Last updated on January 27, 2021
ଅନେକ ଲୋକ ଭାବନ୍ତି ଯେ, ଯେତେବେଳେ ଭଗବାନଙ୍କର କୃପା ହୁଏ, ସେତେବେଳେ ଧନ, ଐଶ୍ୱର୍ଯ୍ୟ, ସ୍ତ୍ରୀ-ପୁତ୍ର, ମାନ, କୀର୍ତ୍ତି ଆଉ ଶରୀର ସମ୍ବନ୍ଧୀ ଅନେକାନେକ ଭୋଗ ସ୍ୱତଃ ପ୍ରାପ୍ତି ହୋଇଥାଏ । ଯେଉଁ ଲୋକମାନଙ୍କ ପାଖରେ ଭୋଗର ପ୍ରାଚୁର୍ଯ୍ୟ ରହିଛି, କେବଳ ସେମାନଙ୍କୁ ହିଁ ଭଗବାନଙ୍କର କୃପା ପ୍ରାପ୍ତ ହୁଏ । ଅଥବା ସେମାନଙ୍କ ଉପରେ ଭଗବାନଙ୍କର କୃପା ବେଶୀମାତ୍ରାରେ ରହିଛି, ଯେଉଁମାନଙ୍କର ବିପତ୍ତି ସବୁକୁ ଭଗବାନ୍ ନିଜେ ଦୂର କରିଦିଅନ୍ତି ! ଭଗବତ୍ କୃପାର ଏପ୍ରକାର କ୍ଷୁଦ୍ର ଅର୍ଥ କରୁଥିବା ଲୋକମାନେ ପ୍ରକୃତରେ ଦୟାର ପାତ୍ର ଅଟନ୍ତି, ଏଭଳି ଲୋକଙ୍କର ଯଥାର୍ଥରେ ଭଗବତ୍ କୃପାର ଅନୁଭବ ହୋଇନଥାଏ ।
ବାସ୍ତବରେ ସମ୍ପତ୍ତି ଅଥବା ବିପତ୍ତି ଦ୍ୱାରା ଭଗବାନଙ୍କ କୃପା ସମ୍ୱନ୍ଧରେ ଜ୍ଞାନ ହୁଏନାହିଁ, ଭଗବତ୍ କୃପା ତ ନିତ୍ୟ ଅଟେ, ଅପାର ଏବଂ ସଂସାରର ସମସ୍ତ ପ୍ରାଣୀଗଣଙ୍କ ଉପରେ ସେହି କୃପାସୁଧାର ଅବିରତ ବର୍ଷା ହୋଇଚାଲିଛି ! ଯେଉଁ ଲୋକମାନେ ଯଥାର୍ଥ ଅନୁଭବ ନକରି କେବଳ ବିଷୟସମୂହର ପ୍ରାପ୍ତିକୁ ଭଗବତ୍ କୃପା ମନେକରନ୍ତି, ସେମାନେ ବିଷୟସମୂହର ବିନାଶ ଅଥବା ଅଭାବରେ ଭଗବାନଙ୍କ ଠାରେ ପକ୍ଷପାତ, ଅନ୍ୟାୟ ଏବଂ କୃପାଳୁ ନ ହେବାର କଳଙ୍କ ବୋଳିଦିଅନ୍ତି । ପ୍ରକୃତ ସତ ହେଉଛି, ଭଗବାନଙ୍କର କୌଣସିଟି ବିଧାନ କୃପା ରହିତ ନୁହେଁ, କୃପା କରିବା ତ ତାଙ୍କର ସାଧାରଣ ସ୍ୱଭାବ ଅଟେ । ପାପୀ ପ୍ରାଣୀମାନଙ୍କୁ ଦଣ୍ଡବିଧାନ କରିବାରେ ମଧ୍ୟ ସେ ତାଙ୍କ କୃପାର ସମାବେଶ କରିପକାନ୍ତି । ବର୍ତ୍ତମାନ ଦ୍ୱିତୀୟ ପ୍ରଶ୍ନଟି ହେଉଛି, ତାଙ୍କ କୃପାର ସ୍ୱରୂପଟି କିପରି ? ଏଥିରେ କୌଣସି ସନ୍ଦେହ ନାହିଁ କି, କୃପାର ଅଭ୍ୟନ୍ତର ସ୍ୱରୂପ ତ ସବୁବେଳେ ସରସ, ମନୋହର ଏବଂ ମଧୁର ହୋଇଥାଏ ହେଲେ ବାହାରୁ ସେ କେତେବେଳେ ‘ସୁନ୍ଦରଂ ସୁନ୍ଦରାଣାମ୍’ (ସୁନ୍ଦରରୁ ସୁନ୍ଦର) ସ୍ୱରୂପରେ ଦର୍ଶନ ଦେଇଥାନ୍ତି ତ କେବେ ପୁଣି ‘ଭୀଷଣଂ ଭୀଷଣାନାମ୍’ (ଭୟଙ୍କରରୁ ଭୟଙ୍କର) ରୂପରେ ପ୍ରକଟ ହୋଇଥାନ୍ତି । ପୁଣି କେତେବେଳେ ତାଙ୍କର ରୂପ ‘ମୃଦୂନି କୁସୁମାଦପି’ (ପୁଷ୍ପରୁ ଅଧିକ କୋମଳ ହୋଇଥାଏ) ତ ଆଉ କେତେବେଳେ ‘ବଜ୍ରାଦପି କଠୋରାଣି’ (ବଜ୍ରଠାରୁ ମଧ୍ୟ ଅଧିକ କଠୋର) ହୋଇଥାଏ । ଯେଉଁ ବିବେକୀ ଆଉ କଲ୍ୟାଣକାରୀ ପୁରୁଷମାନେ ବିଷୟସମୂହର ପ୍ରାପ୍ତି ନିମନ୍ତେ ଭଗବାନଙ୍କୁ ସାଧନ କରିପାରନ୍ତି ନାହିଁ, ଯେଉଁମାନେ ପ୍ରକୃତରେ ତ୍ୟାଗୀ ଏବଂ ପ୍ରେମୀ ଅଟନ୍ତି, ସେମାନେ ତ ଏହି ଉଭୟ ରୂପରେ ସେହି ‘ଅନୁରୂପ’ଙ୍କର ଅପୂର୍ବ ଅନୁକମ୍ପାର ଦର୍ଶନ କରି କୃତାର୍ଥ ହୋଇଥାନ୍ତି ହେଲେ ଯେଉଁମାନେ ଅଳ୍ପବୁଦ୍ଧି ସମ୍ପନ୍ନ ପ୍ରାଣୀ ସେମାନେ କେବଳ ଆପାତ-ରମଣୀୟ ବିଷୟମାନଙ୍କୁ ହିଁ ଏକମାତ୍ର ସୁଖର ସାଧନ ବୋଲି ମନେକରନ୍ତି, ସେହି ଅପରିଣାମଦର୍ଶୀ ଏବଂ ଅବିବେକୀ ମନୁଷ୍ୟ ଭଗବତ୍ କୃପାର ମନୋହର ରୂପକୁ ଦେଖି ଅତ୍ୟନ୍ତ ଆହ୍ଲାଦିତ ହୋଇଉଠନ୍ତି ଆଉ ସେହି ଭୀଷଣ ରୂପକୁ ଦେଖି ଭୟରେ କମ୍ପିଉଠନ୍ତି ।
ଥରେ ଏକ ଅବୋଧ ବାଳକର ବିଷଧର କୀଟ ଦଂଶନ କାରଣରୁ ଗଭୀର କ୍ଷତ ହୋଇଗଲା, ଅସହଣୀୟ ଯନ୍ତ୍ରଣା ହେଲା, ବାଳକଟିର ମା ଡାକ୍ତରଙ୍କୁ ଡାକିଲେ, ଡାକ୍ତର ସେହି ସ୍ଥାନଟିକୁ ଅପରେସନ୍ କରିବାପାଇଁ ପରାମର୍ଶ ଦେଲେ ଆଉ ଯେତେଶୀଘ୍ର ସମ୍ଭବ ଶଲ୍ୟକ୍ରିୟା (ଅପରେସନ୍) ନ କଲେ ସେହି ଗଭୀର କ୍ଷତ ସ୍ଥାନଟିରେ ଥିବା ବିଷ ଶରୀରରେ ପ୍ରସାରିତ ହୋଇଯିବ, ଯାହାଫଳରେ ବାଳକଟିର ମୃତ୍ୟ ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି କହିଲେ । ମା ବାଳକଟିର ହିତ ମନେକରି କ୍ଷତ ସ୍ଥାନରେ ଶଲ୍ୟ କ୍ରିୟା କରିବାପାଇଁ ସ୍ୱୀକାର କରିନେଲେ, ଡାକ୍ତର ଶଲ୍ୟକ୍ରିୟା କରିଚାଲିଲେ । ସେ ସମୟରେ ସେହି ଅପରିଣାମଦର୍ଶୀ ଅବୋଧ ବାଳକ ଶଲ୍ୟକ୍ରିୟାର କ୍ଷଣିକ ଯନ୍ତ୍ରଣାରେ ବ୍ୟଥିତ ହୋଇ ଖୁବ୍ ଜୋର୍ରେ କାନ୍ଦିବାକୁ ଲାଗିଲା ଆଉ ଶଲ୍ୟକ୍ରିୟା କରିବାପାଇଁ ଅନୁମତି ଦେଇଥିବା ମାଙ୍କୁ ପ୍ରତ୍ୟକ୍ଷ ଶତ୍ରୁ ମନେକରି ଗାଳିମନ୍ଦ କଲା ।
ଯଦପି ପ୍ରଥମ ଦୁଖ ପାବୈ, ରୋବେ ବାଲ ଅଧୀର ।
ବ୍ୟାଧି ନାଶ ହିତ ଜନନୀ, ଗନେ ନ ସୋ ଶିଶୁ ପୀର ।।
ମା, ପିଲାଟିର କାନ୍ଦିବା ତଥା ଗାଳିମନ୍ଦ କରିବାକୁ ଆଦୌ ଖାତିର ନକରି, ତାକୁ ଆହୁରି ଜୋର୍ରେ ଧରିନେଲେ, ଶଲ୍ୟକ୍ରିୟା ଶେଷହେଲା, ଶଲ୍ୟକ୍ରିୟା କାରଣରୁ ଶରୀର ଭିତରୁ ସମସ୍ତ ବିଷ ବାହାରିଗଲା, ବାଳକଟିର ସମସ୍ତ ଯନ୍ତ୍ରଣା ଦୂର ହୋଇଗଲା ଆଉ ସେ ଆନନ୍ଦରେ ଶୋଇପଡିଲା ।
ବାଳକ ଅଜ୍ଞାନତାବଶତଃ ଶଲ୍ୟକ୍ରିୟା କରାଇବାକୁ କାନ୍ଦିଥାଏ ଆଉ ବୁଦ୍ଧିମାନ ଲୋକ ଜାଣିବାପରେ ଶଲ୍ୟକ୍ରିୟା ସ୍ୱୀକାର କରିଥାନ୍ତି । ଏହି ଦୃଷ୍ଟାନ୍ତ ଅନୁସାରେ—
ତିମି ରଘୁପତି ନିଜଦାସ କର, ହରହିଂ ମାନ ହିତ ଲାଗି ।
ତୁଲସିଦାସ ଐସେ ପ୍ରଭୁହିଂ, କସ ନ ଭଜହୁ ଭ୍ରମ ତ୍ୟାଗି ।।
ଭଗବାନ୍ ମଧ୍ୟ ତାଙ୍କର ପ୍ରିୟ ଭକ୍ତର ସମସ୍ତ ଆନ୍ତରିକ ଦୋଷକୁ ବାହାର କରିଦେବା ପାଇଁ ବେଳେବେଳେ ଶଲ୍ୟକ୍ରିୟା କରିଥାନ୍ତି, ସେ ସମୟରେ ସାଂସାରିକ ସଙ୍କଟ ସବୁର ଦୂରୀକରଣ ହୋଇନଥାଏ ବରଂ ଏ ସମସ୍ତ ରୁଦ୍ର ଲୀଳାର ଏକମାତ୍ର କାରଣ ହୋଇଥାଏ ‘ଭକ୍ତର ଆତ୍ୟନ୍ତିକ ହିତ ଚିନ୍ତା’ । ଯେଉଁଭଳି ଦୟାମୟୀ ଜନନୀ ତାଙ୍କ ଆଦରର ସନ୍ତାନର ସଢ଼ିଯାଇଥିବା ଅଂଶକୁ କାଟି ଫୋପାଡ଼ି ଦେଇଥାଏ, ସେହିଭଳି ଭଗବାନ୍ ମଧ୍ୟ ତାଙ୍କ ପ୍ରିୟ ସନ୍ତାନଙ୍କର ହିତକାମନା କରି ସେମାନଙ୍କ ଭିତରେ ଥିବା ବିଷୟ-ବିଷକୁ ବାହାରକରି ଫୋପାଡ଼ି ଦିଅନ୍ତି । ଏଭଳି ଅବସ୍ଥାରେ ପରିଣାମଦର୍ଶୀ ବିଶ୍ୱାସୀ ଭକ୍ତମାନଙ୍କୁ ତ ଆନନ୍ଦ ଲାଗେ ହେଲେ ବିଷୟାସକ୍ତ ଅଜ୍ଞାନୀ ମନୁଷ୍ୟ ବିଳାପ କରିଥାନ୍ତି, ଚିତ୍କାର କରିଥାନ୍ତି ।
ଯେଉଁ ସମୟରେ ଭଗବାନ୍ ବାମନ ଅନୁଗ୍ରହ ପୂର୍ବକ ବିରାଟ୍ ସ୍ୱରୂପ ଧାରଣକରି ମୁକ୍ତ ବଳିକୁ ବାନ୍ଧି ନେଇଥିଲେ ଏବଂ ସେହି ବନ୍ଧନକୁ ବଳି ଭଗବାନଙ୍କର ପରମ ଅନୁଗ୍ରହ ବୋଲି ମନେକରିଥିଲେ, ସେ ସମୟରେ ବଳିଙ୍କର ପିତାମହ ପରମ ଭକ୍ତ ପ୍ରହ୍ଲାଦ ସେଠାକୁ ଆସିଥିଲେ, ଭଗବତ୍କୃପାର ମର୍ମ ଅବଗତକାରୀ ପ୍ରହ୍ଲାଦ ଆସିବା ମାତ୍ରକେ ଭଗବାନଙ୍କୁ କହିଥିଲେ କି—
‘ହେ ଭଗବାନ୍ ! ଆପଣ ହିଁ ଏହାଙ୍କୁ ଏହି ସମୃଦ୍ଧିସମ୍ପନ୍ନ ଇନ୍ଦ୍ରପଦ ଦେଇଥିଲେ ଆଉ ଏହି ସମୟରେ ଆପଣ ହିଁ ତାହାକୁ ହରଣ କରିନେଲେ, ମୋ ମତରେ ଆପଣ ଏହାଙ୍କୁ ରାଜ୍ୟଲକ୍ଷ୍ମୀଙ୍କ ଠାରୁ ଭ୍ରଷ୍ଟ କରି ଏହାଙ୍କ ଉପରେ ବଡ଼ ଅନୁଗ୍ରହ କରିଛନ୍ତି । ଲକ୍ଷ୍ମୀଙ୍କୁ ପାଇ ମନୁଷ୍ୟ ନିଜକୁ ଭୁଲିଯାଏ । ଯେଉଁ ଲକ୍ଷ୍ମୀଙ୍କ କାରଣରୁ ବିଦ୍ୱାନ୍ ଏବଂ ସଂଯମୀ ପୁରୁଷ ମଧ୍ୟ ମୋହିତ ହୋଇଯାନ୍ତି, ସେହି ଲକ୍ଷ୍ମୀ ରହିବା ପରେ ବି କେଉଁ ପୁରୁଷ ଆତ୍ମତତ୍ତ୍ୱକୁ ଯଥାର୍ଥ ରୂପରେ ଅବଗତ ହୋଇପାରନ୍ତି ଅତଃ ଆପଣ ଆମ ଉପରେ ବହୁତ ଦୟା କରିଛନ୍ତି ।‘ ’ଏହା ହେଉଛି ଭକ୍ତର ବିଶ୍ୱାସର ବାଣୀ ! ଏହା ହେଉଛି ଅଶୁଭରେ ଶୁଭର ଦର୍ଶନ !! ଆଉ ଏହା ହେଉଛି ଭକ୍ତଙ୍କର ଭଗବାନଙ୍କ ଉପରେ ଦୃଢ଼ ଭରସା !!!
ଭଗବାନ୍ ମଧ୍ୟ ପ୍ରହ୍ଲାଦଙ୍କର ଏହି କଥନର ସମର୍ଥନ କରି କହିଛନ୍ତି ‘ମୁଁ ଯାହା ଉପରେ କୃପା କରେ ତାର ଧନ-ବୈଭବ ପ୍ରଥମେ ହରଣ କରିନିଏ, କାରଣ ମନୁଷ୍ୟ ଧନ-ସମ୍ପତ୍ତି ଏବଂ ଐଶ୍ୱର୍ଯ୍ୟ ଗର୍ବରେ ମତ୍ତ ହୋଇ ସମସ୍ତ ଜୀବଙ୍କର ଆଉ ମୋର ନିରାଦର କରିଥାନ୍ତି ।’
ଯେଉଁ ଧନ-ସମ୍ପତ୍ତି ଦ୍ୱାରା ଏତେ ଅନର୍ଥ ହୋଇଥାଏ ‘କେବଳ’ ତାହାର ପ୍ରାପ୍ତିକୁ ପରମାତ୍ମାଙ୍କର କୃପା ମନେକରିବା ସତରେ କେତେ ବଡ଼ ଭୁଲ ! ହେଲେ ଭଗବାନଙ୍କର ଉପରୋକ୍ତ ବଚନ ଦ୍ୱାରା କେହି ଏପରି ମନେକରି ପ୍ରକମ୍ପିତ ହୁଅନ୍ତୁ ନାହିଁ ଯେ, ଭଗବାନ୍ ତ ତାଙ୍କ ଭକ୍ତମାନଙ୍କର ଧନ-ଐଶ୍ୱର୍ଯ୍ୟର ନାଶ କରିପକାନ୍ତି । ସେପରି କଥା ନୁହେଁ ! ବିଭୀଷଣଙ୍କୁ ଲଙ୍କାର ଅଟଳ ରାଜ୍ୟ, ଧ୍ରୁବଙ୍କୁ ଅଚଳ ସମ୍ପତ୍ତି ଏବଂ ଦରିଦ୍ର ସୁଦାମାଙ୍କୁ ଅତୁଳ ଐଶ୍ୱର୍ଯ୍ୟ ଭଗବାନ୍ ହିଁ ତ ପ୍ରଦାନ କରିଥିଲେ । ଯେଉଁପ୍ରକାର ଆସ୍ଥା ହୋଇଥାଏ, ସେପ୍ରକାର ବ୍ୟବସ୍ଥା କରାଯାଇଥାଏ !
‘ଜଣେ ସଦ୍ବୈଦ୍ୟ ରୋଗୀଙ୍କ ରୋଗର ନିଦାନ କରି ତାକୁ ସେହି ଔଷଧ ଦେଇଥାନ୍ତି, ଯାହା ତାର ରୋଗ ନାଶକାରୀ ହୋଇଥାଏ, ସେ ଏ କଥାକୁ ଦେଖନ୍ତି ନାହିଁ ଯେ, ଔଷଧ କେତେ କଟୁ ଅବା ମିଠା ! ରୋଗୀର ମନ ଅନୁକୂଳ ଅଟେ ଅବା ପ୍ରତିକୁଳ ! ରୋଗୀଙ୍କ ଇଚ୍ଛାକୁ ସେ ଆଦୌ ଦେଖିନଥାନ୍ତି, ରୋଗୀ କୁପଥ୍ୟ ଚାହିଁଥାଏ ତ ବୈଦ୍ୟ ତାକୁ ବିରକ୍ତିଭାବ ଦେଖାଇଥାନ୍ତି, ତାର ଗାଳିମନ୍ଦ କରିବା ଦିଗକୁ ସେ ଆଦୌ ଦୃଷ୍ଟି ଦିଅନ୍ତି ନାହିଁ ବରଂ ତା ମନର ସର୍ବଥା ବିପରୀତ, ତା ପାଇଁ କଟୁ ପଥ୍ୟର ବ୍ୟବସ୍ଥା କରିଥାନ୍ତି, ସେ ଅନ୍ୟ ଔଷଧ ବିକ୍ରୟକାରୀଙ୍କ ଭଳି ମୂଲ୍ୟ ପ୍ରାପ୍ତ ହେବାମାତ୍ରେ ମନଇଚ୍ଛା ଔଷଧ ଦେଇନଥାନ୍ତି, ତାଙ୍କୁ ରୋଗୀର ଆରୋଗ୍ୟ ଚିନ୍ତା ରହିଥାଏ ! ତାଙ୍କର ଉଦ୍ଦେଶ୍ୟ ଥାଏ, କେବଳ ‘ରୋଗର ସମୂଳ ନାଶ କରିଦେବା !’’ ଏହିଭଳି ଭାବେ ଭଗବାନ୍ ମଧ୍ୟ ନିଜ ଭକ୍ତମାନଙ୍କୁ ଯାହାର ଯେଉଁଭଳି ରୋଗ ଦେଖନ୍ତି ତା ପାଇଁ ଠିକ୍ ସେହିଭଳି ଔଷଧର ବ୍ୟବସ୍ଥା କରନ୍ତି । ଅନ୍ୟ ଦେବତାମାନଙ୍କ ଭଳି ଇଚ୍ଛା ଅନୁସାରେ ବରଦାନ ଦେଇନଥାନ୍ତି ! ତାର ଇଚ୍ଛା କଣ ସେ ଆଦୌ ଏ ବିଷୟରେ ଧ୍ୟାନ ଦିଅନ୍ତି ନାହିଁ ବରଂ ଅନେକ ସମୟରେ ତ ତା ମନର ବିପରୀତ କରିପକାନ୍ତି । ଥରେ ଭକ୍ତରାଜ ନାରଦ ମାୟାରେ ମୋହିତ ହୋଇ ବିବାହ କରିବାପାଇଁ ଚାହିଁଲେ, ଭଗବାନଙ୍କୁ ପ୍ରାର୍ଥନା ମଧ୍ୟ କଲେ, ହେଲେ ଭଗବାନ୍ ଜାଣିଥିଲେ ଯେ, ଏହାଦ୍ୱାରା ତାଙ୍କର ଅହିତ ହେବ, ଏହା ଭବରୋଗୀପାଇଁ କୁପଥ୍ୟ ଅଟେ, ଏଥିପାଇଁ ବିବାହ କରିବାପାଇଁ ଦେଲେନାହିଁ । ନାରଦ କ୍ରୋଧାନ୍ୱିତ ହେଲେ, ସେ ଭଗବାନଙ୍କୁ ଅପଶବ୍ଦ ମଧ୍ୟ କହିଲେ, ଅଭିଶାପ ବି ଦେଇଦେଲେ । ଭଗବାନ୍ ଭକ୍ତର ଅଭିଶାପକୁ ସହର୍ଷ ଗ୍ରହଣ କରିନେଲେ ହେଲେ ତାଙ୍କୁ କର୍ତ୍ତବ୍ୟଚ୍ୟୁତ ହେବାପାଇଁ ଦେଲେନାହିଁ ! ଯାହାବି ହେଉ, ରୋଗମୁକ୍ତ ହୋଇ ମନୁଷ୍ୟ ଯେତେବେଳେ ବଳପ୍ରାପ୍ତ କରିନିଏ, ସେତେବେଳେ ତାକୁ ସବୁକିଛି ଖାଦ୍ୟପାନୀୟର ଅଧିକାର ମିଳିଯାଏ, ଏହିଭଳି ଭାବେ ଭବରୋଗରୁ ମୁକ୍ତ ହୋଇ ଭଗବତ୍ ପ୍ରାପ୍ତି କରିନେବାରୁ ତାକୁ ଯେତେବେଳେ ଭଗବାନଙ୍କ ସର୍ବସ୍ୱର ସ୍ୱାମିତ୍ୱ ପ୍ରାପ୍ତ ହୋଇଯାଏ, ସେତେବେଳେ ଆଉ ତାର କେଉଁ କଥାର ଅଭାବ ରହିଯାଏ ? ଆଉ କେଉଁ କଥାର ବାଧା ରହେ ? ମନୁଷ୍ୟ ଭୁଲରେ ସାଂସାରିକ ଧନ, ଐଶ୍ୱର୍ଯ୍ୟ ପାଇଁ ଲାଳାୟିତ ହେଉଥାଏ, ଯଦି ଚେଷ୍ଟା କରି ସେ ସେହି ଅତୁଳ ଐଶ୍ୱର୍ଯ୍ୟଶାଳୀ ପରମାତ୍ମାଙ୍କୁ – ଯାହାଙ୍କର ଏକ ଅଂଶରେ ଏ ସମସ୍ତ ଐଶ୍ୱର୍ଯ୍ୟପୂର୍ଣ୍ଣ ସଂସାର ମହାନ୍ ସମୁଦ୍ରରେ ଏକ ବାଲିକଣା ସମ ସ୍ଥିତ ଅଟେ, ପ୍ରାପ୍ତ କରିନିଏ ତେବେ ତ ତାକୁ ସମସ୍ତ ପଦାର୍ଥ ସ୍ୱତଃ ପ୍ରାପ୍ତ ହୋଇଯିବ ! ଏହା ଠିକ୍ !
ରାଜା ବଳି ଭଗବତ୍କୃପାର ବିକଟ ସ୍ୱରୂପ କାରଣରୁ ଭୟଭୀତ ନ ହୋଇ ତାଙ୍କର ସାଦର ସ୍ୱାଗତ କଲେ, ବଳିଙ୍କର ସମସ୍ତ ଧନ-ଐଶ୍ୱର୍ଯ୍ୟ ହରଣ କରିନିଆଗଲା, ଅଗ୍ନିପରୀକ୍ଷା କରାଗଲା, ହେଲେ ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଭକ୍ତ ବଳିଙ୍କୁ ସେହି ରମଣୀୟ ଏବଂ ସମୃଦ୍ଧସମ୍ପନ୍ନ ସୁତଳଲୋକର ରାଜ୍ୟ ପ୍ରଦାନ କରାଗଲା, ଯାହାର ଅଭିଳାଷା ଦେବତା ମଧ୍ୟ କରିଥାନ୍ତି । ଯେଉଁଠାରେ ଭଗବତ୍ କୃପାରୁ କେତେବେଳେ ଆଧି, ବ୍ୟାଧି, ଭ୍ରାନ୍ତି, ତନ୍ଦ୍ରା, ପରାଭବ ତଥା କୌଣସି ପ୍ରକାର ଭୌତିକ ଉପଦ୍ରବ ମଧ୍ୟ ହୋଇନଥାଏ । ଏତିକି ଐଶ୍ୱର୍ଯ୍ୟ ପ୍ରଦାନ କରିବାପରେ ମଧ୍ୟ ଭଗବାନ୍ ଶାନ୍ତ ହେଲେନାହିଁ, ସେ ବଳିକୁ ସାବର୍ଣ୍ଣି ମନ୍ୱନ୍ତରରେ ଇନ୍ଦ୍ର ହେବା ନିମନ୍ତେ ବର ପ୍ରଦାନ କରିଥିଲେ ଏବଂ ପ୍ରହ୍ଲାଦଙ୍କୁ କହିଥିଲେ—‘ବତ୍ସ ପ୍ରହ୍ଲାଦ ! ତୁମେ ତୁମର ପୌତ୍ରସହିତ ସୁତଳଲୋକକୁ ଯାଇ ଜାତିର ଲୋକମାନଙ୍କୁ ସୁଖ ପ୍ରଦାନ କରିବାସହିତ ଆନନ୍ଦରେ ରୁହ, ସେଠାରେ ତୁମେ ମୋତେ ସର୍ବଦା ହସ୍ତରେ ଗଦା ଧାରଣ କରି ବଳିଙ୍କ ଦ୍ୱାରରେ ଉପସ୍ଥିତ ଥିବାରସବୁ ସମୟରେ ଦେଖିପାରିବ ।’ ଏମିତିରେ ବଳିଙ୍କ ଦ୍ୱାରରେ ଦ୍ୱାରପାଳ ହେବାପାଇଁ ସ୍ୱୀକାର କଲେ ଆଉ ଶେଷରେ ତାଙ୍କୁ ନିଜର ପରମଧାମ ପ୍ରଦାନ କରିଥିଲେ । ଏହା କ’ଣ ପରମ ଅନୁଗ୍ରହ ନୁହେଁ ? ଭଗବାନ୍ ହିରଣ୍ୟାକ୍ଷ-ହିରଣ୍ୟକଶିପୁ, ରାବଣ-କୁମ୍ଭକର୍ଣ୍ଣ ଏବଂ ଶିଶୁପାଳ-ଦନ୍ତବକ୍ରର କ୍ରମଶଃ ଚାରି ଚାରି ଗୋଟି ଅବତାର ଧାରଣ କରି ବଧ କରିଥିଲେ । କଣପାଇଁ ? ସେମାନଙ୍କ ଉପରେ ଅନୁଗ୍ରହ ଥିଲା ଏଥିପାଇଁ ! ଋଷିଙ୍କ ଅଭିଶାପରୁ ଭ୍ରଷ୍ଟ ନିଜର ଦ୍ୱାରପାଳ ଜୟ-ବିଜୟଙ୍କୁ ଅଭିଶାପରୁ ମୁକ୍ତ କରିବାପାଇଁ ! ମୃତ୍ୟୁଠାରୁ ମଧ୍ୟ ଅଧିକ ଭୟଙ୍କର କଥା ଆଉ କଣ ହୋଇପାରେ ? ହେଲେ ଭଗବାନଙ୍କ ଦ୍ୱାରା ହେଉଥିବା ମୃତ୍ୟୁରେ ମଧ୍ୟ ତାଙ୍କ କୃପା ପୂର୍ଣ୍ଣମାତ୍ରାରେ ରହିଥାଏ । ଦୁଷ୍ଟମାନଙ୍କର ବିନାଶ ଭଗବାନ୍ କାହିଁକି କରନ୍ତି ? ସେମାନଙ୍କ ଉଦ୍ଧାର ନିମନ୍ତେ ! ସେମାନଙ୍କ ଉଦ୍ଧାର ପାଇଁ ! ସେମାନଙ୍କୁ ପାପମୁକ୍ତ କରି ନିଜର ସୁଖ ଶାନ୍ତିମୟ ପରମଧାମରେ ପହଁଞ୍ଚାଇବାପାଇଁ ! ! ଭକ୍ତଗଣ ଏହାକୁ ଦିବ୍ୟଦୃଷ୍ଟିରେ ଦେଖିପାରନ୍ତି ! ! !
ଏହା କୌଣସି ନିୟମ ନୁହେଁ କି, ଭଗବତ୍ ଭକ୍ତଙ୍କ ଉପରେ କୌଣସି ସାଂସାରିକ କଷ୍ଟ ଆସିବ ନାହିଁ ଅବା ସେମାନଙ୍କୁ କଦାପି ସାଂସାରିକ ସୁଖ ସର୍ବଥା ପ୍ରାପ୍ତ ହେବନାହିଁ । ବେଳେବେଳେ ଉଭୟ କର୍ମାନୁସାରେ ପ୍ରାପ୍ତି ହୋଇଥାଏ ହେଲେ ଉଭୟରେ ହିଁ ଭଗବତ୍ କୃପାର ବିଲକ୍ଷଣ ସମାହିତ ହୋଇ ରହିଥାଏ, ଏହି କୃପାର ଯଥାର୍ଥ ଦର୍ଶନ ସେହି ଭାଗ୍ୟବାନଙ୍କୁ ମିଳିଥାଏ ଯିଏ ସୁଖଦୁଃଖରେ ସମଚିତ୍ତ ହୋଇଥାନ୍ତି ଆଉ ଯିଏ ପରମାତ୍ମାଙ୍କୁ କୌଣସି ସାଂସାରିକ ବସ୍ତୁ ଆଶା କରି ତାଙ୍କର ଅପାର ମହିମା ଏବଂ ନିଜର ଭକ୍ତିରେ ଦୋଷ ଆରୋପ କରିବାକୁ ଦିଅନ୍ତି ନାହିଁ । ଭକ୍ତ ନିଜର ଭକ୍ତି ଆଉ ପ୍ରେମିକା ନିଜର ପ୍ରେମୀକଙ୍କଠାରୁ କଣ ଆଶା କରନ୍ତି ? ସେହି ଭକ୍ତି ଏବଂ ପ୍ରେମ ! ବାସ୍ତବରେ ଏଭଳି ଭକ୍ତଙ୍କ ହୃଦୟରେ ଭଗବତ୍ପ୍ରେମ ପ୍ରତି ଏଭଳି ପ୍ରବଳ ଆକର୍ଷଣ ରହିଥାଏ କି, ସେମାନେ ତାହାକୁ ଲାଭ କରିବାପାଇଁ ଯେ କୌଣସି ବିପତ୍ତିକୁ ମଧ୍ୟ ବିପତ୍ତି ମନେକରନ୍ତି ନାହିଁ ।
ଯିଏ କେବେ ସଂସାର ଆଡ଼କୁ ଦୃଷ୍ଟି ଦେଇଥାଏ ଆଉ କେବେ ପରମାତ୍ମାଙ୍କ ଆଡ଼କୁ ଦୃଷ୍ଟି ଦେଇଥାଏ, ସେ ପୂର୍ଣ୍ଣ ପ୍ରେମୀ ନୁହେଁ । ତାଙ୍କୁ ଅଧୁନା ଭଗବତ୍ ପ୍ରେମପ୍ରତି ପ୍ରବଳ ଉତ୍କଣ୍ଠା ହୋଇନାହିଁ । ସଂସାର ରହୁ ଅଥବା ଯାଉ, ଘର ଉଜୁଡ଼ିଯାଉ ଅଥବା ଗଢ଼ିଉଠୁ, କୌଣସି କଥାର ଖାତିର ନଥାଏ, ହେଲେ ପ୍ରେମରେ ଯେପରି କୌଣସି ବାଧା ନ ଆସୁ !
ମା’ ଯଦି ଛୋଟ ପିଲାଟିକୁ ମାରନ୍ତି, ତେବେ ମଧ୍ୟ ସେ ତାଙ୍କରି କୋଳରେ ରହିଥାଏ ଆଉ ଯଦି ସେ ଗାଳିକରନ୍ତି ତଥାପି ମଧ୍ୟ ସେ ତାଙ୍କରି ପାଖକୁ ଯାଇଥାଏ, ମା’ର କୋଳକୁ ଛାଡ଼ି ଆଉ କେଉଁଠାରେ ବି ବିଶ୍ରାମ ମିଳିନଥାଏ । ସେ ମାରନ୍ତୁ ଅବା ଭଲପାଆନ୍ତୁ ! ଭକ୍ତ ଗୋଟିଏ ମୁହୂର୍ତ୍ତ ବି ତାଙ୍କ ବିନା ରହିବାକୁ ଚାହେଁନାହିଁ । ସମ୍ଭବତଃ ବିପତ୍ତିର ବାଦଲ ଭକ୍ତ ଉପରେ ଚାରିଆଡ଼ୁ ମାଡ଼ିଆସୁ—ଏହା ମଧ୍ୟ ସମ୍ଭବ ଯେ, ତାଙ୍କର ସମସ୍ତ ଜୀବନ କେବଳ ସାଂସାରିକ ବିପତ୍ତିରେ ଅତିବାହିତ ହେଉ ଆଉ ଗୋଟିଏ ମୁହୂର୍ତ୍ତ ବି ବିପତ୍ତିର ଅଭାବ ନହେଉ ତଥାପି ତାଙ୍କର ମନ ସେହି ପ୍ରେମାନନ୍ଦଙ୍କଠାରେ ଏତେ ମାତ୍ରାରେ ମଗ୍ନ ରହିଥାଏ ଯେ, ତାଙ୍କୁ କଦାପି ଭଗବତ୍ କୃପା ସମ୍ବନ୍ଧରେ କିଞ୍ଚିତ୍ ସନ୍ଦେହ ରହେନାହିଁ ।
ଚାତକ ଉପରେ ଯଦି ତାର ପ୍ରିୟତମ ମେଘ ପଥର ବର୍ଷା କରେ ତେବେ କଣ ସେ ମେଘକୁ ଭଲପାଇବା ଛାଡ଼ିଦେବ ? କ’ଣ ତା ଭଲପାଇବାରେ କିଛି ଅଭାବ ଦେଖାଇବ ? ଗୋସ୍ୱାମୀ ତୁଳସୀଦାସ କହିଛନ୍ତି—
ଉପଲ ବରସି ଗରଜତ ତରଜି, ଡ଼ାରତ କୁଲିଶ କଠୋର ।
ଚିତୈ କି ଚାତକ ମେଘ ତଜି, କବହୁଁ ଦୁସରୀ ଔର ।।
‘ଭୟଂକର ବଜ୍ରପାତ ଦ୍ୱାରା ତାହାର ପ୍ରାଣ ଚାଲିଯାଉ ନାଁ କାହିଁକି, ହେଲେ ପ୍ରେମୀ ଚାତକ ଅନ୍ୟ କେଉଁ ଆଡ଼କୁ ବି ଦୃଷ୍ଟି ଦେଇନଥାଏ’ ଏହିଭଳି ଭାବରେ ଭକ୍ତ ମଧ୍ୟ ନିତ୍ୟ ନିଶ୍ଚିନ୍ତ ହୋଇ ରହିଥାଏ ‘ତାକୁ ନାଁ ତ ଦୁଃଖରେ ଉଦ୍ବେଗ ହୋଇଥାଏ ଆଉ ନାଁ ସୁଖର ସ୍ପୃହା ରହିଥାଏ ’ ଭଗବାନ୍ କହୁଛନ୍ତି—
ଯୋ ନ ହୃଷ୍ୟତି ନ ଦ୍ୱେଷ୍ଟି ନ ଶୋଚତି ନ କାଙ୍କ୍ଷତି ।
ଶୁଭାଶୁଭପରିତ୍ୟାଗୀ ଭକ୍ତିମାନ୍ୟଃ ସ ମେ ପ୍ରିୟଃ ।।
(ଗୀତା ୧୨/୧୬)
‘ଯିଏ ନାଁ କେବେ ହର୍ଷିତ ହୋଇଥାଏ ନାଁ ଦ୍ୱେଷ କରିଥାଏ ଆଉ ନାଁ କୌଣସି ପ୍ରକାରର ଆକାଂକ୍ଷା କରିଥାଏ—ଯିଏ ଶୁଭାଶୁଭ ଉଭୟର ତ୍ୟାଗୀ ଅଟେ, ସେହି ଭକ୍ତିମାନ୍ (ପୁରୁଷ) ମୋର ପ୍ରିୟ ଅଟନ୍ତି ।’
ଏହିଭଳି ଭାବରେ ଭକ୍ତ, ଯେଉଁଭଳି ସମ୍ପତ୍ତିରେ ତାଙ୍କର ମୂର୍ତ୍ତି ଦେଖି ସନ୍ଦେହ ଶୁନ୍ୟ ରହିଥାନ୍ତି, ସେହିଭଳି ବିପତ୍ତିରେ ମଧ୍ୟ ତାଙ୍କର ମନମୋହିନୀ ମଧୁର ରୂପଯୁକ୍ତ ଛବିକୁ ଦର୍ଶନ କରି ନିଃସଂଶୟ ରହିଥାନ୍ତି ।
ଏଥିରେ କୌଣସି ସନ୍ଦେହ ନାହିଁ କି, ଲୌକିକ ଦୃଷ୍ଟିରେ ସମୟ ସମୟରେ ଭଗବତ୍ କୃପାର ସ୍ୱରୂପ ଅତ୍ୟନ୍ତ ଭୀଷଣ ହୋଇଥାଏ । ପ୍ରହ୍ଲାଦକୁ ଅଗ୍ନିରେ ପକାଇଦିଆଗଲା, ମୀରାଙ୍କୁ ବିଷ ପାନ କରାଗଲା, ସଜ୍ଜନଙ୍କ ହାତ କାଟି ଦିଆଗଲା ଆଉ ବେତ ଆଘାତ ଦ୍ୱାରା ହରିଦାସଙ୍କ ପିଠିରୁ ରକ୍ତ ସ୍ରାବ ହେବାରେ ଲାଗିଲା, ହେଲେ ଧନ୍ୟ ସେହି ପ୍ରେମୀ ଆଉ ପ୍ରେମର ଉପାସକ ଭକ୍ତଗଣ, ଯିଏ ପ୍ରତ୍ୟେକ ଆବସ୍ଥାରେ ଶାନ୍ତ ଏବଂ ନିଶ୍ଚିନ୍ତ ଦେଖାଯାନ୍ତି । ସେମାନଙ୍କ ସ୍ଥିରତାରେ ତିଳେମାତ୍ର ଅଭାବ ଦେଖାଦେଇନଥାଏ ! କେତେ ପ୍ରଗାଢ଼ ବିଶ୍ୱାସ ଏବଂ ଭରସାର କଥା ସତରେ ! ଛୋଟ କଣ୍ଟାଟିଏ ଗଳିଗଲେ ଚିତ୍କାର କରୁ—ଟିକିଏ ଅଗ୍ନିର ଧାସ ସ୍ପର୍ଶ ହେବାମାତ୍ରେ ମନ ବ୍ୟାକୁଳ ହୋଇଉଠେ ହେଲେ ସେହି ଭକ୍ତଗଣ, ଯେଉଁମାନେ ପରମାତ୍ମାଙ୍କ ପ୍ରେମ ପାଇଁ ନିଜକୁ ହରାଇସାରିଛନ୍ତି—ଅତ୍ୟନ୍ତ ଆଗ୍ରହର ସହିତ ସମସ୍ତ ଯାତନା ଏବଂ କ୍ଳେଶକୁ ସହ୍ୟ କରିଥାନ୍ତି ସେହି ସର୍ବଗତ ପ୍ରାଣ ଭକ୍ତଙ୍କୁ, ପ୍ରେମପାଇଁ ଶୂଳୀରେ ଚଢ଼ିବା ନିମନ୍ତେ ମଧ୍ୟ ଭୟ ଲାଗିନଥାଏ କି ପ୍ରଜ୍ଜ୍ୱଳିତ ଅଗ୍ନି ମଧ୍ୟକୁ ଡେଇଁପଡ଼ିବାକୁ ଭୟ ଲାଗିନଥାଏ ! ପ୍ରେମପାଇଁ ମସ୍ତକକୁ ମଧ୍ୟ ସେମାନେ ହାତରେ ଧରି ଘୂରିବୁଲିଥାନ୍ତି !
ପ୍ରେମ ନ ବାଡ଼ୀ ନୀପଜେ ପ୍ରେମ ନ ହାଟ ବିକାୟ ।
ରାଜା ପରଜା ଜେହି ରୁଚୈ ଶୀଶ ଦେଇ ଲୈ ଜାୟ ।।
ଲୋକମାନେ କହନ୍ତି, ‘ଦେଖ ବିଚରାକୁ କେତେ କଷ୍ଟ ହେଉଛି, ବିଚରା ସମ୍ପୂର୍ଣ୍ଣ ଜୀବନ ରାମନାମ ଜପ କଲା ହେଲେ କଦାପି ସୁଖ ନିଦ୍ରାରେ ଶୋଇପାରିଲା ନାହିଁ ! ଆଜିକାଲି ଭଗବାନଙ୍କ ପାଖରେ ନ୍ୟାୟ ନାହିଁ । ଏହି ବିଚରା ତ ଚବିଶ ଘଣ୍ଟା ଭଜନ କରେ ଆଉ ଏହା ଉପରେ ଦୁଃଖର ପାହାଡ଼ ଅଜାଡ଼ି ହୋଇପଡ଼େ ।’
ଲୋକମାନଙ୍କର ଏଭଳି ବିନମ୍ର କଥା ଶୁଣି ସେହି ଭକ୍ତ—ବିପତ୍ତି-ସମ୍ପତ୍ତିକୁ ପଦାଘାତ କରି ଉଚ୍ଚକୁ ଉଠିଥିବା ଭକ୍ତ ମନେମନେ ହସିଥାନ୍ତି ଆଉ ତାଙ୍କ ଉପରେ ଦୟା କରିଥାନ୍ତି ।
ସେହି ସାଂସାରିକ ଲୋକମାନେ ଏ କଥାକୁ ଜାଣନ୍ତି ନାହିଁ କି, ଭଗବାନ୍ କେବେ କାହାରିକୁ କଷ୍ଟ ଦେବାକୁ ଚାହାଁନ୍ତି ନାହିଁ । ଭକ୍ତଙ୍କ ସମ୍ମୁଖରେ ଭଗବାନ୍ ଯେଉଁ ଦୁଃଖର ରୂପ ପ୍ରକଟ କରିଥାନ୍ତି ତାହା କେବଳ ତାଙ୍କର କଲ୍ୟାଣ ପାଇଁ କରିଥାନ୍ତି । ଯଦି କେବଳ ସୁଖରେ ଭଗବାନଙ୍କର ରୂପ ଦୃଶ୍ୟ ହୁଏ, ତେବେ କଣ ଦୁଃଖରେ ତାଙ୍କର ଅଭାବ ରହେ ? ଯଦି ସୁଖରେ ତାଙ୍କର ବ୍ୟାପକତା ରହିଛି ତେବେ ଦୁଃଖରେ ମଧ୍ୟ ରହିଛି, ଏଭଳି କୌଣସି ଅବସ୍ଥା ଅଥବା କୌଣସି ପଦାର୍ଥ ନାହିଁ ଯେଉଁଥିରେ ସେ ନାହାଁନ୍ତି । ଏ କଥାକୁ ପୂର୍ଣ୍ଣ ରୂପେ ପ୍ରକଟ କରିବାପାଇଁ ଭଗବାନ୍ ତାଙ୍କ ଭକ୍ତଙ୍କ ସମ୍ମୁଖରେ ଉଭୟ ସ୍ୱରୂପ ପ୍ରକଟ କରିଥାନ୍ତି ଯେତେବେଳେ ଭକ୍ତ ଏହି ପ୍ରହେଳିକାକୁ ବୁଝିଯାନ୍ତି, ସେତେବେଳେ ସେ ସବୁପ୍ରକାରେ ସବୁଦିଗରୁ ଭଗବାନଙ୍କୁ ଜାଣିଯାଆନ୍ତି । ସାଧାରଣ ଲୋକମାନେ ଏକ ପକ୍ଷରୁ ଦେଖିଥାନ୍ତି, ଏଥିପାଇଁ ସେମାନେ ସୁଖର ମୂର୍ତ୍ତିକୁ ଦେଖି ହସିଉଠନ୍ତି ଆଉ ଦୁଃଖର ମୂର୍ତ୍ତିକୁ ଦେଖି କମ୍ପିଉଠନ୍ତି, ହେଲେ ଯିଏ ଭକ୍ତ ଅଟନ୍ତି ସେ ଉଭୟ ସ୍ୱରୂପରେ ହିଁ ତାଙ୍କୁ ଦେଖିପାରନ୍ତି, ଏଥିପାଇଁ ସେମାନଙ୍କୁ ନାଁ ତ ଦୁଃଖରେ ଦ୍ୱେଷ କରିବାପାଇଁ ପଡ଼ିଥାଏ ଆଉ ନାଁ ସୁଖରେ ଅଧିକ ଅନୁରାଗ ହୋଇଥାଏ ! ଦକ୍ଷିଣ ଏବଂ ବାମ ଉଭୟ ତ ତାଙ୍କରି ହାତ ନାଁ ! ଭକ୍ତ କୌଣସି ବି ଅବସ୍ଥାରେ ଏହି ସତ୍ୟରୁ ନିଜ ଦୃଷ୍ଟି ଫେରାଇପାରିବ ନାହିଁ । ବରଂ ସେମାନେ ତ ଅନ୍ୟମାନଙ୍କୁ ଦୁଃଖରେ ଭାଙ୍ଗିପଡ଼ିବାର ଦେଖି ଭଗବାନଙ୍କୁ ଓଲଟା ଏହି ପ୍ରାର୍ଥନା କରିଥାନ୍ତି—
ନ କାମୟେଽହଂ ଗତିମୀଶ୍ୱରାତ୍ ପରାଂ-
ଅଷ୍ଟର୍ଦ୍ଧିଯୁକ୍ତାମପୁନର୍ଭବଂ ବା ।
ଆର୍ତିଂ ପ୍ରପଦ୍ୟେଽଖିଳଦେହଭାଜାଂ
ଅନ୍ତଃସ୍ଥିତୋ ଯେନ ଭବନ୍ତ୍ୟଦୁଃଖାଃ ।।(ଭା. ୯/୨୧/୧୨)
‘ହେ ନାଥ ! ମୁଁ (ଆପଣ) ପରମେଶ୍ୱରଙ୍କଠାରୁ ଅଣିମାଦି ଅଷ୍ଟସିଦ୍ଧିରେ ଯୁକ୍ତ ଗତି ଅବା ମୁକ୍ତି ଚାହୁଁନାହିଁ । ମୋର ଏତିକି ମାତ୍ର ପ୍ରାର୍ଥନା ଯେ, ମୁଁ ହିଁ ସମସ୍ତ ପ୍ରାଣୀଙ୍କ ଅନ୍ତଃକରଣରେ ସ୍ଥିତ ହୋଇ ଦୁଃଖ ଭୋଗ କରେ, ଯଦ୍ଦ୍ୱାରା ସେମାନଙ୍କର ଦୁଃଖ ଦୂର ହୋଇଯିବ ।’
ପରମ ଭକ୍ତ ପ୍ରହ୍ଲାଦ କାତରକଣ୍ଠରେ କହିଥିଲେ କି, ହେ ପ୍ରଭୁ ! ‘ମୋର ଚିତ୍ତ ତ ଆପଣଙ୍କ ଚରିତ୍ରଗାନରୂପୀ ସୁଧାସମୁଦ୍ରରେ ନିମଗ୍ନ ଅଟେ, ମୋତେ ସଂସାରରୁ କୌଣସି ଭୟ ନାହିଁ, ହେଲେ ମୁଁ ଏହି ଇନ୍ଦ୍ରିୟମାନଙ୍କ ସୁଖରେ ଲିପ୍ତ ଏବଂ ଭଗବତ୍ ବିମୁଖ ଦୀନ ଅସୁର ବାଳକଙ୍କୁ ଛାଡ଼ି ଏକା ମୁକ୍ତ ହେବାକୁ ଚାହେଁନାହିଁ ।’
ଏହା ହେଉଛି ଭକ୍ତଙ୍କର ବାଣୀ ! ସମଗ୍ର ସଂସାରର ଦୁଃଖ ନିଜ ମସ୍ତକ ଉପରେ ଉଠାଇବାପାଇଁ ପ୍ରସ୍ତୁତ ଅଟନ୍ତି । ଦୀନଦୁଃଖୀମାନଙ୍କର ଉଦ୍ଧାର ପାଇଁ ନ କହି ସେ କେବଳ ନିଜର ଉଦ୍ଧାର ଚାହେଁନାହିଁ, କଷ୍ଟ ଦେଉଥିବା ଲୋକମାନଙ୍କ ପାଇଁ ମଧ୍ୟ ଭଗବାନଙ୍କଠାରୁ କ୍ଷମା ଯାଚନା କରେ, ନିଜର କଷ୍ଟକୁ ସେ ଖାତିରସୁଦ୍ଧା କରେନାହିଁ ! କାହିଁକି ବା ଖାତିର କରିବ ? ତାଙ୍କୁ ତ କଷ୍ଟସମୂହର ଭୀଷଣ ମୂର୍ତ୍ତି ମଧ୍ୟରେ ସେହି ଶ୍ୟାମସୁନ୍ଦରଙ୍କର ନବଘନଶ୍ୟାମ ମୂର୍ତ୍ତିର ପ୍ରତ୍ୟକ୍ଷ ଦର୍ଶନ ହୋଇଥାଏ ନୁହେଁକି ! ସେ ତ ସବୁଦିଗରୁ ତାଙ୍କର ସମସ୍ତ ଆପଣାରଭାବ ତାଙ୍କୁ ସମର୍ପଣକରି ତାଙ୍କର କୃପାସୁଧାର ଅନନ୍ତ ଏବଂ ଶୀତଳ ଧାରାରେ ଅବଗାହନ କରି କୃତାର୍ଥ ହୋଇସାରିଛନ୍ତି ଆଉ ପ୍ରତିକ୍ଷଣରେ ତାଙ୍କୁ ଭଗବତ୍ କୃପାର ଦିବ୍ୟ ଦର୍ଶନ ହେଉଅଛି ! ଏଥିପାଇଁ ସେମାନେ ସମସ୍ତ ସୁଖ ଏବଂ ଦୁଃଖଭାରକୁ କେବଳ ଭଗବତ୍ ପ୍ରସାଦ ମନେକରି ସାନନ୍ଦ ଗ୍ରହଣ କରିଥାନ୍ତି ! କୌଣସି ସ୍ଥିତି ସେମାନଙ୍କୁ ବିଚଳିତ କରିପାରେ ନାହିଁ, ସେମାନେ ସେହି ପରମ ଲାଭକୁ ପ୍ରାପ୍ତ କରି ନିତ୍ୟ ନିରନ୍ତର ତାଙ୍କରିଠାରେ ରମଣ କରିବାପୂର୍ବକ ପ୍ରେମର ପରମାନନ୍ଦରେ ନିମଗ୍ନ ରହନ୍ତି । ଭଗବାନ୍ କହିଛନ୍ତି—
ଯଂ ଲବ୍ଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ ।
ଯସ୍ମିନ୍ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାଲ୍ୟତେ ।।
(ଗୀତା ୬/୨୨)
‘(ଭକ୍ତ) ପରମାତ୍ମାଙ୍କ ପ୍ରାପ୍ତି ରୂପ ଲାଭକୁ ପାଇ ତାଠାରୁ ଅଧିକ ଅନ୍ୟ ଯାହାକିଛିକୁ ବି ଲାଭ ମନେକରିନଥାଏ ଏବଂ ଭଗବତ୍ପ୍ରାପ୍ତି ରୂପ ଅବସ୍ଥାରେ ସ୍ଥିତ (ସେ) ଭକ୍ତ ବଡ଼ରୁ ବଡ଼ ଦୁଃଖରୁ ମଧ୍ୟ ଚଳାୟମାନ ହୋଇନଥାଏ !’
— କଲ୍ୟାଣ ବର୍ଷ-୧/ ସଂଖ୍ୟା-୧
Be First to Comment