Press "Enter" to skip to content

ରାଜବିଦ୍ୟା ରାଜଗୁହ୍ୟ ଯୋଗ

Last updated on February 6, 2021

(ଗୀତା ନବମ ଅଧ୍ୟାୟ)

(ଡକ୍ଟର ପଦ୍ମନାଭ ସାହୁ)

ଭାରତୀୟ ଗୁରୁମୁଖୀ ବିଦ୍ୟାର ପରମ୍ପରା ହେଉଛି, ଅନୁଗତ ଶିଷ୍ୟକୁ ଧୀରେ ଧୀରେ ତତ୍ତ୍ୱର ଗୁହ୍ୟତମ ପ୍ରଦେଶକୁ ନେଇଯିବା । ସଦଗୁରୁ ଅନ୍ତର୍ଯ୍ୟାମୀ ବାସୁଦେବ ଶ୍ରୀକୃଷ୍ଣଭଗବାନ୍ ଶରଣାପନ୍ନ ଶିଷ୍ୟ, ଅନୁଗତ ପ୍ରିୟତମ ସଖା ଅର୍ଜୁନଙ୍କର ସଦ୍ବୁଦ୍ଧି ଉଦୟ ଓ ମୋହମୁକ୍ତି ନିମନ୍ତେ ଶ୍ରୀମଦ୍ଭଗବଦ୍ଗୀତାର ନବମ ଅଧ୍ୟାୟରେ “ରାଜବିଦ୍ୟା ରାଜଗୁହ୍ୟ ଯୋଗ”ର ଅବତାରଣା କରିଛନ୍ତି । ଅଧ୍ୟାତ୍ମ ବିଦ୍ୟା ହିଁ ରାଜବିଦ୍ୟା । ସେଥିପାଇଁ ଭଗବାନ୍ ଶ୍ରୀକୃଷ୍ଣ ଦଶମ ଅଧ୍ୟାୟର ବିଭୂତି ଯୋଗରେ କହିଛନ୍ତି, “ଅଧ୍ୟାତ୍ମବିଦ୍ୟା ବିଦ୍ୟାନାଂ”(୧୦-୩୨)— ମୁଁ ବିଦ୍ୟାମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଅଧ୍ୟାତ୍ମବିଦ୍ୟା ଅର୍ଥାତ୍ ବ୍ରହ୍ମ ବିଦ୍ୟା ଅଟେ । ବ୍ରହ୍ମ ବିଦ୍ୟା ମାନେ ପୂର୍ଣ୍ଣ ବିଦ୍ୟା, ଯାହା ଜାଣିଲେ ଆଉ ଜାଣିବାର ଅବଶେଷ କିଛି ରହେନାହିଁ । ଏହା ବିଦ୍ୟାମାନଙ୍କ ମଧ୍ୟରେ ଶ୍ରେଷ୍ଠ, ରାଜା ସ୍ୱରୂପ । ଅନ୍ୟ ସମସ୍ତ ବିଦ୍ୟା ଏହାର ଅନୁଗତ- ଏହାର ଆଲୋକରେ ଆଲୋକିତ ହେଉଥିବା ପ୍ରଜା ।
ଏହା ‘ରାଜଗୁହ୍ୟ’ ଏଇଥିପାଇଁ ଯେ ଅନ୍ତର୍ମୁଖୀ ଚେତନାର ବିକାଶ ବ୍ୟତୀତ ଏହାର ଅଧିଗମ ବା ବୋଧ ହୁଏନାହିଁ । ଚକ୍ଷୁରାଦି ଜ୍ଞାନେନ୍ଦ୍ରିୟ, ବାଗାଦି କର୍ମେନ୍ଦ୍ରିୟ, ମନାଦି ଅନ୍ତଃକରଣ ଏହାକୁ ପ୍ରକାଶିତ କରିପାରନ୍ତି ନାହିଁ । “ନ ତଦ୍ଭାସୟତେ ସୂର୍ଯ୍ୟୋ ନ ଶଶାଙ୍କୋ ନ ପାବକଃ” (ଗୀତା-୧୫-୬) । ସୂର୍ଯ୍ୟଙ୍କ ଆଲୋକରେ ତାଙ୍କୁ ଦେଖି ହୁଏନାହିଁ, ଚନ୍ଦ୍ରଜ୍ୟୋତ୍ସ୍ନା ତାଙ୍କୁ ପ୍ରକାଶିତ କରେନାହିଁ, ସହସ୍ର ଦୀପାଳି ଜାଳି ତାଙ୍କର ଦର୍ଶନସୁଖ ଲାଭକରି ହୁଏନାହିଁ ଅଥଚ “ଯମେବୈଷ ବୃଣୁତେ ତେନ ଲଭ୍ୟସ୍ତସ୍ୟୈଷ ଆତ୍ମା ବିବୃଣୁତେ ତନୁଁ ୍ସ୍ୱାମ୍ ।।” (କଠ-୧-୨-୨୩) େଯଉଁ ଭକ୍ତ ସାଧକ ଏହି ପରମାତ୍ମାଙ୍କୁ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠାର ସହିତ ବରଣ କରନ୍ତି, ଆପଣାର କରନ୍ତି, ସେହି ଶ୍ରଦ୍ଧାଳୁଙ୍କ ନିକଟରେ ସେ ନିଜକୁ ଅନାବୃତ୍ତ କରିଦିଅନ୍ତି, ସ୍ୱରୂପ ପ୍ରକଟନ କରନ୍ତି । ସେଥିପାଇଁ ନବମ ଅଧ୍ୟାୟର ଉପସଂହାର ଶ୍ଳୋକରେ ଶ୍ରୀଭଗବାନ୍ କହୁଛନ୍ତି—
“ମନ୍ମନା ଭବ ମଦ୍ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ ।
ମାମେବୈଷ୍ୟସି ଯୁକ୍ତ୍ୱୈବମାତ୍ମାନଂ ମତ୍ପରାୟଣଃ ।।” (୯-୩୪)
—ହେ ପାର୍ଥ ! ମୋଠାରେ ମନ ଦିଅ, ମୋର ଭକ୍ତ ହୁଅ, ମୋର ଉପାସନା କର, ପୂଜନ କର, ମୋତେ ନମସ୍କାର କର- ପରମାତ୍ମ ତତ୍ତ୍ୱ ନିକଟରେ ଆପଣାକୁ ସମର୍ପିତ କରିଦିଅ । ନିଜର ସମ୍ପୂର୍ଣ୍ଣ ଚିତ୍ତବୃତ୍ତିକୁ ପରମ ଦିବ୍ୟ ଭାବରେ ଅନୁଭାବିତ କର । ଏପରି ଭାବରେ ମତ୍ପରାୟଣ ହୋଇ ଭଗବତ୍ ଶାନ୍ତି, ବ୍ରହ୍ମସ୍ୱରୂପ ଉପଲବ୍ଧି ଓ ଆତ୍ମଜ୍ଞାନ ହିଁ ପରମ ପୁରୁଷାର୍ଥ ମନେକରି ତୁମେ ତୁମର ସମ୍ପୂର୍ଣ୍ଣ ସତ୍ତାକୁ ମୋ ସହିତ ଯୋଡିଦେଲେ ନିଃସନ୍ଦେହ ମୋତେ ହିଁ ପ୍ରାପ୍ତ ହେବ, ଏଥିରେ ଦ୍ୱିରୁକ୍ତି ନାହିଁ ।
ଏହା ଗୀତାଯୋଗର ଗୁହ୍ୟତମ ସତ୍ୟ । ସେଥିପାଇଁ ସମ୍ପୂର୍ଣ୍ଣ ଗୀତା ଉପଦେଶର ଉପସଂହାର ମୁହୂର୍ତ୍ତରେ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହିଛନ୍ତି—
“ସର୍ବଗୁହ୍ୟତମଂ ଭୂୟଃ ଶୃଣୁ ମେ ପରମଂ ବଚଃ ।
ଈଷ୍ଟୋଃସି ମେ ଦୃଢମିତି ତତୋ ବକ୍ଷାମି ତେ ହିତମ୍ ।।
ମନ୍ମନା ଭବ ମଦ୍ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ ।
ମାମେବୈଷ୍ୟସି ସତ୍ୟଂ ତେ ପ୍ରତିଜାନେ ପ୍ରିୟୋଽସି ମେ ।। ” ଗୀତା-୧୮-୬୪-୬୫)
ତତ୍ତ୍ୱଦର୍ଶୀ ଭକ୍ତମାନଙ୍କର ଇଷ୍ଟ ହେଉଛନ୍ତି ପରମାତ୍ମା । ଏଠାରେ ସ୍ୱୟଂ ଭଗବାନ୍ କହୁଛନ୍ତି— ହେ ଅର୍ଜ୍ଜୁନ ! ତୁମେ ମୋର ଇଷ୍ଟ ଓ ପ୍ରିୟ । ତେଣୁ ତୁମର ଯାହା ପରମ କଲ୍ୟାଣକାରକ ତାହା ପୁନର୍ବାର ଶୁଣ । (ଏହି ସତ୍ୟ ଗୀତାର ମଧ୍ୟମଣି ନବମ ଅଧ୍ୟାୟର ଉପସଂହାରରେ କହିଥିଲି, ଗୀତା ଉପଦେଶର ଶେଷରେ ପୁନର୍ବାର ତାହା ପ୍ରକାଶ କରୁଛି ।) ମୋଠାରେ ମନ ଦିଅ, ମୋର ଭକ୍ତ ହୁଅ, ମୋର ପୂଜନ କର, ମୋତେ ନମସ୍କାର କର ଅର୍ଥାତ୍ ତୁମର ସମ୍ପୂର୍ଣ୍ଣ ଅହଂ, ସମ୍ପୂର୍ଣ୍ଣ ସତ୍ତାକୁ ମୋ ଚରଣରେ ସମର୍ପିତ କରିଦିଅ । ଏପରି କଲେ ତୁମେ ମୋତେ ହିଁ ପ୍ରାପ୍ତି ହେବ । ଏହା ମୁଁ ପ୍ରତିଜ୍ଞା କରି କହୁଛି ।
ନବମ ଅଧ୍ୟାୟର ପ୍ରାରମ୍ଭରେ ଭଗବାନ୍ କହୁଛନ୍ତି—
“ଇଦଂ ତୁ ତେ ଗୁହ୍ୟତମଂ ପ୍ରବକ୍ଷ୍ୟାମ୍ୟନସୂୟବେ ।
ଜ୍ଞାନଂ ବିଜ୍ଞାନସହିତଂ ଯଜ୍ଜ୍ଞାତ୍ୱା ମୋକ୍ଷ୍ୟସେଃଶୁଭାତ୍ ।।”(୯-୧)
—ଦୋଷଦୃଷ୍ଟି ରହିତ ତୁମକୁ ଏହି ଗୁହ୍ୟତମ ବିଜ୍ଞାନ ସହିତ ଜ୍ଞାନ କହିବି, ଯାହା ଜାଣି ସଂସାରବନ୍ଧନ ରୂପକ ଅମଙ୍ଗଳରୁ ତୁମେ ମୁକ୍ତିଲାଭ କରିବ ।
ଉପକ୍ରମ ଓ ଉପସଂହାରରେ ସମନ୍ୱୟ ରହିବା ସୁନିଶ୍ଚିତ । ତେଣୁ ଏହା ପ୍ରତିପାଦିତ ହେଉଅଛି ଯେ ବିଜ୍ଞାନ(ବିଶେଷ ଜ୍ଞାନ) ସହିତ ନିର୍ବିକଳ୍ପ ନିରୁପାଧି ଜ୍ଞାନର ଅପରୋକ୍ଷ ବୋଧ ହିଁ ରାଜବିଦ୍ୟା ତଥା ରାଜଗୁହ୍ୟ ଯୋଗ । ଶ୍ରେୟସାଧନ କ୍ଷେତ୍ରରେ ଏହାର ଅପରିହାର୍ଯ୍ୟତା ଦୃଷ୍ଟିରୁ ପରମ କାରୁଣିକ ଭଗବାନ୍ ଶ୍ରୀକୃଷ୍ଣ ଗୀତାର ସପ୍ତମ ଅଧ୍ୟାୟରୁ ଜ୍ଞାନବିଜ୍ଞାନ ଯୋଗର ଉପସ୍ଥାପନା କରିଛନ୍ତି ଏବଂ ସପ୍ତମ ଅଧ୍ୟାୟର ନାମ ଜ୍ଞାନବିଜ୍ଞାନଯୋଗ ରଖାଯାଇଛି । ସପ୍ତମ ଅଧ୍ୟାୟର ୨ୟ ଶ୍ଳୋକରେ କୁହାଯାଇଛି—
“ଜ୍ଞାନଂ ତେଽହଂ ସବିଜ୍ଞାନମିଦଂ ବକ୍ଷ୍ୟାମ୍ୟଶେଷତଃ ।
ଯଜ୍ଜ୍ଞାତ୍ୱା ନେହ ଭୂୟୋଽନ୍ୟଜ୍ଜ୍ଞାତବ୍ୟମ-ବଶିଷ୍ୟତେ ।।”
— ମୁଁ ତୁମକୁ ବିଜ୍ଞାନ ସହିତ ଏହି ଜ୍ଞାନ ସମ୍ପୂର୍ଣ୍ଣ ରୂପରେ କହିବି ଯାହା ଜାଣିଲେ ଏହି ଜଗତରେ ଜାଣିବାଯୋଗ୍ୟ ଆଉ କିଛି ଅବଶେଷ ରହିବ ନାହିଁ । ଜ୍ଞାନବିଜ୍ଞାନଯୋଗ ଏପରି ରହସ୍ୟପୂର୍ଣ୍ଣ ଯେ ଏହା ଉତ୍ତମରୂପେ ହୃଦୟଙ୍ଗମ କରିବାପାଇଁ ସପ୍ତମ ଓ ନବମ ଅଧ୍ୟାୟ ମଧ୍ୟରେ ଅକ୍ଷରବ୍ରହ୍ମଯୋଗ(ଅଷ୍ଟମ ଅଧ୍ୟାୟ) ଏବଂ ନବମ ଅଧ୍ୟାୟ ପରେ ଦଶମ ଅଧ୍ୟାୟରେ ବିଭୂତି ଯୋଗର ଅବତାରଣା କରାଯାଇଛି । ଅଷ୍ଟମ ଅଧ୍ୟାୟର ଅଧ୍ୟାତ୍ମ, କର୍ମ, ଅଧିଭୂତ, ଅଧିଦୈବ ଓ ଅଧିଯଜ୍ଞ ହେଉଛନ୍ତି ‘ବିଜ୍ଞାନ’ ଏବଂ ପରମ ଅକ୍ଷରବ୍ରହ୍ମ ହେଉଛନ୍ତି ‘ଜ୍ଞାନ’ । କର୍ମସିଦ୍ଧ ଶୁକ୍ଳ ଓ କୃଷ୍ଣ— ଉତ୍ତରାୟଣ ଓ ଦକ୍ଷିଣାୟନ ମାର୍ଗ ବ୍ୟତୀତ ଅନ୍ୟ ଏକ ଜୀବନ୍ମୁକ୍ତି ମାର୍ଗ ରହିଛି, ଯାହା ଭକ୍ତିସିଦ୍ଧ ବ୍ରହ୍ମଜ୍ଞାନ ଅଟେ । ଏହା ଗୁହ୍ୟତମ ନିତ୍ୟସତ୍ୟର ଅବବୋଧ । ଏହା ହିଁ ପୁରୁଷୋତ୍ତମ ଯୋଗ ଅଟେ । ଅଷ୍ଟମ ଅଧ୍ୟାୟର ୨୧ ଶ୍ଳୋକରେ କୁହାଯାଇଛି— “ଅବ୍ୟକ୍ତୋଽକ୍ଷର ଇତ୍ୟୁକ୍ତ ସ୍ତମାହୁଃ ପରମାଂ ଗତିମ୍ ।” ତାଙ୍କୁ ଅବ୍ୟକ୍ତ, ଅକ୍ଷର ଓ ପରମଗତି ବୋଲି କୁହାଯାଏ । ଏହି ଅଧ୍ୟାୟର ୨୨ ଶ୍ଳୋକରେ ଭଗବାନ୍ କହୁଛନ୍ତି—
“ପୁରୁଷଃ ସ ପରଃ ପାର୍ଥ ଭକ୍ତ୍ୟା ଲଭ୍ୟସ୍ତ୍ୱନନ୍ୟୟା ।
ଯସ୍ୟାନ୍ତଃସ୍ଥାନି ଭୂତାନି ଯେନ ସର୍ବମିଦଂ ତତମ୍ ।।”
—ସେହି ପରମପୁରୁଷ ଅନନ୍ୟ ଭକ୍ତି ଦ୍ୱାରା ପ୍ରାପ୍ତ ହୁଅନ୍ତି । ସକଳଭୂତ ତାଙ୍କରି ଆଶ୍ରୟରେ ଅଛନ୍ତି ଏବଂ ସେ ସକଳ ଜଗତରେ ପରିବ୍ୟାପ୍ତ ଅଟନ୍ତି ।
ନବମ ଅଧ୍ୟାୟରେ ଏହି ଭାବକୁ ପ୍ରାଞ୍ଜଳକରି ଭଗବାନ୍ କହୁଛନ୍ତି—
“ମୟା ତତମିଦଂ ସର୍ବଂ ଜଗଦବ୍ୟକ୍ତମୂର୍ତ୍ତିନା ।
ମତ୍ ସ୍ଥାନି ସର୍ବଭୂତାନି ନ ଚାହଂ ତେଷ୍ୱବସ୍ଥିତଃ ।।୪।।
ନ ଚ ମତ୍ ସ୍ଥାନି ଭୂତାନି ପଶ୍ୟ ମେ ଯୋଗମୈଶ୍ୱରମ୍ ।
ଭୂତଭୃନ୍ନ ଚ ଭୂତସ୍ଥୋ ମମାତ୍ମା ଭୂତଭାବନଃ ।।୫।।”
ଅନ୍ୱୟ ଓ ବ୍ୟତୀରେକ ଢଙ୍ଗରେ ଏଠାରେ ତତ୍ତ୍ୱର ଉପସ୍ଥାପନା କରାଯାଇଅଛି । ଅବ୍ୟକ୍ତ ପରମାତ୍ମା ସକଳ ଜଗତରେ ବ୍ୟାପି ରହିଛନ୍ତି—ଅଳଙ୍କାର ମଧ୍ୟରେ ସୁନା ଭଳି । ସର୍ବଭୂତ- ସକଳ ପ୍ରାଣୀ ଓ ପଦାର୍ଥ ପରମାତ୍ମାଙ୍କ ମଧ୍ୟରେ ଅଛନ୍ତି ଅଥଚ ପରମାତ୍ମା ସେ ସବୁ ମଧ୍ୟରେ ନାହାନ୍ତି, ଅର୍ଥାତ୍ ସର୍ବଭୂତ ପରମାତ୍ମାଙ୍କ ଆଶ୍ରୟରେ ନାହାନ୍ତି । (ସୁବର୍ଣ୍ଣ ବିନା କଳ୍ପିତ ଅଳଙ୍କାର ରହିପାରିବ ନାହିଁ ଅଥଚ ଅଳଙ୍କାର ରୂପ ନ ନେଇ ମଧ୍ୟ ସୁବର୍ଣ୍ଣ ରହିପାରେ, ଏହା ନିତ୍ୟ ସତ୍ୟ ।) ପରମାତ୍ମାଙ୍କ ଯୋଗଐଶ୍ୱର୍ଯ୍ୟ ବା ଯୋଗବିଭୂତିର ଏହା ବିଶେଷତ୍ୱ ଯେ ଜଗତ୍ ପରମାତ୍ମାଙ୍କ ମଧ୍ୟରେ ଥାଇ ମଧ୍ୟ ନ ଥିଲା ପରି କାରଣ ପରମାତ୍ମା ଜଗତର ସ୍ରଷ୍ଟା ହେଲେ ମଧ୍ୟ ସେଥିରେ ଲିପ୍ତ ନ ଥାନ୍ତି । (ଯେହେତୁ ତାଙ୍କର ସ୍ରଷ୍ଟାଭାବରେ ଅହଙ୍କାର ନାହିଁ, ଏବଂ ସୃଷ୍ଟି ପ୍ରତି ମୋହ ନାହିଁ ।)
ସୃଷ୍ଟି-ଐଶ୍ୱର୍ଯ୍ୟ-ବିଭୂତି-ଲୀଳା ମଧ୍ୟରେ ଏକ ପରମାତ୍ମାଙ୍କର ଦର୍ଶନ କରିବା ‘ବିଜ୍ଞାନ’ । ଅଦ୍ୱୈତ-ଅବିକାରୀ, ପରମ ଅବ୍ୟକ୍ତ, ନିର୍ଗୁଣ, ଚିନ୍ମାତ୍ର ସ୍ୱରୂପର ବୋଧ ହୋଇଯିବା ‘ଜ୍ଞାନ’ । ଏହା ରାଜବିଦ୍ୟା-ରାଜଗୁହ୍ୟ ଯୋଗ । ଏହାର ଆଠଗୋଟି ବିଶେଷତ୍ୱ ରହିଛି, ଯଥା—
“ରାଜବିଦ୍ୟା ରାଜଗୁହ୍ୟଂ ପବିତ୍ରମିଦମୁତ୍ତମମ୍ ।
ପ୍ରତ୍ୟକ୍ଷାବଗମଂ ଧର୍ମ୍ୟଂ ସୁସୁଖଂ କର୍ତ୍ତୁମବ୍ୟୟମ୍ ।।”(୯-୨)
ଏହା ୧) ବିଦ୍ୟାମାନଙ୍କ ମଧ୍ୟରେ ରାଜା, ୨) ସବୁଠାରୁ ଗୋପନୀୟ, ୩) ସମ୍ପୂର୍ଣ୍ଣ ଅନ୍ତଃକରଣ ପବିତ୍ରକାରୀ, ୪) ଅତିଉତ୍ତମ, ୫) ଏହି ବିଦ୍ୟା ପ୍ରତ୍ୟକ୍ଷ ଫଳଦାୟିନୀ—ତତ୍ତ୍ୱର ସାକ୍ଷାତକାର ହୋଇଥାଏ, କୌଣସି ସଂଶୟ ରହେନାହିଁ, ୬) ଏହା ଧର୍ମଯୁକ୍ତ ବ୍ରହ୍ମବିଦ୍ୟା ସ୍ୱ-ଧର୍ମରେ ବାଧା ସୃଷ୍ଟି କରେନାହିଁ, ବରଂ ସାଧକ ରାଗଦ୍ୱେଷରହିତ ହୋଇ ନିଷ୍ଠାର ସହିତ ଆପଣାର କର୍ତ୍ତବ୍ୟ ସମ୍ପାଦନ କରେ । ୭) ଏହା ସାଧନ କରିବାରେ ଅତ୍ୟନ୍ତ ସୁଗମ-କୌଣସି ବାହ୍ୟବସ୍ତୁର ଅପେକ୍ଷା ରଖେନାହିଁ, କେବଳ ବୋଧମାତ୍ର ଦ୍ୱାରା ମଣିଷ କୃତକୃତ୍ୟ ହୋଇଯାଏ, ୮)ଏହା ଅବ୍ୟୟ, ଅବିନାଶୀ ।
ଏହି ଜ୍ଞାନ-ବିଜ୍ଞାନଯୋଗ ବା ବ୍ରହ୍ମବିଦ୍ୟା ପ୍ରତି ଯେଉଁମାନେ ଶ୍ରଦ୍ଧାଯୁକ୍ତ ନୁହଁନ୍ତି, ସେମାନେ ମୃତ୍ୟୁରୂପକ ସଂସାରଚକ୍ରରେ ବାରମ୍ବାର ଘୂରୁଥାନ୍ତି । ଯେଉଁମାନେ ମୂଢ- ଆପଣାର ଶ୍ରେୟମାର୍ଗ, କର୍ମବନ୍ଧନରୁ ମୁକ୍ତିର ପଥ ଜାଣନ୍ତି ନାହିଁ, ସେମାନେ ବ୍ୟକ୍ତ ଅନ୍ତରାଳରେ ଥିବା ଅବ୍ୟକ୍ତ ପରମାତ୍ମତତ୍ତ୍ୱ—ସର୍ବଭୂତ ମହେଶ୍ୱରଙ୍କୁ ବୁଝନ୍ତି ନାହିଁ । ରାକ୍ଷସୀ, ଆସୁରୀ ଓ ମୋହିନୀ ପ୍ରକୃତିକୁ ଆଶ୍ରୟ କରି ବ୍ୟର୍ଥ ଜୀବନ ଯାପନ କରନ୍ତି ।(୯-୩, ୧୧, ୧୨) (ରାକ୍ଷସୀ ପ୍ରକୃତି ଆକ୍ରମଣାତ୍ମିକା, ଅନ୍ୟର ଅନିଷ୍ଟ ସାଧନ କ୍ଷେତ୍ରରେ ନ୍ୟାୟ-ଅନ୍ୟାୟ ବିଚାର କରେନାହିଁ । ମୋହିନୀ ପ୍ରକୃତି ତମୋଗୁଣପ୍ରଧାନ-ମୋହ ଓ ଅଜ୍ଞାନ ଏହାର ମୁଖ୍ୟ ଲକ୍ଷଣ) ଅପର ପକ୍ଷରେ ଦୈବୀପ୍ରକୃତି ଆଶ୍ରିତ ମହାତ୍ମାମାନେ ଅବିନାଶୀ ପରମାତ୍ମାଙ୍କୁ ଜାଣି ଅନନ୍ୟ ଚିତ୍ତରେ ଭଜନ କୀର୍ତ୍ତନ କରନ୍ତି । ଦୃଢବ୍ରତ ଓ ନିତ୍ୟ ଯୋଗଯୁକ୍ତ ହୋଇ ତାଙ୍କରି ପ୍ରାପ୍ତି ପାଇଁ ପ୍ରଯତ୍ନ କରନ୍ତି ଏବଂ ଭକ୍ତିରେ ନମସ୍କାର ପୂର୍ବକ ଶରଣାପନ୍ନ ହୋଇ ଉପାସନା କରନ୍ତି । କେହି କେହି ଜ୍ଞାନଯଜ୍ଞଦ୍ୱାରା ଆତ୍ମାରୁ ଅଭିନ୍ନ ଭାବରେ ପରମାତ୍ମାଙ୍କର ଉପାସନା କରନ୍ତି ଆଉ କେହି କେହି (ଅଗ୍ନି, ବରୁଣ, ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ଶିବ, ଶକ୍ତି ଏପରି) ବହୁ ଭାବରେ (ଭକ୍ତି ଓ କର୍ମଯୋଗ ପ୍ରଭୃତି ଆଶ୍ରୟରେ) ବିଶ୍ୱରୂପ ପରମେଶ୍ୱରଙ୍କର ଯାଜନଯାଜନ କରନ୍ତି ।(ଗୀତା-୯-୧୩ ରୁ ୧୫) । ଭଗବାନ୍ ଆଲୋଚ୍ୟ ନବମ ଅଧ୍ୟାୟରେ କହୁଛନ୍ତି—
“ଅହଂ କ୍ରତୁରହଂ ଯଜ୍ଞଃ ସ୍ୱଧାହମହମୌଷଧମ୍ ।
ମନ୍ତ୍ରୋଽହମହମେବାଜ୍ୟମହମଗ୍ନିରହଂ ହୁତମ୍ ।।୧୬।।
ପିତାମହସ୍ୟ ଜଗତୋ ମାତା ଧାତା ପିତାମହଃ ।
ବେଦ୍ୟଂ ପବିତ୍ରମୋଙ୍କାର ଋକ୍ ସାମ ଯଜୁରେବ ଚ ।।୧୭।।
ସର୍ବସ୍ୱରୂପ ପରମାତ୍ମା— ଏହି ଭାବରେ ଉପାସନା କରିବା ଓ ତଲ୍ଲୀନ ହୋଇଯିବା ‘ବିଜ୍ଞାନ ଯୋଗ’ । ସପ୍ତମ ଅଧ୍ୟାୟର—
“ରସୋଽହମପ୍ସୁ କୌନ୍ତେୟ ପ୍ରଭାସ୍ମି ଶଶିସୂର୍ଯ୍ୟୟୋଃ ।
ପ୍ରଣବଃ ସର୍ବବେଦେଷୁ ଶବ୍ଦଃଖେ ପୌରୁଷଂ ନୃଷୁ ।।୮।।
ପୁଣ୍ୟୋ ଗନ୍ଧଃ ପୃଥିବ୍ୟାଂ ଚ ତେଜଶ୍ଚାସ୍ମି ବିଭାବସୌ ।
ଜୀବନଂ ସର୍ବଭୂତେଷୁ ତପଶ୍ଚାସ୍ମି ତପସ୍ୱିଷୁ ।।୯।।”
ଦଶମ ଅଧ୍ୟାୟରେ—
“ଅହମାତ୍ମା ଗୁଡାକେଶ ସର୍ବଭୂତାଶୟସ୍ଥିତଃ ।
ଅହମାଦିଶ୍ଚ ମଧ୍ୟଂ ଚ ଭୂତାନାମନ୍ତ ଏବ ଚ ।।୨୦।।
ଆଦିତ୍ୟାନାମହଂ ବିଷ୍ଣୁର୍ଜ୍ୟୋତିଷାଂ ରବିରଂଶୁମାନ୍ ।
ପ୍ରଭୃତି ଶ୍ଳୋକସମୂହ ଏହି ମହାଭାବର ପରିପୁଷ୍ଟି କରିଥାନ୍ତି, ଯାହା ‘ବିଜ୍ଞାନଯୋଗ’ର ପରାକାଷ୍ଠା ।
‘ଜ୍ଞାନଯୋଗ’ର ଅଦ୍ୱୈତଭାବରେ ହେଉ ଅବା ‘ବିଜ୍ଞାନଯୋଗ’ର ବିଶ୍ୱରୂପଦର୍ଶନ ଭାବରେ ହେଉ ପରମ ନିତ୍ୟ ସତ୍ୟ— “ସତ୍ୟଂ ଜ୍ଞାନଂ ଅନନ୍ତଂ ବ୍ରହ୍ମ”ଙ୍କର ଅପରୋକ୍ଷ ଅନୁଭୂତି ହିଁ ମାନବ ଜୀବନର ଚରମ ଓ ପରମ ସାର୍ଥକତା । େଯଉଁମାନେ ଶ୍ରଦ୍ଧା ଓ ଭକ୍ତି ସହିତ ପରମାତ୍ମା ପ୍ରାପ୍ତି ବା ବୋଧ ହିଁ ଆପଣାର ଲକ୍ଷ୍ୟ ବୋଲି ସ୍ଥିର କରି ଆତ୍ମ ନିବେଦନପୂର୍ବକ ପ୍ରଯତ୍ନ କରନ୍ତି, ସେମାନେ ସାଧୁପଦବାଚ୍ୟ କାରଣ ସୁଦୁରାଚାରୀ ବ୍ୟକ୍ତି ମଧ୍ୟ ଏତଦ୍ୱାରା ଧର୍ମାତ୍ମା ହୋଇଯାନ୍ତି ଓ ଶାଶ୍ୱତ ଶାନ୍ତି ପ୍ରାପ୍ତ ହୁଅନ୍ତି । ଭଗବାନ୍ କହୁଛନ୍ତି— “କୌନ୍ତେୟ ପ୍ରତି ଜାନୀହି ନ ମେ ଭକ୍ତଃ ପ୍ରଣଶ୍ୟତି ।।”(୯-୩୧)
—ହେ କୁନ୍ତୀପୁତ୍ର ଅର୍ଜ୍ଜୁନ ! ତୁମେ ଏହି ନିଶ୍ଚିତ ସତ୍ୟ ଜାଣିରଖ ଯେ ମୋର ଭକ୍ତର ଅଧୋପତନ ବା ବିନାଶ ହୁଏ ନାହିଁ ।
ପତ୍ର, ପୁଷ୍ପ, ଫଳ, ଜଳ ଯାହା କିଛି ଭକ୍ତିରେ ଅର୍ପଣ କରାଯାଏ, ପରମାତ୍ମା ସାଦରେ ଗ୍ରହଣ କରନ୍ତି । ଭଗବାନ୍ କହୁଛନ୍ତି- ହେ କୌନ୍ତେୟ ! ତୁମେ ଯେଉଁ କର୍ମ କରୁଛ, ଯାହା କିଛି ଭୋଜନ କରୁଛ, ଯଜ୍ଞ, ଦାନ, ତପ ଆଦି ଯାହା କିଛି ଅନୁଷ୍ଠାନ କରୁଛ, ସେ ସବୁ ମୋତେ ସମର୍ପଣ କରିଦିଅ । ଏତଦ୍ୱାରା ତୁମେ ଶୁଭାଶୁଭ କର୍ମର ସୁଖଦୁଃଖ ରୂପକ ଫଳରୁ ମୁକ୍ତ ହୋଇଯିବ । କର୍ମଫଳ ଜନିତ ଭବବନ୍ଧନ ରହିବ ନାହିଁ । ସନ୍ନ୍ୟାସ ଯୋଗଯୁକ୍ତ ହୋଇ ମୋତେ ହିଁ ପ୍ରାପ୍ତ ହେବ । (୯-୨୬ ରୁ ୨୮) ହେ କୌନ୍ତେୟ ! ଯେଉଁମାନେ ଅନନ୍ୟ ଚିତ୍ତରେ ମୋର ଉପାସନା କରନ୍ତି, ମୁଁ ସେହି ନିତ୍ୟ ଯୋଗଯୁକ୍ତ ଭକ୍ତ ମାନଙ୍କର ଯୋଗକ୍ଷେମ ବହନ କରେ ଅର୍ଥାତ୍ ଆବଶ୍ୟକ ଅପ୍ରାପ୍ତ ବସ୍ତୁ ପ୍ରାପ୍ତ କରାଇ ଦିଏ ଏବଂ ପ୍ରାପ୍ତବସ୍ତୁର ସୁରକ୍ଷା କରିଥାଏ । (୯-୨୨) ତେଣୁ ହେ ଅର୍ଜ୍ଜୁନ, (ତୁମର ବ୍ୟାବହାରିକ ଓ ପାରମାର୍ଥିକ ଜୀବନର ସାର୍ଥକତା ପାଇଁ) ମୋଠାରେ ମନ ଦିଅ, ମୋର ଭକ୍ତ ହୋଇଯାଅ, ମୋର ଯଜନଯାଜନ କର, ଆତ୍ମନିବେଦନ ପୂର୍ବକ ମୋତେ ନମସ୍କାର କର । ଏପରି ଭାବରେ ମତ୍ପରାୟଣ ହୋଇ ଆପଣାକୁ ମୋଠାରେ ଯୁକ୍ତ କଲେ ମୋତେ ହିଁ ପ୍ରାପ୍ତ ହେବ । (ଏଥିରେ ସନ୍ଦେହ ନାହିଁ) । (୯-୩୪- ଉପସଂହାର ଶ୍ଳୋକ)
ଏହା ‘ରାଜବିଦ୍ୟାରାଜଗୁହ୍ୟଯୋଗ’ ବା ଜ୍ଞାନବିଜ୍ଞାନଯୋଗର ପରମ ବିଶେଷତ୍ୱ । ଆତ୍ମସମାଧି ଅବସ୍ଥାରେ ଜ୍ଞାନଯୋଗ, ବ୍ୟାବହାରିକ ଦଶାରେ ବିଜ୍ଞାନଯୋଗ । ଏହା ହିଁ ସ୍ଥିତପ୍ରଜ୍ଞର ଲକ୍ଷଣ । ଏହା ହିଁ ବ୍ରାହ୍ମୀସ୍ଥିତି ।
ରଜାମୁଣ୍ଡା, ଦେବଗଡ, ପିନ୍-୭୬୮୧୦୮;
ମୋ-୯୪୩୮୦୩୦୬୧୮

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.