Press "Enter" to skip to content

ବିଶ୍ୱରୂପଦର୍ଶନ ଯୋଗ

ଅଧ୍ୟାୟ ନାମକରଣର ଯଥାର୍ଥତାରୁ ବୋଧହୁଏ କି, ଭଗବାନଙ୍କର ବିଶ୍ୱରୂପ ରହିଛି ଯାହାର ଦର୍ଶନକରି ସାଧକ ସାଧନାର ପରାକାଷ୍ଠାକୁ ଅବଗତ ହୋଇପାରିବେ । ଭଗବାନ ଶ୍ରୀକୃଷ୍ଣଙ୍କର ଆକାର ଓ ବ୍ରହ୍ମାଣ୍ଡୀୟ ସଚେତନତା ନିମନ୍ତେ ଏହି ଅଧ୍ୟାୟରେ ଯଥାର୍ଥ ଖୋରାକ ରହିଛି । ଅର୍ଜ୍ଜୁନରୂପୀ ଜୀବ ନିମନ୍ତେ ବିସ୍ମୟକର ସ୍ୱରୂପକୁ ଅବଗତ ହେବା ଯୁକ୍ତିସଙ୍ଗତ ମନେହେଉଥିବା ସ୍ଥଳେ ପରମାତ୍ମା କୃପାପରବଶ ହୋଇ ଉକ୍ତ ସ୍ଥିତିକୁ ଅବଗତ କରାଇବା ନିମନ୍ତେ ଯୋଗ୍ୟତା ପ୍ରଦାନ କରିବା ଏହି ଅଧ୍ୟାୟଟିର ବିଶେଷତ୍ୱ ଅନନ୍ୟ ଅଟେ । ତଦୁପରାନ୍ତ ଯେଉଁ ସ୍ୱରୂପ ଇତର ଜନ ଅବଗତି ବହିର୍ଭୁକ୍ତ ତାହାର ଯଥାଯଥ ପ୍ରଦର୍ଶନ ଓ ଭାବନା ମଧ୍ୟରେ ପ୍ରବେଶ କରାଇବା ଜଣେ ସାଧାରଣ ଭକ୍ତଙ୍କ ପାଇଁ ଯେତିକି ପ୍ରୟୋଜନୀୟ ତାହା ଏଠାରେ ବେଶ୍ ସୁସ୍ପଷ୍ଟ ହୋଇସାରିଛି ।


ଅର୍ଜ୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ ଆକାର-ପରିବର୍ତ୍ତନର ସ୍ୱରୂପକୁ ଦେଖାଇବାର କୃପା ପ୍ରାପ୍ତ ହୋଇଥିଲା । ସେ ଭଗବାନଙ୍କର ବୈଶ୍ୱିକ ରୂପକୁ, ପରମାତ୍ମା ତଥା ପୁରୁଷୋତ୍ତମ ରୂପ, ପରମରୂପ ଯାହାକିଛି କୁହନା କାହିଁକି ତାହାକୁ ଦେଖିବାର ଅବସର ପ୍ରାପ୍ତ ହୋଇଥିଲେ । ବିଶ୍ୱର ଅର୍ଥ ହେଉଛି ବ୍ରହ୍ମାଣ୍ଡ, ରୂପର ଅର୍ଥ ହେଉଛି ଆକାର । ଭଗବାନ୍ ଅର୍ଜ୍ଜୁନଙ୍କ ସମକ୍ଷରେ ନିଜର ଦିବ୍ୟ ସ୍ୱରୂପକୁ, ନିଜ ବିଶ୍ୱରୂପରେ ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ପ୍ରତିଫଳିତ କରି ଦେଖାଇ ଅଛନ୍ତି । ଅର୍ଜ୍ଜୁନ ମାନବୀୟ ଚକ୍ଷୁ ମାଧ୍ୟମରେ ସେହି ଦେଦୀପ୍ୟମାନ ବିଶ୍ୱରୂପକୁ ଦେଖିବାକୁ ଅସମର୍ଥ ଥିବାରୁ ଅସ୍ଥାୟୀରୂପେ ଦିବ୍ୟଦୃଷ୍ଟି ବା ପରମଦୃଷ୍ଟି ପ୍ରଦାନକରି ଭଗବାନ୍ ନିଜେ ନିଜର ସ୍ୱରୂପ ଦେଖାଇ ଅଛନ୍ତି । ତେଣୁ ଏହି ଅଧ୍ୟାୟରେ ପରମାତ୍ମାଙ୍କ ସ୍ୱରୂପ ତାଙ୍କ ନିଜଦ୍ୱାରା ବ୍ୟକ୍ତ କରାଯାଇଛି ଯାହା ସର୍ବସାଧାରଣଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ । ସୁତରାଂ ଏହି ଅଧ୍ୟାୟରେ ଆମେ ବିଶ୍ୱରୂପକୁ ଯେପରି ଦେଖି କୃତକୃତ୍ୟତା ତଥା ଅଥଳ ସାଗରରେ ନିମଗ୍ନ ହେବାର ସାମର୍ଥ୍ୟ ହାସଲ କରିପାରିବା ।


ଭଗବାନଙ୍କ ଶ୍ରୀମୁଖରୁ ନିଜର ପ୍ରତାପ ବିଷୟ ଶ୍ରବଣକରି ଅର୍ଜ୍ଜୁନ ନିଜର ଦିବ୍ୟ ସାରଥୀଙ୍କ ଠାରୁ ତାଙ୍କର ଦିବ୍ୟ ବିଶ୍ୱରୂପକୁ ଦେଖିବାକୁ ଇଚ୍ଛା ପ୍ରକଟ କରିଅଛନ୍ତି । ଅତ୍ୟନ୍ତ ଭକ୍ତି, ଶ୍ରଦ୍ଧା ତଥା ଗହନ ବିନମ୍ରତାର ସହିତ ସେ କହିଛନ୍ତି କି — ହେ ପ୍ରଭୁ ! ଯଦି ଆପଣ ମୋ ଦ୍ୱାରା ଆପଣଙ୍କର ସେହି ଦିବ୍ୟରୂପ ଦେଖାଯିବା ବାଞ୍ଛିତ ମନେକରୁଛନ୍ତି ତେବେ ହେ ଯୋଗେଶ୍ୱର ! ସେହି ଅବିନାଶୀ ସ୍ୱରୂପକୁ ମତେ ଦେଖାନ୍ତୁ ।।(11/4)
ଭଗବାନ୍ ଅର୍ଜ୍ଜୁନଙ୍କର କାମନା ପୂର୍ଣ୍ଣକରି ଆନ୍ତରିକ ଦିବ୍ୟ ଚକ୍ଷୁ ପ୍ରଦାନ ପୂର୍ବକ ତାଙ୍କୁ ପ୍ରଥମେ ସକ୍ଷମ କରାଉ ଅଛନ୍ତି । ଏପରି ସଞ୍ଜୟ ପରମାନନ୍ଦ ଦାୟକ ଦୃଶ୍ୟକୁ ବର୍ଣ୍ଣନା କଲେ ଯେପରି ଅର୍ଜ୍ଜୁନ ଦେଖି ଅଛନ୍ତି । ଏହାର ଅର୍ଥ ହେଉଛି — ଏହା ସଞ୍ଜୟଙ୍କର ମଧ୍ୟ ସୌଭାଗ୍ୟ ଥିଲା କି ଯିଏ ବେଦବ୍ୟାସଙ୍କ ପ୍ରଦତ୍ତ ଦୃଷ୍ଟି ସାହାଯ୍ୟରେ ଏ ସବୁ ଦେଖିବାପାଇଁ ସକ୍ଷମ ହେଲେ ପୁଣି ବର୍ଣ୍ଣନା ମଧ୍ୟ କଲେ । ସେ ଯେପରି ବର୍ଣ୍ଣନା କଲେ ତାହା ଅବଶ୍ୟ ସ୍ୱ-ଅନ୍ତଃକରଣରେ ଭାସିତ ମଧ୍ୟ ହୋଇଥିବ ।


ଆକାଶରେ ସହସ୍ର ସୂର୍ଯ୍ୟ ଏକାଥରେ ଉଦୟ ହୋଇଥିଲେ ଯେପରି ପ୍ରକାଶର ଆଲୋକରଶ୍ମି ଉଦ୍ଭାସିତ ହୋଇଉଠିବ ଠିକ୍ ତାଦୃଶ ଜ୍ୟୋତିମନ୍ତ ପରମାତ୍ମାଙ୍କୁ ଅର୍ଜ୍ଜୁନ ଦେଖିପକାଇ ହତବିମ୍ବ ହୋଇଉଠିଛନ୍ତି । ଯାହାକି ଅନ୍ୟକାହା କ୍ଷେତ୍ରରେ କଦାଚିତ ସମ୍ଭବ ହୋଇ ନପାରେ ।। (11/12)
ଯେଉଁ ଦୃଶ୍ୟ ମନକୁ ଊର୍ଦ୍ଧ୍ୱମୁଖୀ କରାଇବ, ଚମତ୍କାରିକତାର ଭାବ ଆଣିଦେବ, ଲୋମ ଟାଙ୍କୁରାଇଦେବ, ସେପରି ଦୃଷ୍ଟ ହେବାକୁ ଲାଗିଲା । ଅର୍ଜ୍ଜୁନ ଭଗବାନଙ୍କ ଠାରେ ବିରାଟ ବ୍ରହ୍ମାଣ୍ଡର ଅସ୍ତିତ୍ୱ ଦେଖୁ ଅଛନ୍ତି । ସେ ନିଶ୍ଚିତ ଭାବେ ଦେଖୁ ଅଛନ୍ତି କି, ଭଗବାନ ଅନାଦି ଅଟନ୍ତି । ତାଙ୍କର ଆଦି ଅନ୍ତ ମଧ୍ୟ କିଛି ବି ବୁଝାଯାଉନାହିଁ । ସେ ଅନନ୍ତ ଶକ୍ତି ସମ୍ପନ୍ନ ଅନ୍ତହୀନ ଭାବରେ ଦୃଷ୍ଟ ହେଉଛନ୍ତି । ସେ ସୃଷ୍ଟିକ୍ରିୟା (ରଚନାକ୍ରମ) ତଥା ବିନାଶ, ଉଭୟ ଏକା ସାଙ୍ଗରେ ଘଟୁଥିବାର ଦେଖିପାରୁଛନ୍ତି । ସେ ଦିବ୍ୟ ତେଜକୁ ଦେଖିପାରୁଛନ୍ତି । ତେଣୁ ସେ ନିଜକୁ ସମ୍ବରଣ କରି ନପାରି ସାଷ୍ଟାଙ୍ଗ ପ୍ରଣାମ କରି ସମ୍ପୂର୍ଣ୍ଣ ତେଜୋମୟ ଭଗବାନଙ୍କର ବନ୍ଦନା କରିବାରେ ଲାଗିପଡ଼ିଛନ୍ତି ।


ଭଗବାନ ଅର୍ଜ୍ଜୁନଙ୍କୁ ଦୃଢ଼ କରାଇ ଦେଇଛନ୍ତି । ପୂର୍ଣ୍ଣ ରୂପରେ ନିଶ୍ଚୟ କରାଇ ଦେଇଛନ୍ତି ଯେପରି ସେ ପୁନରାୟ ଯୁଦ୍ଧରେ ଭାଗ ନିଅନ୍ତୁ ଅବା ନାହିଁ ମାତ୍ର ଶତ୍ରୁ-ମିତ୍ର ସମସ୍ତଙ୍କ ମଧ୍ୟରୁ ଯାହାର ବିନାଶ କାଳ ଉପସ୍ଥିତ ସେ ଅବଶ୍ୟ ନାଶ ଯିବ । କାହିଁକି ନାଁ ଏହାହିଁ ତ ଭଗବାନଙ୍କର ଇଚ୍ଛା ଅଟେ । ଅତଃ ହେ ଅର୍ଜ୍ଜୁନ, ତୁମକୁ ଠିଆ ହେବାକୁ ହେବ ଆଉ ଯୁଦ୍ଧ ଅବଶ୍ୟ କରିବାକୁ ହେବ ଅର୍ଥାତ୍ ଯୁଦ୍ଧ କରିବା ନିଶ୍ଚିତ ପକ୍ଷେ ଶ୍ରେୟସ୍କର ହେବ ।
ଅତଏବ ତୁମେ ଉଠ ! ଯଶ ପ୍ରାପ୍ତକର ଆଉ ଶତ୍ରୁମାନଙ୍କୁ ଜୟକରି ଧନ-ଧାନ୍ୟ ମଣ୍ଡିତ ହୋଇ ସମ୍ପନ୍ନ ରାଜ୍ୟକୁ ଭୋଗ କର । ଏସବୁ ସୁରବୀର ପ୍ରଥମରୁ ମୋ ଦ୍ୱାରା ହତ ହୋଇସାରିଛନ୍ତି । ହେ ସବ୍ୟସାଚିନ୍ ! ତୁମେ ତ କେବଳ ନିମିତ୍ତମାତ୍ର ଅଟ ।।(11/33)
ଅର୍ଜ୍ଜୁନ ଚକିତ ହୋଇଉଠିଛନ୍ତି, କାହିଁକି ନାଁ ଯାହାସବୁ ଦେଖିନେଇଛନ୍ତି ତାହା ଆଗରୁ କେବେ କେହି ଦେଖିନାହାଁନ୍ତି । କିନ୍ତୁ ତାଙ୍କୁ ଆଶ୍ୱାସନା ଦେବାପାଇଁ, ତାଙ୍କ ଭୟ ଦୂର କରିବାପାଇଁ ଶ୍ରୀକୃଷ୍ଣ ନିଜର ପରିଚିତ, ମୃଦୁଳ, ସୁଶୀଳ, ମଧୁର ମାନବୀୟ ସ୍ୱରୂପ ଧାରଣ କରି ନେଇଛନ୍ତି ଯାହା ଫଳରେ କି ଅର୍ଜ୍ଜୁନ ପୁନରାୟ ବିଶ୍ୱସ୍ତ ହୋଇପାରିବେ ।
ଯେଉଁଭଳି ଅର୍ଜ୍ଜୁନ ସେହି ରୂପ ଦେଖିପାରିଲେ, ତାହା ଇତର ଜନଙ୍କ ପାଇଁ ବିରଳ ତଥା କଠିନ ହିଁ ତ ଅଟେ । କୌଣସି ପ୍ରକାରେ ଶାସ୍ତ୍ରକୁ ଅଧ୍ୟୟନ କରିଦେଇ ଅବା କିଛି ତପସ୍ୟା କରିପକାଇ କିମ୍ବା ଦାନ-ଯଜ୍ଞ କରି କେହିବି ଏହି ସ୍ୱରୂପକୁ ଦେଖିବାକୁ ଯୋଗ୍ୟ ହୋଇପାରନ୍ତି ନାହିଁ । କେବଳ ବିଶୁଦ୍ଧ ତଥା ପବିତ୍ର ଭକ୍ତିର ଆବଶ୍ୟକତା ଅଛି । ଅନ୍ୟଥା ତାଙ୍କୁ ତାଙ୍କ କ୍ରିୟାକର୍ମ ବା ସାମର୍ଥ୍ୟାଦିକୁ ଆକଳନ କରିବା ଜୀବ ମାତ୍ରକେ ସଦୈବ ଅସମ୍ଭବ ଅଟେ ।
ହେଲେ, ହେ ପରନ୍ତପ ଅର୍ଜ୍ଜନ ! ଅନନ୍ୟ ଭକ୍ତିଦ୍ୱାରା ଏହି ପ୍ରକାର ଚତୁର୍ଭୁଜଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରିବାପାଇଁ ଅର୍ଥାତ୍ ତତ୍ତ୍ୱତଃ ଜାଣିବାପାଇଁ ତଥା ତାତ୍ତ୍ୱିକ ସ୍ତରକୁ ପ୍ରବେଶ କରିବାପାଇଁ, ଏକୀଭାବ ଦ୍ୱାରା ପ୍ରାପ୍ତ ହେବାପାଇଁ ମୁଁ ସକ୍ଷମ ଅଟେ ।


ତେଣୁ ଭଗବାନ ପୁନରାୟ କହିଦେଇଛନ୍ତି କି, ହେ ଅର୍ଜ୍ଜୁନ ! ଯେଉଁ ବ୍ୟକ୍ତି କେବଳ ମୋତେ ପ୍ରାପ୍ତି କରିବା ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ କର୍ତ୍ତବ୍ୟକର୍ମକୁ ପାଳନ କରୁଥାଏ, ମତ୍ ପରାୟଣ ହୁଏ, ମୋର ଭକ୍ତ ହୋଇପାରେ, ଆସକ୍ତି ରହିତ ତଥା ସଂଯତ ଚିତ୍ତ ହୁଏ ଆଉ ସମ୍ପୂର୍ଣ୍ଣ ଭୂତ ପ୍ରାଣୀମାନଙ୍କଠାରେ ବୈରଭାବ ରହିତ ହୁଏ ସେହି ଅନନ୍ୟ ଭକ୍ତି ଯୁକ୍ତ ପୁରୁଷ ମତେ ହିଁ ପ୍ରାପ୍ତ ହୋଇଥାଏ ।। (11/54-55)
ପ୍ରଥମେ ଭାଷ୍ୟକାର ଶଙ୍କର ଭଗବଦ୍ ପାଦ ମଧ୍ୟ ବାକ୍ୟକୁ ଗୀତାର ସାର ଭାବରେ ତାଙ୍କ ଭାଷ୍ୟରେ ଉଲ୍ଲେଖ କରିଅଛନ୍ତି । ତେଣୁ ଯେକେହି ସାଧକ ମନନ କରିବା ଯୋଗ୍ୟ ବାକ୍ୟ ସମୂହ ହେଉଛି—
—ଅର୍ଜ୍ଜୁନ ଶ୍ରୀକୃଷ୍ଣଙ୍କର ସଖା, ସହଯୋଗୀ ତଥା ଭ୍ରାତା ସଦୃଶ ମଧ୍ୟ ଥିଲେ । ପୁଣି ସେ କେବଳ କୁରୁକ୍ଷେତ୍ରର ରଣଭୂମିରେ ତାଙ୍କୁ ଭଗବାନଙ୍କର ବିଶ୍ୱରୂପ ଦର୍ଶନର ସୌଭାଗ୍ୟ ଅବରସ ପ୍ରାପ୍ତ ହୋଇପାରିଥିଲା ।
—ଭଗବାନ୍ ଅର୍ଜ୍ଜୁନଙ୍କୁ ପ୍ରଥମେ ଏଇଥିପାଇଁ ପ୍ରସ୍ତୁତ କରାଇଥିଲେ, ତାଙ୍କୁ ଆତ୍ମାର ସତ୍ୟତା, ଜୀବାତ୍ମାଙ୍କର ପ୍ରକୃତି ତଥା ସମସ୍ତ ସୃଷ୍ଟ ବସ୍ତୁମାନଙ୍କର ଉଦ୍ଗମ ତଥା ବିନାଶ ସମ୍ବନ୍ଧୀୟ ଜ୍ଞାନ ଦ୍ୱାରା ଶିକ୍ଷିତ କରାଇଦେଇଥିଲେ । ଏହି ରହସ୍ୟପୂର୍ଣ୍ଣ ସିଦ୍ଧାନ୍ତକୁ ପ୍ରକଟ କରିବା ପରେ ହିଁ ସେ ବିଶ୍ୱରୂପ ଦେଖିବାକୁ ସମର୍ଥ ହୋଇପାରିଲେ ।
—ଅର୍ଜ୍ଜୁନ ସେହି ମହାନ୍ ବିଶ୍ୱ-ନାଟ୍ୟକୁ ଗତିମାନ ଦେଖିଥିଲେ, ଆହୁରି ଏହା ମଧ୍ୟ ଦେଖିଥିଲେ କି, ସେ ଭରସାଯୋଗ୍ୟ ସର୍ବଶକ୍ତିମାନ ଭଗବାନଙ୍କର ଶକ୍ତି ଦ୍ୱାରା ସଞ୍ଚାଳିତ ହେଉ ଅଛନ୍ତି । ଭଲ ଖରାପ ସବୁ କାମରେ ତାଙ୍କରି ଇଚ୍ଛା ହିଁ କାର୍ଯ୍ୟକାରୀ ହେଉଅଛି । ଭଗବାନ ଅର୍ଜ୍ଜୁନଙ୍କୁ ଯୁଦ୍ଧ କରିବାପାଇଁ ପ୍ରେରିତ କରିଛନ୍ତି କାହିଁକି ନାଁ ସେ ନିଜ ଶତ୍ରୁମାନଙ୍କର ବିନାଶ ନିମନ୍ତେ ଐକାନ୍ତିକ ପ୍ରତ୍ୟକ୍ଷ କାରଣ ଅଟନ୍ତି ।


ସେଇଥିପାଇଁ ଅର୍ଜ୍ଜୁନ ତତ୍କାଳ ଆନନ୍ଦମଗ୍ନ ତଥା ମୋହିତ ହୋଇଯାଇଥିଲେ । ଏହା ଏକ ବିଶେଷ ପ୍ରକାର ବିସ୍ତାରିତ ଚେତନା ଅଟେ ଯାହାକୁ କି ଆମ ଭଳି କେତେକଙ୍କୁ ଜାଣିବାର ଅବସର ମିଳିପାରିଛି । ଏହି ଅନୁଭବର ତୀବ୍ରତା, ଊର୍ଜା ତଥା ସାମର୍ଥ୍ୟ ଜଡ଼ିତ ଚିନ୍ତାପରକ ଚେତନା ଆଦିକୁ ସହ୍ୟ କରିବା ପାଇଁ ଅସମର୍ଥ ହୋଇ ମଧ୍ୟ ଅର୍ଜ୍ଜୁନ ଭଗବାନଙ୍କ ଠାରୁ ନିଜର ପୁରାତନ ତଥା ଚିର ପରିଚିତ ସାମାନ୍ୟରୂପରେ ପ୍ରକଟହେବା ପାଇଁ ଯାଚଜ୍ଞା କରିଥିଲେ ।
ଶ୍ରୀକୃଷ୍ଣ ପୁନରାୟ କରି ଦେଇଥିଲେ କି, ଏହି ଅନ୍ତଃଦୃଶ୍ୟ ତପସ୍ୟା, ଅଧ୍ୟୟନ, ତ୍ୟାଗ ଅଥବା କଲ୍ୟାଣକାରୀ କର୍ମ ଦ୍ୱାରା ସମ୍ଭବ ନୁହେଁ । ପରମ ଭକ୍ତି ହିଁ ତାଙ୍କର ଏହି ଭବ୍ୟ ବିଶ୍ୱରୂପ ଦର୍ଶନର ମାଧ୍ୟମ ହୋଇପାରେ । ତେଣୁ ଆମ ସମସ୍ତଙ୍କୁ ଚିନ୍ତା କରିବାର ଆବଶ୍ୟକତା ଅଛି ।
ଶ୍ରୀରାମକୃଷ୍ଣ ବ୍ରହ୍ମ ତଥା ପରମ ସତ୍ୟର ତେଜୋମୟତାକୁ ବର୍ଣ୍ଣନା କରୁଥିବା ଏକ କଥା କହୁଥିଲେ — ଗୋଟିଏ କାଳ୍ପନିକ ରାଜା ଥିଲା ଯିଏ କି ବିରାଟ ଧନୀ, କଳ୍ପନାତୀତ ଶକ୍ତିସମ୍ପନ୍ନ ହୋଇ ସାତଗୋଟି ଫାଟକ ବିଶିଷ୍ଟ ଏକ ଭବ୍ୟ ପ୍ରାସାଦରେ ନିବାସ କରୁଥିଲା । ସେହି ପ୍ରାସାଦ ନିକଟବର୍ତ୍ତୀ ଏକ ରାସ୍ତାରେ ଜଣେ ପଥିକ ତାଙ୍କ ବୈଭବ ତଥା ବ୍ୟକ୍ତିତ୍ୱ ସମ୍ପର୍କରେ ଶୁଣି ତାଙ୍କୁ ଦେଖାକରିବାକୁ ଉତ୍ସାହୀ ହୋଇଉଠିଲେ । ତାଙ୍କୁ କୌଣସି ପ୍ରକାରେ ଚେଷ୍ଟାକରି ଭିତରକୁ ଯିବାପାଇଁ ଅନୁମତି ମିଳିଗଲା । ଗୋଟିଏ ପରେ ଗୋଟିଏ ଫାଟକ ପାରହୋଇ ଭିତରକୁ (ଅନ୍ତଃପୁରକୁ) ଯିବାପାଇଁ ସୁବିଧା ମଧ୍ୟ ମିଳିଗଲା । ସେ ପ୍ରତ୍ୟେକ ଫାଟକ ନିକଟରେ ଜଣେ ରାଜ ପ୍ରତିନିଧି ଯିଏ କି ଉକ୍ତ ସ୍ଥାନର ମୁଖ୍ୟ ଅଟନ୍ତି ତାଙ୍କୁ ଦେଖିବାକୁ ପାଇଲେ । ଜଣେ ଆଉ ଜଣଙ୍କଠାରୁ ଆହୁରି ତେଜସ୍ୱୀ ଥିଲେ । ତେଣୁ ସେ ଆଗକୁ ଯାହାକୁ ଦେଖୁଥିଲେ, ତାଙ୍କୁ ସମ୍ରାଟ ମନେକରି ପଚାରୁଥିଲେ — କଣ ଏ ସେହି ସମ୍ରାଟ ? ଏହି ପ୍ରଶ୍ନ ଶୁଣି ପ୍ରତ୍ୟେକ ଥର ତାଙ୍କୁ ଏପରି ଉତ୍ତର ମିଳୁଥିଲା କି — ନାଁ, ଏ ନୁହଁନ୍ତି । ଯେତେବେଳେ ସେ ସପ୍ତମ ଫାଟକ ନିକଟରେ ପହଁଞ୍ଚିଲେ ଆଉ ତାଙ୍କୁ ରାଜମହଲ ଭିତରକୁ ପ୍ରବେଶ ସୁଯୋଗ ଦିଆଗଲା ସେ ସମସ୍ତ ବୈଭବର ଅଧିକାରୀ ସୁଷ୍ଠୁବ ତଥା ଯୋଗ୍ୟତମ ଏକ ବଳିଷ୍ଠ ବ୍ୟକ୍ତି ଯିଏ ସିଂହାସନ ଉପରେ ଆରୁଢ଼ ଥିଲେ ତାଙ୍କୁ ଦେଖିବାକୁ ପାଇଲେ । ପଥିକ ଜଣକ ଶ୍ରଦ୍ଧାରେ ପୂର୍ଣ୍ଣ ହୋଇଉଠିଲେ, ତାଙ୍କୁ ଦେଖି ଚକିତ ରହିଗଲେ । ତାଙ୍କୁ ଆଉ ପ୍ରଶ୍ନ ପଚାରିବାର ଆବଶ୍ୟକତା ରହିଲା ନାହିଁ । ସେ ସମ୍ରାଟଙ୍କୁ ଆମୂଳଚୂଳ ଦର୍ଶନ କରିପକାଇ ଜାଣିଗଲେ କି ନିଃସନ୍ଦେହରେ ସେ ହିଁ ପ୍ରକୃତ ସମ୍ରାଟ ।


ଏହି କଥନଟିରେ ସପ୍ତ ଫାଟକ ହେଉଛି ସପ୍ତ ସ୍ତରର ପ୍ରତୀକ । ପ୍ରତ୍ୟେକ ଫାଟକ ଦେଇ ନିମ୍ନ ସ୍ତରକୁ ପାରକରି ଆଗାମୀ ଉଚ୍ଚସ୍ତରରେ ଯାଇ ଉପନୀତ ହେବାର ଅବସର ମିଳେ । ଅନ୍ତିମ ରୂପରେ ଉଚ୍ଚତମ ସ୍ତରରେ ବିଶୁଦ୍ଧ ଆତ୍ମିକ ସତ୍ତାବିଶିଷ୍ଟ ରାଜ୍ୟରେ ପ୍ରବେଶ ମିଳିଥାଏ । ଏଠାରେ କେବଳ ସତ୍ୟ ତଥା ପରିପୂର୍ଣ୍ଣତା ହିଁ ରହିଥାଏ । ଆମେ ପରମାତ୍ମାଙ୍କୁ ସମ୍ମୁଖରେ ସେତେବେଳେ ଦେଖିଥାଉ ଯେତେବେଳେ ସମସ୍ତ ସ୍ତର ଅତିକ୍ରମ କରି ପୂର୍ଣ୍ଣ ବିଶୁଦ୍ଧ ହୋଇଥାଉ । ପୁନଶ୍ଚ ଆମେ ସେତେବେଳେ ଯୋଗ୍ୟ ହେଉ ଯେତେବେଳେ ସେ କୃପାକରି ଆମକୁ ଯୋଗ୍ୟ କରାଇଦିଅନ୍ତି । ଅତଃ ପ୍ରଣୀଧାନ ଯୋଗ୍ୟ କି —
ଆମେ ଭଗବାନଙ୍କୁ ସର୍ବବ୍ୟାପୀ, ସର୍ବଶକ୍ତିମାନ ତଥା ସର୍ବକାଳୀନ କହୁଥିଲେ ବି ବାସ୍ତବରେ କଣ କେବେ ଏ ସବୁ ଶବ୍ଦ ଉପରେ ଓ ମହତ୍ୱ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁ କି ?
ଆମେ ପରମାତ୍ମାଙ୍କର ଅଂଶବିଶେଷ ଏହିକଥା କେବେ ମନନ କରିଛେ କି ?
ଶରୀରର ସୀମା ଭିତରେରହି ଆମେ କଣ କେବେ ଆତ୍ମାର ବାସ୍ତବିକ ସତ୍ତା ପ୍ରତି ଯତ୍ନ ନେଇ ଅଛେ କି ?
ଭଗବାନଙ୍କୁ ଏହି ଜନ୍ମରେ ଦର୍ଶନ କରିହେବ, ସେ କଥା ବିଚାରକୁ ନେଇପାରିଛେ କି ?

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.