Last updated on August 13, 2022
ସମ୍ପ୍ରତି ବିଶ୍ୱ ଯେଉଁ ପରିସ୍ଥିତି ଦେଇ ଗତି କରୁଛି, ତାହା ଆମ ସମସ୍ତଙ୍କୁ ବେଶ ଅବଗତ । ଜୀବଦ୍ଦଶା ଭିତରେ ଘଟି ନଥିବା ଘଟଣାସବୁ ଦେଖିବାକୁ ମିଳୁଛି । ମହାମାରୀ, ସଂକଟ, ବିପତ୍ତି ଭଳି ଅପରିକଳ୍ପିତ ପରିସ୍ଥିତି ସାମ୍ନା କରିବାକୁ ଜଗତ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛି । କେତେବେଳେ ଜୀବନରକ୍ଷା ପାଇଁ ମାସ୍କ ପିନ୍ଧି ଦୂରତ୍ୱ ବଜାୟ ରଖିବାକୁ ପଡ଼ୁଛି ତ କେତେବେଳେ ଆର୍ଥିକ ସୁରକ୍ଷା ପାଇଁ ଗୁଗୁଲ ପେ, ଫୋନ୍ ପେ କୁ ତ୍ୟାଗ କରିବାକୁ ପଡ଼ୁଛି, ପୁଣି କେତେବେଳେ ସାମାଜିକ ସୁରକ୍ଷା ପାଇଁ ଆନ୍ଦୋଳନ କରିବାକୁ ପଡ଼ୁଛି । ଏଭଳି ଅନେକ ପ୍ରକାର ପରିସ୍ଥିତି ସାମ୍ନାକରି ଜୀବ ବଞ୍ଚିବାର ସ୍ୱପ୍ନ ଦେଖୁଛି । ଆଧୁନିକତାର ସ୍ପର୍ଶପାଇ ସେ ନିଜକୁ ଯେତେ ଚତୁର ମନେକରୁଛି, ସେତିକି ବଡ଼ ବଡ଼ ଗର୍ତ୍ତ ତା ସମ୍ମୁଖରେ ଆସି ଉଭା ହୋଇଯାଉଛନ୍ତି । ତଥାପି ସେ ନିଜକୁ ହାର୍ ନମାନି ଯେଉଁ ଯୁଦ୍ଧକାଳୀକ ପ୍ରୟାସ ଜାରୀ ରଖିଛି, ତାହା ତାର ବିଜ୍ଞତାର ପରିଚାୟକ ଦେବାଭଳି ମନେହେଉଥିଲେ ହେଁ, ବାସ୍ତବରେ ତାହା ଚତୁରତା କହିବା ଠିକ୍ ହେବ । କାହିଁକି ନାଁ, ଆଜିକାଲି ସେ ଆଉ ମନ୍ଦିର ଯାଇ ପ୍ରଣାମ କରୁନି ବରଂ ଘରେ ବସି ଭଗବାନଙ୍କୁ ଆବଶ୍ୟକତା ଯାଚନା କରିବାରେ ବ୍ରତୀ ହୋଇଯାଇଛି । ପାଖରେ ଥିବା ସମ୍ବଳକୁ ଜାବୁଡ଼ିଧରି ବହୁକାଳ ପର୍ଯ୍ୟନ୍ତ ନିଜର ସ୍ଥିତିକୁ ଜାହିର କରିବାପାଇଁ ପ୍ରୟାସରେ ରତ ଅଛି । ଯଦି କେବେ ତାକୁ ପଚରାଯାଏ, ଆରେ ମଣିଷ ! ତୁ କଣ ପାଇଁ ଚେଷ୍ଟା କରୁଛୁ ? ଉତ୍ତର ଯାହା ହେଉନାଁ କାହିଁକି, ଗୋଟିଏ କଥା ସ୍ପଷ୍ଟ କି ସେ ଅମର ହେବାପାଇଁ ଚାହୁଁଛି । ହେଲେ ମରଶୀଳ ଜୀବ ଭୁଲିଯାଇଛି, ସେ ଯେତେ ଚେଷ୍ଟା କରି ମଧ୍ୟ ତାକୁ ଇହଲୋକ ତ୍ୟାଗ କରିବାକୁ ପଡ଼ିବ । ବାହ୍ୟିକ ସ୍ତରରେ ସେ ନିଜର ନମ୍ରତା ପ୍ରକାଶ କଲେ ମଧ୍ୟ ଆନ୍ତରିକ ଗର୍ବରେ ସେ ଫାଟି ପଡ଼ୁଛି । ରାଜନୀତିକୁ ନେଇ ହେଉ କି ବିଜ୍ଞାନ ସବୁଥିରେ ସେ ନିଜର ବାହାଦୂରିକୁ ଜାହିର କରୁଛି । ମହାମାରୀ ସମୟରେ ରଥଯାତ୍ରା ସମ୍ପାଦନ କରିଦେଇ ସେ ନିଜର ନୈଷ୍ଠିକତା ପ୍ରଦର୍ଶନ କରୁଛି । ପୁଣି କେବେ ଅନ୍ୟର ଭଲହେବ ଭାବି ସାମ୍ୱିଧାନିକ ଆଇନ୍ ଆଣିବା ପଛରେ ସତ ବିରୋଧ ସତ୍ତ୍ୱେ ନିଜ ଜିଦ୍ରେ ଅଟଳ ରହିଛି । ପରିଣତିରେ ଧନଜୀବନ ନଷ୍ଟ ହେଉପଛକେ, ନିନ୍ଦା ଅପବାଦ ମିଳୁପଛକେ ସେ ନିଜକୁ ନତ କରିବାକୁ ପ୍ରସ୍ତୁତ ନୁହେଁ । ସାମ୍ପ୍ରତିକ ପରିସ୍ଥିତି ଅନୁସାରେ ଟୀକାକରଣ ପ୍ରକ୍ରିୟାର ସାମାନ୍ୟତମ ସୁଯୋଗକୁ ମଧ୍ୟ ହାତଛଡ଼ା ନକରି ବାହାସ୍ଫୋଟ ମାରିବାରେ ତତ୍ପର ରହିଛି ।
ଏସବୁ କାହିଁକି ? କେତେଦିନପାଇଁ ? ହାର୍ ମାନିଗଲେ ବା ସ୍ୱୀକାର କରିଦେଲେ ତାର କେଉଁ ବଡ଼ପଣଟା ଛୋଟ ହୋଇଯିବ ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବାପାଇଁ ତା ପାଖରେ ସମୟ ନାହିଁ । ହେଲେ ନବବର୍ଷର ଆଗମନରେ ସିଏ ଆନନ୍ଦ ଖୋଜିବାପାଇଁ ବା ନୂଆ ସଂକଳ୍ପ ନେବାପାଇଁ ନିଜର ରୁଚି ଅନୁସାରେ ପ୍ରୟାସ ଆରମ୍ଭ କରିଦେଉଛି । ଏହା କଣ ବାସ୍ତବରେ ତାର ଆନ୍ତରିକ ଉଦ୍ୟମ ନାଁ ପ୍ରେରଣା ? ଯଦି କହିବା, ଉଦ୍ୟମ ତେବେ ତାଠାରେ ସମର୍ପଣର ଭାବ ଅଭାବ ବୋଧ ହେଉଛି ଆଉ ଯଦି କହିବା, ପ୍ରେରଣା ତେବେ ବିଭୂତିର ଅଭାବ ସ୍ପଷ୍ଟ ହେଉଛି । ସେ ଯାହା ହେଉ, ତାକୁ ଯେ ଏହିଭଳି ଭାବରେ ଜନ୍ମ-ମୃତ୍ୟୁର ଚକ୍ରକୁ ସ୍ୱୀକାର କରିବାକୁ ପଡ଼ିବ, ତାହା ସୁନିଶ୍ଚିତ । ପରିଣତି ପର୍ଯ୍ୟନ୍ତ ଅର୍ଥାତ୍ ମୋକ୍ଷପ୍ରାପ୍ତି ପର୍ଯ୍ୟନ୍ତ ତାକୁ ଯେ ଏଭଳି ନାନା ସମସ୍ୟା ଓ ସଂଶାଧନର ସାହାଯ୍ୟ ନେଇ ବଞ୍ଚିବାକୁ ହେବ, ତଦ୍ଭିନ୍ନ ଅନ୍ୟ ଉପାୟ ନାହିଁ । ତେଣୁ ସେ ଗୀତୋକ୍ତ ନିମ୍ନ ଦୁଇଟି ମଧ୍ୟରୁ କେଉଁ ଗୋଟିଏ ଅବା ଉଭୟର ଆଶ୍ରୟ ନେବା ହିଁ ବୁଦ୍ଧିମାନ ହେବ ।
ମନ୍ମନା ଭବ ମଦ୍ଭକ୍ତୋ ମଦ୍ଯାଜୀମାଂ ନମସ୍କୁରୁ ।
ମାମେବୈଷ୍ୟସି ଯୁକ୍ତ୍ୱୈବମାତ୍ମାନଂ ମତ୍ପରାୟଣଃ ।।
ତାଙ୍କଠାରେ ମନଲଗାଇବା, ଭକ୍ତହେବା, ଯଜନ-ପୂଜନ କରିବା, ପ୍ରଣାମ କରିବା ଅବା ତତ୍ପରାୟଣ ହେବା, ଅଭ୍ୟାସ କରିବାକୁ ପ୍ରୟାସୀ ହେବା ବାଞ୍ଛନୀୟ । ଅନ୍ୟଥା,
ସର୍ଗାଣାମାଦିରନ୍ତଶ୍ଚ ମଧ୍ୟଂ ଚୈବାହମର୍ଜୁନ ।
ଅଧ୍ୟାତ୍ମବିଦ୍ୟା ବିଦ୍ୟାନାଂ ବାଦଃ ପ୍ରବଦତାମହମ୍ ।।
ସୃଷ୍ଟିର ଆଦି ଓ ଅନ୍ତ ତଥା ମଧ୍ୟ ବି ସେ ଅଟନ୍ତି । ସେ ବିଦ୍ୟାମାନଙ୍କ ମଧ୍ୟରେ ଅଧ୍ୟାତ୍ମବିଦ୍ୟା ଅର୍ଥାତ୍ ବ୍ରହ୍ମବିଦ୍ୟା ଏବଂ ଶାସ୍ତ୍ରାର୍ଥ ପାଇଁ ପରସ୍ପର ବାଦ-ବିବାଦ କରୁଥିବା ଲୋକଙ୍କ ମଧ୍ୟରେ ତତ୍ତ୍ୱନିର୍ଣ୍ଣୟପାଇଁ କରାଯାଉଥିବା ବାଦ ମଧ୍ୟ ସେ ଅଟନ୍ତି । ଏହି ତତ୍ତ୍ୱକୁ ବୁଝି ନେଇ ଅଗ୍ରସର ହେବା ହିଁ ଶ୍ରେୟସ୍କର ହେବ । କହିବାର ତାତ୍ପର୍ଯ୍ୟ ହେଉଛି, ଆତ୍ମ ସମର୍ପଣ କରିବା ହେଉ କି ଅଧ୍ୟାତ୍ମବିଦ୍ୟା ଅବଲମ୍ୱନ ହେଉଛି ଶ୍ରେଷ୍ଠତମ ପ୍ରୟାସ । ଆସନ୍ତୁ ନବ ବର୍ଷରେ ରାଜବିଦ୍ୟା-ରାଜଗୁହ୍ୟ ଯୋଗକୁ ଅଥବା ବିଭୁତି ଯୋଗକୁ ଆପଣେଇ ନେଇ ଆଶିଷ ଲାଭ କରିବା ॥
Be First to Comment