Press "Enter" to skip to content
Photo by Pixabay on Pexels.com

ଯୋଗର ପାତଞ୍ଜଳୀ ଦୃଷ୍ଟି

Last updated on August 13, 2022


ମନରୁ ମନୁଷ୍ୟ । ତେଣୁ ସେ ମନନର ଅଧିକାରୀ । ସେହି ମନନର କାରଣ ଯୋଗ । ସେହି ଯୋଗର ସ୍ୱରୂପ କେବଳ ଏଇ ମନୁଷ୍ୟ ହିଁ ବୁଝିବାକୁ ସକ୍ଷମ କାରଣ ପଶୁ ଅବା ଦେବତା କେହିହେଲେ ଯୋଗକୁ ଧାରଣ କରିବା ଅସମ୍ଭବ । ହେଲେ ମନୁଷ୍ୟ ମନର ଯେଉଁ ବିଭିନ୍ନ ଅବସ୍ଥା ଜାତ ହୁଏ, ତାହା ଅନେକ ପ୍ରକାରେ ବ୍ୟକ୍ତ ହୁଏ ପୁଣି କେବେ ଅବ୍ୟକ୍ତ ରହି ତାହା କାର୍ଯ୍ୟକାରୀ ହୁଏ । ମୋଟ ଉପରେ କହିଲେ ଏହି ମନ ସକ୍ରିୟ ଅର୍ଥାତ୍‌ ଜୀବନ୍ତ ଥିଲାବେଳେ କେବେ ଧାବମାନ ହୋଇ ନିଷ୍କ୍ରିୟ ହୋଇଯିବାର ଦେଖାଯାଏ । ତେଣୁ ଉକ୍ତ ମନକୁ ଜାଗ୍ରତ କରିବାର ପ୍ରୟାସ ଓ ପ୍ରକ୍ରିୟା ହେଉଛି ଯୋଗ ।
ଯୋଗକୁ ଯୁକ୍ତ ବା ସମ୍ପୃକ୍ତ ହେବା ଅର୍ଥରେ କେବଳ ନୁହେଁ ବରଂ ଜାଗ୍ରତ ତଥା ସଚେତ ହେବା ଅର୍ଥରେ ମଧ୍ୟ ବୁଝିବାକୁ ହେବ ନହେଲେ ସଂକୀର୍ଣ୍ଣତା ପୁଷ୍ଟ ହୋଇଯାଇପାରେ । ଏହି ଚେତେଇ ଦେବାର ପ୍ରଣାଳୀ ସାଧକ ଭେଦରେ ଭିନ୍ନ ଭିନ୍ନ, ଆଉ ସାଧନ ପ୍ରକାରେ ଅନେକାନେକ ହୋଇଥିବାରୁ ବିଚଳିତ ବା ଶଙ୍କା ଉତ୍ପନ୍ନ ହେବା ସ୍ୱାଭାବିକ । ସେଥିପାଇଁ ଆଦିମ ସମୟରୁ ପ୍ରୟାସ ଜାରି ରହିଥିଲେ ହେଁ କ୍ୱଚିତ୍‌ ସାଧକ ଏହାକୁ ସ୍ପଷ୍ଟ କରିପାରିଛନ୍ତି । ସ୍ପଷ୍ଟୋକ୍ତି ପାଇଁ ନୁହେଁ ବରଂ ନିୟମ ତଥା ବିଧି ଓ ବିଧାନକୁ ଅବଗତ କରାଇବା ପାଇଁ ଶାସ୍ତ୍ରର ରଚନା କରିଯାଇଛନ୍ତି । ସେହି ଶାସ୍ତ୍ରମାନଙ୍କ ମଧ୍ୟରେ ଏକ ବହୁପ୍ରାମାଣିକ ଗ୍ରନ୍ଥ ହେଉଛି “ଯୋଗସୂତ୍ର” ଯାହାର ପ୍ରଣେତା ପାତଞ୍ଜଳି ଋଷି ବୋଲି କୁହାଯାଉଥିଲେ ହେଁ ଏହାର ଆଦି ପ୍ରବକ୍ତା ଭଗବାନ ହିରଣ୍ୟଗର୍
ପୂର୍ବରୁ କୁହାଯାଇଥିବା ସଚେତନ ପ୍ରକ୍ରିୟା ଏକ ମନୋବୈଜ୍ଞାନିକ କ୍ରିୟା ନୁହେଁ ବରଂ ଏହା ଅଧ୍ୟାତ୍ମ ସାଧନା ଅଟେ, ତାହା ଉକ୍ତ ଶାସ୍ତ୍ର ଆଧାରରୁ ଜଣାଯାଉଥିଲେ ହେଁ ଏହାକୁ ଆମେ କ୍ରମାନ୍ୱୟରେ ଅବଗତ ହେବାକୁ ପ୍ରୟାସ କରିବା । ପ୍ରଥମେ ଆମେ ଜାଣିନେବା ଦରକାର କି, ଅଧ୍ୟାତ୍ମ ସାଧନାର ଲକ୍ଷ୍ୟ ହେଉଛି ଆତ୍ମାର ବା ମନର ଉତ୍ଥାନ, ଜାଗରଣ, ନିବୋଧନ ଯାହା କଠ ଉପନିଷଦର ଉକ୍ତ ଆପ୍ତବାକ୍ୟ— “ଉତିଷ୍ଠତ, ଜାଗ୍ରତ, ପ୍ରାପ୍ୟ ବରାନ୍ନି ବୋଧତ”— ଉଦ୍‌ଘୋଷଣାରୁ ଆକଳନ କରିହେବ । ସୁତରାଂ ଆଧ୍ୟାତ୍ମ ସାଧନାର ଯେକୌଣସି ଧାରା, ରୀତି, ପନ୍ଥା ବା ପ୍ରକ୍ରିୟା ପକ୍ଷେ ଯୋଗ ଅପରିହାର୍ଯ୍ୟ । ତେଣୁ ଯେକୌଣସି ପ୍ରକାରେ ମନକୁ ଜଗାଇବାକୁ ହେବ, ବିକଶିତ କରିବାକୁ ହେବ । କର୍ମ, ଭକ୍ତି, ଜ୍ଞାନ ଅବା ଧ୍ୟାନ ଯାହାର ମାଧ୍ୟମ ନିଆଯାଉ ନାଁ କାହିଁକି । ଯୋଗ ସମସ୍ତ ପଥର ଓ ମାଧ୍ୟମର ଯୁକ୍ତିଯୁକ୍ତ କ୍ରିୟା କାରଣ ଏହା ଜ୍ଞାତ ବା ଅଜ୍ଞାତ ସମସ୍ତ ମାର୍ଗ ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ । ସେଥିପାଇଁ ଆମେ ଶାସ୍ତ୍ରର ଉକ୍ତ ବାକ୍ୟକୁ ମାନ୍ୟତା ଦେଇ ମନକୁ ବୁଝିବାକୁ ହେବ, ଉକ୍ତ ବାକ୍ୟ ହେଉଛି — “ମନ ଏବ ମନୁଷ୍ୟାଣାଂ କାରଣଂ ବଦ୍ଧ ମୋକ୍ଷୟୋଃ ।” ଅର୍ଥାତ୍‌ ମନ ହିଁ ମନୁଷ୍ୟର ବନ୍ଧନ ବା ମୋକ୍ଷର ବା ମୁକ୍ତିର କାରଣ ।
ଅଧୁନା କହିପାରିବା କି ବନ୍ଧନ ବା ବଦ୍ଧ ହେବାର କାରଣ ମନ, ପୁଣି ମୁକ୍ତି ହେବାର କାରଣ ସେହି ଏକା ମନ । ତେବେ ଉଭୟ କ୍ଷେତ୍ରରେ ମନର ସ୍ୱରୂପ କଣ ଏକା ? ସମ୍ଭବତଃ ଏକ ବିଚାର୍ଯ୍ୟ ଉତ୍ତର ହେବ—ମଳିନ ମନ ବା କଳୁଷିତ ମନ ବନ୍ଧନର କାରଣ ହୋଇଥିଲାବେଳେ ଉଜ୍ଜ୍ୱଳ ମନ ମନୁଷ୍ୟର ମୁକ୍ତିର କାରଣ ହୋଇଥାଏ । ମଳିନ ଆଉ ଉଜ୍ଜ୍ୱଳର କାରଣ ମନ ମଧ୍ୟସ୍ଥ ଉପାଦାନର ତାରତମ୍ୟ ବା ଭିନ୍ନତା । ଏଠି କହିରଖିବାକୁ ହେବ କି, ମନର ଉପାଦାନ ମୁଖ୍ୟତଃ ୩ଗୋଟି ଗୁଣର ସମାହାର, ଯଥା—ସତ୍ତ୍ୱ, ରଜଃ, ତମଃ । ଏହି ଗୁଣତ୍ରୟର ଜନନୀ, ପ୍ରସବକାରିଣୀ ବା ଉତ୍ସ ହେଉଛି ମନ । କିନ୍ତୁ ଏହି ମନ ଶ୍ରେଣୀ ଅନୁସାରେ ସତ୍ତ୍ୱ ହିଁ ଶ୍ରେଷ୍ଠ, ଯାହାକି ସ୍ୱଚ୍ଛ, ସମୁଜ୍ଜ୍ୱଳ ବା ସ୍ୱ-ତ୍ୱର ଅଧିକାରୀ ଅଟେ । ଆମେ ଜାଣୁଛେ କି ପ୍ରକୃତି ଜଡ଼ ବା ଅଚେତନ ଏବଂ ମନ ମଧ୍ୟ ସେଥିପାଇଁ ଅଚେତନ କିନ୍ତୁ ତା ହିତରେ ସତ୍ତ୍ୱଗୁଣର ଆଧିକ୍ୟ ବା ବହୁଳତା ଆଣିଦିଏ ସଚେତନତା । ଏହା ଏକପ୍ରକାର ଆଶ୍ଚର୍ଯ୍ୟ ନୁହେଁ ତ ଆଉ କଣ ! କେହି କେହି କହନ୍ତି କି ମନ ଏକ ପ୍ରକାର ବିସ୍ମୟକର ଆଇନା ବା ଦର୍ପଣ ସଦୃଶ । ଯାହା ମାଧ୍ୟମରେ ଚୈତନ୍ୟର ଆଲୋକ ପ୍ରତିଫଳିତ ହୁଏ ନାନା ପ୍ରକାର କାରଣ ହୋଇଛି, ସେଥିପାଇଁ ଦକ୍ଷିଣାମୂର୍ତ୍ତି ସ୍ତୋତ୍ରରେ କୁହାଯାଇଛି —
“ବିଶ୍ୱଂ ଦର୍ପଣ ଦୃଶ୍ୟମାନ ନଗରୀତୁଲ୍ୟଂ ନିଜାନ୍ତର୍ଗତଂ
ପଶ୍ୟନାତ୍ମନି ମାୟୟା ବହିରିବୋଦ୍ଭୂତଂ ଯଥା ନିଦ୍ରୟା”
ପାତଞ୍ଜଳ ଯୋଗସୂତ୍ର/ଦର୍ଶନରେ ପ୍ରାୟତଃ ପ୍ରାରମ୍ଭରୁ ମନକୁ ପ୍ରାଧାନ୍ୟ ଦିଆଯାଇ ଶାସ୍ତ୍ରାରମ୍ଭ କରାଯାଇଥିବାରୁ ଆମେ ଏହାକୁ ମୁଖ୍ୟ କାରଣ ମାନିବାକୁ ହେବ । ଆଉ ତାକୁ ପ୍ରଥମେ ଅବଗତ ଓ ଅନୁଗମନ କରିବାକୁ ହେବ । ମନ ଧାବିତ ହୁଏ କାହିଁକି ? ସୁସ୍ଥିତ ଶାନ୍ତ ପ୍ରଖ୍ୟାରୂପ ଚିତ୍ତର ସତ୍ତ୍ୱ ବା ମନର ମୂଳ ଉପାଦାନକୁ ଚଞ୍ଚଳ କରିପକାଏ ରଜୋଗୁଣ । ଅର୍ଥାତ୍‌ ରଜୋଗୁଣକୁ ଚଳମାନ ବୋଲି ମଧ୍ୟ ଜାଣିବାକୁ ହେବ । ଯାହାର ସ୍ୱଭାବ ହେଉଛି ଚଳମାନତା ଆଉ ଉତ୍ତେଜିତ କରିପକାଇବା । ଶାନ୍ତ ସୁସ୍ଥିର ମନକୁ ସେ ଯେପରି ଘରଛଡ଼ା କରିପକାଇଛି । ଅଶାନ୍ତ ତଥା ଅସ୍ଥିର କରିପକାଇଛି । ସେହିଠାରୁ ଅନାଦି ବହିର୍ମୁଖ ଏଇ ମନ ବିଷୟ, ବିଷୟରୁ, ବିଷୟକୁ କେବଳ ଘୂରିବୁଲୁଛି । କେବଳ ଛାୟା ପଛରେ ଇନ୍ଦ୍ରିୟବର୍ଗରୂପୀ ଧନୁର୍ବାଣକୁ କାନ୍ଧରେ ଧରି ମାୟା ମୃଗର ସନ୍ଧାନରେ ସଂସାର ଅରଣ୍ୟ ଭିତରେ ଦୌଡ଼ୁଅଛି ।
ଫଳରେ ଇନ୍ଦ୍ରିୟବର୍ଗ ବିଷୟରେ ନିପତିତ ହେଉଅଛନ୍ତି । ମର୍ମକୁ ବୁଝି ଗଭୀର ପ୍ରବେଶ କରିପାରୁ ନାହିଁ । ଚମଡ଼ାରେ ଅଟକିଯାଏ । ମାତ୍ରା ସ୍ପର୍ଶ ଫଳରେ କ୍ଷଣିକ ସୁଖଦୁଃଖର ତରଙ୍ଗରେ ଦୋଳାୟମାନ ହେଉଛି । ମାତ୍ରା କହିଲେ ଇନ୍ଦ୍ରିୟଗଣ ଯାହାଦ୍ୱାରା ବିଷୟର ପରିମାପ ହୋଇଥାଏ । ସ୍ପର୍ଶ ହେଉଛି ସଂଯୋଗ ବା contact କାହା ସହିତ ­—ବିଷୟ ସହିତ ।
ଏହି ବିଷୟ ଜଡିତ ଇନ୍ଦ୍ରିୟ ସଂଯୋଗରୁ ନାନା ଗୁଣଭେଦ ଓ ଅନନ୍ତ ବୈଚିତ୍ର୍ୟ ଦେଖିବାକୁ ମିଳୁଛି । ଏହି କଥାକୁ ବ୍ୟାସଭାଷ୍ୟରେ ନିପୁଣ, ନିଖୁଣ ତଥା ସୂକ୍ଷ୍ମତା ପୂର୍ବକ ମର୍ମାବଗାହୀ ଭାବରେ ଭଗବାନ୍‌ ବ୍ୟାସ ଉପସ୍ଥାପନ କରିଅଛନ୍ତି । ଚିତ୍ତର ଉପାଦାନଗତ ଭେଦ ଏବଂ ତାର ଦାରୁଣ ଅନୁଭବ ମଧ୍ୟରେ ତାରତମ୍ୟକୁ ଉପସ୍ଥାପନ କରିଛନ୍ତି । ତମୋଗୁଣ ଯେତେବେଳେ ଚିତ୍ତକୁ ଅଧିକାର କରେ ଅନ୍ଧ ମୂଢ଼ତାରେ ତାହା ଆଚ୍ଛନ୍ନ ହୋଇଯାଏ, ସେଥିପାଇଁ ତାହା ଅଧର୍ମ ଦିଗକୁ, ଅଜ୍ଞାନ କର୍ମକୁ ଅନୈଶ୍ୱର୍ଯ୍ୟ ତଥା ବୈରାଗ୍ୟ ବିପରୀତ ଦିଗରେ ଅର୍ଥାତ୍‌ ଭୋଗମାର୍ଗରେ ଆଗେଇଚାଲେ । ଏହା ହେଉଛି “ତମସାନୁବିଦ୍ଧ” ଚିତ୍ତର ଗତି ଓ ପ୍ରକୃତି । ପୁଣି ଯେତେବେଳେ ଉକ୍ତ ମୋହ ଆବରଣ କ୍ଷୟ ହୁଏ ବା ପରିସମାପ୍ତି ଘଟେ କେବଳ ରଜୋଗୁଣର ଲେଶମାତ୍ର ରହିଯାଇଥିଲେ ତାହା ବିପରୀତ କ୍ରମରେ ଧର୍ମ, ଜ୍ଞାନ, ବୈରାଗ୍ୟ, ଐଶ୍ୱର୍ଯ୍ୟ ଦିଗକୁ ଧାଏଁ । ଏସବୁ ଜାଗତିକ ନୁହେଁ ବରଂ ଯୋଗୈଶ୍ୱର୍ଯ୍ୟ । ପୁଣି ଯେତେବେଳେ ଚିତ୍ତ ଦୀପ୍ତିମନ୍ତ ହୋଇଉଠେ, ଜ୍ଞାନର ଆଲୋକରେ ଝଲମଲ ହୁଏ, ସେତେବେଳେ ଚତୁର୍ପାର୍ଶ୍ୱ ଆଲୋକିତ ହୋଇଉଠେ— “ସର୍ବତଃ ପ୍ରଦ୍ୟୋତ୍‌ମାନ୍‌” । ସେତେବେଳେ ଉକ୍ତ ଚିତ୍ତ ଅନାୟାସରେ ଏସବୁର ଊର୍ଦ୍ଧ୍ୱକୁ ଉଠି ଧନ, ଅର୍ଥ, କାମ, ମୋକ୍ଷରୂପୀ ସମ୍ପଦକୁ କରାୟତ କରିପକାଏ । ଆଉ ରଜୋଗୁଣ ଲୋପ ପାଇଗଲେ ସେ ଧ୍ୟାନରେ ବୁଡ଼ିଯାଏ, ଯାହାର ପରିଭାଷିକ ନାମ— “ଧର୍ମମେଘ-ଧ୍ୟାନ” ଅଟେ । ସେଠାରେ କେବଳ ଧର୍ମର ଅର୍ଥାତ୍‌ ସ୍ୱରୂପର ସିଞ୍ଚନ ଅବିରାମ ଗତିର ଚାଲୁ ହୋଇଯାଏ । ଏହା ଜୀବକୁ ଚିହ୍ନାଇ ଦିଏ କି ପୁରୁଷ ବା ଚୈତନ୍ୟର ଧର୍ମ ବା ସ୍ୱରୂପଟା କଣ ଅଟେ । ଆଉ ଚିତ୍ତ ରୂପକ ସତ୍ତ୍ୱ ବା ପ୍ରକୃତିର ଧର୍ମଟା କଣ । ଯାହାକୁ କୁହାଯାଏ, “ପରଂ ପ୍ରସଂଖ୍ୟାନମ୍‌” । ଏହାହେଲା ଚରମ ଜ୍ଞାନ । ଯାହାକି ଯୋଗର ପରମଲକ୍ଷ୍ୟ ବା ବିବେକଜ୍ଞାନ । ଏହି ବିବେକ ପୁରୁଷ ଓ ପ୍ରକୃତିକୁ ପୃଥକ କରି ଚିହ୍ନାଇ ଦିଏ । ଏହି ପୃଥକୀକରଣ ବା ବିୟୋଗ ସାଧନ ହେଉଛି ଯୋଗର ଏକମାତ୍ର ଉଦ୍ଦେଶ୍ୟ — “ବିୟୋଗ ଯୋଗ ଇତ୍ୟୁକ୍ତଃ” ।
ମହର୍ଷି ପାତଞ୍ଜଳଙ୍କର କଥାର ଚମତ୍କାରିତା ଏହିଠାରେ ନିବନ୍ଧିତ ଅଟେ । ପୁରୁଷ ଓ ପ୍ରକୃତିର ବିୟୋଗ ଜ୍ଞାନକୁ ସେ ଯୋଗ ଭାବରେ ଅଭିହିତ କରିଅଛନ୍ତି ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.