Press "Enter" to skip to content

ନୀଳାଦ୍ରି ମହୋଦୟ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ-6

Last updated on August 13, 2022

ତୃତୀୟୋଽଧ୍ୟାୟଃ (ଭାଗ-୨)


ସୂତ କହିଲେ— ତାହା ପରେ ରାଜା ! ନାରଦଙ୍କୁ ଆଗୁସାର କରି ପୁରୋହିତଙ୍କ ସହିତ ନୀଳପର୍ବତର ଚୁଡା ଆରୋହଣ କଲେ । ତାପରେ ଅତି ଆନନ୍ଦମନରେ ସମସ୍ତେ କୃଷ୍ଣ ଅଗୁରୁ ବୃକ୍ଷର(କଳ୍ପବୃକ୍ଷ) ମୂଳଦେଇ ପ୍ରବେଶ କଲେ ଯେଉଁଠି ଭୟ ଧ୍ୱଂସକାରୀ ଭଗବାନ୍ ନୃସିଂହ ଅବସ୍ଥାନ କରିଛନ୍ତି । ତାପରେ ହିରଣ୍ୟକଶିପୁ ନାମକ ଅସୁରଙ୍କୁ ବିଦାରଣ କରୁୁଥିବା କୋଟିସୂର୍ଯ୍ୟଙ୍କର ଦୀପ୍ତିରେ ଦୀପ୍ତିମାନ୍ ହୋଇଥିବା ଭୟାବହ ନୃସିଂହଙ୍କର ବିଗ୍ରହ ଦର୍ଶନ କଲେ । ସେ ଚାରିବାହୁରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥିଲେ । କର୍ଣ୍ଣରେ କିରୀଟ ଅଳଙ୍କୃତ କରିଥିଲେ । ବିସ୍ତାରିତ ମୁଖରେ ଅଟ୍ଟହାସ୍ୟ ପ୍ରକାଶ କରୁଥିଲେ । ଚନ୍ଦ୍ର, କୁନ୍ଦପୁଷ୍ପ ଓ ଶଙ୍ଖର ଧବଳିମା ପରି ସେ ଏପରି ଉଜ୍ଜ୍ୱଳ ବର୍ଣ୍ଣ ହୋଇଥିଲେ ଯେ ଦେବତା କିମ୍ବା ଅସୁର ତାଙ୍କୁ କେହି ଦର୍ଶନ କରିବାକୁ ସମର୍ଥ ହୋଇପାରୁନଥିଲେ । ସେପ୍ରକାର ପ୍ରଭୁଙ୍କୁ ସମସ୍ତେ ନାରଦଙ୍କ ଯୋଗୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କଲେ ॥୬୪ ॥
ତାହାପରେ ଅତି ଦୈନ୍ୟ ପ୍ରକାଶ କରୁଥିବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ନାରଦ କହିଲେ— ହେ ନୃପଶ୍ରେଷ୍ଠ ! ଦେବ ଦେବ ନରସିଂହଙ୍କୁ ତୁମ୍ଭେ ଦର୍ଶନ କର  ॥୬୫ ॥ ନାରଦ କହିଲେ— ହେ ରାଜା ! ଯାହାଙ୍କୁ ଦର୍ଶନ କରିବା ମାତ୍ରେ ସକଳ ମହାପାପ ଭସ୍ମୀଭୂତ ହୋଇଯାଏ, ତୁମ୍ଭେ ଆଜିଠାରୁ ତାଙ୍କୁ ପୂଜା ଅର୍ଚ୍ଚନା କର  ॥ ଦାରୁବ୍ରହ୍ମ ସ୍ୱରୂପରେ ବିଷ୍ଣୁ ଦର୍ଶନ ଦେବା ପର୍ଯ୍ୟନ୍ତ ତୁମ୍ଭେ ଏହାଙ୍କର ପୂଜା ଅର୍ଚ୍ଚନା କରୁଥାଅ  । ଏହି ନ୍ୟଗ୍ରୋଧତରୁ(କଳ୍ପବଟ) ସାକ୍ଷାତ୍ ବ୍ରହ୍ମସ୍ୱରୂପ ଅଟନ୍ତି  ॥ ହେ ରାଜା ! ଯୋଜନେ ପର୍ଯ୍ୟନ୍ତ ଏହି ଦେବବୃକ୍ଷ ସମସ୍ତଙ୍କୁ ଦେଖାଯାଆନ୍ତି  । ଦୁଇଯୋଜନ ଏହାଙ୍କର ଉଚ୍ଚତା  । କଳ୍ପର ଶେଷ ପର୍ଯ୍ୟନ୍ତ ସେ ଏହିପରି ରୂପ ଧାରଣ କରିଥାଅାନ୍ତି  ॥ ଯାହାଙ୍କର ଛାୟାତଳେ ଆଶ୍ରୟ ନେଇଥିବା ଏବଂ ଯାହାଙ୍କର ଦର୍ଶନ ଲାଭ କରୁଥିବା ଲୋକେ ସିଧାସଳଖ ବୈକୁଣ୍ଠକୁ ଗମନ କରନ୍ତି, ତୁମ୍ଭେ ସେହି ଦେବତରୁଙ୍କୁ ପ୍ରଣାମ କର  । ହେ ରାଜେନ୍ଦ୍ର ! ତୁମ୍ଭେ ଏହି ବୃକ୍ଷକୁ ବିଷ୍ଣୁ ବୋଲି ଜ୍ଞାନ କରିବ  । ଏହି ବୃକ୍ଷର ପଶ୍ଚିମରେ ଏବଂ ନୃସିଂହଙ୍କର ଉତ୍ତରକୁ ନୀଳପର୍ବତ ଅବସ୍ଥିତ  ॥ ଏଠାରେ ନୀଳ ବିଗ୍ରହ ଧାରଣକରି ମାଧବ ଅବସ୍ଥାନ କରିଅଛନ୍ତି  । ଏପରି ଯେଉଁ ପ୍ରଭୁ ଅଟନ୍ତି, ସେ ତୁମ୍ଭଙ୍କୁ ଅନୁଗ୍ରହ କରିବେ  ॥ ହେ ରାଜା ! ଏଠାରେ ସେ ପ୍ରଭୁ ସପ୍ତମୂର୍ତ୍ତି ଧାରଣ କରିବେ  । ବିଷ୍ଣୁଙ୍କର ଶ୍ୱେତଦୀପ ଯେପରି ପ୍ରିୟ ଜମ୍ବୁଦ୍ୱୀପ ମଧ୍ୟ ସେହିପରି ପ୍ରିୟ ଅଟେ  ॥ ଏହି ଉଭୟ ଦ୍ୱୀପ ମଧ୍ୟରେ ମହାବିଷ୍ଣୁଙ୍କର ଅାବିର୍ଭାବ ହେବ  । ହେ ରାଜା ! ଯେହେତୁ ଭୂତଭାବନ ଭଗବାନ୍ ବିଷ୍ଣୁ ନାନା ପ୍ରକାର ଭୋଗ୍ୟ ଭୋଗ କରିଛନ୍ତି, ଅତଏବ ସେ ତୁମ୍ଭର ସ୍ତୁତି ଶୁଣିବେ ଏବଂ ନିଶ୍ଚିତ ଭାବରେ ଏଠାରେ ତାଙ୍କର ଆବିର୍ଭାବ ହେବ— ଏଥିରେ ଆଦୌ ସଂଶୟ କରନାହିଁ  ॥୬୬-୭୪ ॥
ସୂତ କହିଲେ— ନୃପ ଶିରୋମଣି ଇନ୍ଦ୍ରଦ୍ୟୁମ୍ନ ଜିତେନ୍ଦ୍ରିୟ ହୋଇ ନାରଦଙ୍କର ବଚନ ଶୁଣିବା ପରେ ସେହି ନୃସିଂହଙ୍କୁ ଉପାସନା ପୂର୍ବକ ସ୍ତୁତି କଲେ  ॥୭୫ ॥ ଏହାପରେ ଆକାଶରୁ ବାଣୀ ହେଲା— ହେ ଇନ୍ଦ୍ରଦ୍ୟୁମ୍ନ ମହାରାଜା ! ବ୍ରହ୍ମା ମୁନି ନାରଦଙ୍କୁ ପଠାଇଛନ୍ତି  ॥ ତାଙ୍କ ମାଧ୍ୟମରେ ଯଜ୍ଞର ବିଧିବିଧାନ ସେ ସୂଚାଇଛନ୍ତି  । ତେଣୁ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିପାରୁଥିବା ଯଜ୍ଞ ତୁମ୍ଭେ ବିଧି ଅନୁସାରେ ଅତିଶୀଘ୍ର ଅନୁଷ୍ଠାନ କର  ॥ ତୁମ୍ଭଦ୍ୱାରା ବିଷ୍ଣୁଙ୍କର ଆବିର୍ଭାବ ନିଶ୍ଚୟ ହେବ  । ଏଥିରେ ସଂଶୟ ନାହିଁ  । ଯେପରି ବିଷ୍ଣୁ, ସେହିପରି ବ୍ରହ୍ମା ଓ ସଦାଶିବ ଅଟନ୍ତି  ॥ ଏମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ  । ହେ ରାଜା ! ତୁମ୍ଭେ ଯଜ୍ଞର ଆୟୋଜନ କର  । ଏତାଦୃଶ ଆକାଶବାଣୀ ଶୁଣି ଭକ୍ତିତତ୍ପର ରାଜା ଅତି ଆନନ୍ଦିତ ହେଲେ ଏବଂ ଜିତେନ୍ଦ୍ରିୟ ହୋଇ ନାରଦଙ୍କ କହିବା ଏବଂ ଆକାଶବାଣୀ ମଧ୍ୟରେ ସାମ୍ୟ ଥିବାରୁ ସେହି ମତେ ସେ କାର୍ଯ୍ୟାରମ୍ଭ କଲେ  ॥୭୬-୮୦ ॥
ଆକାଶବାଣୀ ଶୁଣି ଅତି କୃତକୃତ୍ୟ ହୋଇ ରାଜା ‘‘ଏହା ବିଷ୍ଣୁଙ୍କର ଆଜ୍ଞା’’ ବୋଲି ହୃଦୟରେ ଧାରଣକଲେ  ॥ ପୁନଶ୍ଚ ନାରଦ ସେହି ନୃପଶ୍ରେଷ୍ଠଙ୍କୁ କହିଲେ (ହେ ରାଜନ୍) ଯେଉଁଠି ‘‘ନୀଳକଣ୍ଠ’’ ଅଛନ୍ତି, ତୁମ୍ଭେ ବର୍ତ୍ତମାନ ସେଠାକୁ ଯାଅ  ॥ ନୀଳକଣ୍ଠଙ୍କର ଦକ୍ଷିଣରେ ପୂର୍ବରୁ ବ୍ରହ୍ମାଙ୍କ ଦ୍ୱାରା ନିର୍ମିତ ହୋଇଥିବା ନରସିଂହଙ୍କର କ୍ଷେତ୍ର ରହିଅଛି  । ତାହା ଅଶ୍ୱମେଧ ଯାଗ ନିମନ୍ତେ ଅତି ପ୍ରଶସ୍ତ  ॥ ହେ ରାଜନ୍ ! ସେହି କ୍ଷେତ୍ରର ସମ୍ମୁଖରେ ତୁମ୍ଭେ ବର୍ତ୍ତମାନ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ମନୋରମ ପ୍ରାଚୀର ଦ୍ୱାରା ପରିବେଷ୍ଟିତ ପଶ୍ଚିମକୁ ମୁଖକରି ପ୍ରାସାଦ ନିର୍ମାଣ କର  ॥ ଗୋଟିଏ ଦ୍ୱୀପରୁ ଅନ୍ୟ ଏକ ଦ୍ୱୀପ ଯେପରି ପ୍ରଶସ୍ତତର  । ସକଳ ଆପଦ ଓ ବିଘ୍ନର ସଂହାରକର୍ତ୍ତା ତଥା ରାକ୍ଷସମାନଙ୍କର ବିନାଶକ ନୃସିଂହ ସେହିପରି ଅନ୍ୟମାନଙ୍କ ଠାରୁ ପ୍ରଶସ୍ତତର  । ତେଣୁ ତାଙ୍କୁ ସେଠାରେ ସ୍ଥାପନକର  ॥ ହେ ରାଜୋତ୍ତମ ! ସେହି କ୍ଷେତ୍ରଟି ଚନ୍ଦନ ବୃକ୍ଷମୂଳରୁ ଏକଶହ ଧନ୍ୱନ୍ତର(ଚାରିଶହ ହାତ) ଦୂରରେ ଅବସ୍ଥିତ  । ଏହା ପୂର୍ବରୁ ବ୍ରହ୍ମାଙ୍କ ଦ୍ୱାରା ନିର୍ମିତ ହୋଇଅଛି ବୋଲି ତୁମ୍ଭେ ଜାଣ  ॥ ହେ ନୃପଶ୍ରେଷ୍ଠ ! ମୁଁ ଏଠାରେ ତୁମ୍ଭ କାର୍ଯ୍ୟ ସିଦ୍ଧି ପାଇଁ ମାତ୍ର ପାଞ୍ଚଦିନ ଅବସ୍ଥାନ କରିବି  । ତେଣୁ ତୁମ୍ଭେ କାଲବିଳମ୍ବ ନ କରି ଶୀଘ୍ର ଯାଅ  ॥୮୧-୮୭ ॥
ନାରଦଙ୍କର ଆଜ୍ଞା ମାତ୍ରକେ ସେ ରାଜା ବିଳମ୍ବ ନ କରି ଶୀଘ୍ର ଗଲେ ଯେଉଁଠି ନୀଳକଣ୍ଠଙ୍କ ନିକଟରେ ତାଙ୍କର ସୈନ୍ୟମାନେ ଅବସ୍ଥାନ କରିଥିଲେ  ॥ ତାହାପରେ ରାଜା ସହସା ସେଠାକୁ ଯାଇ ବିଶ୍ୱକର୍ମା ବଂଶର ବର୍ଦ୍ଧକୀମାନଙ୍କ ସହାୟତାରେ ଅତି ମନୋରମ ପ୍ରାସାଦ ନିର୍ମାଣ କରାଇଲେ  ॥ ତାହାପରେ ସେହି ରାଜେନ୍ଦ୍ର ପ୍ରାସାଦର ନିର୍ମାଣ ନିମନ୍ତେ ନାନା ସମ୍ଭାରର ଆୟୋଜନ କଲେ  ॥ ଜ୍ଞାନସାଗର ମୁନିଶ୍ରେଷ୍ଠ ନାରଦ ସେହି ପ୍ରାସାଦରେ ଦୈତ୍ୟରାଜ ହିରଣ୍ୟକଶିପୁକୁ ବିଦାରଣ କରୁଥିବା ନୃସିଂହଙ୍କ ମୂର୍ତ୍ତିଙ୍କୁ ସ୍ଥାପନା କଲେ  ॥ ଏହା ଦ୍ୱାରା ଦ୍ୱୀପ-ଦ୍ୱୀପାନ୍ତର ପରି ମହୋତ୍ସବ ଲାଗି ରହିଲା  । ସେହି ମହୋତ୍ସବ ମଧ୍ୟରେ ମୁନି ନାରଦ ନୃସିଂହଙ୍କୁ ସ୍ଥାପନ କରି ପୂଜା ପୂର୍ବକ ସ୍ତୁତି କଲେ  ॥ ନାରଦଙ୍କ ସହିତ ଇନ୍ଦ୍ରଦ୍ୟୁମ୍ନ ମହାରାଜା ମଧ୍ୟ ନୃସିଂହଙ୍କୁ ଉପାସନା ପୂର୍ବକ ସ୍ତୁତିକଲେ  । ତାହାପରେ ମୁନିଶ୍ରେଷ୍ଠ ନାରଦ ପୁନଶ୍ଚ ରାଜାଙ୍କୁ କହିଲେ  ॥୮୮-୯୩ ॥
ନାରଦ କହିଲେ — ହେ ପ୍ରଜାପାଳନ ମହାରାଜ ! ତୁମ୍ଭେ ଗୋଟିଏ ଦୃଢ ତଥା ବିଶାଳ ଦିବ୍ୟଶାଳା ନିର୍ମାଣ କର  । ଯେଉଁଠି ପରବର୍ତ୍ତୀ ସମୟରେ ହଜାର ହଜାର ଅଶ୍ୱମେଧ ଯଜ୍ଞ କରାଯାଇପାରିବ  ॥ ତୁମ୍ଭେ ସେଠାରେ ଏପରି ଶାଲାଟିଏ ନିର୍ମାଣ କରିବ, ଯେଉଁଟି ଅନ୍ତତଃ ହଜାର ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବ  । ନାରଦଙ୍କ କହିବା ଅନୁସାରେ ଯଜ୍ଞପାଇଁ ସମ୍ଭାର ମଧ୍ୟ ଆୟୋଜନ କର  ॥୯୪-୯୫ ॥

ସୂତ କହିଲେ— ପୃଥିବୀପତି ସମ୍ରାଟ ଇନ୍ଦ୍ରଦ୍ୟୁମ୍ନ ଲୋକୋତ୍ତର ଦିବ୍ୟ ଶାଲାଟିଏ ନିର୍ମାଣ କରି ତିନିଭୁବନର ଅଧିବାସୀମାନଙ୍କୁ ସେଠାକୁ ନିମନ୍ତ୍ରଣ କଲେ  ॥୯୬ ॥ ରାଜା ସବୁ ଅଞ୍ଚଳରୁ ସମସ୍ତ ଲୋକଙ୍କୁ ସସମ୍ମାନେ ଆଣି ଯଥାବିଧି ସତ୍କାର କଲେ  ॥୯୭ ॥ େସଠାରେ ଆୟୋଜିତ ଯଜ୍ଞରେ ମୁନୀଶ୍ୱର ନାରଦ ଆଚାର୍ଯ୍ୟ ହୋଇ ସମସ୍ତ ମୁନିଗଣଙ୍କ ସହ ରାଜାଙ୍କ ଦ୍ୱାରା ଯଜ୍ଞକାର୍ଯ୍ୟ ସମ୍ପାଦନ କରାଇଲେ  ॥୯୮ ॥ ଏହିପରି ହଜାରେ ବର୍ଷ ବ୍ୟତୀତ ହୁଅନ୍ତେ ଅଶ୍ୱମେଧ ଯଜ୍ଞ ଯୋଗୁଁ ଭୂମଣ୍ଡଳରେ ଏହା ମହା ଅଦ୍ଭୁତ ଘଟଣା ଭାବରେ ପରିଗଣିତ ହେଲା  ॥୯୯ ॥ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ନୃସିଂହଙ୍କ ସମ୍ମୁଖରେ ଇନ୍ଦ୍ରଦ୍ୟୁମ୍ନ ମହାରାଜ ଯେଉଁ ଯଜ୍ଞ ସବୁ କରିଥିଲେ, ତାଦୃଶ ଯଜ୍ଞ ଭବିଷ୍ୟତରେ କେହି କରିପାରିବେ ନାହିଁ  । ଯଜ୍ଞ ସମାପ୍ତ ହୋଇସାରିବା ପରେ ସେ କୋଟିକୋଟି ଦାନ-ଦକ୍ଷିଣାଦି ଦେଇଥିଲେ  ॥୧୦୦ ॥

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.