Last updated on August 13, 2022
ଶିବ-ଜ୍ଞାନରୁ ମୁକ୍ତି :
ଯେଉଁଭଳି ମୃଦ୍ଘଟ ମୃତ୍ତିକା ଓ ଘଟୋତ୍ପାଦିନୀ ଶକ୍ତିମୟ ଅଟନ୍ତି , ସେହିଭଳି ‘ଜଗତ୍’ ଶିବ-ଶକ୍ତିମୟ ଅଟେ । ଶିବ ମୃତ୍ତିକା-ସଦୃଶ ଅଟନ୍ତି । ଶକ୍ତିଯୁକ୍ତ ଶିବ ଈଶ୍ୱର-ସଂଜ୍ଞକ, ସେ ବୀଜ ତୁଲ୍ୟ । ହିରଣ୍ୟଗର୍ଭ ଅଙ୍କୁର ତୁଲ୍ୟ ଅଟନ୍ତି । ବୈଶ୍ୱାନର ପତ୍ର, ପୁଷ୍ପ, ଫଳ, ବୃକ୍ଷ ତୁଲ୍ୟ ଅଟନ୍ତି । ଏହିଭଳି ଶିବ ଶକ୍ତିଙ୍କର ଯୋଗରେ ଈଶ୍ୱର, ହିରଣ୍ୟଗର୍ଭ ଓ ବିରାଟ-ରୂପରେ ଅଭିବ୍ୟକ୍ତି ହୋଇଥାଏ ।
ସମ୍ପୂର୍ଣ୍ଣ ଜଗତର ଅଭିନ୍ନ ନିମିତ୍ତୋପାଦାନ ଶିବତତ୍ତ୍ୱ ଅଟେ, ଅତଃ ଜଗତ୍ ଶିବରୂପ ଅଟେ । ନିର୍ଗୁଣ-ନିରାକାର ଶିବ-ତତ୍ତ୍ୱ କାର୍ଯ୍ୟ କାରଣାତୀତ ପରାତ୍ପର ପରବ୍ରହ୍ମ ଅଟନ୍ତି । ସଗୁଣ-ନିରାକାର ଅନ୍ତର୍ଯ୍ୟାମୀ ଈଶ୍ୱର ‘କାରଣ ବ୍ରହ୍ମ’ ଅଟନ୍ତି । ସଗୁଣ ସାକାର ହିରଣ୍ୟଗର୍ଭ ଓ ବିରାଟ୍ ‘କାର୍ଯ୍ୟ-ବ୍ରହ୍ମ’ ଅଟନ୍ତି । କାରଣ ବ୍ରହ୍ମ ଯେଉଁଠାରେ ସଗୁଣ ନିରାକାର, ସେଠାରେ ଅଚିନ୍ତ୍ୟ ଲୀଳା-ଶକ୍ତି ଯୋଗରୁ ସଗୁଣ ସାକାର ମଧ୍ୟ ହୋଇପାରନ୍ତି । ଭଗବତ୍ତତ୍ତ୍ୱ ଯେଉଁ ଉପାଧିରେ ଯୁକ୍ତ ହୋଇଥାଏ, ତାହାର ଶ୍ରୀବିଗ୍ରହ ସେହି ନିମିତ୍ତ ଅଭିବ୍ୟକ୍ତ ହୋଇଥାଏ, ଏହା ହିଁ ନିୟମ ।
ପଶୁ ବିଲକ୍ଷଣ ପରାତ୍ପର ପରବ୍ରହ୍ମ ପରମେଶ୍ୱରଙ୍କର ନାମ ଶିବ ଅଟେ । ପାଶ-ସଂଯୁକ୍ତ ପଶୁତୁଲ୍ୟ ଅଶିବ ଜୀବମାନଙ୍କୁ ପାଶମୁକ୍ତ କରିବାର ଉପାସନା ଶିବୋପାସନା ଅଟେ—
ଅଶିବାଃ ପାଶସଂଯୁକ୍ତାଃ ପଶବଃ ସର୍ବଚେତନାଃ ।
ଯସ୍ମାଦ୍ ବିଲକ୍ଷଣାସ୍ତେଭ୍ୟସ୍ତସ୍ମାଦୀଶଃ ଶିବଃ ସ୍ମୃତଃ ।।
(ଶିବୋପନିଷତ୍ – ୧-୧୦)
ତ୍ରିଗୁଣର ସାମ୍ୟାବସ୍ଥା ପ୍ରକୃତି ଅଟେ । ପ୍ରକୃତିସହିତ ତାହାର ପରିଣାମ ବୁଦ୍ଧି(ମହତ୍), ଅହଂ, ଶବ୍ଦ-ସ୍ପର୍ଶାଦି ପଞ୍ଚ ତନ୍ମାତ୍ର, ମନ, ଶ୍ରୋତ୍ର-ବାଗାଦି ଦଶ ଇନ୍ଦ୍ରିୟ ଏବଂ ଆକାଶାଦି ପଞ୍ଚଭୂତ —ଏହି ଚତୁର୍ବିଂଶ ତତ୍ତ୍ୱକୁ ପାଶ କୁହାଯାଏ । ସଚ୍ଚିଦାନନ୍ଦ ହୋଇଥିଲେ ମଧ୍ୟ ଅନାଦି ଅଜ୍ଞାନ କାରଣରୁ ସେଥିରେ ନିବଦ୍ଧ ଜୀବକୁ ଶୈବାଗମରେ ପଶୁ ବୋଲି କୁହାଯାଇଛି ।
ତ୍ରିଗୁଣମୟୀ ପ୍ରକୃତି ଯେ ପର୍ଯ୍ୟନ୍ତ ବନ୍ଧନର ହେତୁ ହୋଇଥାଏ, ସେ ପର୍ଯ୍ୟନ୍ତ ତାହାର ସଂଜ୍ଞା ଅଜ୍ଞାନ(ଅବିଦ୍ୟା) ରହିଥାଏ । ଶିବଉପନିଷଦ ଅନୁସାରେ ଅଜ୍ଞାନ ପଞ୍ଚବିଂଶ ତତ୍ତ୍ୱ ଅଟେ । ସେଥିରେ ତାଦାତ୍ନ୍ୟାରୂପ ଅଜ୍ଞ ଜୀବ ଷଡବିଂଶ ତତ୍ତ୍ୱ ଅଟେ । ନିତ୍ୟ-ଶୁଦ୍ଧ-ବୁଦ୍ଧ-ମୁକ୍ତ ସର୍ବେଶ୍ୱର ଜୀବ ସପ୍ତବିଂଶ ତତ୍ତ୍ୱ ଅଟେ । ଶିବତତ୍ତ୍ୱ ବିଚାରରୁ ତତ୍ତ୍ୱ ବିଜ୍ଞାନ ଓ ତତ୍ତ୍ୱ-ବିଜ୍ଞାନରୁ ବିମୁକ୍ତି ସମ୍ଭବ ଅଟେ ।
ଶିବୋପାସନା :
ଭକ୍ତିଭାବପୂର୍ବକ ଶିବ ନାମୋଚ୍ଚାରଣ ଦ୍ୱାରା ଅତିଶୀଘ୍ର ସମସ୍ତ ପାପରୁ ନିବୃତ୍ତି ଓ ଶିବପଦର ପ୍ରାପ୍ତି ସୁନିଶ୍ଚିତ —
ନାମସଂକୀର୍ତ୍ତନାଦେବ ଶିବସ୍ୟାଶେଶପାତକୈଃ ।
ଯତଃ ପ୍ରମୁଚ୍ୟତେ କ୍ଷିପ୍ରଂ ମନ୍ତ୍ରୋଽୟଂ ଦ୍ୱ୍ୟକ୍ଷରଃ ପରଃ ।।
ଯଃ ଶିବଂ ଶିବମିତ୍ୟେବଂ ଦ୍ୱ୍ୟକ୍ଷରଂ ମନ୍ତ୍ରମଭ୍ୟସେତ୍ ।
ଏକାକ୍ଷରଂ ବା ସତତଂ ସ ଯାତି ପରମଂ ପଦମ୍ ।।
(ଶିବୋପନିଷଦ-୧/୨୦-୨୧)
ପ୍ରତ୍ୟେକ ବ୍ୟକ୍ତିର ଅନ୍ତଃକରଣ ଶିବାୟତନ ଅଟେ । ହୃଦୟ ଅନ୍ତଃକରଣର ଅଭିବ୍ୟଞ୍ଜକ ଅଟେ । ହୃତ୍-ପଦ୍ମ-ବେଦୀର ଲିଙ୍ଗ ଓଁକାର ଅଟେ । ପୁରୁଷ ଲିଙ୍ଗର ସ୍ଥାପକ, ସତ୍ୟ ସମ୍ମାର୍ଜନ, ଅହିଂସା ଗୋମୟ, ସନ୍ତୋଷ ପୁଷ୍ପ, ପ୍ରାଣାୟାମ ଧୂପ, ପ୍ରତ୍ୟାହାର ନୈବେଦ୍ୟ, ଶାନ୍ତି ସଲିଳ, ବୈରାଗ୍ୟ ଚନ୍ଦନ ତଥା ଅସ୍ତେୟ ପ୍ରଦକ୍ଷିଣା ଅଟେ । ଏହିଭଳି ଶିବାର୍ଚ୍ଚନ ଶିବଲୋକପ୍ରଦ ଏବଂ ଶିବାତ୍ମ-ବିଜ୍ଞାନପ୍ରଦ ଅଟେ । ଶିବଯୋଗୀ, ଶିବଜ୍ଞାନୀ, ଶିବଜାପୀ, ଶିବତପୀ ଓ ଶିବକର୍ମୀ—ଏହି ପାଞ୍ଚଜଣ ନିଃସନ୍ଦେହରେ ମୁକ୍ତି ଲାଭ କରନ୍ତି ।
ଆଗ୍ନେୟ, ବାରୁଣ, ମାନ୍ତ୍ର, ବାୟବ୍ୟ. ଐନ୍ଦ୍ର, ମାନସ, ଶାନ୍ତି(କ୍ଷମା) ଓ ଜ୍ଞାନ— ଏହି ଅଷ୍ଟବିଧ ସ୍ନାନ ଯଥାବସର ଯଥାଯୋଗ୍ୟ ଶିବୋପାସକ ଯୋଗ୍ୟ ଅଟେ । ରୁଦ୍ର ମନ୍ତ୍ରରେ ବିଧିବତ୍ ବିନିର୍ମିତ ଭସ୍ମବିଲେପନର ନାମ ଆଗ୍ନେୟ ସ୍ନାନ ଅଟେ । ଜଳସ୍ନାନ ବାରୁଣ ସ୍ନାନ ଅଟେ । ମୂର୍ଦ୍ଧାକୁ ହାତରେ ସ୍ପର୍ଶକରି ଶିବଙ୍କର ଧ୍ୟାନ ପୂର୍ବକ ଏକାଦଶ ଶିବନାମୋଚ୍ଚାରଣ ମାନ୍ତ୍ର ସ୍ନାନ ଅଟେ । ସୂର୍ଯ୍ୟଲୋକର ସ୍ଥିତିରେ ବର୍ଷିତ ଜଳରୁ ଐନ୍ଦ୍ରୀଦିଶାରେ ସ୍ଥିତ ହୋଇ କରାଯାଉଥିବା ସ୍ନାନ ଐନ୍ଦ୍ର-ସ୍ନାନ ଅଟେ ।
ସର୍ବତୀର୍ଥର ସ୍ମରଣ କରି ହସ୍ତରେ ଜଳ ଗ୍ରହଣକରି ଶିରରେ ସିଞ୍ଚନ କରିବାକୁ ମାନସ ସ୍ନାନ କୁହାଯାଏ । ଭୀଷଣ କଷ୍ଟ ଓ ତିରସ୍କାର ପ୍ରାପ୍ତି ପରେ ମଧ୍ୟ ଅନୁଦ୍ବିଗ୍ନ ଓ ଆକ୍ରୋଶରହିତ ରହିବାକୁ କ୍ଷମା ସ୍ନାନ କହନ୍ତି । ତୀର୍ଥଯାତ୍ରୀ, ଯୋଗୀ, ତପସ୍ୱୀ ଓ ବ୍ରହ୍ମବେତ୍ତାଗଣ ଯେଉଁ ଫଳ ପ୍ରାପ୍ତି ହୋଇଥାନ୍ତି, ସେହି ଫଳ କ୍ଷମାଶୀଳକୁ ମଧ୍ୟ ପ୍ରାପ୍ତି ହୋଇଥାଏ ।
ଶିବୋପାସନା ନିମିତ୍ତ ଜଳ, ମନ୍ତ୍ର, ଦୟା, ଦାନ, ସତ୍ୟ, ଇନ୍ଦ୍ରିୟସଂଯମ, ଜ୍ଞାନ, ଶୌଚ ଭାବାତ୍ମଶୁଦ୍ଧି ରୂପ ଅଷ୍ଟବିଧ ଶୌଚର ନିତ୍ୟ ଆଲମ୍ବନ ନେବା ଉଚିତ ।
ଶିବ ତମୋଗୁଣର ନିୟାମକ ଅଟନ୍ତି । ରୂଦ୍ର ରୂପରେ ସଂହାରକ ହେଲେ ମଧ୍ୟ ଶିବରୂପରେ ଅନୁଗ୍ରାହକ ଅଟନ୍ତି । ଈଶାବାସ୍ୟୋପନିଷଦରେ ଈଶ-ରୂପରେ, କେନୋପନିଷଦରେ ଯକ୍ଷାବତାର ପରବ୍ରହ୍ମରୂପରେ ତାଙ୍କୁ ପ୍ରତିପାଦନ କରାଯାଇଛି । ରୁଦ୍ରାଷ୍ଟାଧ୍ୟାୟୀରେ ରୁଦ୍ରରୂପରେ ତାଙ୍କର ଉପାସନା ହୋଇଛି । ଭଗବତ୍ ତତ୍ତ୍ୱର ନିଗ୍ରହ ଓ ସଂହାରପ୍ରଧାନ ନାମ ରୁଦ୍ର ତଥା ଅନୁଗ୍ରହ ପ୍ରଧାନ ନାମ ଶିବ ଅଟେ । ସେ କାଶୀରେ ଦେହତ୍ୟାଗ କରୁଥିବା ଜୀବକୁ ରାମ ମନ୍ତ୍ରର ଉପଦେଶ ଦେଇ ଭବସାଗରରୁ ପାର କରିଥାନ୍ତି । ଶିବଙ୍କର ଏହି ତାରକେଶ୍ୱର ରୂପ ସଦ୍ଗୁରୁ ରୂପ ଅଟେ । ଯିଏ ସମସ୍ତଙ୍କର ଈଶ୍ୱର, ସେ ହିଁ ତାରକ ସଦ୍ଗୁରୁ ହୋଇପାରନ୍ତି । ରାମ-କୃଷ୍ଣାଦି ରୂପରେ ମଧ୍ୟ ତାଙ୍କର ଅଭିବ୍ୟକ୍ତି ହୋଇଛି । T
Be First to Comment