ଶାନ୍ତିପାଠଃ
ଓଁ ଆପ୍ୟାୟନ୍ତୁ ମମାଙ୍ଗାନି………….ତେ ମୟି ସନ୍ତୁ ।
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।।
ତୃତୀୟ ପ୍ରପାଠକ
ଏହା ଶୁଣି ବାଳଖିଲ୍ୟ ପ୍ରଶ୍ନ କଲେ— ‘ହେ ଭଗବାନ୍ ! ଯଦି ଆପଣ ଏହି ଆତ୍ମାର ଏଭଳି ମହିମା ସମ୍ବନ୍ଧରେ କହୁଛନ୍ତି, ତେବେ ଶୁଭାଶୁଭ କର୍ମତଳେ ଅବଦମିତ ହୋଇ ରହିଥିବା ଏବଂ ତଦନୁସାରେ ଭଲ ଅବା ଖରାପ ଯୋନିସମୂହରେ ଭ୍ରମିତ ହେଉଥିବା ଆତ୍ମା କଣ ଅନ୍ୟକୌଣସି ଆତ୍ମା ଅଟେ ? ସୁଖ-ଦୁଃଖରୁ ପରାଭବ ପ୍ରାପ୍ତକରି ଉଚ୍ଚ ଅବା ନୀଚ ଗତିରେ ଘୂରିବୁଲୁଥିବା ଏହା କେଉଁ ଆତ୍ମା ଅଟେ ?’ ଏହା ଶୁଣି ବ୍ରହ୍ମା କହିଲେ— ।।1।।
ଯିଏ ଶୁଭାଶୁଭ କର୍ମତଳେ ଅବଦମିତ ହୋଇ ରହିଛି, ତାକୁ ତ ଦ୍ୱିତୀୟ ‘ଭୂତାତ୍ମା’ କହନ୍ତି । ସେ ଭଲ-ଖରାପ ଯୋନିକୁ ପ୍ରାପ୍ତ କରେ, ଉଚ୍ଚ-ନୀଚ ଗତିରେ ଆସିଯାଏ, ରାଗ-ଦ୍ୱେଷ ଆଦି ଦ୍ୱନ୍ଦ୍ୱସମୂହ କାରଣରୁ ଚିନ୍ତିତ ରହିଥାଏ । ତାକୁ ‘ଭୂତାତ୍ମା’ କହିବାର କାରଣ ହେଉଛି, ଯେଉଁ ପାଞ୍ଚଗୋଟି ତନ୍ମାତ୍ରା ରହିଛନ୍ତି ଏବଂ ପାଞ୍ଚଗୋଟି ମହାଭୂତ ରହିଛନ୍ତି, ସେ ‘ଭୂତ’ ଶବ୍ଦଦ୍ୱାରା ଅବଗତ ହୋଇଥାନ୍ତି । ସେହି ଭୂତଗଣଙ୍କର ସମୁଦାୟ ହିଁ ତ ଶରୀର ଅଟେ । ଏଥିପାଇଁ ସେହି ଶରୀରକୁ ହିଁ ‘ଭୂତାତ୍ମା’ କୁହାଯାଏ । ସେଥିରେ ସ୍ଥିତ ଆତ୍ମା ତ କମଳପତ୍ର ଉପରେ ସ୍ଥିତ ଜଳବିନ୍ଦୁ ସମ ଅଟେ । ତଥାପି ନିଜ ପ୍ରକୃତିର ଗୁଣସମୂହ ଦ୍ୱାରା ପରାଜିତ ହୋଇଯିବାରୁ ତାହା ମୂଢ଼ ହୋଇଯାଇଛି । ଏଥିପାଇଁ ସେ ନିଜ ଭିତରେ ସ୍ଥିତ ପ୍ରେରକ ପରମାତ୍ମାଙ୍କୁ ଦେଖିପାରି ନଥାଏ ଆଉ ଗୁଣସମୂହରେ ହିଁ ସନ୍ତୁଷ୍ଟ ରହିଥାଏ, ପାପରେ ଯୁକ୍ତ ହୋଇ, ଅସ୍ଥିର, ଚଞ୍ଚଳ, ଲୋଲୁପ ଏବଂ ଅଭିମାନୀ ହୋଇ, ‘ଇଏ ମୁଁ ଅଟେ’, ‘ଏହା ମୋର ଅଟେ’— ଏହିଭଳି ମାନିବାପୂର୍ବକ ନିଜେ ବନ୍ଧନରେ ପଡ଼ିଯାଇଥାଏ । ଯେଉଁଭଳି ଭାବେ ପକ୍ଷୀ ଜାଲରେ ଫଶିଯାଏ, ସେହିଭଳି ନିଜେ ନିଜେ କର୍ମଫଳରେ ଫଶି ଅତ୍ରତତ୍ର ଘୂରିବୁଲିଥାଏ ।।2।।
ଅନ୍ୟତ୍ର ମଧ୍ୟ କୁହାଯାଇଛି କି, କର୍ତ୍ତୃତ୍ୱ ତ ଏହି ଭୂତାତ୍ମାର ହିଁ ଅଟେ । ଭିତରର ସ୍ଥିର ଶୁଦ୍ଧ ଆତ୍ମା ତ କେବଳ ପ୍ରେରକ ଅଟେ । ଏହା ଇନ୍ଦ୍ରିୟସମୂହ ଦ୍ୱାରା ସବୁକିଛି କରାଇଥାଏ । ଯେଉଁଭଳି ଅଗ୍ନିରେ ଉତ୍ତପ୍ତ କରାଯାଇଥିବା ଗୋଲାକାର ପିଣ୍ଡୁଳା ବିଶିଷ୍ଟ ଲୌହକୁ କମାର ପିଟିବାଦ୍ୱାରା ଏହା ବିଭିନ୍ନ ଆକୃତିର ହୋଇଯାଏ, ସେହିଭଳି ଏହି ଭୂତାତ୍ମା ମଧ୍ୟ ଅନ୍ତଃସ୍ଥ ଶୁଦ୍ଧ ଆତ୍ମାର ଅଗ୍ନିରେ ତପ୍ତ ହୋଇ ଏବଂ ଗୁଣମାନଙ୍କ ଦ୍ୱାରା ପିଟା ହୋଇ ଅନେକ ପ୍ରକାର ହୋଇଯାଏ । ଅର୍ଥାତ୍ ଗୁଣତ୍ରୟରେ ଯୁକ୍ତ ଏହି ଚୌରାଅଶୀ ଲକ୍ଷ ତ୍ରିଗୁଣାତ୍ମକ ଯୋନିରେ ପରିବର୍ତ୍ତିତ ହୋଇଯାଏ । ଏହା ହିଁ ତ ଅନେକତାର ସ୍ୱରୂପ ଅଟେ । ଯେଉଁଭଳି ଚକକୁ ଚକାଉଥିବା କୁମ୍ଭାର ଚକ ଠାରୁ ଅଲଗା ହୋଇ ରହିଥାଏ, ସେହିଭଳି ତିନିଗୁଣର ପ୍ରେରକ ଆତ୍ମା ତିନିଗୁଣରୁ ପୃଥକ୍ ରହିଥାଏ । ଯେଉଁଭଳି ଲୌହକୁ ପିଟାଯିବା ଦ୍ୱାରା ତନ୍ମଧ୍ୟସ୍ଥ ଅଗ୍ନିକୁ ପିଟାଯାଇ ପାରିନଥାଏ, ସେହିଭଳି ଶୁଦ୍ଧ ଆତ୍ମାକୁ କୌଣସି ପ୍ରକାର ବିକାର ହୋଇନଥାଏ । ତାହାକୁ ତ କେବଳ ଭୂତାତ୍ମା ସହିତ ଥିବା ସମ୍ପର୍କର ଦୋଷ ମାତ୍ର ଲାଗିଥାଏ ।।3।।
ଅନ୍ୟତ୍ର କୁହାଯାଇଛି କି, ସ୍ତ୍ରୀ-ପୁରୁଷଙ୍କ ସଂଯୋଗରୁ ଏହି ଶରୀର ଉତ୍ପନ୍ନ ହୋଇଥାଏ । ତାହା ଚେତନ ବିହୀନ ହୋଇଥାଏ, ଧରିନିଅ କି ନର୍କ ହିଁ ହୋଇଥାଏ । ମୂତ୍ର ଦ୍ୱାରଦେଇ ତାହା ବହିର୍ଗତ ହୋଇଥାଏ ଏବଂ ଅସ୍ଥିମାନଙ୍କ ଦ୍ୱାରା ବ୍ୟବସ୍ଥାପିତ (ଆକାରଧାରଣ କରିଥାଏ) ହୋଇଥାଏ, ମାଂସ ଦ୍ୱାରା ତାହା ଅବଲିପ୍ତ ହୋଇଥାଏ ଏବଂ ଚମଡ଼ା ଦ୍ୱାରା ଢାଙ୍କି ହୋଇଥାଏ । ମଳ, ମୂତ୍ର, ପିତ୍ତ, କଫ ଆଦି ଦ୍ୱାରା ତାହା ପରିପୂର୍ଣ୍ଣ ହୋଇରହିଥାଏ । ଅନ୍ୟସବୁ ମଳିନତା ଦ୍ୱାରା ମଧ୍ୟ ତାହା ପୁରି ରହିଥାଏ । ଏଭଳି ପ୍ରତୀତ ହୋଇଥାଏ କି, ଯେପରି ତାହା ଦୂଷିତ ବସ୍ତୁମାନଙ୍କର ଗନ୍ତାଘର ।।4।।
ଅନେକ ସ୍ଥାନରେ ଏଭଳି ମଧ୍ୟ କୁହାଯାଇଛି କି, ମୋହ, ଭୟ, ବିଷାଦ, ନିଦ୍ରା, ତନ୍ଦ୍ରା, ବୃଦ୍ଧାବସ୍ଥା, ଶୋକ, କ୍ଷୁଧା, ତୃଷା, ଦୈନ୍ୟ, କ୍ରୋଧ, ନାସ୍ତିକତା, ଅଜ୍ଞାନ, ଈର୍ଷ୍ୟା, ବିକାର, ମୂଢ଼ତା, ନିର୍ଲଜ୍ଜତା, ଉଦ୍ଧତତା, ବିଷମତା ଇତ୍ୟାଦି ତମୋଗୁଣମାନଙ୍କ ବିକାର ଦ୍ୱାରା ଏହି ଶରୀର ପରିପୂର୍ଣ୍ଣ ଅଟେ । ଏହା ବ୍ୟତିରେକ ତୃଷ୍ଣା, ସ୍ନେହ, ରାଗ, ଲୋଭ, ହିଂସା, କାମୁକତା, ଈର୍ଷ୍ୟା, ସ୍ୱେଚ୍ଛାଚାରିତା, ଚଞ୍ଚକତା, କୌଣସି ବସ୍ତୁକୁ ହରଣ କରିନେବାର ଇଚ୍ଛା, ଧନ ଉପାର୍ଜନର ଇଚ୍ଛା, ମିତ୍ରମାନଙ୍କର ଅନୁଗ୍ରହ, ପରିଗ୍ରହର ଆଶ୍ରୟ, ଇନ୍ଦ୍ରିୟସମୂହର ଅପ୍ରିୟ ବିଷୟସମୂହ ସହିତ ଦ୍ୱେଷ ଏବଂ ପ୍ରିୟ ବିଷୟମାନଙ୍କ ପ୍ରତି ଆସକ୍ତି ଆଦି ରଜୋଗୁଣ ଦ୍ୱାରା ଯୁକ୍ତ ବିକାର ମଧ୍ୟ ଏହି ଭୂତାତ୍ମାରେ ବିଦ୍ୟମାନ ରହିଥାଏ । ଏ ସମସ୍ତ ବିକାର ଦ୍ୱାରା ଏହି ଭୂତାତ୍ମା ପରାଭବକୁ ପ୍ରାପ୍ତ କରିଥାଏ । ଆଉ ସବୁବେଳେ ବିଭିନ୍ନ ପ୍ରକାର ରୂପ ଧାରଣ କରୁଥାଏ । ଅନ୍ତିମ ଶବ୍ଦସମୂହର ପୁନରାବୃତ୍ତି ପ୍ରପାଠକର ସମାପ୍ତିସୂଚକ ଅଟେ । ।।5।।
ତୃତୀୟ ପ୍ରପାଠକ ସମାପ୍ତ
ଚତୁର୍ଥ ପ୍ରପାଠକ
ଏହା ଶୁଣି ଊର୍ଦ୍ଧ୍ୱରେତସ୍ (ବ୍ରହ୍ମଚାରୀ) ବାଳଖିଲ୍ୟ ବିସ୍ମିତ ହୋଇଉଠିଲେ ଆଉ ଅତି ସମୀପକୁ ଯାଇ କହିଲେ, ‘ହେ ଭଗବାନ ! ଆପଣଙ୍କୁ ମୋର ନମସ୍କାର । ଆପଣ ହିଁ ମୋର ଶରଣ ଅଟନ୍ତି, ମୋର ଆଉ କେହି ବି ଆଶ୍ରୟ ନାହାଁନ୍ତି । ଅତଃ ଆପଣ ମୋତେ ବୁଝାଇଦିଅନ୍ତୁ କି, ସେହି ଭୂତାତ୍ମାର ଅତିଥି କିଏ ଅଟନ୍ତି, ଯାହାଫଳରେ ସେ ଏସବୁକୁ ଛାଡ଼ି ସେହି ଆତ୍ମାରେ ହିଁ ସାଯୁଜ୍ୟ ପ୍ରାପ୍ତ କରିଥାଏ ?’ ସେତେବେଳେ ବ୍ରହ୍ମା ଉତ୍ତର ଦେଲେ କି— ।।1।।
ଆଉ ଏକ ସ୍ଥାନରେ କୁହାଯାଇଛି କି, ବଡ଼ ବଡ଼ ନଦୀମାନଙ୍କରେ ଯେଉଁଭଳି ତରଙ୍ଗ ଉଛୁଳି ଉଠିଥାଏ, ସେହିଭଳି ଏହି ଭୂତାତ୍ମାରେ ପୂର୍ବକୃତ କର୍ମମାନ ଅବସ୍ଥାନ କରନ୍ତି, ଏବଂ ସେମାନଙ୍କ ଫଳ ତ ତାକୁ ଭୋଗ କରିବାକୁ ପଡ଼ିଥାଏ । ଯେଉଁଭଳି ଭାବେ ସେହି ଊର୍ମିସମୂହର ଅନ୍ତ ନିମନ୍ତେ ସମୁଦ୍ରର ତଟଦେଶର ଆବଶ୍ୟକତା ଥାଏ, ସେହିଭଳି ଭୂତାତ୍ମା ନିମନ୍ତେ ମୃତ୍ୟୁ ମଧ୍ୟ ଅତ୍ୟାବଶ୍ୟକ ଅଟେ । ସେହି ଶୁଭାଶୁଭ କର୍ମମାନଙ୍କର ଫଳସ୍ୱରୂପ ସେ ଏକ ପଶୁଭଳି ବନ୍ଧନରେ ବାନ୍ଧି ହୋଇଯାଏ ଏବଂ ସମ୍ପୂର୍ଣ୍ଣରୂପେ ପରତନ୍ତ୍ର ହୋଇଯାଏ; ଯେଉଁଭଳି ଯମ ରାଜ୍ୟରେ ରହୁଛି, ଏଥିପାଇଁ ସେହି ଭୂତାତ୍ମା ସବୁବେଳେ ଭୟଭୀତ ରହିଥାଏ । ବିଷୟସୁଖରୂପୀ ମଦିରା ପାନକରି ସେ ପାଗଳ ହୋଇଯାଏ ଆଉ ପାପରୂପୀ ପ୍ରେତ ତା ମଧ୍ୟରେ ପ୍ରବେଶ କରିଯାଏ, ଯେଉଁଥିପାଇଁ ସେ ଅତ୍ରତତ୍ର ଘୂରିବୁଲେ । ବିଷଧର ସର୍ପ ଦଂଶନ କଲାଭଳି ବିପତ୍ତି ଲାଭ କରିବା କାରଣରୁ ଦୁଃଖ ଭୋଗ କରେ । ବିଷୟସମୂହର ଲାଳସାରୂପୀ ଗାଢ଼ ଅନ୍ଧକାର ଯୋଗୁଁ ସେ ଅନ୍ଧ ହୋଇଯାଏ । ଐନ୍ଦ୍ରଜାଲିକ ଯାଦୁ ଭଳି ସେ ମାୟାରେ ପୂର୍ଣ୍ଣ ହୋଇଯାଇଛି । ସ୍ୱପ୍ନବତ୍ ସେ ମିଥ୍ୟା ଦର୍ଶନ କରିଥାଏ । କଦଳୀ ବୃକ୍ଷର ଗର୍ଭ ଭଳି ସେ ସାରହୀନ ଅଟେ । ନଟଭଳି ସେ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ବେଶ ଧାରଣ କରିଥାଏ । ଚିତ୍ରଅଙ୍କା ଯାଇଥିବା ପ୍ରାଚୀର ଭଳି ସେ ମିଥ୍ୟା ଦେଖାଇ ହେଉଥିବା କାରଣରୁ ସୁନ୍ଦର ପ୍ରତିଭାତ ହୋଇଥାଏ । ଏଭଳି ମଧ୍ୟ କୁହାଯାଇଛି କି, ଶବ୍ଦ, ସ୍ପର୍ଶ ଆଦି ବିଷୟ ଅସାର ଅଟନ୍ତି ଏବଂ ସେଥିରେ ଆସକ୍ତ ଭୂତାତ୍ମାକୁ ନିଜର ବାସ୍ତବିକ ସ୍ୱରୂପର ସ୍ମରଣ ହୋଇନଥାଏ ।।2।।
ତାହାର ମୁକ୍ତିର ଉପାୟ ଏହିଭଳି ଅଟେ— ଜ୍ଞାନ ପ୍ରାପ୍ତି କରାଉଥିବା ଧର୍ମର ଆଚରଣ କରିବା ଆବଶ୍ୟକ ଏବଂ ନିଜର ଆଶ୍ରମଧର୍ମସମୂହର ପାଳନ କରିବା ଆବଶ୍ୟକ । କାହିଁକି ନାଁ ସ୍ୱଧର୍ମାଚରଣ ହିଁ ସବୁକିଛି କରିପାରେ । ଅନ୍ୟ ଧର୍ମ ତ ଖମ୍ବର ଶାଖା ସଦୃଶ ମିଥ୍ୟା ଅଟନ୍ତି । ସ୍ୱଧର୍ମାଚରଣ ଦ୍ୱାରା ଭୂତାତ୍ମା ମୁକ୍ତିକୁ ପ୍ରାପ୍ତ ହୁଏ । ଏହା ଠାରୁ ଭିନ୍ନ ମାର୍ଗରେ ଗଲେ ତାହା ନିମ୍ନକୁ ପତିତ ହୋଇଥାଏ । ବେଦବିହିତ ସ୍ୱଧର୍ମର ତ୍ୟାଗ କରୁଥିବା ମନୁଷ୍ୟ ‘ଆଶ୍ରମୀ’ ବୋଲାଏ ନାହିଁ । ଯିଏ ନିଜର ଆଶ୍ରମ ଧର୍ମକୁ ପାଳନ କରେ, ସେ ତପସ୍ୱୀ ଅଟେ । ଏହା ମଧ୍ୟ କୁହାଯାଇଛି ଯେ, ଯିଏ ତପସ୍ୱୀ ନୁହେଁ, ସେ ଆତ୍ମାରେ ଧ୍ୟାନାବିଷ୍ଟ ହୋଇପାରେ ନାହିଁ । ଏବଂ ତାହାର କର୍ମଶୁଦ୍ଧି ମଧ୍ୟ ହୋଇନଥାଏ । ତପ ଦ୍ୱାରା ଜ୍ଞାନଲାଭ ହୋଇଥାଏ, ଜ୍ଞାନଲାଭ ହେଲେ ମନ ବଶୀଭୂତ ହୋଇଥାଏ ଏବଂ ଆତ୍ମାର ପ୍ରାପ୍ତି ହୋଇଥାଏ । ଆତ୍ମାର ପ୍ରାପ୍ତି ହେବା କାରଣରୁ ସଂସାରରୁ ମୁକ୍ତି ହୋଇଥାଏ ।।3।।
ଏଠାରେ ଏହି ଶ୍ଳୋକ ରହିଛି— ଯେଉଁଭଳି କାଷ୍ଠ ଶେଷ ହୋଇଯିବାପରେ ଅଗ୍ନି ସ୍ୱତଃ ନିଜର ଉତ୍ପତ୍ତି ସ୍ଥାନରୁ ନିର୍ବାପିତ ହୋଇଯାଇଥାଏ, ଠିକ୍ ସେହିଭଳି ଯେତେବେଳେ ବୃତ୍ତିସମୂହର କ୍ଷୟ ହୋଇଯାଏ, ସେତେବେଳେ ଚିତ୍ତ ସ୍ୱତଃ ନିଜର କାରଣ (ଉତ୍ପତ୍ତିସ୍ଥାନ)ରେ ଶାନ୍ତ ହୋଇଯାଏ ।।4-1।।
ନିଜର ଉତ୍ପତ୍ତିସ୍ଥାନରେ (କାରଣରେ) ଶାନ୍ତ ହୋଇ ରହିଥିବା ଏବଂ ଜ୍ଞାନଲାଭ କରିଥିବା ଚିତ୍ତ ଯେତେବେଳେ ସତ୍ୟ ଦିଗକୁ ଆକର୍ଷିତ ହୁଏ, ସେତେବେଳେ ତାକୁ ସେହି କର୍ମାଧୀନ ଇନ୍ଦ୍ରିୟବିଷୟ ମିଥ୍ୟା (ତୁଚ୍ଛ ମିଛ) ଭଳି ପ୍ରତୀତ ହୋଇଥାଏ ।।4-2।।
ଚିତ୍ତ ହିଁ ତ ସଂସାର ଅଟେ । ଏଥିପାଇଁ ପ୍ରଯତ୍ନପୂର୍ବକ ଚିତ୍ତଶୁଦ୍ଧି କରିବା ଆବଶ୍ୟକ । ମନୁଷ୍ୟର ଚିତ୍ତ ଯେଉଁଭଳି ହୋଇଥାଏ, ମନୁଷ୍ୟ ମଧ୍ୟ ସେହିଭଳି ହୋଇଥାଏ । ଚିତ୍ତ ଯେଉଁଭଳି ହୋଇଥାଏ ଗତି ମଧ୍ୟ ସେହିଭଳି ହୋଇଥାଏ । ଏହା ତ ଏକ ସନାତନ ରହସ୍ୟ ଅଟେ ।।4-3।।
ଚିତ୍ତ ଶାନ୍ତ ହେଲେ ଶୁଭ-ଅଶୁଭ କର୍ମସମୂହର ନାଶ ହୋଇଯାଏ । ଆଉ ଶାନ୍ତ ମନୁଷ୍ୟ ଯେତେବେଳେ ନିଜ ଆତ୍ମାରେ ଲୀନ ହୋଇଯାଏ, ସେତେବେଳେ ତାକୁ ଅକ୍ଷୟ ଆନନ୍ଦ ପ୍ରାପ୍ତ ହୋଇଥାଏ ।।4-4।।
ପ୍ରାଣୀର ଚିତ୍ତ ଯେତେ ଅଧିକ ବିଷୟସମୂହରେ ଆସକ୍ତ ରହିଥାଏ, ସେତିକି ମାତ୍ରାରେ ଯଦି ବ୍ରହ୍ମଙ୍କଠାରେ ଆସକ୍ତ ହୋଇଯାନ୍ତା, ତେବେ କଣ ପ୍ରାଣୀ ବନ୍ଧନରୁ ମୁକ୍ତ ହୋଇପାରନ୍ତା ନାହିଁ ? ଅର୍ଥାତ୍ ସମସ୍ତେ ମୁକ୍ତ ହୋଇଯାନ୍ତେ ।।4-5।।
ମନ ଦୁଇ ପ୍ରକାର ହୋଇଥାଏ— ଗୋଟିଏ ଶୁଦ୍ଧ ଏବଂ ଅନ୍ୟଟି ଅଶୁଦ୍ଧ । ସେମାନଙ୍କ ମଧ୍ୟରୁ ଅଶୁଦ୍ଧ ମନ କାମନା ଏବଂ ସଂକଳ୍ପସମୂହରେ ପୂର୍ଣ୍ଣ ହୋଇଥାଏ, ହେଲେ ଶୁଦ୍ଧ ମନ କାମନା ରହିତ ହୋଇଥାଏ ।।4-6।।
ମନକୁ ଲୟ ଏବଂ ବିକ୍ଷେପ ରହିତ ତଥା ସଠିକ୍ ରୂପେ ସ୍ଥିରକରି ଯେତେବେଳେ ମନୁଷ୍ୟ ଅମନୀଭାବକୁ ଅର୍ଥାତ୍ ନିର୍ବିଚାରତାକୁ ପ୍ରାପ୍ତ କରିଥାଏ, ସେତେବେଳେ ତାହା ପରମପଦ ହୋଇଥାଏ ।।4-7।।
ଯେପର୍ଯ୍ୟନ୍ତ ପୂର୍ଣ୍ଣତଃ ମନର ନାଶ ହୋଇନଯାଏ, ସେପର୍ଯ୍ୟନ୍ତ ହୃଦୟରେ ମନର ନିରୋଧ କରିବାପୂର୍ବକ ଅବସ୍ଥାନ କରିବା ଆବଶ୍ୟକ । କେବଳ ଏହା ହିଁ ଜ୍ଞାନ, ଜ୍ଞାନ ଅଟେ, ତାହା ମୋକ୍ଷ ଅଟେ । ଅବଶେଷ ତ ସମସ୍ତ ଗ୍ରନ୍ଥର କେବଳ ବିସ୍ତାରମାତ୍ର ଅଟେ ।।4-8।।
ସମାଧି ଦ୍ୱାରା ଯାହାର ମଳ ଦୂର ହୋଇଯାଇଛି ଏବଂ ଆତ୍ମାରେ ପ୍ରବେଶ କରାଇଥିବା ଚିତ୍ତକୁ ଯେଉଁ ସୁଖ ପ୍ରାପ୍ତ ହୋଇଥାଏ ତାହାକୁ ବାଣୀଦ୍ୱାରା ବର୍ଣ୍ଣନା କରିବା ଅସମ୍ଭବ ଅଟେ । ତାହାକୁ ତ କେବଳ ଅନ୍ତଃକରଣ ଦ୍ୱାରା ହିଁ ଅନୁଭବ କରିହୋଇଥାଏ ।।4-9।।
ଯେଉଁଭଳି ଜଳରେ ଜଳ, ଅଗ୍ନିରେ ଅଗ୍ନି ଏବଂ ଆକାଶରେ ଆକାଶ ମିଶିଗଲେ ତାହାକୁ ଆଉ ପୃଥକ୍ ରୂପେ ଦେଖିହୁଏନାହିଁ, ଠିକ୍ ସେହିଭଳି ଚିତ୍ତର ଲୟ ହୋଇଯିବା କାରଣରୁ ମନୁଷ୍ୟ ମୁକ୍ତ ହୋଇଯାଏ ।।4-10।।
ମନୁଷ୍ୟର ବନ୍ଧନ ଏବଂ ମୋକ୍ଷର କାରଣ ମନ ହିଁ ଅଟେ । ବିଷୟସମୂହରେ ଆସକ୍ତ ମନ ବନ୍ଧନର କାରଣ ହୋଇଥାଏ ଏବଂ ବିଷୟାସକ୍ତିରହିତ ମନ ମୁକ୍ତି ନିମନ୍ତେ ଉଦ୍ଦିଷ୍ଟ ହୋଇଥାଏ ।।4-11।।
ଅଧୁନା ଏଠାରେ ମୁନି କୌତ୍ସାୟନିଙ୍କ ଦ୍ୱାରା କୃତ ସ୍ତୁତି ସମ୍ପର୍କରେ କୁହାଯାଉଛି— ତୁମେ ବ୍ରହ୍ମା ଅଟ, ତୁମେ ହିଁ ବିଷ୍ଣୁ ଅଟ, ତୁମେ ରୁଦ୍ର ଅଟ ଏବଂ ତୁମେ ହିଁ ପ୍ରଜାପତି ଅଟ । ତୁମେ ଅଗ୍ନି ଅଟ, ବରୁଣ, ବାୟୁ, ଇନ୍ଦ୍ର ଏବଂ ଚନ୍ଦ୍ର ମଧ୍ୟ ତୁମେ ହିଁ ଅଟ ।।4-12।।
ତୁମେ ମନୁ ଅଟ, ତୁମେ ଯମ ଅଟ, ତୁମେ ପୃଥିବୀ ଅଟ, ତୁମେ ଅଚ୍ୟୁତ ଅଟ । ତୁମେ ହିଁ ନିଜର ବିଷୟରୂପ ସ୍ୱାଭାବିକ ଅର୍ଥରେ ଅବସ୍ଥାନ କର ତଥା ତୁମେ ହିଁ ନିଜର ଅର୍ଥରେ ଅବସ୍ଥାନ କରିବାପରେ ବି ସ୍ୱର୍ଗରେ ଅନେକ ରୂପ ଧାରଣ କରି ରହିଛ ।।4-13।।
ହେ ସର୍ବେଶ୍ୱର ! ଆପଣଙ୍କୁ ନମସ୍କାର । ତୁମେ ସମସ୍ତଙ୍କର ଆତ୍ମା ଅଟ, ତୁମେ ସମସ୍ତ କର୍ମ କରାଇଥାଅ । ସମସ୍ତଙ୍କ ଭୋକ୍ତା ମଧ୍ୟ ତୁମେ ହିଁ ଅଟ । ତୁମେ ହିଁ ବିବିଧ ମାୟାର ଧାରଣକାରୀ ଅଟ । ତୁମେ ବିଶ୍ୱ ଲୀଳାରେ ରତ ଅଟ, ତୁମେ ସବୁକିଛି କରିବାକୁ ସମର୍ଥ ଅଟ ।।4-14।।
ହେ ଶାନ୍ତସ୍ୱରୂପ ଆପଣଙ୍କୁ ନମସ୍କାର । ଅତିଶୟ ରହସ୍ୟମୟ, ଅଚିନ୍ତନୀୟ, ଅପ୍ରମେୟ ଅର୍ଥାତ୍ ପ୍ରମାଣସମୂହରୁ ଅଗମ୍ୟ ଏବଂ ଆଦି-ଅନ୍ତ ରହିତ ଏହିଭଳି ଆପଣଙ୍କୁ ନମସ୍କାର ଅଟେ ।।4-15।।
ସୃଷ୍ଟି ପୂର୍ବରୁ ଏସବୁ କେବଳ ଅନ୍ଧକାର (କେବଳ ଅଜ୍ଞାନରୂପ) ହିଁ ଥିଲା । ପରବର୍ତ୍ତୀ କାଳରେ ପରମାତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ଇନ୍ଦ୍ରିୟସମୂହର ବିଷୟରୂପ ଉତ୍ପନ୍ନ ହେଲା । ପରମାତ୍ମାଙ୍କ ଦ୍ୱାରା ପ୍ରେରିତ ରଜୋଗୁଣ ବିଷମତାକୁ ପ୍ରାପ୍ତ ହେଲା ଏବଂ କିଛି ବିଷୟ ରଜୋଗୁଣର ସ୍ୱରୂପଯୁକ୍ତ ହେଲେ । ପରମାତ୍ମାଙ୍କ ଦ୍ୱାରା ପ୍ରେରିତ ତମୋଗୁଣ ବିଷମତାକୁ ପ୍ରାପ୍ତ ହେଲା ଏବଂ କିଛି ବିଷୟ ତମୋଗୁଣ ରୂପଯୁକ୍ତ ହେଲେ । ତଥା ପରମାତ୍ମାଙ୍କ ଦ୍ୱାରା ସତ୍ତ୍ୱଗୁଣ ପ୍ରେରିତ ହେଲା ଏବଂ ତାହା ମଧ୍ୟ ବିଷମତାକୁ ପ୍ରାପ୍ତ ହେଲା ତଥା ଏହିଭଳି ଭାବେ ସତ୍ତ୍ୱଗୁଣର ବୈଷମ୍ୟ କାରଣରୁ ଶ୍ରବଣରୁ ଯାହା ଉତ୍ପନ୍ନ ହେଲା ତାହା ‘କ୍ଷେତ୍ରଜ୍ଞ’ ରୂପେ (ଜୀବ ରୂପରେ) ସମସ୍ତ ପ୍ରାଣୀଙ୍କଠାରେ ଅବସ୍ଥିତ ଅଟେ । ତାହା ସେହି ପରମାତ୍ମାଙ୍କର ଅଂଶ ଅଟେ । ତାହା ସଂକଳ୍ପରୂପ, ନିଶ୍ଚୟରୂପ ଏବଂ ଅଭିମାନରୂପ ପ୍ରତୀକ ସଦୃଶ ଅଟେ । ସେ ପ୍ରଜାଗଣଙ୍କର ଉତ୍ପତ୍ତି ଅଟନ୍ତି, ସେହି ପରମାତ୍ମାଙ୍କର ସବୁଠାରୁ ବଡ଼ ଏବଂ ଶ୍ରେଷ୍ଠ ଶରୀର ବ୍ରହ୍ମା, ରୁଦ୍ର ଏବଂ ବିଷ୍ଣୁ ବୋଲି ବ୍ୟକ୍ତ କରାଯାଇଛି । ସେହି ପରମାତ୍ମାଙ୍କର ରଜୋଗୁଣର ଅଂଶକୁ ବ୍ରହ୍ମା ବୋଲି କୁହାଯାଇଛି, ତାଙ୍କର ତମୋଗୁଣର ଅଂଶକୁ ରୁଦ୍ର କୁହାଯାଇଛି ଏବଂ ଯେଉଁ ସତ୍ତ୍ୱଗୁଣଯୁକ୍ତ ଅଂଶ ରହିଛି ସେ ବିଷ୍ଣୁ ଅଟନ୍ତି । ସେହି ଏକମାତ୍ର ପରମାତ୍ମା ତିନିଗୋଟି ରୂପରେ, ଆଠଗୋଟି ରୂପରେ, ଏକାଦଶ ରୂପରେ, ଦ୍ୱାଦଶ ରୂପରେ, ଅନେକ ରୂପରେ ଉତ୍ପନ୍ନ ହୋଇଛନ୍ତି । ଏହିଭଳି ଅନନ୍ତ ରୂପରେ ଉତ୍ପନ୍ନ ହୋଇ ପ୍ରତ୍ୟେକ ଭୂତଙ୍କ ମଧ୍ୟରେ (ଜୀବ ମଧ୍ୟରେ) ଅବସ୍ଥାନ କରୁଛନ୍ତି । ସେ ସମସ୍ତ ପ୍ରାଣୀଙ୍କର ଅଧିପତି ଅଟନ୍ତି । ଆଉ ସେ ହିଁ ବାହ୍ୟ-ଅଭ୍ୟନ୍ତର ସର୍ବତ୍ର ବିଦ୍ୟମାନ ଅଛନ୍ତି, ସେ ହିଁ ବାହ୍ୟ-ଅଭ୍ୟନ୍ତର ସର୍ବତ୍ର ବିଦ୍ୟମାନ ଅଛନ୍ତି । ବାକ୍ୟର ପୁନରାବୃତ୍ତି ଉପନିଷଦର ସମାପ୍ତିକୁ ସୂଚିତ କରୁଅଛି ।।5।।
ଚତୁର୍ଥ ପ୍ରପାଠକ ସମାପ୍ତ
ଶାନ୍ତିପାଠଃ
ଓଁ ଆପ୍ୟାୟନ୍ତୁ ମମାଙ୍ଗାନି…..ତେ ମୟି ସନ୍ତୁ ।
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।।
•
Be First to Comment