Last updated on February 6, 2021
ଶ୍ରୀଭଗବାନ୍ କହିଲେ, ହେ ଅର୍ଜ୍ଜୁନ ! ମୁଁ ତୁମ ନିକଟରେ ଥରକୁ ଥର ନିଜର ମାହାତ୍ମ୍ୟ କହୁଥିଲେ ହେଁ ତୁମେ ଦୋଷ ବାଛିବା ସ୍ୱଭାବବିଶିଷ୍ଟ ନ ଥିବାରୁ ମୁଁ ତୁମକୁ ଏହି ଗୁହ୍ୟତମ ପରମାତ୍ମା ବିଷୟକ ଜ୍ଞାନକୁ ବିଜ୍ଞାନ ସହିତ ଅର୍ଥାତ୍ ଉପାସନାରୂପ ଅନୁଭବକୁ କହୁଅଛି । ଏହାକୁ ଗୁହ୍ୟତମ ଏଇଥିପାଇଁ କହୁଛି ଯେ ଧର୍ମଜ୍ଞାନ ଗୁହ୍ୟ ଅଟେ । ତାହାଠୁ ଶ୍ରେଷ୍ଠ ଦେହାଦି ବ୍ୟତିରିକ୍ତ ଆତ୍ମା ବିଷୟକ ଜ୍ଞାନ ଗୁହ୍ୟତର, ପୁଣି ତତୋଽଧିକ ଶ୍ରେଷ୍ଠ ପରମାତ୍ମା ବିଷୟକ ଜ୍ଞାନ ଗୁହ୍ୟତମ ଅଟେ । ତୁମେ ଏହି ଈଶ୍ୱର ବିଷୟକ ଜ୍ଞାନକୁ ଉପାସନାରୂପ ବିଜ୍ଞାନ ସହିତ ଅବଗତ ହୋଇ ସଂସାରବନ୍ଧନରୂପ ଅଶୁଭରୁ ସହସା ମୁକ୍ତି ଲାଭ କରିପାରିବ ॥ ୧॥
ଏହି ଉପାସନାରୂୂପ ବିଜ୍ଞାନ ସହିତ ଈଶ୍ୱର ବିଷୟକ ଜ୍ଞାନ ହେଉଛି ସମସ୍ତ ବିଦ୍ୟାର ରାଜା ଅର୍ଥାତ୍ ସର୍ବଶ୍ରେଷ୍ଠ ବିଦ୍ୟା, ସମସ୍ତ ଗୋପନୀୟ ବିଷୟମାନଙ୍କର ରାଜା ଅର୍ଥାତ୍ ଅତ୍ୟନ୍ତ ଗୋପନୀୟ ବିଷୟ, ପବିତ୍ର, ଉତ୍ତମ, ପ୍ରତ୍ୟକ୍ଷ ବୋଧଗମ୍ୟ, ଧର୍ମସମ୍ମତ, ସାଧନ କରିବାକୁ ଅତି ସୁଖକର ଏବଂ ଅକ୍ଷୟ ଫଳପ୍ରଦ ହୋଇଥାଏ ॥୨॥
ହେ ଶତ୍ରୁତାପନ ଅର୍ଜ୍ଜୁନ, ଯେଉଁ ପୁରୁଷମାନଙ୍କ ଠାରେ ଏହି ଭକ୍ତି ସହିତ ଈଶ୍ୱର ଆରାଧନାରୂପ ଧର୍ମରେ ଆସ୍ତିକ୍ୟବୁଦ୍ଧି ବା ବିଶ୍ୱାସ ନ ଥାଏ, ସେମାନେ ଅନ୍ୟ କୌଣସି ଉପାୟରେ ମୋତେ ପାଇବା ପାଇଁ ଯତ୍ନକରି ସୁଦ୍ଧା ନ ପାଇ ମୃତ୍ୟୁ ପରିପୂର୍ଣ୍ଣ ସଂସାର ପଥରେ ପରିଭ୍ରମଣ କରୁଥାନ୍ତି । ସେମାନଙ୍କର ମୋକ୍ଷ ଲାଭ ହୁଏନାହିଁ ॥ ୩ ॥
ମୋର ସ୍ୱରୂପ ଅବ୍ୟକ୍ତ ଅର୍ଥାତ୍ ଇନ୍ଦ୍ରିୟଗୋଚର ଅଟେ । ମୁଁ ଆଦିକାରଣ ଥିବାରୁ ଏହି ସମସ୍ତ ଜଗତରେ ବ୍ୟାପ୍ତ ହୋଇ ରହିଛି । ଚରାଚର ଭୂତ ସକଳ କାରଣଭୂତ ମୋଠାରୁ ଉତ୍ପତ୍ତି ଲାଭ କରିଥିବାରୁ ସେମାନେ ମୋ ମଧ୍ୟରେ ଅବସ୍ଥାନ କରୁଛନ୍ତି । ମୁଁ ସେମାନଙ୍କ ମଧ୍ୟରେ ଅବସ୍ଥିତ ନ ଥାଏ ॥ ୪ ॥
ପୂର୍ବରୁ ମୁଁ କହିଛି ଯେ, ଭୂତମାନେ ମୋ ମଧ୍ୟରେ ଅବସ୍ଥାନ କରନ୍ତି । କିନ୍ତୁ ବାସ୍ତବରେ ଭୂତମାନେ ମୋ ମଧ୍ୟରେ ଅବସ୍ଥାନ କରନ୍ତି ନାହିଁ । ଏହିପରି ଦୁଇ ପ୍ରକାର ବିରୁଦ୍ଧ କଥା କହିବାର ତାତ୍ପର୍ଯ୍ୟ ଅଛି । ମୁଁ ଭୂତଭୃତ୍ ଅର୍ଥାତ୍ ଭୂତମାନଙ୍କୁ ଧାରଣ କରେ ଏବଂ ଭୂତଭାବନ ଅର୍ଥାତ୍ ଭୂତମାନଙ୍କୁ ପାଳନ କରେ ବୋଲି କହିଲି ଯେ ସେମାନେ ମୋ ମଧ୍ୟରେ ଅବସ୍ଥାନ କରନ୍ତି । କିନ୍ତୁ ମୋର ଆତ୍ମା ଅର୍ଥାତ୍ ଶ୍ରେଷ୍ଠସ୍ୱରୂପ ସହିତ ସେମାନଙ୍କର କୌଣସି ସମ୍ପର୍କ ନ ଥାଏ । ତେଣୁ ସେମାନେ ମୋ ମଧ୍ୟରେ ଅବସ୍ଥାନ କରନ୍ତି ନାହିଁ । ତେବେ ଏହା କିପରି ସମ୍ପନ୍ନ ହୁଏ ? ମୋର ଐଶ୍ୱର ଯୋଗ ଅର୍ଥାତ୍ ଅସାଧାରଣ ଯୋଗମାୟା ବଳରେ ଏହା ସଂଘଟିତ ହୋଇଥାଏ, ତୁମେ ଏହାକୁ ଅବଗତ ହୁଅ ॥ ୫ ॥
ଯେମିତି ଅବୟବ ହୀନ ବାୟୁ ସର୍ବତ୍ର ବ୍ୟାପ୍ତ ଏବଂ ମହାନ୍ ହୋଇଥିଲେ ସୁଦ୍ଧା ଆକାଶରୂପ ଆଧାର ମଧ୍ୟରେ ସର୍ବଦା ଅସଂଶ୍ଲିଷ୍ଟ ଭାବରେ ରହିଥାଏ, ଅର୍ଥାତ୍ ବାୟୁ ଏବଂ ଆକାଶ ମଧ୍ୟରେ କୌଣସି ସମ୍ପର୍କ ନ ଥାଏ, ସେହିପରି ମୁଁ ସମସ୍ତ ଭୂତଙ୍କ ଆଧାର ହୋଇଥିଲେ ସୁଦ୍ଧା ମୋ ମଧ୍ୟରେ ସେମାନେ ଅସଂଶ୍ଳିଷ୍ଟ ଭାବରେ ରହିଥାନ୍ତି, ଅର୍ଥାତ୍ ମୋର ନିରାକାର ରୂପ ସହିତ ସେମାନଙ୍କର ସମ୍ବନ୍ଧ ନ ଥାଏ ॥ ୬ ॥
ହେ ଅର୍ଜ୍ଜୁନ ! ବ୍ରହ୍ମାଙ୍କ ଅହୋରାତ୍ର ରୂପ କଳ୍ପର କ୍ଷୟକାଳରେ ଅର୍ଥାତ୍ ବ୍ରହ୍ମାଙ୍କ ରାତ୍ରି କାଳରେ ପ୍ରଳୟ ହେଲେ ସମସ୍ତ ଭୂତମାେନ ମୋର ପ୍ରକୃତି ଅର୍ଥାତ୍ ତ୍ରିଗୁଣାତ୍ମିକା ମାୟାରେ ଲୀନ ହୋଇ ରହିଥାନ୍ତି, ପୁଣି କଳ୍ପର ପ୍ରାରମ୍ଭରେ ଅର୍ଥାତ୍ ବ୍ରହ୍ମାଙ୍କ ଦିବସକାଳରେ ମୁଁ ସେମାନଙ୍କୁ ପ୍ରକାଶିତ ହେବାପାଇଁ ଛାଡିଦିଏ ॥ ୭ ॥
ମୁଁ ସ୍ୱକୀୟ ତ୍ରିଗୁଣାତ୍ମିକା ମାୟାରୂପ ପ୍ରକୃତିରେ ଅଧିଷ୍ଠାନ କରି ପୂର୍ବଜନ୍ମର କର୍ମାନୁସାରେ ଯେଉଁମାନେ ଯେଉଁ ସ୍ୱଭାବର ଅଧୀନ ଥାଆନ୍ତି, ସେହି ସ୍ୱଭାବ ଅନୁସାରେ ଏହି ସମସ୍ତ ସ୍ୱତନ୍ତ୍ରତା ରହିତ ଭୂତମାନଙ୍କୁ ପ୍ରକାଶିତ ହେବା ପାଇଁ ଛାଡିଦିଏ ॥ ୮ ॥
ଉକ୍ତ ବିଶ୍ୱ ସୃଷ୍ଟିରୂପ କର୍ମମାନଙ୍କରେ ମୋର ଆସକ୍ତି କିମ୍ବା କର୍ତ୍ତୃତ୍ୱାଭିମାନ ନ ଥାଏ ଏବଂ ମୁଁ ଉଦାସୀନ ପରି ବିଦ୍ୟମାନ ରହି ସେହି କର୍ମମାନ ସମ୍ପନ୍ନ କରେ, ତେଣୁ ଆସକ୍ତି ଏବଂ କର୍ତ୍ତୃତ୍ୱ ଅଭାବରୁ ସେହି ସମସ୍ତ କର୍ମ ମୋତେ ବନ୍ଧନ କରିପାରନ୍ତି ନାହିଁ ଅର୍ଥାତ୍ ମୁଁ କର୍ମର ଆୟତ୍ତ ହୁଏନାହିଁ ॥ ୯ ॥
ମୁଁ ଏହି ସୃଷ୍ଟି ରଚନାରେ ଅଧ୍ୟକ୍ଷ ଅର୍ଥାତ୍ ଅଧିଷ୍ଠାତା ରୂପେ ଥାଏ ଏବଂ ମୋର ସନ୍ନିଧାନରେ ମୋର ପ୍ରକୃତି ଅର୍ଥାତ୍ ତ୍ରିଗୁଣାତ୍ମିକା ମାୟା କେବଳ ନିମିତ୍ତମାତ୍ର ହୋଇ ଏହି ସଚରାଚର ବିଶ୍ୱକୁ ଜାତ କରେ । ମୋର ଏହି ଅଧିଷ୍ଠାନରୂପ କାରଣରୁ ଜଗତ ପୁନଃ ପୁନଃ ଉତ୍ପନ୍ନ ହେଉଛି ॥ ୧୦ ॥
ମୁଁ ଏହି ସମସ୍ତ ବିଶ୍ୱସୃଷ୍ଟିର ମୂଳକାରଣ ହୋଇଥିବାରୁ ସମସ୍ତ ଭୂତମାନଙ୍କ ମହାପ୍ରଭୁ ଅଟେ । ମୋର ଏହି ପରମ ତତ୍ତ୍ୱକୁ ମୋହଗ୍ରସ୍ତ ଲୋକମାନେ ବୁଝିପାରନ୍ତି ନାହିଁ । ତେଣୁ ସେମାନେ ମନୁଷ୍ୟରୂପ ଧାରଣ କରିଥିବା ମୋତେ ସାଧାରଣ ମନୁଷ୍ୟ ବୋଲି ଭାବି ଅବଜ୍ଞା କରନ୍ତି ॥ ୧୧ ॥
ସେହି ମୋହଗ୍ରସ୍ତ ବ୍ୟକ୍ତିମାନେ ଆଶା କରନ୍ତି ଯେ ମୋତେ ଛାଡି ଅନ୍ୟ ଦେବତାଙ୍କୁ ପୂଜାକଲେ ଶୀଘ୍ର କର୍ମଫଳ ପ୍ରାପ୍ତ ହୁଏ । ତେଣୁ ସେମାନେ ମୋତେ ଆରାଧନା ନ କରିବାରୁ ସେମାନଙ୍କର ଏପରି ଆଶା ବୃଥା ହୁଏ । ମୋ ପ୍ରତି ବିମୁଖ ଥିବାରୁ ସେମାନଙ୍କର କର୍ମ ବିଫଳ ହୁଏ । ନାନା କୁତର୍କ ମିଶ୍ରିତ ଥବାରୁ ସେମାନଙ୍କର ଶାସ୍ତ୍ରଜ୍ଞାନ ବିଫଳ ହୁଏ । ଅତଏବ ସେମାନଙ୍କର ଚିତ୍ତ ବିଚଳିତ ହୁଏ । ସେମାନେ ହିଂସାଦି ତମୋଗୁଣ ପ୍ରଧାନ ରାକ୍ଷସୀ ପ୍ରକୃତି ଏବଂ କାମଦର୍ପାଦି ରଜୋଗୁଣ ପ୍ରଧାନ ଆସୁରୀ ପ୍ରକୃତିକୁ ଆଶ୍ରୟ କରିଥାନ୍ତି । ଏହି ଉଭୟ ପ୍ରକୃତି ମୋହ ଅର୍ଥାତ୍ ବୁଦ୍ଧି ଭ୍ରଂଶ କରନ୍ତି । ତେଣୁ ସେମାନେ ମୋତେ ବୁଝିନପାରି ଅବଜ୍ଞା କରନ୍ତି ॥ ୧୨ ॥
କାମକ୍ରୋଧାଦି ରିପୁମାନଙ୍କୁ ଜୟ କରିଥିବା ମହାତ୍ମା ପୁରୁଷମାନେ ସତ୍ତ୍ୱଗୁଣପ୍ରଧାନ ଦୈବୀ ପ୍ରକୃତିକୁ ଆଶ୍ରୟ କରିଥିବାରୁ ଈଶ୍ୱର ଆରାଧନା ପରାୟଣ ହୁଅନ୍ତି । ତେଣୁ ସେମାନେ ମୋଠାରୁ ସ୍ୱତନ୍ତ୍ର ଅନ୍ୟ କାହାରି ଉପାସନାରେ ମନ ନଦେଇ ମୋତେ ସମସ୍ତ ଭୂତମାନଙ୍କର ଆଦିକାରଣ ଏବଂ ନିତ୍ୟ ବୋଲି ଜାଣି ଉପାସନା କରନ୍ତି ॥ ୧୩ ॥
କେହି କେହି ମୋର ନାମ ଏବଂ ଗୁଣକୁ ସ୍ତୋତ୍ରମନ୍ତ୍ରାଦି ଦ୍ୱାରା କୀର୍ତ୍ତନ କରି, କେହି କେହି ଦୃଢ ନିୟମ ପାଳନ କରି ଇନ୍ଦ୍ରିୟ ସଂଯମ ପୂର୍ବକ ମୋର ତତ୍ତ୍ୱ ଅବଗତ ହେବା ନିମିତ୍ତ ପ୍ରଯତ୍ନ କରି, କେହି କେହି ମୋତେ ପ୍ରଣାମ କରି ଏବଂ କେହି କେହି ଅନନ୍ୟ ଭକ୍ତିରେ ମୋ ଠାରେ ଚିତ୍ତ ଅର୍ପଣକରି ମୋର ଧ୍ୟାନରେ ଯୁକ୍ତରହି ଉପାସନା କରନ୍ତି ॥ ୧୪ ॥
ଆହୁରି ମଧ୍ୟ ଅନ୍ୟ କେହି କେହି ମୋର ବିରାଟ ସ୍ୱରୂପକୁ ସର୍ବାତ୍ମଦର୍ଶନ ଜ୍ଞାନରୂପ ଯଜ୍ଞଦ୍ୱାରା ପୂଜା କରି ମୋର ଉପାସନା କରନ୍ତି । କେହି କେହି ଏକତ୍ୱ ଭାବନା ଦ୍ୱାରା ଅର୍ଥାତ୍ ଏହି ସଂସାରରେ ଯାହା କିଛି ଅଛି ସବୁକିଛି ପରବ୍ରହ୍ମ ଏହି ପ୍ରକାର ଅଭେଦ ଭାବନା ଦ୍ୱାରା ପୁଣି କେହି କେହି ପୃଥକ୍ ଭାବନା ଦ୍ୱାରା ଅର୍ଥାତ୍ ଈଶ୍ୱର ସ୍ୱାମୀ ଏବଂ ମୁଁ ତାହାଙ୍କ ସେବକ ବା ଦାସ ଏ ପ୍ରକାର ଭାବନା ଦ୍ୱାରା ଏବଂ ଅନ୍ୟ କେହି କେହି ସର୍ବାତ୍ମକ ଭାବରେ ମୋତେ ବ୍ରହ୍ମା, ରୁଦ୍ରାଦି ବହୁବିଧ ରୂପରେ ଉପାସନା କରନ୍ତି ॥ ୧୫ ॥
ମୁଁ ଶୌଚ କର୍ମରେ ଅଗ୍ନିସ୍ତୋମାଦି ଯଜ୍ଞ, ମୁଁ ସ୍ମାର୍ତ୍ତ କର୍ମରେ ପଞ୍ଚ ମହାଯଜ୍ଞ, ମୁଁ ପିତୃକର୍ମରେ ସ୍ୱଧା ଅର୍ଥାତ୍ ପିତୃ ପୁରୁଷମାନଙ୍କୁ ଅର୍ପିତ ହେବା ଅନ୍ନ, ମୁଁ ଔଷଧ ଅର୍ଥାତ୍ ଔଷଧୀ ବା ଗଛମାନଙ୍କରୁ ଉତ୍ପନ୍ନ ହେଉଥିବା ଖାଦ୍ୟ(କିମ୍ବା ରୋଗମୁକ୍ତିର ଔଷଧ), ମୁଁ ଯଜ୍ଞରେ ପୁରୋହିତଙ୍କ ଉଚ୍ଚାରିତ ମନ୍ତ୍ର, ମୁଁ ଘୃତ, ମୁଁ ଅଗ୍ନି ଏବଂ ମୁଁ ହୋମରୂପ କ୍ରିୟା ଅଟେ ॥ ୧୬॥ ମୁଁ ଏହି ଜଗତର ପିତା, ମାତା, କର୍ମଫଳବିଧାତା, ପିତାମହ, ଜ୍ଞେୟବସ୍ତୁ, ପ୍ରାୟଶ୍ଚିତ୍ତାଦି ଦ୍ୱାରା ପବିତ୍ରକାରୀ ଓଁକାର(ନାଦବ୍ରହ୍ମ), ଋକ୍ ବେଦ, ସାମ୍ ବେଦ ଏବଂ ଯଜୁର୍ବେଦ ଅର୍ଥାତ୍ ମୁଁ ଏହି ଜଗତର ସମସ୍ତ ବିଷୟ ଅଟେ ॥ ୧୭ ॥
ମୁଁ ଏହି ଜଗତର ଗତି ଅର୍ଥାତ୍ ପ୍ରାପ୍ତ ହେବା ଯୋଗ୍ୟ କର୍ମଫଳ, ଭରଣପୋଷଣକାରୀ, ନିୟନ୍ତ୍ରଣକାରୀ ପ୍ରଭୁ, ଶୁଭାଶୁଭ ଦେଖୁଥିବା ସାକ୍ଷୀ, ଭୋଗର ସ୍ଥଳ, ରକ୍ଷା ନିମିତ୍ତ ଶରଣଦାତା, କୌଣସି ପ୍ରତ୍ୟୁପକାରର ଆଶା ନ ରଖି ହିତକାରୀ ସୁହୃତ୍, ସୃଜନକାରୀ, ସଂହାରକର୍ତ୍ତା, ରହିବାସ୍ଥାନ ଅର୍ଥାତ୍ ଆଧାର, ନିଧାନ (ଅର୍ଥାତ୍ ପ୍ରଳୟ କାଳରେ ସମ୍ପୂର୍ଣ୍ଣ ଭୂତ ସୂକ୍ଷ୍ମରୂପରେ ମୋଠାରେ ଲୀନ ହୁଅନ୍ତି) ଏବଂ ଅବିନାଶୀ ମୂଳକାରଣ ଅଟେ ॥ ୧୮ ॥
ହେ ଅର୍ଜ୍ଜୁନ, ମୁଁ ସୂର୍ଯ୍ୟ ରୂପରେ ଜଗତକୁ ଉତ୍ତାପ ଦାନ କରେ, ମେଘରୂପରେ ଜଗତରେ ଜଳ ବର୍ଷଣକରେ ପୁଣି କେବେ କେବେ ତାହାକୁ ଆକର୍ଷଣ କରିନେଇ ଜଳ ବର୍ଷଣ କରେନାହିଁ, ମୁଁ ଅମୃତ ଅର୍ଥାତ୍ ଜଗତର ଜୀବନ, ମୃତ୍ୟୁ ଅର୍ଥାତ୍ ବିନାଶର କାରଣ, ସତ୍ ଅର୍ଥାତ୍ ସ୍ଥୂଳାକାରରେ ନୟନଗୋଚର ହୁଏ ଏବଂ ଅସତ୍ ଅର୍ଥାତ୍ ସୂକ୍ଷ୍ମ ରୂପରେ ନୟନଗୋଚର ହୁଏନାହିଁ । ଏହିପରି ବହୁବିଧ ରୂପରେ ମୋତେ କେହି କେହି ଉପାସନା କରିଥାନ୍ତି ॥ ୧୯ ॥ (ଯାହାକି ମୁଁ ଏଥିପୂର୍ବେ ଶ୍ଳୋକ-୧୫ ରେ କହିଛି ।)
ଋକ୍, ସାମ ଏବଂ ଯଜୁର୍ବେଦ, ଏହି ତିନି ବେଦରେ ବିଧାନ କରାଯାଇଥିବା ସକାମ ଯଜ୍ଞ କର୍ମ ପରାୟଣ ବ୍ୟକ୍ତିମାନେ ମୋତେ ଯଜ୍ଞାନୁଷ୍ଠାନାଦି ଦ୍ୱାରା ପୂଜାକରି ଯଜ୍ଞ ଶେଷ ସୋମରସ ପାନ କରି ପାପ ବିମୁକ୍ତ ହୋଇ ସ୍ୱର୍ଗଲୋକକୁ ଯିବାପାଇଁ ପ୍ରାର୍ଥନା କରନ୍ତି । ସେମାନେ ଅନୁଷ୍ଠିତ ଯଜ୍ଞର ପୁଣ୍ୟଫଳରୂପ ସ୍ୱର୍ଗଲୋକକୁ ଗମନ କରି େସଠାରେ ଅତି ଉତ୍ତମ ଦେବଭୋଗ ସବୁକୁ ଭୋଗ କରନ୍ତି ॥ ୨୦ ॥
ସ୍ୱର୍ଗଲାଭ କାମନା କରୁଥିବା ସେହି ବ୍ୟକ୍ତିମାନେ ସ୍ୱର୍ଗଲୋକରେ ବିପୁଳ ସୁଖ ଭୋଗ କରି ସେମାନଙ୍କ ଭୋଗର କାରଣ ପୁଣ୍ୟ କ୍ରମଶଃ କ୍ଷୀଣ ହୋଇ ଆସିଲେ ଜନ୍ମ ମରଣାଧୀନ ମର୍ତ୍ତ୍ୟଲୋକରେ ପୁଣି ପ୍ରବେଶ କରନ୍ତି । ଏହିପରି ଯେଉଁମାନେ ତିନିବେଦରେ ବିହିତ ହୋଇଥିବା ସକାମ ଯଜ୍ଞାନୁଷ୍ଠାନରୂପ ଧର୍ମକୁ ଆଶ୍ରୟ କରନ୍ତି, ସେମାନଙ୍କର ଭୋଗକାମନା ଥିବାରୁ ସେମାନେ ମର୍ତ୍ତ୍ୟଲୋକ ଏବଂ ସ୍ୱର୍ଗଲୋକ ମଧ୍ୟରେ ପୁନଃ ପୁନଃ ଯାତାୟାତ କରନ୍ତି ଅର୍ଥାତ୍ ସେମାନେ ସକାମ କର୍ମାନୁଷ୍ଠାନ ହେତୁରୁ ଜନ୍ମମରଣର ଅଧୀନ ଥାଇ ମୋକ୍ଷଲାଭ କରିପାରନ୍ତି ନାହିଁ ॥ ୨୧॥ ଯେଉଁ ବ୍ୟକ୍ତିମାନେ ମୋ ଭିନ୍ନ ଅନ୍ୟ କାହାରି ପ୍ରତି ଶ୍ରଦ୍ଧାବାନ୍ ନ ହୋଇ କେବଳ ମୋତେ ଧ୍ୟାନ କରି ଉପାସନା କରନ୍ତି, ସେହି ମୋଠାରେ ଏକନିଷ୍ଠ ରହୁଥିବା ବ୍ୟକ୍ତିମାନଙ୍କର ମୁଁ ‘ଯୋଗ’ ଅର୍ଥାତ୍ ଅପ୍ରାପ୍ତ ବସ୍ତୁର ପ୍ରାପ୍ତି ଏବଂ କ୍ଷେମ’ ଅର୍ଥାତ୍ ସେହି ପ୍ରାପ୍ତ ବସ୍ତୁର ସଂରକ୍ଷଣ ଅଥବା ‘ଯୋଗକ୍ଷେମ’ ଯାହାକି ମୋକ୍ଷ ପ୍ରାପ୍ତ କରାଇଥାଏ । (ଅନ୍ୟ ପ୍ରକାରେ ଭଗବତ୍ ସ୍ୱରୂପ ପ୍ରାପ୍ତିକୁ ‘ଯୋଗ’ ଏବଂ ସେଥିନିମିତ୍ତ କରାଯାଇଥିବା ସାଧନର ରକ୍ଷାକୁ ‘କ୍ଷେମ’ ବୋଲାଯାଏ ।) ॥ ୨୨ ॥
େହ କୌନ୍ତେୟ ! ଶ୍ରଦ୍ଧାର ସହିତ ଅର୍ଥାତ୍ ଆସ୍ତିକ୍ୟ ବୁଦ୍ଧିଯୁକ୍ତ ହୋଇ ଯେଉଁ ସକାମ ଭକ୍ତମାନେ ଇନ୍ଦ୍ର ପ୍ରଭୃତି ଅନ୍ୟ ଦେବତାମାନଙ୍କର ଉପାସନା କରନ୍ତି, ସେମାନେ ମୋତେ ହିଁ ପୂଜା କରିଥାନ୍ତି । କିନ୍ତୁ ସେମାନେ ବିଧିହୀନ ଭାବରେ ଅର୍ଥାତ୍ ମୋକ୍ଷଲାଭ କରିବାର ତତ୍ତ୍ୱକୁ ନ ଜାଣି ମୋତେ ପୂଜା କରିବାରୁ ମୋକ୍ଷ ଲାଭ କରିପାରନ୍ତି ନାହିଁ । ତେଣୁ ସେମାନଙ୍କର ପୁନରାବୃତ୍ତି ଘଟେ ଅର୍ଥାତ୍ ସେମାନେ ଜନ୍ମ ମରଣର ଅଧୀନ ହୁଅନ୍ତି ॥ ୨୩ ॥
ଇନ୍ଦ୍ରାଦି ଦେବତାଙ୍କ ପ୍ରୀତ୍ୟର୍ଥେ ଯେଉଁ ସମସ୍ତ ଯଜ୍ଞ ଅନୁଷ୍ଠିତ ହୁଏ, ସେହି ସମସ୍ତ ଯଜ୍ଞର ମୁଁ ଭୋକ୍ତା ଅର୍ଥାତ୍ ଯଜ୍ଞାର୍ପିତ ବସ୍ତୁମାନଙ୍କୁ ଭୋଗକରେ ଏବଂ ପ୍ରଭୁ ଅର୍ଥାତ୍ ଫଳଦାତା ଅଟେ । କିନ୍ତୁ ସେମାନେ ମୋର ଏହି ତତ୍ତ୍ୱକୁ ଜାଣନ୍ତି ନାହିଁ ଅର୍ଥାତ୍ ମୁଁ ଯେ ସର୍ବଦେବତାମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ରୂପେ ବିରାଜିତ ହୋଇ ଯଜ୍ଞଭୋଗ କରେ ଏବଂ ତହିଁରେ ଫଳ ପ୍ରଦାନକରେ ଏହା ସେମାନେ ଜାଣନ୍ତି ନାହିଁ । ସେମାନେ ଏହା ବିଦିତ ନ ଥିବାରୁ ସ୍ୱର୍ଗଭ୍ରଷ୍ଟ ହୋଇ ସଂସାରରେ ପତିତ ହୁଅନ୍ତି ଅର୍ଥାତ୍ ପୁନର୍ଜନ୍ମ ଗ୍ରହଣ କରନ୍ତି ॥ ୨୪ ॥
ଯେଉଁ ବ୍ୟକ୍ତିମାନେ ଯଜ୍ଞଦ୍ୱାରା ଇନ୍ଦ୍ରାଦି ଦେବତାମାନଙ୍କୁ ଉପାସନା କରନ୍ତି, ସେମାନେ ଦେବଲୋକକୁ ଗମନ କରନ୍ତି । ଯେଉଁମାନେ ଶ୍ରାଦ୍ଧତର୍ପଣାଦି କ୍ରିୟା ଦ୍ୱାରା ପିତୃପୁରୁଷମାନଙ୍କୁ ପୂଜା କରନ୍ତି, ସେମାନେ ପିତୃଲୋକକୁ ଗମନ କରନ୍ତି । ଯେଉଁମାନେ ବିନାୟକ ଏବଂ ମାତୃଗଣାଦି ଭୂତମାନଙ୍କୁ ପୂଜା କରନ୍ତି, ସେମାନେ ଭୂତଲୋକକୁ ଗମନ କରନ୍ତି । ଏମାନଙ୍କ ସାଧନା ସକାମ ଥିବାରୁ ପୁନରାବର୍ତ୍ତନ ଘଟିଥାଏ । ଯେଉଁମାନେ ମୋତେ ଉପାସନା କରନ୍ତି, ମୋର ସେହି ଭକ୍ତମାନଙ୍କ ସାଧନା ନିଷ୍କାମ ଥିବାରୁ ସେମାନେ ଅକ୍ଷୟ ପରମାନନ୍ଦ ସ୍ୱରୂପ ମୋତେ ପ୍ରାପ୍ତ ହୋଇଥାନ୍ତି ଏବଂ ସେମାନଙ୍କର ପୁନର୍ଜନ୍ମ ହୁଏନାହିଁ ॥ ୨୫ ॥
ମୋର ପୂଜା ଅତ୍ୟନ୍ତ ସୁଗମ । ଯେଉଁ ବ୍ୟକ୍ତି ଭକ୍ତିର ସହିତ ମୋତେ ସାମାନ୍ୟ ପତ୍ର, ଫୁଲ, ଫଳ ଏବଂ ଜଳ ଅର୍ପଣ କରନ୍ତି, ସେହି ଶୁଦ୍ଧଚିତ୍ତ ନିଷ୍କାମ ପ୍ରେମୀ ଭକ୍ତଙ୍କ ଦ୍ୱାରା ଭକ୍ତି ସହକାରେ ଅର୍ପିତ ହୋଇଥିବା ପତ୍ର ପୁଷ୍ପାଦିକୁ ମୁଁ ପ୍ରୀତିର ସହିତ ଗ୍ରହଣ କରିଥାଏ । କ୍ଷୁଦ୍ର ଦେବତାମାନଙ୍କର ସନ୍ତୁଷ୍ଟି ପାଇଁ ଅନେକ ଅର୍ଥ ବ୍ୟୟ କରି ଯଜ୍ଞ କରିବାକୁ ହୁଏ । କିନ୍ତୁ ମୁଁ ମହାବିଭୂତିସମ୍ପନ୍ନ ହୋଇ ସୁଦ୍ଧା ସାମାନ୍ୟ ପତ୍ର, ପୁଷ୍ପ, ଫଳ ଏବଂ ଜଳ ଆନନ୍ଦର ସହିତ ଗ୍ରହଣ କରିଥାଏ, ଯଦି ତାହା ଭକ୍ତିର ସହିତ ଅର୍ପିତ ହୁଏ ॥ ୨୬ ॥
ହେ ଅର୍ଜ୍ଜୁନ ! ତୁମେ ଯାହାକିଛି କର୍ମ କରୁଅଛ, ଯାହା କିଛି ଖାଦ୍ୟ ଖାଉଅଛ, ଯାହାକିଛି ଦ୍ରବ୍ୟ ହୋମ କରୁଅଛ, ଯାହାକିଛି ବସ୍ତୁ ଦାନ କରୁଅଛ, ଯାହାକିଛି ତପଃ ସାଧନ କରୁଅଛ, ସେହି ସମସ୍ତ କର୍ମକୁ ମୋଠାରେ ସମର୍ପଣ କର ଅର୍ଥାତ୍ ସମସ୍ତ କର୍ମ ସ୍ୱଭାବତଃ କିମ୍ବା ଶାସ୍ତ୍ରାନୁଯାୟୀ କର୍ତ୍ତବ୍ୟ ବୋଲି ମନେକରି ନିଷ୍କାମ ଭାବରେ କେବଳ ମୋର ପ୍ରୀତ୍ୟର୍ଥେ ଆଚରଣ କର । ଏପରି କଲେ ଶୁଭକର୍ମ ଏବଂ ଅଶୁଭକର୍ମର ଫଳ ସ୍ୱରୂପ କର୍ମବନ୍ଧନରୁ ମୁକ୍ତିଲାଭ କରିବ । ତଦ୍ରୂପ ମୁକ୍ତିଲାଭ କରି ସନ୍ନ୍ୟାସ ଅର୍ଥାତ୍ ମୋଠାରେ କର୍ମସସମର୍ପଣରୂପ ଯୋଗରେ ଚିତ୍ତ ସଂଯୁକ୍ତ କରି ତୁମେ ମୋତେ ପ୍ରାପ୍ତ ହେବ ॥ ୨୭-୨୮ ॥
ମୁଁ ସମସ୍ତ ପ୍ରାଣୀଙ୍କୁ ସମାନଭାବରେ ଦେଖେ, ମୋର କେହି ପ୍ରିୟ ବା ଅପ୍ରିୟ ନାହିଁ ଅର୍ଥାତ୍ ମୁଁ କାହାରି ପ୍ରତି ପକ୍ଷପାତିତା କରେନାହିଁ, ସେମାନଙ୍କୁ ଯେ ଯାହାର କର୍ମ ଅନୁରୂପ ଉଚିତ ଫଳ ଦାନ କରେ । ଯେଉଁମାନେ ମୋତେ ଭକ୍ତିର ସହିତ ଭଜନ କରନ୍ତି, ସେମାନେ ମୋଠାରେ ଅବସ୍ଥାନ କରନ୍ତି, ଅର୍ଥାତ୍ ସେମାନଙ୍କ ମନ ମୋଠାରେ ଏକାଗ୍ର ଭାବରେ ସଂଯୁକ୍ତ ରହେ । ତେଣୁ ମୁଁ ତାଙ୍କଠାରେ ରହେ, ଅର୍ଥାତ୍ ସୋମାନେ ମୋତେ ପ୍ରାପ୍ତ ହୋଇ ମୋକ୍ଷ ଲାଭକରନ୍ତି ॥ ୨୯ ॥
ଯଦି କେହି ଦୂରାଚାର ବ୍ୟକ୍ତି ଅଜ୍ଞତାବଶତଃ ଅନ୍ୟଦେବତା ପୂଜା ଏବଂ ମୋ ମଧ୍ୟରେ ପାର୍ଥକ୍ୟ ଥିବା ନ ଜାଣି ଅନ୍ୟ କୌଣସି ଦେବତାଙ୍କୁ ଈଶ୍ୱର ବୋଲି ଜ୍ଞାନ କରି ମୋ ପ୍ରତି ପୂର୍ଣ୍ଣ ଭକ୍ତି ରଖି ପୂଜାକରନ୍ତି, ସେ ସାଧୁ ଅର୍ଥାତ୍ ମୋର ଉତ୍କୃଷ୍ଟ ଭଜନକାରୀ ଭାବେ ଗଣ୍ୟ ହୁଅନ୍ତି, କାରଣ ସେ ମୋର ପ୍ରାପ୍ତି ନିମିତ୍ତ ସମ୍ପୂର୍ଣ୍ଣରୂପେ ଅଧ୍ୟବସାୟ କରିଥାନ୍ତି ॥ ୩୦ ॥
ମୋତେ ଭଜନ କରୁଥିବା ସେହି ସୁଦୁରାଚାର ବ୍ୟକ୍ତି ମଧ୍ୟ ଅବିଳମ୍ବେ ଧର୍ମପରାୟଣଚିତ୍ତ ହୁଅନ୍ତି । ତାହାପରେ ସେ ଚିରନ୍ତନ ଶାନ୍ତିକୁ ପ୍ରାପ୍ତ ହୁଅନ୍ତି । ହେ କୌନ୍ତେୟ, ତୁମେ ଏହା ନିଶ୍ଚିତରୂପେ ଜାଣ ଯେ ଯେଉଁ ବ୍ୟକ୍ତି ମୋର ଭକ୍ତ, ସେ ସୁଦୂରାଚାର ହୋଇଥିଲେ ହେଁ ବିନଷ୍ଟ ହୁଅନ୍ତିନାହିଁ ॥ ୩୧ ॥
ଆହୁରି ମଧ୍ୟ ଯେଉଁମାନେ ପାପଗର୍ଭରୁ ଜାରଜ ରୂପେ ଜାତ ନିକୃଷ୍ଟ ବ୍ୟକ୍ତି ଅଟନ୍ତି, ସେମାନେ ଦୁଷ୍କୁଳରେ ଜାତ ହୋଇ ସୁଦ୍ଧା ଏବଂ ବୈଶ୍ୟ, ଶୂଦ୍ର ଏବଂ ସ୍ତ୍ରୀ ଲୋକମାନେ ଶାସ୍ତ୍ରାଧ୍ୟୟନବିହୀନ ହୋଇ ସୁଦ୍ଧା ମୋତେ ଆଶ୍ରୟ କରି ଅର୍ଥାତ୍ ମୋର ଉପାସନା କରି ନିଶ୍ଚିତରୂପେ ଗତି ମୋକ୍ଷ ଲାଭକରନ୍ତି ॥ ୩୨ ॥
ଯେହେତୁ ଅତି ଅଧମ ବ୍ୟକ୍ତିମାନେ ମୋତେ ଆଶ୍ରୟକରି ପରମଗତି ଲାଭକରିପାରନ୍ତି, ତେଣୁ ପୁଣ୍ୟଶୀଳ ବ୍ରାହ୍ମଣମାନେ ଏବଂ ଭକ୍ତିପରାୟଣ ରାଜର୍ଷିମାନେ ଯେ ମୋତେ ଆଶ୍ରୟ କରି ପରମଗତି ଲାଭକରିଥାନ୍ତି, ଏଥିରେ ଆଉ ସନ୍ଦେହ କରିବାର କଅଣ ଅଛି ? ତୁମେ ଯେ ଏହି ମର୍ତ୍ତ୍ୟ ଲୋକକୁ ଆସିଛ ଏଥିରେ ସମସ୍ତ ବିଷୟ ଅନିତ୍ୟ ଅର୍ଥାତ୍ ବିନାଶଶୀଳ ଏବଂ ବିଷୟଭୋଗ ଅଜ୍ଞାନତାବଶତଃ ସୁଖ ବୋଲି ପ୍ରତୀତ ହେଉଥିଲେ ହେଁ ତାହା ମୋର ଭଜନରେ ପ୍ରତିବନ୍ଧକ ଥିବାରୁ ପ୍ରକୃତରେ ଅସୁଖ ଅର୍ଥାତ୍ ଦୁଃଖଦାୟକ । ତୁମର ଏହି ମନୁଷ୍ୟ ଶରୀର ଅତି ଦୁର୍ଲ୍ଲଭ କିନ୍ତୁ ବିନାଶଶୀଳ ଏବଂ ସୁଖରହିତ ଅଟେ । ତେଣୁ ତୁମେ ଆଉ କାଳକ୍ଷେପଣ ନ କରି ଏବଂ ବିଷୟଭୋଗର କାମନା ତ୍ୟାଗକରି ସର୍ବଦା ମୋତେ ଆରାଧନା କର ॥ ୩୩ ॥
ମୋତେ କିପରି ଭଜନ କରିବାକୁ ହେବ, ତାହା ଶୁଣ । ତୁମେ ମୋଠାରେ ମନ ସମର୍ପଣ କର, ମୋ ପ୍ରତି ଭକ୍ତି ପରାୟଣ ହୁଅ, ମୋତେ ପୂଜାକର, ମୋତେ ନମସ୍କାର କର । ଏହି ପ୍ରକାରରେ ମୋଠାରେ ଏକାନ୍ତ ଆଶ୍ରୟ ନେଇ ଚିତ୍ତକୁ ନିବେଶ କଲେ ତୁମେ ପରମାନନ୍ଦ ସ୍ୱରୂପ ମୋତେ ପ୍ରାପ୍ତହେବ । ଅର୍ଥାତ୍ ତୁମେ ସଚ୍ଚିଦାନନ୍ଦ ବାସୁଦେବ ପରମାତ୍ମା ରୂପ ମୋଠାରେ ଅନନ୍ୟ ପ୍ରେମରେ ନିରନ୍ତର ନିଶ୍ଚଳ ଚିତ୍ତ ସମର୍ପଣ କର, ପରମେଶ୍ୱର ଅର୍ଥାତ୍ ମୋତେ ଶ୍ରଦ୍ଧା ଏବଂ ପ୍ରେମର ସହିତ ନିଷ୍କାମ ଭାବରେ ନାମ, ଗୁଣ ଏବଂ ପ୍ରଭାବର ଶ୍ରବଣ, କୀର୍ତ୍ତନ, ସ୍ମରଣ, ପଠନ, ପାଠାଦିଦ୍ୱାରା ନିରନ୍ତର ଭକ୍ତି କର, ଶଙ୍ଖ-ଚକ୍ର-ଗଦା-ପଦ୍ମଧାରୀ, କିରୀଟ-କୁଣ୍ଡଳ କୌସ୍ତୁଭମଣି ବିଭୂଷିତ, ପୀତାମ୍ବର ବନମାଳା ସୁଶୋଭିତ ମୋତେ ମନ, ବାଣୀ ଏବଂ ଶରୀର ପ୍ରଭୃତି ସମସ୍ତ ଅର୍ପଣ କରି ଅତିଶୟ ଶ୍ରଦ୍ଧା, ଭକ୍ତି ଏବଂ ପ୍ରେମରେ ବିହ୍ୱଳ ହୋଇ ପୂଜାକର ଏବଂ ସର୍ବଶକ୍ତିମାନ ବିଭୂତି, ବଳ, ଐଶ୍ୱର୍ଯ୍ୟ, ମାଧୁର୍ଯ୍ୟ, ଗାମ୍ଭୀର୍ଯ୍ୟ, ଉଦାରତା, ବାତ୍ସଲ୍ୟ, ସୌହାର୍ଦ୍ୟାଦି ଗୁଣର ଆକାର, ସମସ୍ତ ଚରାଚର ଭୂତମାନଙ୍କ ଆଶ୍ରୟ ମୋତେ ବିନୟ ଏବଂ ଭକ୍ତିର ସହିତ ସାଷ୍ଟାଙ୍ଗ ପ୍ରଣାମ କର । ଏହିପରି ଭାବରେ ତୁମେ ମୋଠାରେ ଚିତ୍ତକୁ ସଂପୃକ୍ତ କରି ମୋତେ ଆରାଧନା କଲେ ପରମାନନ୍ଦରୂପ ମୋତେ ପ୍ରାପ୍ତ ହେବ ।
ଇତି ନବମ ଅଧ୍ୟାୟ
Be First to Comment