନୀଳାଦ୍ରି ମହୋଦୟସ୍ଥ ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟର ସପ୍ତମ ଅଧ୍ୟାୟ ସମାପ୍ତ ହେଲା ।।135।।
ଅଷ୍ଟମ ଅଧ୍ୟାୟ (ଶ୍ରୀଜଗନ୍ନାଥଙ୍କ ମଧ୍ୟାହ୍ନ ପୂଜା ବିଧାନ)
ହେ ବିପ୍ରଗଣ ! ଇନ୍ଦ୍ରଦ୍ୟୁମ୍ନ ମହାରାଜ ବ୍ରହ୍ମାଙ୍କ ମୁଖରୁ ଶ୍ରୀଜଗନ୍ନାଥଙ୍କର ବିଧିପୂର୍ବକ ପ୍ରାତଃକାଳୀନ ପୂଜାସମ୍ପର୍କରେ ସକଳ ବିଷୟ ଶୁଣି କୃତାର୍ଥ ହେଲେ ।।1।।
ଯେହେତୁ ଇନ୍ଦ୍ରଦ୍ୟୁମ୍ନ ମହାରାଜ ରାଜନ୍ୟମଣ୍ଡଳୀରେ ଯେପରି ଶିରୋମଣି ସଦୃଶ ସେହିପରି ଭକ୍ତମାନଙ୍କ ମଧ୍ୟରେ ସେ ଅଗ୍ରଗଣ୍ୟ । ତେଣୁ ସେ ଜଗନ୍ନାଥଙ୍କର ମଧ୍ୟାହ୍ନ ପୂଜାର ବିଧିବିଧାନ ଜାଣିବାପାଇଁ ବ୍ରହ୍ମାଙ୍କୁ ପଚାରିଲେ ।।2।।
ଇନ୍ଦ୍ରଦ୍ୟୁମ୍ନ କହିଲେ — ହେ ବ୍ରହ୍ମା ! ତୁମ୍ଭର ଅନୁଗ୍ରହରୁ ମୁଁ ଭଗବାନଙ୍କର ପ୍ରାତଃ ପୂଜା ସମ୍ପର୍କରେ ସବୁ ଶୁଣିଲି । ବର୍ତ୍ତମାନ ମଧ୍ୟାହ୍ନ ପୂଜା ସମ୍ପର୍କରେ ମୋତେ ଶୁଣାଇ କହିବା ହୁଅନ୍ତୁ ।।3।।
ହେ ମହାମତି ! ନୀଳାଚଳ ପତି ହରିଙ୍କର ମଧ୍ୟାହ୍ନ ପୂଜାର ବିଧିବିଧାନ କୀଦୃଶ ତାହା ମୋତେ ଅତି ଶୀଘ୍ର କହିବା ହୁଅନ୍ତୁ ।।4।।
ହେ ଦ୍ୱିଜଗଣ ! ଇନ୍ଦ୍ରଦ୍ୟୁମ୍ନଙ୍କର ବିଷ୍ଣୁଙ୍କଠାରେ ଥିବା ଦୃଢ଼ଭକ୍ତିକୁ ଜାଣି, ତାଙ୍କ ପ୍ରଶ୍ନ ଶୁଣି ପ୍ରଜାପତି ବ୍ରହ୍ମା କହିବାକୁ ଆରମ୍ଭ କଲେ ।।5।।
ବ୍ରହ୍ମା କହିଲେ — ହେ ରାଜା ଶୁଣ, ନୀଳାଚଳ ପତି ହରିଙ୍କର ମଧ୍ୟାହ୍ନ ପୂଜାବିଧି ସଂକ୍ଷେପରେ କହୁଅଛି ।।6।।
ହେ ରାଜା ! ମଧ୍ୟାହ୍ନ ସମୟରେ ଜଗନ୍ନାଥଙ୍କର ଶ୍ରୀଅଙ୍ଗରୁ ପୁଷ୍ପମାଲ୍ୟ ଏବଂ ବସ୍ତ୍ର ପ୍ରଭୃତି ଧୀରେ ଧୀରେ ବାହାରକରି ପୂର୍ବପରି ସ୍ନାନସଂସ୍କାରାଦି ଯଥାବିଧି କରିବ ଏବଂ ମଧ୍ୟାହ୍ନପୂଜାର ଉପଯୋଗୀ ଭୂଷଣ ଦ୍ୱାରା ପ୍ରଭୁଙ୍କ ଶ୍ରୀଅଙ୍ଗକୁ ବିଭୂଷିତ କରିବ ।।7।।
ପ୍ରତିହାରଙ୍କ ଦ୍ୱାରା ପ୍ରେରିତ ହୋଇ ଚରୁହୋତା ପୂର୍ବପରି (ପ୍ରାତଃ ପୂଜାପରି) ମଧ୍ୟାହ୍ନ ପାଇଁ ଉଦ୍ଦିଷ୍ଟ ନୈବେଦ୍ୟ ଆଣି ରଖିବେ ।।8।।
ପ୍ରଥମେ ମୁଗ ଏବଂ ଲବଣ ମିଶ୍ରିତ, ଘୃତ ଦ୍ୱାରା ଜର୍ଜରିତ ଦିବ୍ୟ ଅନ୍ନ ବ୍ୟଞ୍ଜନ ସହିତ ରଖିବ । ହେ ରାଜା ! ଏହି ଅନ୍ନ ଶାଳିଧାନର ତଣ୍ଡୁଳରେ ଅର୍ଥାତ୍ ହେମନ୍ତଋତୁରେ ଅମଳହୋଇଥିବା ଧାନର ତଣ୍ଡୁଳରେ ପ୍ରସ୍ତୁତ ହୋଇଥିବା ଆବଶ୍ୟକ । ଏହା ସହିତ ନାନା ବ୍ୟଞ୍ଜନମାନ ମଧ୍ୟ ରଖିବ ।।9-10।।
ନାନାପ୍ରକାର ଘୃତ ପାକ ପିଠା, କର୍ପୂର, ମିଶ୍ରି, ଦୁଗ୍ଧ, ଶର୍କରା ମିଶ୍ରିତ ଛେନା ଆଦି ବାଢ଼ିବେ । ଏତାଦୃଶ ନୈବେଦ୍ୟ ହୃଷୀକେଶ ଜଗନ୍ନାଥଙ୍କୁ ସମର୍ପଣ କରିବା ଅତି ଉତ୍ତମ ଅଟେ ।।11-12।।
ଶଙ୍ଖ ପ୍ରଭୃତି ଉପଚାରରେ ପୂର୍ବପରି ଠାକୁରଙ୍କର ପୂଜା କରିବ । ଠାକୁରଙ୍କ ସମ୍ମୁଖରେ ମଧ୍ୟାହ୍ନ ଧୂପ ସମୟରେ ନାନା ମହୋତ୍ସବମାନ କରିବା ଭଲ ।।13।।
ପୂଜା ସମୟରେ ପ୍ରଭୁଙ୍କ ଶ୍ରୀଅଙ୍ଗରେ ମଣ୍ଡିତ କରାଯାଇଥିବା ପୁଷ୍ପମାଲ୍ୟ ଏବଂ ବସ୍ତ୍ର ପ୍ରଭୃତି ପୂଜାଶେଷରେ ଧୀରେ ଧୀରେ ଉଲାଗି କରିଦେବ ।।14।।
ପୁଣି ନାନା ମାଲ୍ୟ ଏବଂ ବସ୍ତ୍ରଦ୍ୱାରା ପ୍ରଭୁଙ୍କର ଶ୍ରୀଅଙ୍ଗକୁ ବିମଣ୍ଡିତ କରିବ । ତାହାପରେ ଚଉବର୍ଗ ଦାତା ଜଗନ୍ନାଥଙ୍କୁ ସ୍ତୁତି କରିବ ।।15।।
ପୃଥକ୍ ପୃଥକ୍ ଖଟ ଏବଂ ଶେଯରେ ଜଗନ୍ନାଥଙ୍କୁ ଶୟନ କରାଇବାର ବ୍ୟବସ୍ଥା କରିବ । ଚାଉଳ ପିଠଉରେ ଦୀପ ବର୍ତ୍ତିକାଖଞ୍ଜି ଆରତି କରାଇବ ।।16।।
ତାହାପରେ ଜଗନ୍ନାଥଙ୍କୁ ଶୟନ କରାଇବାପରେ ଦୀପ ଲିଭାଇ କବାଟ ବନ୍ଦ କରିଦେବ ।।17।।
ଏହିପରି ଭାବରେ ଠାକୁରଙ୍କର ମଧ୍ୟାହ୍ନକାଳୀନ ଶୟନ ପ୍ରତ୍ୟହ ଅତିଆନନ୍ଦରେ କରାଇବ । ସନ୍ଧ୍ୟା ହେବାର ପୂର୍ବରୁ ଦଣ୍ଡେ ଥାଇ ଦ୍ୱାର ଖୋଲିବ ।।18।।
ତାହାପରେ ପ୍ରଭୁଙ୍କ ନିଦ୍ରାଭଙ୍ଗ କରାଇ ଖଟ ଶେଯ ଉଠାଇନେବ । ଦ୍ୱାର ଖୋଲିବାବେଳେ ଦୀପଜାଳି ଦ୍ୱାର ଖୋଲିବ । ଏହି କାର୍ଯ୍ୟ ସକଳ ଅଧିକାରପ୍ରାପ୍ତ ନିର୍ଦ୍ଦିଷ୍ଟ ସେବକମାନଙ୍କଦ୍ୱାରା ଆଦର ସହକାରେ ସମ୍ପାଦନ କରିବ ।।19।।
ତାହାପରେ ସଂଯତ ହୋଇ ଆଚାର୍ଯ୍ୟ ସନ୍ଧ୍ୟାକର୍ମ କରି, ପୂର୍ବପରି ଭକ୍ତି ସହକାରେ ସନ୍ଧ୍ୟାପୂଜା ଆରମ୍ଭ କରିବେ ।।20।।
ସନ୍ଧ୍ୟାଧୂପରେ ଦହି, ଅଦା, ଜୀରା ଓ ଲୁଣ ମିଶ୍ରିତ ସଜ ପଖାଳ ଜଗନ୍ନାଥ (ଦୈତାରି)ଙ୍କ ଉଦ୍ଦେଶ୍ୟରେ ଆନନ୍ଦରେ ଅର୍ପଣ କରିବ ।।21।।
ତାହାସହିତ ଘିଅରେ ଭଜା ହୋଇଥିବା ପରିବା, ଶାଗ, ଅମ୍ଳରସଯୁକ୍ତ ଅତି ସୁସ୍ୱାଦୁ ଖଟା, ଅନ୍ନ, ମିଶ୍ରିଗୁଣ୍ଡ ଛିଞ୍ଚାହୋଇଥିବା ନାନାପ୍ରକାର ଘୃତ ପକ୍ୱ ଅତି ଉତ୍ତମ ପିଠା କେଶବଙ୍କୁ ସମର୍ପଣ କରିବ ।।22।।
ରାତ୍ରିରେ ପଖାଳ ସହ, ଶାଗ, ପନିପରିବାରେ ପ୍ରସ୍ତୁତ ବ୍ୟଞ୍ଜନ, ଆମ୍ବିଳ ଏବଂ ନାନାବର୍ଣ୍ଣର ପିଠା ଜଗନ୍ନାଥ (କୃଷ୍ଣ)ଙ୍କୁ ଅର୍ପଣ କରିବ । କଦାପି ଗରମ ପଖାଳ ଅନ୍ନ ପରିବେଷଣ କରିବ ନାହିଁ । ସନ୍ଧ୍ୟାପରେ ଗରମ ଅନ୍ନ ପରିବେଷଣ କଲେ ପ୍ରଭୁ କଦାପି ସନ୍ତୁଷ୍ଟ ହୋଇନଥାନ୍ତି ।
ତେଣୁ ହେ ରାଜା ନକ୍ତ (ସନ୍ଧ୍ୟା) କାଳୀନଧୂପରେ କଦାପି ଗରମ ଅନ୍ନପରିବେଷଣ କରିବ ନାହିଁ । ଏହିପରି ମହାପ୍ରଭୁ (ବିଷ୍ଣୁ)ଙ୍କର ତ୍ରିକାଳପୂଜା କରିବ ।।23-25।।
ହେ ରାଜା ! ଯେଉଁ ପୂଜାରେ ଯେପରି ଭାବନା କରିବ, ତାହା ମୁଁ ବର୍ଣ୍ଣନା କରି କହୁଅଛି । ତୁମ୍ଭେ ଧୀର ସ୍ଥିର ଚିତ୍ତରେ ଶ୍ରବଣକର ।।26।।
ଜଗନ୍ନାଥଙ୍କ ସର୍ବପ୍ରଥମ ପ୍ରାତଃକାଳୀନ ପୂଜାରେ ବୃନ୍ଦାବନସ୍ଥ ବାଳକୃଷ୍ଣଙ୍କର ରୂପକୁ ଭାବନା କରିବ ।
ମଧ୍ୟାହ୍ନ ପୂଜାରେ ବିଷ୍ଣୁ ଜଗନ୍ନାଥଙ୍କୁ ବୃନ୍ଦାବନକୁ ଯାଉଥିବା କୋଟି କନ୍ଦର୍ପ ପରି ସୁନ୍ଦର କିଶୋର କୃଷ୍ଣ ଭାବରେ ଭାବନା କରିବ ।
ଜଗନ୍ନାଥଙ୍କୁ ସନ୍ଧ୍ୟାକାଳୀନ ପୂଜାରେ ରୁକ୍ମିଣୀ ସତ୍ୟଭାମାଦିଙ୍କ ସହିତ ପ୍ରେମୋଲ୍ଲାସରେ ମଜ୍ଜିଥିବା ଦ୍ୱାରକାପୁରୀରେ ଥିବା କୃଷ୍ଣଙ୍କ ଭାବନା କରିବ ।
ପୂଜକ ତିନିକାଳରେ ପ୍ରଭୁଙ୍କୁ ଏହିପରି ଭାବରେ ଧ୍ୟାନ କରିବେ । ପୂଜାପରେ ପ୍ରଭୁଙ୍କୁ ତାମ୍ବୁଳଦାନ କରିବ । କାରଣ ତାମ୍ବୁଳଦାନ ନ କଲେ ପ୍ରଭୁ ସନ୍ତୁଷ୍ଟ ହୁଅନ୍ତି ନାହିଁ ।।27-30।।
ହେ ରାଜା ! ପ୍ରାତଃ ଓ ମଧ୍ୟାହ୍ନ ପୂଜାରେ ପ୍ରଭୁଙ୍କୁ କର୍ପୂର ଆରତି କରିବ ।
କର୍ମକାଣ୍ଡବିଦ୍ ଆଚାର୍ଯ୍ୟ ସନ୍ଧ୍ୟାକାଳୀନ ପୂଜାରେ ସାତବାର ଆରତି କରିବେ ।
ଏହାପରେ ପିଠଉ ବତୀରେ ଆରତି କରିବ । ଏହି ମହା ଆରତି ସ୍ୱର୍ଣ୍ଣପାତ୍ରରେ କରାଯିବ ।
ଏହିପରି ବିଷ୍ଣୁଙ୍କର ଚାରିପ୍ରକାର ନୀରାଜନା ଅର୍ଥାତ୍ ଭ୍ରମତ୍ରୁଟିଶୂନ୍ୟ ଆରତି ନିଶ୍ଚୟ କରିବ । ବିଷ୍ଣୁଙ୍କର ଉକ୍ତ ତ୍ରିକାଳ ପୂଜା ବ୍ରହ୍ମବାଦୀ ବ୍ରାହ୍ମଣମାନଙ୍କ ଦ୍ୱାରା ଯିଏ ଶ୍ରଦ୍ଧାଭକ୍ତି ସହକାରେ କରାନ୍ତି ତାଙ୍କର ଯାହା ଫଳହୁଏ ତାହା ମୁଁ କହିବି । ହେ ରାଜନ୍ ! ଏକାଗ୍ର ଚିତ୍ତରେ ଶ୍ରବଣ କର ।।31-35।।
ସହସ୍ର ଅଶ୍ୱମେଧ ଯଜ୍ଞ କଲେ, ଲକ୍ଷେ ଗୋଦାନ କଲେ, ଲକ୍ଷେ ରଥଦାନ କଲେ ଯେଉଁ ଫଳ ମିଳେ, ଜଗନ୍ନାଥଙ୍କୁ ଏହିପରି ଭାବରେ ପୂଜା-ଅର୍ଚ୍ଚନା କଲେ ସେହି ଫଳ ମିଳେ । ବିଷ୍ଣୁଲୋକରେ ସେ କୋଟି କଳ୍ପ ପର୍ଯ୍ୟନ୍ତ ନିବାସ ଅବସର ମିଳେ ।।36-37।।
ବିଧିପୂର୍ବକ ଅନୁଷ୍ଠିତ ହେଉଥିବା ଜଗନ୍ନାଥଙ୍କର ଏହି ତ୍ରିକାଳପୂଜାକୁ ଯେଉଁମାନେ ଭକ୍ତି ଓ ଶ୍ରଦ୍ଧାପୂର୍ଣ୍ଣ ହୃଦୟରେ ଦର୍ଶନ କରନ୍ତି ସେମାନେ ପରମ ପଦକୁ ଲାଭ କରନ୍ତି ।।38।।
ଏହି ତିନିକାଳର ପୂଜାରେ ଜଗନ୍ନାଥଙ୍କୁ ଯେଉଁ ତୁଳସୀପତ୍ର ଅର୍ପଣ କରାଯାଏ ତାହାଙ୍କୁ ପାଇବା ମାତ୍ରକେ ସେବା କରୁଥିବା ବ୍ୟକ୍ତି ମହାପାପରୁବି ମୁକ୍ତ ହୁଏ । ଜଗନ୍ନାଥ ପ୍ରୀତ ହୋଇ ତାହାଙ୍କୁ ନିଜପଦ (ବିଷ୍ଣୁଲୋକ ବା ବୈକୁଣ୍ଠ) ପ୍ରଦାନ କରିଥାନ୍ତି ।।39।।
କୁଷ୍ଠବ୍ୟାଧିଗ୍ରସ୍ତ ମନୁଷ୍ୟ ଯଦି ଜଗନ୍ନାଥଙ୍କ ତ୍ରିକାଳପୂଜାର ତୁଳସୀ ଭକ୍ଷଣକରେ ତେବେ ମାସକ ମଧ୍ୟରେ ସେ ସେହିରୋଗରୁ ମୁକ୍ତ ହୋଇ କନ୍ଦର୍ପପରି ସୁନ୍ଦର ହୋଇଯାଏ ।।40।।
ହେ ରାଜା ! ଯେଉଁଠି ଯେଉଁଠି ଯେପରି ନୈବେଦ୍ୟ ନିବେଦନ କରିବା ପାଇଁ କୁହାଯାଇଅଛି ତାହା ନ କରି ସେଥିରେ ବ୍ୟତିକ୍ରମ କଲେ ପୂଜା ବିଫଳ ହୁଏ । ଏହି ବ୍ୟତିକ୍ରମ ଯୋଗୁଁ ଦେବଦେବ ଜଗନ୍ନାଥ ପ୍ରୀତ ହୁଅନ୍ତି ନାହିଁ ।।41-42।।
ତେଣୁ ଯତ୍ନପୂର୍ବକ କୁହାଯାଇଥିବା ନୈବେଦ୍ୟକୁ ଯଥା ସମୟରେ ଭଗବାନଙ୍କ ପୂଜାରେ ଯଥାବିଧି ଅର୍ପଣ କରିବ ।।43।।
ପୂଜାକାଳ ଗଡ଼ିଗଲେ ବା ସେଥିରେ ବ୍ୟତିକ୍ରମ କଲେ ପ୍ରଭୁ ପୂଜା ଗ୍ରହଣ କରନ୍ତି ନାହିଁ । ତେଣୁ ହେ ରାଜନ ! ପ୍ରଭୁଙ୍କର ପୂଜନ-ଅର୍ଚ୍ଚନର ସମୟକୁ ସାବଧାନ ହୋଇ ଅବଶ୍ୟ ମାନିବ ।।44।। (କ୍ରମଶଃ
Be First to Comment