ଶିକ୍ଷା ନିମନ୍ତେ ସମର୍ପଣ :
ପୁରାଣ ଯୁଗ କଥାକୁ ଟିକିଏ ମନେପକାଇବା । ଦେବତାମାନେ ଯୁଦ୍ଧରେ ଯେଉଁ ଅସୁରଗଣଙ୍କୁ ମାରିଦେଉଥିଲେ, ସେମାନଙ୍କୁ ଶୁକ୍ରାଚାର୍ଯ୍ୟ ପୁଣିଥରେ ସଞ୍ଜିବନୀ ବିଦ୍ୟାଦ୍ୱାରା ଜୀବିତ କରିଦେଉଥିଲେ । ଏଥିପାଇଁ ଦେବତାମାନଙ୍କର ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଲା । ଅନେକ ବିଚାରବିମର୍ଶ କରିବାପରେ ଶୁକ୍ରାଚାର୍ଯ୍ୟଙ୍କଠାରୁ ସଞ୍ଜିବନୀ ବିଦ୍ୟା ଶିକ୍ଷା କରିବାର ନିର୍ଣ୍ଣୟ ହେଲା । ହେଲେ ଅସୁରଗଣଙ୍କ ଭିତରେ ରହି ଶିକ୍ଷା କରିବାର ସାହସ କାହାର ବା ଅଛି ! ଶେଷରେ କଚ ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ ଯାଇ ବିଦ୍ୟା ଶିକ୍ଷା କରିବାର ସାହସ ଜୁଟାଇଲେ । ସେଠାରେ ତାଙ୍କୁ ଅସୁରସହପାଠୀଗଣଙ୍କର ଘୋର ବିରୋଧର ସମ୍ମୁଖୀନ ହେବାପାଇଁ ପଡ଼ୁଥିଲା । ଅନେକଥର ତାଙ୍କୁ କଷ୍ଟ ଦେଇ ମାରିଦିଆଗଲା, କିନ୍ତୁ ଶୁକ୍ରାଚାର୍ଯ୍ୟ ସଞ୍ଜିବନୀ ବିଦ୍ୟା ଦ୍ୱାରା ତାଙ୍କୁ ପୁନର୍ବାର ଜୀବିତ କରାଇଦେଉଥିଲେ । ସବୁପ୍ରକାର କଷ୍ଟ ସତ୍ତ୍ୱେ କଚ ସାହସ ହରାଇଲେ ନାହିଁ ବରଂ ନିଜର ଶିକ୍ଷା ପୂର୍ଣ୍ଣକରି ସଞ୍ଜିବନୀ ବିଦ୍ୟା ପ୍ରାପ୍ତ କରିନେଲେ । ଏଥିରୁ ଆମେ ଶିକ୍ଷା ଗ୍ରହଣ କଲୁ ଯେ, ଶିକ୍ଷା ପ୍ରାପ୍ତି ପାଇଁ ସମର୍ପଣର ଭାବନା ଏକାନ୍ତ ଆବଶ୍ୟକ ।
ଏହା ତ ଗଲା ପୌରାଣିକ ଯୁଗର କଥା, ବର୍ତ୍ତମାନ ଆମେ ଏହି ଆଧୁନିକ ଯୁଗର ବିଦ୍ୟାର୍ଥୀ ଏବଂ ସେମାନଙ୍କ ଶିକ୍ଷା ଆହରଣ ସମ୍ପର୍କରେ ଆଲୋଚନା କରିବା । ବର୍ତ୍ତମାନ ସମୟରେ ବିଦ୍ୟାର୍ଥୀ ନିଜର ଅଭିଭାବକମାନଙ୍କୁ ସୁବିଧା ଆଉ ଆବଶ୍ୟକତାର ପୂର୍ତ୍ତି ନିମନ୍ତେ ଅଝଟ କରୁଛନ୍ତି । ତନ୍ମଧ୍ୟରୁ ଅଧିକାଂଶ ବିଳାସପୂର୍ଣ୍ଣ ଆବଶ୍ୟକତା ଅଟେ । ଯେମିତି କି, ସେମାନେ ମୋବାଇଲ ନ ହେଲେ ବିଦ୍ୟାଳୟକୁ ଯିବାପାଇଁ ଇଚ୍ଛା କରୁ ନାହାଁନ୍ତି, ମଟରସାଇକେଲ, ସ୍କୁଟି ଆଦି ନ ହେଲେ ମହାବିଦ୍ୟାଳୟକୁ ଯିବାପାଇଁ ଚାହୁଁ ନାହାଁନ୍ତି, ଇତ୍ୟାଦି ଇତ୍ୟାଦି । ଜଣେ ସାଧାରଣ ବିଦ୍ୟାର୍ଥୀ ନିମନ୍ତେ ପୋଷାକର ସ୍ୱଚ୍ଛତା ପର୍ଯ୍ୟାପ୍ତ ଅଟେ, ହେଲେ ଆଜିର ବିଦ୍ୟାର୍ଥୀ ଦାମିକା ପୋଷାକ ପିନ୍ଧିବାପାଇଁ ଜିଦ୍ କରୁଛି । ବେଳେବେଳେ ସେମାନଙ୍କର ଏହି ଆବଶ୍ୟକତା ଅଭିଭାବକମାନଙ୍କ ଆୟ ବହିର୍ଭୁକ୍ତ ହୋଇଯାଏ, ତଥାପି କଷ୍ଟକରି ସେମାନେ ପିଲାମାନଙ୍କର ଇଚ୍ଛାକୁ ପୂରଣ କରିବାପାଇଁ ପ୍ରୟାସ କରନ୍ତି । ଏଥିପାଇଁ ସେମାନେ ନିଜର ଅତ୍ୟାବଶ୍ୟକ ଜିନିଷଗୁଡ଼ିକୁ ମଧ୍ୟ ବାଦ୍ ଦେଇଦିଅନ୍ତି । ବିଦ୍ୟାର୍ଥୀର ପ୍ରକୃତ ପରିଚୟ ହେଉଛି ବିଦ୍ୟାପ୍ରାପ୍ତି ନିମନ୍ତେ ସମର୍ପଣର ଭାବ । ବାସ୍ତବ କଥା ହେଉଛି ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରି ବିଦ୍ୟା ପୂର୍ଣ୍ଣ କରିବା କଠିନ କାର୍ଯ୍ୟ ଅଟେ । ବିଳାସପୂର୍ଣ୍ଣ ଜୀବନ ଅତିବାହିତ କଲେ ଆଳସ୍ୟ ଦେଖାଦିଏ । ଏହାର ବିପରୀତରେ ତପସ୍ୟା ଭାବରେ ବିଦ୍ୟା ଗ୍ରହଣ କଲେ ଗମ୍ଭୀରତା ଆସିଥାଏ ଏବଂ ବିଦ୍ୟାର୍ଥୀ ପ୍ରକୃତରେ ଜ୍ଞାନର ଅଧିକାରୀ ହୁଏ ।
ନୈତିକ ଏବଂ ଧାର୍ମିକ ଶିକ୍ଷାର ଆବଶ୍ୟକତା :
ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କର ପଥପ୍ରଦର୍ଶକ ଅଟନ୍ତି । ସେମାନେ ପିଲାମାନଙ୍କୁ ଯେଉଁଭଳି ଶିଖାନ୍ତି, ପିଲାମାନେ ସେହିଭଳି ଶିଖନ୍ତି । ଅଭିଭାବକମାନେ ପିଲାମାନଙ୍କ ଭିତରେ ଜ୍ଞାନପ୍ରାପ୍ତି ନିମନ୍ତେ ସମର୍ପଣ ଭାବନାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଯଦି ଅଭିଭାବକମାନେ ସେମାନଙ୍କୁ କେବଳ ରୋଜଗାରଉନ୍ମୁଖୀ ଶିକ୍ଷା ଦେବାପାଇଁ ପ୍ରୟାସ କରିବେ, ତେବେ ସେମାନଙ୍କଠାରେ ନୈତିକ ଶିକ୍ଷାର ଅଭାବ ହୋଇଯିବ । ଯାହା ସେମାନଙ୍କ ପିଲାମାନଙ୍କ ପାଇଁ, ନିଜ ପାଇଁ, ସମାଜ ତଥା ରାଷ୍ଟ୍ର ପାଇଁ ଅହିତକର ଅଟେ । ନୈତିକ ଶିକ୍ଷା ଏବଂ ପାଠ୍ୟକ୍ରମ ଅନ୍ତର୍ଗତ ଶିକ୍ଷା ଉଭୟର ସନ୍ତୁଳନ ଅତ୍ୟନ୍ତ ଆବଶ୍ୟକ । ବେଦ ଅନୁସାରେ—ଦ୍ୱେ ବିଦ୍ୟେ ବେଦିତବ୍ୟେ ଇତି ହ ସ୍ମ ଯଦ୍ବ୍ରହ୍ମବିଦୋ ବଦନ୍ତି ପରା ଚୈବାପରା ଚ । ବ୍ରହ୍ମଙ୍କ ଅବଗତକାରୀ ଏପ୍ରକାରେ ଦୃଢ଼ତାର ସହ କହିଥାନ୍ତି କି, ଦୁଇଗୋଟି ବିଦ୍ୟା ହିଁ ଜାଣିବାଯୋଗ୍ୟ ଅଟନ୍ତି—ଗୋଟିଏ ହେଉଛି ପରା (ବ୍ରହ୍ମ ବିଦ୍ୟା) ଏବଂ ଦ୍ୱିତୀୟଟି ଅପରା (ଜଗତ ସମ୍ବନ୍ଧୀ ବିଦ୍ୟା, ଯେପରି ଶିକ୍ଷା, ବ୍ୟାକରଣ ଆଦି ।
କିଛି ଅଭିଭାବକ ଏପରି ଚିନ୍ତା କରନ୍ତି କି, ପିଲାମାନଙ୍କୁ ପାଠ୍ୟକ୍ରମ ଭଲଭାବରେ ପଢ଼ାଇ, ଭଲ ନମ୍ବରରେ ସେମାନଙ୍କୁ ଉତ୍ତୀର୍ଣ୍ଣକରି, ସେମାନଙ୍କ ଜୀବନ ସଫଳ କରିଦେବେ । ହେଲେ ଯଦି ନୈତିକ ଶିକ୍ଷା ନରହେ, ତେବେ ସେମାନେ ଆର୍ଥିକ ରୂପେ ସୁଦୃଢ଼ ହେବାପରେ ମଧ୍ୟ ଅଶାନ୍ତିର ଶିକାର ହୋଇଯାନ୍ତି ଯାହାଫଳରେ ପୁରା ପରିବାରରେ ଅଶାନ୍ତି ଖେଳିଯାଏ । ଆଉ କିଛି ଲୋକଙ୍କର ଏଭଳି ଧାରଣା ଥାଏ ଯେ, ବୃଦ୍ଧାବସ୍ଥାରେ ହିଁ ଧର୍ମ ବିଷୟରେ ଶିକ୍ଷା ଲାଭ କରାଯାଏ । ହେଲେ ଧର୍ମର ଶିକ୍ଷା ଯଦି ବୃଦ୍ଧାବସ୍ଥାରେ ପ୍ରାପ୍ତ ହୁଏ, ତେବେ ପୁଣି ତାହାକୁ ପାଳନ କରିବାର ସମୟ କେବେ ମିଳିବ !
ଥରେ ଜଣେ ବିଦ୍ୟାର୍ଥୀ ପଞ୍ଚମ ଶ୍ରେଣୀରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲା । ପିଲାଟିର ବାପା ଏକଥା ଜଣେ ସନ୍ନ୍ୟାସୀଙ୍କୁ ଜଣାଇଲେ । ଶୁଣିବାପରେ ସନ୍ନ୍ୟାସୀ ପରାମର୍ଶ ଦେଲେ, ପିଲାଟିକୁ ଏକ ଆଶ୍ରମ ବିଦ୍ୟାଳୟରେ ପଢ଼ାଇବାପାଇଁ, ଯଦ୍ଦ୍ୱାରା ତାକୁ ଉତ୍ତମ ଭୌତିକ ଏବଂ ନୈତିକ ଶିକ୍ଷା ପ୍ରାପ୍ତ ହୋଇପାରିବ । ଏହାଶୁଣି ତାର ବାପା କହିଲେ, ନାଁ ମହାରାଜ, ମୁଁ ତାକୁ ଇଂରାଜୀ ବିଦ୍ୟାଳୟରେ ପଢ଼ାଇବି । କାରଣ ସେହି ବିଦ୍ୟାଳୟର ପରୀକ୍ଷା ଫଳ ଆପଣଙ୍କ ଆଶ୍ରମ ବିଦ୍ୟାଳୟର ଫଳଠାରୁ ଅଧିକ ଉତ୍ତମ ଅଟେ । ସେହି ବ୍ୟକ୍ତିଜଣଙ୍କୁ ସନ୍ନ୍ୟାସୀ ସଚେତ କରାଇଦେଇ କହିଲେ, ଇଂରାଜୀ ବିଦ୍ୟାଳୟର ପରୀକ୍ଷା ଫଳ ଉତ୍ତମ ହୋଇଥାଏ ସତ ହେଲେ ସେହି ବିଦ୍ୟାଳୟରେ ସଂସ୍କାର ସମ୍ବନ୍ଧରେ ଶିକ୍ଷା ଦିଆଯାଏ ନାହିଁ ବରଂ ପିଲାମାନଙ୍କୁ ନାସ୍ତିକ କରିଦିଆଯାଏ । ସେମାନଙ୍କ ପରିଧାନରେ ଶାଳୀନତା ନଥାଏ । ଅତଃ ଆପଣ ସାବଧାନ ରୁହନ୍ତୁ । କିନ୍ତୁ ସେହି ବ୍ୟକ୍ତିଜଣକ ସନ୍ନ୍ୟାସୀଙ୍କ କଥା ଶୁଣିଲେ ନାହିଁ । ଏହିଭଳି ଭାବରେ ସେହି ବିଦ୍ୟାର୍ଥୀଜଣକ ଅଧ୍ୟୟନ କରିବାକୁ ଲାଗିଲା ଆଉ ପ୍ରତ୍ୟେକ ବର୍ଷ ତାର ପରୀକ୍ଷା ପରିଣାମ ମଧ୍ୟ ବହୁତ ଭଲ ହେଲା । ପ୍ରତ୍ୟେକ ବର୍ଷ ସେହି ବ୍ୟକ୍ତି ମିଠା ଡବା ନେଇ ସେହି ସନ୍ନ୍ୟାସୀଙ୍କ ନିକଟକୁ ଯାଉଥିଲେ ଆଉ ମହାରାଜଙ୍କୁ କହୁଥିଲେ, ମହାରାଜ ! ଯଦି ସେ ଆପଣଙ୍କ ବିଦ୍ୟାଳୟରେ ପଢ଼ିଥାନ୍ତା, ତେବେ ଏତେ ଭଲ ପରିଣାମ କଣ ହୋଇପାରିଥାନ୍ତା ! ବର୍ଷ ବିତିଚାଲିଲା । ମିଠା ଆଣି ସନ୍ନ୍ୟାସୀଙ୍କୁ ଉପହାସ କରିବାର କଥା ମଧ୍ୟ ଏମିତି ଚାଲିଲା । ବର୍ତ୍ତମାନ ସେହି ବିଦ୍ୟାର୍ଥୀ ଇଂଜିନିୟରିଂ ଏବଂ ଏମ୍.ବି.ଏ କରି ଭଲ ଚାକିରିଟିଏ କରିବାକୁ ଲାଗିଲା । ଦିନେ ସେ ତାର ବାପାଙ୍କୁ କହିଲା କି, ଆପଣଙ୍କ ସମ୍ପତ୍ତି ବର୍ତ୍ତମାନ ଆପଣ ମୋ ନାଁରେ କରିଦିଅନ୍ତୁ ଆଉ ଆପଣ ନିଶ୍ଚିନ୍ତ ହୋଇ ରୁହନ୍ତୁ । ବାପା ମଧ୍ୟ ସେହିଭଳି କଲେ । କିଛି ମାସ ପରେ ପୁଅ ଏକ ହାଫ୍ପ୍ୟାଣ୍ଟ ପରିଧାନ କରିଥିବା ଝିଅକୁ ଘରକୁ ନେଇଆସିଲା ଆଉ ତାର ମା-ବାପାଙ୍କୁ କହିଲା, ଇଏ ଆପଣଙ୍କ ବୋହୂ । ମା-ବାପାଙ୍କ ମୁଣ୍ଡ ଉପରେ ଯେପରି ବଜ୍ର ପଡ଼ିଲାଭଳି ଲାଗିଲା । କିନ୍ତୁ ସେ କିଛି କହିପାରିଲେ ନାହିଁ । ବୋହୂ ନାସ୍ତିକ ଥିଲା, ଏଥିପାଇଁ ଶାଶୁ-ବୋହୂ ଭିତରେ ସବୁବେଳେ ଝଗଡ଼ା ହେଉଥିଲା । ଦିନେ ପୁଅ ମା-ବାପାଙ୍କୁ କହିଦେଲା କି, ଆପଣମାନେ ଏବେ ବୁଢ଼ା ହୋଇଯାଇଛନ୍ତି, ଆଧୁନିକ ସମାଜର ସ୍ଥିତିପ୍ରତି ଅବଗତ ନୁହଁନ୍ତି, ଅତଃ ବର୍ତ୍ତମାନ ସବୁଠାରୁ ଭଲହେବ କି ଆପଣମାନେ ବୃଦ୍ଧାଶ୍ରମ ଚାଲିଯାନ୍ତୁ । ବର୍ତ୍ତମାନ ସେମାନଙ୍କ ସ୍ଥିତି ଏକ ଭିଖାରୀ ଭଳି ହୋଇଗଲା । ସେତେବେଳେ ସେହି ବ୍ୟକ୍ତି ଆଶ୍ରମ ଯାଇ ସେହି ସନ୍ନ୍ୟାସୀଙ୍କୁ କହିଲେ, ମହାରାଜ ! ମୁଁ ଯଦି ମୋ ପୁଅକୁ ଆଶ୍ରମ ବିଦ୍ୟାଳୟରେ ପଢ଼ାଇଥାନ୍ତି, ତେବେ ତାକୁ ପାଠ୍ୟକ୍ରମ ସହିତ ନୈତିକ ଶିକ୍ଷା ମଧ୍ୟ ମିଳିଥାନ୍ତା । ବାସ୍ତବରେ ନୈତିକ ଶିକ୍ଷାର ଉପେକ୍ଷା କରି ଆଜି ସେମାନେ ସ୍ୱୟଂ ନିଜର ଚକ୍ରବ୍ୟୂହରେ ଫଶି ସାରିଛନ୍ତି । ହେଲେ ଏବେ ବହୁତ ବିଳମ୍ବ ହୋଇସାରିଛି ।
ଏଥିପାଇଁ ଅଭିଭାବକମାନଙ୍କୁ ଆମର ବିନମ୍ର ପ୍ରାର୍ଥନା ଯେ, ସେମାନେ ସେମାନଙ୍କ ପିଲାମାନଙ୍କୁ ପାଠ୍ୟକ୍ରମ ଶିକ୍ଷା ସହିତ ନୈତିକ ଏବଂ ଆଧ୍ୟାତ୍ମିକ ଶିକ୍ଷାରେ ପରିପୂର୍ଣ୍ଣ କରନ୍ତୁ, ଯଦ୍ଦ୍ୱାରା ସେମାନେ ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିପାରିବେ । ସେହି ଶିକ୍ଷାକୁ ଆମେ ଶିକ୍ଷା କହିପାରିବା, ଯାହାଦ୍ୱାରା ମାନବର ବିକାଶ ହେବ । ସ୍ୱାମୀ ବିବେକାନନ୍ଦ ମଧ୍ୟ କହିଛନ୍ତି, ‘ଧର୍ମ ସେହି ବସ୍ତୁ ଅଟେ, ଯାହାଦ୍ୱାରା ପଶୁ ମନୁଷ୍ୟ ପର୍ଯ୍ୟନ୍ତ ଆଉ ମନୁଷ୍ୟ ପରମାତ୍ମାଙ୍କ ପର୍ଯ୍ୟନ୍ତ ଉଠି ପାରିବ ।’
ଉପସଂହାର :
ଭାରତୀୟ ସଂସ୍କୃତିର ଶିକ୍ଷା ପଦ୍ଧତି ସବୁଠାରୁ ଭିନ୍ନ ଅଟେ । ଏଥିରେ ନୈତିକତା ଏବଂ ଆଧ୍ୟାତ୍ମିକତାର ସ୍ପର୍ଶ ରହିଛି । ପିଲାମାନଙ୍କୁ ଯଦି ଅତି ସହଜ ଏବଂ ସରଳ ଭାବରେ ଆମେ ଏହାର ମୂଲ୍ୟବୋଧକୁ ବୁଝାଇଦେଇପାରିବା, ତେବେ ଏହା ସେମାନଙ୍କ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ଆଣିବାସହ ସେମାନଙ୍କର ମାର୍ଗଦର୍ଶନ କରିପାରିବ । ଫଳତଃ ସେମାନଙ୍କ ଭବିଷ୍ୟତର ଜୀବନ ଉଜ୍ଜ୍ୱଳମୟ ହୋଇଉଠିବ, ଯାହାର ପ୍ରକାଶ ସମଗ୍ର ଭାରତବର୍ଷକୁ ପ୍ରକାଶମାନ କରିଦେବ ।
ଥରେ ଜଣେ ଶିକ୍ଷକ ଶ୍ରେଣୀରେ ପ୍ରବେଶ କରିବାବେଳକୁ ଦେଖିଲେ, ପିଲାମାନେ କଲମରେ ଖେଳୁଛନ୍ତି । ଶିକ୍ଷକ ଏହାଦେଖି ନରାଗି ପିଲାମାନଙ୍କୁ ବୁଝାଇଲେ, ଦେଖ ପିଲାମାନେ, ଏ କଲମରେ ମା ସରସ୍ୱତୀ ବିରାଜିତା । ତୁମେମାନେ ଏଥିରେ ଖେଳିଲେ, ମା ରାଗିଯିବେ । ଆଉ ତୁମେମାନେ ତ ଜାଣିଛ, ସରସ୍ୱତୀ ବିଦ୍ୟାଦାତ୍ରୀ ଅଟନ୍ତି । ଯଦି ସେ କ୍ରୋଧ କରିବେ ତେବେ ବିଦ୍ୟାହରଣ କରିନେବେ । ଯେତେ ପଢ଼ିଲେ ବି ଆମର ଉନ୍ନତି ହେବନାହିଁ । ଅତଃ ତୁମେମାନେ କଲମକୁ ମୁଣ୍ଡରେ ଲଗାଇ ସରସ୍ୱତୀଙ୍କୁ କ୍ଷମା ମାଗ । ଏପରିକଲେ ଦେବୀ ତୁମମାନଙ୍କ ଉପରେ ପ୍ରସନ୍ନ ହେବେ । ମନେରଖ ଆଉ କେବେ ବି କଲମରେ କିମ୍ବା ବହି, ଖାତା କୌଣସି ପାଠ୍ୟବସ୍ତୁରେ ଖେଳିବନାହିଁ । ଖେଳିବାକୁ ମନହେଲେ ଆମେମାନେ ଖେଳ ପିରିୟଡ଼ରେ ବିଭିନ୍ନ ପ୍ରକାର ଖେଳସାମଗ୍ରୀ ସହ ଖେଳିବା ହେଲେ କଦାପି ବହି, ଖାତା, କଲମ, ପେନ୍ସିଲ୍ ସହ ଖେଳିବାନାହିଁ । ଶିକ୍ଷକଙ୍କର ଏହି ଉପଦେଶ ପିଲାମାନେ ବୁଝିପାରିଲେ ଆଉ ଏପରି କରିବେନାହିଁ ବୋଲି ଶପଥ ନେଲେ । ଏହା ତ ଆମ ସଂସ୍କୃତିର ଦିବ୍ୟତା । ଭାରତୀୟ ସଂସ୍କୃତି ଅନୁସାରେ ପ୍ରତ୍ୟେକ ବସ୍ତୁରେ ଦିବ୍ୟତ୍ୱ ଅବା ଈଶ୍ୱରତ୍ୱକୁ ସ୍ୱୀକାର କରାଯାଏ । ସବୁପରେ ବିଦ୍ୟାସାଧନକୁ ସର୍ବାଧିକ ସମ୍ମାନ ଏବଂ ମହତ୍ତ୍ୱ ଦିଆଯାଏ ।
ବେଦ ମଧ୍ୟ ଆମକୁ ସତ୍ୟ, ଧର୍ମ ଏବଂ ସ୍ୱାଧ୍ୟାୟର ଉପଦେଶ ପ୍ରଦାନ କରି କହିଛନ୍ତି—’ସତ୍ୟଂ ବଦ । ଧର୍ମଂ ଚର । ସ୍ୱାଧ୍ୟାୟାନ୍ମାପ୍ରମଦଃ ।’ ଅର୍ଥାତ୍ ସତ୍ୟ କୁହ । ଧର୍ମ ଆଚରଣ କର । ସ୍ୱାଧ୍ୟାୟରେ ପ୍ରମାଦ କରନାହିଁ ।
ଅଧ୍ୟୟନ ଆମ ମଧ୍ୟରେ ଅଜ୍ଞାନକୁ ଦୂରକରି ନିତ୍ୟ, ସତ୍ୟ ଜ୍ଞାନର ଉଦ୍ରେକ କରିଥାଏ । ଏହା ଆମଠାରେ ପରିବର୍ତ୍ତନ ଆଣିବାର ଏକ ସୁଗମ ସାଧନ ଅଟେ । ଜୀବନର ପ୍ରତିଟି ପରିସ୍ଥିତିକୁ ସମ୍ମୁଖୀନ ହେବାପାଇଁ ଆମ ମଧ୍ୟରେ ଶକ୍ତି ଆଉ ସାମର୍ଥ୍ୟର ବୃଦ୍ଧି କରିଥାଏ । ଏହା ଆମକୁ ସତ୍ପଥରେ ପରିଚାଳିତ କରିଥାଏ, ଆମର ସମସ୍ତ ଦ୍ୱନ୍ଦ୍ୱକୁ ଦୂର କରିଥାଏ ଆଉ ଆମ ଜୀବନର ପ୍ରତ୍ୟେକଟି ସମସ୍ୟାକୁ ସମାଧାନ କରିଥାଏ । ଅଧ୍ୟୟନ ଆମମାନଙ୍କର ପରମ ମିତ୍ର ଅଟେ । ଏହା ଆମମାନଙ୍କ ଜୀବନରେ ଭୌତିକ, ନୈତିକ ଏବଂ ଆଧ୍ୟାତ୍ମିକ ସାମଞ୍ଜସ୍ୟ ରକ୍ଷା କରିଥାଏ, ଯାହା ଆମ ଜୀବନର ମାର୍ଗକୁ ସହଜ ଏବଂ ସରଳ କରିପକାଏ, ଜୀବନ ଗଠନରେ ସହାୟକ ହୁଏ ଆଉ ଆମକୁ ଦିବ୍ୟତ୍ୱ ପ୍ରାପ୍ତ କରାଏ । ଶିକ୍ଷା ଏକମାତ୍ର ମାଧ୍ୟମ ଯାହା ବ୍ୟକ୍ତିର ଅନ୍ତର୍ଜଗତ ଏବଂ ବାହ୍ୟଜଗତରେ ପରିବର୍ତ୍ତନ ଆଣିଦିଏ ।
B
Be First to Comment