ଏକଦା ଜଣେ ବାଳକ ବିଶ୍ୱର ସମସ୍ତ ଜଡ ଓ ଚେତନ ତତ୍ତ୍ୱର ମୂଳ ଉତ୍ସ ସନ୍ଧାନ କରିବାର ଜିଜ୍ଞାସା କରି ଗୁରୁଙ୍କ ନିକଟକୁ ଗଲେ । ଗୁରୁ ସେହି ବାଳକର ଆଗ୍ରହ ଦେଖି ତାକୁ ଶିଷ୍ୟ ରୂପେ ଗ୍ରହଣ କଲେ । ଶିଷ୍ୟ ମଧ୍ୟ ଆଶ୍ରମରେ ରହି ବିଦ୍ୟା ଅଧ୍ୟୟନ କରିବା ସହ ନିଷ୍ଠାର ସହ ଗୁରୁ ସେବା କଲେ । ଶିଷ୍ୟର ଭକ୍ତିରେ ପ୍ରୀତ ହୋଇ ଗୁରୁ ସେହି ବାଳକକୁ କହିଲେ, ସମଗ୍ର ସୃଷ୍ଟିର ସାର ତତ୍ତ୍ୱଓଁକାର, ଯାହାର ଗୁପ୍ତରହସ୍ୟ ଜାଣିଲେ ଆଉ କିଛି ଅଜ୍ଞାତ ରହିବ ନାହିଁ । ଶିଷ୍ୟ ଆନନ୍ଦର ସହ ଏହି ଗୁପ୍ତଜ୍ଞାନ ଗ୍ରହଣ କଲେ ମଧ୍ୟ ସର୍ବସାଧାରଣରେ ତାହାର ବହୁଳ ବ୍ୟବହାରକୁ ଲକ୍ଷ୍ୟ କରି ଆଚମ୍ବିତ ହୋଇପଡିଲେ । ଗୁରୁବାକ୍ୟ ପ୍ରତି ତାଙ୍କ ମନରେ ଶଙ୍କା ଜାତ ହେଲା ଏବଂ ସେ ତୁରନ୍ତ ଗୁରୁଙ୍କ ନିକଟକୁ ଯାଇ ନିଜ ମନର ଶଙ୍କା ପ୍ରକାଶ କଲେ । ତତ୍ପରେ ଗୁରୁଦେବ ଶିଷ୍ୟକୁ ଏକ ପ୍ରସ୍ତର ପ୍ରଦାନ କରି କହିଲେ, “ଯାଅ,ଏବଂ ଏହାର ଉଚିତ ମୂଲ୍ୟ ସନ୍ଧାନ କରି ଆସ ।” ଶିଷ୍ୟ ଗୁରୁ ଆଦେଶ ମାନି ମୂଲ୍ୟ ନିରୂପଣ କରିବା ପାଇଁ ବିଭିନ୍ନ ସ୍ଥାନ ଭ୍ରମଣ କଲେ । କିନ୍ତୁ, ସମସ୍ତେ ସାଧାରଣ ପ୍ରସ୍ତର ଭାବି ଶିଷ୍ୟକୁ ତଡିଦେଲେ । ଶେଷରେ ଜଣେ ଦକ୍ଷ ସ୍ୱର୍ଣ୍ଣକାରିଗର ସେହି ପ୍ରସ୍ତରକୁ ଏକ ମୂଲ୍ୟବାନ ରତ୍ନ ଭାବରେ ଚିହ୍ନଟ କରିଥିଲେ କିନ୍ତୁ ମୂଲ୍ୟ ନିର୍ଣ୍ଣୟ କରିପାରିଲେ ନାହିଁ । ଶିଷ୍ୟ ସମସ୍ତ କଥା ଯାଇ ଗୁରୁଙ୍କୁ କହିଲେ । ଗୁରୁ ସେଠାରେ ଉପଦେଶ ଦେଲେ ଯେ,—”ଯେଉଁଭଳି ଏହି ମୂଲ୍ୟବାନ ରତ୍ନର ଗୁରୁତ୍ୱ ସର୍ବସାଧାରଣ ବୁଝିପାରନ୍ତି ନାହିଁ, ଠିକ ସେହିପରି ଓଁକାର ଶବ୍ଦଟି ସର୍ବସାଧାରଣରେ ଉଚ୍ଚାରଣ ହେଉଥିଲେ ମଧ୍ୟ ତାହାର ରହସ୍ୟ ଉନ୍ମୋଚନ କରିବା ଅତ୍ୟନ୍ତ ଦୁର୍ଲ୍ଲଭ ଓ କଷ୍ଟ ସାପେକ୍ଷ ।
ଉପରୋକ୍ତ ଗଳ୍ପରୁ ଏହି ଶିକ୍ଷା ମିଳେ ଯେ, ଓଁ ର ତାତ୍ପର୍ଯ୍ୟ ବୁଝିବା ପାଇଁ କେବଳ ଉଚ୍ଚାରଣ ଯଥେଷ୍ଟ ନୁହେଁ । ଏଥିପାଇଁ ଆବଶ୍ୟକ ମନନ-ଚିନ୍ତନ-ନିଦିଧ୍ୟାସନ । ପତଞ୍ଜଳି ଯୋଗ ଦର୍ଶନରେ ଉଲ୍ଲେଖ ରହିଛି-“ତତ୍ ଜପ° ତଦର୍ଥ ଭାବନ°” । (ଯୋଗସୂତ୍ର-୧/୨୮) ଅର୍ଥାତ୍ ଯାହା ବି ଜପ କରାଯାଏ ତାହାର ଅର୍ଥପୂର୍ଣ୍ଣ ତାତ୍ତ୍ୱିକ ବିଶ୍ଳେଷଣ ଏବଂ ତାତ୍ପର୍ଯ୍ୟ ଅନ୍ୱେଷଣ କରିବା ଉଚିତ ।
ପ୍ରଣବ ଶବ୍ଦ ସମ୍ବନ୍ଧରେ ସୂତ୍ରକାର କହନ୍ତି—
“ତସ୍ୟ ବାଚକ ପ୍ରଣବ” ।(ପତଞ୍ଜଳି ଯୋଗସୂତ୍ର-୧/୨୭)
ଅର୍ଥାତ ସେହି ଈଶ୍ୱରଙ୍କର ବୋଧକ ଶବ୍ଦ ଓଁ ପଦରୁ ଜଣାପଡେ । ଅ,ଉ,ମ ଏହି ତିନୋଟି ଅକ୍ଷର ମିଳିତ ହୋଇ ଓଁକାର ହୋଇଅଛି । ଅ-କାର ଆନନ୍ଦ, ଉ-କାର ଚିତ, ମ-କାର ସତ ର ପ୍ରତୀକ । ଓଁ ର ଅନ୍ତିମ ଭାଗ ‘ମ’ ବ୍ୟଞ୍ଜନ ବର୍ଣ୍ଣ ହେବାରୁ ଉଚାରଣ ପାଇଁ ସ୍ୱରବର୍ଣ୍ଣର ସହାୟତା ନିଏ । ମ ବର୍ଣ୍ଣ ଜଡ ପ୍ରକୃତିର ସୂଚକ ଯାହା ଚେତନାର ସହାୟତା ବିନା ଗତିଶୀଳ ହୁଏ ନାହିଁ । ଏହି ତିନୋଟି ଅକ୍ଷର ବ୍ରହ୍ମାଣ୍ଡର ତିନୋଟି ଗୁଣ ସତ୍ତ୍ୱ, ରଜ, ତମ; ପରମାତ୍ମାଙ୍କ ତିନୋଟି ଭେଦ: ବିରାଟ(ସ୍ତୂଳ), ହୀରଣ୍ୟଗର୍ଭ(ସୂକ୍ଷ୍ମ), ଈଶ୍ୱର(କାରଣ); ସୃଷ୍ଟିର ତିନି କ୍ରିୟା: ଉତ୍ପତ୍ତି, ସ୍ଥିତି ଓ ପ୍ରଳୟ; ତିନୋଟି ଦେବତା: ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏବଂ ଚେତନାର ତିନି ଅବସ୍ଥା: ବୈଶ୍ୱ(ଜାଗ୍ରତ), ତୈଜସ(ସ୍ୱପ୍ନ), ପ୍ରଜ୍ଞା(ସୁଷୁପ୍ତି) ରୂପରେ ବିଦ୍ୟମାନ ।
ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି: “ପ୍ରଣବ ସର୍ବବେଦେଷୁ”— ମୁଁ ହେଉଛି ସକଳ ବେଦର ଓଁକାର ।
ଯୋଗମାର୍ଗରେ ଚାଳିତ ହେଉଥିବା ସାଧକମାନଙ୍କୁ ଲକ୍ଷ୍ୟ କରି ଉପନିଷଦରେ କୁହାଯାଇଛି;”ପ୍ରଣବୋ ଧନୁ ଶରଃ ଆତ୍ମା ବ୍ରହ୍ମ ତତ୍ ଲକ୍ଷ୍ୟସ୍ୟମୁଚ୍ୟତେ ।” ଅର୍ଥାତ୍ ପ୍ରଣବ ଓଁକାର ଧନୁ ସଦୃଶ ଅଟେ । ଆତ୍ମା ଶର ଅଟେ । ବ୍ରହ୍ମଙ୍କୁ ଲକ୍ଷ୍ୟସ୍ଥଳ କୁହାଯାଇଛି ।
ସୃଷ୍ଟି ଆରମ୍ଭର ମୂଳଧ୍ୱନି ହେଉଛି ଓଁକାର । ଏହାକୁ ନାଦବ୍ରହ୍ମ କୁହାଯାଏ । ଏହି ନାଦ ଦ୍ୱାରା ସୃଷ୍ଟି ହୋଇଥିବା କମ୍ପନ ବା ବିସ୍ପୋରଣ(Big-Bang)ରୁ ହିଁ ଜଗତ ବ୍ୟକ୍ତ ହୋଇଛି । ଏହା ଆଧୁନିକ ଵିଜ୍ଞାନ ସମ୍ମତ ତଥ୍ୟ । ଓଁକାର ଧ୍ୱନିକୁ ଅନାହତ ଧ୍ୱନି କୁହାଯାଏ ଯାହାକି କୌଣସି ଆଘାତ ବିନା ସୃଷ୍ଟି ହୁଏ ଏବଂ ଏହାର ଆଦି ଅନ୍ତ ନାହିଁ । ଆମ ନିଃଶ୍ୱାସ-ପ୍ରଶ୍ୱାସ ନେବା ସମୟରେ ଯେଉଁ ଅସ୍ପଷ୍ଟ ‘ହ°-ସ’ ଧ୍ୱନି ଉତ୍ପତ୍ତି ହୁଏ,ତାହା ହିଁ ଅନାହତ ନାଦ ବା ଅଜପା-ଜପ । ମନୁଷ୍ୟର କର୍ଣ୍ଣେନ୍ଦ୍ରିୟ ୨୦ ରୁ ଆରମ୍ଭ କରି ୨୦୦୦୦ HZ ଆବୃତ୍ତିଯୁକ୍ତ ଧ୍ୱନି ତରଙ୍ଗ ଶୁଣିପାରେ । ଏହାଠାରୁ ଅଧିକ ବା ଅଳ୍ପ ଆବୃତ୍ତିଯୁକ୍ତ ଧ୍ୱନିକୁ ପରାଧ୍ୱନି ବା ଅନାହତ ନାଦ କୁହାଯାଏ । ସୃଷ୍ଟିର ସମଗ୍ର ତତ୍ତ୍ୱ ଏହି ଓଁକାର ନାଦରେ ସମାହିତ । ବ୍ରହ୍ମାଙ୍କ ବେଦନିଃସୃତ ବାଣୀ ହିଁ ଓଁକାର, ଶ୍ରୀକୃଷ୍ଣଙ୍କ ମଧୁର ବଂଶୀସ୍ୱନ ହେଉଛି ଓଁକାର ଏବଂ ଶିବଙ୍କ ଉଗ୍ର ତାଣ୍ଡବରୁ ନିର୍ଗତ କମ୍ପନ ମଧ୍ୟ ସେହି ଓଁକାର । ପିଣ୍ଡ-ବ୍ରହ୍ମାଣ୍ଡର ଆଧାର ଓଁକାର । ଏହି ଓଁକାର ଧ୍ୱନିକୁ ସମସ୍ତ ଧର୍ମ ଯଥା ହିନ୍ଦୁ, ବୌଦ୍ଧ, ଜୈନ, ଖ୍ରୀଷ୍ଟ, ଇସଲାମ, ସାକାରବାଦୀ, ନିରାକାରବାଦୀ ଉପଯୋଗ କରନ୍ତି । ଏହା ଏକ ସାର୍ବଭୌମ ତତ୍ତ୍ୱ । ବାଇବେଲ(ଜନ-୧.୧-୩) କହେ ପ୍ରଥମେ ଥିଲା ଶବ୍ଦ ଓ ସେହି ଶବ୍ଦ ଈଶ୍ୱରଙ୍କ ସହ ରହିଥିଲା ଏବଂ ଶବ୍ଦ ହିଁ ଈଶ୍ୱର । ବିଶ୍ୱର ଯେକୌଣସି ଭାଷାର ଶବ୍ଦ ଉଚ୍ଚାରଣ କଲାବେଳେ ମୁଖ ଖୋଲିବା ସମୟରେ ସର୍ବଦା ଅ-କାର ନିର୍ଗତ ହୁଏ । ମୁଖ ବନ୍ଦ କରିବା ସମୟରେ ମ-କାର ନିର୍ଗତ ହୁଏ । ଏହି ଦୁଇ ଅବସ୍ଥାର ମଧ୍ୟରେ ଉ-କାର ସୃଷ୍ଟି ହୁଏ । ତେଣୁ ସମସ୍ତ ଶବ୍ଦ,ବର୍ଣ୍ଣ,ଭାଷା ଏହି ଓଁକାର ଅନ୍ତର୍ଗତ ଅଟନ୍ତି । ଓଁକାର ଉଚ୍ଚାରଣ ଦ୍ୱାରା ଅ-କାର ଧ୍ୱନି ମୂଳାଧାରରୁ ନିର୍ଗତ ହୋଇ ମଣିପୁର ଚକ୍ରରେ ଅର୍ଥାତ ନାଭିଦେଶରେ ବ୍ୟାପ୍ତ ହୋଇ ରୁଦ୍ରଗ୍ରନ୍ଥିକୁ ଭେଦକରେ । ନାଭିଦେଶର ଉର୍ଦ୍ଧ୍ୱରୁ ହୃଦୟ ମଧ୍ୟରେ ବିଶୁଦ୍ଧଚକ୍ର ପର୍ଯ୍ୟନ୍ତ ଉ-କାର ଧ୍ୱନି ବ୍ୟାପ୍ତ ହୋଇ ବିଷ୍ଣୁଗ୍ରନ୍ଥି ଭେଦକରେ । ମ-କାର ଧ୍ୱନି କଣ୍ଠଦେଶରୁ ନିଃସୃତ ହୋଇ ଆଜ୍ଞାଚକ୍ର ପର୍ଯ୍ୟନ୍ତ ବ୍ୟାପ୍ତ ହୁଏ, ଯାହା ବ୍ରହ୍ମଗ୍ରନ୍ଥିକୁ ଭେଦ କରେ । ତତ୍ପରେ ତୁରୀୟ ମାତ୍ରା ଅର୍ଥାତ୍ ଅର୍ଦ୍ଧମାତ୍ରାର ସୂକ୍ଷ୍ମ ଧ୍ୱନୀରେ ଆତ୍ମା ସାକ୍ଷାତକାର ହୋଇ ନିଶ୍ଚଳ ଶାନ୍ତ ଅବସ୍ଥା ପ୍ରାପ୍ତ ହୁଏ । ଏହି ଓଁକାର ଶାନ୍ତ°-ଶିବ°-ଅଦ୍ୱୈତ° ବ୍ରହ୍ମଙ୍କ ପରିଚାୟକ । ଏତିକି ବେଳେ ଓଡ଼ିଶାର ପ୍ରଖ୍ୟାତ ଭଜନ ସମ୍ରାଟ ଭିକାରୀ ବଳଙ୍କର ଏକ ଭଜନ ମନେପଡିଯାଏ—”ଗାଈ ଗାଈ ରାମାୟଣ,ଶୁଣି ଶୁଣି ଗୀତା, ପଢି ପଢି ଭାଗବତ , ସରେନା ଯା କଥା” । ଅର୍ଥାତ ସେହି ଓଁ ହେଉଛି ଅସୀମିତ ଜ୍ଞାନର ଭଣ୍ଡାର ଯାହାର ଅନ୍ତ ନାହିଁ । ଭାଗବତରେ କୁହାଯାଇଛି—” ଓଁକାର ରୂପେ ଥିଲା ବେଦ, କେହି ନ ଜାଣେ ତାର ଭେଦ” । ଓଁକାର ତତ୍ତ୍ବର ରହସ୍ୟ ଜାଣିବା ପାଇଁ ସାଧନା, ସ୍ୱାଧ୍ୟାୟ, ତପ ଓ ଭକ୍ତିର ଏକୀକୃତ ପ୍ରୟାସ ଆବଶ୍ୟକ । ସେହି ଅକ୍ଷରବ୍ରହ୍ମ ସକଳ ଜଗତ ପ୍ରପଞ୍ଚର ସାର ଓଁକାର ନାଦକୁ ଆମ୍ଭର ଶତ ଶତ ପ୍ରଣାମ ।
ଅନୁଲିଖନ — ସତ୍ୟବ୍ରତ ପାଣିଗ୍ରାହୀ
t
Be First to Comment