Last updated on August 13, 2022
ଜନୈକ ସଜ୍ଜନ ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଅତି ଉତ୍କଣ୍ଠାର ସହିତ ଚାହିଁଛନ୍ତି —
୧) କିଛି ମହାତ୍ମା ପୁରୁଷ କହନ୍ତି କି, ସମ୍ପ୍ରତି ଈଶ୍ୱରଙ୍କ ଦର୍ଶନ ସମ୍ଭବ ନୁହେଁ । କ’ଣ ଏହିକଥା ଗ୍ରହଣୀୟ ? ଯଦି ଏହାକୁ ଆମେ ମାନିନେବା, ତେବେ ପୁଣି ଭକ୍ତ ତୁଳସୀଦାସ ଓ ନରସୀ ମେହତା ଆଦିଙ୍କୁ ଏହି କଳିଯୁଗରେ ସେହି ଶ୍ୟାମସୁନ୍ଦରଙ୍କ ମନମୋହିନୀ ମୂର୍ତ୍ତିଙ୍କର ଦର୍ଶନ ହୋଇଥିଲା । ତାହା କ’ଣ ମିଥ୍ୟା ?
୨) ଯେଭଳି ଆପଣ ମୋ ସମ୍ମୁଖରେ ବସିଛନ୍ତି ଆଉ ମୁଁ ଆପଣଙ୍କ ସହ କଥା ହେଉଛି, କ’ଣ କୃଷ୍ଣଚନ୍ଦ୍ରଙ୍କର ଏହିଭଳି ଦର୍ଶନ ହେବା ସମ୍ଭବ ? ଯଦି ସମ୍ଭବ, ତେବେ ଆମକୁ କଣ କରିବା ଦରକାର, ଯଦ୍ଦ୍ୱାରା ଆମେ ସେହି ମୂର୍ତ୍ତିଙ୍କର ଶୀଘ୍ର ଦର୍ଶନ କରିପାରିବା ?
୩) ଯେ ପର୍ଯ୍ୟନ୍ତ ଏହି ଚର୍ମ ଚକ୍ଷୁ ତାଙ୍କର ଦର୍ଶନ କରି ତୃପ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ ଏହା କିଛି କାମକୁ ନୁହେଁ । ଚକ୍ଷୁକୁ ସାର୍ଥକ କରିବାର ‘ସିଦ୍ଧମାର୍ଗ’ କ’ଣ, ଏହା ବତାଇଦିଅନ୍ତୁ ।
୪) କୃଷ୍ଣଦର୍ଶନର ତୀବ୍ରତମ ବିରହାଗ୍ନି ହୃଦୟରେ ପ୍ରଜ୍ଜ୍ୱଳିତ ହେଉଛି, ଜାଣେନି ତାହା ବାହାରକୁ କାହିଁକି ବାହାରୁନାହିଁ । ଏହା ମୋତେ ଆହୁରି ବ୍ୟତିବ୍ୟସ୍ତ କରିପକାଉଛି ।
ଏହି ପ୍ରଶ୍ନ ସହିତ ସେ ଆହୁରି ବହୁତ କଥା ଲେଖିଛନ୍ତି, ଯେଉଁଥିରୁ ଜଣାପଡେ କି ତାଙ୍କ ହୃଦୟରେ ଭଗବଦ୍ଦର୍ଶନର ଅଭିଳାଷା ଜାଗ୍ରତ ହୋଇଛି । ଏହି ପ୍ରଶ୍ନର ଯଥାର୍ଥ ଉତ୍ତର ତ ସେହି ପୂଜ୍ୟ ମହାନ୍ ପୁରୁଷଙ୍କ ଠାରୁ ପ୍ରାପ୍ତି ହେବା ସମ୍ଭବ ଯିଏ ସେହି ଶ୍ୟାମସୁନ୍ଦରଙ୍କର ମନୋହର ଓ ଦିବ୍ୟ ରୂପମାଧୁରୀର ଦର୍ଶନ କରି ଧନ୍ୟ ହୋଇଛନ୍ତି । କିନ୍ତୁ ମହାପୁରୁଷଙ୍କର ଅନୁଭବଯୁକ୍ତ ବାଣୀରୁ ଯାହା କିଛି ଶୁଣିବାକୁ ମିଳୁଛି, ସେହି ଆଧାରରେ ଏହି ପ୍ରଶ୍ନଗୁଡିକର ଉତ୍ତର ଦେବାର ଚେଷ୍ଟା କରାଯାଇଛି । ପ୍ରଶ୍ନକର୍ତ୍ତା ସଜ୍ଜନ ଏହି ପ୍ରଶ୍ନ ଦ୍ୱାରା ଏହି ପଂକ୍ତିର କ୍ଷୁଦ୍ର ଲେଖକଙ୍କୁ ଭଗବତ୍ ଚର୍ଚ୍ଚାର ଶୁଭ ଅବସର ପ୍ରଦାନ କରିଛନ୍ତି, ଅତଃ ଲେଖକ ତାଙ୍କୁ କୃତଜ୍ଞତା ପ୍ରଦାନ କରୁଛନ୍ତି ।
ଅତି ଶୀଘ୍ର ଭଗବତ୍ ଦର୍ଶନର ସର୍ବୋତ୍ତମ ଉପାୟ ଦର୍ଶନର ତୀବ୍ରତା ଓ ଉତ୍କଟ ଅଭିଳାଷା ହେବା ଦରକାର । ଯେଭଳି ପାଣିରେ ବୁଡି ଯାଉଥିବା ମନୁଷ୍ୟ ଉପରକୁ ଉଠିବା ପାଇଁ ପରମ ବ୍ୟାକୁଳ ହୋଇଥାଏ, େସହିଭଳି ପରମ ବ୍ୟାକୁଳତା ଯଦି ପରମାତ୍ମା ଦର୍ଶନ ନିମିତ୍ତ ହେବ, ତେବେ ପରମାତ୍ମାଙ୍କର ଦର୍ଶନ ତା ପାଇଁ କିଛି ବଡ କାମ ନୁହେଁ । କିନ୍ତୁ େସହି ବ୍ୟାକୁଳତା ଅସଲି ହେବା ଦରକାର । ଯେପରି କାହାର ଏକମାତ୍ର ପୁତ୍ର ମୃତ୍ୟୁ ସମୟରେ ମନରେ ସ୍ୱାଭାବିକ ଓ ନିଷ୍କପଟ ବ୍ୟାକୁଳତା ଜାତ ହେଉଥାଏ, ସେହିଭଳି ବ୍ୟାକୁଳତା ପରମାତ୍ମା ଦର୍ଶନ ନିମିତ୍ତ ହେବା ଦରକାର ଏବଂ ତାଙ୍କୁ ଭଗବାନ୍ ଦର୍ଶନ ନ ଦେଇ ରହିପାରିବେ ନାହିଁ । ଏଭଳି ବ୍ୟାକୁଳତା କେବେ ହୋଇଥାଏ ? ଯେତେବେଳେ ସେହି ଭକ୍ତ ସଂସାରର ସମସ୍ତ ପଦାର୍ଥଠାରୁ ଭଗବାନଙ୍କୁ ଶ୍ରେଷ୍ଠ ମନେ କରିଥାଏ । ଇହଲୋକ ପରଲୋକର ସମସ୍ତ ଭୋଗକୁ ଅତ୍ୟନ୍ତ ତୁଚ୍ଛ ଓ ନଗଣ୍ୟ ମନେକରି କେବଳ ଏକ ପରମ ପ୍ରେମମୟ ଶ୍ୟାମସୁନ୍ଦରଙ୍କ ନିମିତ୍ତ ଜୀବନ, ଧନ, ଐଶ୍ୱର୍ଯ୍ୟ, ମାନ, ଲୋକଲଜ୍ଜା, ଲୋକଧର୍ମ ଓ ବେଦଧର୍ମ ସବୁକିଛିକୁ ସମର୍ପଣ କରିଦେଇଥାଏ । ଭଗବାନ୍ ନାରଦ ଭକ୍ତିର ସ୍ୱରୂପ ବର୍ଣ୍ଣନ କରି କହିଛନ୍ତି —
‘ତଦର୍ପିତାଖିଳାଚାରତା ତଦ୍ୱିସ୍ମରଣେ ପରମ ବ୍ୟାକୁଳତେତି’ (ନାରଦ ଭକ୍ତିସୂତ୍ର-୧୯)
‘ନିଜର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିଦେବା ଆଉ ତାଙ୍କୁ ଭୁଲିଗଲେ ବ୍ୟାକୁଳିତ ହୋଇଉଠିବା ହେଉଛି ଭକ୍ତି ।’ ଯେ ପର୍ଯ୍ୟନ୍ତ ଜଗତର ଭୋଗ ନିମିତ୍ତ ଇଚ୍ଛା ରହିଥିବ, ଯେ ପର୍ଯ୍ୟନ୍ତ ଜଗତର ଅନିତ୍ୟ ପଦାର୍ଥ ସୁନ୍ଦର, ସୁଖରୂପ ଓ ତୃପ୍ତିକର ବୋଧ ହେଉଥିବ, ଯେ ପର୍ଯ୍ୟନ୍ତ ସେଥିରୁ ରସ ବୋଧ ହେଉଥିବ, ସେ ପର୍ଯ୍ୟନ୍ତ ଆମ ହୃଦୟର ସମସ୍ତ ସ୍ଥାନ ଭଗବାନଙ୍କ ପାଇଁ ଖାଲି ହୋଇପାରିନାହିଁ ।
ଗୋସାଇଁ ତୁଳସୀଦାସ ଲେଖିଛନ୍ତି —
ଜୋ ମୋହି ରାମ ଲାଗତେ ମୀଠୈ ।
ତୋ ନବରସ ଷଟରସ ରସ ଅନରସ
ହୋଇ ଜାତ ସବ ସୀଠେ ॥
ଯଦି ମୋତେ ଭଗବାନଙ୍କ ନାମ ଆନନ୍ଦ ଦେଉଛି ତେବେ ଶୃଙ୍ଗାରାଦି ନବରସ ଓ ଅମ୍ଳ ଆଦି ଷଡରସ ନୀରସ ହୋଇ ସାରହୀନ ବା ଫିକା ହୋଇଯିବ ।
ଆମେ ଅନ୍ତରରେ ଭଗବାନଙ୍କୁ ଯେତିକି ସ୍ଥାନ ପ୍ରଦାନ କରିଥିବା, ତାର ଫଳ ମଧ୍ୟ ସେତିକି ହିଁ ଆମକୁ ପ୍ରାପ୍ତ ହେବ । କିନ୍ତୁ ଯେ ପର୍ଯ୍ୟନ୍ତ ଆମେ ଆମ ହୃଦୟର ପୂରା ଆସନ ସେହି ହୃଦୟେଶ୍ୱରଙ୍କ ପାଇଁ ସଜାଇ ପ୍ରସ୍ତୁତ ହୋଇନାହୁଁ, ଯେ ପର୍ଯ୍ୟନ୍ତ ନିରନ୍ତର ନିରବଚ୍ଛିନ୍ନ ଅତୁଟ ତୈଳଧାରାବତ୍ ଭଗବତ୍ ଭାବର ସ୍ରୋତ ପ୍ରବାହ ନ ହୋଇଛି, ବ୍ୟାକୁଳତା ଜାତ ହେବନାହିଁ ଆଉ ଯେ ପର୍ଯ୍ୟନ୍ତ ଆମେ ବ୍ୟକୁଳ ହୋଇନାହେଁ, ସେ ପର୍ଯ୍ୟନ୍ତ ଭଗବାନ ମଧ୍ୟ ଆମ ପାଇଁ ବ୍ୟାକୁଳ ହେବେନାହିଁ । କାହିଁକି ନାଁ ଭଗବାନଙ୍କର ଏହା ଏକ ସର୍ତ୍ତ —
“ଯେ ଯଥା ମାଂ ପ୍ରପଦ୍ୟନ୍ତେ ସାଂସ୍ତଥୈବ ଭଜାମ୍ୟହମ୍ ।’’(ଗୀତା-୪/୧୧)
“ଯିଏ ମୋତେ ଯେପରି ଭଜନ କରେ, ମୁଁ ମଧ୍ୟ ତାକୁ ସେହିଭଳି ଭଜନା କରେ ।’
ଯେତେବେଳେ ଭକ୍ତ ପ୍ରେମରେ ତନ୍ମୟ ହୋଇ ମତୁଆଲା ଭଳି ଘର-ବାଡି, ସ୍ତ୍ରୀ-ପୁତ୍ର, ଲୋକ-ପରଲୋକ, ଶୋକ-ଆନନ୍ଦ, ମାନ-ଅପମାନ ଆଦି ସବୁକିଛି ବିସର୍ଜନ କରି ସେହି ପରମାତ୍ମାଙ୍କ ପାଇଁ ପରମ ବ୍ୟାକୁଳ ହୋଇଉଠେ, କ୍ଷଣିକ ବିଚ୍ଛେଦ ପାଇଁ ମଧ୍ୟ ଯିଏ ଜଳ ବିହୀନ ମୀନ ଭଳି ଛଟପଟ ହୋଇଥାଏ, ଭକ୍ତିମତୀ ଗୋପୀମାନଙ୍କ ଭଳି ଯାହାର ପ୍ରାଣ ବିରହ ବେଦନାରେ ବ୍ୟାକୁଳ ହୋଇଉଠିଥାଏ, ତାଙ୍କୁ ଭଗବାନଙ୍କ ଦର୍ଶନ ଅତିଶୀଘ୍ର ହୋଇଥାଏ । କିନ୍ତୁ ଆମ ଭିତରେ ସେଭଳି ଅନନ୍ୟ ବ୍ୟାକୁଳତା ପ୍ରାୟଃ ନାହିଁ । ଅତଃ ଦର୍ଶନରେ ମଧ୍ୟ ବିଳମ୍ବ ହେଉଅଛି । ଆମେ ଧନ-ସନ୍ତାନ, ମାନ-କୀର୍ତ୍ତି ପାଇଁ ଯେତେ ମନଲଗାଇ ପରିଶ୍ରମ କରୁଛେ ଆଉ ସଚ୍ଚାମନ ନେଇ ପ୍ରଯତ୍ନ କରୁଛେ, ଯେତିକି ଛଟପଟ ସେଥିପାଇଁ ହେଉଛେ, ସେତିକି ପରମାତ୍ମାଙ୍କ ପାଇଁ କେବେ ବି ଜୀବନ ଯାକ ଭିତରେ ଥରେ ହେଲେ ପ୍ରଯତ୍ନ କରୁଛେ ଅବା ବ୍ୟତିବ୍ୟସ୍ତ ହୋଇଛେ ? ତୁଚ୍ଛ ଧନ-ମାନ ପାଇଁ ଘୂରିବୁଲୁଛେ ଆଉ କ୍ରନ୍ଦନ କରୁଛେ । କ’ଣ ପରମାତ୍ମାଙ୍କ ପାଇଁ ବ୍ୟାକୁଳ ହୋଇ ସଚ୍ଚା ମନରେ ଆମେ କେବେ ଗୋଟିଏ ବୁନ୍ଦା ଲୁହ ଝରାଇଛେ ? ଏ ଅବସ୍ଥାରେ ଆମେ କିପରି କହିପାରିବା କି ପରମାତ୍ମାଙ୍କର ଦର୍ଶନ ହୋଇପାରୁନାହିଁ । ଆମ ମନରେ ପରମାତ୍ମା ଦର୍ଶନ ନିମିତ୍ତ ଲାଳସା କାହିଁ ? ଆମେ ତ ଆମର ସମ୍ପୂର୍ଣ୍ଣ ମନକୁ ଅନିତ୍ୟ ସାଂସାରିକ ବିଷୟବିଜଡିତ ବାସନା ସମୂହରେ ଭରିରଖିଛେ । ଅତି ଜୋରରେ କ୍ଷୁଧା-ତୃଷା ଲାଗିଲେ କେହି କେବେ ରହିପାରେକି ? କିନ୍ତୁ ଆମର ଭୋଗଲିପ୍ସା ଆଉ ଭଗବାନଙ୍କ ପ୍ରତି ଉଦାସୀନତା ଏହି କଥାକୁ ସିଦ୍ଧ କରୁଛି କି ଆମର ଭଗବାନଙ୍କ ପାଇଁ କ୍ଷୁଧା-ତୃଷା ନାହିଁ । ଯେଉଁଦିନ ସେହି କ୍ଷୁଧା ଗ୍ରାସ କରିବ, ଆମକୁ ତାଙ୍କ ବିନା ଆଉ କୌଣସି ବସ୍ତୁ ଆନନ୍ଦ ଦେଇପାରିବ ନାହିଁ । ସେହିଦିନ ଆମର ଚିତ୍ତ ଅନ୍ୟ ସବୁଆଡୁ ନିବୃତ୍ତ ହୋଇ କେବଳ ତାଙ୍କରି ଚିତ୍ତବନରେ ତଲ୍ଲୀନ ହୋଇଯିବ । ଯେଉଁଭଳି ବିଶାଳ ସାମ୍ରାଜ୍ୟ ପ୍ରାପ୍ତ ହୋଇଯିବାପରେ ସାଧାରଣ ବ୍ୟବସାୟରୁ ମନ ହଟିଯାଏ ସେହିପରି ଜଗତର ବଡରୁ ବଡ ଭୋଗ ଆମକୁ ତୁଚ୍ଛ ଓ ନୀରସ ଜଣାପଡିବ । ସେହି ସମୟରେ ଆମେ ଅନାୟାସରେ କହିବା —
ଇସ ଜଗତକୀ କୋଈ ବସ୍ତୁ ନ ହମେଁ ସୁହାତୀ ।
ପଲ ପଲମେଁ ଶ୍ୟାମଳ ମୂର୍ତ୍ତି ସ୍ମରଣ ହୈ ଆତୀ ॥
ଏହି ଜଗତର କୌଣସି ବସ୍ତୁ ଆମକୁ ଭଲ ଲାଗୁନାହିଁ, ଆନନ୍ଦ ଦେଉନାହିଁ । କ୍ଷଣ କ୍ଷଣରେ ସେହି ନବୀନ ନୀରଦ ଶ୍ୟାମଘନଙ୍କର ଶ୍ୟାମଳ ମୂର୍ତ୍ତି ସ୍ମରଣ ହେଉଛି ।
ଭଗବାନ ପରମ ମଧୁର ଓ ପରମ ଆନନ୍ଦ ସ୍ୱରୂପ ହେଲେ ମଧ୍ୟ ଆମର ତାଙ୍କ ଆଡକୁ ପୂର୍ଣ୍ଣ ଆକର୍ଷଣ ନାହିଁ, ଏହାର କାରଣ ହେଉଛି କି ଆମେ ତାଙ୍କର ମହତ୍ତ୍ୱକୁ ଭଲଭାବରେ ବୁଝିନାହେଁ । ଅତଃ ଅମୃତକୁ ଛାଡି ଆମେ ଆପାତ-ରମଣୀୟ ବିଷୟକୁ ବିଷଭରା ଲଡୁ ପାଇଁ ଦିନରାତି ଭ୍ରମିତ ହେଉଛେ, ଆଉ ତାକୁ ଖାଇ ଖାଇ ବାରମ୍ବାର ମୃତ୍ୟୁକୁ ପ୍ରାପ୍ତ ହେଉଛେ । ଭଗବାନଙ୍କ ଦର୍ଶନ ଦୁର୍ଲ୍ଲଭ ନୁହେଁ, ଦୁର୍ଲ୍ଲଭ ହେଉଛି ତାଙ୍କ ଦର୍ଶନର ଦମ୍ଭଶୂନ୍ୟ ଓ ଏକାନ୍ତ ଲାଳସା । ସେହି ଭଗବାନ୍ ଯିଏ ନିତ୍ୟ ଓ ସତ୍ୟ ଅଟନ୍ତି, ସବୁ ସ୍ଥାନରେ, ସବୁ ସମୟରେ ବ୍ୟାପକ ଅଟନ୍ତି, କୌଣସି ଗୋଟିଏ ଯୁଗରେ ତାଙ୍କର ଦର୍ଶନ ହେଉନାହିଁ ଏହା କିପରି ଗ୍ରହଣଯୋଗ୍ୟ ? ଏଭଳି କହୁଥିବା ଲୋକେ ଶ୍ରଦ୍ଧାରହିତ ଅବା ଭଗବତ୍ ମହିମାର ଭାବ ବୋଧହେବାକୁ ତାଙ୍କୁ କେବେ ଅବସର ମିଳି ନାହିଁ ।
ଏଥିରେ କୌଣସି ସନ୍ଦେହ ନାହିଁ କି ଏହି ନେତ୍ରର ସଫଳତା ନିତ୍ୟ ଅତୃପ୍ତରୂପରେ ସେହି ନବୀନ ନୀଳ-ନୀରଦ ଶ୍ୟାମସୁନ୍ଦରଙ୍କର ବିଶ୍ୱମୋହିନୀ ରୂପ ମାଧୁରୀର ଦର୍ଶନରେ ନିହିତ । କିନ୍ତୁ ଯେ ପର୍ଯ୍ୟନ୍ତ ଭଗବତ୍ କୃପାରୁ ଏହି ନେତ୍ରକୁ ଦିବ୍ୟଭାବ ପ୍ରାପ୍ତ ହୋଇନାହିଁ, ସେ ପର୍ଯ୍ୟନ୍ତ ଏହି ନେତ୍ର ସେହି ରୂପଛଟାର ଦର୍ଶନରୁ ବଞ୍ଚିତ ରହିବ । ନେତ୍ରକୁ ଦିବ୍ୟ କରି ତାହାକୁ ସାର୍ଥକ କରିବାର ସିଦ୍ଧମାର୍ଗ ଉପରୋକ୍ତ ପରମ ବ୍ୟାକୁଳତା ଅଟେ । ଯେଉଁ ମହାନୁଭବଙ୍କର ହୃଦୟରେ ଶ୍ରୀକୃଷ୍ଣ ଦର୍ଶନର ତୀବ୍ରତମ ବିରହାଗ୍ନି ପ୍ରଜ୍ଜ୍ୱଳିତ ହେଉଛି, ସେ ତ ସର୍ବଦା ସ୍ତୁତିଯୋଗ୍ୟ । ବିରହାଗ୍ନି ପ୍ରାୟଃ ବାହ୍ୟତଃ ଦୃଶ୍ୟ ହୁଏନାହିଁ, ଆଉ ଯେବେ କେବେ ବିୟୋଗ ବେଦନା ଅସହ୍ୟ ହୋଇଗଲେ ବାହ୍ୟତଃ ପରିଦୃଶ୍ୟ ହୁଏ, ସେତେବେଳେ ତାହା ତାଙ୍କର ସମସ୍ତ ପାପ-ତାପକୁ ତୁରନ୍ତ ଭସ୍ମୀଭୂତ କରି ତାଙ୍କୁ ପ୍ରେମରେ ପାଗଳ କରିଦିଏ । ସେହି ସମୟରେ ସେହି ଭକ୍ତ ଅନନ୍ୟ ପ୍ରେମରେ ମତ୍ତ ଭକ୍ତ-ବ୍ରଜଗୋପୀଙ୍କ ଭଳି ସବୁକିଛିକୁ ଭୁଲିସେହି ପ୍ରାଣାଧିକ ମନମୋହନଙ୍କ ଦର୍ଶନ ନିମିତ୍ତ ଦୌଡିଥାଏ ଆଉ ନିଜର ସମସ୍ତ ଶକ୍ତି ଓ ଉତ୍ସାହ ଲଗାଇ ତାଙ୍କୁ ଡାକିଥାଏ । ବାସ୍, ସେହି ଅବସ୍ଥାରେ ତାଙ୍କୁ ଭଗବାନଙ୍କର ଦର୍ଶନ ପ୍ରାପ୍ତ ହୋଇଥାଏ । ଦର୍ଶନ ସେହି ରୂପରେ ହୁଏ, ଯେଉଁ ରୂପରେ ସେ ଦର୍ଶନ କରିବାକୁ ଚାହିଁଥାନ୍ତି । ତାଙ୍କର ବ୍ୟବହାର, ଆଚରଣ ଓ କଥାବାର୍ତ୍ତା ମଧ୍ୟ ସେହିଭଳି ହୋଇଥାଏ, ଯେଉଁଭଳି ସେ ପୂର୍ବରୁ ଚାହିଁଥାନ୍ତି ।
ଏଭଳି ସ୍ଥିତି ପ୍ରାପ୍ତି ନିମିତ୍ତ ସାଧକଙ୍କୁ ସତ୍ ସଙ୍ଗ ଦ୍ୱାରା ଭଗବାନଙ୍କର ଅତୁଳନୀୟ ମହତ୍ତ୍ୱକୁ କିଛିମାତ୍ରାରେ ବୁଝି ତାଙ୍କର ନିରନ୍ତର ନାମ, ଜପ କଥା ଧ୍ୟାନ ଦ୍ୱାରା ନିଜ ଅନ୍ତରରେ ତାଙ୍କ ପ୍ରତି ପ୍ରେମଭାବ ଉତ୍ପନ୍ନ କରିବା ଦରକାର । ଯେତେଯେତେ ଭଗବତ୍ ପ୍ରେମରେ ହୃଦୟ ପୂର୍ଣ୍ଣ ହୋଇ ହୋଇ ଯିବ, ସେତିକି ସେତିକି ତାଙ୍କର ବିଷୟ ବାସନା ଦୂର ହୋଇଚାଲିବ । ଏହିଭଳି କରୁ କରୁ ଯେତେବେଳେ ସେ ନିଜ ହୃଦୟାସନ କେବଳ ପରମାତ୍ମାଙ୍କ ପାଇଁ ସଜାଇ ରଖିବେ, ସେହି ଦିନ ଆଉ ସେହି କ୍ଷଣରୁ ତାଙ୍କ ହୃଦୟରେ ପରମ ବ୍ୟାକୁଳତା ଉତ୍ପନ୍ନ ହେବ ଏବଂ ସେହି ବ୍ୟାକୁଳତା ଅତ୍ୟନ୍ତ ତୀବ୍ର ହୋଇ ଭଗବାନଙ୍କ ହୃଦୟରେ ମଧ୍ୟ ଭକ୍ତକୁ ଦର୍ଶନ ଦେବା ନିମିତ୍ତ ସେହିଭଳି ବ୍ୟାକୁଳତା ଉତ୍ପନ୍ନ କରିଦେବ । ଏହାପରେ ତତ୍କାଳ ସେହି ଶୁଭ ସମୟ ପ୍ରାପ୍ତ ହେବ, ଯେଉଁଠି ଭକ୍ତ ଓ ଭଗବାନଙ୍କର ପରସ୍ପର ପ୍ରତ୍ୟକ୍ଷ ମିଳନ ହେବ ଆଉ ତଦ୍ଦ୍ୱାରା ଜଗତ ପାବନ ହୋଇଯିବ ।
ଉପରେ ଯାହାକିଛି ବର୍ଣ୍ଣନା କରାଗଲା, ତାହା କେବଳ ମହାପୁରୁଷଙ୍କ ବାଣୀର ସାରମାତ୍ର ଅଟେ ।
କଲ୍ୟାଣ ବ: ୧୯୨୬, ସଂ:୦୬
s
Be First to Comment