Last updated on January 27, 2021
ସ୍ୱାମୀ ପରମାନନ୍ଦ
(୨) ମୌନ ଏବଂ ସମ୍ବନ୍ଧ :
“ମୌନବ୍ରତ ଧାରଣ କରିବାପୂର୍ବକ ଯେତେବେଳେ ସାଧକ ନିଜ ମନକୁ ଯୋଗ (ଆଧ୍ୟାତ୍ମିକ ସାଧନା)ରେ ସ୍ଥିତ କରିବା ପ୍ରାରମ୍ଭ କରିଥାଏ, ସେତେବେଳେ ସେ ବିବେକ, ଜ୍ଞାନ ଏବଂ ଦୁର୍ଗୁଣସମୂହରୁ ରକ୍ଷା ପାଇବାର ଶକ୍ତି ପ୍ରାପ୍ତ କରିଥାଏ ।” — ମହାଭାରତ
ଆମର ଶରୀର ଏବଂ ସ୍ନାୟୁତନ୍ତ୍ର ନିମିତ୍ତ ନିଦ୍ରା ଯେଉଁ କାର୍ଯ୍ୟ କରେ, ସେହି କାର୍ଯ୍ୟ ଆମ ମନ ଏବଂ ଆତ୍ମା ନିମନ୍ତେ ମୌନ କରିଦେଇଥାଏ । ଆମ ଜୀବନର ସମସ୍ତ ଅସଙ୍ଗତ ସ୍ଥିତି ମୁଖ୍ୟତଃ ଶାରୀରିକ ଏବଂ ମାନସିକ ଶକ୍ତିସମୂହର ସଂଯୋଜନ ଅଭାବ କାରଣରୁ ହୋଇଥାଏ । ଯେପର୍ଯ୍ୟନ୍ତ ଆମେ ଶାନ୍ତ ଏବଂ ଅନୁଦ୍ୱିଗ୍ନ ଭାବରେ ବିଚାର ଏବଂ କାର୍ଯ୍ୟ କରିବା ଶିଖେନାହିଁ, ସେପର୍ଯ୍ୟନ୍ତ ଆମେ ଆମ ଜୀବନକୁ ଉର୍ବର କରିପାରିବା ନାହିଁ । ମନର ସାମ୍ୟତା ଏବଂ ଶରୀରର ସହଜତା ପ୍ରାପ୍ତ କରିବାପାଇଁ ମୌନ ସାଧନା ବହୁତ ସହାୟକ ହୋଇଥାଏ । ଯେଉଁ ମୌନ କାର୍ଯ୍ୟ କୁଶଳତାରେ ବୃଦ୍ଧି କରିଥାଏ, ତାହା କେବଳ ବସିବା ଆଉ କିଛି ନ କରିବାର ସ୍ଥିତି ନୁହେଁ । ଏହା କେବଳ ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ ସମ୍ପୂର୍ଣ୍ଣ ଚୈତନ୍ୟସତ୍ତା ଏକାଭୂତ ହୋଇଯାଏ ଏବଂ ପୂର୍ଣ୍ଣ ସାମଞ୍ଜସ୍ୟରେ ସୂତ୍ରବଦ୍ଧ ହୋଇ ପ୍ରବାହିତ ହୋଇଥାଏ ।
ଆମ କାର୍ଯ୍ୟକ୍ରମ ଗୁଡିକର ଉତ୍ପାଦକତା ପୂର୍ଣ୍ଣରୂପେ ଏ କଥା ଉପରେ ନିର୍ଭର କରିଥାଏ କି, ଆମେ ଏଥିରେ କଣ ଅର୍ପିତ କରିଥାଉ । ପ୍ରତ୍ୟେକ ବିଚାର ଏବଂ କାର୍ଯ୍ୟରେ ନିଜର ସର୍ବୋତ୍ତମ ପ୍ରୟାସ କରିବାପାଇଁ ଆମକୁ ଆମ ମନକୁ ବ୍ୟବସ୍ଥିତ ରଖିବା, ମନର ସମସ୍ତ ବିକ୍ଷିପ୍ତ ଶକ୍ତିସମୂହକୁ ଏକତ୍ରିତ କରିବା ତଥା ମାନସିକ ସନ୍ତୁଳନ ବଜାୟ ରଖିବାର ଆବଶ୍ୟକତା ରହିଛି । ଏହା ଆମେ କେବଳ ସେତେବେଳେ କରିପାରୁ, ଯେତେବେଳେ ଆମେ ଆମର ବାହ୍ୟ କର୍ମ ପ୍ରଭାବରୁ ଏବଂ କୋଳାହଳରୁ ନିଜକୁ ମଝିରେ ମଝିରେ ପୃଥକ୍ କରିଦେଇଥାଉ । ଏହି କାରଣରୁ ଯୋଗୀ ଏବଂ ସାଧକ ନିଜର ଆଧ୍ୟାତ୍ମିକ ସାଧନା ନିମନ୍ତେ ମୌନ ସାଧନାକୁ ଅତ୍ୟାବଶ୍ୟକ ମନେକରନ୍ତି । ପ୍ରଥମତଃ, ଏହା ଆମକୁ ପ୍ରଚୁର ମାତ୍ରାରେ ଏଭଳି ଜୀବନ ଶକ୍ତି ସଞ୍ଚିତ କରିବାରେ ସମର୍ଥ କରାଇଦେଇଥାଏ, ଯାହାକୁ ଆମେ ସମସ୍ତେ ଅନାବଶ୍ୟକ କଥାରେ ଅବିବେକପୂର୍ବକ ବ୍ୟୟ କରିଚାଲିଛୁ । ଆମେ ଆମକୁ ଅବଶ କରିପକାଉ, ଅନ୍ୟମାନଙ୍କୁ ବିକ୍ଷୁବ୍ଧ କରିପକାଉ ଏବଂ ଲଗାତାର ବାର୍ତ୍ତାଳାପ କରିବାପୂର୍ବକ ସେ ସବୁକିଛି କହିଚାଲୁ ଯାହାକୁ ନ କହିଲେ ଭଲ ହୋଇଥାନ୍ତା । ଆମେ ମନକୁ ମଧ୍ୟ ଶିଥିଳ କରିଦେଉ, ତଥା ଏହାର ମର୍ମଭେଦୀ ଶକ୍ତିକୁ ଦୁର୍ବଳ କରିପକାଉ । ମୌନ ଧାରଣା ସମୟରେ ସମସ୍ତପ୍ରକାର ଆଧ୍ୟାତ୍ମିକ ଦର୍ଶନ ଏବଂ ଗହନ ବିବେକ ପ୍ରକଟିତ ହୋଇଥାଏ । ମୌନ ସମୟରେ ହିଁ ଆମେ ଅନନ୍ତ ସତ୍ତାଙ୍କ ସ୍ୱରକୁ ଶୁଣିପାରୁ । ଯେତେବେଳେ ଆମ କାନ ସଂସାରର ଘୋର କୋଳାହଳକୁ ଶୁଣିଥାଏ, ସେତେବେଳେ ଆମେ ଆମର ଅନ୍ତରତମ ପ୍ରଦେଶରୁ ନିଃସୃତ ଅନ୍ୟ ସ୍ୱରକୁ ବୁଝିପାରି ନ ଥାଉ । ତେଣୁ, ଯେଉଁମାନେ ସତ୍ୟର ସାକ୍ଷାତ୍କାର କରିଛନ୍ତି, ସେମାନେ ନିଜର କଣ୍ଠସ୍ୱର ଶୁଣାଇବାରେ ଆଗ୍ରହ ରଖି ନ ଥାନ୍ତି ।
ମୌନ ଜୀବନ ସବୁବେଳେ ଉତ୍କୃଷ୍ଟ ହୋଇଥାଏ । ଯେତେବେଳେ କୌଣସି ବ୍ୟକ୍ତି କିଛି ସୃଜନ କରନ୍ତି, ସେତେବେଳେ ସେ ବାର୍ତ୍ତାଳାପରେ ପ୍ରବୃତ୍ତ ହେବାକୁ ଚାହାଁନ୍ତି ନାହିଁ । ସେ ବିଚାରରେ ମଗ୍ନ ରହନ୍ତି ଆଉ କ୍ରମଶଃ ନିଜର ଏକାଗ୍ର ଚିନ୍ତନ ଦ୍ୱାରା ପ୍ରକୃତିର ଗୁହ୍ୟ ଗୁମ୍ଫାମାନଙ୍କରେ ପହଁଞ୍ଚିବାରେ ସମର୍ଥ ହୋଇଥାନ୍ତି । ସେ ପ୍ରାପ୍ତ ହୋଇଥିବା ପ୍ରତ୍ୟେକ ଛୋଟବଡ ଅନୁଭୂତି ସବୁକୁ କହି ନିଜର ଶକ୍ତିସମୂହର ଅପବ୍ୟୟ କରନ୍ତି ନାହିଁ । ଶ୍ରୀରାମକୃଷ୍ଣ ପରମହଂସ ଆମକୁ ଶାମୁକାରେ ମୋତି ପ୍ରସ୍ତୁତ ହେବାର ଉଦାହରଣ ଦେଇଛନ୍ତି ।
ଶାମୁକା ପବିତ୍ର ସ୍ୱାତି-ନକ୍ଷତ୍ରରେ ବର୍ଷାଜଳର ଏକ ବୁନ୍ଦାକୁ ଗ୍ରହଣ କରିବା ପାଇଁ ଜଳପୃଷ୍ଠକୁ ଆସିଥାଏ । ତାପରେ ସେ ସମୁଦ୍ରର ପୂର୍ଣ୍ଣଗଭୀରତାକୁ ପ୍ରବେଶ କରିଥାଏ ଆଉ ସେହି ଜଳ ବୁନ୍ଦାରୁ ମୋତି ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ସେଠାରେ ପଡିରହେ । ଜ୍ଞାନ ପିପାସୁମାନଙ୍କ ପାଇଁ ମଧ୍ୟ ଏ କଥା ସତ୍ୟ ଅଟେ । ଯେମିତି ସାଧକ ଈଶ୍ୱରଙ୍କ ନିକଟରେ ପହଞ୍ଚିବାର ଠିକଣା ପାଇଯାଏ, ସେ ଗମ୍ଭୀର ଏବଂ ମୌନ ହୋଇଯାଏ ।
ଭାରତରେ ମୌନକୁ ଏତେ ଆବଶ୍ୟକ ମନେକରାଯାଏ ଯେ, ଏଠାରେ ଅନେକ ସନ୍ଥ ଏହି ଭଳି ହିଁ ହୋଇଥାନ୍ତି, ଯେଉଁମାନେ କି ମୁନି ଅର୍ଥାତ୍ ମୌନୀ ଅଟନ୍ତି । ଏମାନଙ୍କ ମଧ୍ୟରୁ କିଛି ତ ପୂର୍ଣ୍ଣ ମୌନବ୍ରତ ଧାରଣ କରିନିଅନ୍ତି ଆଉ ଆଧ୍ୟାତ୍ମିକ ଜାଗୃତି ଦିଗରେ ନିଜର ସମ୍ପୂର୍ଣ୍ଣ ଶାରୀରିକ ଆଉ ମାନସିକ ଶକ୍ତିସମୂହକୁ କେନ୍ଦ୍ରିତ କରିପକାନ୍ତି । ଅନ୍ୟ କେତେକ ସାଧକ ଅନାବଶ୍ୟକ ବିଷୟ ଉପରେ ବାର୍ତ୍ତାଳାପ କରିବାପାଇଁ ଅମଙ୍ଗ (ଅନାଗ୍ରହୀ) ହୋଇଥାନ୍ତି । ମୌନବ୍ରତର ପାଳନ କରିବାଦ୍ୱାରା ସେମାନଙ୍କୁ ଭବିଷ୍ୟତ କଥନ ତଥା ଅନ୍ୟମାନଙ୍କୁ ଆଶୀର୍ବାଦ ଦେବାପାଇଁ ଶକ୍ତି ପ୍ରାପ୍ତ ହୋଇଥାଏ । ସେମାନଙ୍କ ନିବାସ ସ୍ଥାନରେ ମଧ୍ୟ ଏକ ସମ୍ୟକ୍ ଆଧ୍ୟାତ୍ମିକ ଶକ୍ତି ପ୍ରବାହିତ ହେବାକୁଲାଗେ । ଆମର ପବିତ୍ର ଗ୍ରନ୍ଥମାନଙ୍କରେ ଜଣେ ଯୁବା ଋଷିଙ୍କର ଉଦାହରଣ ଆସେ, ଯାହାଙ୍କର ମୁଖମଣ୍ଡଳ ବୋଧଜ୍ଞାନରେ ପ୍ରଦୀପ୍ତ ଆଉ ସେ ଏକ ବଡବୃକ୍ଷ ତଳେ ଧ୍ୟାନମଗ୍ନ ହୋଇ ବସିଥାନ୍ତି । ଜୀବନର ଦୁଃଶ୍ଚିନ୍ତାସମୂହରୁ ନିବୃତ୍ତ ଜଣେ ବୃଦ୍ଧ ଶିଷ୍ୟ ସନ୍ଦେହପୂର୍ଣ୍ଣ ମନ ଏବଂ ଅବସାଦପୂର୍ଣ୍ଣ ହୃଦୟରେ ତାଙ୍କ ନିକଟକୁ ଆସନ୍ତି । ଶିଷ୍ୟ ଅନେକ ପ୍ରଶ୍ନ ପଚାରନ୍ତି, କିନ୍ତୁ ଋଷି ମୌନ ରହିଥାନ୍ତି, ତଥାପି ଶିଷ୍ୟର ସନ୍ଦେହ ମୋଚନ ହୋଇଚାଲିଛି ଆଉ ସେ ଶାନ୍ତିଲାଭ କରି ଫେରିଯାଉଛନ୍ତି । ଏଥିରୁ ଏହା ପ୍ରକଟ ହେଉଛି କି, ଯଦି ସତ୍ୟର ଜ୍ୟୋତି ଆମର ଅନ୍ତରତମ ପ୍ରଦେଶରେ ସ୍ପଷ୍ଟରୂପେ ପ୍ରକାଶିତ ରହେ, ତଥାପି ଏହା ଅନ୍ୟମାନଙ୍କୁ ଜ୍ଞାନାଲୋକ ପ୍ରଦାନ କରିବାକୁ ସକ୍ଷମ । କେବଳ ଭାରତରେ ନୁହେଁ, ବିଶ୍ୱର ଅନେକ ଋଷି ତଥା ସନ୍ଥଗଣଙ୍କର ମତ ଯେ, ଉପଦେଶ ଦେବାପାଇଁ ବ୍ୟକ୍ତିକୁ ବାର୍ତ୍ତାଳାପର ଆବଶ୍ୟକତା ନାହିଁ । ପ୍ଲାଟୋ ଏହାର ଏକ ଉଦାହରଣ ଦେଉଛନ୍ତି । ଆରିଷ୍ଟାଇଟ୍ସ କହିଛନ୍ତି,
“ସୁକରାତ, ମୁଁ ତୁମକୁ ଏକ ଅବିଶ୍ୱନୀୟ କିନ୍ତୁ ସତ୍ୟ କଥା କହୁଛି । ତୁମ ସହିତ ଗୋଟିଏ ଘରେ ରହି, ଗୋଟିଏ କୋଠରୀରେ ନହେଉ ପଛକେ, ମୁଁ ବୁଦ୍ଧି କୌଶଳ ପ୍ରାପ୍ତ କରିପାରିଛି । କିନ୍ତୁ ତୁମ କୋଠରୀରେ ରହି ମୁଁ ତାଠାରୁ ବି ଅଧିକ ବୁଦ୍ଧି କୌଶଳ ପ୍ରାପ୍ତ କରିପାରିଛି ଆଉ ତାଠାରୁ ବି ଅଧିକ ତୁମକୁ ଦେଖିକରି ପ୍ରାପ୍ତ କରିଛି । କିନ୍ତୁ ଏସବୁ ତୁଳନାରେ ତୁମପାଖରେ ବସି ଏବଂ ତୁମର ସ୍ପର୍ଶ ଦ୍ୱାରା ମୁଁ ସର୍ବାଧିକ ବୁଦ୍ଧିକୌଶଳ ପ୍ରାପ୍ତ କରିଛି ।”
ଏହାପରେ ବି ଆପଣ କହିପାରନ୍ତି କି ମୌନ ବ୍ୟକ୍ତି କଣ କରିପାରେ ? ତାହାର ଉପଯୋଗିତାର କ୍ଷେତ୍ର ବହୁତ ସୀମିତ ହୋଇଯିବ ନିଶ୍ଚୟ । ସଂସାରରେ ସର୍ବାଧିକ କଲ୍ୟାଣର କାର୍ଯ୍ୟ ନିଜର ପୂର୍ଣ୍ଣ ପ୍ରଯତ୍ନ ଦ୍ୱାରା ସର୍ବଦା ବ୍ୟସ୍ତ ରହୁଥିବା କାର୍ଯ୍ୟକର୍ତ୍ତା ଅଥବା ବକ୍ତା ଦ୍ୱାରା କରାଯାଇ ନଥାଏ ବରଂ ଏହା ତାଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ, ଯିଏ ନିଜ ଚୈତନ୍ୟସତ୍ତାର ପ୍ରକୃତ କେନ୍ଦ୍ରକୁ ପାଇଯାଇଛନ୍ତି । କେବଳ ମାତ୍ର ତାଙ୍କର ଉପସ୍ଥିତି ଅସଂଖ୍ୟ ଲୋକଙ୍କ ଜୀବନକୁ ପ୍ରକାଶମୟ କରିଦେଇଥାଏ । ଅନ୍ୟମାନଙ୍କର ସାହାଯ୍ୟ କରିବାପାଇଁ ଆମର ତୀବ୍ର ଇଚ୍ଛା ଜାଗ୍ରତ ହୋଇପାରେ, କିନ୍ତୁ ଯଦି ଆମେ ଆମ ଜୀବନରେ ଦୋଷସମୂହକୁ ଦୂର କରିବାର ତୀବ୍ର ଇଚ୍ଛା ପୋଷଣ କରୁ, ଆଉ ଯଦି ଆମେ ଆମ ଜୀବନରେ ଦୋଷସମୂହକୁ ଦୂର କରିବାର କୌଣସି ଉପାୟ ନପାଉ, ତେବେ ଆମର ସର୍ବୋତ୍ତମ ସଂକଳ୍ପ ମଧ୍ୟ ତାଙ୍କ ଠାରୁ କିଛି ଅଧିକ କରିପାରିବ ନାହିଁ । ମୁନିମାନେ ମୌନ ରହିପାରନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ପ୍ରକାଶର ଜ୍ୟୋତି ସର୍ବଦା ପ୍ରଦୀପ୍ତ ରହିଥାଏ । ତାଙ୍କ ଜୀବନରେ ସତ୍ୟର ଅଭିବ୍ୟକ୍ତି ହୋଇଥାଏ ଏବଂ ସେମାନେ କଥା କୁହନ୍ତୁ ଅବା ନୀରବ ରୁହନ୍ତୁ, ସବୁବେଳେ ଅନ୍ୟମାନଙ୍କ ଉପରେ ନିଜର ପବିତ୍ର ପ୍ରଭାବ ପକାଇ ପାରନ୍ତି ।
ଅତଃ ଯଦି ଆମକୁ ଆମର ଆଉ ଆମ ମିତ୍ରମାନଙ୍କର ହିତସାଧନ କରିବାର ଅଛି, ତେବେ ସେଥିପାଇଁ ଆମକୁ କିଛି ଘଣ୍ଟା ଏପରି ମୌନ ରହିବାକୁ ହେବ, ଯେଉଁ ସମୟରେ ଆମେ ସଂସାରର କୋଳାହଳକୁ ଛାଡି ଅନନ୍ତସତ୍ତା ସହିତ ରହିପାରିବା । ଜୀବନର ଗହନ ପଦାର୍ଥର ଅନୁସନ୍ଧାନ ଆମେ ସେତେବେଳେ କରିପାରିବା, ଯେତେବେଳେ ଆମର ମନ ସାଂସାରିକ ଉତ୍ତେଜନାରୁ ବିକ୍ଷୁବ୍ଧ ହେବ । ଏପରିକି କୌଣସି ବୈଜ୍ଞାନିକ, ସଙ୍ଗୀତକାର, କଳାକାରଙ୍କୁ ମଧ୍ୟ ନିଜ ଆଦର୍ଶର ସାନ୍ନିଧ୍ୟ ପ୍ରାପ୍ତ ହେବା ଆବଶ୍ୟକ ଯାହା ମୌନ ବିନା ସମ୍ଭବ ନୁହେଁ ।
କିନ୍ତୁ ମୌନସାଧନାର ଅର୍ଥ ନୁହେଁ କେବଳ ବାର୍ତ୍ତାଳାପରୁ ବଞ୍ଚିଯିବା । ଏହାର ଅର୍ଥ ଜୀବନ ଶକ୍ତିକୁ ଶାନ୍ତ କରିବା, ଯଦ୍ଦ୍ୱାରା ଆନ୍ତରିକ ଏବଂ ବାହ୍ୟ ଉଭୟ ପ୍ରକାର କ୍ରିୟାଶୀଳତା ସ୍ଥିରଥିବ । ଶରୀର ନିଶ୍ଚଳ, ମନ ଶାନ୍ତ ଏବଂ ହୃଦୟ ନୀରବ ହେବା ଆବଶ୍ୟକ । କୌଣସି ଏକାକୀ ବା ନିର୍ଜନ ସ୍ଥାନକୁ ଚାଲିଗଲେ ଆମେ ଏହାକୁ ପ୍ରାପ୍ତ କରିପାରିବା ନାହିଁ । ଏହା ଅପେକ୍ଷାକୃତ ଏକ ଆନ୍ତରିକ ଗୁଣ ଅଟେ । ବାହ୍ୟ ସ୍ଥିତିସମୂହ ଏହାକୁ ପ୍ରାପ୍ତ କରାଇବାରେ ଆମର ପ୍ରବଳ ସହାୟତା କରିଥାନ୍ତି, କିନ୍ତୁ ଆନ୍ତରିକ ସନ୍ତୁଳନ ବିନା ଏଥିରେ ସଫଳ ହେବା ଅସମ୍ଭବ ।
ମନର ମୌନଭୂମି ଉପରେ ଆମର ବିଚାର ଶାନ୍ତ ତଥା ଅବିଚ୍ଛିନ୍ନ ହୋଇଚାଲେ । ମୌନରେ ପ୍ରତିଷ୍ଠିତ ହୋଇ ଆମେ ଉତ୍ତମ ଚିନ୍ତନ କରିବାରେ ସମର୍ଥ ହୋଇଥାଉ ଆଉ ଆମର ବାହ୍ୟ କାର୍ଯ୍ୟ ମାଧ୍ୟମରେ ନିଜ ବିଚାର ସମୂହକୁ ଅଧିକ ପ୍ରଭାବଶାଳୀ ଢ଼ଙ୍ଗରେ ଅଭିବ୍ୟକ୍ତ କରିବାରେ ସମର୍ଥ ହେଉ । ଯେତେବେଳେ ଆମେ ଏହାକୁ ଉପାର୍ଜିତ କରୁ, ସେତେବେଳେ କେବଳମାତ୍ର ଉତ୍ତମ କାର୍ଯ୍ୟକ୍ଷମତା ନୁହେଁ, ବରଂ ପ୍ରଶାନ୍ତ ମନର ବିସ୍ମୟକାରୀ ଆଶୀର୍ବାଦ ସମ୍ପନ୍ନ ହୋଇଚାଲେ । ଯେଉଁମାନେ ଅଧିକ ବାର୍ତ୍ତାଳାପରେ ଅଭ୍ୟସ୍ତ ଅଟନ୍ତି, ସେମାନଙ୍କ ପାଇଁ କ୍ରମଶଃ କମ୍ ବାର୍ତ୍ତାଳାପ ଉତ୍ତମ ହେବ ତଥା ସେମାନଙ୍କୁ ଆହୁରି ଅଧିକ ଶାନ୍ତି ଏବଂ ଧୀରତାରେ କାର୍ଯ୍ୟ କରିବା ଶିଖିବା ଆବଶ୍ୟକ । ହାରାହାରି ନିରପବାଦରୂପେ ଆମେ ପାଉ କି, ବାଚାଳ ବ୍ୟକ୍ତି ସୁସ୍ପଷ୍ଟ ଏବଂ ସାରରୂପେ ଚିନ୍ତନ କରିପାରନ୍ତି ନାହିଁ । ବ୍ୟର୍ଥରେ କହୁଥିବା ବାଣୀ ଏକ ଅଭିଶାପ ଅଟେ । ଏହା କେବଳ ଏଥିପାଇଁ ସିଧା ଉତ୍ତରଦାୟୀ ବ୍ୟକ୍ତିକୁ ଆଘାତ ଦେଇନଥାଏ, ବରଂ ଅନେକ ଲୋକଙ୍କର ମାନସିକ ଶାନ୍ତିକୁ ବିକ୍ଷୁବ୍ଧ କରିପକାଏ ।
ଭାରତର ଜନୈକ ମହାନ୍ ସନ୍ଥ ଶ୍ରୀଚୈତନ୍ୟଦେବ ତାଙ୍କ ଶିଷ୍ୟମାନଙ୍କୁ କଦାପି ଗପସପ ନ କରିବାପାଇଁ ଉପଦେଶ ଦେଇଥିଲେ । ସେ କହିଥିଲେ କି, ଶିଷ୍ୟମାନଙ୍କୁ କେବଳ ଗପସପଠାକୁ ଦୂରରେ ରହିବା ଉଚିତ ନୁହେଁ ବରଂ କେବେ ବ୍ୟର୍ଥ କଥା ଶୁଣିବା ମଧ୍ୟ ଉଚିତ ନୁହେଁ, କାରଣ ଏପରି କଲେ ଦୁର୍ଗୁଣ ବୃଦ୍ଧି ହେବାପାଇଁ ସୁଯୋଗ ମିଳିଯିବ । ଯେପର୍ଯ୍ୟନ୍ତ ଆମର ମନ ଏବଂ ହୃଦୟ ପୂର୍ଣ୍ଣ ଶାନ୍ତ ନହୋଇଛି, ଆମେ କୌଣସି ଉଦାତ୍ତ ବିଚାରର ଧାରଣା ତଥା ଈଶ୍ୱରଙ୍କ ସମ୍ମୁଖରେ ପ୍ରାର୍ଥନା କରିପାରିବା ନାହିଁ ।
ଶାରୀରିକ ମୌନର ସାଧନା ଆମ ମନ ଏବଂ ଇନ୍ଦ୍ରିୟସମୂହକୁ ସୁବ୍ୟବସ୍ଥିତ ରଖିଥାଏ । ମାନସିକ ମୌନର ସାଧନା ଆମ ମନକୁ ସ୍ଫୂର୍ତ୍ତି ପ୍ରଦାନ କରିଥାଏ ଏବଂ ଆମର ଆନ୍ତରିକ କାର୍ଯ୍ୟଶକ୍ତିକୁ ତୀବ୍ର କରିଥାଏ । ଏହା ମାଧ୍ୟମରେ ପ୍ରାପ୍ତ ଊର୍ଜା ଅତ୍ୟନ୍ତ ବିଲକ୍ଷଣ ଅଟେ । ଯେତେବେଳେ ଆମେ ତରବରହୋଇ ଅବା ଦ୍ୱନ୍ଦ୍ୱ ମଧ୍ୟରେ ଥାଇ କାର୍ଯ୍ୟ କରୁ, ସେତେବେଳେ ଭୁଲ କରିପକାଉ ଫଳରେ ସେହି କାର୍ଯ୍ୟକୁ ଅନେକ ଥର କରିବାକୁ ପଡିଥାଏ । ଏଥିରେ ଆମର ଊର୍ଜା ଏବଂ ସମୟର ଅପବ୍ୟୟ ହୋଇଥାଏ । ଭଲଭାବରେ ବିଚାର ଏବଂ ସନ୍ତୁଳନ ବିନା ଆମେ କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିଷ୍ପାଦିତ କରିପାରି ନଥାଉ ଆଉ ପ୍ରତ୍ୟେକ କାର୍ଯ୍ୟ ପୂର୍ବରୁ କିଛି କ୍ଷଣର ମୌନ ଆମ ସନ୍ତୁଳନକୁ ବଜାୟ ରଖିବାପାଇଁ ସାମର୍ଥ୍ୟ ପ୍ରଦାନ କରିଥାଏ । ଏହାର ଭୌତିକ ଲାଭ ତତ୍କାଳ ପ୍ରତ୍ୟକ୍ଷ ହୋଇଯାଏ ।
Be First to Comment