“ନିଜର ଭାବନା ଏବଂ ବିଶ୍ୱାସକୁ ନିଜଠାରେ ସୀମିତ ରଖ । ଅନ୍ୟମାନଙ୍କ ସହ ଏ ବିଷୟରେ ବାର୍ତ୍ତାଳାପ କରନାହିଁ, ନଚେତ୍ ତୁମ ଭାବର ପତନ ହେବ । ଉପାସନା ସମୟରେ ତୁମେ ନିଜକୁ ସେହି ଲୋକମାନଙ୍କ ଠାରୁ ଦୂରରେ ରଖ ଯେଉଁମାନେ ତୁମ ବିଶ୍ୱାସର ନିନ୍ଦା ଏବଂ ଶ୍ରଦ୍ଧାଭକ୍ତି ତଥା ସାଧୁପୁରୁଷମାନଙ୍କର ଉପହାସ କରନ୍ତି ।”
—ଶ୍ରୀରାମକୃଷ୍ଣ ପରମହଂସ
“ନିଜ ବାଣୀକୁ ମୌନଠାରୁ ଉନ୍ନତ କର ଅବା ମୌନ ରୁହ ।”
—ଡୋୟୋନିସିୟସ ଦ ଏଲ୍ଡର
“ମୌନ ସମସ୍ତ ରୋଗର ଔଷଧ ଅଟେ । ମୌନ ବୁଦ୍ଧିମାନଙ୍କ ପାଇଁ ହିତକାରୀ ଅଟେ, ତେବେ ପୁଣି ମୂର୍ଖମାନଙ୍କ ପାଇଁ କେତେବେଳେ ଅଧିକ ହିତକାରୀ ହେବ । ମୁଁ ନିଜ ଜୀବନରେ ବୁଦ୍ଧିମାନଙ୍କ ମଧ୍ୟରେ ପାଳିତ ହୋଇ ବଡ଼ ହୋଇଛି ଆଉ ମୁଁ ମୌନ ତୁଳନାରେ କୌଣସି ଉତ୍ତମ ସେବା ଜାଣିନାହିଁ ।”
—ପ୍ରାଚୀନ ଇହୂଦୀ ଉକ୍ତି
ଆଧ୍ୟାତ୍ମିକ ମନୋବୃତ୍ତିଯୁକ୍ତ ବ୍ୟକ୍ତିଙ୍କର ନିଶ୍ଚିତ ପରିଚୟ ସେମାନଙ୍କର ମୌନ ଏବଂ ସହିଷ୍ଣୁଭାବ ଅଟେ । ଫୁଲ ନିକଟରେ ପହଞ୍ଚିବାପାଇଁ ଆଉ ତାହାର ମଧୁପାନ କରିବାପାଇଁ ମହୁମାଛିମାନେ ବହୁତ ଭଣଭଣ ହୁଅନ୍ତି, କିନ୍ତୁ ମଧୁକୁ ଆସ୍ୱାଦନ କରିବା ସମୟରେ ସେମାନେ ସେଥିରେ ମଗ୍ନ ହୋଇଯାନ୍ତି ଏବଂ ଶବ୍ଦକରିବା ଛାଡିଦିଅନ୍ତି । ଆମ ସହିତ ବି ଏହିପରି ହୋଇଥାଏ । ସତ୍ୟ ପ୍ରାପ୍ତିର ପୂର୍ବରୁ ଆମେ ତର୍କ-ବିତର୍କ କରିଥାଉ, ବିବାଦ କରୁ ଏବଂ ନିଜ ମତଠାରୁ ଭିନ୍ନ ମତଯୁକ୍ତ ବ୍ୟକ୍ତିଙ୍କୁ ଆହ୍ୱାନ ଦେଉ, କିନ୍ତୁ ଯେତେବେଳେ ଆମେ କିଛି ଗମ୍ଭୀର କଥାର ସାନ୍ନିଧ୍ୟରେ ଆସୁ, ସେତେବେଳେ ଆମେ ମୌନ ହୋଇଯାଉ ଆଉ ଅନ୍ୟମାନଙ୍କ ମନ ଉପରେ ଏହାକୁ ଥୋପିବାପାଇଁ ପ୍ରୟାସ କରୁନାହିଁ । ଆମେ ଏହାକୁ ଆମ ଜୀବନରେ ପ୍ରତିଫଳିତ କରିବାପାଇଁ ପ୍ରୟାସ କରିଥାଉ ଏବଂ ଯେମିତି ଆମେ ଏହାକୁ ଜୀବନରେ ପ୍ରତିଫଳିତ କରୁ, ଅନିବାର୍ଯ୍ୟତଃ ଏହା ଅନ୍ୟମାନଙ୍କ ଜୀବନରେ ମଧ୍ୟ ପ୍ରତିଫଳିତ ହୋଇଯାଏ ।
ଆଧ୍ୟାତ୍ମିକ ସଦ୍ଗୁଣ ମଧ୍ୟ ସେତେ ମାତ୍ରାରେ ସଂକ୍ରାମକ ହୋଇଥାଏ, ଯେତେମାତ୍ରାରେ ଦୁର୍ଗୁଣର ହୋଇଥାଏ । ଜଣେ ଦୁର୍ଗୁଣ ସମ୍ପନ୍ନ ବ୍ୟକ୍ତି ନିଜର ଦୁର୍ଗୁଣ ଦ୍ୱାରା ଅନେକଙ୍କର ପତନ କରାଇପାରେ, ହେଲେ ସଦ୍ଗୁଣୀ ଏବଂ ସଚ୍ଚରିତ୍ର ବ୍ୟକ୍ତି କେବଳ ନିଜର ମୌନ ପ୍ରଭାବରୁ ଅନ୍ୟ ବ୍ୟକ୍ତିମାନଙ୍କୁ ସମୁନ୍ନତ କରିପାରେ । ଯେତେବେଳେ ଆମେ ବାହ୍ୟ ପରିବେଶର ଅଧ୍ୟୟନ କରିଥାଉ, ସେତେବେଳେ କେବେକେବେ ଏହାଦ୍ୱାରା ବଡ ନିରାଶା ହୋଇଥାଏ କି, ଏହି ପ୍ରଭାବ ବହୁତ ମନ୍ଦଗତିରେ କାର୍ଯ୍ୟ କରିଥାଏ କିନ୍ତୁ ଏହା କଦାପି ପୂର୍ଣ୍ଣରୂପେ ଅସଫଳ ହୋଇପାରେନାହିଁ । ଯଦି ଆମେ କୌଣସି ବ୍ୟକ୍ତି ଉପରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବାପାଇଁ ଚାହଁୁ, ତେବେ ଉକ୍ତ କାର୍ଯ୍ୟରେ ଶୀଘ୍ରତା କରିବା ଆଦୌ ଭଲ ନୁହେଁ । ଯେତେବେଳେ ଆମେ ପାଳରେ ନିଆଁ ଲଗାଇଥାଉ, ସେତେବେଳେ ନିଆଁ ଖୁବ୍ ଉପରକୁ ଉଠିଥାଏ ଆଉ ଅଳ୍ପ ସମୟରେ ନିଆଁ ବି ଲିଭିଯାଇଥାଏ, ହେଲେ କାଠଗଦାରେ ଲାଗିଥିବା ନିଆଁ, ଯାହାକୁ ଜଳାଇବାପାଇଁ ଅଧିକ ସମୟ ଲାଗିଥାଏ, ତାହା ନିରବଚ୍ଛିନ୍ନ ଜଳିଥାଏ ଆଉ ଭରସାଯୋଗ୍ୟ ମଧ୍ୟ ହୋଇଥାଏ । ଏହିଭଳି, ଆଧ୍ୟାତ୍ମିକ ଜାଗୃତିରେ ଯଦି ବ୍ୟକ୍ତି ଅତି ଉତ୍ସାହୀ ଏବଂ ଭାବୁକ ଉତ୍ତେଜନାଯୁକ୍ତ ଅଟନ୍ତି, ତେବେ ସେ ନିଜର ଊର୍ଜାର ଅପବ୍ୟୟ କରିଦିଅନ୍ତି ଯାହାର ପରିଣାମ କିଛି ବି ହୁଏନାହିଁ । ଏହାର ବିପରୀତ, ଯଦି ତାହାର ଗହନ ପ୍ରକୃତିର ସ୍ପର୍ଶ କରାଯାଏ, ତେବେ ବାହ୍ୟଦୃଷ୍ଟିରେ ଦେଖିଲେ କିଛି ଅଧିକ ଦେଖାଯାଏ ନାହିଁ, କିନ୍ତୁ ପରିଣାମ ଦୀର୍ଘସ୍ଥାୟୀ ହୋଇଥାଏ ।
ଆମେ ସୁଖରୁ ବାହାରିଥିବା କିଛି ଶବ୍ଦ ଅଥବା କୌଣସି ସକ୍ରିୟ ପ୍ରଯତ୍ନ ଦ୍ୱାରା ଅନ୍ୟମାନଙ୍କର ସର୍ବୋତ୍ତମ ସହାୟତା କରିପାରିବା ନାହିଁ । ବାସ୍ତବିକ ସହାୟତା ଦୀର୍ଘସ୍ଥାୟୀ ଏବଂ ଦୂରଗାମୀ ହୋଇଥାଏ ତଥା ଏହା ଆମର ମୌନ ଜୀବନ ମାଧ୍ୟମରେ ପ୍ରାପ୍ତ ହୋଇଥାଏ । ଯଦି ଆମେ କୌଣସି ଆଦର୍ଶ ପାଇଁ ବଞ୍ଚିଥାଉ, ଆମେ କିଛି ଏଭଳି ଜିନିଷ ଉପରେ ବିଶ୍ୱାସ କରିଥାଉ, ଯାହା ଆମ ବିଚାରସମୂହକୁ ସ୍ଥିର କରିଦିଏ ଏବଂ ଆମର ସମସ୍ତ ଅଭିରୁଚିକୁ କେନ୍ଦ୍ରିତ କରିନିଏ ତଥା ଯାହା ଆମର ସମଗ୍ର ଚୈତନ୍ୟସତ୍ତାକୁ ବ୍ୟାପ୍ତ କରିଦେଇଥାଏ, ସେତେବେଳେ ଏହା ଅନ୍ୟମାନଙ୍କ ନିକଟରେ ପହଞ୍ଚିବାପାଇଁ ବାଧ୍ୟ ହୋଇଥାଏ । ପ୍ରତ୍ୟେକ ଜୀବନରେ ପ୍ରସରଣଶୀଳତାର ଶକ୍ତି ଥାଏ, ଯାହା ଭଲ ଅବା ଖରାପ ପ୍ରଭାବ ଉତ୍ପନ୍ନ କରିଥାଏ । ଆମେ ଜାଣିକରି ଅବା ଅଜାଣତରେ କିଛି ଦେଇଚାଲିଥାଉ । ଯଦି ଅନ୍ୟ କିଛି ନାହିଁ, ତେବେ ଆମେ ଆମର ମନୋଭାବ ଦ୍ୱାରା ଏକ ପରିବେଶ ସୃଷ୍ଟି କରିଚାଲୁ । ବାହାରେ ଆମେ ଯାହାକିଛି ବି ସ୍ପର୍ଶ କରିଥାଉ, ତାହା ଆମର ଆନ୍ତରିକ ଜୀବନ ଦ୍ୱାରା ପ୍ରଭାବିତ ହୋଇଥାଏ । ଅତି ଅଳ୍ପ ବିଚାର କରିବାଦ୍ୱାରା ଏହା ପ୍ରମାଣିତ ହୋଇଯିବ ଯେ, ଏହି ପ୍ରଭାବ କେତେ ଯଥାର୍ଥ ଏବଂ ସତ୍ୟ ହୋଇଥାଏ । ଏହା ମଧ୍ୟ ପ୍ରମାଣିତ ହେବ କି ଆମେ ଭଲ ଆଉ ଖରାପକୁ ମଧ୍ୟ ନିଜଆଡକୁ ଆକର୍ଷଣ କରିଥାଉ । ତଥାପି, ଏକଥା ଦ୍ୱାରା ଆମକୁ କୌଣସିମତେ ହତୋତ୍ସାହିତ ହେବା ଉଚିତ ନୁହେଁ । ଏହାର ବିପରୀତ, ଏ କଥାଦ୍ୱାରା ଆମକୁ ନୂତନ ଆଶା ସହିତ ପ୍ରେରଣା ନେବା ଆବଶ୍ୟକ କାହିଁକି ନାଁ ଏହି କଥା ସ୍ପଷ୍ଟ କରୁଛି କି, ଆମଠାରେ ସୃଜନାତ୍ମକ ଶକ୍ତି ରହିଛି । ଆମେ ନିର୍ମାଣ ବି କରିପାରୁ ଆଉ ବିଗାଡ଼ି ମଧ୍ୟ ପାରୁ । ଯଦି ଆମେ ଉତ୍ସାହୀ ଏବଂ ନିଷ୍ଠାବାନ୍ ଅଟୁ, ତେବେ ନିଜ ବିଚାରସମୂହ ଏବଂ ଭାବନାଦ୍ୱାରା ଉତ୍ତମ ପରିବେଶ ସୃଜନ କରିପାରୁ, ଏହାସହିତ ନିଜ ମନ ଏବଂ ଶରୀରର ଅଭ୍ୟାସଗୁଡିକୁ ପରିବର୍ତ୍ତନ କରି ପୂର୍ବରୁ ବିଦ୍ୟମାନ ଅବାଞ୍ଛନୀୟ ପରିବେଶ ତଥା ପରିସ୍ଥିତିସମୂହକୁ ସମାପ୍ତ କରିପାରୁ । ଯଦି ଆମର ଦୁଃଖ ଭୁଲ ଚିନ୍ତନ ଅଥବା ଭୁଲ କାର୍ଯ୍ୟସମୂହର ପରିଣାମ ଅଟେ, ତେବେ ବିବେକ, ବିଚାର ଏବଂ ଉଦ୍ଦେଶ୍ୟମୂଳକ ଜୀବନର ଅଙ୍ଗୀକାର କରି ତଥା ଏସବୁ କ୍ଷେତ୍ରରେ ଉଚିତ ପରିବର୍ତ୍ତନ କରି ଆମେ ଆମ ଦୁଃଖକୁ ସମାପ୍ତ କରିପାରିବା ।
ଏହା ପୁସ୍ତକାଧ୍ୟୟନର ବିଷୟ ନୁହେଁ, ନାଁ ତ କୌଣସି ଧର୍ମମତକୁ ଆପଣାଇବା ଅଟେ ଆଉ ନାଁ କୌଣସି ସିଦ୍ଧାନ୍ତକୁ ବିଶ୍ୱାସ କରିବା ଅଟେ । ଏହା ଗଭୀରତମ ବିଷୟ ଅଟେ । ଏହାର ସମ୍ବନ୍ଧ ମାନବୀୟ ହୃଦୟରେ ନିବାସ କରୁଥିବା ଚେତନା ସହ ରହିଛି । ବାହ୍ୟ ଜିନିଷରୁ ଏହାର ଖୁବ୍ କମ୍ ନେବାଦେବା ଥାଏ । ଏହାର ବିଷୟବସ୍ତୁ ସିଧା ଆମର ନିଜର ଜୀବନ ଅଟେ । ଈଶ୍ୱର ଆମପାଇଁ କେବଳ ଏଥିପାଇଁ ବାସ୍ତବିକତା ହୋଇପାରିବେ ନାହିଁ, କାରଣ କେହି ଏପରି କହିଛନ୍ତି । ଯେତେବେଳେ ଆମେ ଈଶ୍ୱରଙ୍କୁ ଜୀବନ୍ତରୂପେ ଆମର ଅନ୍ତରାତ୍ମାରେ ଅନୁଭବ କରିବା ପ୍ରାରମ୍ଭ କରିବା, କେବଳ ସେହିସମୟରେ ଈଶ୍ୱରୀୟସତ୍ତା ଆମପାଇଁ ବାସ୍ତବିକ ବସ୍ତୁ ହେବ । ସେତେବେଳେ କେହି ବି ଆମକୁ ସନ୍ଦେହୀ କରିପାରିବେ ନାହିଁ । ଆମେ ମହାପୁରୁଷଙ୍କ ଜୀବନରେ ଏହାକୁ ଦେଖିଥାଉ । ସେମାନେ ସେମାନଙ୍କ ଆଦର୍ଶ ପାଇଁ ବଞ୍ଚନ୍ତି ଆଉ ସେମାନଙ୍କ ଆଦର୍ଶ ପାଇଁ ମରିଥାନ୍ତି ମଧ୍ୟ । କିନ୍ତୁ ଯେତେବେଳେ ସେମାନେ ନିଜର ଆଦର୍ଶ ପାଇଁ ମରିଯାନ୍ତି, ସେତେବେଳେ ବି ମୃତ୍ୟୁ ସେମାନଙ୍କ ଉଦ୍ଦେଶ୍ୟକୁ ସମାପ୍ତ କରିପାରେ ନାହିଁ । ମୃତ୍ୟୁକୁ ପ୍ରାପ୍ତ ହୋଇ ସେମାନେ ନିଜର ଆଦର୍ଶ ପାଇଁ ଅଧିକ ସତ୍ ଭାବରେ ଜୀବିତ ରହନ୍ତି କାରଣ ଆତ୍ମାସହ ସମ୍ବନ୍ଧିତ ବସ୍ତୁକୁ କଦାପି ନଷ୍ଟ କରିହୁଏନାହିଁ ।
ତଥାପି ଏହା ଏଭଳି ବସ୍ତୁ ଅଟେ ଯାହାକୁ ଆମେ ସୈଦ୍ଧାନ୍ତିକ ରୂପେ ବୁଝିପାରି ନଥାଉ । ଯେପର୍ଯ୍ୟନ୍ତ ଆମେ ଭୌତିକ ସୁଖ-ସୁବିଧାରେ ବିଶ୍ୱାସ କରୁଥିବା ଆଉ ଆମର ହୃଦୟ ଭୌତିକ ବସ୍ତୁମାନଙ୍କ ପାଇଁ ଲାଳାୟିତ ହେଉଥିବ, ସେପର୍ଯ୍ୟନ୍ତ ଆମେ ଶାସ୍ତ୍ରମାନଙ୍କର ଉଦାହରଣ ଦେଇପାରିବା, ଧାର୍ମିକ ତତ୍ତ୍ୱ ସମ୍ବନ୍ଧରେ ବାର୍ତ୍ତାଳାପ କରିପାରିବା, କିନ୍ତୁ ଆମ ଶବ୍ଦର ପ୍ରଭାବ ଅତି ଅଳ୍ପ ହେବ । କୌଣସି ବ୍ୟକ୍ତି ଲୋକମାନଙ୍କୁ ସମସ୍ତ ଦୋଷ ଏବଂ ସ୍ୱାର୍ଥପରତାକୁ ତ୍ୟାଗ କରିବାପାଇଁ ପରାମର୍ଶ ଦେବାପୂର୍ବକ ବାଗ୍ମିତାପୂର୍ଣ୍ଣ ଉପଦେଶ ଦେଇପାରନ୍ତି, କିନ୍ତୁ ଯଦି ତାଙ୍କ ମଧ୍ୟରେ ସ୍ୱଳ୍ପମାତ୍ରାରେ ସ୍ୱାର୍ଥଭାବ ମଧ୍ୟ ଥାଏ, ତେବେ ତାହା ତାଙ୍କ ଉପଦେଶକୁ ମଧ୍ୟ ଭୁଲ ବୋଲି ସିଦ୍ଧ କରିଦେବ । ବାସ୍ତବ ଜୀବନ ଅତିବାହିତ କରିବା ମୁଖ୍ୟ କଥା ଅଟେ, ସମସ୍ତ ଆଧ୍ୟାତ୍ମିକ ଧର୍ମ ଏବଂ ଦର୍ଶନର ଏହା ସାର ଅଟେ । ଲୋକମାନେ ସିଦ୍ଧାନ୍ତ ଅବା ମତ ପାଇଁ ଲଢ଼ିପାରନ୍ତି, କିନ୍ତୁ ଯେତେବେଳେ ଆମେ ଜୀବନର ବାସ୍ତବିକ ତଥ୍ୟସମୂହ ସହିତ ପରିଚିତ ହୋଇଥାଉ, ସେତେବେଳେ ଆମେ ଚର୍ଚ୍ଚା ନିମନ୍ତେ ସୁଯୋଗ ପାଇନଥାଉ । ଯେଉଁ ସମୟରେ ଆମେ ଜୀବନର ମହାନ୍ ସତ୍ୟର ଜୀବନ୍ତ ଚେତନାରେ ନିବାସ କରିଥାଉ, ସେହି ସମୟରେ ମତପାର୍ଥକ୍ୟ ସମାପ୍ତ ହୋଇଯାଏ । ଯେପର୍ଯ୍ୟନ୍ତ ଆମେ ଗଭୀରତାରେ ନ ପହଞ୍ଚିଛେ, କେବଳ ସେହିପର୍ଯ୍ୟନ୍ତ ଆମେ ବିବାଦ ଏବଂ ନିନ୍ଦା କରିଥାଉ ।
କୌଣସି ଉଦାତ୍ତ ଚରିତ୍ର ବ୍ୟକ୍ତିଙ୍କର ଜନ୍ମ ପୂର୍ବ ଅବା ପଶ୍ଚିମରେ, ଯେଉଁସ୍ଥାନରେ ହେଉ ନାଁ କାହିଁକି, ସେ ସାର୍ଭଭୌମ ପ୍ରଭାବଯୁକ୍ତ ହୋଇଥାନ୍ତି । ତାଙ୍କର ନିଃସ୍ୱାର୍ଥତା, ତାଙ୍କର ଆଧ୍ୟାତ୍ମିକ ସୁରଭି କୌଣସି ସୀମାରେଖା ମଧ୍ୟରେ ଆବଦ୍ଧ ହୋଇନଥାଏ । ସେ ଏହିଭଳି ଭାବେ ସମସ୍ତଙ୍କ ହୃଦୟରେ ପହଞ୍ଚିଯାନ୍ତି ଯେଉଁଠାରେ ସେହି ସଦ୍ଗୁଣସମୂହ ପାଇଁ ବ୍ୟାକୁଳତା ଉତ୍ପନ୍ନ ହୋଇଥାଏ । ନିଜର ପରିଚ୍ଛିନ୍ନତା ଏବଂ ଏ ସଂସାରରେ ସମସ୍ତ ଖରାପ ପରିସ୍ଥିତିସମୂହରୁ ଊର୍ଦ୍ଧ୍ୱକୁ ଚାଲିଯିବାର ଗୋଟିଏମାତ୍ର ମାର୍ଗ ହେଉଛି କି, ଆମେ ଏଭଳି ଜୀବନ ଅତିବାହିତ କରିବା ଯାହା ସତ୍ୟର ଅଂଶ ହୋଇଥିବ, ସେହି ସତ୍ୟକୁ ଆମେ ଯେକୌଣସି ନାମ ଦେଉପଛକେ ଏହା ଗ୍ରହଣୀୟ । ଏକ ମହାନ୍ ବ୍ରହ୍ମାଣ୍ଡୀୟ ସତ୍ୟ ରହିଛି ଏବଂ ଆମେ ସମସ୍ତେ ସେହି ପରମ ସତ୍ୟର ଅଂଶ ଅଟୁ । ଯେତେବେଳେ ଏହାର ଅନୁଭୂତି କରିଥାଉ, ସେତେବେଳେ ଆମକୁ ପିତୃତ୍ୱର ଆଦର୍ଶର ଅନୁଭବ ହୋଇଥାଏ ଆଉ ଏହାର ସହାନୁଭୂତି ସହିତ ହିଁ ଆମକୁ ଭାତୃତ୍ୱର ଅଭିପ୍ରାୟ ମଧ୍ୟ ଅନୁଭବ ହୋଇଥାଏ । ଯେତେବେଳେ ଆମେ ଏହା ଅନୁଭବ କରୁ କି, ଆମେ ସମସ୍ତେ ଏକ ଦିବ୍ୟ ସତ୍ତାଙ୍କର ସନ୍ତାନ ଅଟୁ ତେବେ ସ୍ୱାଭାବିକରୂପେ ଆମେ ତାଙ୍କ ସହିତ ସଂଯୁକ୍ତ ହୋଇଯାଉ । କିନ୍ତୁ ଏହା କୌଣସି ସିଦ୍ଧାନ୍ତ ଅବା ମତକୁ ଅଙ୍ଗୀକାର କରି ଅନୁଭବ ହୁଏନାହିଁ, ବରଂ ଏହାକୁ ଆମେ ପ୍ରଥମେ ବ୍ୟକ୍ତିଗତ ରୂପେ ନିଜ ହୃଦୟରେ ଅନୁଭବ କରିଥାଉ ଆଉ ପରେ ଏହାର ଅନୁଭବ ବ୍ରହ୍ମାଣ୍ଡରେ କରିଥାଉ । ଯଦି ଆମେ ଭକ୍ତି ମାଧ୍ୟମରେ ଏହାକୁ ଆମ ହୃଦୟରେ ଅନୁଭବ ନ କରୁ, ତେବେ ଆମେ ସଂସାରରେ ସର୍ବତ୍ର ଏହାର ଅନୁସନ୍ଧାନ କରୁପଛକେ, ଏହାକୁ ଆମେ କେଉଁଠାରେ ବି ପାଇପାରିବା ନାହିଁ । ଏହି କାରଣରୁ ଭଗବାନଙ୍କଠାରୁ ଆଉ ଆମ ମିତ୍ରଙ୍କଠାରୁ ପ୍ରକୃତ ପ୍ରେମର ଅନୁଭୂତି ନିମନ୍ତେ ଭାରତୀୟ-ଆର୍ଯ୍ୟ ଅନ୍ତରତମପ୍ରଦେଶରେ ପ୍ରବେଶ କରିବା ଏବଂ ନିଜର ଗଭୀରତମ ପ୍ରକୃତିର ଅନୁଭୂତି ଉପରେ ଏତେ ଅଧିକ ଗୁରୁତ୍ୱ ଦିଆଯାଏ ।
T
Be First to Comment