Press "Enter" to skip to content

ସ୍ୟମନ୍ତକ ମଣି

Last updated on February 21, 2021

ତ୍ରେତୟା ଯୁଗର କଥା । ପ୍ରଭୁ ଶ୍ରୀରାମ ବାନର ଓ ଭଲ୍ଲୁକ ସେନା ଧରି ରାବଣ ନିଧନ କରି ସାରିଥାନ୍ତି । ଭଲ୍ଲୁକ ସେନାର ସେନାପତି ଥାଆନ୍ତି ଜାମ୍ବବାନ । ସେ ଥିଲେ ମହାନ ଯୋଦ୍ଧା । ତାଙ୍କର ଯୁଦ୍ଧ କରିବା ପାଇଁ ପ୍ରବଳ ଅଭିଳାଷ ଥିଲା । କିନ୍ତୁ ରାମ ରାବଣ ଯୁଦ୍ଧରେ ତାଙ୍କ ସନ୍ତୁଷ୍ଟି ଅନୁଯାୟୀ ସେ ଯୁଦ୍ଧ କରି ପାରି ନଥିଲେ । ଶ୍ରୀରାମ ଯୁଦ୍ଧରେ ଜାମ୍ବବାନଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ବର ମାଗିବାକୁ କହିଲେ । ଜାମ୍ବବାନଙ୍କୁ ସୁଯୋଗ ମିଳିଗଲା ସେ କହିଲେ,ପ୍ରଭୁ ମୁଁ ଆପଣଙ୍କୁ ଗୋଟିଏ ପ୍ରାର୍ଥନା କରୁଛି,ମୋତେ ଥରେ ମାତ୍ର ଆପଣଙ୍କ ଭଳି ଯୋଦ୍ଧା ସହିତ ଯୁଦ୍ଧ କରିବାର ସୁଯୋଗ ଦିଅନ୍ତୁ । ପ୍ରଭୁ ତାଙ୍କୁ ତଥାସ୍ତୁ କରି କହିଲେ, ତୁମେ ମୋ ସହିତ ଯୁଦ୍ଧ କରିବାର ସୁଯୋଗ ପାଇବ । କିନ୍ତୁ ଏହା ସମ୍ଭବ ହେବ ଦ୍ୱାପର ଯୁଗରେ ଯେତେବେଳେ ମୁଁ କୃଷ୍ଣ ଅବତାର ଗ୍ରହଣ କରିବି । ଭଗବାନ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପରେ ଜାମ୍ବବାନ ଅରଣ୍ୟ ମଧ୍ୟରେ ଏକ ଗିରି ଗହ୍ୱର ମଧ୍ୟରେ ପ୍ରଭୁଙ୍କୁ ଧ୍ୟାନ କରି ନିବାସ କରୁଥିଲେ ।
ତ୍ରେତୟା ଯାଇ ଦ୍ୱାପର ଯୁଗ ଆସିଲା । ଭଗବାନ,କୃଷ୍ଣ ଅବତାର ଗ୍ରହଣ କରି ଧରାବତରଣ କଲେ । କଂସ ନିଧନ ପରେ ଶ୍ରୀକୃଷ୍ଣ କଂସ ଶ୍ୱଶୁର ଜରାସନ୍ଧ ଆକ୍ରମଣରେ ଅତିଷ୍ଠ ହୋଇ ମଥୁରା ଛାଡ଼ି ଦ୍ଵାରକା ଯାଇ ସେଠାରେ ସିନ୍ଧୁ ପରିବେଷ୍ଟିତ ଦ୍ଵାରକାପୁରୀ ନିର୍ମାଣ କରି ଯଦୁବଳଙ୍କ ସହ ନିବାସ କଲେ ।
ଯଦୁବଂଶରେ ଶକ୍ରାଜିତ ବୋଲି ଜଣେ ବଡ଼ ଧର୍ମାତ୍ମା ଓ ସୂର୍ଯ୍ୟ ଭକ୍ତ ପୁରୁଷ ଥିଲେ । ତାଙ୍କ ଭକ୍ତିରେ ତୃପ୍ତ ହୋଇ ସୂର୍ଯ୍ୟଦେଵ ତାଙ୍କୁ ଏକ ମଣି ପ୍ରଦାନ କରିଥିଲେ ।

ଅନେକ ତପେ ସତ୍ରାଜିତ । ସୂର୍ଯ୍ୟ ସଙ୍ଗତେ ହେଲା ମିତ୍ର ।

ମଣିର ନାମ ଥିଲା ସ୍ୟମନ୍ତକମଣି । ଏହାର ଏକ ବିଶେଷତ୍ୱ ଥିଲା, ଶକ୍ରାଜିତ ପ୍ରତିଦିନ ମାଗିବା ଅନୁଯାୟୀ ଧନରତ୍ନ ସହ ଅତି କମରେ ଆଠ ଭାର ସୁଵର୍ଣ୍ଣ ଉତ୍ପନ୍ନ କରିପାରୁ ଥିଲା । ଏହି ମଣିରୁ ବିଛୁରିତ ହେଉଥିଲା ସୂର୍ଯ୍ୟପ୍ରଭା ଭଳି ଅଦ୍ଭୁତ ରଶ୍ମି । ଏଥିରୁ ବିଛୁରିତ ରଶ୍ମି ପ୍ରଭାବରେ ଶକ୍ରାଜିତଙ୍କୁ କେହି ଦୂରରୁ ଦେଖି ପାରୁ ନଥିଲେ । କଥା କ୍ରମେ ଯାଇ ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚିଲା । ପ୍ରଭୁ ଶ୍ରୀକୃଷ୍ଣ ଯାଇ ଶକ୍ରାଜିତଙ୍କୁ ପ୍ରସ୍ତାବ ଦେଲେ , ଏ ଦୁର୍ଲ୍ଲଭ ମଣିକୁ ଆପଣ ଦ୍ୱାରିକା ରାଜକୋଷକୁ ପ୍ରଦାନ କରନ୍ତୁ । କାରଣ ଏଥିରୁ ଉତ୍ପନ୍ନ ଧନ ରାଜ୍ୟ କଲ୍ୟାଣରେ ବ୍ୟୟିତ ହେବ । ଆପଣ ତଥା ରାଜ୍ୟବାସୀ ସମସ୍ତେ ସୁଖ ଶାନ୍ତିରେ ରହିବେ । କିନ୍ତୁ ସର୍ବଜନ ହିତାୟ ଭଗବାନଙ୍କ ଏହି ପ୍ରସ୍ତାବରେ ରାଜି ହେଲାନାହିଁ ହତଭାଗ୍ୟ ଶକ୍ରାଜିତ । ମଣିକୁ ଘରେ ରଖି ଉତ୍ପନ୍ନ ଧନରେ ସୁଖରେ କାଳାତିପାତ କରୁଥାଏ ।


ଶକ୍ରାଜିତର ସାନଭାଇ ଥାଏ ପ୍ରସେନଜିତ । ଏକଦା ପ୍ରସେନଜିତ ମଣିଟିକୁ ଗଳାରେ ପକାଇ ଜଙ୍ଗଲକୁ ମୃଗୟା ଉଦ୍ଦ୍ୟଶ୍ୟରେ ବାହାରି ଗଲେ । ମୃଗୟା ବିନୋଦ ସାରି ସନ୍ଧ୍ୟାରେ ଫେରୁଥାନ୍ତି,ଏକ ହିଂସ୍ର ସିଂହ ହାବୁଡ଼ରେ ପଡିଲେ । ଚମକୁ ଥିବା ମଣିକୁ ଗୋଟିଏ ମାଂସ ପିଣ୍ଡୁଳା ଭାବି ସିଂହ ତାଙ୍କୁ ଆକ୍ରମଣ କଲା । ପ୍ରସେନଜିତ ଓ ତାଙ୍କ ଘୋଡାକୁ ମାରି ସେ ମଣିକୁ ନେଇ ପଳାଇଗଲା । ସିଂହ କିଛି ବାଟ ଯାଇଛି ଏକ ବିରାଟକାୟ ଭଲ୍ଲୁକ ତା ଆଡ଼କୁ ମାଡ଼ି ଆସିଲା । ଏହି ଭାଲୁ ଥିଲା ଭଲ୍କୁକ ରାଜ ଜାମ୍ବବାନ । ସିଂହ ପାଖରେ ମଣିକୁ ଦେଖି ଜାମ୍ବବାନ ତାଙ୍କ ପିଲାଙ୍କ ଖେଳିବା ପାଇଁ ସିଂହକୁ ମଣି ଦେବା ପାଇଁ କହିଲେ । ସିଂହ ମନା କରିବାରୁ ଦୁଇ ଜଣଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ହୋଇ ସିଂହ ନିହତ ହେଲା । ଜାମ୍ବବାନ ସ୍ୟମନ୍ତକ ମଣିକୁ ଧରି ନିଜ ଗୁମ୍ଫାକୁ ପ୍ରବେଶ କଲେ । ତାଙ୍କ ପିଲା ମାନେ ମଣିଟିକୁ ନେଇ ବେଶ ଖୁସିରେ ଖେଳିବାକୁ ଲାଗିଲେ ।
ଏପଟେ ଶକ୍ରାଜିତ ସାନଭାଈ ପ୍ରସେନଜିତ ନ ଫେରିବାରୁ ବହୁତ ଖୋଜା ଖୋଜି କରି କିଛି ସନ୍ଧାନ ପାଇଲେ ନାହିଁ । ତାଙ୍କ ମନରେ ସନ୍ଦେହ ଆସିଲା ଶ୍ରୀକୃଷ୍ଣ ମଣିଟିକୁ ମାଗୁଥିଲେ ହୁଏତ ସେ କିଛି ଅଘଟଣ ଘଟେଇ ଥିବେ । ଏହା ଚିନ୍ତାକରି ସେ କ୍ରମେ ଶ୍ରୀକୃଷ୍ଣଙ୍କର ବଦନାମ କରିବାକୁ ଲାଗିଲା । କଥା ଆସି ଦ୍ଵାରିକାଧିଶଙ୍କ ପାଖରେ ପହଁଞ୍ଚୀଲା । ଭଗବାନ ଶ୍ରୀକୃଷ୍ଣ ନିଜର ବଦନାମକୁ ସହ୍ୟ କରି ପାରିଲେ ନାହିଁ ।
ଗୋବିନ୍ଦ କଲେ ଏଡ଼େ କର୍ମ । ଲୋକରେ ଶୁଭିଲା ଲାଞ୍ଛନ ।l
ବିଷମ ଲୋକ ଅପବାଦ । ଶୁଣି ପାଇଲେ କୃଷ୍ଣ ଖେଦ ।l
ଶ୍ରୀକୃଷ୍ଣ ନିଜର ଏ ଅପବାଦକୁ ଦୂର କରିବା ପାଇଁ ସୈନ୍ୟ ସାମନ୍ତ ଧରି ଜଙ୍ଗଲକୁ ବାହାରିଲେ ପ୍ରସେନଜିତକୁ ଖୋଜିବା ପାଇଁ । ବହୁ ଚେଷ୍ଟା କରି ପ୍ରସେନଜିତକୁ ପାଇଲେ ନାହିଁ । ଇତ୍ୟବସରେ ସେ ଗୋଟିଏ ସ୍ଥାନରେ ପ୍ରସେନଜିତ ଓ ତା ଘୋଡ଼ା ମରି ପଡିଥିବାର ଦେଖିଲେ । ପାଖରେ ସିଂହର ପାଦ ଚିହ୍ନ ପଡ଼ିଛି । ସେ ବୁଝିଗଲେ, ସିଂହ ହିଁ ଏମାନଙ୍କୁ ମାରି ମଣି ନେଇଯାଇଛି । ସେ ସିଂହର ପାଦ ଚିହ୍ନକୁ ଅନୁସରଣ କରି କିଛିବାଟ ଯାଇ ଦେଖିଲେ ସିଂହଟି ମରି ପଡ଼ିଛି ଏବଂ ସେଠାରେ ଭାଲୁର ପାଦ ଚିହ୍ନ ପଡ଼ିଛି । ଏ ରହସ୍ୟ ଜାଣିବା ପାଇଁ ସେ ଭାଲୁର ପାଦ ଚିହ୍ନକୁ ଅନୁସରଣ କରି ଯାଇ ପହଞ୍ଚିଲେ ସେହି ଗୁମ୍ଫା ନିକଟରେ ଯେଉଁଠି ଜାମ୍ବବାନ ନିବାସ କରୁଥିଲେ । ସମସ୍ତଙ୍କୁ ବାହାରେ ରହିବାକୁ କହି ଭଗବାନ ଶ୍ରୀକୃଷ୍ଣ ଗୁମ୍ଫାରେ ପ୍ରବେଶ କଲେ । ସେ ଗୁମ୍ଫାରେ ପଶି ଦେଖିଲେ ଭଲ୍ଲୁକ ମହାରାଜ ଜାମ୍ବବାନଙ୍କ ପାଖରେ ମଣିଟି ଅଛି । ମଣିଟି ତାଙ୍କ ପୁଅ ଗଳାରେ ମାଳା କରି ପିନ୍ଧିଛି ।
ତାହାର ପୁତ୍ର କଣ୍ଠେ ମଣି । ଦୂରୁ ଦେଖିଲେ ଚକ୍ରପାଣି ।l
ସେ ଜାମ୍ବବାନଙ୍କୁ ମଣି ଫେରାଇ ଦିଅ ବୋଲି ଅନୁରୋଧ କଲେ । ଜାମ୍ବବାନ ଏହାକୁ ଅସ୍ବୀକାର କରିବାରୁ ଦୁହିଁଙ୍କ ମଧ୍ୟରେ 18 ଦିନ ବ୍ୟାପି ପ୍ରବଳ ସଂଗ୍ରାମ ହେଲା ।
ଏମନ୍ତେ ଅଷ୍ଟାଦଶ ଦିନ । ସମର କଲେ ବେନିଜନ ।l
ଶ୍ରୀକୃଷ୍ଣ ଜାମ୍ବବାନର ବଜ୍ରମୁଷ୍ଟି ପ୍ରହାରରେ ସଂଜ୍ଞା ହରାଇ ଭୂପତିତ ହୋଇଥାନ୍ତି । ଏପଟେ ଶ୍ରୀକୃଷ୍ଣ ବାରଦିନ ପର୍ଯ୍ୟନ୍ତ ଗୁମ୍ଫା ମଧ୍ୟରୁ ନ ବାହାରିବା ଦେଖି ତାଙ୍କର ଅନୁଚର ଓ ଵଂଶର ଲୋକମାନେ ପ୍ରଭୁ ମୃତ ଭାବି ଦ୍ୱାରକା ପୁରୀ ଫେରିଯାଇ ତାଙ୍କର ଶୁଦ୍ଧିକ୍ରିୟା ନିମନ୍ତେ ଆୟୋଜନ କଲେ ।
ବଞ୍ଚିଲେ ଦ୍ୱାଦଶ ଦିବସ । ନଦେଖି ହୋଇଲେ ନିରାଶ ।l
ଶ୍ରାଦ୍ଧରେ ପୁତ୍ର ପ୍ରଦ୍ୟୁମ୍ନ ପିଣ୍ଡଦାନ କଲେ । ସେ ପିଣ୍ଡ ଅନ୍ତରୀକ୍ଷରେ ଉଡ଼ି ଯାଇ ଶ୍ରୀକୃଷ୍ଣଙ୍କ ପାଟିରେ ପଡ଼ିବାରୁ ସେ ନିଜର ଶକ୍ତି ଫେରି ପାଇଲେ । ମାଡ଼ି ବସିଥିବା ଜାମ୍ବବାନଙ୍କୁ ଉଠାଇ ଫିଙ୍ଗି ଦେଇ ସେ ତାକୁ ପ୍ରବଳ ମୁଷ୍ଟି ଘାତ କଲେ । ଜୀବନରେ କେବେହେଲେ ଏଭଳି ପରାସ ନ ପାଇଥିବା ଜାମ୍ବବାନ କୃଷ୍ଣଙ୍କୁ ପଚାରିଲେ ତୁ କିଏ କହ । ଆଜି ଯାଏ ମୋତେ କେହି ଯୁଦ୍ଧରେ ପରାସ୍ତ କରି ନାହାଁନ୍ତି । ତହୁଁ ଶ୍ରୀକୃଷ୍ଣ ତାଙ୍କୁ ମନେ ପକାଇ ଦେଲେ ତ୍ରେତୟାର ସେହି ବରଦାନ କଥା ଏବଂ କହିଲେ ଏବେ ତୁମର ମୋ ସହିତ ଯୁଦ୍ଧ କରିବାର ସେହି ଆକାଂକ୍ଷା ପୂରଣ ହେଲା ତ ? ଜାମ୍ବବାନ ତାଙ୍କୁ ହାତଯୋଡି ବିନୟ ହୋଇ କହିଲେ, ଧନ୍ୟ ତୁମେ ପ୍ରଭୁ! ଧନ୍ୟ ତୁମ୍ଭର ଲୀଳା ! ପୁଣି ସେ ପ୍ରାର୍ଥନା କରିବାରୁ ଶ୍ରୀକୃଷ୍ଣ ତାଙ୍କୁ ତ୍ରେତୟାର ସେହି କାଣ୍ଡ କୋଦଣ୍ଡ ଧାରୀ ଶାନ୍ତ କାନ୍ତ ନବ ଦୁର୍ବାଦଳ ସମ ଶ୍ରୀରାମଙ୍କ ରୂପ ଦର୍ଶନ କରାଇ ଥିଲେ ।
ଜାମ୍ବବାନ ବିନୀତ ଭାବରେ ସ୍ୟମନ୍ତକମଣିକୁ ପ୍ରଭୁଙ୍କୁ ଅର୍ପଣପୂର୍ବକ ପ୍ରାର୍ଥନା କଲା,ପ୍ରଭୁ ମୋତେ ଆଉ ଏକ ଅନୁଗ୍ରହ କରନ୍ତୁ । ମୋର ଏକ ବିବାହ ଯୋଗ୍ୟା ରୂପବତୀ କନ୍ୟା ଅଛି,ତାର ନାଁ ଜାମ୍ବବତୀ । ଆପଣ ତାକୁ ବିବାହ କରି ତାର ଜୀବନ ଧନ୍ୟ କରନ୍ତୁ । ଭଗବାନ ଭକ୍ତର ମନ ବାଞ୍ଛା ପୂରଣ କଲେ । ସେ ଜାମ୍ବବତୀଙ୍କୁ ବିବାହ କରି ଦ୍ଵାରିକା ପୁରୀ ପ୍ରତ୍ୟାବର୍ତ୍ତନ କଲେ । ସେ ଶକ୍ରାଜିତଙ୍କୁ ତାଙ୍କ ମଣି ଫେରାଇ ଦେଲେ । ଶକ୍ରାଜିତ ମଣି ଫେରି ପାଇ ଶ୍ରୀକୃଷ୍ଣଙ୍କ ପ୍ରତି କରିଥିବା ଆକ୍ଷେପ ଜନିତ ନିଜର ଭୁଲ ବୁଝି ପାରିଲେ । ଶ୍ରୀକୃଷ୍ଣଙ୍କ ଶରଣ ପଶି ଭୁଲ ମାଗିଲେ । ମନରେ ବିଚାର କଲେ :-
ଏ ଯେ ଦୁହିତା ଅଛି ମୋର । ଅପୂର୍ଵ ସ୍ତିରୀ ରତ୍ନ ସାର ।l
ଏ ମଣି ଏହା କଣ୍ଠେ ଦେଇ । କୃଷ୍ଣଙ୍କୁ ସମର୍ପିବି ନେଇ ।l
ଏହା ବିଚାରକରି ସେ ନିଜର ପରମାସୁନ୍ଦରୀ କନ୍ୟା ସତ୍ୟଭାମାଙ୍କୁ ଶ୍ରୀକୃଷ୍ଣଙ୍କୁ ବିବାହ ଦେଲେ ଆଉ ଯୌତୁକ ସ୍ୱରୂପ ସ୍ୟମନ୍ତକମଣିକୁ ପ୍ରଦାନ କଲେ । ଦେବୀ ସତ୍ୟଭାମା ଓ ଜାମ୍ବବତୀ ଶ୍ରୀକୃଷ୍ଣଙ୍କ ଅଷ୍ଟ ପାଟବଂଶୀ ମାନଙ୍କ ମଧ୍ୟରେ ଅନ୍ୟତମା । ଅନ୍ୟ ପାଟବଂଶୀମାନେ ହେଲେ ରୁକ୍ମିଣୀ, କାଳିନ୍ଦୀ,ମିତ୍ରବିନ୍ଦ୍ୟା,ନଗ୍ନଜିତ,ଲକ୍ଷ୍ମଣା ଓ ଭଦ୍ରା ।
ସ୍ୟମନ୍ତକ ମଣି ଉପାଖ୍ୟାନକୁ ଭାଗବତକାର ଶ୍ରୀ ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଦଶମ ସ୍କନ୍ଧ ( ଦ୍ୱାରିକା ଲୀଳା ) ଷାଠିଏ ଓ ଏକଷଠି ଅଧ୍ୟାୟରେ ଅତି ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି । ଶେଷରେ ଭଗବାନ ଉବାଚରେ କହିଛନ୍ତି :-
ମଣି ପ୍ରସାଦେ ମୁଁ ବିହରି । ବିଭା ହୋଇଲି ବେନି ନାରୀ ।l
ଇତିହାସ ପ୍ରସିଦ୍ଧ କୋହିନୁର ହୀରା କଥା ସମସ୍ତେ ଜାଣନ୍ତି । ଏହି ଆଶ୍ଚର୍ଯ୍ୟ ହୀରା ଇତିହାସର ଘନଘଟା ମଧ୍ୟରେ ବିଭିନ୍ନ ସମ୍ରାଟଙ୍କ ହସ୍ତଗତ ହୋଇଛି । ପୁଣି ଦେଖା ଯାଇଛି ଏହା ଯେଉଁ ସାମ୍ରାଜ୍ୟକୁ ଯାଇଛି ସେ ସାମ୍ରାଜ୍ୟର ପତନ ଘଟିଛି । ବର୍ତ୍ତମାନ ଏହା ବ୍ରିଟିଶ ରାଣୀଙ୍କ ମୁକୁଟରେ ଶୋଭା ପାଉଛି । ଏ ହୀରାର ଏକ ସୁଦୀର୍ଘ ଇତିହାସ ରହିଛି । କୋହିନୁର ସର୍ବ ଶେଷରେ ପଞ୍ଜାବ ସାମ୍ରାଜ୍ୟ ପତନ କାଳରେ ମହାରାଜା ରଣଜିତ ସିଂହଙ୍କ ଠାରୁ ଇଂରେଜ ସାମ୍ରାଜ୍ୟକୁ ପ୍ରାପ୍ତ ହୋଇଥିଲା । ମହାରାଜା ରଣଜିତ ସିଂହ ଏହି ହୀରାକୁ ଏକଦା ଇଚ୍ଛାପତ୍ର ମାଧ୍ୟମରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରିଥିଲେ । କିନ୍ତୁ ଇତିହାସର ବିଡମ୍ବନା, ମହାପ୍ରଭୁଙ୍କ ପାଖରେ ଏହା ପହଞ୍ଚି ପାରି ନଥିଲା । ଭଗବାନ ଶ୍ରୀକୃଷ୍ଣଙ୍କୁ କେହି କେହି ଐତିହାସିକ ବ୍ୟକ୍ତିତ୍ୱ ବୋଲି କହି ସ୍ୟମନ୍ତକ ମଣିକୁ ଏହି କୋହିନୁର ହୀରା ବୋଲି ଚିହ୍ନଟ କରିଥାନ୍ତି । ଏହା ଯେ ସତ୍ୟ ନ ହୋଇଥିବ ସେ କଥା କିଏ କହିପାରିବ ?
ଧନ୍ୟ ମହାପ୍ରଭୁ ! ଧନ୍ୟ ତୁମ୍ଭର ଲୀଳା !
ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ
ହେ ନାରାୟଣ ହେ ବାସୁଦେବ ।l
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.